Unknown

 

 

 

 

 

 

 

 

 

ସେ ପ୍ରସ୍ଥରୁ ଏ ପ୍ରସ୍ଥକୁ

‘ମାଆ’ ବହିର ସାନ୍ନିଧ୍ୟରେ

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

 

ଭୋଗରାଇର ସବିତା ଅପାଙ୍କ ଠାରୁ

ପଣ୍ଡକାମାଳର ନରେନ୍ଦ୍ର ଭୋଇଙ୍କ ଯାଏ,

ସନ୍ତାନମାନଙ୍କର

ଏ ପ୍ରସ୍ଥର ଏହି ମେଳଟି ହାତରେ—

 

ସୂଚୀପତ୍ର

 

୧.

ଏକ ଖାସ୍ ଆହ୍ୱାନର ପ୍ରେରଣାରେ

୨.

ପ୍ରଥମ ଅଧ୍ୟାୟ

୩.

ଦ୍ଵିତୀୟ ଅଧ୍ୟାୟ

୪.

ତୃତୀୟ ଅଧ୍ୟାୟ

୫.

ଚତୁର୍ଥ ଅଧ୍ୟାୟ

୬.

ପଞ୍ଚମ ଅଧ୍ୟାୟ

୭.

ଷଷ୍ଠ ଅଧ୍ୟାୟ

୮.

ଏବଂ, ଏକ ପୁନରାବର୍ତ୍ତନ

Image

 

ଏକ ଖାସ୍ ଆହ୍ଵାନର ପ୍ରେରଣାରେ

 

ଥରେ ଇସ୍ପାତନଗର ରାଉରକେଲାର କେତେଜଣ ସାନପିଲା ମୋତେ ତାଙ୍କ ପାଠଚକ୍ରକୁ ଯାଇ ଯୋଗ ଦେବାକୁ ଆସି ନିମନ୍ତ୍ରଣ କଲେ । ପ୍ରାୟ ସେହି ଆଦ୍ୟରୁ ହିଁ ପିଲାମାନଙ୍କର ଏହି କାର୍ଯ୍ୟକ୍ରମଟିକୁ ଶିଶୁ-ପାଠଚକ୍ର ବୋଲି କୁହାଯାଇ ଆସିଛି । କୌଣସି ସନ୍ଦେହ ନାହିଁ ଯେ, ବଡ଼ମାନେ ହିଁ ପିଲାମାନଙ୍କ ସକାଶେ ଏହି ନାମକରଣଟିକୁ କରି ଦେଇଛନ୍ତି । ମୁଁ ଆଗରୁ ଶିଶୁ-ପାଠଚକ୍ରର କଥା ଶୁଣିଥିଲି; କିନ୍ତୁ କେବେହେଲେ ଏଥିରେ ଯୋଗ ଦେଇ ନଥିଲି । ତେଣୁ କାହିଁକି ଭାରି ଖୁସି ଲାଗିଲା ଓ ମୁଁ ରାଜି ହୋଇଗଲି ।

 

ଏବଂ, ଠିକ୍ ସମୟରେ ନିର୍ଦ୍ଦେଶିତ ସ୍ଥାନଟିରେ ଯାଇ ପହଞ୍ଚି ଯାଇଥିଲି । ମୁଖ୍ୟତଃ ପାଖ ପଡ଼ିଶାର ପିଲାମାନେ ଏବଂ ତେଣୁ ମୁହଁଗୁଡ଼ିକ ଚିହ୍ନା ଚିହ୍ନା । ବଡ଼ମାନେ ମଧ୍ୟ ଅଛନ୍ତି, ମାତ୍ର ପଛଆଡ଼କୁ ବସିଛନ୍ତି । ପରିବେଶଟି ଭାରି ସହଜ ଓ ସିଧା ଲାଗୁଥାଏ । ଦାୟିତ୍ଵରେ ଥିବା ପିଲାମାନେ ଉପଚାର ଅନୁସାରେ ସବୁ ମହଜୁଦ କରି ରଖିଛନ୍ତି । ଏକ ପୂର୍ଣ୍ଣ ଗାମ୍ଭୀର୍ଯ୍ୟ ପରିବେଶଟିକୁ ଥିର ଏବଂ ହସହସ କରି ରଖିଛି । ପ୍ରଥମେ ଆଖି ବନ୍ଦ କରି ଧ୍ୟାନ,–ତା’ପରେ ପୁସ୍ତକ-ପାଠ । କିଛି ‘ଧ୍ୟାନ ଓ ପ୍ରାର୍ଥନା’ରୁ ଏବଂ ତା’ପରେ ଏବଂ ତା’ପରେ ‘ମାଆ’ ବହିରୁ । ତା’ପରେ ଅତିଥିଙ୍କର ଭାଷଣ । ମୋତେ ହଠାତ୍ ବେଶ୍ ଅସହଜ ଲାଗିବାକୁ ଆରମ୍ଭ କଲା । କୋଉ ବିଷୟରେ କହିବି ? ପିଲାଙ୍କ ଆଡ଼ୁ ସେହି ସୁପରିଚିତ ଉତ୍ତରଟା,-ଆପଣ ଯୋଉ ବିଷୟରେ ଇଚ୍ଛା କରିବେ । ମୋତେ ସେତିକିବେଳେ ଗୋଟାଏ ବୁଦ୍ଧି ଦିଶିଗଲା । ମୁଁ କହିଲି, ବର୍ତ୍ତମାନ ଆମେ ‘ଧ୍ୟାନ ଓ ପ୍ରାର୍ଥନା’ ଏବଂ ‘ମାଆ’ ବହିରୁ ଯାହା ସବୁ ଶୁଣିଲେ, ଏବେ ତୁମେମାନେ ହିଁ ସେହି ବିଷୟରେ କିଛି କିଛି କହ । ପିଲାମାନେ ବିଚଳିତ ହୋଇ ପଡ଼ିଲେ । ଏମିତି ପ୍ରଶ୍ନଟିଏ ସେମାନେ ଆଗରୁ ପ୍ରକୃତରେ କେବେହେଲେ ଶୁଣି ନଥିଲେ ।

 

ମଧ୍ୟବର୍ତ୍ତୀ ଏହି ଏତେବର୍ଷ ମଧ୍ୟରେ ‘ମାଆ’ ବହିଟି ସହିତ ବହୁବାର ସାକ୍ଷାତ ଘଟିଛି । ଯେତେଥର ପାଠ କରିଛି, ସେତେଥର ଅଧିକ ଅଧିକ କେତେ କ’ଣ ବୁଝିଛି । ଶ୍ରୀ ଅରବିନ୍ଦଙ୍କର ଅନ୍ୟ ଗ୍ରନ୍ଥଗୁଡ଼ିକ ସହିତ ପରିଚୟମାନ ଅଧିକ ପରିପୁଷ୍ଟ ହୋଇ ‘ମାଆ’ ବହିଟି ସହିତ ମଧ୍ୟ ଅଧିକ ପରିଚୟ ଘଟିଛି । ନିଜକୁ ଯେତିକି ଯେତିକି ଆବିଷ୍କାର କରିଛି, ‘ମାଆ’ ବହିଟିକୁ ବୁଝିବା ସେତିକି ସେତିକି ପ୍ରାଞ୍ଜଳ ହୋଇଛି ଏବଂ, ସେହି ବହିଟିର ଆବେଦନଗୁଡ଼ିକ ଯେତିକି କତି କତି ହୋଇ ଆସିଛନ୍ତି, ମୁଁ ନିଜକୁ ମଧ୍ୟ ସେତିକି ଅଧିକ ସ୍ଵୀକାରାତ୍ମକ ଭାବରେ ଦେଖିବାଲାଗି ସମର୍ଥ ହୋଇଛି । ଆମ ଶ୍ରମ-ଶିବିର ମାନଙ୍କରେ ‘ମାଆ’ ବହିର ଅଧ୍ୟୟନ ଓ ଆଲୋଚନା ମଧ୍ୟ ହୋଇଛି । ପ୍ରତ୍ୟେକ ଥର ଦଶଦିନର ଅଧ୍ୟୟନ ତଥା ଆଲୋଚନାର ମାଧ୍ୟମରେ ଆମ ବନ୍ଧୁଗୋଷ୍ଠୀରେ ମେଳ ହୋଇ ବସି । ଏବଂ, ଏବେ ଆମ ଏଠା ସାପ୍ତାହିକ ଦୁଇଦୁଇ ଥରର ସାନ୍ଧ୍ୟ କ୍ଲାସ୍‌ରେ ଆମେ ପୂରା ବହିଟିକୁ ଗୋଟାଏ ବର୍ଷରେ ଶେଷ କଲୁ । ଅଳପ ଅଧ୍ୟୟନ, ବହୁତ ଆଲୋଚନା,-ନିଃଶଙ୍କ ଏବଂ ଅକୃତ୍ରିମ ଭାବରେ । ସେହିସବୁ ଆଲୋଚନାରୁ ବ୍ୟକ୍ତିଗତ ଭାବରେ ମୋ’ର ଲାଭ ହେଲା । ଏବଂ, ସେହିସବୁ ପୁଞ୍ଜିକୁ ଭୂମି କରି ‘ମାଆ’ ବହିକୁ ଆଧାର କରି ବିଧିବଦ୍ଧ ଭାବରେ ଗୋଟିଏ ଲେଖା ପ୍ରସ୍ତୁତ କରିବାର ଇଚ୍ଛାଟିଏ ସେଇଥିରୁ ଜନ୍ମଲାଭ କଲା । ନିଶ୍ଚୟ ଆହୁରି ଅନେକଙ୍କର କାର୍ଯ୍ୟରେ ଲାଗିବ । ସତ୍ୟମାନଙ୍କୁ, ସଂକଳ୍ପଗୁଡ଼ିକୁ ସେ ପ୍ରସ୍ଥରୁ ଏ ପ୍ରସ୍ଥଯାଏ ବହନ କରି ଆଣିବାରେ ସରଣୀଟିଏ ଯୋଗାଇଦେବ ।

 

ଶ୍ରୀ ଅରବିନ୍ଦ ଜନ୍ମ-ଶତବାର୍ଷିକୀ ଇଂରାଜୀ ସଂସ୍କରଣର ପଞ୍ଚବିଂଶ ଖଣ୍ଡରେ ଯେଉଁ ସଂକ୍ଷିପ୍ତ ଟିପ୍ପଣୀ ଦିଆଯାଇଛି, ସେଥିରୁ ସୂଚିତ ହେଉଛି ଯେ, ‘ମାଆ’ ନାମକ ଏହି ପୁସ୍ତକଟି ସର୍ବପ୍ରଥମେ ୧୯୨୭ ମସିହାରେ ପ୍ରକାଶିତ ହୋଇଥିଲା । ବହିର ପ୍ରଥମ ତଥା ଶେଷ ଅଧ୍ୟାୟଦ୍ୱୟ ସେହି ୧୯୨୭ରେ ଲେଖା ହୋଇଛି, ଏବଂ, ମଝିରେ ରହିଥିବା ଚାରୋଟି ଅଧ୍ୟାୟ ପ୍ରଥମେ ଚିଠି ଆକାରରେ ଲେଖା ଯାଇଥିଲା । ମୁଁ ଯଥାସମ୍ଭବ କିଛି ଅଧିକ ଜାଣିବି ବୋଲି ଇଚ୍ଛା କରି ଶ୍ରୀ ଅରବିନ୍ଦ ଆଶ୍ରମର ଜଣେ ବନ୍ଧୁଙ୍କ ପାଖକୁ ପତ୍ର ଲେଖିଲି । ସେଠା ଆର୍କାଇଭ୍ ବା ଅଭିଲେଖାଗାରରୁ ସେ ଯେତିକି ବାରତା ପାଇ ପାରିଲେ, ମୋ’ ପାଖକୁ ସେହି କଥାଟିକୁ ଏହିପରି ଭାବରେ ଲେଖି ପଠାଇଥିଲେ : “ଆଶ୍ରମର ଆର୍କାଇଭ୍‌ସ୍ ବିଭାଗକୁ ମୁଁ ଯେତିକି ତଥ୍ୟ ସଂଗ୍ରହ କରି ପାରିଲି, ତାହାହିଁ ପଠାଉଛି । ଆପଣ ଚାହିଥିବା (ଉକ୍ତ) ଚିଠିଗୁଡ଼ିକର ନକଲ ବା କାହାପାଖକୁ ଚିଠିଗୁଡ଼ିକ ଲେଖାଯାଇଛି, ସେମାନଙ୍କ ନାମ ଦେବାକୁ ସେମାନେ ରାଜି ହେଲେନାହିଁ । ଆଶ୍ରମ ଆର୍କାଇଭ୍‌ସ୍‌ର ମନ୍ତବ୍ୟ ଏହି ଯେ, ଚିଠିଗୁଡ଼ିକ ସାଧନା ସମ୍ବନ୍ଧୀୟ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲିଖିତ ଚିଠି । ଯଦିଓ ଚିଠିଗୁଡ଼ିକୁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିକଟକୁ ଶ୍ରୀ ଅରବିନ୍ଦ ଲେଖିଥିଲେ, ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ନାମ ଜାଣିବାର କୌଣସି ଗୁରୁତ୍ଵ ନାହିଁ । ଯାହା ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ଶ୍ରୀଅରବିନ୍ଦଙ୍କ ଲିଖିତ ଏହି ମୂଲ୍ୟବାନ୍ ଚିଠିଗୁଡ଼ିକ । ଏଗୁଡ଼ିକ କୌଣସି ଗୋପନ-ପତ୍ର ନୁହେଁ, ସକଳ ସାଧକଙ୍କ ନିମିତ୍ତ ସହାୟକ ଶ୍ରୀ ଅରବିନ୍ଦଙ୍କ ଚିଠି ବା ବାଣୀ । ଏଠାରେ ବ୍ୟକ୍ତି ଗୁରୁତ୍ଵପୂର୍ଣ୍ଣ ନୁହନ୍ତି, ଶ୍ରୀ ଅରବିନ୍ଦଙ୍କ ଲିଖିତ ଚିଠି ଗୁଡ଼ିକ ହିଁ ଗୁରୁତ୍ଵପୂର୍ଣ୍ଣ । ତେଣୁ ସର୍ବସାଧାରଣଙ୍କ ସହାୟତା ସକାଶେ ଚିଠିଗୁଡ଼ିକୁ ପୁସ୍ତିକାରେ ପ୍ରକାଶ କରାଯାଇଛି ।”

 

ଏହି କଥାଗୁଡ଼ିକରେ ରାଜି ନହେବାର ଆଦୌ କୌଣସି କାରଣ ନଥିଲା । କିନ୍ତୁ ତଥାପି ମନ ମାନୁନଥାଏ । ବନ୍ଧୁଙ୍କର ପତ୍ରିଟିରେ ତା’ପରେ ଥିଲା : “ଆଶ୍ରମର Archives ବିଭାଗରୁ ଯେଉଁ ତଥ୍ୟ ମିଳିଲା, ତାହା ଏଠାରେ ଲେଖୁଛି : The Mother ପୁସ୍ତିକାଟି ପ୍ରଥମେ ୧୯୨୮ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା । ଏହାର ପ୍ରଥମ ଅଧ୍ୟାୟଟି (Human Aspiration and Divine Grace–ମାନବୀୟ ଅଭୀପ୍ସା ଓ ଈଶ୍ଵରୀୟ କରୁଣା ସମ୍ବଦ୍ଧରେ ଲିଖିତ) ପ୍ରଥମେ ୧୯୨୭ ଖ୍ରୀଷ୍ଟାବ୍ଦରେ ଫେବ୍ରୁଆରୀ ୨୧ ତାରିଖରେ ବାଣୀରୂପେ ଆଶ୍ରମରେ ବିତରିତ ହୋଇଥିଲା-। ଦ୍ଵିତୀୟ ଅଧ୍ୟାୟଟି (Aspiration, surrender and Rejection–ଆସ୍ପୃହା, ସମର୍ପଣ ଓ ପ୍ରତ୍ୟାଖ୍ୟାନ ସମ୍ବନ୍ଧରେ ଲିଖିତ) ଚିଠି ଭାବରେ ଲିଖିତ । ତୃତୀୟ ଅଧ୍ୟାୟଟି (Faith, Sincerity and Surrender–ବିଶ୍ଵାସ, ଅନ୍ତରନିଷ୍ଠା ଓ ସମର୍ପଣ ସମ୍ବନ୍ଧରେ ଲିଖିତ) ଚିଠି ଭାବରେ ଲିଖିତ । ଚତୁର୍ଥ ଅଧ୍ୟାୟଟି (Money–ଅର୍ଥ ଓ ଏହାର ବ୍ୟବହାର ସମ୍ବନ୍ଧରେ ଲିଖିତ) ଚିଠି ଭାବେ ଲିଖିତ । ପଞ୍ଚମ ଅଧ୍ୟାୟଟି (Divine Worker–ଦିବ୍ୟକର୍ମର କର୍ମୀ ସମ୍ବନ୍ଧରେ ଲିଖିତ) ମଧ୍ୟ ଚିଠି ଭାବରେ ଲିଖିତ । ଷଷ୍ଠ ଅଧ୍ୟାୟଟି (Four powers of the Divine Mother–Maheswari, Mahakali, Mahalakshmi and Mahasaraswati– ଦିବ୍ୟଜନନୀଙ୍କର ଚାରୋଟି ଶକ୍ତି-ମାହେଶ୍ଵରୀ, ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ଵତୀଙ୍କ ସମ୍ବନ୍ଧରେ ଲିଖିତ) ସ୍ଵତନ୍ତ୍ର ଭାବେ ପ୍ରବନ୍ଧାକାରରେ ଲିଖିତ । ଏହି ଛଅଟି ବିଷୟକୁ ନେଇ ସର୍ବସାଧାରଣ ସାଧକଙ୍କ ସହାୟତା ସକାଶେ ୧୯୨୮ ଖ୍ରୀଷ୍ଟାବ୍ଦରେ ଏହା ପୁସ୍ତିକାକାରରେ ପ୍ରକାଶିତ ହୋଇଥିଲା । ତେଣୁ, ବ୍ୟକ୍ତିଗତ ଭାବେ ଦ୍ଵିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ଅଧ୍ୟାୟଗୁଡ଼ିକ ଚିଠି ଭାବରେ ଲେଖା ଯାଇଥିଲେ ମଧ୍ୟ ସେହି ବ୍ୟକ୍ତିମାନଙ୍କର ନାମ ଜାଣିବାରେ କୌଣସି ଗୁରୁତ୍ଵ ନାହିଁ ବୋଲି ଆଶ୍ରମର Archives ବିଭାଗ ମତ ଦେଲେ ।”

 

କଥାଗୁଡ଼ିକୁ ଅବଶ୍ୟ ଜାଣିଲି; ତଥାପି ଆଉ କିଛି ଜାଣିପାରିବି ବୋଲି ଆଶ୍ରମର ଆଉଜଣଙ୍କ ପାଖକୁ ଲେଖିଲି । ଉତ୍ତର ରୂପେ ଯାହା ପାଇଲି, ସେଗୁଡ଼ିକୁ ମଧ୍ୟ ଏଠାରେ ଉଲ୍ଲେଖ କରୁଛି : “The Mother,-ଏହି ଗ୍ରନ୍ଥରେ ଛଅଗୋଟି ଭାଗ ରହିଛି । ପ୍ରଥମ ଭାଗଟି ୧୯୨୭ ରେ ଲେଖା ହୋଇଥିଲା ଓ ସେହି ବର୍ଷ ଫେବ୍ରୁଆରୀ ୨୧ର ଦର୍ଶନ ଦିବସର ବାର୍ତ୍ତାରୂପେ ବିତରଣ କରାଯାଇଥିଲା । ଦ୍ଵିତୀୟ ଭାଗଟି ପତ୍ର ଆକାରରେ ମୋତିଲାଲ ମେହେଟାଙ୍କ ପାଖକୁ ତାଙ୍କର କେତୋଟି ପ୍ରଶ୍ନର ଉତ୍ତର ଦେଇ ଲେଖା ହୋଇଥିଲା । ୧୯୨୭ ମସିହାରେ ସେହି ପତ୍ରପ୍ରେରକଙ୍କର ଚିଠିର ପଛପଟେ ହିଁ ଏହି ଚିଠି ଲେଖା ଯାଇଥିଲା । ସେହି ବର୍ଷ ତୃତୀୟ, ଚତୁର୍ଥ ଓ ପଞ୍ଚମ ଭାଗମାନେ ପୁନମ୍‌ଚାନ୍ଦ ଶାହା ନାମରେ ଜଣେ ଶିଷ୍ୟଙ୍କ ନିକଟକୁ କେତୋଟି ଚିଠିରେ ଶ୍ରୀ ଅରବିନ୍ଦଙ୍କ ଦ୍ଵାରା ଲିଖିତ ହୋଇଥିଲା । ଶ୍ରୀ ଶାହା ସେତେବେଳେ ଆଶ୍ରମ ନିମନ୍ତେ ଅର୍ଥ ସଂଗ୍ରହ କରୁଥିଲେ । ଏବଂ, ଦିବ୍ୟଜନନୀଙ୍କର ବିଭାବ ଚାରୋଟିର ବର୍ଣ୍ଣନାଗୁଡ଼ିକୁ ଅନ୍ତର୍ଭୁକ୍ତ କରି ଲିଖିତ ଷଷ୍ଠ ଭାଗଟି ପୁସ୍ତକଟିର ପ୍ରଥମ ଭାଗଟି ପରି, କୌଣସି ପତ୍ର ଆକାରରେ ନୁହେଁ, ମାତ୍ର ସ୍ଵତନ୍ତ୍ର ଭାବରେ ଲିଖିତ ହୋଇଥିଲା । ଅବଶ୍ୟ, କେତେ ବ୍ୟକ୍ତି ମତ ଦିଅନ୍ତି ଯେ ଏହି ଶେଷ ଅଧ୍ୟାୟଟି ପ୍ରକୃତରେ ଶ୍ରୀ ଟି. ଭି. କାପାଳିଶାସ୍ତ୍ରୀଙ୍କ ନିକଟକୁ ଲେଖାଯାଇଛି ।” ଏହି ସମ୍ପର୍କରେ ଶ୍ରୀ ଅରବିନ୍ଦ ନିଜେ ଲେଖିଛନ୍ତି : ଉଲ୍ଲିଖିତ ଅନ୍ୟ ଗ୍ରନ୍ଥଗୁଡ଼ିକ ପରି The Mother ପୁସ୍ତକର ପ୍ରକୃତରେ ଏହା ଉତ୍ସ ନଥିଲା । ଚାରୋଟି ଶକ୍ତି ଇତ୍ୟାଦିର ବର୍ଣ୍ଣନା ରହିଥିବା ଏହି ବହିଟିର ପ୍ରଧାନ ଭାଗଟି ଏକ ପତ୍ରରୂପେ ନୁହେଁ, ମାତ୍ର ସ୍ଵତନ୍ତ୍ର ଭାବରେ ଲେଖା ହୋଇଥିଲା । ଏହାର ପ୍ରଥମ ଅଂଶଟି ମଧ୍ୟ ସେହିପରି ସ୍ଵତନ୍ତ୍ର ଭାବରେ ।’

 

ଚାରିଚାରିଟା ଉତ୍ସରୁ ଚାରି ପ୍ରକାରର ପାଠକୁ ଆଣି ଏକାଠି ଗୁନ୍ଥି ଗୋଟିଏ ସାନ ସମଗ୍ରର ରୂପ ଦିଆ ଯାଇଥିବା ଏକ ସାମଗ୍ରୀରୂପେ ଆମେ କେବେହେଲେ ‘ମାଆ’ ବହିର ବିଚାର କରିବା ନାହିଁ । ବହିଟି ଯେ ଆଦୌ ସେଭଳି ପଦାର୍ଥଟିଏ ନୁହେଁ,–ଏହିପରି ଗୁନ୍ଥା ହୋଇ ଦ୍ରବ୍ୟଟିକୁ ତିଆରି କରାଯାଇଛି ବୋଲି ଜାଣି ନଥିବା ବ୍ୟକ୍ତି ବହିଟିର ପରିଚୟ ଲାଭ କରୁଥିବା ସମୟରେ ସେପରି ମୋଟେ ଅନୁଭବ କରେ ନାହିଁ । ଗୁନ୍ଥା ହୋଇଥିଲେ ମଧ୍ୟ ଏହା ଗୋଟିଏ ସଂପୂର୍ଣ୍ଣ ପ୍ରେରଣା, ଏକ ସମ୍ପୂର୍ଣ୍ଣ ବାର୍ତ୍ତା ଓ ଗୋଟିଏ ସମ୍ପୂର୍ଣ୍ଣ ଆହ୍ଵାନ । ଅଧ୍ୟାୟଗୁଡ଼ିକ ମଧ୍ୟରେ ଏକ ପୂର୍ବାପର ଅନୁସଙ୍ଗତି ସମ୍ପୂର୍ଣ୍ଣ ମାତ୍ରାରେ ସବୁବେଳେ ରହିଛି । ମୂଳ ଅଧ୍ୟାୟଟି ମୂଳ ବୋଲି ଲାଗୁଛି ଏବଂ ସର୍ବଶେଷ ଷଷ୍ଠ ଅଧ୍ୟାୟଟି ଯାବତୀୟ ଅର୍ଥରେ ଗୋଟିଏ ଦେଉଳର ମୁଣ୍ଡି ମାରିଥିବା ପରି ମଧ୍ୟ ଅନୁଭୂତ ହେଉଛି । ଦର୍ଶନ-ଦିବସର ବାର୍ତ୍ତାରୂପେ ବିତରଣ ଲାଗି ଲେଖା ହୋଇଥାଉ, ଦୁଇଜଣ ଅନୁସନ୍ଧିତ୍ସୁଙ୍କ ନିମନ୍ତେ ଚାରୋଟି ଚିଠି ହୋଇଥାଉ ଅଥବା ଆପାତତଃ ଚାରିଗୋଟି ବିଭାବର ମାଧ୍ୟମରେ ଦିବ୍ୟଜନନୀଙ୍କର ଏକ ବିଶ୍ଳେଷଣାତ୍ମକ ବୋଧ ଆଣି ଯୋଗାଇ ଦେବାରେ ଏକ ପ୍ରୟାସ କରାଯାଇ ଥାଉ ପଛକେ, ସମ୍ପୂର୍ଣ୍ଣ ପୁସ୍ତକଟିର ଛତ୍ରେ ଛତ୍ରେ ଶ୍ରୀ ଅରବିନ୍ଦ ହିଁ ଅବଶ୍ୟ ଦିଶି ଯାଉଛନ୍ତି, ଶ୍ରୀ ଅରବିନ୍ଦ ନାମକ ସେହି ପୂର୍ଣ୍ଣ ମହିମାରେ ।

 

ତେଣୁ, କେବଳ ଅବଗାହି ପାରିଲେ ହେଲା, କେବଳ ସମ୍ମତ ହୋଇପାରିଲେ ହିଁ ହେଲା-। ଏକାବେଳେକେ ପୂର୍ଣ୍ଣ ଖୁସିରେ ଏକ ଗ୍ରହଣଶୀଳତା ସହିତ ନିକଟବର୍ତ୍ତୀ ହୋଇ ପାରିଲେ ହେଲା । ଆଦୌ ବାଧ୍ୟ ନହୋଇ ସେଥିଲାଗି, ବହିଟିକୁ ପାଠ କରୁଥିବା ବେଳେ, ପ୍ରଥମଟି ପରେ ଦ୍ଵିତୀୟ ଅଧ୍ୟାୟଟି ମଧ୍ୟକୁ ପହୁଣ୍ଡ ପକାଇ ମୋଟେ ଲାଗିବନାହିଁ ଯେ ବର୍ତ୍ତମାନ ଆମେ ଦର୍ଶନ-ଦିବସରେ ବିତରିତ ହୋଇଥିବା ବାର୍ତ୍ତାଟିକୁ ଶେଷ କରି ଶ୍ରୀ ଅରବିନ୍ଦ ଜୈନକ ଶ୍ରୀ ମେହେଟାଙ୍କ ପାଖକୁ ଲେଖିଥିବା ଏକ ପତ୍ରକୁ ପାଠ କରୁଛୁ କିମ୍ବା ପରବର୍ତ୍ତୀ ତିନି ଅଧ୍ୟାୟରେ ତାଙ୍କର ଆଉ ଜଣେ ଶିଷ୍ୟ ଶ୍ରୀ ଶାହାଙ୍କ ପାଖକୁ ଏହି ପତ୍ର ତିନୋଟି ଏକଦା ପ୍ରେରିତ ହୋଇଥିଲେ । ଚତୁର୍ଥ ଅଧ୍ୟାୟଟିରେ ପୁଣି ଅର୍ଥ ବିଷୟରେ ପ୍ରସଙ୍ଗଟିଏ ରହିଛି । ସମ୍ପୂର୍ଣ୍ଣ ଭାବରେ ସବୁ ବୁଝିହୁଏ ସିନା, କିନ୍ତୁ ତଥାପି ଅନ୍ୟ ଅଧ୍ୟାୟଗୁଡ଼ିକର ଗୋଷ୍ଠୀଟି ମଧ୍ୟରେ ଏଇଟି ଆଦୌ ଖାପ ଖାଉନଥିବା ପରି ମନେ ହେଉଥାଏ । ଅଧ୍ୟାତ୍ମର ଏକ ଚର୍ଚ୍ଚା ଭିତରେ ଅର୍ଥକୁ ନେଇ ଏକ ଆଲୋଚନା ବହୁତଙ୍କ ମନରେ ହୁଏତ କିଛି ପରିମାଣରେ ଏକ ବିକ୍ଷେପ ସଦୃଶ ଲାଗୁଥାଏ । ସମ୍ଭବତଃ ବିଶେଷ କରି ଆମ ଭାରତୀୟ ମାଟିଟାର ସେହି ଖାସ୍ ବଦ୍ଧବିଶ୍ଵାସର ସନ୍ଦର୍ଭରେ ଯେଉଁଠାରେ ଅର୍ଥଟାକୁ ତତ୍ତ୍ଵତଃ କ’ଣ ପାଇଁ ମାୟା ବୋଲି ସେହି ଅତି ପରିଚିତ ଅନ୍ୟଟା ଭିତରେ ଅନ୍ତର୍ଭୁକ୍ତ କରାଯାଇ ଆସିଛି । ଆମର ଅଭ୍ୟସ୍ତ ଫିଡ଼ିକା ମନଟା ସେଥିପାଇଁ ଏହି ନୂଆ ସଂରଚନାଟିକୁ ସେପରି ସଫା ଭାବରେ ଖୁବ୍ ବେଶୀ ଗ୍ରହଣ କରି ପାରୁନଥାଏ ।

 

ଏବଂ, କିଞ୍ଚିତ୍ ଚିନ୍ତା କଲେ ଆମେ ଖୁବ୍‌ଗୁଡ଼ାଏ କଷ୍ଟ ନକରି ଏକଥାଟିକୁ ମଧ୍ୟ ନିଶ୍ଚୟ ବୁଝିପାରିବା ଯେ, ଚତୁର୍ଥ ଅଧ୍ୟାୟଟିକୁ ଆଡେଇ ଦେଇ ଅର୍ଥାତ୍ ଗୌଣ ବୋଲି ମଣି ଆମେ ‘ମାଆ’ ବହିର ଅନ୍ୟ ଅଧ୍ୟାୟଗୁଡ଼ିକୁ ତଥାପି ପରିପୂର୍ଣ୍ଣ ଅଧ୍ୟାତ୍ମର ମର୍ଯ୍ୟାଦା ପ୍ରଦାନ କରି ହୁଏତ ଗ୍ରହଣ କରି ପାରିବାନାହିଁ । ଭାରତୀୟ ଶାସ୍ତ୍ରରେ ଯାହାକୁ ‘ହସ୍ତାମଳକ’ ବୋଲି କୁହାଯାଇଛି, ‘ମାଆ’ ବହି ହେଉଛି ସେହିପରି ଗୋଟିଏ ହସ୍ତାମଳକ । ହାତପାପୁଲି ଉପରେ ଧରିଥିବା ଗୋଟିଏ ଆମଳକ ଅର୍ଥାତ୍ ଅଁ’ଳା ଫଳ ସଦୃଶ । ଶ୍ରୀ ଅରବିନ୍ଦ ରଚନା କରିଥିବା ବୃହତ୍ ପୁସ୍ତକମାନ,–ସବୁଗୁଡ଼ିକର ବାର୍ତ୍ତା ଏକତ୍ର ଗୋଟିଏ ସାନ ଅଁ’ଳା ଆକାରରେ ‘ମାଆ’ ବହିର ଆକାରରେ ଆମ ପାଇଁ ଆମ ପାଖକୁ ଆସିଛି, ଏବଂ ଏକ ମହାସମୁଦ୍ରର ଆହ୍ଵାନ ଦେଇ ଯାଉଛି । who will come with me ? ବୋଲି ଆମନ୍ତ୍ରଣ ଦେଇ ଯାଉଛି । ଏବଂ, ଏପରି ମଧ୍ୟ ସୁନିଶ୍ଚିତ ଭାବରେ କହିହେବ ଯେ, ଏହି ଏତେ ସାନ ବହିଟିକୁ ଏକ ପୂର୍ଣ୍ଣ ଶ୍ରଦ୍ଧା ସହିତ ଗ୍ରହଣ କରିଥିଲେ ଆମେ ଶ୍ରୀ ଅରବିନ୍ଦଙ୍କ ଦ୍ଵାରା ଲିଖିତ ସେହି ଏକାଧିକ ବୃହତ୍ କୃତିଗୁଡ଼ିକୁ ମଧ୍ୟ ଅଧିକ କାତରତାରହିତ ଭାବରେ ଅବଶ୍ୟ ବୁଝି ପାରିବା । ହଁ, ଆହୁରି କେତେ କେତେ କଥାକୁ ସାହସ କରିପାରିବା ଏବଂ କେତେ କ’ଣ ହୋଇପାରିବା । ତେଣୁ, କେବଳ ପାରାୟଣ ନୁହେଁ, ଅନ୍ତଃପ୍ରବେଶ । ପାରାୟଣ କରିବାର ଯେଉଁ ପରମ୍ପରାଟିଏ ଆମ ରୀତିମାନଙ୍କରେ ରହିଛି, ସେଥିରେ ସଚରାଚର ସମ୍ପୃକ୍ତ ପାରାୟଣକାରୀ ମାନଙ୍କୁ ସତେଅବା କ’ଣ ସବୁ ମିଳିବାର ପରୋକ୍ଷ କିଛି କିଛି ବାସନା ମଧ୍ୟ ପ୍ରଚ୍ଛନ୍ନ ହୋଇ ରହିଥାଏ-। ଅନ୍ତଃପ୍ରବେଶ କରିବାର ଆହ୍ଵାନଟି ହେଉଛି ଏକାଧିକ ଅର୍ଥରେ କିଛି ହୋଇପାରିବା ଲାଗି,-ଅଧିକରୁ ଅଧିକ ହୋଇ ପାରିଲେ ତୁମେ ଅଧିକରୁ ଅଧିକ ଯୋଗ୍ୟ ପ୍ରକାରେ ଆପଣାକୁ ଦେଇପାରିବ,-ହଁ, ତାଙ୍କର କାମରେ ଲାଗିପାରିବ । ଜଗତବିବର୍ତ୍ତନର ସେହି ଅସଲ ଯୋଜନାଟି ଆମ ମନୁଷ୍ୟମାନଙ୍କର ଏକ ସଚେତନ ସହଯୋଗରେ ହିଁ ଅଧିକତର ତ୍ଵରାରେ ହେବ-। ସେଇଥିପାଇଁ ତ ଏହି କ୍ଷେତ୍ରରେ will you collaborate ର ଏକ ଅଭିନବ ଆହ୍ଵାନ ମନୁଷ୍ୟମାତ୍ରକେ ଏଠି ସମସ୍ତଙ୍କ ଲାଗି । ତେଣୁ, ସତେଅବା ଏକ ଈଶ୍ଵରୀୟ ପୂର୍ବନିର୍ଦ୍ଧାରଣ ସଦୃଶ ଅଧିକରୁ ଅଧିକ, ହେବାର ଏବଂ ଅଧିକରୁ ଅଧିକ ଦେଇ ପାରିବାର ସେହି ଘୋଷଣାନାମାଟି-। ‘ମାଆ’ ବହି ସେଥିପାଇଁ ଜଣେ ମାଆର ହିଁ ଆହ୍ଵାନ ଭଳି ।

Image

 

Unknown

ପ୍ରଥମ ଅଧ୍ୟାୟ

 

ଆସ୍ପୃହାଟିଏ ଏହି ତଳୁ ଏବଂ ଏକ ପରମ କରୁଣା,–ଦୁହେଁ ପରସ୍ପରକୁ ଭେଟିବେ । ଏକ ଅବିରତ ଏବଂ ଅଦମ୍ୟ ଆସ୍ପୃହା, ଆଦୌ ହଟି ଯିବନାହିଁ; ଏବଂ ଉର୍ଦ୍ଧ୍ୱରୁ ସେହି ଅବାରିତ ପରମ କରୁଣା,-ଦୁଇଟିଯାକ ସଚଳ, ସତେଅବା ଦୁହେଁ ପରସ୍ପରକୁ ଲୋଡ଼ନ୍ତି,-ଆଉ କ’ଣ ଘଟୁ ବୋଲି ଇଚ୍ଛା କରୁଥାନ୍ତି । ମୁଁ ଏଠୁ ଡାକେ, ଆଦୌ ଥିର ପରିତୃପ୍ତ ହୋଇ ରହି ରହିପାରେ ନାହିଁ । ମୋ’ ଭିତରେ ସତକୁ ସତ ସେଇ ଉପସ୍ଥିତ ରହି ମୋତେ ତାଙ୍କ ନିମନ୍ତେ ସଚଳ କରି ରଖନ୍ତି କି ? ଏବଂ, ମୁଁ ମଧ୍ୟ ସେହିପରି ଏକ ଉତ୍ତରାଧିକାର ଦ୍ଵାରା ସଚେତନ ହୋଇ ତାଙ୍କୁ ମନ କରେ କି ? ହଁ, ସେଇଥିପାଇଁ ତ ଡାକି ପକାଏ । ଡାକିବା ମାତ୍ରକେ ହିଁ ସକଳ ଦୂରତାକୁ ଭୁଲିଯାଏ । ଗୋଟାଏ ଖିଅ ଲାଗିଯାଏ । ସତରେ କ’ଣ ଖିଅଟା ନଥିଲା ଏବଂ ମୁଁ ମନ କଲାରୁ ହିଁ ଲାଗିଗଲା ! ଖିଅ ଲାଗିନାହିଁ ବୋଲି ମୁଁ ସେତିକିବେଳେ ବୁଝୁଥାଏ, ଯେତେବେଳେ ମୁଁ ଯେତିକିରେ ଅଛି ସେତିକି ସବୁକିଛି ବୋଲି ଅନୁଭବ କରିବାରେ ଲାଗିଥାଏ । ଗୋଟାକୁ ତିନିଟା କରେ ଏବଂ ତିନିଟାକୁ ତେରଟା କରେ-। ଠାକୁର ବୋଲି ଯାହାକୁ ହେତୁ କରେ, ତାକୁ କେବଳ ମାଗିବାରେ ଲାଗିଥାଏ । ସତେଅବା ତୁଷ୍ଟ କରି କ’ଣ ସବୁ ଆଦାୟ କରିବି ବୋଲି ଖୁବ୍ ଧାଇଁଥାଏ । କେବଳ ମୋଟା ହେବାରେ ଲାଗିଥାଏ, ମୋଟେ କିଛି ବି ହୁଏ ନାହିଁ । ତେଣୁ, ଆସ୍ପୃହାବନ୍ତ ହେବାର ସେହି ନିତ୍ୟ ଧର୍ମଟିକୁ ପାସୋରି ରହିଥାଏ ।

 

ହଁ, ସତେଅବା ସ୍ଥାଣୁ ହୋଇ ରହିଥାଏ । ତେଣୁ ସିଏ ମଧ୍ୟ ନିଶ୍ଚୟ ଆଉ କେଉଁଠି ସ୍ଥାଣୁ ହୋଇ ରହିଛନ୍ତି ବୋଲି କଳ୍ପନା କରୁଥାଏ ଏବଂ ତୁଚ୍ଛା କାଙ୍ଗାଳଟିଏ ହୋଇ ରହିଥାଏ । ବନ୍ଧୁ, ମୁଁ ସଚଳ ହେଲେ ଯାଇ ସିଏ ସଚଳ ହୁଅନ୍ତି । ମୁଁ ପାଦଟିଏ ପକାଇଲେ ସିଏ ମଧ୍ୟ ପାଦ ପରେ ପାଦ ହୋଇ ଓହ୍ଲାଇ ଆସୁଛନ୍ତି ବୋଲି ଜାଣେ । ହଁ, ଅନୁଭବ ହୁଏ, ସତେ ଯେପରି ମୁଁ ଗୋଟିଏ ପାଦ ପକାଇଲେ ସିଏ ସାତପାଦ ଓହ୍ଲାଇ ଆସନ୍ତି । ଡାକିଲେ ଉଅ କରନ୍ତି । ମୋ’ରି ଠାରୁ ଆରମ୍ଭ ହୋଇ ଏଡେ ଉଚ୍ଚ ହୋଇ ଛିଡ଼ା ହୋଇଥିବା ପର୍ବତଟିକୁ ଉଠିବି ବୋଲି ସଚଳ ହେବା ମାତ୍ରକେ ସେହି ଶିଖରପ୍ରଦେଶଟି ମଧ୍ୟ କେଡ଼େ କତି ହୋଇ ଆସେ ।

 

ସେଇଟି କତି ହୋଇ ଆସୁଥିବା, ତାହାହିଁ ସେହି ଶିଖରଟିର କରୁଣା, ସତକୁ ସତ ଏକ ପରମ କରୁଣା । ମୁଁ ଇଛାଟିଏ କରି ସଚଳ ହେବା,-ସତେଅବା ଆପଣାଛାଏଁ ଆପଣା ଭିତରୁ ଆଉକିଛିର ପ୍ରତ୍ୟୟ ତଥା ପରିଚୟ ପାଇ କାହାକୁ ବଞ୍ଚିବା, ତାହାହିଁ ଆସ୍ପୃହା । ମୋ’ର ଜୀବନଧର୍ମଟି ସହିତ ମୋ’ର ସର୍ବୋତ୍ତମ ବୁଝାମଣାଟିଏ । ଉଭୟ ଭିତରେ ଭେଟଟିଏ ହେବ । ମୋ’ ଆସ୍ପୃହାଟି ଜଣେ ପରମାସ୍ପଦଙ୍କୁ ଭେଟିବ, ଯିଏକି ମୋତେ ଭେଟିବା ସକାଶେ ଏକାବେଳେକେ ସେହି କୋଉ କାଳରୁ ହିଁ ରାଜି ହୋଇ ଆସିବାରେ ଲାଗିଥିଲେ । ତେଣୁ, ଏକ ଅକାଟ୍ୟ ନ୍ୟାୟରେ ଦୁଇଟିଯାକ ହେଉଛନ୍ତି ଶକ୍ତି । କିଏ ଅଧିକ ଏବଂ କିଏ କମ୍ ଅପରିହାର୍ଯ୍ୟ, ସେକଥା ପ୍ରକୃତରେ କ’ଣ ପାଇଁ ପଡ଼ିବ ? କାରଣ, ଆପଣାକୁ ତାଙ୍କପାଇଁ ଅପରିହାର୍ଯ୍ୟ ବୋଲି ପୂର୍ଣ୍ଣ ପରିମଳ ସହିତ ଅନୁଭବ କରିପାରିଲେ ସିନା ମୁଁ ଆଦୌ କୌଣସି ଆସ୍ପୃହା କରିବାଲାଗି ଯୋଗ୍ୟ ହୋଇପାରିବି । ଏବଂ, ତେବେଯାଇ ଯେ କୌଣସି ସାଧନାରେ ଆଦୌ କୌଣସି ଭେଟ ଭଳି ଭେଟ ସମ୍ଭବ ହୋଇ ପାରିବ । ମୋ’ର ଆସ୍ପୃହାଚୟ ହିଁ ମୋତେ ତାଙ୍କ ଯାଏ ଉତ୍ତୋଳିତ କରିନେବେ ଏବଂ ତାଙ୍କର କାର୍ଯ୍ୟରେ ଲଗାଇ ପାରିବେ । କେବଳ ମାଗୁଥିବାର ସେହି ଯେଉଁ ଦରିଦ୍ର ସାଧନାଟି,-ସତେ ଯେପରି କେବଳ ମୁଁ ହେଉଛି ଏହି ବିଶ୍ଵ ବୋଲି ଯାହା କିଛିର ଗୋଟିଏ ମାତ୍ର କେନ୍ଦ୍ର ଓ ସେହି କରୁଣା ହେଉଛି ସେଥି ନିମନ୍ତେ ଏକ ସୁରକ୍ଷା ପ୍ରାଚୀର ସଦୃଶ କାର୍ଯ୍ୟ କରୁଥିବାର ପରିଧିଟିଏ,-ତାହା ନିତାନ୍ତ ଦରିଦ୍ରମାନଙ୍କର ସାଧନା । ସମ୍ଭବତଃ ତାହାକୁ ବାସନା ବୋଲି କହିହେବ ସିନା, ତାହା ମୋଟେ ଏକ ଆସ୍ପୃହା ନୁହେଁ । ମୁଁ ବାସନାମାନଙ୍କରେ ସଦା ବଳବାନ୍ ହୋଇ ରହିଥାଏ । କିନ୍ତୁ ମୋ’ର ଯାବତୀୟ ଆସ୍ପୃହାକୁ ଅନୁକୂଳ ପବନଗୁଡ଼ିକୁ ଯୋଗାଇଦେଇ ସତେଅବା କିଏ ସେହି ଅସଲ ଭେଟଟି ପାଇଁ ପ୍ରସ୍ତୁତ କରାଇ ହିଁ ନେଉଥାନ୍ତି । ଯିଏ ବା ଯେଉଁମାନେ ଆସ୍ପୃହା କରିଛନ୍ତି, ସେହିମାନେ ଉତ୍ତର ଦେଇ ପାରିବେ ।

 

କିନ୍ତୁ, ସିଏ କ’ଣ ସତକୁ ଡାକିଲେ ଯାଇ ଶୁଣନ୍ତି ? ନାଇଁ, ସିଏ ସର୍ବଦା ହିଁ ଏଇଠି ଥାଆନ୍ତି, ଓହ୍ଲାଇ ଆସୁଥାନ୍ତି,-ତେଣୁ ଆମେ ଡାକିପାରିବା ମାତ୍ରକେ ହିଁ ସିଏ ଶୁଣି ପାରୁଛନ୍ତି ବୋଲି ଅନୁଭବଟିଏ ହୋଇଥାଏ । ଡାକିଲେ ଅର୍ଥାତ୍ କିଛି ହେବାକୁ ମନ କଲେ । ତାଙ୍କ ଉଅ କରିବା ଲାଗି ଭୂମିଟିଏ ଯୋଗାଇଦେଲେ । ସେହି ଭୂମିଟି କ’ଣ ଆମ ବାହାରେ ? ସେହି ଭୂମି ଆମେ ନିଜେ । ସିଏ ଆମରି ଭିତରକୁ ଓହ୍ଲାଇ ଆସନ୍ତି : ମଥାରେ ବୁଦ୍ଧି ଦିଅନ୍ତି, ଶରୀରରେ ଶକ୍ତି ଦିଅନ୍ତି ଓ ହୃଦୟରେ ଶ୍ରଦ୍ଧା ଏବଂ ସଂକଳ୍ପ ଭରି ଦିଅନ୍ତି । ଭୂମିଟିଏ ହେବାକୁ ମନ କରିବା, ତାହା ହିଁ ହେଉଛି ସତତ ପୂର୍ଣ୍ଣ ଜୀବନଟିଏ ବଞ୍ଚିବାର ବାଟ ପାଇଯିବା । ସେହି ଭୂମିଟିରେ ଆଲୋକ ଏବଂ ସତ୍ୟଲାଗି ଏକ ସଦାସହଜ ପିପାସା ହିଁ ରହିଥିବ । ପରମ ଆଲୋକମୟ ଓ ପରମ ସତ୍ୟର ଆକାର ସିଏ ନିଶ୍ଚୟ କେଉଁଠାରେ ମନୁଷ୍ୟ-ଜୀବନରେ ଉକ୍ତ ଆଲୋକର ତଥା ଶକ୍ତିର ସଚେତନ ଆଗ୍ରହୀଟିର ସୁରାଖ ପାଇଲେ ତାହାରି ଆଡ଼କୁ ଢଳି ଆସନ୍ତି : ସତେଅବା ଦୂରର ଗୋଟିଏ ଡାଳ ପାଖକୁ ଏକାବେଳେକେ ହାତ ପାଆନ୍ତାକୁ ନଇଁଆସିବା ଭଳି । ଭିତରେ ସୋଦରଟିଏ ରାଜି ହୋଇଗଲା ବୋଲି ଜାଣି ବାହାରୁ କିମ୍ବା ବାହାରେ କିଏ କେତେବେଳୁ ଅପେକ୍ଷା କରି ରହିଛି ବୋଲି ଏକ ଅଚାନକ ପ୍ରତ୍ୟୟ ଲାଭ କରି ଭିତରର ଅମଙ୍ଗ ଚଢ଼େଇଟି କେଡ଼େ ଅଜାଣତ ଭାବେ ଉଜ୍ଜ୍ଵଳ ହୋଇ ଉଠି ଡେଣା ଦୁଇଟିକୁ ମେଲାଇ ଦେଇ ସାଙ୍ଗରେ ବାହାରି ଯିବାପାଇଁ ଭିତରୁ କହି ଦେଉଥିବା ପରି । ତା’ପରେ କେବଳ ଏକ ଉତ୍ସବ ହିଁ ଲାଗି ଯିବାକୁ ଆରମ୍ଭ କରେ । ସେହି ଉତ୍ସବଟିକୁ ଆମେ ଇଚ୍ଛା କଲେ ଆମର ସାଧନା ବୋଲି ମଧ୍ୟ କହିପାରିବା ।

 

ହଁ, ଆମ ସାଧନାର ଅନୁକୂଳ ପରିମଳଟିଏ,-ସେହି ଆଲୋକ ଏବଂ ସତ୍ୟର ଏକ ପରିମଳ; ତେବେ ଯାଇ ଆମ ଜୀବନରେ ଅର୍ଥାତ୍ ଏହି ସଂସାରଭୂମିଟିର ଜୀବନରେ ପରମ କରୁଣାର ଅବତରଣ ସମ୍ଭବ ହେବ,-ଅର୍ଥାତ୍ ଆମ ଲାଗି ତାହାର ଏକ ଅନୁସ୍ପନ୍ଦନ ପ୍ରାପ୍ତ ହୋଇପାରିବ । ଆମ ଭିତରର ନିତାନ୍ତ ଅବୋଧଟା ମଧ୍ୟ ଭଲ ଭାବରେ ବୁଝି ପାରୁଥିବ ଯେ, ମିଥ୍ୟା ଏବଂ ଅଜ୍ଞାନର କୌଣସି ପରିବେଶରେ ତାହାର କଦାପି ଅବତରଣ ସମ୍ଭବ ହେବନାହିଁ । ତେବେ, ମିଥ୍ୟାର ପରିବେଶ ଆମେ କାହାକୁ କରିବା ? ଯେଉଁ ପରିବେଶଟି ମଧ୍ୟରେ ଆମେ ଏବଂ ଆମର ଏହି ବର୍ତ୍ତମାନର ପୃଥିବୀଟି ନାକରେ ତୁଣ୍ଡି ବନ୍ଧାହୋଇ ପଡ଼ିରହିଛୁ, ସେଇଟି ହିଁ ତ ମିଥ୍ୟାର ପରିବେଶ । ମିଥ୍ୟାର ପରିବେଶ ବୋଲି ଆମେ ହୃଦୟଙ୍ଗମ କରୁଛୁ ଓ ତଥାପି ତାହାକୁ ଆବୋରି ପଡ଼ିରହିଛୁ । ସେଇଟା ଆମକୁ କାମୁଡ଼ି ଧରିଛି ଏବଂ ଆମେ ମଧ୍ୟ କେତେ କ’ଣ ଅନ୍ୟାନୁରାଗରେ ତାହାକୁ କାମୁଡ଼ି ରହିଛୁ । ପୁନଶ୍ଚ, ମିଥ୍ୟା ଏବଂ ଅଜ୍ଞାନ କ’ଣ ବସ୍ତୁତଃ ଦୁଇଟି ଅଲଗା ଅଲଗା ପଦାର୍ଥ କି ? ମିଥ୍ୟା ହେତୁ ଅଜ୍ଞାନ ତଥା ଅଜ୍ଞାନ ହେତୁ ମିଥ୍ୟା । ମୋ’ ନିଜ ପାଇଁ ମିଥ୍ୟା, ତେଣୁ ଜଗତ ପାଇଁ ମିଥ୍ୟା । ଜଗତ ପାଇଁ ମିଥ୍ୟା ଏବଂ ତେଣୁ ମୋ’ ନିଜପାଇଁ ମିଥ୍ୟା । ମୁଁ ଏବଂ ଆମ ସମସ୍ତଙ୍କର ଏହି ଜଗତଟିକୁ ଅଲଗା ଅଲଗା କରି ଦେଖୁଛୁ ଏବଂ ସେଥିରୁ ଲାଭବାନ ହେଉଛୁ ବୋଲି ଅନୁଭବ ବି କରୁଥିବା, ତାହା ହେଉଛି ପ୍ରକୃତରେ ଗୋଟିଏ ମୂଳଭୂତ ମିଥ୍ୟା ଏବଂ ସେହି ମିଥ୍ୟାରୁ ପ୍ରେରଣା ନେଇ ଏଠି ଜୀବନଗୁଡ଼ିକୁ ବଞ୍ଚୁଥିବା ହେଉଛି ଅଜ୍ଞାନ । ଏବଂ, ସେହି ଅଜ୍ଞାନଟି ସୁଖ ଲାଗୁଥିବା ପର୍ଯ୍ୟନ୍ତ ପରମ କରୁଣା ଆମ ଲାଗି ବହୁ ଦୂର ହୋଇ ରହିଥିବ । ଆମେ ସେହି କରୁଣା ଆମ ଲାଗି କାହିଁକି ଆପଣାକୁ ଊଣା କରି ରହିଛି ବୋଲି କେତେ କେତେ ପ୍ରକାରେ ଗୋଳ ଲଗାଇ ରହିଥିବା,-ଛାଟିପିଟି ହେଉଥିବା ।

 

କାରଣ, ଯଦି ଦିବ୍ୟ କରୁଣା ଆମର ଏହି ବହୁ କାଳରୁ ଅଭ୍ୟସ୍ତ ମିଥ୍ୟା ଏବଂ ଅଜ୍ଞାନର ଭୂମିରେ କାର୍ଯ୍ୟ କରିବାକୁ ରାଜି ହୋଇଯିବ, ତେବେ ତାହା ଏହି ମିଥ୍ୟାକୁ ମଧ୍ୟ ରାଜି ହୋଇ ଯିବାପରି ଘଟଣାଟିଏ ମଧ୍ୟ ହେବ । ଗୋଟାଏ ସାଲିଶ୍ ହୋଇଯିବ । ମିଥ୍ୟାର ଏବଂ ଅଜ୍ଞାନର ସର୍ତ୍ତଗୁଡ଼ିକୁ ମାନିବାଲାଗି ବାଧ୍ୟ ହେବାକୁ ପଡ଼ିବ । ଏପରି ଘଟଣା ଏହି ପୃଥିବୀର ଇତିହାସରେ ବାରମ୍ବାର ଘଟି ଆସିଛି । ନୂଆ ନୂଆ ବାରତା ତଥା ପରିଭାଷାରେ ଅଧ୍ୟାତ୍ମର ପ୍ରଚାର ଖୁବ୍ ହୋଇଛି-। ଏଥର ସବୁ ବଦଳିଯିବ, ଏହି ଧରାତଳ ସ୍ଵର୍ଗରେ ପରିଣତ ହୋଇଯିବ, କଳି ବଦଳରେ ସତ୍ୟ ଆସିବ,-ଯାହା ସ୍ଵର୍ଗରେ ପ୍ରତିଷ୍ଠିତ ହୋଇ ରହିଛି, ତାହା ଏହି ମର୍ତ୍ତରେ ହିଁ ସମ୍ଭବ ହେବ,-ମନୁଷ୍ୟ ବଦଳିଯିବ, ଚିର ସୁଖର ଅଧିକାରୀ ହେବ; ଘୃଣା ଅପସରି ଯିବ ଏବଂ ପ୍ରୀତି ହିଁ ମନୁଷ୍ୟମାନଙ୍କର ଜୀବନ ଧର୍ମରେ ପରିଣତ ହେବ,-ଇତ୍ୟାଦି, ଇତ୍ୟାଦି । ନୂଆ ନୂଆ ବାର୍ତ୍ତାବହମାନେ ଆସି ନୂଆ ନୂଆ ଏହି ଏକାଧିକ ଅଧ୍ୟାତ୍ମର ପ୍ରଚାର କରାଯାଇଛି । ନୂଆ ଗୁରୁମାନେ ବାହାରିଛନ୍ତି ଏବଂ ନୂଆ ନୂଆ ଧର୍ମର ଧ୍ଵଜା ଉଡ଼ିଛି । ବାରତାମାନେ ଭଳି ଭଳି ଦେବତ୍ତ୍ଵର ବ୍ୟାଖ୍ୟାର ଆକାର ଧାରଣ କରି ଆମ ଦୁଃଖାର୍ତ୍ତ ପୃଥିବୀଟିରେ ବହୁ ଉଦ୍‌ବେଳନର କାରଣ ହୋଇଛନ୍ତି । ଏବଂ, ତା’ପରେ ଖୋଜଗୁଡ଼ିକ କୁଆଡ଼କୁ କୁଆଡ଼କୁ ପଡ଼ିବାକୁ ଆରମ୍ଭ କରିଛନ୍ତି କେଜାଣି, ନୂଆ ନୂଆ ସୂତ୍ରର ସ୍ଥାପତିରେ ନୂଆ ଦେଉଳମାନଙ୍କରେ ନୂଆ ନୂଆ ପିତୁଳାଗୁଡ଼ିକର ଥାପନା ମଧ୍ୟ ହୋଇଛି । ଏହିପରି ନାନାବିଧ ଧର୍ମର ଧୂମ୍‌ଗୁଡ଼ିକ ଆରମ୍ଭ ହୋଇଛି ଏବଂ, ସତେଅବା କେଡ଼େ କଳାତ୍ମକ ଭାବରେ, ଆମରି ବାଟଟି ହିଁ ଏକମାତ୍ର ସୁନିଶ୍ଚିତ ବାଟ ଓ ଏହି ବାଟଟିକୁ ଗ୍ରହଣ କଲେ ସବୁକିଛି ଅବଶ୍ୟ ଉପଲବ୍ଧ ହୋଇଯିବ ବୋଲି ପ୍ରଚାର ଉପଚାରମାନ ଆରମ୍ଭ ହୋଇଯାଇଛି, ସତେଅବା ପଇତାଟିକୁ ବଦଳାଇ ଦେଲେ ସବୁ ହୋଇଯିବ ବୋଲି ପ୍ରତ୍ୟୟ ଦିଆଯାଇଛି ।

 

ରାଜାମାନେ ଏହି ବ୍ୟାପାରଟିକୁ ବହୁ ଲାଭ ମଧ୍ୟ ଉଠାଇଛନ୍ତି । ଯୁଗ ପରେ ଯୁଗ ଅନୁସାରେ ଭଳି ଭଳି ଏହି ରାଜାମାନେ । ମନୁଷ୍ୟର ନିୟତିଗୁଡ଼ିକୁ ଧୋକା ଦେବା ପରି ଏଠାରେ ପ୍ରୀତିମାନେ ହୁଡ଼ି ହୋଇ ଯାଇଛନ୍ତି, ଘୃଣାମାନେ ନୂଆ ବସ୍ତ୍ର ପରିଧାନ କରି ପୃଥିବୀଯାକର ବିବେକକୁ ସମ୍ମୋହିତ କରି ରଖିଛନ୍ତି । ବାହାରର ବିତ୍ତଶାଳିତାମାନେ ବପୁ ବଢ଼ାଇ ବହୁବିଧ କୋପନ ଦ୍ଵାରା ଏହି ଜଗତଟାକୁ ଭାରି ପ୍ରପୀଡ଼ିତ ହିଁ କରି ପକାଇଛନ୍ତି । ଅଧ୍ୟାତ୍ମମାନଙ୍କୁ ସତକୁ ସତ ବାଟ ଛାଡ଼ି ଦିଆ ଯାଉଥିଲେ ଅର୍ଥାତ୍ ପରମ କରୁଣାକୁ ତା’ଲାଗି ଅତ୍ୟାବଶ୍ୟକ ଭୂମିଟି ମିଳି ପାରୁଥିଲେ ସେପରି କ’ଣ ପାଇଁ ହୁଅନ୍ତା ? ଆମ ଜୀବନରେ ଓ ଆମମାନଙ୍କୁ ନେଇ ଗଢ଼ି ଉଠିଥିବା ଆମର ଏହି ଯାବତୀୟ ମେଳ ଗୁଡ଼ିକର କ୍ଷେତ୍ରରେ, ଯେଉଁଗୁଡ଼ିକ ଦ୍ଵାରା ଆମେ ଆତଯାତ ହେଉଛୁ ଏବଂ ନିଜ ଅନ୍ଦାଜଗୁଡ଼ିକୁ ନେଇ ଆଗକୁ କିଛି ଦେଖି ମଧ୍ୟ ପାରୁଛୁ, ଯଥାର୍ଥ ଭୂମିଟିଏ ଗଠିତ ହୋଇ ପାରିଥିଲେ ଓ ପାରୁଥିଲେ ଆମେ ସେହି କରୁଣାଟିରୁ ନିଜକୁ କେବେହେଲେ ବଞ୍ଚିତ ବି କରି ରଖିଥାନ୍ତୁ ? ତେଣୁ ତାହାକୁ କ୍ରିୟାଶୀଳ କରି ରଖିବା ନିମନ୍ତେ ପ୍ରାୟ ଗୋଟିଏ ପୂର୍ବସର୍ତ୍ତ ରୂପେ ଏପରି ଭୂମି ପରିମଳଟିଏ ଲୋଡ଼ା-ଯହିଁରେ ମିଥ୍ୟା ନଥିବ ଓ ଅଜ୍ଞାନ ନଥିବ । ଏକାଧିକ ଅର୍ଥରେ ସେଇଟି ହିଁ ଉଅଟିଏ କରିବା,–ତାହାରି ଅର୍ଥ ହେଉଛି ପରମକରୁଣାରୂପୀ ସେହି ପରମ ଇସ୍ପିତଟି ନିମନ୍ତେ ବାଟ ଛାଡ଼ିଦେବା । ଅର୍ଥାତ୍ ନିମିତ୍ତ ହେବା,-ନିମିତ୍ତ ହେବାପାଇଁ ରାଜି ହୋଇଯିବା । ପରମକରୁଣାର ହାତଟିକୁ ନିଜ ଭିତରେ ଅନୁଭବ କରିପାରିବା । ସେହି ଅନୁଭବଟି ସମ୍ଭବ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସିଏ ସତକୁ ସତ କ୍ରିୟାଶୀଳ ହୋଇ ରହିଛି ବୋଲି ଖୁବ୍ ବୁଝି ପାରିବା । ନିଜ ଭିତରେ ଓ ସବୁରି ଭିତରେ, ଆମ ସମସ୍ତଙ୍କର ଜୀବନଟିକୁ ସମ୍ଭାରି ଧରିଥିବା ଏହି ପୃଥିବୀଟି ମଧ୍ୟରେ । ତେବେ ଆମ ଲାଗି ସେହି ସବୁକିଛି ଅପେକ୍ଷା କରି ରହିଥିଲେ ମଧ୍ୟ ଆମେ ଯେପରି ନିଜକୁ ଏହି ନାନାଭାବେ ବିଡ଼ମ୍ବିତ କରି ରଖିଛୁ ଏବଂ ବଳ ରହିଥିଲେ ମଧ୍ୟ ବଳ ରହିଛି ବୋଲି ଅନୁଭବ କରି ପାରୁନାହୁଁ ଏବଂ ସେହି କାରଣରୁ ଆମ ପୃଥିବୀଗୁଡ଼ିକୁ ବିଡ଼ମ୍ବିତ ହୋଇ ରହିବାରେ ସହଯୋଗ କରିବାରେ ଲାଗିଛୁ, ସେଭଳି ଘଟିବାର କୌଣସି ଅବକାଶ ଆଉ କାହିଁକି ରହନ୍ତା ? ତା’ପରେ ଏପରି ଏକ ନୂତନ କ୍ରିୟାଶୀଳତା ଜନ୍ମଲାଭ କରନ୍ତା, ଯାହା ଆମର ଏହି ଚେତନାଗ୍ରାମଟିକୁ ଭରି ରଖିଥାଆନ୍ତା । ଆମେ ପୂର୍ଣ୍ଣ ଖୁସିରେ ବଞ୍ଚି ପାରୁଥାଆନ୍ତୁ ଏବଂ ଅନ୍ୟ ସମସ୍ତଙ୍କୁ ଖୁସି ଦେଇ ପାରୁଥାନ୍ତୁ ।

 

ଏପାଖଟି, ଅର୍ଥାତ୍ ଆମ ତରଫଟି ଯେଉଁପରି ରହିଆସିଛି ଏବଂ ଏବେ ମଧ୍ୟ ଅଛି, ସେହିପରି ହୋଇ ରହିଥିବା ଯାଏ ସେଇଟି ଭିତରକୁ ତଥାପି ଆସି ପ୍ରବିଷ୍ଟ ହେଲେ ପରମ କରୁଣା ଆପେ ହିଁ ବହୁ ସାଲିଶ ଭିତରେ ଛନ୍ଦି ହୋଇଯିବ ଏବଂ ଏକ ଭେଜାଲରେ ପଡ଼ି ବି ଯିବ । ଆପଣା ଭୂମିଟିକୁ ଯଥାର୍ଥ ପଣେ ପ୍ରସ୍ତୁତ ତଥା ସମ୍ମତ କରିନଥିବା ପର୍ଯ୍ୟନ୍ତ ଆମେ ମଧ୍ୟ ଯଥାର୍ଥ ଭାବେ ଡାକି ପାରିବାନାହିଁ ଓ ତେଣୁ ଆରପଟୁ ଯଥାର୍ଥ ‘ଉଅ’ ଉତ୍ତରଟିକୁ ଶୁଣି ପାରିବୁ ନାହିଁ । ଆମେ ହୁଡ଼ି ରହିଥିବା ପର୍ଯ୍ୟନ୍ତ ଦିବ୍ୟ କରୁଣାକୁ ମଧ୍ୟ ଆମ ନିଜ ବୁଦ୍ଧି ଏବଂ ସରାଗଗୁଡ଼ିକ ଅନୁସାରେ ହୁଡ଼ାଇ ରଖିଥିବୁ । ତେଣୁ, ସେହି ପରମ କରୁଣାଟି ତରଫରୁ ମଧ୍ୟ ଆମଲାଗି କେତୋଟି ପୂର୍ବସର୍ତ୍ତ, ପରମ ଆଲୋକ ଏବଂ ପରମ ସତ୍ୟ ତରଫରୁ ଆମପାଇଁ ଅତ୍ୟାବଶ୍ୟକ ସର୍ତ୍ତଗୁଡ଼ିକ, ଅତ୍ୟାବଶ୍ୟକ ଏବଂ ଅନିବାର୍ଯ୍ୟ । ସେହି ଉଚ୍ଚତମ ଶକ୍ତିର ଧରବାତରଣ ନିମନ୍ତେ, ଏବଂ ଆହୁରି ଅତ୍ୟନ୍ତ ସ୍ପଷ୍ଟ ଏବଂ ପ୍ରତ୍ୟକ୍ଷ ଭାବରେ କହିଲେ, ସେହି ଉଚ୍ଚତମ ଅତି ମାନସିକ ପରମ ଶକ୍ତିର ଅବତରଣା ସେତିକିବେଳେ ଯାହା ପ୍ରକୃତରେ ଘଟିବ, ସେଇଟି ହେଉଛି ଯେ, ଉର୍ଦ୍ଧ୍ୱରୁ ତାହାର ଅବତରଣ ଘଟିବ ଓ ସେଇଟି ହିଁ ନିମ୍ନରୁ ଉନ୍ମୋଚିତ ହୋଇଯିବ । ଅବତରଣ ଏବଂ ଉନ୍ମୋଚନ,-ଉର୍ଦ୍ଧ୍ଵରୁ ଅବତରଣ ଓ ନିମ୍ନରୁ ଉନ୍ମୋଚନ,-କୋଉଟି ଆଗ ଏବଂ କୋଉଟି ପଛ ? କେଉଁଟି କାରଣ ଏବଂ କେଉଁଟି କାର୍ଯ୍ୟ-? ଏଇଟିର ମୀମାଂସା ସମ୍ଭବତଃ ଆମ ପ୍ରତ୍ୟେକଙ୍କର ଅବବୋଧ ତଥା ଅନୁସୃତ ମାର୍ଗଟି ଉପରେ ନିଶ୍ଚୟ ନିର୍ଭର କରିବ । ଆମେ ଅବଶ୍ୟ ଯିଏ ଯେପରି ଭାବରେ ପ୍ରକ୍ରିୟାଟିକୁ ଅନୁଭବ କରୁଥିବା ପଛକେ, ଦୁହେଁ ସତକୁ ସତ ଏଇଠି ଏହି ପୃଥିବୀ ଉପରେ ଭେଟିବେ । ଆମକୁ ନିମିତ୍ତ କରି ଭେଟିବେ ଏବଂ ତାହାରିଦ୍ଵାରା ହିଁ ଦୀର୍ଘ-ଅପେକ୍ଷିତ କଥାଟି ଘଟିବ । ସେହି ପରସ୍ପରକୁ ଭେଟିବାର ପ୍ରକ୍ରିୟାଟି ଦ୍ଵାରା ଏବଂ ଆମ ସମ୍ମତମାନଙ୍କୁ ନିମିତ୍ତ ରୂପେ ବ୍ୟବହାର କରି,-କାମରେ ଲଗାଇ-। ତେବେ ଯାଇ ଏ ପର୍ଯ୍ୟନ୍ତ ଆମ ମନୁଷ୍ୟମାନଙ୍କର ଅସଲ ଆକାଙ୍‍କ୍ଷାଗୁଡ଼ିକ ମୁତାବକ ବୋଲ ମାନିନଥିବା ଏହି ବାସ୍ତବ ପୃଥ୍ଵୀଭୂମିର ପ୍ରକୃତିଟି ଆମର କଥା ମାନିବ ଏବଂ ତାହାରି ଫଳରେ ଯେଉଁ ବିଜୟଟି ପ୍ରକୃତରେ ଘଟିବ, ତାହାରି ଦ୍ଵାରା ଏଠାରେ ଯୁଗଯୁଗ ଧରି ଆମକୁ ଉଗାଳି ରଖିଥିବା ବାଧାମାନଙ୍କର ବିଲୋପ ମଧ୍ୟ ଘଟିବ ।

 

ସର୍ବପ୍ରଥମ ସର୍ତ୍ତ ହେଉଛି, ଆମର ପୂର୍ଣ୍ଣ ଅନ୍ତର୍ନିଷ୍ଠାଗତ ସମର୍ପଣ । ଜୀବନରେ ଏପରି କିଛିହେଲେ ନଥିବ, ଯାହାକି କେବଳ ଆମ ନିଜର ତଥା ନିଜର ସଂକୀର୍ଣ୍ଣଆୟତନ ତଥାକଥିତ ପୃଥିବୀର ସରାଗ ଅର୍ଥାତ୍ ସ୍ଵାର୍ଥଗୁଡ଼ିକର ପରିପୂରଣରେ ତତ୍ପର ହୋଇ ରହିଥିବ । ଏକ ଭୂମା ନିମନ୍ତେ ଆପଣାର ସକଳ ମାଗିବା, ସଞ୍ଚି ରଖିବା ଓ ହେବାର ସର୍ବବିଧ ଇଚ୍ଛାମାନଙ୍କର ଅକୁଣ୍ଠିତ ସମର୍ପଣ । ଏକ ଦିବ୍ୟ ପରମଶକ୍ତି ପାଖରେ ଆପଣାର ସବୁ କିଛିକୁ ଉନ୍ମୋଚିତ କରି ରଖିବାର ଅର୍ଥାତ୍ ଉତ୍ତୋଳିତ କରି ଧରିବାର ଏକ ସ୍ଵଭାବ ଖୁସି ସହଜ ଜୀବନ । ଆଦୌ କିଛି ହରାଇବାର ବା ହଜିବାର ସଂତ୍ରାସ ରହି ନଥିବାର ସଦାସଚଳ ଜୀବନଟିଏ । ସଂତ୍ରାସ ତ ସେତେବେଳେ ଯାଏ ଆମକୁ ସାତଖଣ୍ଡିଆ କରି ରଖିଥାଏ, ଯେତେବେଳେ ଯାଏ ଆମେ ଏହି ଖିଳ ବିଶ୍ଵସମଗ୍ରଟି ମଧ୍ୟରେ ରହି ମଧ୍ୟ ତଥାପି କୌଣସି ଅନ୍ୟକାତରତାର କାରଣରୁ ଖାସ୍ ନିଜର ବୋଲି କହି ଅଲଗା ଅରାଟିଏ କାନ୍ଥମାନ ଦେଇ ରଖିଥାଉ । ଏହି ଖାସ୍ ନିଜର ଏଇଟି ନରହିଥିଲେ କାଳେ ଆମେ ନିଃସ୍ଵ ହୋଇଯିବୁ ଏବଂ ଅସ୍ତିତ୍ଵ ହରାଇ ବସିବୁ, ସେହିପରି ଗୋଟିଏ ଭୟର ବଶବର୍ତ୍ତୀ ହୋଇ ଆମେ ସେହିପରି କରିଥାଉ କି ? ହଁ, ଗୋଟିଏ ଅବିଶ୍ଵାସର କାରଣରୁ ସେପରି କରୁ । ନିଜକୁ ଅଲଗା କରି ଅର୍ଥାତ୍ ନିପଟ ଗହୀରଟା ଭିତରେ ଆପଣାକୁ ସତେଅବା ସଙ୍ଗତିଯୁକ୍ତ ସେହି ଗୋଟିଏ ମାତ୍ର ଗଛ ବୋଲି ନଦେଖିଲେ ସମ୍ଭବତଃ ଜୀବନରେ ଆମର ଏକ ପ୍ରତ୍ୟୟ ଭଳି ପ୍ରତ୍ୟୟଟିଏ ସମ୍ଭବ ହିଁ ହେଉ ନଥାଏ । ଆପଣାକୁ ଏହି ପୃଥିବୀ ନାମକ ଈଶ୍ଵରୀୟ ବରାଦଟି ମଧ୍ୟରେ ସାମିଲ କରି ରଖିବା ଲାଗି ମୋଟେ ସାହସ କୁଳାଏ ନାହିଁ । ପୃଥିବୀଟାକୁ ଆମେ ସେହି ଗୋଟିଏ ବିଧାତାର ସର୍ଜନା ବୋଲି କହୁଥାଉ ସିନା, ମାତ୍ର ଜଣେ କାହାରି ପାଖରେ ମଧ୍ୟ ନିର୍ମଳ ଏବଂ ନିଦକ ହୋଇ ବସି ପାରୁ ନାହିଁ, କାହାରି ସହିତ ଅନ୍ତରଙ୍ଗ ହୋଇ ପାରୁ ନାହିଁ; ଏବଂ, କାହାରିଠାରୁ ଭରସା ପାଇ ଓ କାହାରିକୁ ଭରସା ଦେଇ ସାଙ୍ଗ ହୋଇ ବାଟ ଚାଲିବା ତ ପ୍ରକୃତରେ ଆହୁରି ଅଧିକ ବାଟର କଥା ।

 

ସଂସାର ଭିତରେ ଥାଇ ଏବଂ ସଂସାର ସହିତ ସାମିଲ ହୋଇ ସ୍ଵଜୀବନର ସର୍ବବିଧ ବାଣିଜ୍ୟରେ ମଗ୍ନ ହୋଇ ରହିଥିଲେ ମଧ୍ୟ ଏତେ ଏତେ ମଣିଷ ତଥାପି ସେହି ସଂସାରଟି ଭିତରେ ନିଜକୁ ମନାଇ ରଖିବାକୁ ମନ କରି ପାରନ୍ତି ନାହିଁ କାହିଁକି କେଜାଣି ? ନିଜ ସହିତ ପୃଥିବୀକୁ ଏବଂ ପୃଥିବୀ ସହିତ ନିଜକୁ ଏକତ୍ର ସମ୍ମୁଖରେ ଉତ୍ତୋଳିତ କରି ସେମାନେ ଆଦୌ ରଖିପାରନ୍ତି ନାହିଁ । ସଂସାରଟା ପାଖରୁ ଲୁଚି ରହି ଥାଆନ୍ତି ଏବଂ ସଂସାର ମଧ୍ୟରେ ହୁଏତ କେବଳ ନିଜକୁ ହିଁ ବଞ୍ଚିବାର ଏକ ମନ୍ଦଚେଷ୍ଟା କରିବାରେ ଲାଗିଥାଆନ୍ତି । ମୋ’ ପାଇଁ ଏହି ସଂସାରଟା ଅବଶ୍ୟ ଚାଲିବ ବୋଲି ଖୁବ୍ ଦମ୍ଭ କରିବାରେ ଲାଗିଥାଆନ୍ତି । ନିଜ ଭିତରର ଭଗବାନଟିକୁ ଓ ନିଜେ ବହୁ ପୂଜା ତଥା ଆରାଧନା ମଧ୍ୟରେ ବୁଡ଼ାଇ ରଖିଥିବା ଠାକୁରମାନଙ୍କୁ ଏମାନେ ସତକୁ ସତ ଭାରି କଷ୍ଟ ମଧ୍ୟ ଦେଉଥିବେ । ସେମାନଙ୍କୁ ଆମେ ଆସ୍ତିକ ବୋଲି କହିବା ନା ନାସ୍ତିକ ବୋଲି କହିବା ? ଇତିହାସଯାକ ତ ଏକାଧିକ ସତ୍ୟପ୍ରମାଣ ରହିଆସିଛି ଯେ, ଏହି କାଟର ଖାସ୍‌ମାନେ ପ୍ରାୟ କୌଣସି ସହଜାତ ଅବିବେକରେ ପଡ଼ି କେବଳ ନିଜକୁ ହିଁ ଆସ୍ତିକ ବୋଲି ଘୋଷଣା କରିଛନ୍ତି ଓ ସେହିପରି ଏକ ଦମ୍ଭଦ୍ଵାରା ପ୍ରେରିତ ହୋଇ ବାକି ସକଳ ମନୁଷ୍ୟଙ୍କୁ ନାସ୍ତିକ ବୋଲି ମଣିଛନ୍ତି । ରଜାମାନଙ୍କୁ ରଥରେ ବସାଇ ନାସ୍ତିକସଂହାରର ଅଭିଯାନ ମାନଙ୍କରେ ବାହାରିଛନ୍ତି । ବିଧାତାଙ୍କର ଏହି ପୃଥିବୀଟିକୁ ଖୁବ୍ କନ୍ଦାଇଛନ୍ତି । ଏବେ ମଧ୍ୟ କ’ଣ କମ୍ କନ୍ଦାଉଛନ୍ତି ? ମୋ’ର ଧର୍ମ, ମୋ’ର ସମ୍ପ୍ରଦାୟ, ମୋ ନିଜ ଠାକୁର ଏବଂ ଠାକୁରାଳୟମାନେ,-ମୋ’ ରଜାଙ୍କର ସାମ୍ରାଜ୍ୟ ଏବଂ ଆହୁରି ଆହୁରି ଆମର ଉପସ୍ଥିତ କାଳଟି ମଧ୍ୟରେ ପ୍ରବେଶ କରି, ମୋ’ ଜାତି, ମୋ ଦେଶ, ମୋ ବାଦଗୁଡ଼ାକର ମହାନ୍ ଆଦର୍ଶଟି, ବିତ୍ତୀୟ ସ୍ଵାର୍ଥଚୟ, ମୋ’ ସଭ୍ୟତା ଏବଂ ମୋର ସଂସ୍କୃତି,-ଏଗୁଡ଼ାକ ଖୁବ୍‌ ସମ୍ଭବ କାଳେ କାଳେ ପୃଥିବୀରେ ବହୁ ଦୁଃଖର କାରଣ ହିଁ ହୋଇଛନ୍ତି ତଥା ବହୁ ବହୁ ବିଭ୍ରାନ୍ତି ଦ୍ଵାରା ଆମର ପୃଥିବୀଟିକୁ ଅସହାୟ କରି ରଖିଛନ୍ତି ।

 

ଏବଂ, ସେହିପରି କୌଣସି ଏକଆଖିଆ ଏକକକାମନାରୁ ମାୟାବାଦ ନାମକ ସେହି ଖାସ୍ କିସମର ପଦାର୍ଥଟିର ଉଦ୍ଭବ ମଧ୍ୟ ହୋଇଛି କି ? ପରାକ୍ରମୀ ଦାର୍ଶନିକ ଯୁକ୍ତିମାନ ବାଢ଼ି ଦେଇ ତାହାରି ବିଜୟ ନିମନ୍ତେ ତ ବହୁ ବହୁ ସଂସାରବିରକ୍ତ ମହାତପୀମାନେ ବାହାରି ବି ପଡ଼ିଛନ୍ତି ! ସେହି ମତର ମାୟାବାଦୀମାନେ ସେମାନଙ୍କର ମୂଳସୂତ୍ର ରୂପେ ‘ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା’ ବୋଲି ସେହି ସେଦିନୁ ହିଁ ଘୋଷଣା କରିଛନ୍ତି । ସତେ ଯେପରି ଆମର ଏହି ଜଗତଟି ବ୍ରହ୍ମର ବାହାରେ ବୋଲି କ’ଣ ପାଇଁ ସେମାନେ ସେହିପରି କହି ଆସିଛନ୍ତି କି ? ଜଗତଟା ମିଥ୍ୟା, ତେଣୁ ବ୍ରହ୍ମ ନାମକ ସେହି ପରମ ସତ୍ୟଟିକୁ ପାଇବାକୁ ହେଲେ ଜଗତକୁ ତ୍ୟାଗ କରିବାକୁ ପଡ଼ିବ ବୋଲି ପନ୍ଥା ରୂପେ ଗ୍ରହଣ କରି ନେଇଛନ୍ତି । ଏବଂ, ଏକ ବାସ୍ତବ ସମାଧାନ ରୂପେ ଏହି ସଂସାର ମଧ୍ୟରେ ଆପଣାର ଅଲଗା ଠାବଟିଏ ଗଢ଼ି ନେଇଛନ୍ତି ଏଖ ଅଲଗା ସମ୍ପ୍ରଦାୟ, କେବଳ ବ୍ରହ୍ମକୁ ସ୍ଵୀକାର କରି ଅର୍ଥାତ୍ ଜଗତକୁ ବର୍ଜନ କରି । ସେହି ସଂସାରତ୍ୟାଗୀ ମାନଙ୍କ ନିମନ୍ତେ ମାର୍ଗଟି ହୁଏତ ଯେତେ ବିମୋଚନକାରୀ ହୋଇଥାଉ ପଛକେ, ମାୟାବାଦର ଏନ୍ତୁଡ଼ିଦେଶ ଭାରତବର୍ଷରେ ସଂସାରସ୍ଥ ଜୀବନଦୃଷ୍ଟିଟା ମଧ୍ୟ ବଡ଼ କ୍ଷତିକାରକ ଭାବରେ ମୂଳତଃ ନକାରାତ୍ମକ ହୋଇ ରହିଛି । ଜୀବନ ଅସ୍ଥାୟୀ, ତେଣୁ ସେହି ଜୀବନ ଦ୍ଵାରା ଆତଯାତ ହେଉଥିବା ଜଗତଟା ମଧ୍ୟ ବଡ଼ ଅଳୀକ ଏବଂ ଭଙ୍ଗୁର । ସତ୍ୟକୁ ଲୋଡ଼ିବାକୁ ହେଲେ ତେଣୁ ସଂସାର ବିଷୟରେ ପୂର୍ଣ୍ଣ ଉଦାସୀନ ରହିବାକୁ ହେବ । ନହେଲେ ମାୟା ଭିତରକୁ ଗୋଡ଼ ଖସିଯିବ । ଆମ ଦେଶର ଭଗବଦ୍‌ ଭଜନ ଗୁଡ଼ିକ ସେହିପରି ଏକ ବୀତଶ୍ରଦ୍ଧତା ଦ୍ଵାରା ଭର୍ତ୍ତି ହୋଇ ରହିଆସିଛି । ବୈରାଗ୍ୟକୁ ପ୍ରାୟ ଏକ ଉପେକ୍ଷା ଏବଂ ଅବଜ୍ଞାରେ ବିକୃତ କରି ରଖାଯାଇଛି । ସଂସାରକୁ ସଂସାରବନ୍ଧନ ବୋଲି କୁହାଯାଇଛି । ଏବଂ ମନୁଷ୍ୟମାନେ ସତେ ଯେପରି କେଉଁ ଜନ୍ମରେ କୌଣସି ଗର୍ହିତ ଅପରାଧ କରିଥିବା ହେତୁ ପ୍ରାୟଶ୍ଚିତ ସ୍ୱରୂପ ଏକ ଶାସ୍ତି ଭୋଗ କରିବା ନିମନ୍ତେ ଏହି ଇହଜନ୍ମ ପାଇଛନ୍ତି ବୋଲି ଏକ ଧାରଣାକୁ ଏହି ପରମ୍ପରାଟି ଦ୍ଵାରା ଚଉକଷ କରି ରଖାଯାଇଛି ।

 

ସମ୍ଭବତଃ ତାହାରି ଏକ ଷଡ଼ଯନ୍ତ୍ର ସଦୃଶ ସଂକ୍ରମଣ ହେତୁ ଲୋକସମ୍ବନ୍ଧର ଆମ ବାସ୍ତବ ଚଳଣିଗୁଡ଼ିକରେ ମଧ୍ୟ ସେହିପରି ଏକ ମାୟାବାଦ ରାଜତ୍ଵ କରିବାରେ ଲାଗିଛି । ଯେଉଁମାନେ ଭୋଗଗୁଡ଼ିକର କ୍ଷେତ୍ରରେ ଉଚ୍ଚ ଏବଂ ଉର୍ଦ୍ଧ୍ଵ ସ୍ତରରେ ରହି ଆସିଛନ୍ତି, ଯାବତୀୟ ସାମାଜିକ ଅର୍ଥାତ୍ ସୁଯୋଗଗତ ଦୃଷ୍ଟିରୁ ସେମାନେ କେଡ଼େ ସ୍ଵାଭାବିକ ଭାବରେ ଆପଣାକୁ ସତେଅବା ଗୋଟିଏ ଗୋଟିଏ ବ୍ରହ୍ମ ଭଳି ଦେଖୁଛନ୍ତି ଏବଂ ଅନ୍ୟମାନଙ୍କୁ ମାୟା ବୋଲି ବିବେଚନା କରୁଛନ୍ତି । ସେହି ମାୟାବାଦରୁ ଅନ୍ତତଃ କିଛି ଅନୁକୂଳତା ପାଇ ଭାରତବର୍ଷରେ ଜାତିଗତ ଭେଦବିଚାରମାନେ ପ୍ରଶୟ ପାଇ ଆସିଛନ୍ତି କି ? ଏବଂ, ସେଗୁଡ଼ିକର ଆଳରେ ବହୁ ଅବଜ୍ଞା, ମନୁଷ୍ୟ ପ୍ରତି ମନୁଷ୍ୟର ଅବହେଳା,-ଆଧୁନିକ ଯୁଗୋନ୍ମୋଚନର ନାନା ଆହ୍ଵାନ ଆସି କବାଟକୁ ଖଡ଼ ଖଡ଼ କରିବାରେ ଲାଗିଥିଲେ ମଧ୍ୟ ଏକ ନିଷ୍ପୃହତା । ଏକ ପାଖରେ ନିର୍ଦ୍ଦୟ ଅବିଚାର ଏବଂ ସେଥିପାଇଁ ଭଳି ଭଳି ଉପଦ୍ରବ । ମନୁଷ୍ୟ ପ୍ରତି ମନୁଷ୍ୟ କରୁଥିବା ବହୁ ଅବିଚାର ଏବଂ ସେହି ଅବିଚାରମାନଙ୍କ ଦ୍ଵାରା ପ୍ରେରିତ ହୋଇ ବହୁ ଉପଦ୍ରବ । ଏବଂ, ଏପଟେ ବଞ୍ଚିତ ମନୁଷ୍ୟମାନଙ୍କର ଜଡ଼ବତ୍ ଏକ ସହିଷ୍ଣୁତା-। ଦୁଇଟିଯାକ ପକ୍ଷ ତାମସିକତା ମଧ୍ୟରେ ଅଚେତନ ହୋଇ ରହିଥିବା ପରି । ଏହି ପୃଥିବୀଟିରେ ଯେ ପ୍ରକୃତରେ ଏକ ସତ୍ୟ ରହିଛି ଏବଂ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଯେ ବ୍ରହ୍ମ ରହିଛନ୍ତି, ଏବଂ ତେଣୁ ଏହି ପୃଥିବୀ ତଥା ସେଥିରେ ବାସ କରୁଥିବା ମନୁଷ୍ୟମାନେ ନିମିତ୍ତ ରୂପେ ତାଙ୍କରି କୌଣସି ଜାଗତିକ ରୂପାୟନ ନିମନ୍ତେ ସମ୍ମତ ହେବେ, ସକ୍ରିୟ ହେବେ ତଥା ଜାଗରୂକ ହୋଇ ବାହାରିବେ, ଏଠାରେ ତାହାର ଆଦୌ କୌଣସି ଖୁଡ଼୍‌ଖାଡ଼୍ ମଧ୍ୟ ବେଳେବେଳେ ଶୁଣିବାକୁ ମିଳୁନାହିଁ-

 

ଏହି ମାଟିଟାରେ ବଦ୍ଧମୂଳ ମାୟାବାଦୀ ଅଚେତନତା ଏବଂ ଉଦାସୀନତାକୁ କାଟିବାଲାଗି ତେଣୁ ଏକ ଅନ୍ୟ ସଚେତନତାର ଆବାହନ କରି ପାରିବାକୁ ହେବ । ଏପରି ଏକ ସଚେତନତା, ଯାହା ନିଜ ଭିତରେ, ମନୁଷ୍ୟମାନଙ୍କର ଏହି ନାନାବିଧ ମେଳ ଭିତରେ ତଥା ସମଗ୍ର ଭାବରେ ଆମକୁ ବେଷ୍ଟନ କରି ରହିଥିବା ପୃଥିବୀ ମଧ୍ୟରେ ସେହି ପରମ ଅପେକ୍ଷମାଣ ସତ୍ୟଟିକୁ ପ୍ରତ୍ୟକ୍ଷ କରିବାକୁ ହେବ । ଏବଂ ଏହାହିଁ ହେଉଛି ସେହି ସମଗ୍ର ସମର୍ପଣର ସର୍ବମୂଳ ଧର୍ମ, ପରିପୂର୍ଣ୍ଣ ନିଷ୍ଠା ଦ୍ଵାରା ସଚଳ ଏକ ସମର୍ପଣ । ଆପଣାକୁ ସେହି ଦିବ୍ୟ ପରମଶକ୍ତିଟି ପାଇଁ ନିଜକୁ ଉନ୍ମୋଚିତ କରିଦେବାର ସର୍ବପ୍ରଥମ ଅଧ୍ୟାତ୍ମଟି । ଆମେ ସତତ ଅନୁଭବ କରି ପାରୁଥିବା ଯେ, ଏକ ପରମ ସତ୍ୟ ଏହି ଧରାପୃଷ୍ଠକୁ ଅବତରଣ କରି ଆସୁଛି ଏବଂ ସେହିଭଳି ପ୍ରତ୍ୟକ୍ଷ କରି ଆମେ ଅନୁକ୍ଷଣ ଏବଂ ସମ୍ପୂର୍ଣ୍ଣ ଭାବରେ ସେଇଟିକୁ ବାଛିନେବା, ଆପଣାର ଜୀବନ ପାଇଁ ବାଛିନେବା, ସମଗ୍ର ଜଗତ ପାଇଁ ବାଛିନେବା । ତାହାରି ଏକ ଅବଶ୍ୟମ୍ଭାବୀ ପଦକ୍ଷେପ ସ୍ଵରୂପ ଯାବତୀୟ ମିଥ୍ୟାକୁ ମଧ୍ୟ ବର୍ଜନ କରି ବାହାରି ଆସିବା ଲାଗି ସତତ ପ୍ରୟାସ କରିବା, ମନଃସ୍ତରର, ପ୍ରାଣସ୍ତରର ଏବଂ ଭୌତିକ ସ୍ତରର ସେହିସବୁ ଶକ୍ତି ଏବଂ ପ୍ରତିଭାସକୁ ବର୍ଜନ କରିବାକୁ ଅନୁକ୍ଷଣ ଉଦ୍ୟମ କରିବା । ଏହି ଅଧ୍ୟାସରୂପୀ ଶକ୍ତିମାନେ ତ ସମ୍ପ୍ରତି ଆମର ଏହି ପୃଥ୍ୱୀ-ପ୍ରକୃତିର ଶାସକ ହୋଇ ରହିଛନ୍ତି । ଅସଲଟିକୁ ବାଛିନେବା ଏବଂ ଅଳପଟାକୁ ବର୍ଜନ କରିବା । ଅସଲଟି ପାଇଁ ବଞ୍ଚିବା ଓ ଅଳପଗୁଡ଼ିକ ସହିତ ଲାଗିଥିବା ଏବଂ ତାହାରି ବଳରେ ଆମକୁ ଅଳପ ଅର୍ଥାତ୍ ଅଳ୍ପ ସନ୍ତୁଷ୍ଟ କରି ରଖିଥିବା ସେହି ଅଭ୍ୟସ୍ତ ସୂତ୍ରଗୁଡ଼ିକୁ ଛିନ୍ନ କରିଦେବା । ଅଳପଗୁଡ଼ିକୁ ଛାଡ଼ି ସତକୁ ସତ ଅସଲଟି ଲାଗି ଯୋଗ୍ୟ ହେବା । ଯୋଗ୍ୟ ହୋଇ ହୋଇଯାଉଥିବା ।

 

ଏକ ଅଳପ ଅଥଚ ସହଜ କଥାରେ କହିଲେ, ଆମର ସେହି ସମର୍ପଣଟି ସକଳ ଅର୍ଥରେ ସମଗ୍ର ହିଁ ହେବ । ତାହା ଆମ ଜୀବନର ସମୁଦାୟ ଭୂମିସତ୍ତାଟିକୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସ୍ପର୍ଶ କରି ପାରୁଥିବ । ଏହି ନିତ୍ୟଜୀବନର ଲୀଳାଟି ମଧ୍ୟରେ ବହୁ ଭାଗ ଏବଂ ବିଭାଗ । ବହୁ ଉଭା ଓ ବହୁ ପୋତା । ତଥାପି, ସବା ଉପରକୁ ଅର୍ଥାତ୍ ସବୁଗୁଡ଼ିକୁ ଗୋଟିଏ କରି ସମ୍ଭାରି ଗୁନ୍ଥିଧରି ଏକ ଏକକ । ମୋ’ ଦେହ, ମୋ’ର ମନ । ଏବଂ, ଆମେ ସତକୁ ସତ ଜାଣୁ ବା ନଜାଣୁ ପଛକେ, ଆମରି ବୁଝିବା ଅନୁସାରେ ଗୋଟିଏ ଆତ୍ମା । ଏହି ସବୁଗୁଡ଼ିକ ଅନୁସାରେ ‘ମୁଁ’ ଟିଏ । ଅଥବା, ବେଶ୍ କେତେକ ସ୍ଥଳରେ, କେତେକ ଖାସ୍ ଆବଶ୍ୟକତାର ପୂରଣ କରୁଥିବା ବାଗିର୍, ଆଗ ଗୋଟିଏ ମୁଁ ଏବଂ ସେହି ଅନୁସାରେ ଦେହଟିଏ, ପ୍ରାଣଟିଏ, ମନଟିଏ ଏବଂ ଏପରିକି ଆତ୍ମାଟିଏ । ମୋ’ ଅନୁସାରେ ଏକ ପୃଥିବୀ କିମ୍ବା ମୋ’ର ସେହି ପୃଥିବୀଟି ଅନୁସାରେ ମୁଁ । ମୋ’ର ସର୍ବବିଧ ସମ୍ପର୍କଗୁଡ଼ିକୁ ମୁଁ ସ୍ଵୟଂ ଗଢ଼ି ଗଢ଼ି ଚାଲିଛି ଓ ସେହି ସମ୍ପର୍କଚୟ ମୋ’ର ମୁଁ’ ଟିକୁ ସାକାର କରି ଆଣୁଛନ୍ତି ।

 

ତେଣୁ, ମୋ’ର ଅସଲ ସମର୍ପଣଟି ଏହି ସବୁକିଛି ବିଷୟରେ ସଚେତନ ହୋଇ ରହିବ । ସଚେତନ ହୋଇ ଅର୍ଥାତ୍ ସମ୍ମତ ହୋଇ । ମୋଟେ ଚାହାଳିଚୋର ନହୋଇ । ପୃଥିବୀ ନାମକ, ଜୀବନ ନାମକ ଚାହାଳି ଭିତରେ ରହି ତଥାପି ଚାହାଳିଚୋର ହୋଇ ରହିବାର ଚେଷ୍ଟାମାନ କରୁଥିବା, ସେଇଟି ସତକୁ ସତ ଗୋଟିଏ ଭାରି ଦୟନୀୟ ଅବସ୍ଥା । ଏହିପରି ଏକ ଦୟନୀୟ ଅବସ୍ଥାରେ ଛାଟିପିଟି ହୋଇ ଆମେ ଯେଉଁ ସମର୍ପଣଟିଏ କରିବା, ତାହା ଆମକୁ ପ୍ରଧାନତଃ ନାନା ବିଡ଼ମ୍ବନା ଭିତରେ ହିଁ ପଳାଇ ରଖିଥିବ । ତେଣୁ, ଯଥାର୍ଥ ସମର୍ପଣ ଆମ ଜୀବନର କୌଣସି ଗୋଟିଏ ଅଂଶକୁ ମଧ୍ୟ ବାଦ୍ ଦେବନାହିଁ । କେବଳ ଜଣେ ସାହସୀ ମଣିଷ ହିଁ ତାହା କରିପାରିବ । ସାହସୀ ମଣିଷ ଅର୍ଥାତ୍ ଜଣେ ସମ୍ପୂର୍ଣ୍ଣ ଭାବରେ ଶ୍ରଦ୍ଧାଶୀଳ ମଣିଷ । ଜଣେ ପୂର୍ଣ୍ଣ ବିଶ୍ଵାସର ମଣିଷ । ଆରୋହଣ ଓ ଅବତରଣ ଉଭୟଟି ଉପରେ ବିଶ୍ଵାସ । ଆପଣାର ଏଠୁ ଥାଇ ଡାକିବା, ତାହାହିଁ ଆରୋହଣ ଏବଂ, ସିଏ ଯେ ନିଶ୍ଚୟ ଉଅ କରିବେ, ତାହାହିଁ ଅବତରଣ ବିଷୟରେ ଏକ ସମ୍ପୂର୍ଣ୍ଣ ବିଶ୍ଵାସ ।

 

ବହୁ ଅଲିଅଳ ଭାବରେ ଓ ପ୍ରାୟ ଗୋଟିଏ ଅଭ୍ୟାସରେ ପଡ଼ି ଆମେ ଆତ୍ମା ବୋଲି ଅନୁମାନ କରି ଆସିଥିବା ସେହି ଖାସ୍ ଇଲାକାଟି ତାଙ୍କ ପାଖରେ ସମର୍ପିତ ହୋଇ ରହିଛି ବୋଲି ଧରି ନେଇଥିବା, ଆମ ମଥାର ଉଚ୍ଚ ପ୍ରଜ୍ଞାସ୍ତରଟି ଏବଂ ଏପରିକି ଆମ ଅନ୍ତସ୍ତଳର ପ୍ରାଣିକ ଭାଗଟି ରାଜୀ ହୋଇ ସାରିଛି ବା ସେହି ଭିତରେ ମୂଳରେ ଅବସ୍ଥିତ ରହିଥିବା ଆମ ଦେହ–ଚେତନାଟି ମଧ୍ୟ ଆପଣାକୁ ସମର୍ପିତ କରିଛି ବୋଲି ଦାବି କଲେ ତାହା ଆଦୌ ଯଥେଷ୍ଟ ହେବନାହିଁ । ଆମ ଜୀବନରେ ଏପରି ମୋଟେ କିଛି ବି ନଥିବ,-ଏପରିକି ଆମର ଏହି ବାହ୍ୟ ଜୀବନରେ ମଧ୍ୟ ନୁହେଁ, ଯାହାକି କୃପଣ ହୋଇ ତଥାପି ଆଚରଣମାନ କରୁଥିବ, ନାନାଭଳି ସଂଶୟରେ ଆପଣାକୁ ଗଣ୍ଠି ପକାଇ ରଖିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବ-ଅଣ୍ଡାଳି ହେଉଥିବ,-ଏପରିକି ଉପରକୁ ହଁ ହଁ ବୋଲି କହି ଭିତରେ ନାନା ନାହିଁ ମଧ୍ୟରେ ସାନ୍ତ୍ଵନା ପାଉଥିବ; ବିଦ୍ରୋହ କରିବାରେ ଲାଗିଥିବ ।

 

ପୁନଶ୍ଚ, ବାହାନାମାନେ ମଧ୍ୟ ବହୁସଂଖ୍ୟକ, ବହୁ ପ୍ରକାରର ଓ ବହୁ ସ୍ତରର । ଏକାବେଳେକେ ଆମେ ଅନେକ ଅନେକ କଳ୍ପନା କରୁଥିବା ସେହି ଚୈତ୍ୟ ସ୍ତରରୁ ଆରମ୍ଭ କରି । ସମର୍ପିତ ହୋଇଗଲି ବୋଲି ପ୍ରାୟ ପୂର୍ଣ୍ଣନିଷ୍ଠାର ସହିତ ଗୋଟିଏ ବାହାନା । ସମ୍ଭବତଃ, ପ୍ରକୃତ କଥାଟି ହେଉଛି, ଜଣେ ସମର୍ପିତ ମଣିଷର ସମର୍ପିତ ହୋଇ ଗଲିଣି ବୋଲି ଅନ୍ୟମାନଙ୍କର ମନରେ କୌଣସି ପ୍ରତ୍ୟୟ ପ୍ରଦାନ କରିବା ସକାଶେ ଆଦୌ କୌଣସି ପ୍ରୟୋଜନ ନଥାଏ; ପ୍ରୟୋଜନ ନଥାଏ, ତେଣୁ ଫିକର ମଧ୍ୟ ନଥାଏ । ଆମ ପୃଥିବୀର ଶତ ସହସ୍ର ସଂଖ୍ୟାର ଗୁରୁ ତଥାପି ସେହି ଅକରଣି କରିବାରେ କ’ଣ ପାଇଁ ଏତେଗୁଡ଼ାଏ ଉତ୍ସାହ ଦେଖାନ୍ତି କେଜାଣି ? ସେମାନେ ଅସଲ ଶିଖରଟିକୁ ଯାଇ ଛୁଇଁ ସାରିଲେଣି ବୋଲି ଘୋଷଣା କରନ୍ତି,–ଗୁରୁ ହୁଅନ୍ତି, ଖାସ୍ ସମ୍ପ୍ରଦାୟଟିଏ ଗଢ଼ନ୍ତି ଅଥବା ଗଢ଼ାନ୍ତି । ନୂଆ ପ୍ରକାରର ସନ୍ତକ ଓ ଉପବୀତମାନଙ୍କର ଉଦ୍ଭାବନ ହୁଏ, ଗୁରୁଙ୍କ ସେପାଖକୁ ମୋଟେ କିଛି ନାହିଁ ବୋଲି ଅଷ୍ଟକର ରଚନା କରାଯାଏ । ଗୁରୁ ହିଁ ପରମପଦଟି ପାଖରେ ଯାଇ ପହଞ୍ଚାଇ ଦେବ ଏବଂ ତେଣୁ ଗୁରୁ ବ୍ୟତୀତ ଆଦୌ କୌଣସି ଅନ୍ୟ ଆଶ୍ରା ନାହିଁ ବୋଲି ତେଣିକି ନୂଆ ଧିସାମାନଙ୍କର ଭିଆଣ ହୋଇଥାଏ । ବହୁ ସମୟରେ ନାନା ତାତ୍କାଳିକ ଅନୁକୂଳତାର ସୁଯୋଗ ନେଇ ନିଜର ଏହି ଗୁରୁ ହିଁ ପରମପଦ ବୋଲି ନିନାଦମାନ ମଧ୍ୟ ଶୁଣିବାକୁ ମିଳେ । ଗୁରୁଙ୍କୁ ଆଣି ଅବତାରମାନଙ୍କର ତାଲିକାରେ ଅନ୍ତର୍ଭୁକ୍ତ କରି ରଖାଯାଏ ଏବଂ ଉଲ୍ଲାସଗୁଡ଼ିକ ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ସିଏ ଅବତାର-ବରିଷ୍ଠ ହୁଅନ୍ତି ଓ ସେହି ମର୍ଯ୍ୟାଦାରେ ଅନ୍ତତଃ ଅନୁଗାମୀମାନଙ୍କ ଦ୍ଵାରା ସଂକୀର୍ତ୍ତିତ ହୁଅନ୍ତି ।

 

ଆମର ଏହି ବାହ୍ୟ ମନଟିକୁ ଡାଳପତ୍ରରୂପେ ପ୍ରସାରିତ କରି ରଖି ସେହି ଯେଉଁ ମୂଳ ମନଟି ରହିଛି, ସେଇଟି ମଧ୍ୟ ସମର୍ପଣର ଆଳରେ କମ୍ ବାହାନା କରୁନଥାଏ । ସମ୍ଭବତଃ ସେହି ବାହାନାମାନଙ୍କର କୌଣସି ବଳବାନ୍ ସମର୍ଥନରେ ପଣ୍ଡିତମାନେ ସଚରାଚର ଶାସ୍ତ୍ର ଲେଖନ୍ତି । ଆମର ଏ ଯୁଗରେ କ’ଣ ଅଧିକ ପଣ୍ଡିତ ଅଛନ୍ତି ବୋଲି ଅଧିକ ଶାସ୍ତ୍ର ମଧ୍ୟ ଲେଖା ହେଉଛି ? ନା ତୁମେ ଶାସ୍ତ୍ର ଲେଖିଲେ ତୁମକୁ ସମସ୍ତେ ପଣ୍ଡିତ ବୋଲି କହିବେ ବୋଲି କେତେ କାଳରୁ ଗୋଟିଏ ଅପବାଦ ରହି ଆସିଥିବାରୁ ମଧ୍ୟ ବହୁତ ମନୁଷ୍ୟ ଶାସ୍ତ୍ର ଲେଖିବାରେ ଆଗ୍ରହୀ ହୁଅନ୍ତି କି ? ଏବେ ତ ପୃଥିବୀରେ ଗାଡ଼ି ଗାଡ଼ି ଶାସ୍ତ୍ର ଏବଂ ସେମାନଙ୍କର ପୁଣି ଏକାଧିକ ଭାଷ୍ୟ । ଉଭୟ ପୂର୍ବ ପକ୍ଷ ତଥା ଉତ୍ତର ପକ୍ଷ । ଅଣୁ ଶାସ୍ତ୍ର ଓ ପରମାଣୁ-ଶାସ୍ତ୍ରଠାରୁ ଆରମ୍ଭ କରି ଗୁଳା ଓ ଗୋହରିଗୁଡ଼ିକୁ ଧରି ଅନ୍ତରୀକ୍ଷ-ଶାସ୍ତ୍ର ପର୍ଯ୍ୟନ୍ତ । ସ୍ଥାନୀୟ ଭୂଗୋଳରୁ ବିଶ୍ଵ ଭୂଗୋଳ । ଭିନ୍ନ ଭିନ୍ନ ସତ୍ୟାନୁମାନର ପରଖ ଦେଇ । ସଞ୍ଚି ରଖିବାକୁ ଥାନ ନାହିଁ, ତଥାପି ନୂଆ ନୂଆ ଅମଳ ଲାଗିରହିଛି । କୋଉଠି ହେଲେ କ୍ଳାନ୍ତି ନାହିଁ, କିନ୍ତୁ ସମର୍ପଣ କେତେ ଯାଏ ସତକୁ ସତ ରହିଛି ?

 

ଜ୍ଞାନ ଓ ବିଜ୍ଞାନ, ଆତ୍ମଜ୍ଞାନ ଏବଂ ବିଶ୍ଵଜ୍ଞାନ, ଅତୀତର ଉଦ୍‌ଘାଟନ, ବର୍ତ୍ତମାନର ବିଶ୍ଳେଷଣ ଏବଂ ଭବିଷ୍ୟକୁ ନେଇ ବହୁକିଛି କଳ୍ପନା ଓ ଜଳ୍ପନା, ଶୀଘ୍ର ଭାଙ୍ଗି ପକାଇବାର ଓ ଶୀଘ୍ର ଗଢ଼ି ଥୋଇଦେବାର ଅସୁମାରି ଯାବତ ସୂତ୍ର,-ଏହି ସବୁକିଛି ମଧ୍ୟରେ ମଣିଷର ଅସଲ ସଂକଳ୍ପ ଓ ସ୍ଵପ୍ନଗୁଡ଼ିକ ଭିତରେ ସତକୁ ସତ ସମର୍ପିତ ମଣିଷଟିଏ ବସ୍ତୁତଃ କୋଉଠି କେତେଯାଏ ରହିଛି ? ଅର୍ଥାତ୍, ଯିଏ ଯାହା ନିଜର ମନଟିକୁ ଶିରା ପ୍ରମାଣେ ଇଖାରି ଶାସ୍ତ୍ରମାନଙ୍କୁ ଲେଖୁଛି, ସିଏ କ’ଣ ଆପେ ମଧ୍ୟ ସେଥିରେ ବିଶ୍ଵାସ କରୁଛି ? କାରଣ, ଆମ ପଣ୍ଡିତମାନଙ୍କର ଅନ୍ତର ଭିତରେ କେବଳ ଗୁଡ଼ାଏ ସୂତ୍ର ଘାଣ୍ଟିବାର ସଉକ ପରି ଏକ ଅଭିଳାଷ ବ୍ୟତୀତ ଉଷ୍ମତା ବୋଲି ଆଉ ଅନ୍ୟ କିଛିହେଲେ ନଥିଲେ ଆମେ ସମର୍ପଣ ଆଡ଼କୁ ଆଦୌ କିପରି ମନ ବି କରିପାରିବା ? ତେଣୁ, ବାହାନା ହିଁ କରିବା; ଯେତିକି ଅଧ୍ୟବସାୟ ସହିତ ଏହି ମନର କର୍ଷଣ କରୁଥିବା, ଦୁର୍ଭାଗ୍ୟବଶତଃ ସେତିକି ଅଧ୍ୟବସାୟ ସହିତ ହୁଏତ ବାହାନା ବି କରୁଥିବା ।

 

ମନ ପଛକୁ ନୁହେଁ, ଆମର ମନ ସହିତ ଆମର ପ୍ରାଣ । ପ୍ରାଣ ତଥା ମନ ଦୁଇଟିଯାକର ସ୍ୱାସ୍ଥ୍ୟ ନିମନ୍ତେ ଦୁହିଁଙ୍କର ହିଁ ପରସ୍ପର ସହିତ ସହଯୋଗ । ତେବେଯାଇ ତ ପ୍ରଚ୍ଛନ୍ନ ଚୈତ୍ୟଟି ଆଦୌ କୌଣସି ଭରସା ରଖି ବାହାରକୁ ଆସିବ ଏବଂ ଆମ ଜୀବନ-ଚେତନାର-କୁସୁମନ ପ୍ରକ୍ରିୟାରେ ସ୍ଥିର ନିର୍ଭର ହୋଇ ନେତୃତ୍ଵ ନେଇପାରିବ ! ଏବଂ ତା’ ନ ହୋଇପାରିବା ପର୍ଯ୍ୟନ୍ତ କୌଣସି ସମର୍ପଣ ସମ୍ଭବ ହେବନାହିଁ । କିନ୍ତୁ, ପ୍ରାଣଟି ମଧ୍ୟ ବେଶ୍ ବାହାନା କରିପାରେ । ଚତୁରତା କରିପାରେ । ଆପଣାକୁ ସମର୍ପିତ କରି ରଖିବା ପ୍ରାୟ ସକଳ ଅର୍ଥରେ ମାନି ନେବାକୁ ବୁଝାଏ । ଗୁଳାମାନଙ୍କୁ ସ୍ଵୀକାର କରି ନେବାକୁ ବୁଝାଏ । ଆମ ଜାଗତିକ ଏହି ମେଳଗୁଡ଼ିକ, ଯାହାକୁ ଆମେ ପୂର୍ଣ୍ଣ ଅବଲୀଳା ସହିତ ଆମର ସମାଜ ବୋଲି କହିଥାଉ, ସେଗୁଡ଼ିକରେ ସର୍ବତ୍ର କେତେ ନା କେତେ ବିଧାନ ରହିଥାଏ । ପରମ୍ପରା ବଶତଃ ତାହାକୁ ନୈତିକତା ବୋଲି କୁହାଯାଏ । କେତୋଟି ନିୟମ ବା ନୀତି, ଯାହାକୁ ସମାଜ ଅର୍ଥାତ୍ ଆମର ସଂସାର ଚଳିବ ବୋଲି ଗୁଡ଼ିଏ ଗୁଳା ରୂପେ ପ୍ରଚଳିତ କରି ରଖାଯାଇଥାଏ, ସେଗୁଡ଼ିକୁ ମାନିବାଟାକୁ ପ୍ରତ୍ୟେକ ମନୁଷ୍ୟ ପାଇଁ ଅତ୍ୟାବଶ୍ୟକ ବୋଲି କୁହାଯାଏ । ପରିବାରରେ ନିୟମ, ଆମ ଇସ୍କୁଲ ମାନଙ୍କରେ ନିୟମ, ଶାସନରେ ନିୟମ,-ଇତ୍ୟାଦି, ଇତ୍ୟାଦି । ସେଇ ଠିକ୍ ମଣିଷ, ଯିଏ ସେଗୁଡ଼ିକୁ ଉତ୍ତମ ବୁଦ୍ଧି କରି ମାନିନିଏ । ସ୍ଵୀକୃତି ପାଏ, ଉତ୍ତମ ବୋଲାଏ, ମାନସମ୍ମାନ ଲାଭ କରେ । ଏବଂ, ଅତ୍ୟନ୍ତ ସତ କଥାଟି ଯେ, ଏହି ଯାବତୀୟ ନିୟମ ଆମ ଅନ୍ତର୍ବିମୋଚନକୁ ସବାଆଗ ବିଚାରରେ ରଖି ମୋଟେ ତିଆରି ହୋଇ ନଥାଏ । ବରଂ, ଆମକୁ ପ୍ରାୟ ନ୍ୟାୟତଃ ଜଣେ ହାରାହାରି ବାଧ୍ୟ ମଣିଷରୂପେ ଦେଖିଲେ ସମାଜ ଅଧିକ ଆଶ୍ଵସ୍ତ ହୁଏ । ସବୁ ଯେଉଁପରି ଅଛି, ମୁଖ୍ୟତଃ ସେହିପରି ହୋଇ ରହିଥାଉ ଓ ଆଦୌ କୌଣସି ଶାନ୍ତିଭଙ୍ଗ ନହେଉ, ଯୁଗେ ଯୁଗେ ପ୍ରାୟ ସବୁ ସମାଜର ନଜରରେ ସେଇଟି ହିଁ ଆଦର୍ଶ ହୋଇ ରହିଆସିଛି । ଏବଂ, ଜଣେ ସତକୁ ସତ ସମର୍ପିତ ମନୁଷ୍ୟ କଦାପି ସେତିକି ମଧ୍ୟରେ ଥୟ ହୋଇ ରହି ପାରିବନାହିଁ । ଆମ ଭିତରର ସତ ପ୍ରାଣଟି ସେଥିପାଇଁ ବଡ଼ କଷ୍ଟ ପାଉଥିବ ! ଏଇଟି ସମ୍ପୂର୍ଣ୍ଣ ଭାବରେ ସତ ଯେ, ପୃଥିବୀର ସବୁଠାରେ ହିଁ ଅଧିକାଂଶ ମନୁଷ୍ୟ କଥା ମାନନ୍ତି ଅର୍ଥାତ୍ ଶୃଙ୍ଖଳାରେ ରହିଥାଆନ୍ତି । କାହାର କଥା ମାନୁଛନ୍ତି ଏବଂ ଶୃଙ୍ଖଳାରେ ଅଛନ୍ତି ବୋଲି ନିଜ ଭିତରଟାକୁ ପଚାରିବା ଆଗରୁ ହିଁ ସେମାନେ କଥା ମାନନ୍ତି ଓ ଶୃଙ୍ଖଳାରେ ଥାଆନ୍ତି । ସେମାନଙ୍କୁ ଆମେ ସମସ୍ତେ କେଡ଼େ ଚଟ୍ ବୁଝିଯାଉଥିବା ପରି ଭଲ ମଣିଷ ବୋଲି କୁହାଯାଏ । ସେହିମାନେ ହିଁ ଆମ ସମାଜକୁ ଓ ତେଣୁ ସଂସାରଟିକୁ ସୁଧାର ମଧ୍ୟରେ ରଖିଥାନ୍ତି ବୋଲି ପ୍ରକୀର୍ତ୍ତିତ ହୁଅନ୍ତି ।

 

ସେମାନେ ପ୍ରକୃତରେ କାହାପାଖରେ ଆପଣାକୁ ସମର୍ପିତ କରି ଥାଆନ୍ତି ? କାହାର ବୋଲକୁ ମାନନ୍ତି ? ନିଜ ଭିତରେ ଅପେକ୍ଷା କରି ରହିଥିବା ସମ୍ଭାବନା ନାମକ କଢ଼ିଟିକୁ ଏକ ପୂର୍ଣ୍ଣ ବିକାଶର ନିୟତି ମଧ୍ୟକୁ ଫୁଟାଇନେବା ଯେ ଏହି ପୃଥିବୀରେ ସେମାନଙ୍କର ପ୍ରତ୍ୟେକ ମୁହୂର୍ତ୍ତର ଅସଲ ଧର୍ମ, ସେମାନେ ସେଇଟି ବିଷୟରେ କେତେ ସଜ୍ଞାନ ରହିଥାନ୍ତି ? ଆପଣାକୁ ପଛକୁ ପକାଇ ରଖି ବାହାରେ ଜଣେ ଜଣେ ଭଲ ମଣିଷର ସମର୍ଥନ-ପତ୍ର ଲାଭ କରି ବାଟ ଚାଲୁଥିବା ଏହି ମନୁଷ୍ୟମାନେ, ସେମାନେ ହୁଏତ ଆଦୌ କାହାରି ପାଇଁ ବଞ୍ଚନ୍ତି ନାହିଁ । ସେମାନେ ଯେ ଏହି ପୃଥିବୀରୂପୀ ଫୁଲବଗିଚାରେ ଆଖର ଗୋଟିଏ ଫୁଲ ହୋଇ ଫୁଟି ଉଠିବା ନିମନ୍ତେ ଆସିଛନ୍ତି, ସେକଥାକୁ କ’ଣ ସେମାନେ ମୋଟେ ହୃଦୟଙ୍ଗମ କରି ପାରୁନଥାନ୍ତି ? ଆମ ପ୍ରତ୍ୟେକଙ୍କ ମଧ୍ୟରେ ଆମ ଦୋସର ପରି ଜଣେ ନିୟତ ରହି ଯେ ଆମର ସେହି ଖାସ୍ ପରିଚୟଟି ବିଷୟରେ ଆମକୁ ଚେତା କରାଇ ଦେବାରେ ଲାଗିଛନ୍ତି, ସେମାନେ କ’ଣ ସେହି କଥାଟିକୁ ଜାଣିନାହାନ୍ତି ଓ ତା’ର ଆବାଜଟିକୁ ଶୁଣି ପାରୁନାହାନ୍ତି ? ନାଇଁ, ନିଶ୍ଚୟ ଜାଣିଛନ୍ତି ଓ ଆବାଜଟିକୁ ମଧ୍ୟ ଶୁଣି ପାରୁଛନ୍ତି । କିନ୍ତୁ, ଜାଣି ମଧ୍ୟ ଜାଣିବାକୁ ଇଚ୍ଛା କରୁନାହାନ୍ତି; ଶୁଣୁଛନ୍ତି, ମାତ୍ର ନଶୁଣିବା ପରି ହେଉଛନ୍ତି । ନିଜ ଭିତରଟା ପାଖରେ ବାହାରଟି ଧରା ଦେଉନାହିଁ ଏବଂ ସେହି ଭିତରଟି ମଧ୍ୟ ବାହାରଟି ଉପରେ ହସ୍ତକ୍ଷେପ କରିବାଲାଗି ସାହସ କରୁନାହିଁ ।

 

ଶରୀର ନାମକ ଆମ ଜୀବନର ସେହି ଅନ୍ୟ ସଂସ୍ଥାନଟି ମଧ୍ୟ ବେଳେବେଳେ ଆପଣା ଭିତରେ ସମର୍ପଣର ସେହି ପ୍ରଭାବଟିକୁ ଅନୁଭବ କରୁଥିବ । ଏବଂ, ସିଏ ମଧ୍ୟ ତା’ ପହୁଞ୍ଚଟି ଅନୁସାରେ କିଛି କିଛି ଅନ୍ୟ ଉପଚାର ଦ୍ଵାରା କିଞ୍ଚିତ୍ ସଫଳ ହେବାର ପ୍ରୟାସ-ଅନୁଷ୍ଠାନମାନ ଦ୍ଵାରା ଶାନ୍ତି ପାଉଥିବ । ଖାସ୍ ଅବସରମାନଙ୍କରେ କେଡ଼େ ହାଲୁକା ହୋଇ ସେଗୁଡ଼ିକ ମଧ୍ୟରେ ସତେଅବା ଏକ ତ୍ରାଣ ପାଇଯିବା ପରି ତାକୁ ନିଶ୍ଚୟ ଲାଗିବ ହିଁ ଲାଗିବ । ଓଷା ଦିନମାନଙ୍କରେ ଓଷେଇତୀମାନେ ଅଭ୍ୟାସରେ ପଡ଼ିଯାଇ ଯେଉଁଭଳି ଉଷତ ହୁଅନ୍ତି ଏବଂ ଅନୁଭବ କରନ୍ତି, ସମ୍ଭବତଃ ସେହିଭଳି । ସ୍ନାନ ଓ ଶୌଚରୀତିଗୁଡ଼ିକର ପାଳନ କରନ୍ତି, ଖାସ୍ ବସ୍ତ୍ରମାନ ପରିଧାନ କରନ୍ତି ଓ ଖାସ୍ କାଷ୍ଠାମାନ ରଖନ୍ତି । ନିଜର ସେହି ସବୁଦିନିଆ ଭେସରାଟା ଭିତରେ ଏହି ବିଶେଷ ଦିନର ନିର୍ଦ୍ଦିଷ୍ଟ ପରିପାଟୀଟି ସେମାନଙ୍କୁ କୁଆଡ଼େ କାହାର କେତେ କତିରେ ନେଇ ପହଞ୍ଚାଇ ଦେଉଥିବା ପରି କାହିଁକି ବା ଅନୁଭବ କରୁନଥିବେ ! ତଥାପି, ଏଠାରେ ସମର୍ପଣ ନାମକ ସେହି ଦିଗ୍‌ବଳୟଟିର ଦୈର୍ଘ୍ୟ ପ୍ରସ୍ଥ କହିଲେ ସ୍ଵତଃ ଯେଉଁ ସବୁକୁ ସବାଆଗ ବୁଝାଉଛି, ଓଷେଇତୀ ଆଚାର-ପ୍ରସାଧାନର ଅନୁଶାସନମାନେ ବସ୍ତୁତଃ ତାହାର କ’ଣ ବା ଜାଣିଥିବେ !

 

ତେଣୁ, ଏହି ଦେହ ଧର୍ମର ଚେତନାଟିରେ ମଧ୍ୟ ବାହାନାଗୁଡ଼ିକର କୌଣସି ଅନ୍ତ ବି ନଥାଏ । ଆଖି ଏବଂ କର୍ଣ୍ଣର ଦ୍ଵାର ଦେଇ ଆମେ ଅନ୍ଦାଜ କରୁଥିବା ସେହି ଆତ୍ମାଟିର ଆପ୍ୟାୟନ ନିମନ୍ତେ ଯୁଗଯୁଗରୁ ହିଁ କେତେ ନା କେତେ ଭିଆଣ । ବହୁମଣ୍ଡନଯୁକ୍ତ ଆମ ଦେବାଳୟ, ବହୁତ ସ୍ଥାପତ୍ୟ ବୁଦ୍ଧିକୁ ଲଗାଇ କାରୁକଳାର କେତେ କେତେ କମନୀୟତା ! କେତେ ନା କେତେ ଉଦାରତା ଦ୍ଵାରା ସମୃଦ୍ଧ ଆମ ଉପାସନାର ଏହି ଦିଅଁମାନେ,–ସେମାନଙ୍କ ସକାଶେ ଅତିରଞ୍ଜନର ପୁଲକମାନଙ୍କୁ ଯୋଡ଼ି ଦେଇ ଏତେ ଏତେ ପୁରାଣାଦିର ରଚନା ! ଭଜନ, ଜଣାଣ, ଛାନ୍ଦ, ସ୍ତୋତ୍ର,-ସତେଅବା ସବୁକିଛି ଆମର ଏହି ଭକ୍ତିନାମକ ରଚନାଟିର ତୃପ୍ତି ନିମନ୍ତେ । ତୀର୍ଥ, ତୀର୍ଥଯାତ୍ରା, ତୀର୍ଥବାସ,-ଏହି ଯାବତୀୟ ବରାଦ କ’ଣ ଆମର ଏହି ବାହ୍ୟଟି ଲାଗି ଖୋରାକ ଏବଂ ସୁରାଖମାନ ଯୋଗାଇଦେବା ସକାଶେ ? ତଥାପି,–ଏସବୁ ସେହି ଇପ୍ସିତ ସମର୍ପଣଟି ଲାଗି ପ୍ରକୃତରେ ଅନୁକୂଳ ହୋଇଛି ନା ବରଂ ଅକାରଣରେ ନାନା ପ୍ରତିକୂଳତାର କାରଣ ହୋଇଛି ? ଆମ ଗୋଡ଼ମାନଙ୍କରେ ପଥରମାନ ବାନ୍ଧି ରଖିଛି ଏବଂ ଖୁବ୍ ସନ୍ତର୍ପଣ ସହିତ ଆମକୁ ଅନ୍ୟମନସ୍କ କରି ରଖିଛି । ପୁନଶ୍ଚ, ପ୍ରସଙ୍ଗକ୍ରମେ ଏକଥାଟିକୁ ମଧ୍ୟ ଦାବି କରାଯାଇ ପାରିବ ଯେ ତଦ୍ଦ୍ଵାରା ବହୁ ବିବାଦ ଏବଂ କନ୍ଦଳର ସୃଷ୍ଟି କରାଯାଇଛି, ଖାସ୍ ବିବାଦପ୍ରେମୀମାନେ ନିଜନିଜର ପିତୁଳାମାନଙ୍କର ଦ୍ଵାହି ଦେଇ ସମରଯାତ୍ରାରେ ବାହାରି ପଡ଼ିଛନ୍ତି ଏବଂ ଗୋଳ ଲଗାଇ ଦେଇଛନ୍ତି । ଅନ୍ୟ ପକ୍ଷରେ, ସମର୍ପିତମାନେ, ସମର୍ପଣକୁ ହିଁ ଜୀବନର ଅସଲ ଆସ୍ପୃହାରୂପେ ମାନିଥିବା ମେଳ ବା ମନୁଷ୍ୟମାନେ, ସେମାନେ ଶ୍ଵେତାମ୍ବର ଅଥବା ପୀତାମ୍ବର ଯେଉଁ ବର୍ଗର ହୋଇଥାଆନ୍ତୁ ପଛକେ, ସେମାନେ ଆଦୌ କୌଣସି କାଳେ ସେହିସବୁ ବିବାଦରେ ଆଗ୍ରହ ପ୍ରକାଶ କରିନାହାନ୍ତି ।

 

ତେଣୁ ଗୁଡ଼ାଏ ବାହାନା,-ସଂଶୟ ଓ ଆତ୍ମସଙ୍କୁଚନରେ ସତେଅବା ଉବୁଟୁବୁ ହୋଇ ରହିଛି । ଗୋଟାଏ ଅନୁକ୍ଷଣ ନାସ୍ତି-ଭିତରୁ ଦମ୍ଭ ପାଇ ଆମର ଏହି ଯାବତୀୟ ବାହ୍ୟ ଆତଯାତରେ ମଧ୍ୟ ଆମକୁ ବିବଶ କରି ରଖିଛି । ଏପରି କେଉଁଠି କେଉଁ ବାପମାଆ ଅଛନ୍ତି ଯେଉଁମାନେ ନିଜର ସନ୍ତାନମାନଙ୍କ ଆଗରେ ବାହାନା କରୁନାହାନ୍ତି, ଏପରି କେଉଁଠି କେଉଁ ଶିକ୍ଷକ ଅଛନ୍ତି ଯିଏକି ଆପଣାର ଶିକ୍ଷାର୍ଥୀମାନଙ୍କ ପାଖରେ ବାହାନା କରୁନାହାନ୍ତି ଏବଂ ଏପରି ବକ୍ତା କେଉଁଠାରେ ଅଛନ୍ତି, ଯେଉଁମାନେ ଶ୍ରୋତାମାନଙ୍କ ପାଖରେ ବାହାନା କରୁନାହାନ୍ତି ! କେଉଁ ନେତା ଏପରି ଅଛି ଯିଏକି ଅନୁଗାମୀମାନଙ୍କ ପାଖରେ ବାହାନା କରୁନାହିଁ, ଏପରି କେଉଁ ଶାସକ ଅଛି ଯିଏ କି ଶାସିତମାନଙ୍କ ପାଖରେ ବାହାନା କରୁନାହିଁ ଏବଂ ଏପରି ଏକ ରାଷ୍ଟ୍ର ମଧ୍ୟ କେଉଁଠାରେ ରହିଛି ଯିଏକି ଆପଣାର ନାଗରିକମାନଙ୍କ ପାଖରେ ମଧ୍ୟ ବାହାନା ନକରୁଛି । ତଥାପି ସମର୍ପିତ ମନୁଷ୍ୟମାନେ ଯୁଗେ ଯୁଗେ ରହିଛନ୍ତି, ସମର୍ପିତ ଭାବରେ ଜୀବନଗୁଡ଼ିକୁ ବଞ୍ଚିବା ନିମନ୍ତେ ନିରନ୍ତର ପ୍ରୟାସ କରୁଛନ୍ତି । ଏବଂ, ଜଗଦ୍‌ବିଧାତାଙ୍କର ଏପରି କରୁଣା ଯେ, ସେମାନେ ଯେଉଁ କ୍ଷେତ୍ରରେ ଥାଆନ୍ତୁ ପଛକେ, ସେମାନେ ପରସ୍ପରକୁ ସର୍ବଦା ଠାବ କରି ପାରୁଛନ୍ତି; ପରସ୍ପରଠାରୁ ବଳ ପାଉଛନ୍ତି ଏବଂ ପରସ୍ପରକୁ ବଳ ଦେଉଛନ୍ତି । ଏବଂ, କାହିଁକି ଏପରି ମଧ୍ୟ କୁହାନଯିବ ଯେ, ଆମ ପୃଥିବୀରେ ଏହି ଧର୍ମମାନଙ୍କର ବାହାନା ଭିତରେ ପୀଡ଼ିତ ହୋଇ ରହିଥିବା ପ୍ରାୟ ସର୍ବତ୍ର ସେହି ସମର୍ପିତବର୍ଗ ହିଁ ଅଧ୍ୟାତ୍ମକୁ ବଞ୍ଚାଇ ରଖିଛନ୍ତି ?

 

ତେଣୁ, ସମର୍ପଣ ମଧ୍ୟରେ ଖଣ୍ଡିଆ ହୋଇ କିଛି ରହିବ ନାହିଁ କିମ୍ବା ବଙ୍କା ହୋଇ ବି କିଛି ନଥିବ । ଲୁଚାଇ ରଖିବାର କୌଣସି ଅପଚେଷ୍ଟା ନଥିବ । ଆମେ ଅନେକେ ତ ଆମର ସେହି ବଙ୍କା ବିବେକଟାର ଫୁସୁଲାରେ ପଡ଼ି ତଥାକଥିତ ଉଚିତଗୁଡ଼ାକୁ ହିଁ ଢାଙ୍କୁଣି ପରି ବ୍ୟବହାର କରି ଆପଣାର ପରିଚୟ ଦେବାଲାଗି ଲାଳାୟିତ ହୋଇ ରହିଥାଉ । ଏହି ବଙ୍କା ସଂସାରଟାରେ ସମସ୍ତେ ଆମକୁ ଭଲ ବୋଲି କହିବେ ଓ ଆନନ୍ଦ ଦେବେ, ସେଇଥିପାଇଁ କି ? ସେଥିଲାଗି, ଆପଣା ସହିତ ତଥା ସଂସାର ସହିତ ଆମର ସକଳ ସମ୍ପର୍କରେ ହୁଏତ ଉଭା ଯେତିକି ଥାଏ, ତାହାର ଆଠ କି ନଅଗୁଣ ପୋତା ହୋଇ ରହିଥାଏ । ବଡ଼ ବିଚିତ୍ର ସତକଥାଟିଏ ଯେ ଆମେ ନିଜେ ହିଁ ଫୁଲପାଣି ଦେଇ ସେହି ପୋତାକୁ ଛନଛନ କରି ଆପଣା ଭିତରେ ପୋଷି ରଖିଥାଉ, ସେଗୁଡ଼ାକୁ ଏତେ ସଫଳତାର ସହିତ ରଖି ପାରିଛୁ ବୋଲି ଆପଣାକୁ ନିଜପଣେ ଜଣେ ବାହାଦୁର ବୋଲି ଅନୁଭବ କରୁ ଏବଂ ତେଣେ, ସେଗୁଡ଼ାକ ଅନ୍ୟ କାହା ଆଖିରେ କାଳେ ଆଖିରେ କାଳେ ପଡ଼ିଯିବ ବୋଲି ବାର ହୀନମାନ ସହିତ ସତର୍କ ହୋଇ ରହିଥାଉ । ଏକ ବଙ୍କା ଜୀବନ କହିଲେ ସକଳ ଅର୍ଥରେ ମୂଳତଃ ତାହାକୁ ହିଁ ତ ବୁଝାଏ ! ଅର୍ଥାତ୍, ତଥାପି ଟିକିଏ ଦୋହରାଇ କହିଲେ, ସତକୁ ସତ ଆଦୌ କୌଣସି ସମର୍ପଣ ପାଇଁ ବାସନାଟିଏ ରହି ପାରିବାକୁ ହେଲେ, ସବାଆଗ ଗୋଟାଏ ହେବାକୁ ହୁଏ-। ତେଣୁ, ଏହି ଗୋଟାଏ ହୋଇ ପାରିବା, ସେଇଟି ହେଉଛି ଆମର ସର୍ବପ୍ରଥମ ସାଧନା । ସମର୍ପଣ ଲାଗି ଯୋଗ୍ୟ ହୋଇଛୁ ବୋଲି ଆମର ଏକ ପ୍ରମାଣପତ୍ର । ଏପରିକି, ଏଭଳି ମଧ୍ୟ ହୁଏତ କୁହାଯିବ ଯେ, ଆମେ ଏହି ପୃଥିବୀରେ ଆମ ଜୀବନଟିକୁ ବଞ୍ଚାଇବାରେ ଯଥାସମ୍ଭବ ଗୋଟାଏ ହୋଇ ଆସୁଥିବା ସର୍ବବିଧ ଅର୍ଥରେ ତାହାକୁ ହିଁ ସମର୍ପଣ ବୋଲି କୁହାଯାଇ ପାରିବ ।

 

କାରଣ, ଆମର ଏହି ସ୍ଥିତିରେ ଆମେ ଯାହାକୁ ଆମର ଚଳନ୍ତି ଜୀବନ ବୋଲି କହି ଆଦରି ନେଇଛୁ, ସେଇଟି ତ ବହୁତ ବହୁତ ଅନ୍ୟ ଆବଶ୍ୟକତାରେ ପଡ଼ି ଛଅବିଭକ୍ତ ଓ ସାତଆନୁଗତ୍ୟର ଏକ ଉପଦ୍ରବକାରୀ ଆହବ ମଧ୍ୟରେ ଯାଇ ପଡ଼ିଛି, ଆମକୁ ବହୁ ପ୍ରକାରେ ତପ୍ତ ଓ ସନ୍ତପ୍ତ କରି ସତେଅବା ବହୁବିଦାରିତ କରି ରଖିଛି । ଆମ ତଥାକଥିତ ପ୍ରୀତିଗୁଡ଼ିକ ମଧ୍ୟରେ କେତେ ନା କେତେ ପ୍ରକାରର ଭୀତି ! ସେହି ଭୀତିଗୁଡ଼ିକ ନଥିଲେ ସେହି ପ୍ରୀତିମାନେ ଆଦୌ ସମ୍ଭବ ହୁଅନ୍ତେ ନାହିଁ ବୋଲି କେଉଁ ଅଣବିବେକର କୁହାରେ ପଡ଼ି ସ୍ଵୀକାର କରି ନେଇନାହୁଁ ତ ! ଗୋଟାଏ ଦେଶକୁ ନିଜର ଦେଶ ବୋଲି ଅନୁଭବ କରିବାକୁ ହେଲେ ଆଉ ଆଉ ଦେଶମାନଙ୍କୁ କାହିଁକି ନ୍ୟୂନ ଆଖିରେ ଦେଖିବାକୁ ପଡ଼େ କେଜାଣି ? ଆପଣାକୁ ଜଣେ ଠିକ୍ ଈଶ୍ଵରବିଶ୍ଵାସୀ ବୋଲି ବିଶ୍ଵାସ କରିବାକୁ ହୁଏ ବୋଲି ଅନ୍ୟମାନଙ୍କୁ ନାସ୍ତିକ ବୋଲି କହିବାକୁ ହୁଏ । ସେଇଥିରୁ ହିଁ ତ ଆମ ପୃଥିବୀରେ ଯୁଗେଯୁଗେ ମ୍ଳେଚ୍ଛ, ଯବନ, କାଫେର ଓ ପାଗାନ୍ ପ୍ରଭୃତି ଗାଳିମାନଙ୍କର ଉଦ୍‌ଭାବନ ହୋଇ ଆସିଛି ! ନିଜର ଘରଠାକୁର ମାନଙ୍କୁ ଷୋଳକଳା ବୋଲି ଘୋଷଣା କରି ତାଙ୍କ ଠାକୁରମାନଙ୍କୁ ମାତ୍ର କଳାଏ ବୋଲି କହି ଛିଗୁଲା ଯାଇଛି ! ଧର୍ମର ସାରମାନଙ୍କୁ ସାମ୍ପ୍ରଦାୟିକ ବହୁ ଅପଚାର ଆସି ମାଡ଼ି ବସିଛି । ଏବଂ, ଅଧ୍ୟାତ୍ମ ନାନାବିଧ ଶଙ୍କାରେ କୋଉ ଗୁମ୍ଫା ଭିତରେ ଯାଇ ନିଶ୍ଚୟ ଲୁଚି ରହିଛି । ଏହିପରି ନାନାମନ୍ତେ ହୁଡ଼ି ରହିଥିବା ମନୁଷ୍ୟମାନଙ୍କର ପରସ୍ପର ଉପରେ ମଧ୍ୟ ବିଶ୍ଵାସ ନାହିଁ । ତେଣୁ, ସାମୂହିକ ଜୀବନ କହିଲେ କ୍ରମେ ଏକ ଅରାଜକତାକୁ ବୁଝାଇଲାଣି । ପୃଥିବୀଯାକର ସମୂହମାନେ ଏଡ଼େ ଅବିଚଳ ନିଷ୍ଠାରେ ତୁଚ୍ଛା ନିଜଟାକୁ ହିଁ ଦେଖୁଛନ୍ତି ଯେ ଏଠି ସକଳ କ୍ଷେତ୍ରରେ ମୂଳତଃ ନାନା ଅସମାନତା ଏବଂ ଦୂରତା । ସମର୍ପଣ ଇଚ୍ଛା କରିଥିବା ମନୁଷ୍ୟମାନେ ତ ସ୍ଵଭାବତଃ ପରସ୍ପରର କତି ହୋଇ ଆସନ୍ତେ; ପରସ୍ପରକୁ ଲୋଡ଼ନ୍ତେ ଏବଂ ପରସ୍ପରର ସହଭାଗୀ ହୋଇପାରନ୍ତେ । ତେବେ ଆମ ନିଜ ଗାଆଁଟି ଲଗାଏତ ଏହି ଖିଳ ପୃଥ୍ଵୀମହାଖଣ୍ଡର ସେହି ବୃହତ୍ତମ ଗ୍ରାମଟି ପର୍ଯ୍ୟନ୍ତ ଶୋଷଣ କାହିଁକି ରହନ୍ତା,-ବହୁ ହୃଦୟହୀନତା ଏତେ ଏତେ ମୁହଁ ପାଇ ଏଠି ଆମ ସମସ୍ତଙ୍କୁ କାହିଁକି ଏଡେ ଉଗ୍ର ଏବଂ ଅନ୍ୟକାତର କରି ରଖିଥାଆନ୍ତା ?

 

ଏହି ଯାବତୀୟ ଦୁଃସ୍ଥିତି ଯେ ଏହି ଏକାଳେ ମଧ୍ୟ ଯେ ଆମ ସମେତ ଆମ ସମୂହଗୁଡ଼ିକୁ ଏପରି କାମୁଡ଼ି ରହିଛି, ତାହା, ଅନେକେ ଯେପରି ପ୍ରାୟ ଅଭ୍ୟାସବଶତଃ କହି ବାହାରିବେ, ଆଦୌ ପୃଥିବୀର କୌଣସି ମନ୍ଦ ଭାଗ୍ୟ ହେତୁ ହୋଇନାହିଁ କିମ୍ବା କୌଣସି ଅପବିଧାତାର ବରାଦରୁ ମଧ୍ୟ ଘଟିନାହିଁ । ବସ୍ତୁତଃ, ଏକ ସମର୍ପିତ ଜୀବନର ମନାସ ରଖି ତିଆରି ହେଉଥିବା ମନୁଷ୍ୟମାନଙ୍କ ସକାଶେ ଅପବିଧାତା ବୋଲି ମୋଟେ କେହିହେଲେ ନଥାନ୍ତି । ତେଣୁ, ସୂତାମାନଙ୍କୁ ସଜାଡ଼ି ଆଣି କହିଲେ, ସମର୍ପଣ ହେଉଛି ଆମ ଜୀବନର ଏକ ସମ୍ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣକୁ ହିଁ ବୁଝାଇବ । ଆମ ଭିତରେ ଅରାଏ ସମର୍ପିତ ହେବାକୁ ଇଚ୍ଛା କରୁଥିବ ଓ ଏପରିକି ସେହି ଅଂଶଟି ସମର୍ପିତ ହୋଇ ରହିଛି ବୋଲି ଏକ ବିଶ୍ଵାସ ମଧ୍ୟ ପୋଷଣ କରୁଥିବ ଓ ଅନ୍ୟ ଭାଗଗୁଡ଼ିକ ଯେମିତି ସେମିତି ଅରାଜୀ ହୋଇ ରହିଥିବେ, ସେପରି ଆଦୌ ହୋଇ ପାରିବନାହିଁ । ସମ୍ଭବତଃ କୌଣସି ବାହାନା ତଥା ଅନିଚ୍ଛା ହିଁ ଆତ୍ମଗୋପନ କରି ରହିଥିବ । ତେଣୁ, ଏହି କ୍ଷେତ୍ରରେ ଅସଲ ବିଧିଟି ଅନୁସାରେ, ଯଦି ସତ୍ତାର ଗୋଟିଏ ଅଂଶ ସମର୍ପିତ ହୋଇଥିବ ଅଥଚ ଆଉ ଗୋଟିଏ ଅଂଶ ଆପଣାକୁ ଯେମିତି ସେମିତି ଆବୋରି ଧରିଥିବ, ଏକାଧିକ ସର୍ତ୍ତ ବାଢ଼ିବାରେ ଲାଗିଥିବ, ତେବେ ନିଶ୍ଚୟ ଧରିନେବାକୁ ହେବ ଯେ, ଏହିପରି କରିବାଦ୍ଵାରା ଆମେ ସ୍ଵୟଂ ହି ସେହି ଦିବ୍ୟ ପରମକରୁଣାକୁ ଦୂରବର୍ତ୍ତୀ ହୋଇ ରହିବାକୁ ବାଧ୍ୟ କରିବାରେ ଲାଗିଛୁ । ବାହାରେ ନିଷ୍ଠା ଥିବ, ଭକ୍ତି ରହିଥିବ, ମାତ୍ର ଯଦି ତଥାପି ଏକ ପରଦାର ଉଢ଼ୁଆଳରେ ଆମର ବାସନାମାନେ ଉପସ୍ଥିତ ଥିବେ, ଅହଂଟି ଦ୍ଵାରା ପ୍ରେରିତ ଦାବିମାନେ ରହିଥିବେ, ଯଦି ପ୍ରାଣସ୍ତରର ଜିଦ୍‌ମାନେ ତୁମକୁ ଉଗ୍ର କରି ରଖିଥିବେ, ଯଦି ଯଥାର୍ଥ ସ୍ପୃହାଟି ସ୍ଥାନରେ ତୁମେ ସେହିଗୁଡ଼ିକୁ ହିଁ ଉତ୍ତୋଳିତ କରି ଧରିଥିବେ, ଯଦି ଅସଲ ସମ୍ପଦଟିକୁ ସେଗୁଡ଼ିକର ସାହାଯ୍ୟରେ ଗୋଳାଇ ମିଶାଇ ଦେବାରେ ଲାଗିଥିବ, ତେବେ, ଦିବ୍ୟ ପରମକରୁଣା ତୁମର ଜୀବନରେ ଏକ ରୂପାନ୍ତର ଅବଶ୍ୟ ଘଟାଇବେ ବୋଲି ଅଭିପ୍ରାୟଟିଏ ରଖି ତାଙ୍କର ଆବାହନ କରିବା କେବଳ ବୃଥା ହୋଇ ଯାଉଥିବ ।

 

କିନ୍ତୁ, ଆମ ସତ୍ତାର ଗୋଟିଏ ଭାଗ ସମର୍ପିତ ହୋଇ ରହିଥିବ ଏବଂ ଅନ୍ୟ ଭାଗମାନେ ଠିକ୍ ଆହୁରି କ’ଣ ସବୁକୁ ସେହି ଆଗପରି ଆଦରି ରହିଥିବେ, ଏଇଟି ପୁଣି କେଉଁପରି ସମ୍ଭବ ହେବ ? ସେହି ଆଂଶିକ ଠିକ୍ ସମର୍ପଣଟିକୁ ପୁଣି ଠିକ୍ ବୋଲି କିପରି କୁହାଯାଇପାରିବ ? ଜୀବନଶାସ୍ତ୍ରର ବିବେକଟି ଅନୁସାରେ ପ୍ରତ୍ୟେକ ମନୁଷ୍ୟର ସମ୍ମୁଖରେ ସର୍ବଦା ଦୁଇଟି ବିକଳ୍ପ ରହିଥାଏ ଏବଂ ସେହି ଦୁଇଟି ମଧ୍ୟରୁ ଅନୁକ୍ଷଣ ଗୋଟିକୁ ବାଛି ନେବାକୁ ହୁଏ । ପ୍ରତ୍ୟେକ ମନୁଷ୍ୟ ଆପଣାର ସମର୍ପଣ-ବୁଦ୍ଧିଟି ଅନୁସାରେ ହିଁ ଯାହାକିଛି କରେ । ଗୋଟିଏ ହେଉଛି ଶ୍ରେୟ, ଆରଟି ପ୍ରେୟ । ଶ୍ରେୟ, ଅର୍ଥାତ୍ ଯାହା ସମସ୍ତଙ୍କ ନିମନ୍ତେ ମଙ୍ଗଳକାରୀ । ସମସ୍ତଙ୍କ ଲାଗି, ତେଣୁ ମୋ’ ଲାଗି । ପରମ ବିଧାତା ତାହାହିଁ ଆଶା କରୁଥିବେ । ପ୍ରେୟ ହେଉଛି ଏକ ପଥଚ୍ୟୁତି । ଶ୍ରେୟର ପଥରୁ ବିଚ୍ୟୁତି । ସବାଆଗ ମୋ’ର ମଙ୍ଗଳ, ମୋ’ ନିଜର କାମନାଗୁଡ଼ିକର ପୂରଣ । ପୃଥିବୀଟାକୁ ପଛରେ ପକାଇଦେଇ ହେଉ ପଛକେ, ମୋ’ ନିଜର ଯାବତୀୟ ସୁଖବିଧାନ । ସେହି ଏକପାଖିଆ ନାନା ପ୍ରେୟପ୍ରୀତି ହେତୁ ତ ମୋଟେ କୌଣସି କାରଣ ନଥାଇ ମଧ୍ୟ ଆମର ବିଚରା ଏହି ପୃଥିବୀଟି ଏହି ନାନା ଅସୁନ୍ଦରତା ମଧ୍ୟରେ ପଡ଼ି ରହିଛି । ପ୍ରେୟମାନଙ୍କର ଘନ କୁହୁଡ଼ିଟା ପୃଥ୍ଵୀଶ୍ରେୟର ଆମର ସମ୍ଭାବ୍ୟ ଅର୍ଥାତ୍ ପ୍ରତିଶ୍ରୁତିମୟ ପୂରା ଆକାଶଟିକୁ ଆଚ୍ଛନ୍ନ କରି ରଖିଛି । ଆମ ସମସ୍ତଙ୍କର ଶ୍ରେୟ କାମନା କରୁଥିବା ବିଧାତା ମଧ୍ୟ ଆମ ପ୍ରେୟକାମୀମାନଙ୍କର ଅଭିପ୍ରାୟ ଗୁଡ଼ିକୁ ମୋଟେ ସେତେବେଶୀ ବୁଝି ପାରୁନଥିବେ । ଆଗ ମୋ’ରି ବିତ୍ତମାନ ଅତିରିକ୍ତରୁ ଆହୁରି ଅତିରିକ୍ତ ଭାବରେ ବୃଦ୍ଧି ପାଇବ, ଆଗ ମୁଁ କିମ୍ବା ଆମେ ହିଁ ସକଳ ସୁଯୋଗକୁ ମାଡ଼ି ବସି ରହିଥିବୁ, ବଡ଼ ବୋଲାଇବୁ, ବିଖ୍ୟାତ ହେବୁ-ପୁରୁଷାନୁକ୍ରମେ ହିଁ ଠିକ୍ ଏହିପରି ଭାବରେ ଶ୍ରୀମନ୍ତ ହୋଇ ରହିଥିବୁ । ଯାବତୀୟ ପ୍ରତିଭା ଆମରି ଖୁଣ୍ଟରେ ଆମରି ପରିଚର୍ଯ୍ୟାରେ ବନ୍ଧା ହୋଇ ରହିଥିବେ । ଗୋଟିଏ କଥାରେ କହିଲେ, ତୁଚ୍ଛା ଅଲକ୍ଷ୍ମୀମାନଙ୍କର ଶାସନଗୁଡ଼ିକ ଚାଲିଥିବ । ଏବଂ, ଆମର କଳନା ଅନୁସାରେ ଭାଗ୍ୟଦେବୀ ଆମ ଉପରେ ସଦା ପ୍ରସନ୍ନ ହୋଇଥିବେ ।

 

ଆମର ଆମଲାଖି ଠାକୁରମାନେ ମଧ୍ୟ ଥିବେ । ଆମେ ଯେଉଁପରି ଧାରାରେ ରହିଛୁ, ଯାହାକିଛିର ପିଛାରେ ଧାଇଁଛୁ,-ସେଥିରେ ଆମକୁ ସେହିଭଳି ତିଷ୍ଠି ରହିବାକୁ ମଧ୍ୟ ଆଶୀର୍ବାଦ ପ୍ରଦାନ କରିବେ ଓ ବଳ ମଧ୍ୟ ଦେବେ । ହୁଏତ ସେଇଥିଲାଗି ତ ଏତେ ଏତେ ଦେଉଳ ଓ ଦେବତାର କଳ୍ପନା, ପୁରାଣର ଠୋଲା ଠୋଲା କଳ୍ପନାମାନ । ଆହୁରି ନିଦକ ହୋଇ କହିଲେ, ଆମରି ପ୍ରୀତ୍ୟର୍ଥେ ହି ଆମର ଏହି ପ୍ରିୟ ଏବଂ ସଦା ଉପାସ୍ୟ ଦେବତାମାନେ । ପଣ୍ଡିତମାନେ ସେଥିପାଇଁ ଭଳି ଭଳି ଶାସ୍ତ୍ର ଲେଖି ଥୋଇ ଦେଉଛନ୍ତି । ଆପଣାର ବିତ୍ତ ବଢ଼ିବ, କ୍ଷମତାବୃଦ୍ଧି ହେବ, ସେଇଥିଲାଗି ଆମର ବାଟଗୁଡ଼ିକୁ ଆହୁରି ଓ ଆହୁରି ପ୍ରଶସ୍ତ କରି ରଖିବା ନିମନ୍ତେ ଆମ ଦେବତାଏ ଠୁଳ ଠାକୁର ଇତ୍ୟାଦିରେ ପରିଣତ ହୋଇ ଏଠି ସେବା ଖଟିବାରେ ଲାଗିଛନ୍ତି । ବିତ୍ତ ଖରଚ କରି ଆମେ ଭଳି ଭଳି ଦେବତାଲାଖି ଶୃଙ୍ଗାରିକତାରେ ଦେବତା ଅର୍ଚ୍ଚନର ରାଜକୀୟ ନିୟୋଗମାନ ଖଞ୍ଜି ଦେଇଛୁ । ଆମ ଧର୍ମମଠର ମହନ୍ତମାନେ ମଧ୍ୟ ସେହି ଉତ୍ସାହ-ଚିତ୍ତସମର୍ପଣର ଗୋଟିଏ ଭାଗ ଦେବତାମାନଙ୍କ ପାଇଁ ତ ଆଉ ଗୋଟିଏ ଭାଗ ଆମ ନିଜର ବିତ୍ତଗୁଡ଼ିକ ପାଇଁ, ଆମକୁ ଯୋଉଠି ସେଇଠି ଟାଣ କରି ରଖିବାପାଇଁ । ଆମ ଜୀବନର ସମର୍ପଣ ବୃତ୍ତିଟି ଯେଉଁଠି ପୂରା ଆମରି ପ୍ରୟୋଜନରେ ଏହିପରି ଭାଗ ଭାଗ ହୋଇ ରହିଥାଏ, ସତେଅବା ଏହି ଗୋଟାଏ ହାଟରେ ଏକାବେଳେକେ ଦୁଇଟା ଓ ଏପରିକି ଚାରିଚାରିଟା ସଉଦା କରିବାରେ ଲାଗିଥାଏ, ସେଠାରେ ଅସଲଟି ପୂରାପଣେ ନିନ୍ଦିତ ହୋଇ ହିଁ ରହିଥାଏ । ସନ୍ତାନର ଅସଲ ଆକୂତିଟିକୁ ବୁଝିବାଲାଗି ସେତେବେଳେ ସତେଅବା କେହିହେଲେ ନଥାନ୍ତି ।

 

ତେଣିକି, ପ୍ରାୟ ସେହି ଗୋଟିଏ କଥା ହିଁ ତୁହାକୁ ତୁହା କୁହାଯାଇଛି, ସେହି ଅଭିପ୍ରେତ ସମର୍ପଣ ନାମକ ସତ୍ୟଟିକୁ ଆମେ ଯଥେଷ୍ଟ ଅନୁରାଗର ସହିତ ହୃଦୟଙ୍ଗମ କରିବା, ସତକୁ ସତ ସଂପୃକ୍ତ ହେବା ଓ ସେଇଟି ମୁତାବକ ନିଜକୁ ପ୍ରସ୍ତୁତ କରିନେବା । ଅନ୍ତତଃ ଅସାଧୁ ହେବାନାହିଁ ବା ବାହାନା କରିବାନାହିଁ । ଅନ୍ତତଃ ଗୁଡ଼ାଏ ଚତୁରପଣ ସହିତ ନିଜକୁ ଏକାଧାରରେ ବହୁଫାଳ କରି ରଖିବା ନାହିଁ । ତେଣୁ, ଯଦି ଆମର ନିଷ୍ଠା ଏବଂ ସମର୍ପଣ ପଛରେ ଆମ ନାନାବିଧ ବାସନାର ଦାବିଗୁଡ଼ିକ ଲୁକ୍କାୟିତ ହୋଇ ରହିଥିବେ, ଆମେ ଯଦି କେବଳ ଆପଣାର ଅହଂଟା ଦ୍ଵାରା ପରାକ୍ରାନ୍ତ ହୋଇ ସବାଆଗ ତଦନୁସାରେ ଏଣୁତେଣୁ କେତେ ନା କେତେ ଦାବିରେ ଆପଣାକୁ ଗୋଟାଏ ଗୋଟାଏ ମହାବଳୀ କରି ରଖିଥିବା, ଆମ ଭିତରର ଅମାନିଆ ପ୍ରାଣଟା ଯଦି ବାଟ ଓଗାଳି ଛିଡ଼ା ହୋଇଥିବ, ଯଦି ଆମେ ନିଜର ଯଥାର୍ଥ ଆସ୍ପୃହାଟି ସ୍ଥାନରେ ଏହି ଅଦ୍ରବ୍ୟଗୁଡ଼ିକୁ ହିଁ ଅଗ୍ରଭାଗରେ ନେଇ ଠିଆ କରାଇଥିବା କିମ୍ବା ସେଗୁଡ଼ିକ ଦ୍ଵାରା ଏହି ଅସଲ କାମ୍ୟଟିକୁ ଗୋଳେଇ ମୋଳେଇ ଦେଇଥିବା, ଏବଂ, ଏକଥା ବି ଖୁବ୍ ହୋଇପାରେ ଯେ, ସେଗୁଡ଼ିକୁ ଆଣି ସେହି ଦିବ୍ୟ ପରମାଶକ୍ତିଟି ଉପରେ ଲଦି ଦେଇଥିବା, ତେବେ ଆମେ ତୁଚ୍ଛାଟାରେ ଦିବ୍ୟ ପରମ କରୁଣାକୁ ଆମ ଜୀବନଟିକୁ ରୂପାନ୍ତରିତ କରିଦେବା ସକାଶେ ଆବାହନ କରିବାରେ ଲାଗିଥିବା ସିନା, କିନ୍ତୁ ସତକୁ ସତ କିଛି ମଧ୍ୟ ସମ୍ଭବ କରି ପାରୁନଥିବା ।

 

ଯଦି ଆମେ ଗୋଟିଏ ପାର୍ଶ୍ଵରେ ଅଥଚ ଗୋଟିଏ ଅଂଶରେ ପରମ ସତ୍ୟ ଆଡ଼େ ଆପଣାକୁ ଉନ୍ମୋଚିତ କରି ରଖିଥିବା ଏବଂ ଅନ୍ୟ ପାର୍ଶ୍ଵ ବା ଅନ୍ୟ ଭାଗଟିରେ ନିରନ୍ତର ପ୍ରତିକୂଳ ଶକ୍ତିଗଣଙ୍କ ଲାଗି ଦ୍ଵାରଗୁଡ଼ିକୁ ଖୋଲି ଦେଉଥିବା, ତେବେ ଆଉ କ’ଣ ପାଇଁ ଆଦୌ କୌଣସି ପ୍ରତ୍ୟାଶା ମଧ୍ୟ କରୁଥିବା ଯେ ପରମ କରୁଣା ତଥାପି ଆମ ପାଖରେ ରହିବ ଏବଂ ଆମକୁ କେବେହେଲେ ଛାଡ଼ି ଚାଲିଯିବ ନାହିଁ ? ବାବୁ, ତେଣୁ ମନ୍ଦିରଟିକୁ ସ୍ଵଚ୍ଛ ହିଁ ରଖିବ, ତେବେଯାଇ ସେହି ପରମ ଉପସ୍ଥିତିଟି ନିମନ୍ତେ ଆମର ଜୀବନରେ ଆଦୌ କୌଣସି ଆସ୍ଥାନ ତଥା ଥାନ ସମ୍ଭବ ହୋଇପାରିବ । ତେଣୁ, ଆମ ମନ୍ଦିରଟି ଯେଉଁପରି, ଆମର ଠାକୁର ମଧ୍ୟ ସେହିପରି ଓ ଆମ ସମର୍ପଣ ମଧ୍ୟ ନ୍ୟାୟତଃ ସେହି ଦୈର୍ଘ୍ୟ ଏବଂ ସେହି ପ୍ରସ୍ଥଗୁଡ଼ିକର । ଆମ ଆସ୍ପୃହା, ଆମେ ବାଛି ନେଇଥିବା ଆମର ଅଭୀଷ୍ଟଗୁଡ଼ିକ, ଆମ ସମ୍ବନ୍ଧଗୁଡ଼ିକ ଏବଂ ତାହାରି ଅନୁସାରେ ହିଁ ଆମ ଦେହ, ପ୍ରାଣ ଓ ମନର ଯାହାକିଛି ରଚନା ତଥା ସଂରଚନାମାନେ । ଏବଂ, ସମର୍ପଣ ଅନୁସାରେ ଆମର ପ୍ରାପ୍ୟ ଫଳ ଇତ୍ୟାଦି । କିନ୍ତୁ ହାୟ, ତୁମ ଇଚ୍ଛାଗୁଡ଼ିକର ତୃପ୍ତି ଓ ତୁମ ମନ୍ଦିରଟିର ପ୍ରସ୍ତୁତ ଯଦି ଏପରି ହୋଇଥିବ ଯେ, ଯଦି ଦିବ୍ୟ ପରମସାମର୍ଥ୍ୟଟି ତମର ସହାୟତା କରିବା ଲାଗି ଅର୍ଥାତ୍ ମାର୍ଗଦର୍ଶନ କରାଇ ତୁମକୁ ବାଟ କଢ଼ାଇ ନେଇଯିବ ବୋଲି ଯେତେ ଯେତେ ସମୟରେ ଆସି ପହଞ୍ଚୁଥିବ ଅଥଚ ତୁମେ ମୁହଁଟାକୁ ମୋଡ଼ି ଦେଲାପରି, ପରିହାର କରିଥିବା ମିଥ୍ୟାଟାକୁ ପୁନର୍ବାର ନିଜ ଭିତରକୁ ଡାକି ଆଣୁଥିବ, ତେବେ ନିଜେ ବିଫଳ ହେଲ ବୋଲି ତୁମେ ସେହି ପରମକରୁଣାକୁ ଆଦୌ କୌଣସି ଦୋଷ ଦେବନାହିଁଟି । ସେହି କ୍ଷେତ୍ରରେ ଆପଣାର ମିଛ ଇଚ୍ଛାଗୁଡ଼ିକୁ ହିଁ ପ୍ରକୃତରେ ଦାୟୀ କରିବାକୁ ହେବ । ଆପଣାର ସମର୍ପଣରେ ଯେ କୌଣସି ନା କୌଣସି ଠାରେ କ’ଣ ସବୁ ଖଣ୍ଡିଆ ଅବଶ୍ୟ ରହିଯାଇଛି, ତୁମେ ସେଇଟିକୁ ଦାୟୀ କରିବ ।

 

ଯଦି ପରମସତ୍ୟର ଆବାହନ କରୁଥିବ ଏବଂ ଯଦି ତୁମ ଭିତରେ ରହିଥିବା କ’ଣ ଏକ ଉପାଦାନ ଏକ ମିଛ, ଅଜ୍ଞାନଦ୍ଵାରା ପୂର୍ଣ୍ଣ ଏବଂ ଅଦିବ୍ୟ ଆଉକିଛିକୁ ଆଦରି ନେଉଥିବ ବା ତାହାକୁ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରି ବାହାରି ଆସିବାକୁ ମନ କରୁନଥିବ, ତେବେ ତୁମେ ସର୍ବଦା ଆପଣାକୁ ଅପଶକ୍ତି ମାନଙ୍କର ଆକ୍ରମଣ ଲାଗି ହିଁ ମୁକୁଳା କରି ରଖିଥିବ ଏବଂ ପରମକରୁଣା ମଧ୍ୟ ଦୂରବର୍ତ୍ତୀ ହୋଇ ତୁମପାଖରୁ ଦୂରବର୍ତ୍ତୀ ହୋଇ ଚାଲି ଯାଉଥିବେ । ତେଣୁ, ତୁମ ଭିତରେ ଅସତ୍ୟ ଏବଂ ଅସ୍ପଷ୍ଟ ହୋଇ କ’ଣ ସବୁ ରହିଛି, ସବାଆଗ ତୁମେ ସେଇଟିକୁ ଖୋଜି ବାହାର କରିବ ଏବଂ ଦୃଢ଼ଚିତ୍ତ ହୋଇ ତାହାର ବର୍ଜନ କରୁଥିବ । ତେବେଯାଇ ତୁମେ ଯଥାର୍ଥ ଭାବରେ ସେହି ଦିବ୍ୟ ପରମସାମର୍ଥ୍ୟକୁ ନିଜ ଭିତରକୁ ଆବାହନ କରି ଆଣିପାରିବ ଏବଂ ତୁମର ରୂପାନ୍ତର ଲାଗି ତାକୁ ଗୋଟିଏ ଅନୁକୂଳ ପରିସର ଯୋଗାଇ ଦେଇପାରିବ । କଦାପି ଏପରି କଳ୍ପନା କରି ପକାଇବ ନାହିଁ ଯେ, ସତ୍ୟ ଏବଂ ମିଥ୍ୟା, ଆଲୋକ ଓ ଅନ୍ଧକାର, ସମର୍ପଣ ଏବଂ ସ୍ଵାର୍ଥପରତା,–ଏହି ଉଭୟଗୁଡ଼ିକୁ ଆମେ ପରସ୍ପରର ପାର୍ଶ୍ଵବର୍ତ୍ତୀ ହୋଇ ଅବସ୍ଥାନ କରିବାକୁ ବେଶ୍ ଛାଡ଼ିଦେଇ ପାରିବା । ସେହିପରି ଗୋଟିଏ ସଦନକୁ ଆମେ କେବେହେଲେ ପରମ ଦିବ୍ୟସତ୍ତାଙ୍କ ନିମନ୍ତେ ଅର୍ପିଦେଇ ପାରିବାନାହିଁ । ସମର୍ପଣ ପୂର୍ଣ୍ଣାଙ୍ଗ ହେବ, ଏବଂ ସୁତରାଂ ଯାହାକିଛି ତାହାର ପ୍ରତିରୋଧ କରୁଛି, ସେଗୁଡ଼ିକର ପ୍ରତ୍ୟାଖ୍ୟାନ ମଧ୍ୟ ଅବଶ୍ୟ ପୂର୍ଣ୍ଣାଙ୍ଗ ହେବ ।

 

ଆମେ ଖାଲି ଦାବି କରିବାରେ ଲାଗିଥିବା ଏବଂ ଏହି କ୍ଷେତ୍ରରେ ସେହି ସର୍ବୋଚ୍ଚକର୍ତ୍ତାଙ୍କ ଦ୍ଵାରା ନିଶ୍ଚିତ ହୋଇ ରହିଥିବା ସର୍ତ୍ତଗୁଡ଼ିକର ପୂରଣ କରିବା ନାହିଁ ଓ ତଥାପି ସିଏ ଆମଲାଗି ସବୁ ଅବଶ୍ୟ କରି ଦେଉଥିବେ ଏବଂ କରିବାକୁ ନିଶ୍ଚୟ ବାଧ୍ୟ ହେବେ, ଏହି ମିଥ୍ୟା ଧାରଣାଟିକୁ ତେଣୁ ସର୍ବତୋଭାବେ ତ୍ୟାଗ କରିବାକୁ ହେବ । ତେଣୁ, ସମର୍ପଣଟି ନିଷ୍ଠାଯୁକ୍ତ ହେବ ଏବଂ ସମ୍ପୂର୍ଣ୍ଣ ହେବ । ତେବେଯାଇ ତୁମଲାଗି ବାକି ସବୁକିଛି କରାଯାଇ ପାରିବ । ପୁନଶ୍ଚ, ଏପରି ଗୋଟିଏ ମିଛ ଓ ଆଳସ୍ୟ ଦ୍ଵାରା ପରିପୂର୍ଣ୍ଣ ପ୍ରତ୍ୟାଶା ବେଳେବେଳେ କରାଯାଉଥାଏ ଯେ ସେହି ଦିବ୍ୟ ପରମଶକ୍ତି ତାଙ୍କ ନିଜ ତରଫରୁ ହିଁ ଆମର ଏହି ସମର୍ପଣ ନାମକ କାର୍ଯ୍ୟଟିକୁ ମଧ୍ୟ ନିଶ୍ଚୟ ସମ୍ପାଦନ କରିବେ । ଆମକୁ ସେହି ପ୍ରତ୍ୟାଶାଟିକୁ ସର୍ବଥା ତ୍ୟାଗ କରିବାକୁ ହେବ । ତୁମେ ହିଁ ନିଜକୁ ତାଙ୍କପାଖରେ ସମର୍ପଣ କରିବ, ପରମା ଶକ୍ତି ତୁମଠାରୁ ହିଁ ସେହି କଥାଟିକୁ ଦାବି କରୁଥାଆନ୍ତି । ମାତ୍ର କେବେହେଲେ ସେଇଟିକୁ ତୁମଉପରେ ଆଣି ଲଦି, ଦିଅନ୍ତି ନାହିଁ । ଅର୍ଥାତ୍, ତୁମେ ପ୍ରତ୍ୟେକ ମୁହୂର୍ତ୍ତରେ ହିଁ ଏହି କ୍ଷେତ୍ରରେ ସ୍ଵାଧୀନ ହୋଇ ରହିଥାଅ । ଆଖର ସେହି ଅପ୍ରତିରୋଧ୍ୟ ରୂପାନ୍ତର ଆସି ପ୍ରକୃତରେ ଘଟିବା ପର୍ଯ୍ୟନ୍ତ ତୁମେ ପୂର୍ଣ୍ଣ ସ୍ଵାଧୀନ ହୋଇ ରହିଥାଅ । ତୁମେ ଇଚ୍ଛା ନକରିଥିବା ଯାଏ ସେହି ପରମ ଦିବ୍ୟସତ୍ତାଙ୍କୁ ଅସ୍ଵୀକାର କରିପାରିବ, ପ୍ରତ୍ୟାଖ୍ୟାନ ମଧ୍ୟ କରିପାରିବ ଅଥବା, ଅଭିପ୍ରେତ ଆଧ୍ୟାତ୍ମିକ ପରିଣାମଟିଏ ଆପଣା ଜୀବନ ମଧ୍ୟକୁ ସମ୍ଭବ କରି ଆଣିବାକୁ ଇଚ୍ଛା କରୁଥିଲେ ତୁମେ ସେହି ଆତ୍ମୋତ୍ସର୍ଗର ମାର୍ଗଟିକୁ ବରଣ କରି ନେଇପାରିବ । ନିର୍ଯ୍ୟାସଟି ହେଉଛି ତୁମେ ସ୍ଵୟଂ ହିଁ ନିଜର ସମର୍ପଣକୁ ଘଟାଇ ଆଣିବ, ପୂର୍ଣ୍ଣ ସ୍ଵାଧୀନ ଭାବରେ ଘଟାଇ ଆଣିବ । ସେହି ସମର୍ପଣ ଜଣେ ଜୀବନ୍ତ ମନୁଷ୍ୟସତ୍ତାର ହିଁ ସମର୍ପଣ ଅବଶ୍ୟ ହେବ, କଦାପି ଗୋଟିଏ ଜୀବନହୀନ ଯନ୍ତ୍ର ଅଥବା କୌଣସି ମେସିନ୍‌ରେ ଲାଗିଥିବା ପୁର୍ଜାର ମଧ୍ୟ ସମର୍ପଣ ହୋଇନଥିବ ।

 

ଏକ ପ୍ରାଣହୀନ ନିଷ୍କ୍ରିୟତାକୁ ବାରମ୍ବାର ଏକ ଯଥାର୍ଥ ସମର୍ପଣ ବୋଲି ବିଚାରିବାର ଭୁଲ କରାଯାଇଥାଏ; କିନ୍ତୁ ସେହି ଆଦୌ କୌଣସି ପ୍ରାଣ ନଥିବା ନିଷ୍କ୍ରିୟତାରୁ କେବେହେଲେ ବି କୌଣସି ପ୍ରକୃତ ତଥା ଶକ୍ତିମନ୍ତ ହୋଇ କିଛି ସମ୍ଭବ ହେବନାହିଁ । ଆମ ଭୌତିକ ପ୍ରକୃତିର ସେହି ପ୍ରାଣ ନଥିବା ନିଷ୍କ୍ରିୟତାଟି ହିଁ ତାହାକୁ ଯାବତୀୟ ପ୍ରକାରର ଅସ୍ପଷ୍ଟ ଅର୍ଥାତ୍ ଅଦିବ୍ୟ ପ୍ରଭାବର ମର୍ଜି ଭିତରେ ନେଇ ପକାଇ ରଖିଥାଏ । ତେଣୁ, ସେହି ପରମ ଦିବ୍ୟ ବଳଶାଳିତା ଯେପରି ଆମ ଭିତରେ କ୍ରିୟା କରିପାରିବ, ଆମ ଜୀବନରେ ଆମେ ଯେପରି ସେହି ପରମ ଆଲୋକମୟ ସତ୍ୟର ଜଣେ ଜଣେ ଅନୁଗାମୀ ଶିକ୍ଷାର୍ଥୀ ହୋଇ ପାରିବା, ସେଥିଲାଗି ଦାବି କରାଯାଉଥାଏ ଯେ, ଆମର ସମର୍ପଣଟି ଏକ ଖୁସି ଦ୍ଵାରା ପ୍ରେରିତ ହୋଇ ରହିବ, ଶକ୍ତିଯୁକ୍ତ ଏବଂ ସହାୟ ସମର୍ଥ ମଧ୍ୟ ହୋଇ ପାରିଥିବ । ଆମ ଭିତରେ ରହିଥିବା ଜଣେ ବୀର ଯୋଦ୍ଧା ହିଁ ଏହି କ୍ଷେତ୍ରରେ ନିଜକୁ ଅବତୀର୍ଣ୍ଣ କରାଇଥିବ,-ଯିଏ ଯାବତୀୟ ଅସ୍ପଷ୍ଟତା ଏବଂ ଅସତ୍ୟ ବିରୋଧରେ ଲଢ଼ି ପାରୁଥିବ, ପରମ ଦିବ୍ୟସତ୍ତାଙ୍କର ଜଣେ ବିଶ୍ଵସ୍ତ ଭୃତ୍ୟ ରୂପେ ହିଁ ସେହି ଯୁଦ୍ଧଟିରେ ଅବତୀର୍ଣ୍ଣ ହୋଇଥିବ ।

 

ଏହାହିଁ ହେଉଛି ଏହି କ୍ଷେତ୍ରରେ ଆବଶ୍ୟକ ହେଉଥିବା ଯଥାର୍ଥ ଦୃଷ୍ଟିକୋଣଟି । ଏବଂ, କେବଳ ଯେଉଁମାନେ ସେହି ଦୃଷ୍ଟିକୋଣଟିକୁ ଗ୍ରହଣ କରିପାରିବେ, ତାହାକୁ ଏକ ଆହ୍ଵାନ ରୂପେ ସ୍ଵୀକାର କରିନେବେ, ଏପରି ଏକ ବିଶ୍ଵାସକୁ ଆପଣାର ଜୀବନରେ ସଂଜୀବିତ କରି ରଖିଥିବେ, ଯାହାକି ଯେତେ ଯାହା ବିଫଳତା ଅଥବା ବାଧା ଆଗରେ ମଧ୍ୟ କେବେହେଲେ ହାତରୁ ରଜ୍ଜୁଗୁଡ଼ିକୁ ଛାଡ଼ି ଦେଉନଥିବ, ସେଇ ଏହି ଯାବତୀୟ ପରୀକ୍ଷାକୁ ଅତିକ୍ରମ କରି ସମ୍ମୁଖରେ ରହିଥିବା ସର୍ବୋଚ୍ଚ ବିଜୟରେ ଯାଇ ପହଞ୍ଚି ପାରିବ, ଏହି ବୃହତ୍ ପରିବର୍ତ୍ତନଟିର ଭାଜନ ସେଇ ହୋଇପାରିବ ।

Image

 

Unknown

ଦ୍ଵିତୀୟ ଅଧ୍ୟାୟ

 

ଏହି ବିଶ୍ଵସଂସାର, ଯାହାକୁ ଆମେ ମନୁଷ୍ୟମାନଙ୍କର ଏହି ସମୂହମାନେ ଆମର ପୃଥିବୀ ବୋଲି ଚିହ୍ନି ପାରୁଛୁ, ସେଇଟିର ଯାବତୀୟ କର୍ମର ଅଧୀଶ୍ଵର ହେଉଛନ୍ତି ଏକମାତ୍ର ସେହି ଦିବ୍ୟ ପରମସତ୍ତା, ଯାହାଙ୍କୁ ଆମେ ନିଜ ନିଜର ପହୁଞ୍ଚ ଅନୁସାରେ ଦିବ୍ୟ ପରମ ସତ୍ୟ ବୋଲି କହୁଛୁ, ଆହୁରି ଅଧିକ ଗୋଟିଏ ସାକାର କଳ୍ପନା ଦେଇ ଦିବ୍ୟ ପରମ-ପୁରୁଷ ବୋଲି କହୁଛୁ । ତାଙ୍କରି ପରମା ଶକ୍ତି ହିଁ ନିମିତ୍ତ ତଥା ମାଧ୍ୟମ ହୋଇ ସବୁକିଛି କରୁଛନ୍ତି । ଏଠି ଯାହାକିଛି ହେଉଛି, ଘଟୁଛି ଅଥବା ଆମର ଏହି ଜୀବନନାମକ ଚେତନାପଟରେ ସଚଳ ହୋଇ ରହିଛି, ତାହା ତାଙ୍କରି ଯୋଗମାୟା ଦ୍ଵାରା ଆବୃତ ହୋଇ ରହିଛି; ଆଚ୍ଛନ୍ନ ହୋଇ ରହିନାହିଁ, ଆବୃତ ହୋଇ ରହିଛି । ଆବରଣଟି ଅପସରାଇ ଦେଲେ ସିଏ ଏବଂ ଆବରଣଟି ଦେଇ ଦେଖିଲେ ଏହି ଜଗତ; ତେଣୁ, ଯାବତୀୟ ଅସଲ ମାୟାଟିଏ ହିଁ ତାଙ୍କୁ ସେତୁ ସଦୃଶ ଏହି ଜଗତ ସହିତ ଯୁକ୍ତ କରି ରଖିଛି । ଆମେ ସେହି ମାୟାଟି ହେତୁ ହିଁ ତାଙ୍କୁ ଦେଖିପାରୁନାହୁଁ ଓ ତଥାପି ଦେଖିପାରୁଛୁ; ଦେଖି ପାରୁଛୁ ଏବଂ ଦେଖି ପାରୁନାହୁଁ । ଇଚ୍ଛା କଲାମାତ୍ରକେ ଘ୍ରାଣ କରି ପାରୁଛୁ, ଏକ ସତ ଅନୁରାଗର ଯୋଗ୍ୟ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ତାଙ୍କୁ ଖୁବ୍ ଠାବ କରି ପାରୁଛୁ । ଭିତରେ ଠାବ କରିପାରୁଛୁ ବୋଲି ଏହି ତଥାକଥିତ ବାହାରେ ମଧ୍ୟ ଠାବ କରିପାରୁଛୁ ଏବଂ ବାହାରେ ମଧ୍ୟ ତାଙ୍କ ଠାରୁ କ’ଣ ସବୁ ପ୍ରତ୍ୟୟ ପାଇ ଯାଉଥିବା ପରି ଭିତରେ ମଧ୍ୟ ତାଙ୍କ ସଦା-ଉପସ୍ଥିତିର ବାରତାଟିକୁ ପାଇ ପାରୁଛୁ । ସିଏ ଆମର କତି ହୋଇ ରହିଛନ୍ତି ଅଥବା ଆମେ ତାଙ୍କର କତି ହୋଇ ରହିଛୁ, ସେହି ରହସ୍ୟଟିକୁ ତତ୍ତ୍ଵ ଘାଣ୍ଟି ଦେଖିବାକୁ ମୋଟେ ମନ ହେଉନାହିଁ । ତଥାପି, ତତ୍ତ୍ଵର ଗାଡ଼ିଆଗୁଡ଼ାକୁ ଘାଣ୍ଟି ଦେଖିବାପାଇଁ ଚଉପାଢ଼ୀ ମାନଙ୍କରେ କ’ଣ କମ୍ ଉଦ୍ୟମ ହେଉଛି ?

 

ପରମ ତତ୍ତ୍ଵଟି ଆପଣା ଶକ୍ତିର ମାଧ୍ୟମଟିକୁ କାମରେ ଲଗାଇ ଆମ ଜୀବମାନଙ୍କର ଏହି ଅହଂର ଭୂମିରେ ହିଁ କାର୍ଯ୍ୟ କରୁଛି । ସିଏ ହେଉଛନ୍ତି ଆମର ଯାବତୀୟ ସଂସ୍କାରର ବୁଝିବା ଅନୁସାରେ ସବାଉଚ୍ଚ ଭୂମିଟି ଏବଂ, ଆମର ଏହି ଅହଂର ଭୂମିଟି ହେଉଛି ନିମ୍ନତର । ଆମର ଏହି ଉପସ୍ଥିତ ପ୍ରକୃତିଟି ନିମ୍ନତର ପ୍ରକୃତି । ଏକ ଶାସ୍ତ୍ରର କଳ୍ପନା ଅନୁସାରେ ସିଏ ଆକାଶ, ଆମେ ପୃଥିବୀ । ତାହାରି ଅନୁସାରେ ସେଠାରେ ତାଙ୍କ ମସ୍ତକଟି ଏବଂ ଏଠାରେ ପାଦଗୁଡ଼ିକ । ସିଏ ପିତା, ପୃଥିବୀ ମାତା ଏବଂ ଆମେ ସେମାନଙ୍କର ସନ୍ତାନ । ଯାହା ଏଇଠି ନିମ୍ନରେ ପାଦଦେଶରେ ରହିଛି, ସେଇଟି ଉନ୍ନୀତ ହୋଇଯିବ ଏବଂ ସେଇଟି ହେଉଛି ଏଠାରେ ସଦା କ୍ରିୟାଶୀଳ ବିଶ୍ଵବିବର୍ତ୍ତନର ସେହି ସୃଜନାତ୍ମକ ଲୀଳାଟି । ସେଇଥି ସକାଶେ ତ ଆମ ଅହଂଗୁଡ଼ିକୁ, ଏହି ନିମ୍ନସ୍ଥଟିକୁ ସିଏ ଆପଣାର ପ୍ରୟୋଗଶାଳା ରୂପେ ସ୍ଵୀକାର କରି ନେଇଛନ୍ତି ! ଆକାଶ ଆପଣାର ସକଳ ଅନୁରାଗ ସହିତ ପୃଥିବୀ ଉପରକୁ ଆନତ ହୋଇ ଆସିଛି । ପ୍ରୟୋଗକର୍ତ୍ତା ଆପଣାର ପ୍ରୟୋଗଶାଳାଟିକୁ କେତେ ନା କେତେ ମମତା ଦେଇ ବୁଝି ନଥିଲେ ଆମ ଜୀବମାନଙ୍କର ଅହଂକୁ ନିଜର ଯାବତୀୟ କ୍ରିୟାଶୀଳତାର ସେହି ନିୟତିନିର୍ଦ୍ଦିଷ୍ଟ ଭୂମିରୂପେ ସ୍ଵୀକାର କରି ନେଇନଥାନ୍ତେ ! ଅର୍ଥାତ୍, ଆମେ ହୃଦୟଙ୍ଗମ କରି ପାରିବାଭଳି ଏକ ଭାଷାରେ କହିଲେ, ଜୀବର ଅହଂଟି ହେଉଛି ଯଥାର୍ଥରେ ଏକ ଭୂମି, ଏକ ଅପ୍ରମିତ ସମ୍ଭାବନାର ଭୂମି । ସତେଅବା କୌଣସି ଉଦ୍ୟାନରେ ଫୁଲମାନେ ଦିନେ ଫୁଟି ଉଠିବେ ବୋଲି ସେଠାରେ ଅନୁକ୍ଷଣ ଆବଶ୍ୟକ ପ୍ରସ୍ତୁତିଗୁଡ଼ିକ ଲାଗିରହିଛି । ସତେଅବା ସେଇ ମାଳି ହୋଇ ଉଦ୍ୟାନଟିକୁ ପ୍ରସ୍ତୁତ କରି ନେଉଛନ୍ତି, ଏକାବେଳେକେ ମାଟିରୁ ଆରମ୍ଭ କରି ଯାବତୀୟ ଉପାଦାନ ଗୁଡ଼ିକୁ ଏକ ପ୍ରସ୍ଫୁଟନ ଲାଗି ଯୋଗ୍ୟ କରି ଆଣୁଛନ୍ତି । ସର୍ବବିଧ ମାଟିକୁ ତା’ର ଯଥାର୍ଥ ମହିମା ବିଷୟରେ ସଚେତନ କରାଇ ନେବା, ସର୍ବବିଧ ଅର୍ଥରେ ତାହାହିଁ ହେଉଛି ତାକୁ ସେହି ପ୍ରସ୍ଫୁଟନର ଯୋଗ୍ୟ କରାଇନେବା,-ତାହାକୁ ସୋପାନ ସୋପାନ କରି ଅଗ୍ରସର କରାଇନେବା । ସେଇଥିଲାଗି ତ ଆମ ଅହଂରୂପକ ମାଟିଟି ଉପରେ ଏତେ ଏତେ ସଚଳତା, ଏତେ ଏତେ ସଚଳତା; ଏତେ ଅସନ୍ତୋଷ, ଅଧିକ ଏବଂ ଆହୁରି ଅଧିକ ନିମନ୍ତେ ଏକ ଦୁର୍ବାର ପିପାସା,-ଏତେ ଏତେ ଧାଇଁବା, ଝୁଣ୍ଟିବା,-ଝୁଣ୍ଟି ପୁଣି ଉଠିବା ଓ ପୁଣି ଧାଇଁବା, ଏତେ ଏତେ ସଫଳତା ମଧ୍ୟରେ ବହୁ ବିଫଳତା ଓ ନାନା ବିଫଳତା ମଧ୍ୟରେ ତଥାପି ସଫଳତାଟିଏ ରହିଛି ବୋଲି ଏକ ଉଦ୍ୟମ ପ୍ରତ୍ୟୟ । ଏହି ସର୍ବବିଧ ସବୁକିଛି ସହିତ ମାଳିର, ସେହି ପ୍ରୟୋଗକର୍ତ୍ତାଙ୍କର ଉଦାର ସମ୍ମତି ରହିନଥିଲେ ଆମର ଏହି ମାଟିଟା କେବଳ ସେହି ମାଟି ହୋଇ ପଡ଼ି ରହିଥାଆନ୍ତା ସିନା !

 

ତେଣୁ, ସମସ୍ତ ସତ ଯୋଗସାଧନା ହେଉଛି ଯୁକ୍ତ ହେବାର ସାଧନା । ଯିଏ ଆପଣାକୁ ମୋତେ ମାଧ୍ୟମ କରି ମୋ’ର ଅହଂଟିକୁ କ୍ରମଶଃ ଯୋଗ୍ୟ କରି ନେଉଛନ୍ତି ଓ ମୋତେ ମନ୍ତୁରାଇ ନେବାରେ ଲାଗିଛନ୍ତି; ତାଙ୍କରି ସହିତ ଯୁକ୍ତ ହେବାର ସାଧନା । ସତକୁ ସତ କ’ଣ ସବୁ ହୋଇ ହୋଇ ଯାଉଥିବାର ସାଧନା । ମୋ’ର ନାନା ଅଳ୍ପତାର ଏହି ଘରଟିର ଦ୍ଵାରଗୁଡ଼ିକ ଉନ୍ମୋଚିତ ହୋଇ ଯାଉଥିବାର ସାଧନା । ମୁଁ ମୁକୁଳି ଯିବାରେ ଲାଗିଥିବି, ଏକ ଆରୋହଣ-କ୍ରମରେ ସଂପ୍ରସାରିତ ହୋଇ ପାରୁଥିବି । ଏବଂ ପୂର୍ଣ୍ଣକୃତଜ୍ଞ ହୋଇ ରହିଥିବି । ଯହୁଁ ଯହୁଁ ଅଧିକରୁ ଅଧିକ ଆରୋହଣ କରୁଥିବି ଓ ପ୍ରସାରିତ ହେଉଥିବି, ତହୁଁ ତହୁଁ ଅଧିକରୁ ଅଧିକ ସାକାର ଅର୍ଥାତ୍ ପ୍ରତ୍ୟୟପୂର୍ଣ୍ଣ ଭାବରେ ଉପଲବ୍ଧି କରୁଥିବି ଯେ ମୋ’ର ଏହି ସାଧନାପଥରେ ସ୍ଵୟଂ ସେହି ପରମ ହିଁ ସାଧକ । ସେଇ ସାଧନା । ସେହି ଅସଲ ବୋଧଟି ଦ୍ଵାରା ଦେଖିଲେ, ମୋ’ ଭିତରେ ଅବିଚଳ ରହି ସେଇ ମୋ’ର ତଥାକଥିତ ଅଲଗା ଅହଂଟିକୁ ସଜାଡ଼ି ନେଉଛନ୍ତି, ଗଠିତ କରି ନେଉଛନ୍ତି; ଜନନୀଟିଏ ହୋଇ ସତେଅବା ଆବଶ୍ୟକ ସର୍ବବିଧ ଶୁଶ୍ରୂଷା ଦ୍ଵାରା ମୋତେ ଚେତା କରି ନେଉଛନ୍ତି ଏବଂ ଏକ ସମ୍ପୂର୍ଣ୍ଣ ନିଘାରେ ତାଙ୍କରି ଲାଗି ତାଙ୍କରି ସହିତ ଅଗ୍ରସର କରାଇ ନେଉଛନ୍ତି । ତାହା ପ୍ରକୃତରେ ଆନନ୍ଦମୟ ଅନୁଭବ ଏବଂ ଉପଲବ୍ଧି ଯାହାପରେ ସବୁକିଛି ସହଜ ହିଁ ଲାଗେ, ଅବଶ୍ୟମ୍ଭାବୀ ଲାଗେ । ଏକ ଅଭୂତପୂର୍ବ ଅଭୟ ମଧ୍ୟ ମିଳି ମିଳି ଯାଉଥାଏ । ତାଙ୍କରି ଶକ୍ତିର ଆଲୋକ, ସାମର୍ଥ୍ୟ, ଜ୍ଞାନ ତଥା ଚେତନା ବସ୍ତୁତଃ ହାତପାଆନ୍ତା ଯାଏ ଆସି ରହିଥିବାର ସ୍ଵାଭାବିକ ଏକ ସହଜତା, ତାହା ହିଁ ଆମର ସାଧନାକୁ ଏକ ଆନନ୍ଦମୟତା ମଧ୍ୟକୁ ଉତ୍ତୋଳିତ କରି ନେଇଥାଏ-। ଆନନ୍ଦମୟତା ମଧ୍ୟକୁ ଅର୍ଥାତ୍ ସ୍ଵତଃସ୍ଫୂର୍ତ୍ତତା ମଧ୍ୟକୁ । ଯିଏ ଏଠାରେ ଥାଇ ଡାକୁଥିଲା ଏବଂ ଉପରୁ ଯେଉଁଟି ଉଅ କରି ଓହ୍ଲାଇ ଆସୁଥିଲା, ଉଭୟଙ୍କର ହିଁ ସେହି ସ୍ଵତଃସ୍ଫୂର୍ତ୍ତତା ମଧ୍ୟକୁ । କ୍ଳେଶ ନଥାଏ, କୃଚ୍ଛ୍ର ମଧ୍ୟ ନଥାଏ । ତା’ପରେ ନିଜର ଏହି ପଥଟିକୁ ଦୁର୍ଗମ ବୋଲି କହିବାର କୌଣସି ଅବକାଶ ନଥାଏ ।

 

ଯେତେବେଳେ ଆଧାରଟି ସେହି ଶକ୍ତିମୟୀଙ୍କ ଆଡ଼କୁ ଖୋଲିଯାଏ, ସେତେବେଳେ ତାଙ୍କରି କୃପାଭଣ୍ଡାରରୁ ସବୁକିଛି ଅଜାଡ଼ି ହିଁ ହୋଇ ପଡ଼ୁଥାଏ । ଏବଂ, ଆମର ସାଧନାଟି ନିଜ ପ୍ରେରଣାର ଉତ୍ସଟିକୁ ମଧ୍ୟ ପାଇଯାଏ । ସେହି ଉତ୍ସଟିରୁ ହିଁ ସାଧନାଟି ସମ୍ଭବ ହୋଇ ଯାଉଥାଏ । ସିଏ ସବୁ କିଛି କରନ୍ତି; ଆମେ ଅଲଗା ହୋଇ ଆଦୌ କିଛି କରୁଛୁ ବୋଲି ଅନୁଭବ ନଥାଏ । ସିଏ ହିଁ କରାଇ ନେଉଥାନ୍ତି, ସତକୁ ସତ ସେହି ଭିତରୁ ହିଁ ଅଭୟ ପ୍ରତ୍ୟୟ ଦେଇ କରାଇ ନେଉଥାନ୍ତି । ତାହାର କଦାପି ଏପରି ଅର୍ଥ କରାଯିବା ଉଚିତ ନୁହେଁ ଯେ, ଆମେ ବସି ରହିଥାଉ ଏବଂ ସେଇ ଏକାକୀ ସବୁ କରୁଥାନ୍ତି । ନାଇଁ ନାଇଁ, ଆମେ ବସି ନଥାଉ, ଏକ ପରିପୂର୍ଣ୍ଣ ସହଜତା ସହିତ ଯେତେବେଳେ ଏହି ସାଧନାର ପ୍ରକ୍ରିୟାଟି ସତେଅବା ଆମ ଜୀବନର ଏକ ଅଲଗା କ’ଣଟିଏ ହୋଇ ଚାଲିଛି ବୋଲି କୌଣସି ଧାରଣା ହିଁ ନଥାଏ, ସେତେବେଳେ ଏପରି ଗୋଟିଏ ସମଞ୍ଜସତାର ଅଭେଦ ଅନୁଭବଟିଏ ଆମର ସକଳ ସାଧନାଗତ ଜୀବନରେ ଉକୁଟି ରହିଥାଏ, ସେତେବେଳେ ସମୁଦାୟ ଜୀବନଟି ହିଁ ତାଙ୍କରି ସହିତ ଯୁକ୍ତ ହୋଇ ରହିଥିବାର ଏକ ନିରନ୍ତର ପ୍ରତ୍ୟକ୍ଷ-ଅନୁଭବରେ ନିଶ୍ଚୟ ପରିଣତ ହୋଇ ଯାଇଥାଏ । ହଁ, ଆମର ଜୀବନ ଭିତରକୁ ସକଳ ଶକ୍ତିର ଏକ ଉତ୍ସରୁ ନେକ ଅମିତ ପ୍ରତ୍ୟୟ ଅଜାଡ଼ି ହୋଇ ପଡ଼ୁଥିବା ପରି କେଡ଼େ ଅନାୟାସରେ ହିଁ ହୃଦବୋଧ ହେଉଥାଏ । ସିଏ ମୋ’ ଭିତରେ ଅଥବା ମୁଁ ତାଙ୍କ ଭିତରେ, ଏହି କ୍ଷେତ୍ରର ତତ୍ତ୍ଵକାରମାନେ ଯେତେ ଯାହା ଉଖାରି ଦେଖିବାଲାଗି ପ୍ରଚେଷ୍ଟ ହୋଇ ରହି ଥାଆନ୍ତୁ ପଛକେ, ମୋଟେ କିଛିହେଲେ ବାରି ହୁଏନାହିଁ । ଏବଂ, ବାରି ହୁଏନାହିଁ ବୋଲି କେଡ଼େ ସ୍ଵାଭାବିକ ମଧ୍ୟ ଲାଗେ । ପୂରା ଛୁଇଁକରି ଗୋଟାପଣେ ନିଜଘରେ ହିଁ ବାଟ ଚାଲୁଥିବା ଭଳି ଲାଗେ । ତତ୍ତ୍ଵଟିଏ ଅନୁସାରେ ବାଟଟିଏ ଚାଲିବା ଅର୍ଥାତ୍ ସାଧନାଟିଏ ଗ୍ରହଣ କରିବା, ଏଇଟି ପ୍ରକୃତରେ ଗୋଟିଏ ପୂରା ଅର୍ଥହୀନ ବ୍ୟାପାର । ଆଗ ସାଧନାଟିଏ ଏବଂ ସେଥିଲାଗି ସମ୍ମତ ହୋଇ ବାଟ ଚାଲୁଥିବା ବାଟୋଇଟିଏ ଏବଂ ସେଇଥିରୁ ତୁଚ୍ଛା ଆପଣ ଅନୁମାନର ବାଡ଼ିମାନ ପକାଇ ତତ୍ତ୍ଵକାରମାନଙ୍କର ଯାହାକିଛି ତ୍ତତ୍ତ୍ଵ । ବାହାରେ ବାହାରେ ଥାଇ ଯଥାସମ୍ଭବ ତଟସ୍ଥ ରହିବାର ଏକ ଶାସ୍ତ୍ର-ସମ୍ମତ ନିଷ୍ଠାରେ ।

 

ତଥାପି ସବାଆଗ ଏକ ପ୍ରସ୍ତୁତି । ଆମ ମନୁଷ୍ୟମାନଙ୍କ ତରଫରୁ । ଅନୁକୂଳ ପରିମଳଟିଏ ଆଗ ଆମ ତରଫରୁ ପ୍ରସ୍ତୁତ ହେବ ଏବଂ ତାହାହିଁ ଆମେ ସତକୁ ସତ ଆଉ କିଛି ହେବାକୁ ଅପେକ୍ଷା ରଖିଛୁ ବୋଲି ଗୋଟିଏ ପ୍ରମାଣପତ୍ର ଯୋଗାଇ ଦେବ । ଏହି ପ୍ରସ୍ଥଟିକୁ ସେହି ପ୍ରସ୍ଥଟି ନିମନ୍ତେ ଅଭିପ୍ରେତ ଦୁଆରଟିକୁ ଖୋଲି ଦେଇଯିବ । ଅର୍ଥାତ୍, ଆମର ନିମ୍ନ ପ୍ରକୃତିଟି ଆମକୁ ଏଇଠି ଯେଉଁଠି ସେଇଠି ନାନା ଅଭ୍ୟସ୍ତତା ମଧ୍ୟରେ ତୁଣ୍ଡି ବାନ୍ଧି ପକାଇ ରଖିଥିବା ପର୍ଯ୍ୟନ୍ତ ପୂରା ଆମ ତରଫରୁ ହିଁ ଏକ ଅନ୍ୟ ଅନୁରାଗ ଓ ଅନ୍ୟ ଆନୁଗତ୍ୟର ସୂଚନା ଦେଇ କିଛି କରିବାକୁ ହେବ-। ଆମ ଆଗ୍ରହୀ ସନ୍ତାନମାନଙ୍କୁ ଆଗ ରାଜି ହୋଇ ଆମ ତରଫରୁ । ତା’ପରେ ଯାଇ ସାଧନା ବୋଲି କୁହାଯାଇ ପାରିବାର ସେହି ପାବଚ୍ଛମାନଙ୍କର ପର୍ବଟି ଏକ ଯଥାରୀତି ସାଧୁତା ସହିତ ଆରମ୍ଭ ହେବ ।

 

ବ୍ୟକ୍ତିଗତ ପ୍ରଚେଷ୍ଟାର ସେହି ତିନୋଟି କ୍ଷେତ୍ର ହେଉଛି ଆସ୍ପୃହା, ପ୍ରତ୍ୟାଖ୍ୟାନ ଏବଂ ସମର୍ପଣ । କୌଣସି ଖାସ୍ ପୂର୍ବାପରକ୍ରମରେ ଆଗ ଏଇଟି, ତା’ପରେ ଅମୁକଟି ଓ ସବାଶେଷରେ ସେଇଟି,–ଏପରି ନୁହେଁ । ‘ମାଆ’ ବହିରେ ସେଥିଲାଗି କେଡେ ପ୍ରାଞ୍ଜଳ ଭାବରେ triple labour ବୋଲି ମୂଳରୁ ହିଁ କହି ଦିଆଯାଇଛି । ତିନୋଟିଯାକ ଅଭିକ୍ରମ ଯୁଗପତ୍ ଭାବରେ । ଖାସ୍ କେଉଁଟି କ’ଣ ବୋଲି ଦେଖାଇ ଦେବାର ଓ ଦାବି କରିବାର କୌଣସି ଅବକାଶ ହିଁ ନାହିଁ । ଯଦି ସେହିପରି ଗ୍ରହଣ କରିଥିବ, ତେବେ ତା’ର ସ୍ଵ-ଆଗ୍ରହଟି ମଧ୍ୟରେ ଖୁବ୍‌ ସମ୍ଭବ କିଛି ଅସୁସ୍ଥତା ରହିଛି ବୋଲି ସମ୍ଭବତଃ ଆଶଙ୍କା ମଧ୍ୟ କରାଯିବ । ସମ୍ଭବତଃ କୌଣସି ନା କୌଣସି କିମ୍ବା ଅକାରଣରୁ ଖସି ପଳାଇ ଯିବାର ଅଳ୍ପ ବହୁତ ଗୋଟିଏ ମତଲବ; ସମ୍ଭବତଃ କୌଣସି ପରାଭବ-ବୋଧ, ଭିତରେ ହାରି ଯାଉଥିଲେ ମଧ୍ୟ ବାହାରେ ମୁଁ ଠିକ୍ ଅଛି ବୋଲି ଦର୍ଶାଇବା ନିମନ୍ତେ ଏକ ଚେଷ୍ଟା । ତେଣୁ, ଏକାବେଳେକେ ତିନୋଟିଯାକ ପ୍ରକ୍ରିୟା । ଆସ୍ପୃହା ସଙ୍ଗେ ସଙ୍ଗେ ପ୍ରତ୍ୟାଖ୍ୟାନ ଏବଂ ପ୍ରତ୍ୟାଖ୍ୟାନ ସଙ୍ଗେ ସଙ୍ଗେ ସଙ୍ଗେ ଆସ୍ପୃହାର ମାର୍ଗଟିରେ ଏକ ସତତ ଆରୋହଣର ସଚଳତା । ଅଧିକରୁ ଅଧିକ ଭାବରେ ସମର୍ପଣ, କାରଣ ତାହାରି ଦ୍ଵାରା ହିଁ ଅପେକ୍ଷାକୃତ ଅଧିକରୁ ଅଧିକ ଅଭିଯୋଗହୀନ ଭାବରେ ଆମେ ସେହି ଅଭିପ୍ରେତ ଆସ୍ପୃହା ଏବଂ ପ୍ରତ୍ୟାଖ୍ୟାନ ନିମ୍ନନ୍ତେ ରାଜି ହୋଇ ପାରୁଥିବା ଏବଂ ଇପ୍ସିତ ମୂଳଦୁଆଟିକୁ ପ୍ରସ୍ତୁତ ଆଣିବାରେ ସମର୍ଥ ହୋଇ ଆସୁଥିବା ।

 

ପ୍ରସ୍ତୁତିପର୍ବର ଏହି ସମଗ୍ର ପ୍ରକ୍ରିୟାଟିକୁ ଯଥାସମଭାବ ଅଧିକ ସଙ୍ଗତିଯୁକ୍ତ ଅର୍ଥାତ୍ ସଳଖ ଭାବରେ ବୁଝିବାକୁ ଇଚ୍ଛା କରି ଆମେ ପ୍ରସଙ୍ଗଟିର ଏକ ବିଶଦ ଆଲୋଚନା ଲାଗି ଏଠାରେ ଚେଷ୍ଟାଟିଏ କରିବା । ପ୍ରଥମେ ଆସ୍ପୃହା । ପ୍ରକୃତରେ କ’ଣ ସେହି ଆସ୍ପୃହା ନାମକ କଥାଟି ? ଆମ ଚଳନ୍ତି ଭାଷାରେ ଆମେ ଆମର ଭିନ୍ନ ଭିନ୍ନ ଅର୍ଥାରୋପରଣ ଅନୁସାରେ କାମନା, ବାସନା ଏବଂ ଆସ୍ପୃହା ତିନୋଟିଯାକ ଶବ୍ଦର ବ୍ୟବହାର କରି ଆସିଛୁ । ଗୀତା ଶାସ୍ତ୍ରରେ ଜଣେ କାମନାଯୁକ୍ତ ବ୍ୟକ୍ତିକୁ ସ୍ଥିତପ୍ରଜ୍ଞ ବୋଲି କୁହାଯାଇଛି । ଆମର କାମନାମାନେ ହିଁ ଆମକୁ ନାନା ଅବାଟରେ ହୁଡ଼ାଇ ନିଅନ୍ତି ବୋଲି କହି ଏକାଧିକ ଧର୍ମଶାସ୍ତ୍ରରେ ସତର୍କ କରି ଦିଆଯାଇଛି । କାମନା ଉପରେ ବିଜୟ ହାସଲ କରିବା ହିଁ ଜଣେ ଉତ୍ତମ ମନୁଷ୍ୟର ସର୍ବପ୍ରଧାନ ଲକ୍ଷ୍ୟ ହୋଇ ଅବଶ୍ୟ ରହିବା ଉଚିତ ବୋଲି ଘୋଷଣା କରି ଧର୍ମଗୁଡ଼ିକ ଯୁଗେ ଯୁଗେ କେତେ କ’ଣ କହି ଆସିଛନ୍ତି । ଶ୍ରୀ ଅରବିନ୍ଦ ଏହି desire ଅର୍ଥାତ୍ କାମନାକୁ ଏକ mutually devouring hunger ବୋଲି ବର୍ଣ୍ଣନା କରିଛନ୍ତି । ଏକ ଆରେକୁ ଗିଳି ପକାଇବାର ଏକ ଦୁର୍ବାର ସତତ କ୍ଷୁଧା, ତାହାହିଁ କାମନା । ବିସ୍ତୀର୍ଣ୍ଣ ପୃଥିବୀଟି ସମ୍ମୁଖରେ ପ୍ରସାରିତ ହୋଇ ପଡ଼ିଥାଏ, ତଥାପି କେତେ ମନୁଷ୍ୟ କ’ଣ ପାଇଁ ଗୁଡ଼ାଏ ବିହ୍ଵଳ ହୋଇ ଏକ ନିତ୍ୟଶଙ୍କା ଭିତରେ ଛଟପଟ ହେଉଥାଆନ୍ତି ଯେ ପୃଥିବୀଟା ମୋଟେ ସବୁ ମଣିଷଙ୍କ ନିମନ୍ତେ ଯଥେଷ୍ଟ ହେବ ନାହିଁ । ନିତାନ୍ତ ଭୟଭୀତ ହୋଇ ସେମାନେ ସତେଅବା କେବଳ ଆପେ ହିଁ ଏହି ପୃଥିବୀକୁ ଏକା ଭୋଗ କରିବା ସକାଶେ । ନିଜ ଭଗବାନ ମାନଙ୍କୁ ଦିନରାତି ସେହି ଗୋଟିଏ ମାତ୍ର ଇଚ୍ଛାପୂରଣ ଲାଗି କେତେ ନେହୁରା ହୋଇ ଡାକନ୍ତି ଏବଂ ସଦାକୁପିତ ହୋଇ ରହିଥାନ୍ତି । ତଥାପି, ଆପଣାର ସେହି ଭଗବାନ୍‌ମାନଙ୍କ ଉପରେ ପୂରା ଭରସା କରି ପାରୁନଥିବା ପରି ଆପେ ହିଁ କର୍ତ୍ତା ବନି କିଛି ଅବଶ୍ୟ କରାଯିବା ଉଚିତ ବୋଲି ଏକ ସର୍ବଗିଳା କ୍ଷୁଧାରେ ଏକ ଆରକୁ ଗିଳିବା ନିମନ୍ତେ ଆଗଭର ହୋଇ ବାହାରି ଯାଆନ୍ତି । ଥିର ହୋଇ ଆପଣା ଭିତରକୁ ଅନାଇ ଦେଖିଲେ ଆମେ କାମନାପୂରିତ ସମସ୍ତେ ହିଁ ତାହାର କଳଜଳ ଦୃଷ୍ଟାନ୍ତମାନ ଖୁବ୍ ଦେଖିବାକୁ ନିଶ୍ଚୟ ପାଇ ଯାଆନ୍ତେ । ଆମ ବ୍ୟକ୍ତିଗତ ଜୀବନରେ ଏବଂ ଆମେ ଆତଯାତ ହେଉଥିବା ଏହି କିସମ କିସମର ସାମୂହିକ ଜୀବନର ଆୟତନ ମାନଙ୍କରେ । ଜାତୀୟ ତଥା ଆନ୍ତର୍ଜାତୀୟ ଦୁଇଟିଯାକରେ । ଆମର ଧର୍ମରେ, ଆମ ମୂଲ୍ୟସଂସ୍କୃତି ଗୁଡ଼ିକର ଏହି ନାନାବିଧ ଅତିପରିଚିତ ନକ୍ସାଗୁଡ଼ିକରେ । ଆମର ନିଜ ଗାଆଁର ସ୍ଥାନୀୟ ସମ୍ପର୍କଗୁଡ଼ିକରୁ ଆରମ୍ଭ କରି ଏହି ପୃଥ୍ଵୀବ୍ୟବସ୍ଥାଟି ମଧ୍ୟରେ ।

 

କିଏ ଆଉ କାହାକୁ ଅଥବା କେଉଁମାନଙ୍କୁ ଗିଳିବ ବୋଲି ଫଉଜ ପଲଟନ ଧରି ବାହାରିବା ବେଳକୁ ଆଉ କାହାରିଦ୍ଵାରା ଗିଳିହୋଇ ଯାଉଛି । ତଥାପି ଏହି ବିଶ୍ଵନାମକ ଜୀବନ-ମହାଖଣ୍ଡରେ ଗିଳି ପକାଇବାର ପ୍ରୟାସଲୀଳା ଗୁଡ଼ିକ ଅନବଚ୍ଛିନ୍ନ ଭାବରେ ଲାଗିରହିଛି । ଶୋଷଣ କରିବାର ଏବଂ ଶୋଷିତ ହେବାର ଛକାପଞ୍ଝାମାନେ ଲାଗି ରହିଛନ୍ତି । ସେଇଥିପାଇଁ ତ ପୃଥିବୀରେ ପର୍ଯ୍ୟାପ୍ତ ଖାଦ୍ୟ ମହଜୁଦ ରହିଥିଲେ ମଧ୍ୟ ତଥାପି ଅଧେସରିକୁ ତୁମ ଆମ ପରି ମନୁଷ୍ୟ ତଥାପି ଅନାହାର ବା ଅର୍ଦ୍ଧାହାର କଷଣମାନ ଭୋଗ କରୁଛନ୍ତି । ଉଚ୍ଚ ଓ ଆହୁରି ଉଚ୍ଚ ରାଜପ୍ରାସାଦତୁଲ୍ୟ ମହକୁମାମାନଙ୍କର ସ୍ଥାପନା ହେବାରେ ଲାଗିଥିଲେ ମଧ୍ୟ ତଥାପି ଜଗତଯାକର ପିଲାମାତ୍ରକେ ସମସ୍ତେ ଇସ୍କୁଲକୁ ଯାଇ ପାରୁନାହାନ୍ତି । ଜ୍ଞାନ ଏବଂ ବିଜ୍ଞାନ ଏତେ ଏତେ ପ୍ରତିଶ୍ରୁତି ସହିତ ମହଜୁଦ ହୋଇ ରହିଥିଲେ ମଧ୍ୟ ତଥାପି ବନ୍ୟା, ବାତ୍ୟା, ଜଳାଭାବ ଇତ୍ୟାଦି ଉପରେ ଆବଶ୍ୟକ ଅକ୍ତିଆରମାନ ସମ୍ଭବ ହୋଇ ପାରୁନାହିଁ । ପୃଥିବୀର ସର୍ବାଧିକ ବିଜ୍ଞାନ ବୁଦ୍ଧି ଯୁଦ୍ଧମାନଙ୍କର ପ୍ରସ୍ତୁତିରେ ବ୍ୟୟିତ ହେଉଛି । ଆମ ଯୋଗ୍ୟତମ ବୈଜ୍ଞାନିକମାନେ ସେଇଥିରେ ନିୟୋଜିତ ହୋଇ ରହିଛନ୍ତି । ଯେଉଁ ଦେଶ ବା ରାଷ୍ଟ୍ର ପାଖରେ ସବୁଠାରୁ ଅଧିକ ପଇସା, ଅଧିକ ଅସ୍ତ୍ରବଳ, ସେଇ ସତେଅବା ଏହି ଏତେ କୋଟିଙ୍କର ପୃଥିବୀରେ ଏକମାତ୍ର ସର୍ବକର୍ତ୍ତା ଏବଂ ସର୍ବ-ଅନୁମନ୍ତା ହୋଇ ରହିବାର ବିଡ଼ମ୍ବନାଦି ଭିତରେ ଆପଣାକୁ ଗ୍ରସ୍ତ କରି ରଖିଛି । ସବାମୂଳରେ ସେହି କାମନାପୂରିତ ବ୍ୟକ୍ତି ଏବଂ ସମୂହଗୁଡ଼ିକର ଅନ୍ୟମାନଙ୍କୁ ଗିଳି ପକାଇବାର ଏବଂ ତାହାରି ଜାଲଟା ଭିତରେ ପରସ୍ପରକୁ ଗିଳି ପକାଇବାର ସେହି ପୃଥିବୀନାଶୀ କ୍ଷୁଧାଟା ହିଁ ପରାକ୍ରମୀ ହୋଇ ରହିଛି ।

 

ସେହି କ୍ଷୁଧାଟିକୁ ଅତିକ୍ରମି ପାରିବାର ସନ୍ଦର୍ଭରେ ଶ୍ରୀ ଅରବିନ୍ଦ ଆମକୁ ଗୋଟିଏ ଉପାୟର ସୂଚନା ମଧ୍ୟ ପ୍ରଦାନ କରିଛନ୍ତି । (The Life Divine, Sri Aurobindo Birth Centenary Library, ୧୮ଶ ଖଣ୍ଡ, ପୃଷ୍ଠା-୧୯୫) ଯଥାସମ୍ଭବ ତାଙ୍କର କଥାଗୁଡ଼ିକର ତର୍ଜମା କରି କହିଲେ, ଆମର ସେହି କାମନାନାମକ କ୍ଷୁଧାଟି ଆଉ କେତେ ପାଦ ଆଗକୁ ଯାଇ ଏକ ପାରସ୍ପରିକ ଆଦାନପ୍ରଦାନରେ ପରିଣତ ହେବାକୁ ପ୍ରୟାସ କରିବ । ହଁ, ଏକ ସ୍ଵେଚ୍ଛାପ୍ରଣୋଦିତ ଆଦାନପ୍ରଦାନ,-ସର୍ବଦା ଅଧିକରୁ ଅଧିକ ଖୁସି ସହିତ । “ଜଣେ ବ୍ୟକ୍ତି ନିଜକୁ ଅନ୍ୟ ବ୍ୟକ୍ତିମାନଙ୍କ ପାଖରେ ଦେଇ ପାରୁଥିବ, ଏବଂ ଠିକ୍ ସେହିପରି ଦେବା ନିମନ୍ତେ ରାଜି ହୋଇ ରହିଥିବ । ଅନ୍ୟମାନଙ୍କଠାରୁ ମଧ୍ୟ ଗ୍ରହଣ କରି ପାରୁଥିବ । ଆମ ନିମ୍ନତରଟି ସେହିପରି ଆମ ଉଚ୍ଚତରଟି ପାଖରେ ନିଜକୁ ଦେଇ ପାରୁଥିବ ଏବଂ ଉଚ୍ଚତରଟି ମଧ୍ୟ ନିଜକୁ ସେହି ନିମ୍ନତରଟି ପାଖରେ ଦେଇ ପାରୁଥିବ,–ସମ୍ପୂର୍ଣ୍ଣ ଭାବରେ, ଯେପରିକି ସେମାନେ ଉଭୟେ ହିଁ ଗୋଟିଏ ଆରଟି ମଧ୍ୟରେ ପରିପୂର୍ଣ୍ଣତାର ଉପଲବ୍ଧି କରିବାରେ ଲାଗିଥିବେ ।.....ଏହିପରି ଭାବରେ ଗିଳିବାକୁ ଧାଇଁଥିବାର ସେହି କାମନାସ୍ତରୀୟ କ୍ଷୁଧାଟି ଏକ ପାରସ୍ପରିକ ପ୍ରୀତିର ବିଧାନରେ ଅଧିକରୁ ଅଧିକ ଯଥାର୍ଥ ଭାବରେ ରୂପାନ୍ତରିତ ହୋଇ ଯାଉଥିବ; ବିଭାଜନର ବିଧାନଟି ଏକତାର ବିଧାନଟିକୁ ଛାଡ଼ି ଦେଉଥିବ ଏବଂ ମୃତ୍ୟୁର ବିଧାନଟି ଅମରତ୍ଵର ବିଧାନଟିକୁ ।”

 

କେତେ ଅଳପ ଅଥଚ ସ୍ପଷ୍ଟ କଥାରେ ଆମର ଏହି ପୃଥିବୀଟିକୁ ଏଡ଼େ ଭୟାବହ କରି ରଖିଥିବା ପରସ୍ପରକୁ ଗିଳି ପକାଇବା ଲାଗି ଧାଇଁଥିବା ଆମ ଅନେକଙ୍କର ସେହି ଖାସ୍ କ୍ଷୁଧାଟି ବିଷୟରେ କୁହା ନଯାଇଛି ! ଆମ ଭିତରର ମଣିଷଟିକୁ ପୂରା ଛୁଇଁପାରିବା ଭଳି । ମଣିଷମାନେ ତ ପରସ୍ପରକୁ ଗିଳି ପକାଇବା ନିମନ୍ତେ ଏହି ଜଗତକୁ ଆସିନଥିଲେ ଏବଂ ତେଣୁ ଯେଉଁ ବିଧାତାଙ୍କର ବରାଦରେ ଆମେ ଏଠି ଆସି ଏକାଠି ହୋଇଛୁ, ଆମେ କଦାପି ଏଥିପାଇଁ ତାଙ୍କୁ ସେଥି ସକାଶେ ଦୋଷ ଦେବା ନାହିଁ । ଆମକୁ ଏପରି ଆସୁରିକ ଭାବରେ ଜାରି ରଖିଥିବା ଏହି କାମନାଟା ପୂରାପୂରି ଆମରି ଉପାର୍ଜନ ବୋଲି ଅବଶ୍ୟ ସ୍ଵୀକାର କରିନେବାକୁ ପଡ଼ିବ । କୋଟି କୋଟି ମଣିଷଙ୍କର ଏହି ସଂସାରଟିରେ ମନୁଷ୍ୟତ୍ଵର ଯେ ଏହି ଭଳି ଭଳି ବସ୍ତ୍ରହରଣ ଲାଗିରହିଛି, ଆମର ଏକବାଗିଆ କାମନାଗୁଡ଼ିକୁ ହିଁ ସେଥିପାଇଁ ଦାୟୀ କରିବାକୁ ପଡ଼ିବ । ପୁନଶ୍ଚ, ଯେତେ ଯାହା ବ୍ୟାଖ୍ୟାମାନ ବାଢ଼ି ଦେଇ ଆମେ ଦାୟୀ ନୋହୁ ବୋଲି କହିବାରେ ଲାଗିଥିଲେ ଗିଳି ପକାଇବାର ସେହି ବର୍ବରତାଟା ଆମକୁ ନାନାଭାବେ ଅକ୍ତିଆର କରି ରହିଥିବ । ଜ୍ଞାନ ଓ ବିଜ୍ଞାନମାନେ ବୃଦ୍ଧି ପାଉଥିବେ, ନୂଆ ନୂଆ ବସ୍ତ୍ର ଓ ଆଭରଣରେ ବାଦ, ବିବାଦ, ଆଦର୍ଶ ତଥା ଆଦର୍ଶବାଦ ପ୍ରଭୃତିର ଧୁମ୍‌ଧାମ୍ ବି ଲାଗି ରହିଥିବ, ତଥାପି ପରସ୍ପରକୁ ଗିଳି ପକାଇବାର ସେହି ନିତାନ୍ତ ଆଦିମ ଖୋଇଟା ନାନା ନ୍ୟସ୍ତସ୍ଵାର୍ଥୀ କାମନାର ଜାଲ ବିସ୍ତାର କରି ପୃଥିବୀଟିକୁ ନଚାଇବାରେ ଲାଗିଥିବ ଓ ବହୁତ ବହୁତ ନିର୍ଦ୍ଧାରିତ ଉଦୟର ପଥଗୁଡ଼ାକୁ ଉଗାଳି ରଖିଥିବ ।

 

ଏଥିମଧ୍ୟରୁ ବାହାରି ଆସିବାର କାର୍ଯ୍ୟଟି ସମ୍ପୂର୍ଣ୍ଣ ଭାବରେ ଆମ ଏହି ପୃଥିବୀରେ ରହିଥିବା ଉଦୟକାମୀ ମନୁଷ୍ୟମାନଙ୍କର । ଶ୍ରୀ ଅରବିନ୍ଦଙ୍କର ଉକ୍ତିଟି ଅନୁସାରେ, ସେମାନଙ୍କର ବ୍ୟକ୍ତିଗତ ଆବଶ୍ୟକ ପ୍ରଚେଷ୍ଟା ଉପରେ ହିଁ ତାହା ସର୍ବଦା ନିର୍ଭର କରିବ । ତା’ପରେ ଯାଇ ଆମେ ଆମଲାଗି ଅପେକ୍ଷା କରି ରହିଥିବା ଯାବତୀୟ ଅନ୍ୟ ଚର୍ଯ୍ୟାଗୁଡ଼ିକ ଲାଗି ଆଦୌ ମନ କରିପାରିବା-। ଜଣେ ଜଣେ ବ୍ୟକ୍ତି ହିସାବରେ ଏବଂ ଆମର ସଂପୃକ୍ତିମାନଙ୍କୁ ସମ୍ଭାରି ଧରି ଆମର ଏହି ମେଳଗୁଡ଼ିକର ମାଧ୍ୟମରେ । ସେଇଟି ହେଉଛି ସର୍ବପ୍ରଥମେ ପଦକ୍ଷେପ ଏବଂ ଆଗରୁ ସୂଚିତ କରିଦିଆ ଯାଇଥିବା ପରି ଆମର ସେହି ପ୍ରଚେଷ୍ଟାଟିର ଏକ ସମୁଚିତ ପ୍ରତ୍ୟୟପତ୍ର । ଏହି ସର୍ବବିଧ ଗିଳି ପକାଇବାର ପ୍ରାୟ ପାରମ୍ପରିକ ଧନ୍ଦାଟିକୁ ପରିହାର କରି ପରସ୍ପରକୁ ଲୋଡ଼ିବାରେ ଏକ ବିକଳ୍ପ ଧର୍ମର ଆଚରଣ ଦ୍ଵାରା । ଲୋଡ଼ିବାର ଅର୍ଥାତ୍ ସ୍ଵୀକାର କରିନେବାର । ମନୁଷ୍ୟମାନେ ସମ୍ଭବତଃ ନିଜ ନିଜର କାମନାମାନଙ୍କର କବଳରେ ନାନା ଉପଦ୍ରବ ମଧ୍ୟରେ ବିବଶ ହୋଇ ରହିଥାଆନ୍ତି, ଯେପର୍ଯ୍ୟନ୍ତ ସେମାନେ କେବଳ ନିଜକୁ ହିଁ ଦେଖନ୍ତି । ଅନ୍ୟମାନଙ୍କୁ, ଏକାଧିକ ବିଭ୍ରମ ହେତୁ ଅନ୍ୟ ସମସ୍ତଙ୍କୁ ଭୟ କରୁଥାନ୍ତି ବୋଲି ଏମାନେ କ୍ରୁର ଓ ହିଂସ୍ର ହୁଅନ୍ତି ଏବଂ ଗିଳି ଗୋଡ଼ାଇ ଥାଆନ୍ତି କି ? ନାଇଁ ନାହିଁ, ବସ୍ତୁତଃ ଲୋଡ଼ିବାକୁ ହିଁ ହୁଏ; ଭୟମୁକ୍ତ ହୋଇ ଲୋଡ଼ିବାକୁ ହୁଏ, ଆତ୍ମୀୟବତ୍ ଲୋଡ଼ିବାକୁ ହୋଇଥାଏ । ଏବଂ, ସେହି କାର୍ଯ୍ୟଟିକୁ ଏକ ବ୍ୟକ୍ତିଗତ ପ୍ରଚେଷ୍ଟାରୁ ପ୍ରତିପାଦିତ କରିବାକୁ ହୋଇଥାଏ । ଏପାଖରୁ ବ୍ୟବଧାନଟା ଅପସରି ଗଲେ ସେପାଖରୁ ବି ବ୍ୟବଧାନଟା ଦୂର ହୋଇ ଆସୁଥିବା ପରି ଦିଶେ । ମୁଁ ଲୋଡ଼ିଲେ ସେହି ଅନ୍ୟ ପକ୍ଷଟି ମଧ୍ୟ ଲୋଡ଼ିଲାଣି ବୋଲି ପ୍ରତୀତଟିଏ ଜନ୍ମଲାଭ କରେ । ନିଜ ଭିତରେ ତଥା ନିଜ ବାହାରେ କେତେ କୁଣ୍ଠା ଦୂର ହୋଇଯାଏ-। କ୍ରମେ ଭିତରକୁ ଅନାଇଲେ ସତେଅବା ବହୁତ ବହୁତ ଦୂରକୁ ଦେଖିହୁଏ । ବାହାରକୁ ଅନାଇଲେ ମଧ୍ୟ ସେହିପରି ବହୁତ ଦୂରକୁ ଦେଖିହୁଏ । ଯେତେବେଳେ ଯାଏ ଆମେ କ’ଣ ସବୁ ମନ କରି ଆପଣାକୁ ଭୟ କରୁଥାଉ, ସେପର୍ଯ୍ୟନ୍ତ ବାହାରେ ଏହି ଅନ୍ୟମାନଙ୍କ ସହିତ ଆମର ମେଳଗୁଡ଼ିକରେ ମଧ୍ୟ ଭଳି ଭଳି ମୁଖା ପିନ୍ଧି ଆପଣାର ପରିଚୟ ଦେବା ସକାଶେ ହୁଏତ ଖୁବ୍ ମନ ହେଉଥାଏ । ଏହିପରି ଏକ ମନ୍ଦଦଶାରେ ପଡ଼ି କାମନାଦ୍ଵାରା ବହୁତ ମନୁଷ୍ୟ ନିଜର ଭଗବାନମାନଙ୍କ ପାଖରେ ମଧ୍ୟ ସେହି ମୁଖାପିନ୍ଧା ଖଣ୍ଡିଆ ପରିଚୟମାନ ଦେଉଥାନ୍ତି କି-?

 

ମାତ୍ର, ଲୋଡ଼ିଲେ ମୁଖାମାନେ ଆଉ ଆଦୌ ଆବଶ୍ୟକ ହୁଅନ୍ତି ନାହିଁ । ନିଜକୁ ନିଜର ଖୁବ୍ କତି ହୋଇ ରହିଥିବା ପରି ଅନୁଭବ ହେଉଥାଏ । ଭଗବାନ୍ ମଧ୍ୟ କେତେ କତି ଲାଗନ୍ତି । ଏବଂ, ତା’ପରେ ନିଜକୁ ବା ପରସ୍ପରକୁ ଗିଳି ପକାଇବା ନିମନ୍ତେ କୌଣସି ପ୍ରୟୋଜନ ରହେ ନାହିଁ-। କାମନାମାନେ ସତକୁସତ ଛାଡ଼ି ଚାଲିଯାଆନ୍ତି । ସତେଅବା ସେମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ତଡ଼ିବାକୁ ମୋଟେ ପଡ଼େ ନାହିଁ । ଯାବତୀୟ ଆଦାନ ଏବଂ ପ୍ରଦାନ ସତକୁ ସତ ଏକ ସହଜ ସୁଖକରତାରେ ପରିଣତ ହୁଏ । ଉଭୟ ଆମ ଭିତରେ ଓ ଆମ ବାହାରେ, ସତେଅବା ଏକ ମିତ୍ରତାର ସ୍ଵାଭାବିକ ସମ୍ପୃକ୍ତିରେ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଦିଆନିଆ ହୁଏ । ଆମ ଭିତରର ନିମ୍ନ ପ୍ରକୃତିଟା ପ୍ରକୃତରେ କୌଣସି ଅଭୟ ପାଇଥିବା ପରି ଉଚ୍ଚତରର କତି କତି ହୋଇ ଆସୁଥାଏ ଏବଂ ଉଚ୍ଚତରଟି ତଥାକଥିତ ନିମ୍ନତରଟି ମଧ୍ୟକୁ । ପରିପୂର୍ଣ୍ଣ ହୋଇପାରିବାର ଅସଲ ପ୍ରକ୍ରିୟାଟିରେ ଉଭୟେ ଉଭୟଙ୍କୁ ଓ ସେହିଟିର ମାଧ୍ୟମରେ ପରସ୍ପରର ନିକଟ ହୋଇ ବି ଆସନ୍ତି । ଅର୍ଥାତ୍, ଶ୍ରୀ ଅରବିନ୍ଦ ପ୍ରୟୋଗ କରିଥିବା ଅବିକଳ ସେହି ଭାଷାରେ ହେତୁରେ ରଖିବାକୁ, ଇଚ୍ଛା କାମନାର ସେହି କ୍ଷୁଧା ତଥା ଗିଳି ପକାଇବାର ଆତୁରତାଟି ପ୍ରକୃତରେ ପ୍ରୀତିରେ ପରିଣତ ହୋଇଯାଏ, ବିଭାଜିତ ହୋଇ ରହିବାର ସଂସ୍କାରଟି ଏକ ଐକ୍ୟଧର୍ମର ଅନ୍ୟ ଦୀକ୍ଷାରେ ଦୀକ୍ଷିତ ହୋଇଯାଏ, ମୃତ୍ୟୁର ପୁରୁଣା ବିଧାନମାନେ ଅପସରି ଯାଇ ଅମରତ୍ଵର ସେହି ନିତ୍ୟ-ଅନୁଭବଟିକୁ ସମ୍ଭବ କରି ଆଣନ୍ତି । ଏବଂ, ତାହାରିଦ୍ଵାରା ହିଁ ଆହୁରି ଆଗକୁ ବାଟଟି ଦିଶିଯାଏ । ବାଟଟି ଦିଶିଯାଏ । ବାଟଟି ସତକୁ ସତ ମୋ’ ପାଇଁ କେତେ ଆଗରୁ ଅପେକ୍ଷା କରି ରହିଥିଲା ପରିପୂର୍ଣ୍ଣ ବୋଧଟିଏ ହେବାକୁ ଆରମ୍ଭ କରେ । ଭିତର ଏବଂ ବାହାର ଦୁହେଁ ଦୁହିଁଙ୍କର ସହଯୋଗୀ ହୋଇ ଆସନ୍ତି । ଅର୍ଥାତ୍, ତା’ପରେ ଆମର କୌଣସି କାର୍ଯ୍ୟ ମଧ୍ୟ କେବଳ ବାହାର ଅଥବା କେବଳ ଭିତରୁ ପ୍ରେରଣା ଲାଭ କରି ସମ୍ପାଦିତ ହେଉଛି ବୋଲି ଅନୁଭବ କରିବାର ଆଉ କୌଣସି ଅବକାଶ ରହେ ନାହିଁ । ପରିଶେଷରେ, ଏତିକି ଅବଶ୍ୟ ମନେ ରହିଥିବା ଉଚିତ ଯେ ହେଇ କାର୍ଯ୍ୟଟି ବ୍ୟକ୍ତିଗତ ଉଦ୍ୟମ ଓ ସଂକଳ୍ପଦ୍ଵାରା ହିଁ କରିବାକୁ ହୁଏ,-ଆମର ଯାବତୀୟ ସାଧନା ସେଇଟିରୁ ଆରମ୍ଭ ହେବ,-ଏହି କାମନାଗୁଡ଼ିକୁ ଏକ ଆବଶ୍ୟକ ଅନ୍ୟ ବିକଳ୍ପ ଯୋଗାଇଦେଇ,–ଏହି ଗିଳି ପକାଇବାର ଅଧର୍ମଟିକୁ ଏକ ସତକୁ ସତ ଲୋଡ଼ିବାର ଏକ ଅନ୍ୟ ମୋଡ଼ ପ୍ରଦାନ କରି ।

 

ଆମେ ଆଗରୁ ଉଲ୍ଲେଖ କରିଥିବା ପ୍ରାୟ ସମବାଚୀ ତିନିଗୋଟି ଶବ୍ଦ ମଧ୍ୟରୁ ଦ୍ଵିତୀୟଟି ହେଉଛି ବାସନା । ପରମ୍ପରାଗତ ଶବ୍ଦ-ବ୍ୟବହାରରେ ଆମକୁ ସତ୍‌ ପରାମର୍ଶ ଦେଉଥିବା ସମୟରେ ଆମର ଚିହ୍ନା ସାଧୁସନ୍ନ୍ୟାସୀମାନେ ପ୍ରାୟ ଗୋଟାଏ ଅର୍ଥର ଦ୍ୟୋତକ ପରି କାମନା ଏବଂ ବାସନା ଦୁଇଟିଯାକ ଶବ୍ଦକୁ ଏକତ୍ର ସତେଅବା ଗୋଟିଏ ନିଃଶ୍ଵାସରେ ବ୍ୟବହାର କରି ଆସିଛନ୍ତି; ଠିକ୍ କାମିନୀକାଞ୍ଚନ ପରି କଥାଟିକୁ ମଧ୍ୟ ଏକତ୍ର ଗୁନ୍ଥି କହୁଥିବାର ସେହି ଅନ୍ୟ ଅବସରଟି ପରି । ବୁଦ୍ଧଦେବ ତାଙ୍କର ଉପଦେଶ ଗୁଡ଼ିକରେ ଯେଉଁ ତୃଷ୍ଣା ଶବ୍ଦଟିକୁ ବ୍ୟବହାର କରୁଥିଲେ, ବାସନା କହିଲେ ଆମେ ମୋଟାମୋଟି ସେହିପରି କିଛିକୁ ବୁଝିବା କି ? ତୃଷ୍ଣା ହେଉଛି ଯାବତୀୟ ଦୁଃଖର କାରଣ ଏବଂ ତେଣୁ ତୃଷ୍ଣାର ବିନାଶରେ ହିଁ ଦୁଃଖର ବିନାଶ,–ଏହି ଉକ୍ତିଟି ସହିତ ଆମେ ସମସ୍ତେ ଅବଶ୍ୟ ଉତ୍ତମରୂପେ ପରିଚିତ ରହିଥିବା । ଯେଉଁ ଜୀବନରେ ଦୁଃଖ ନଥାଏ, ତାହାକୁ ହିଁ ଆମେ ସର୍ବଦା ଏକ ସୁଖୀ ଜୀବନ ବୋଲି ବୁଝିବା କି ? ସୁଖ ତ ବହୁ ପ୍ରକାରର ଏବଂ ଦୁଃଖ ମଧ୍ୟ ବହୁ ପ୍ରକାରର । ବହୁ ବହୁ ଦୁଃଖ ଥାଏ, ଯାହାକି ଆମ ଜୀବନରେ ଏକ ଉଜ୍ଜ୍ଵଳତା ଆଣି ଦେଇଥାଏ,–ସେହି ଦୁଃଖର କୁଣ୍ଡ ଭିତରୁ ବାହାରି ଆମେ ସଚରାଚର ସତକୁ ସତ ମହାର୍ଘ ସମ୍ପଦ ଲାଭ କଲୁ ବୋଲି ଅନୁଭବ କରୁ ଓ ଆପଣାକୁ ତା’ପରେ ଅଧିକ ସମର୍ଥ ବୋଲି ଉପଲବ୍ଧି ମଧ୍ୟ କରିଥାଉ । ଯେଉଁ କତିପୟ ମନୁଷ୍ୟମାନେ କ’ଣ ସବୁ କାରଣରୁ ଦୁଃଖକୁ ଭୟ କରନ୍ତି ଓ ତେଣୁ ତାହାକୁ ଏଡ଼ି ଏଡ଼ି ଯାଉଥାଆନ୍ତି, ସେହିମାନେ ସୁଖୀ ହୋଇଥାନ୍ତି କି ? ଏକ ତଥାକଥିତ ସୁଖୀ ଜୀବନ ହୁଏତ ଅଧିକତର କ୍ଷେତ୍ରରେ ନିତାନ୍ତ ଅଳପ ମଧ୍ୟରେ ବନ୍ଦୀ କରି ରଖିଥାଏ ଏବଂ ସର୍ବବିଧ ଆରୋହଣରୁ ବଞ୍ଚିତ ବି ରଖିଥାଏ । ଏକ ଆରୋହଣମୁକ୍ତ ଜୀବନ କ’ଣ ପ୍ରକୃତରେ ସୁଖୀ ଜୀବନ ?

 

ବୋଧିର ପ୍ରାପ୍ତି ଲାଗି ଗୌତମ ବୁଦ୍ଧ ନାନାବିଧ ତପ କରିଥିଲେ । ତପସ୍ୟାର ମଧ୍ୟ ଗୋଟିଏ ପ୍ରକାରର ଆରୋହଣକ୍ରମେ ଅବଶ୍ୟ ରହିଥାଏ । ତପଶ୍ଚାରଣାରୁ ସିଦ୍ଧି ଏବଂ ସେହି –ସିଦ୍ଧିକୁ ଯଦି ସୁଖ କୁହାଯାଏ, ତେବେ ତପଶ୍ଚାରଣାକୁ ଦୁଃଖ ବୋଲି କୁହାଯିବ କି ? ଆମର ଏହି ପୃଥିବୀ ଯଦି ତପ୍ତ ହେଉନଥାନ୍ତା, ତେବେ ଘନବରଷାର ଆଶୀର୍ବାଦ ସୁଖର ଅଧିକାରୀ କିପରି ବା ହୋଇ ପାରନ୍ତା ? ତାପିତ ନୁହେଁ, ତପ୍ତ । ଆମ ଅନେକଙ୍କ ଭିଆଣର ଏହି ସଂସାର ଭିତରେ ଖୁବ ସମ୍ଭବ ତାପିତମାନେ ଯେଉଁସବୁ ତୃଷ୍ଣାର କବଳରେ ସର୍ବଦା ପଡ଼ି ରହିଥାଆନ୍ତି ଏବଂ ତେଣୁ ନାନା ଦୁଃଖମଧ୍ୟରେ ଜାରି ହୋଇ ରହିଥାନ୍ତି, ଗୌତମ ବୁଦ୍ଧ ସେହିମାନଙ୍କ ସକାଶେ ତୃଷ୍ଣାର ବିନାଶରେ ହିଁ ଦୁଃଖର ବିନାଶ ହୋଇ ପାରିବାର କଥାଟିକୁ କହିଛନ୍ତି । ପ୍ରାୟ ଏକ ‘ନାହିଁ ନାହିଁ’ ଜୀବନର ନିୟତ ପୀଡ଼ାଦାୟକ ଆମ ଜୀବନଟା । ଯେତେ ଅଧିକ ତାପିତ ଭାବରେ ଆମେ ସେହି ଯାବତୀୟ ତୃଷ୍ଣାର ଅପନୋଦନ କରିବାରେ ତତ୍ପର ହୋଇ ରହୁ, ସେତିକି ସେତିକି ଆହୁରି କେତେ ନା କେତେ ତୃଷ୍ଣାର କବଳରେ ଯାଇ ପଡ଼ୁ । ତୃଷ୍ଣା ଯାଏନାହିଁ ଏବଂ ତେଣୁ ଦୁଃଖ ଯାଏନାହିଁ । ଖୁବ୍ ବିକଳ ହେବାପରି ଏହି ଜଗତଟାକୁ ପ୍ରାୟ ଧର୍ମତଃ ଦୁଃଖପୂର୍ଣ୍ଣ ବୋଲି କହିବାରେ କେଡ଼େ ଚମତ୍କାର ଭାବରେ ଅଭ୍ୟସ୍ତ ହୋଇଯାଉ । ସତେଅବା ଗୁଡ଼ାଏ ନାହିଁ ନାହିଁକୁ ଜୀବନ ବୋଲି ଭ୍ରମ କରି ବରି ନେଇଥାଉ । ଏକ ବିଶେଷ ବିସ୍ମରଣ ସହିତ ନାସ୍ତିକ ବନି ରହିଯାଉ । ହୁଏତ ତେଣେ ତେତ୍ରିଶ ନା ତେ’ଷଠି କୋଟି ଠାକୁରଙ୍କୁ ଆଶ୍ରା କରିଥାଉ ଏବଂ ଜଣେ ଜଣେ ନାସ୍ତିକ ହୋଇ ରହିଥାଉ ।

 

ସମ୍ଭବତଃ ସେହି କାରଣରୁ ଆମ ମନୁଷ୍ୟମାନଙ୍କର ଏହି ପୃଥିବୀରେ ଯେତିକି ଭିନ୍ନ ଭିନ୍ନ ମଣ୍ଡନର ଏହି ଧର୍ମରୀତିମାନେ, ସେତିକି ଭଳି ଭଳି ନାସ୍ତିକତା । ଏଇ କାରଣଟି ହେତୁ ଏତେ ଏତେ ମନୁଷ୍ୟ ତାପିତ, କିନ୍ତୁ ତପଶ୍ଚାରଣାମାନ ଏତେ ଅଧିକ ପରିମାଣରେ ବିରଳ ଏବଂ ସେଥିଲାଗି ପୂରା ଜଗତଟିକୁ ନାସ୍ତିକ ବୋଲି କହି କେବଳ ଆପେ ଓ ଆପଣାର ଖୁଆଡ଼ଟା ଉଚିତ ପଥରେ ରହିଛି ବୋଲି କହି ବୁଲିବାର ଏକ ଅନମନୀୟତା । ତେଣୁ, ସଦାନମନୀୟ ଆମ ଭଗବାନମାନେ ଆମ ଜୀବନଗୁଡ଼ିକର ଆଦୌ କୌଣସି ଉଦୟ ଲାଗି ଇଚ୍ଛା କରୁଥିଲେ ମଧ୍ୟ ବସ୍ତୁତଃ ଆଉ କ’ଣ କରିପାରନ୍ତେ ! ବାସନାଗୁଡ଼ିକୁ ସମୁଚିତ ଦିଗଟିଏ ଯୋଗାଇ ଦେଇ ଏକ ତପଶ୍ଚର୍ଯ୍ୟା ଯୋଗାଇ ଦେଇ ପାରୁଥିଲେ ଯାଇ ଆମରି ଭିତରେ ଆମ ଉଦୟାକାଂକ୍ଷୀ ଜଣେ ସହଯୋଗୀ ହୋଇ ରହିଥିବା ଆମ ଭଗବାନ୍ ହୁଏତ ଅବଶ୍ୟ କିଛି କରିପାରନ୍ତେ । କିନ୍ତୁ ହାୟ, ଆମର ଏହି ବାସନାମାନେ ପ୍ରାୟ କୌଣସି ଅନ୍ୟ ନାନା ଆବଶ୍ୟକତାରେ ପଡ଼ି ପ୍ରଧାନତଃ ପଇତା, ଚିତା, ସଙ୍କେତ, ଏବଂ ସନ୍ତକ ମଧ୍ୟରେ ହିଁ ଏପରି ତୃପ୍ତ ରହିଥିବା ଯାଏ ଆମର ସେହି ଏଡ଼େ ବଳବାନ୍ ନାସ୍ତିକତାଟାକୁ ପ୍ରକୃତରେ ଆଉ କିଏ ବା କେଉଁମାନେ ଦୂର କରି ପାରିବେ ? ଅର୍ଥାତ୍, ଆମେ ମଳୁମାନେ ଯେପରି, ଆମ ବୈଦ୍ୟଗଣ ମଧ୍ୟ ସେହିପରି । ମଳୁମାନଙ୍କ ଉପରେ ନିର୍ଭର କରି ହିଁ ତ ଯୁଗେଯୁଗେ ଏହି ବୈଦ୍ୟମାନେ ଆପଣା ନିମନ୍ତେ ଅରାଏ ଅରାଏ ଥାନ ବି ଯୋଗାଡ଼ କରିବାକୁ ସମର୍ଥ ମଧ୍ୟ ହୋଇଛନ୍ତି । ଏବଂ, ସେହି କାରଣରୁ ସର୍ବଦା ଅଧିକ ଅବଗାହିଥିବା ଆମ ସନ୍ଥମାନେ ଏତେ ସ୍ପଷ୍ଟ ଭାବରେ ଆମକୁ ସେହିସବୁ ସନ୍ତକ ତଥା ସନ୍ତକଦୀକ୍ଷାର ପ୍ରତିନିଧିତ୍ଵ କରୁଥିବା ଗୁଳା ଏବଂ ଗୁରୁମାନଙ୍କ ବିଷୟରେ ବହୁ ସାହସ ସହିତ ସାବଧାନ କରାଇ ଦେଇଛନ୍ତି କି ? ସନ୍ଥମାନଙ୍କର କହିବା ମୁତାବକ ଅସଲ ଗୁରୁ ଓ ତେଣୁ ଅସଲ ଆସ୍ତିକତାଟି ଏକ ଅନ୍ୟ ବାସନାର ଆହ୍ଵାନଗୁଡ଼ିକୁ ବହନ କରି ଅବସ୍ଥିତ ରହିଛି । ହଁ, ସର୍ବବିଦ୍ଧ ‘ହଁ ହଁ’ର ବାସନାଟି । ପ୍ରକୃତରେ ଯାବତୀୟ ‘ନାହିଁ ନାହିଁ’ର ଜବାବ ଦେଇ ପାରିବାର ସେହି ବାସନା,–ଏହି ଜଗତ ନାମକ ଜୀବନପଥରେ ଆମର ଅସଲ ନିର୍ଭରଯୋଗ୍ୟ ସେହି ଶିଳାଟି ।

 

ଆଲୋଚନା ଏହି ପ୍ରସାରଣଧର୍ମୀ ସଡ଼ିରେ ଆମର ତୃତୀୟ କାଠିଟିକୁ ସକଳ ସଙ୍ଗତି ସହିତ ଆମେ ଆସ୍ପୃହା ବୋଲି କହିପାରିବା । ପ୍ରଥମଟିଏ ଅର୍ଥାତ୍ କାମନାର କାଠିଟିର ସେହି କୁଣ୍ଠା ଓ କୃପଣତାଯୁକ୍ତ ସୋପାନଟିକୁ ଏକ ସତକୁ ସତ ଏକ ଆରେକୁ ଲୋଡ଼ିବାଦ୍ଵାରା ଅତିକ୍ରମ କରିବା-ଦେବା ଓ ଗ୍ରହଣ କରିପାରିବା ଏବଂ ସେହି ଖାସ୍ ଚାରଣାଟି ଦ୍ଵାରା ନିଜ ଭିତରେ ଏବଂ ବାହାରେ ଅଳ୍ପତାରୁ ଓ ଅଳ୍ପତା ଜନିତ ଭୟରୁ ମୁକ୍ତିଲାଭ କରିବା । ବାସନାର ସ୍ତରକୁ ଆସି ଏକାଧିକ ତପଶ୍ଚାରଣାର ପର୍ବଟିଏ ଆରମ୍ଭ ହୋଇଯିବା,–ଏକ ସତତ ଏବଂ ଉତ୍ତରୋତ୍ତର ଆହ୍ଵାନର ଏକ ପର୍ବ । ଆମକୁ ଯୁଗପତ୍ ଭାବରେ ଆପଣାର ଅନ୍ତରସ୍ଥ ଘରଟିକୁ ଫେରାଇ ନେଇ ଆସିବ ଓ ଅନ୍ୟ ଦିଗରେ ବୃହତ୍ତର ପୃଥିବୀଟି ସହିତ ଆମକୁ ଏକ ନିବିଡ଼ତାରେ ମଧ୍ୟ ଯୁକ୍ତ କରି ରଖି ପାରୁଥିବ । ଗୋଟିଏ ଉପନିଷଦରେ ଆମର ଦୁଇ ଭଳି ବାସନାର କଥା କୁହାଯାଇଛି । ଗୋଟିଏ ଶୁଭ ବାସନା ଏବଂ ଆରଟି ଅଶୁଭ ବାସନା । କ’ଣ ସବୁ ରହିଥିଲେ ଓ କ’ଣ ସବୁ ରହିନଥିଲେ ଗୋଟିଏ ବାସନାକୁ ଆମେ ଶୁଭବାସନା ବୋଲି କହିବା ତଥା କ’ଣ ସବୁର ଅଭାବ ରହିଥିବାରୁ ଅଶୁଭ ବାସନା ବୋଲି କହିବା ? ଆମକୁ ଯେଉଁ ବାସନାମାନେ ସଫଳତାମାନ ଆଣିଦିଅନ୍ତି, ସେହିଗୁଡ଼ିକୁ କ’ଣ ଆମେ ଶୁଭବାସନା ବୋଲି ଜାଣିବା ? ସମାଜ ଅନୁସାରେ ତ କେତେଭଳି ସତ୍ୟାନୁମାନ ଏବଂ ସେହି ମୁତାବକ ଏହି ସଫଳତା ଓ ବିଫଳତାର ସଂଜ୍ଞାମାନ । ସେହି ଅନୁସାରେ ଆମ ଜୀବନଗୁଡ଼ିକଠାରୁ ପ୍ରକାରର ଦାବିମାନ । ଗୁଳାଗୁଡ଼ିକର ଆନୁଗତ୍ୟରେ ଜୀବନକୁ ବଞ୍ଚିବା, ସମ୍ଭବତଃ ପୃଥିବୀର ଅଧିକାଂଶ ମନୁଷ୍ୟ ତାହାକୁ ହିଁ ନିରାପଦ ଭାବନ୍ତି, ସେଇଥିରୁ ଶାନ୍ତିଲାଭ କରନ୍ତି । ଅର୍ଥାତ୍ ସେଇଥିରୁ ହିଁ ସେମାନଙ୍କୁ ସଫଳତା ମିଳିଯାଉଛି ବୋଲି ଅନୁଭବ କରନ୍ତି ।

 

ଅବଶ୍ୟ, ସେମାନେ ଆପଣାର ଚିହ୍ନା ପରିଧିଗୁଡ଼ିକ ମଧ୍ୟରେ ମୋଟାମୋଟି ଉଚିତ ଅନୁମାନଟିଏ କରିଥାନ୍ତି; କିନ୍ତୁ ସେମାନଙ୍କର ସେହିମତି ଜୀବନରେ ହୁଏତ କୌଣସି ଆରୋହଣ ସମ୍ଭବ କରି ପାରନ୍ତିନାହିଁ । ତେଣେ, ଆମ ଇତିହାସମାନେ ପୂରା ସାକ୍ଷ୍ୟମାନ ଦେଇ ସବୁବେଳେ କହିବେ ଯେ, ସବୁ ଯୁଗରେ ଓ ସବୁ ସମାଜରେ ମୁଖ୍ୟତଃ ସେହି ଆରୋହୀମାନେ ହିଁ ଜୀବନର ଯାବତୀୟ ଅଗ୍ରଗତିରେ ପ୍ରଧାନ ଭୂମିକାଗୁଡ଼ିକୁ ଗ୍ରହଣ କରିଛନ୍ତି । ଜ୍ଞାନରେ, ବିଜ୍ଞାନରେ ତଥା ଏହି ପୃଥିବୀରୁ ପ୍ରକାର ପ୍ରକାରର ତ୍ରାସମାନ ଦୂର କରିବାରେ ଅଗ୍ରଣୀ ହୋଇ ରହିଛନ୍ତି । କୌଣସି ଗୋଟିଏ ସାମାଜିକ ବେଢ଼ାର ବିଧାନଗୁଡ଼ିକୁ ମାନି ସଫଳ ହେବା ଏବଂ ଏକ ନିରାପଦ ଜୀବନକୁ କାମୁଡ଼ି କରି ରହିଥିବା ମନୁଷ୍ୟମାନଙ୍କର ଜୀବନରେ ସତକୁ ସତ ଯାହାକିଛି ଶୁଭ ବାସନା । କିନ୍ତୁ, ନିଜ ଭିତରେ ହୁଏତ କେତେ କଅଣକୁ ଦାବି ଓ କିଳି ନରଖିଲେ ସେମାନେ ସେହି ତଥାକଥିତ ସୌଭାଗ୍ୟଟିକୁ ଯାଇ ଅର୍ଜନ କରିପାରିବେ ! ବହୁ ସଂଖ୍ୟାର ମନୁଷ୍ୟ ମାତ୍ର ଏତିକିକୁ ଜୀବନର ସର୍ବୋଚ୍ଚ ଆସ୍ଵାଦ୍ୟରୂପେ ମାନି ନେଇଥିବାରୁ ପୃଥିବୀରେ ତୁଚ୍ଛା ଅତ୍ୟାଚାରୀ କିଛି ଅମନୁଷ୍ୟ ଆମ ସଂସାରଟାକୁ ଶତସହସ୍ର ସନ୍ତାପ ମଧ୍ୟରେ କଲବଲ କରି ରଖିବାକୁ ନାନା ସୁଯୋଗ ଲାଭ କରି ଆସିଛନ୍ତି ! ସ୍ଵୟଂ ପ୍ରବଳରୁ ପ୍ରବଳତର ହୋଇଛନ୍ତି ଓ କୋଟି କୋଟି ମନୁଷ୍ୟଙ୍କୁ, ଜଣେ ଜଣେ ମନୁଷ୍ୟମାନଙ୍କୁ ସେମାନଙ୍କର ମୂଳଭୂତ ଆତ୍ମବିଶ୍ଵାସ ଗୁଡ଼ିକରୁ ବଞ୍ଚିତ ଏବଂ ପ୍ରତାରିତ କରି ରଖିଛନ୍ତି-! ଅର୍ଥାତ୍, ଆପଣାର ଜୀବନଧର୍ମଟିକୁ ଅଧିକ ଅନ୍ତରଙ୍ଗ ଭାବରେ ସମ୍ଭବତଃ ବରଂ ଏପରି କୁହାଯିବ ଯେ, ସଫଳ ହେବା ଏବଂ ଅଳପ ହୋଇ ରହିବା ନୁହେଁ, ଆପଣାକୁ ଅଧିକରୁ ଅଧିକ ଯୋଗ୍ୟତାଯୁକ୍ତ କରି ଆମ ସକଳ ମନୁଷ୍ୟଙ୍କୁ ଏଠି ନିୟତିରେ ଗୁନ୍ଥି ରଖିଥିବା ଏହି ପୃଥିବୀ ନିମନ୍ତେ ହିଁ ଅଧିକରୁ ଆହୁରି ଅଧିକ ସାମର୍ଥ୍ୟ ହାସଲ କରିବା ଏବଂ ତାହାରି କାର୍ଯ୍ୟରେ ଲାଗିବା, ଶୁଭ ବାସନା କହିଲେ ଉଭୟ ଜଣେ ଜଣେ ବ୍ୟକ୍ତିରୂପେ ତଥା ସବୁରି ଘରରୂପେ ଆମଲାଗି ଅପେକ୍ଷା କରି ରହିଥିବା ଏହି ନିତ୍ୟ ସଚଳ ପୃଥିବୀ ନିମନ୍ତେ, ତାହାକୁ ହିଁ ସବା ବଡ଼ ଶୁଭବାସନା ବୋଲି କୁହାଯାଇ ପାରିବ ଏବଂ ସେଇ ବିବେକରେ ଆମ ସମସ୍ତଙ୍କର ବିଶ୍ଵବିଧାନକର୍ତ୍ତାଙ୍କ ପ୍ରତି ସବା ବଡ଼ ସମର୍ପଣ-ଅନୁକୂଳ କର୍ତ୍ତବ୍ୟ ବୋଲି ସ୍ଵୀକାର କରାଯିବ । ଏବଂ ତେଣୁ, ଏଇଟିଲାଗି ମୋତେ ଅଥବା ଆମକୁ ଯାହା କିଛି ଅମଙ୍ଗ କରି ଓ ନାନାବିଧ ଅନ୍ୟ ନିରାପତ୍ତାର ପ୍ରବୋଧନା ମଧ୍ୟରେ ଅଳପ କରି ରଖିବ, ଆମେ ସବାଆଗ ସେହି ସବୁକୁ ଗୋଟିଏ ଗୋଟିଏ ଅଶୁଭ ବାସନା ବୋଲି ମଧ୍ୟ କହିପାରିବା । ତେବେଯାଇ ଏକ ସାର୍ଥକ ଜୀବନର ଅଧିକାରୀ ହୋଇପାରିବା ।

 

ଏପରି ଖାସ୍ ମଣିଷମାନେ କ’ଣ ପ୍ରକୃତରେ ପୃଥିବୀରେ ଥାଆନ୍ତି, ଯେଉଁମାନଙ୍କ ଭିତରେ କେବଳ ଶୁଭବାସନାମାନେ ଥାଆନ୍ତି ଏବଂ ତେଣୁ ଅଶୁଭ ବାସନା ଗୋଟିଏ ହେଲେ ନଥାଏ ବା, ଅନ୍ୟ ପକ୍ଷରେ ତୁଚ୍ଛା ଅଶୁଭ ବାସନାମାନେ ଭର୍ତ୍ତି ହୋଇଥାନ୍ତି ଓ ଶୁଭବାସନା ଗୋଟିଏ ହେଲେ ନଥାଏ ? ଅଧ୍ୟାତ୍ମ ତଥା ଆମ ଜୀବନର ଅନ୍ତର୍ସମ୍ବନ୍ଧଗତ ଏହି ଯାବତୀୟ ପ୍ରହରଗୁଡ଼ିକ ସର୍ବଦା ସାକ୍ଷୀ ହୋଇ ରହିଥିବା ପରି ଅବଶ୍ୟ କହିବେ ଯେ, ଆମ ପ୍ରତ୍ୟେକଙ୍କର ବାସନାମାନେ ସର୍ବଦା ଶୁଭ ତଥା ଅଶୁଭ ହୋଇ ରହିଥାଆନ୍ତି । କାହାଠାରେ ଏଇଟି ଅଧିକ ପରିମାଣରେ ଉଭା ହୋଇ ରହିଥାଏ ଏବଂ ଅନ୍ୟଟି ପୋତା ହୋଇଥାଏ ଓ ଆଉ କାହାର ଜୀବନରେ ଅନ୍ୟଟି ଅଧିକ ଉଭା ହୋଇ ରହିଥିବାରୁ ଅନ୍ୟଟି ପୋତା ହୋଇ ରହିଥାଏ । କାରଣମାନେ ଅନେକ ଓ ଅସୁମାରି । ଆମ ଭିତରୁ ସମ୍ଭବତଃ ଭୀରୁମାନେ ଚତୁରପଣ କରି ଶୁଭଗୁଡ଼ିକୁ ଅତି ମାତ୍ରାରେ ଦେଖାଇ ହୁଅନ୍ତି ଏବଂ ଅଶୁଭଗୁଡ଼ିକୁ ଯଥାସମ୍ଭବ ଲୁଚାଇ ରଖିବାର ପ୍ରୟାସମାନ କରୁଥାଆନ୍ତି । ସେମାନେ କାହାକୁ ଡରନ୍ତି ଏବଂ କାହାପାଖରେ ଆଣ୍ଟଗୁଡ଼ିକୁ ଦେଖାଇ ହୁଅନ୍ତି କେଜାଣି ? ଆମ ଭିତରେ ଯେଉଁମାନେ ପରିଚ୍ଛଦମାନ ପିନ୍ଧି, ପଦମାନଙ୍କରେ ଆସୀନ ରହି ଅଧିକ ପବିତ୍ର ବା ଅଧିକ ଯୋଗ୍ୟତାସମ୍ପନ୍ନ ବୋଲି ନାନା ଲୋକାନୁମାନ ଦ୍ଵାରା ସମ୍ବଳିତ ହୋଇ ସତେ ଅବା ଖାସ୍ ଅଥବା ସ୍ଵତନ୍ତ୍ର ହୋଇ ରହିଥାନ୍ତି, ସେମାନେ ପ୍ରାୟ କୌଣସି ଲୋକଧର୍ମ ପାଳନ କରୁଥିବା ପରି ନିଜ ଭିତରେ ଆଦୌ କୌଣସି ଅଶୁଭ ବାସନା ସତକୁ ସତ ରହିଛି ବୋଲି ଧରା ପଡ଼ିବାକୁ ନ୍ୟାୟତଃ ଇଚ୍ଛା ହିଁ କରୁନଥିବେ । ଆମର ଏହି ସଂସାରଟିରେ ସେଇମାନେ ସମ୍ଭବତଃ ଆପଣାକୁ ପୂରା ଧୋବ ଅର୍ଥାତ୍ କେବଳ ଶୁଭବାସନାର ବାହକ ବୋଲି ସାବ୍ୟସ୍ତ କରିବାକୁ ଖାସ୍ ଆଗ୍ରହମାନ ପ୍ରକାଶ କରନ୍ତି କି ? ଏଠାରେ ଚର୍ଚ୍ଚିତ ଉପନିଷଦଟିର ଉକ୍ତିଟି ଅନୁସାରେ ପ୍ରତ୍ୟେକ ମନୁଷ୍ୟଠାରେ ଶୁଭ ତଥା ଅଶୁଭ ଉଭୟ ବାସନା ରହିଛନ୍ତି ବୋଲି କେଡ଼େ ସ୍ପଷ୍ଟ ଭାବରେ ଅନୁମାନ କରିଛି ଏବଂ ତେଣୁ ଆଗକୁ ଗୋଟିଏ ବାଟ ମଧ୍ୟ ଦେଖାଇବାର ପ୍ରୟାସ କରିଛି । କିଞ୍ଚି୍ତ ଅଧିକ ପ୍ରାଞ୍ଜଳ ଭାବରେ କଥାଟିକୁ ବୁଝିବାଲାଗି ଇଚ୍ଛା କଲେ, ଆମେ ଅବଶ୍ୟ ସ୍ଵୀକାର କରିବା ଯେ, ମୋ’ଭିତରେ ଅଶୁଭ ବାସନା ମଧ୍ୟ ରହିଛନ୍ତି ବୋଲି ଅନୁଭବ କରୁଥିଲେ ନିଜର ଶୁଭବାସନା ମଧ୍ୟ ରହିଛନ୍ତି ବୋଲି ଅନୁଭବ କରୁଥିଲେ ନିଜର ଶୁଭବାସନା ଗୁଡ଼ିକୁ ସମ୍ଭବତଃ ଅଧିକ ଅନ୍ତରଙ୍ଗ ଭାବରେ ଅର୍ଥାତ୍ ଅନୁରାଗ ସହିତ ଚିହ୍ନିହୁଏ, ସେଗୁଡ଼ିକ ସହିତ ବାଟ ବି ଚାଲିହୁଏ । ଆମେ ଯେତିକି ଯେତିକି ନିକଟତର ହୋଇ ନିଜ ପାଖକୁ ଆସୁଥାଉ ଅର୍ଥାତ୍ ପରିପକ୍ଵତା ଲାଭ କରୁ, ସେତିକି ସଙ୍କୋଚମୁକ୍ତ ହୋଇ ଆପଣା ଭିତରର ଅଶୁଭ ବାସନାଗୁଡ଼ିକୁ ଠାବ କରିପାରୁ, ସେଗୁଡ଼ିକର ସମ୍ମୁଖୀନ ହେଉ ଏବଂ ସେହି ପ୍ରକ୍ରିୟାଟି ଦ୍ଵାରା ହିଁ ଆମ ଭିତରର ଶୁଭବାସନା ମାନଙ୍କର ଯଥାର୍ଥ ଶୁଶ୍ରୂଷା କରିପାରୁ । ଅନ୍ୟ କ’ଣ ସବୁ ଅଭିପ୍ରାୟ ଦ୍ଵାରା ପରିଚାଳିତ ହୋଇ ଯେଉଁମାନେ ନିଜର ଶୁଭବାସନା ମାନଙ୍କର ଉପରପରସ୍ତଟି ତଳେ ଅଶୁଭ ବାସନାଗୁଡ଼ିକୁ ନିଗୂଢ଼ କରି ସମ୍ପାଦି ରଖିଥାନ୍ତି, ସେମାନେ ତଦ୍ଦ୍ଵାରା ଆପଣାର ଶୁଭବାସନାମାନଙ୍କ ପ୍ରତି ମଧ୍ୟ ନ୍ୟାୟବିଚାର କରି ପାରନ୍ତିନାହିଁ । ତେଣୁ ଏତେ ଏତେ ଉପସ୍ଥିତ ଆହ୍ଵାନର ନିଜର ପୃଥିବୀଟାରେ ସେମାନେ ନାବାଳକବତ୍ ଯେପରି ସେପରି ରହିଯାଆନ୍ତି କି ?

 

ପୁନଶ୍ଚ, ଆମେ ଆପଣା ଜୀବନର ଅଧାରଶିଳା ମାନଙ୍କର କ୍ଷେତ୍ରରେ କ୍ରମଶଃ ପୋଖତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ନିଜର ଶୁଭ ତଥା ଅଶୁଭ ବାସନାର ଆୟାମ ଏବଂ ଆୟତନ ବିଷୟକ ଅନ୍ଦାଜଗୁଡ଼ିକରେ ବଦଳି ମଧ୍ୟ ଯାଉ । ଅଳପ ଦେଖିଲେ ଭାରି ସଂକୀର୍ଣ୍ଣ ହୋଇ ରହିଥାଉ ଓ ଅଧିକ ଦେଖି ପାରୁଥିଲେ ଅଧିକ ପ୍ରସାରିତ ହେଉ ଏବଂ ଅଧିକ ଖିଅ ବି ଲଗାଇବାରେ ସମର୍ଥ ହେଉ । ଯେଉଁଗୁଡ଼ିକୁ କ’ଣ ସବୁ ପ୍ରୟୋଜନରେ ପଡ଼ି ନିଜର ଗୋଟିଏ ଗୋଟିଏ ଶୁଭ ବାସନା ବୋଲି ଗ୍ରହଣ କରି ଆସିଥିଲୁ, ସେଗୁଡ଼ିକୁ ଅଶୁଭ ବାସନା ବୋଲି ଆବିଷ୍କାର କରିଥାଉ । ସମ୍ଭବତଃ ନାନା ମୋହଭଙ୍ଗର ସମ୍ମୁଖୀନ ହେଉ । ବେଳେ ବେଳେ ତ କାତ ଛାଡ଼ିଦେଇ ରୁଷି ବି ବସୁ । ଆମ ସମସ୍ତଙ୍କର ଜୀବନରେ ସେତିକିବେଳେ ଘୋର ଦୁଃସମୟମାନ ଆସି ପହଞ୍ଚି ଯାଆନ୍ତି । ତେଣୁ, ନିଷ୍କର୍ମ ହେଉଛି, ଆମେ ନିଜର ଏହି ଶୁଭବାସନା ଏବଂ ଅଶୁଭ ବାସନାମାନଙ୍କୁ ସର୍ବଦା ଯଥୋଚିତ ସହାନୁଭୂତି ଦେଇ ଦେଖିବାକୁ ଅବଶ୍ୟ ସମର୍ଥ ହେବା ଏବଂ ତାହାରି ଏକ ଅପରିହାର୍ଯ୍ୟ ସହପ୍ରୟୋଜନ ରୂପେ ଅନ୍ୟ ସମସ୍ତଙ୍କର ସେଗୁଡ଼ିକୁ ମଧ୍ୟ ସହାନୁଭୂତି ସହିତ ଦେଖି ପାରୁଥିବା, ତେବେ ଯାଇ ଆମକୁ ଏତେ ଏତେ ବିକଳ ଭାବରେ କାତର କରି ରଖିଥିବା ଏହି ଫାଶ ଗୁଡ଼ିକରୁ ମୁକ୍ତ ରହିପାରିବା । ବହୁତ ବହୁତ ଦୂରତା ତଥା ନିଃସଙ୍ଗତାର ବୋଧଗୁଡ଼ିକର ଅପସାରଣ ତାହାରିଦ୍ଵାରା ହୋଇପାରିବ । ଆମର ଏହି ନାନା କିସମର ବେଶ ଏବଂ ଛଦ୍ମବେଶ ଇତ୍ୟାଦି ନିମନ୍ତେ ଆଉ ଧାଇଁ ବୁଲିବାର କ୍ଳେଶ ମଧ୍ୟ କରିବାକୁ ପଡ଼ିବ ନାହିଁ । ଆମ ଭିତରେ ଯେଉଁମାନେ ଆପଣାକୁ କେବଳ ଶୁଭବାସନା ଗୁଡ଼ିକର ହିଁ ସମାହାରରୂପେ ଦେଖିବାର ଖାସ୍ ଏକ ଦୁର୍ଭାଗ୍ୟ ଭିତରେ ନେଇ ପକାଇ ରଖିଥାଆନ୍ତି, ସେମାନେ କେତେ ଦୟନୀୟ ଭାବରେ ଅନ୍ୟମାନଙ୍କୁ ହିଁ ତୁଚ୍ଛା ଅଶୁଭ ବାସନା ମାନଙ୍କର ଆକରରୂପେ ଦେଖିବାରେ ଢେର ଆନନ୍ଦ ଲାଭ କରୁଥାଆନ୍ତି । ଧର୍ମଟା, ସତ୍ୟଟା କେବଳ ସେହିମାନଙ୍କ ପଟେ ସବୁବେଳେ ରହିଛି ବୋଲି କେଡ଼େ ଲଜ୍ଜାହୀନ ଭାବରେ କହୁଥାନ୍ତି, ନିଜର ଠାକୁରମାନଙ୍କୁ ସତ ଠାକୁର ବୋଲି ମାନି ସଂସାର ଭିତରେ ଗୋଳ କରନ୍ତି, ନିଜର ପଇତାମାନଙ୍କୁ ସର୍ବସୁଦ୍ଧ ବୋଲି ବିଶ୍ଵାସ କରନ୍ତି ଓ ଏହିପରି ଭାବରେ ନାସ୍ତିକ ହୋଇ ରହିଥାଆନ୍ତି । ଆପଣାର ଯାବତ ଅପସଂସ୍କୃତିକୁ ସତେଅବା ଏକମାତ୍ର ସଂସ୍କୃତି ବୋଲି ଘୋଷଣା କରି ଜଗତରେ ବହୁ ଅନାଚାର ଏବଂ ଅନ୍ୟାୟର ପ୍ରତିନିଧିତ୍ଵ କରୁଥାନ୍ତି । ଆପଣକୁ ଦିଗ୍‌ବିଜୟୀ ବୋଲି ଦମ୍ଭମାନ କରି ମନୁଷ୍ୟଭାଗ୍ୟର ସକଳ ଦିଗ୍‍ବଳୟକୁ ଅନ୍ଧାର କରି ରଖନ୍ତି । ସେମାନେ ସର୍ବବିଧ ସ୍ଵାଭାବିକ ବାସନାକୁ ସତେଅବା କାମନାମାନଙ୍କର ସେହି ଘୋର କ୍ଷୁଧାଗୁଡ଼ାକର ସ୍ତରକୁ ବାରମ୍ବାର ସ୍ଖଳିତ କରି ନେଉଥାନ୍ତି । ଜୀବନଦ୍ରୋହୀ ହୁଅନ୍ତି, ଈଶ୍ଵରଦ୍ରୋହୀ ହୁଅନ୍ତି । ଆମ ସମସ୍ତଙ୍କ ନିମନ୍ତେ ପ୍ରତିଶ୍ରୂତ ହୋଇ ରହିଥିବା କେତେ କେତେ ଉଜ୍ଜ୍ଵଳ ସମ୍ଭାବନାକୁ ବାଟ ଓଗାଳି ରଖନ୍ତି । ତ୍ରାସର ହିଁ କାରଣ ହୁଅନ୍ତି । ବିଧାତାଙ୍କୁ ସତେଅବା ବୋକା ବୋଲି ଗଣନ୍ତି । ମନୁଷ୍ୟମାନେ ନିଜକୁ ସମ୍ପୂର୍ଣ୍ଣ କରି ନଦେଖିଲେ ତାକୁ ଥାନ ଦେଇଥିବା ଏହି ପୃଥିବୀଟିକୁ ମଧ୍ୟ ଆଉ କେଉଁପରି ସଳଖ ଓ ସମ୍ପୂର୍ଣ୍ଣ କରି ଦେଖିପାରିବ ?

 

ଆମ ମନୁଷ୍ୟମାନଙ୍କର ଚେତନାଟା ଭିତରେ ଅଶୁଭ ସମ୍ପର୍କରେ କୌଣସି ଧାରଣା ନଥିଲେ ଆମେ ଶୁଭ ବୋଲି କୌଣସି ପଦାର୍ଥର ପତ୍ତା କିପରି ବା ଆଦୌ ପାଇପାରନ୍ତୁ ! ଅଶୁଭ ପରି ବୋଧ ହେଉଥିବା କିଞ୍ଚିତ ବ୍ୟାପାରଗୁଡ଼ିଏ ଆମ ଦୃଷ୍ଟିରେ ପଡ଼େ ବୋଲି ସିନା ଆମେ ଶୋଭନୀୟତା ବିଷୟରେ କୌଣସି ଚିନ୍ତା କରିପାରୁ ! ଠିକ୍ ସେହିପରି, ଅଶୁଭ ବାସନାମାନେ ହୁଏତ ଆମକୁ ଆଗ ହିଁ ଦିଶନ୍ତି ବୋଲି ଆମେ ଶୁଭ ବାସନାଗୁଡ଼ିକ ବିଷୟରେ ସଚେତନ ହୋଇଥାଉ । କ’ଣ ସବୁ ଅନ୍ୟ ସଂସ୍କାରର ବଶବର୍ତ୍ତୀ ହୋଇ ପୃଥିବୀର ତଥାକଥିତ ଗୁରୁମାନେ ସେହି ସତ୍ୟଟିକୁ ସ୍ଵୀକାର କରିବାକୁ ରାଜି ହୋଇନାହାନ୍ତି ଓ ଯୁଗଗୁଡ଼ିକୁ ଭୁରୁଡ଼ାଇ ଆସିଛନ୍ତି । ଅଶୁଭମାନଙ୍କୁ ଚାପି ରଖିବା ସକାଶେ ନାନା ସୁପାରିଶ୍ କରି ଆସିଛନ୍ତି । ଆମ ଭିତର ତଥା ବାହାର ଉଭୟକୁ ହିଁ ସତେଅବା ଦୁଇଟା ଅଲଗା ଅଲଗା ଇଲାକାରେ ପରିଣତ କରିଛନ୍ତି । ସମ୍ଭବତଃ ସେହି କାରଣରୁ ଏଠି ଧର୍ମମାନେ ସେହି ନୈତିକତା ନାମକ ଜ୍ଵରରେ ପୀଡ଼ିତ ରହି ନିଜ ନିଜର ଆଧ୍ୟାତ୍ମିକ ଆବେଦନଗୁଡ଼ିକୁ ହରାଇବାରେ ଲାଗିଛନ୍ତି । ପୃଥିବୀରେ କପଟୀ, ମୁଖାଧାରୀ ଓ ଆତ୍ମକାତରମାନଙ୍କର ସଂଖ୍ୟା ବଢ଼ୁଛି । ଏବଂ, ଆହୁରି-ଏକ ସତ୍ୟକଥା ହେଉଛି ଯେ, ଆମେ ଯେଉଁମାନେ ଆତ୍ମକାତର ହୋଇ ରହିଥାଉ, ସଚରାଚର ହେଉଛି ଯେ, ଆମେ ଯେଉଁମାନେ ଆତ୍ମକାତର ହୋଇ ରହିଥାଉ, ସଚରାଚର ସେହିମାନେ ହିଁ ପ୍ରାୟ ପରାକାଷ୍ଠା ଦେଖାଇ ଅନ୍ୟକାତର ହୁଅନ୍ତି ଏବଂ ସଂସାରରେ ନାନା ଦୁର୍ବିପାକର କାରଣ ହୋଇଥାଆନ୍ତି ।

 

ତେଣୁ, କେଡ଼େ ସ୍ଵାଗତଯୋଗ୍ୟ କଥାଟିଏ ଯେ, ଉକ୍ତ ଉପନିଷଦଟିରେ ଶୁଭ ଓ ଅଶୁଭ ଦୁଇଟିଯାକ ବାସନାକୁ ସ୍ଵୀକାର କରି ନିଆଯାଇଛି । ଆହୁରି ବଳଦାୟକ କଥାଟିଏ ଯେ ତାହା ଆମକୁ ଆମର ଅଶୁଭବାସନା ଗୁଡ଼ିକ ବିଷୟରେ ଅତି ସଚେତନ କରାଇବାର କୌଣସି ଚେଷ୍ଟା କରିନାହିଁ । ଚାପି ହୋଇ ରହିବାର କୌଣସି କୁପରାମର୍ଶ ମଧ୍ୟ ପ୍ରଦାନ କରିନାହିଁ । ଓଲଟି, ନିଜର ଶୁଭବାସନା ଗୁଡ଼ିକୁ ଚିହ୍ନି ସେହିଗୁଡ଼ିକର ଅନୁଶୀଳନ କରାଯିବା ଉପରେ ହିଁ ମହତ୍ତ୍ଵ ଦେଇଛି, ଯଦ୍ଦ୍ଵାରା ଆମର ଅଶୁଭବାସନା ଗୁଡ଼ିକ ସତେଅବା ଆପେ ଆପେ ଆସି ଧରା ଦେବେ ଏବଂ ମଙ୍ଗି ବି ଯିବେ । ଆମକୁ ତାହାରିଦ୍ଵାରା ହିଁ ନିଜ ଭିତରେ ଏବଂ ବାହାରେ ଉଗ୍ର ହୋଇ ରହିବାର ବହୁ ଦୁର୍ଦ୍ଦଶାରୁ ରକ୍ଷା ମିଳିଯିବ । ସତ୍ୟର ଅଧିକରୁ ଅଧିକ ସହଜ ଅର୍ଥାତ୍ ସଂଘର୍ଷମୁକ୍ତ ଭାବରେ ଅନୁଶୀଳନ କରିବାଦ୍ୱାରା ମିଥ୍ୟାଗୁଡ଼ିକୁ ମଙ୍ଗାଇ ଆଣିହେବ; ‘ହଁ ହଁ’ ମାନଙ୍କୁ ଅଧିକରୁ ଅଧିକ ଏକ ସମ୍ମତିରେ ନିଜସ୍ଵ କରି ଆଣୁଥିବାର ଏକ ସହଜ ପ୍ରକ୍ରିୟାରେ ଆମ ଉପରେ ସବାର ହୋଇ ରହିଥିବା ପ୍ରାୟ ଗୋଟିଏ ଗୋଟିଏ ଭୂତ ପରି ସେହି ‘ନାହିଁ, ନାହିଁ’ ମାନଙ୍କୁ ମଧ୍ୟ ନମନୀୟ କରି ଆଣିପାରିବା । ସର୍ବଦା କାହାର ହାତ ଧରି ବାଟଗୁଡ଼ିକୁ ଚାଲୁଥିବା ପରି ଅନୁଭବ ହେବ ଏବଂ କେଉଁସବୁ ହାତ କାହିଁକି ତଥାପି ଆମଠାରୁ ଦୂର ହୋଇ ରହିଲେ ବୋଲି ମୋଟେ ରୋଦନ କରିବାକୁ ବେଳ ନଥିବ । ଆମ ଭିତରେ ଖଣ୍ଡିଆ ଖାବରା ହୋଇ କେତେ କ’ଣ ରହିଥିଲେ ମଧ୍ୟ ଏପରିକି ବେଳେ ବେଳେ ସତେଅବା କେତେ ପ୍ରତ୍ୟକ୍ଷ ଭାବରେ ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ ତଥାପି କେଡ଼େ ଲକ୍ଷଣଯୁକ୍ତ ଭାବରେ ଗୋଟିଏ କେନ୍ଦ୍ର ରହିଥିବ ଓ ଆମକୁ ଗୋଟାସୁଦ୍ଧା ନିଦା କରି ରଖିଥିବ । ଆମ ପିଲାମାନେ ସେମାନଙ୍କର ସର୍ବବିଧ ଚ୍ୟୁତି ଓ ବିଚ୍ୟୁତି ସତ୍ତ୍ୱେ ଆମର କତି ହୋଇ ଆସୁଥିବେ । ଆମ ବିଦ୍ୟାଳୟର ବାଳକବାଳିକାମାନେ ମଧ୍ୟ ଆମ ପାଖରେ କ୍ରମଶଃ କୌଣସି ପ୍ରକାର କପଟ କରିବାକୁ ପାସୋରିଯିବେ ଏବଂ ଆମ ମୁହଁ ଉପରୁ ମଧ୍ୟ ଏହି ସଯତ୍ନ-ସୁରକ୍ଷିତ ମୁଖାଗୁଡ଼ାକୁ ନିତାନ୍ତ ଅନାବାଶ୍ୟକ ବୋଲି ପ୍ରମାଣିତ କରିବେ !

 

ସମ୍ପ୍ରତିକାଳର ଆମର ଏହି ପୃଥିବୀରେ କ’ଣ ସେହି ମୁଖାମାନଙ୍କର କମ୍ ଉପଦ୍ରବ ଲାଗି ରହିଛି ! ଆଦର୍ଶମାନେ ମୁଖା ପିନ୍ଧିଛନ୍ତି, ଆମ ଶାସକମାନଙ୍କର ମୁହଁଗୁଡ଼ାକ ଉପରେ କେବଳ ମୁଖା ହିଁ ମୁଖା । ଆମ ସଦାବନ୍ଦନୀୟ ଏହି ଧର୍ମାତ୍ମା ଗୁରୁମାନେ ତ କେତେ କେତେ ଭେକର ରଙ୍ଗିନ୍ ପରଗୁଡ଼ାକୁ ପରିଧାନ କରି ଆମକୁ ତୁଚ୍ଛା ଏକ ମାୟାବାଦୀ କିମିଆମାନ ହିଁ ଦେଖାଇବାରେ ଲାଗିଛନ୍ତି । ସତକୁ ସତ କୌଣସି ନୀତି ଭଳି ନୀତି ରହିଛି ଯେ ରାଜନୀତି ବୋଲି ସେହି ଅସଲ ଦ୍ରବ୍ୟଟି ମଧ୍ୟ ଚାରିପାଖର ଏଇ ବିପଣିଗୁଡ଼ିକରେ ପ୍ରାପ୍ତ ହୋଇପାରିବ ? ବଡ଼ ବଡ଼ ଜାତିମାନେ ତ ଆପଣାର ବଡ଼ପଣକୁ ସାବ୍ୟସ୍ତ କରିବା ସକାଶେ ପୃଥିବୀଯାକ ବଣିଆ ହୋଇ ବାହାରିଲେଣି ଏବଂ ଅନ୍ୟ ଜାତିମାନଙ୍କୁ ତୁଚ୍ଛା ପଶ୍ୟବତ୍ ଦେଖିବାକୁ ମନ କଲେଣି । ମୋ’ ଦେଶ, ମୋ’ ଧର୍ମ, ମୋ’ ସ୍ଵାର୍ଥ ଏବଂ ମୋ’ର ଏହି ସର୍ବବିଧ ବିଶେଷାଧିକାର ଇତ୍ୟାଦି, ପୃଥିବୀର ସାମୂହିକ ସମ୍ପର୍କମାନଙ୍କର କ୍ଷେତ୍ରରେ ତ ଆଉ ଅନ୍ୟ ଖାସ୍ କୌଣସି ଦେଶାତ୍ମବୋଧ, ଧର୍ମ ଅଥବା ଆଚାର ଏବେ ଦେଖିବାକୁ ମଧ୍ୟ ମିଳୁନାହିଁ । କାହାପଟେ ସବୁଠାରୁ ଅଧିକ ଶକ୍ତି ଏବଂ ଅଧିକ ସତ୍ୟ, ସେଇଟି ତ ବୋମା, ବନ୍ଧୁକ ଏବଂ ଖଣ୍ଡଯୁଦ୍ଧ ଗୁଡ଼ିକ ଦ୍ଵାରା ପ୍ରତିପାଦିତ ହେବାରେ ଲାଗିଛି । ପୃଥିବୀରେ ଅଶୁଭ ନାନା ଉଗ୍ରତାକୁ ସତେସବା ସ୍ଥାୟୀ ରଖିବା ଲାଗି ଏମାନେ ସମସ୍ତେ ହିଁ ଚାହାଳୀଚୋର ହୋଇ ବାହାରନ୍ତି-। ନିଜ ପାଖରେ ଓ ପରସ୍ପର ପାଖରେ । ପରସ୍ପର ପାଖରେ ନିଜ ନିଜର ସତ ପରିଚୟ ଗୁଡ଼ିକୁ ଦେବାରେ ବହୁଅମଙ୍ଗ ହୋଇ ରହିଛନ୍ତି । ନିଜ ପାଖରେ ଧରା ପଡ଼ିଯିବେ ବୋଲି ଡରୁଛନ୍ତି ଓ ସେଥିଲାଗି ଅନ୍ତତଃ ପରସ୍ପର ପାଖରେ ମୋଟେ ଧରା ପଡ଼ିବେ ନାହିଁ ବୋଲି ପଣ କରିଛନ୍ତି । ନିଜ ପାଖରେ ନିଜକୁ ଲୁଚାଇବା ଏବଂ ଅପରଙ୍କ ପାଖରେ ମଧ୍ୟ ନିଜକୁ ଲୁଚାଇ ରଖୁଥିବା,–ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ଅନିଷ୍ଟକାରୀ କେଜାଣି ? ନିଜ ଲାଗି ତଥା ଏହି ପୃଥିବୀର ଆମ ସମସ୍ତଙ୍କ ଲାଗି । ଅନିଷ୍ଟ ହେଉ ଅଥବା ଇଷ୍ଟ ହେଉ, ନିଜକୁ ଯଥାସମ୍ଭବ ଲୋଡ଼ି ନବାହାରିଥିବା ପର୍ଯ୍ୟନ୍ତ ସେମାନେ ଏ ବିଷୟରେ ଆଦୌ କିଛିହେଲେ କିପରି ବା ଜାଣିପାରିବେ ? ଅନ୍ୟମାନଙ୍କୁ ମଧ୍ୟ ଯଥାସମ୍ଭବ ଅଧିକ ସମଗ୍ର ଅର୍ଥାତ୍ ସହାନୁଭୂତିଶୀଳ ହୋଇ ଗ୍ରହଣ କରିପାରିବେ ? ତେଣୁ, ଥରେ ଥିର ହୋଇ ଚିନ୍ତା କରି କହିବା ତ, ଏହି ପୃଥିବୀ କ’ଣ ସବୁ ଚକ୍ରାନ୍ତ କରି ଆମକୁ ଏପରି ଖଣ୍ଡିଆ କରି ରଖିଛି ନା ଆମେ ଅନେକେ ଏହି ପୃଥିବୀ ଏହିପରି ଖଣ୍ଡିଆ ହୋଇ ରହିଥାଉ ବୋଲି ଇଚ୍ଛା କରୁଛୁ ବୋଲି ପୃଥିବୀ ସେହିଭଳି ହୋଇ ରହିଛି ?

 

ବର୍ତ୍ତମାନ ଆମେ ଶ୍ରୀ ଅରବିନ୍ଦଙ୍କର ନିଜ ନିରୂପଣ ଅନୁସାରେ ଆସ୍ପୃହା, ପ୍ରତ୍ୟାଖ୍ୟାନ ଏବଂ ସମର୍ପଣର ସେହି ଆହ୍ଵାନଗୁଡ଼ିକର ମର୍ମପ୍ରବେଶ କରିବାକୁ ଚେଷ୍ଟା କରିବା । ସର୍ବପ୍ରଥମେ ଅସଲ କଥା ହେଉଛି ଯେ ଏହି ତିନୋଟିଯାକ ଆହ୍ଵାନର ଜବାବ ଆମ ନିଜକୁ ଦେବାକୁ ହେବ । ତେବେ ଯାଇ ଆମେ ଆଦୌ କୌଣସି ସାଧନାର ଯୋଗ୍ୟ ହେବା । ତେବେ ସେହି ଆସ୍ପୃହାଟିର ସ୍ତରରେ ଆମକୁ କ’ଣ ସବୁ ସାମର୍ଥ୍ୟର ଅଧିକାରୀ ହେବାକୁ ହେବ ? ଆମର ଆସ୍ପୃହା ସଦା ଜାଗ୍ରତ ହୋଇ ରହିବ, ସେଥିରେ ଏକ ସହଜ ସ୍ଵାଭାବିକତା ସହିତ ସାତତ୍ୟ ରହିଥିବ,–ସେଥିରେ ଜୁଆର ଓ ଭଟ୍ଟାର କୌଣସି ଆପେକ୍ଷିକତା ମଧ୍ୟ ନଥିବ । ଆମ ମନ ଆପଣାର ସକଳ ସମ୍ମତି ଅର୍ଥାତ୍ ଇଚ୍ଛାଶକ୍ତି ସହିତ କ୍ରିୟାଶୀଳ ହୋଇ ରହିଥିବ, ଆମ ହୃଦୟ ନିୟତ ଲୋଡ଼ିବାରେ ଲାଗିଥିବ, ପ୍ରାଣସତ୍ତା ପୂର୍ଣ୍ଣ କୁଣ୍ଠାମୁକ୍ତ ହୋଇ ସେଥି ମଧ୍ୟରେ ଉପସ୍ଥିତ ରହିଥିବ । ଇଚ୍ଛାଶକ୍ତିଟି ମଧ୍ୟ ନିଜକୁ ଉନ୍ମୋଚିତ କରି ରଖିଥିବ ଓ ଆମର ଭୌତିକ ଚେତାକୁ ତଥା ପ୍ରକୃତିକୁ ଆବଶ୍ୟକ ଭାବରେ ନମନୀୟ କରି ରଖିଥିବ ।

 

ଆମ ନିମ୍ନତର ପ୍ରକୃତିର ଯାବତୀୟ କ୍ରିୟାଶୀଳତାକୁ ଆମେ ପ୍ରତ୍ୟାଖ୍ୟାନ କରିବା,–ଏହି ମନର ଯାବତୀୟ ବଦ୍ଧମୂଳ ଧାରଣା, ମତ ଏବଂ ଅମତ, ଗୋଟିଏ ଅଧିକ ମହତ୍ତ୍ଵର ବୋଲି ଆଉ ଗୋଟିକୁ କମ ଗୁରୁତ୍ଵପୂର୍ଣ୍ଣ ବୋଲି ବିଚାରି ଆଗପଛର ସର୍ବବିଧ ଭାବନା, ଆମର ଅଭ୍ୟାସ ଓ ସଂରଞ୍ଚନା ସକଳ–ଏଗୁଡ଼ିକର ପ୍ରତ୍ୟାଖ୍ୟାନ, ଯେପରି ଆମ ମନର ସେହି ସମ୍ପୂର୍ଣ୍ଣ ନୀରବତାଟି ମଧ୍ୟରେ ଇପ୍ସିତ ଯଥାର୍ଥ ଜ୍ଞାନଟି ବାଧାମୁକ୍ତ ଭାବରେ ସମ୍ଭବ ହୋଇ ଆସିବ; ଆମ ପ୍ରାଣିକ ପ୍ରକୃତିର ସର୍ବବିଧ କାମନା ତଥା ଏକକ ବାସନାମାନ, ଦାବି ସକଳ, ପ୍ରବଳ ହୋଇ ରହିଥିବା ଖାସ୍ ଆକୁଳତାମନ, ସ୍ଵାର୍ଥପରତା, ଗର୍ବଭାବ, ଉଦ୍ଧତ ସ୍ଵଭାବ, କାମପ୍ରବୃତ୍ତି, ଲୋଭ, ଈର୍ଷାଦ୍ଵେଷ, ପରଶ୍ରୀକାତରତା, ପରମ ସତ୍ୟଟି ପ୍ରତି କୌଣସି ଶତ୍ରୁତାଭାବର ପୋଷଣ କରିବା,–ଯେପରିକି ଯଥାର୍ଥ ଶକ୍ତି ଏବଂ ଯଥାର୍ଥ ଆନନ୍ଦ ସେହି ଊର୍ଦ୍ଧ୍ଵକ୍ଷେତ୍ରରୁ ଅଜାଡ଼ି ହୋଇ ଆସିପାରିବ ଓ ତାହାକୁ ଆମର ପ୍ରାଣସତ୍ତା ଏକ ସ୍ଥିର, ବିଶାଳ, ଶକ୍ତିମନ୍ତ ତଥା ଉତ୍ସର୍ଗୀକୃତ ମୁଦ୍ରାରେ ଗ୍ରହଣ କରି ପାରୁଥିବ-। ଆମ ଭୌତିକ ପ୍ରକୃତିର ସକଳ ନିର୍ବୋଧତା, ସଂଶୟଯୁକ୍ତ ଇତସ୍ତତଃ ଭାବ, ଅବିଶ୍ଵାସ, ଅସ୍ପଷ୍ଟତା, ଅନମନୀୟତା, କ୍ଷୁଦ୍ରତା, ଆଳସ୍ୟପରାୟଣତା, ପରିବର୍ତ୍ତନର ଅନିଚ୍ଛୁକତା ଓ ତାମସିକତାର ପ୍ରତ୍ୟାଖ୍ୟାନ, ଯେପରିକି ଏକ ପରମ ଆଲୋକ, ଶକ୍ତି ତଥା ଆନନ୍ଦର ସେହି ଯଥାର୍ଥ ସଦାବର୍ତ୍ତମାନତାଟି ସତତ ହିଁ ଅଧିକରୁ ଅଧିକ ଦିବ୍ୟତାର ଯୋଗ୍ୟ ହୋଇ ଆସୁଥିବା ଗୋଟିଏ ଶରୀରରେ ଆପଣାକୁ ଆଣି ପ୍ରତିଷ୍ଠିତ କରି ରଖିପାରିବ ।

 

ଏବଂ, ନିଜର ଏକ ପରିପୂର୍ଣ୍ଣ ସମର୍ପଣ,–ତୁମେ ଆପଣାକୁ ଯାହା କିଛି ବୋଲି ଅନୁଭବ କରୁଛ, ଯାହା କିଛି ତୁମ ପାଖରେ ତୁମର ହୋଇ ରହିଛି, ତୁମ ଚେତନାର ପ୍ରତ୍ୟେକ ସ୍ତର ତଥା ସେହି ପରମ ଦିବ୍ୟତା ଏବଂ ପରମାଶକ୍ତିଙ୍କ ଆଡ଼କୁ ତୁମର ପ୍ରତ୍ୟେକ ଗତିକ୍ରିୟା,–ଯାବତୀୟ ସବୁକିଛିର ସମର୍ପଣ । ଏହି ସବୁକିଛିର ସମର୍ପଣର ଅର୍ଥ କ’ଣ ସତକୁ ସତ ଦରିଦ୍ର ଓ ନିଃସ୍ଵ ହୋଇଯିବା ? ଜୀବନରେ ମଣିଷମାନେ ବହୁତ କିଛିକୁ ସମ୍ପୂର୍ଣ୍ଣ ଏକ ଅତିଲାଳସତାରେ ଗୁରାଇ ପୁରାଇ ସତେଅବା ଖାସ୍ ନିଜର ବୋଲି କହି ଜମାଇ ରଖିଥାଆନ୍ତି ଏବଂ ଆବୋରି ରହିଥାନ୍ତି । ଆମ କାହାଣୀମାନଙ୍କରେ ଥିବା ଅସୁରୁଣୀ ଓ ଅସୁରମାନଙ୍କର ପ୍ରଣନାଟିକାଟି ଯେପରି କେଉଁଠି କେତେ ଦୂରରେ ଏବଂ କେତେ ଗହୀରରେ ନିବୁଜ ଓ ସୁରକ୍ଷିତ ହୋଇ ରହିଥାଏ ଏବଂ କୌଣସି ପ୍ରକାରେ ଯାଇ ସେଇଟିର ବେକ ମୋଡ଼ିଦେଲେ ଏଣେ ସେମାନେ ମଧ୍ୟ ଛଟପଟ ହୋଇ ମୃତ୍ୟୁମୁଖରେ ଯାଇ ପଡ଼ନ୍ତି, ଏଠାରେ ପ୍ରକୃତ କଥାଟି ମଧ୍ୟ ଅଳ୍ପ ବହୁତ ସେହିପରି । ଆମେ ଜମାଇ ରଖିଥିବା ଏହି ବିତ୍ତ ସମ୍ପତ୍ତି, ଆମର ଏହି ଏଡ଼େ ଆଖିଦୃଶିଆ ହୋଇ ପୂରା ବାରି ହୋଇ ପଡ଼ୁଥିବା, ଆମର ଏହି ଗୁଣାତ୍ମକ ନାନାବିଧ ଅନନ୍ୟତା, ଯେଉଁଗୁଡ଼ିକ କି ଆମକୁ ଏହି ସାଧାରଣ ପଚାଶ ଷାଠିଏଙ୍କ ଭିତରେ ପୂରା ସ୍ଵତନ୍ତ୍ର ବୋଲି ଚିହ୍ନାଇଦିଏ ଏବଂ ଆମର ଆତ୍ମାଶ୍ଳାଘା ଗୁଡ଼ିକୁ ଏତେ ମୋଟାସୋଟା କରି ରଖିଥାଏ, ସେଗୁଡ଼ିକ ସହିତ ଆମେ କେଡ଼େ ଉଲ୍ଲସିତ ଭାବରେ ଆପଣାକୁ ଏକଯୁକ୍ତ ଏବଂ ଅଭେଦ ଭାବରେ ଏକତ୍ର ଗୋଳାଇ ଘାଣ୍ଟି ରଖିନଥାଉ ଏବଂ ସେଥିଲାଗି କେଡ଼େ ନିରୀହ ତଥା ନମ୍ରତାଯୁକ୍ତ ଭାବରେ ଅନ୍ୟମାନଙ୍କଠାରୁ ଅଧିକ ଏତେ ଏତେ ବୋଲି ବି ଅନୁଭବ ନକରୁ ! ସେଗୁଡ଼ିକ ହେଉଛି ଆମର ସେହି ଅହଂଭାବନା ଏବଂ ଆତ୍ମକାମିତା, ଯାହାକି ଆମକୁ ଭାରି ବହଳ ଭାବରେ ବଞ୍ଚିତ କରି ରଖିଥାଏ । ସେଗୁଡ଼ିକରୁ ମୁକ୍ତ ହୋଇ ସିନା ଆମେ ସମର୍ପଣର ଅସଲ ପରିଧିଟି ମଧ୍ୟକୁ ସ୍ଵୀକୃତ ହୋଇ ଆସିପାରିବା ! ମୁଁ ଏବଂ ମୋ’ର ଗୁଡ଼ାକର ସ୍ଥୂଳ ତଥା ସୂକ୍ଷ୍ମ ନାନା ମାୟାମୃଗ ମାନଙ୍କଠାରୁ ମୁକ୍ତ ହୋଇପାରିଲେ ସିନା ଅସଲ କରୁଣା, ଅସଲ ସହାୟକତା ଓ ଅସଲ ଧନାଢ଼୍ୟତାଟି ଆମ ଭିତରେ ଯଥାର୍ଥ ଖାଲିଜାଗା ଗୁଡ଼ିକୁ ପାଇପାରିବ । ତେଣୁ ଏହି ଖାଲି ହୋଇଯିବାଟି ହିଁ ଆମକୁ ଇପ୍ସିତ ପରିପୂର୍ଣ୍ଣତା ଗୁଡ଼ିକ ଆଡ଼କୁ ଯୋଗ୍ୟ କରିନେବ ! ନିଜ ଭିତରେ ଏବଂ ଏହି ଚତୁର୍ଦ୍ଦିଗର ବୃହତ୍ତର ଜୀବନଟିର ବହୁ-ସମ୍ଭାବନା ମଧ୍ୟକୁ କେତେ କେତେ ଆଡ଼କୁ ବାଟ ପାଇଯିବ । ଅର୍ଥାତ୍ ସମର୍ପଣ କହିଲେ ଏଠାରେ ବସ୍ତୁତଃ କୌଣସି ବର୍ଜନ କରିବା ଏବଂ ହରାଇ ବସିବାର ଅପଶଙ୍କାକୁ ଆଦୌ ବୁଝାଇବ ନାହିଁ । ଆମ ଭିତରୁ ଯେଉଁମାନେ ନାନାପ୍ରକାରେ କୃପଣ, ସେମାନେ ମୋଟେ ଗଣ୍ଠିମାନଙ୍କୁ ଫିଟାଇ ପାରନ୍ତି ନାହିଁ । ସେମାନେ ବଞ୍ଚିବା କହିଲେ ଯଥାସମ୍ଭବ ସେହିମାନଙ୍କର ଦୃଷ୍ଟିରେ ଏକ ବଣିଜ କରି ହିଁ ବାହାରି ଥାଆନ୍ତି । ନିଜର ଠାକୁରମାନଙ୍କଠାରୁ ହୁଏତ ଦଶଗୁଣର ଆଶ୍ଵାସନା ପାଇଲେ ଗୁଣେ ଦେବାକୁ ରାଜି ହୁଅନ୍ତି । ଏପରିକି ଆପଣାକୁ ମଧ୍ୟ ଦେବା ଭଳି କିଛି ଦେଇପାରନ୍ତି ନାହିଁ । ସଂସାରକୁ କିଛି ଦିଅନ୍ତି ନାହିଁ । ଏବଂ, ସଂସାରକୁ ଦେଇ ନପାରୁଥିବା ଯାଏ ଆମେ ଭଗବାନଙ୍କୁ ମଧ୍ୟ ଆଦୌ କ’ଣ ହେଲେ ଦେଇ ପାରିବା !

 

ଏହିପରି ଭାବରେ, ଆମ ଭିତରେ ସମର୍ପଣ ତଥା ଆତ୍ମୋତ୍ସର୍ଗର ସେହି ସମଗ୍ର ଭାବମାନେ ବୃଦ୍ଧିପ୍ରାପ୍ତ ହେଉଥିବେ ଏବଂ ଆମ ନିମନ୍ତେ ତାହାରି ବଳରେ ଆଗକୁ ଆଗକୁ ବାଟ ଦିଶି ମଧ୍ୟ ଯାଉଥିବେ । ଏଣେ ବାଟ ଚାଲୁଥିବା ଅର୍ଥାତ୍ ନିକଟବର୍ତ୍ତୀ ହେବାରେ ଲାଗିଥିବା ଯାତ୍ରୀଟି ସେହି ଦିବ୍ୟ ପରମା ଶକ୍ତିଟି ବିଷୟରେ ବି ଅଧିକରୁ ଅଧିକ ସଚେତନ ହେଉଥିବ । ଅଧିକରୁ ଅଧିକ ଅପରୋକ୍ଷ ଭାବରେ ଅନୁଭବ ହେଉଥିବ ଯେ ବସ୍ତୁତଃ ସେହି ସାଧନାଟିକୁ କରୁଛନ୍ତି : ମୋ’ ଭିତରେ ଅବିଚ୍ଛିନ୍ନ ଭାବରେ ବିଦ୍ୟମାନ୍ ଅଛନ୍ତି ଓ ବାଟ କଢ଼ାଇ ନେଉଛନ୍ତି ଏବଂ ମୋ’ ବାହାରେ ନାନା ଆହ୍ଵାନରୂପେ ମୋତେ ସଦା ଜାଗୃତ କରି ରଖିଛନ୍ତି । ମୋ’ ଭିତରେ ଆପଣାକୁ ଅଧିକ ପରିମାଣରେ ଆଣି ଅଜାଡ଼ି ଦେଉଛନ୍ତି । ଏବଂ, ମୋ’ ଭିତରେ ଏକ ଦିବ୍ୟ ପରମସ୍ଵଭାବର ମୁକ୍ତି ଓ ସମ୍ପୂର୍ଣ୍ଣତାବୋଧର ମୂଳଦୁଆକୁ ପ୍ରତିଷ୍ଠା କରି ଆଣୁଛନ୍ତି । ସାଧକ ପ୍ରକୃତରେ ନିଜେ ଅଲଗା ଭାବରେ କିଛି କରୁଛି ବୋଲି ମୋଟେ କୌଣସି ହେତୁ ହିଁ ନଥିବ । ଗୋଟିଏ ପାଦ ପକାଇ ସାରିବା ପରେ ଏକ ସମ୍ଭାବ୍ୟ ପରବର୍ତ୍ତୀ ପଦକ୍ଷେପର ଆଗତୁରା ନକ୍ସାଟାଏ ତିଆରି କରି ମୁଁ ତା’ପରେ ଯାଇ ଆଗକୁ ଯିବି ବୋଲି ଗୋଡ଼ଟିକୁ ଯେ ଉଠାଉଛି, ସେପରି ମୋଟେ କୌଣସି ଧାରଣା ହେଉନଥିବ । ଅର୍ଥାତ୍, ସ୍ଵତନ୍ତ୍ର ଭାବରେ ସେ ନିଜେ କୌଣସି ଉଦ୍ୟମ କରୁଛି ଓ ସେହି କାରଣରୁ ତା’ର ଏହି ସାଧନାଟି ସମ୍ଭବ ହେଉଛି ବୋଲି ତା’ ଭିତରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ଆସିବ ନାହିଁ । ଭାବିଚିନ୍ତି ବିଚାର କରି ନୁହେଁ, ଆପେ ଆପେ । ସତେଅବା ତା’ ଭିତର ଓ ବାହାରକୁ କ’ଣ ସବୁ ନିଶ୍ଚିତବୋଧର ଗବାକ୍ଷମାନେ ଖୋଲି ଯାଇଛନ୍ତି, ସେଇଥି ସକାଶେ । ତାକୁ ଜଳଜଳ ହୋଇ ଦିଶିବ-। ସିଏ ତୁଚ୍ଛା ବସି ରହିଛି ଏବଂ ସେହି ପ୍ରଭୁ ଆସି ପ୍ରସନ୍ନ ହୋଇ ତା’ ତରଫରୁ ମିହନ୍ତଗୁଡ଼ିକୁ କରି ନେଉଛନ୍ତି, ସେକଥା ନୁହେଁ । ସିଏ ନିଶ୍ଚୟ ଦଶଗୁଣ ଅଧିକ ସହଜ ସଚେତନ ଭାବରେ ସବୁକିଛି କରିଯାଉଛି,–ଆଦୌ କ୍ଳାନ୍ତି ନାହିଁ, କ୍ଳେବ୍ୟ ମଧ୍ୟ ନାହିଁ । ଏକ ଅବର୍ଣ୍ଣନୀୟ ଜୀବନସଚଳତା-। ଯେତିକି ଅଧିକ ସଚଳ, ସେତିକି ସହଜ । ସତେ ଯେପରି କିଏ ପାଖେ ପାଖେ ରହିଛି, ସାଙ୍ଗହୋଇ ବାଟ ଚାଲୁଛି । ମୁଁ ଯାହାର ସାନ୍ନିଧ୍ୟ ପାଇବି ବୋଲି ବାଟଟିଏ ଚାଲୁଥିଲି, ଇଏ କ’ଣ ପ୍ରକୃତରେ ସେଇ କି ? ସେହି କଥାଟିକୁ ପଚାରିବାକୁ ମଧ୍ୟ ସତ ବଳିବ ନାହିଁ । ପୂରା ଚିହ୍ନା କ’ଣଟିଏ, ସାଙ୍ଗଟିଏ ଓ ଜନନୀଟିଏ । ଏହି ଜଗତ ଭିତରୁ ଆଉ କୌଣସି ଖାସ୍ ସ୍ଥାନକୁ ଚାଲିଯାଇ ନୁହେଁ; ଏପରି ଗୋଟିଏ ଘରେ, ଯେଉଁଠି ଥିଲେ ଆମେ ଏକାବେଳେକେ ସବୁଘରେ ଥାନ ପାଇଛୁ ବୋଲି ଜାଣି ପାରୁଥିବା ।

 

ଏବଂ, ସେହି ସ୍ଵତଃସ୍ଫୂର୍ତ୍ତତା ଆମର ଗତିରେ ପ୍ରକୃତରେ ଅଧିକ ବେଗ ମଧ୍ୟ ଆଣି ଦେବ-। ଆମର ଆଗକୁ ଯିବାରେ ଅଧିକ ଯଥାର୍ଥତା ପ୍ରଦାନ କରିବ । କିନ୍ତୁ, ଏତେ ଏତେ ଅନୁକମ୍ପା ଏବଂ ଅନୁଗ୍ରହର ଭାଜନ ହୋଇ ପାରିଛୁ ବୋଲି ଆମେ କଦାପି ଭାବି ବସିଯିବା ନାହିଁ ଯେ, ବର୍ତ୍ତମାନ ଆମକୁ ପ୍ରକୃତରେ କୌଣସି ବ୍ୟକ୍ତିଗତ ପ୍ରଚେଷ୍ଟା କରିବାକୁ ପଡ଼ିବ ନାହିଁ । ହଁ, ସେହି ସମୟଟି ମଧ୍ୟ ଅବଶ୍ୟ ଆସିବ । ଯେତେବେଳେ ଆମର ସମର୍ପଣ ଓ ଆତ୍ମୋତ୍ସର୍ଗ ପରିପୂର୍ଣ୍ଣ ଅର୍ଥରେ ଶୁଦ୍ଧ ହେବ । ଉପରୁ ତଳଯାଏ ସେଥିରେ ଖୁଣ ବୋଲି କିଛିହେଲେ ନଥିବ । ଖଣ୍ଡକରେ ସେହି ପୁରୁଣା ହୋଇ ଆର ଖଣ୍ଡଟାରେ ନୂଆ ପାଇଁ ବ୍ୟାକୁଳତା ଦେଖାଇବାର କୌଣସି ଦୁର୍ବୁଦ୍ଧି କିମ୍ବା ଦୁର୍ଦ୍ଦଶା ମଧ୍ୟ ରହିନଥିବ । ଆମର ସର୍ବବିଧ ସମର୍ପଣ ଶ୍ରୀ ଅରବିନ୍ଦଙ୍କର କଥା ଅନୁସାରେ ନ୍ୟାୟତଃ ଏକ ତାମସିକ ସମର୍ପଣ ହୋଇ ରହିବ, ଯେପର୍ଯ୍ୟନ୍ତ ଆମେ ତାହାର ଆବଶ୍ୟକ ସର୍ତ୍ତଗୁଡ଼ିକ ଅନୁସାରେ ଆମ ଜୀବନକୁ ସଜାଡ଼ି ଆଣି ନଥିବା,–କେଉଁଠି ନା କେଉଁଠି ବେଶ୍ ଅମଙ୍ଗ ହୋଇ ରହିଥିବା । ପୁନଶ୍ଚ, ସତେଅବା କ’ଣ ମଉକାଟିଏ ପାଇ ଯାଇଥିବା ପରି ପରମେଶ୍ଵରଙ୍କର ଆବାହନ କରିବାରେ ଲାଗିଥିବା ଓ ସେଇ ଆମଲାଗି ଉଦାର ହୋଇ ସବୁ କରିଦିଅନ୍ତୁ ଏବଂ ଆମକୁ ଏହି ସାଧନାପଥର ସକଳ କଷଣ ଏବଂ ସଂଘର୍ଷରୁ ଅବ୍ୟାହତି ହିଁ ଦିଅନ୍ତୁ । ଶ୍ରୀ ଅରବିନ୍ଦ ତାହାକୁ ଏକ ପ୍ରତାରଣା ବୋଲି କହିଛନ୍ତି । ଏବଂ, ଏକ ପ୍ରତାରଣା ବୋଲି ହୋଇଥିବାରୁ ଏଥିରେ ଆଦୌ ମୁକ୍ତ ମିଳିବ ନାହିଁ ଓ ସକଳ ପରିପୂର୍ଣ୍ଣତାର ଉପଲବ୍ଧି ମଧ୍ୟ ସୁଦୂରପରାହତ ହୋଇ ରହିଥିବ-

 

ଆମ ମନୁଷ୍ୟମାନଙ୍କର ସେହି ତୀକ୍ଷ୍‌ଣ ଅନ୍ୟ ବୁଦ୍ଧିଟି ତା’ର ଏତେ ଏତେ ପ୍ରୟାସ ସତ୍ତ୍ୱେ ତାକୁ ତା’ ଅଭିପ୍ରେତ ପଥଟି ଠାରୁ ତଥାପି ଖିଅଛଡ଼ା କରି ରଖିଆସିଛି କି ? କେଡ଼େ ସଚେତନ ନିଷ୍ଠାର ମନଲାଖି ମନ୍ଦିରମାନଙ୍କୁ ଗଢ଼ି ସେଗୁଡ଼ିକରେ ନିଜର ମନଲାଖି ପ୍ରତୀକ ଏବଂ ପ୍ରତିମାମାନଙ୍କୁ ନେଇ ବସାଇଛି ଓ ସେହି ଅନୁସାରେ ଥାକଥାକ ଶାସ୍ତ୍ରପୂରାଣର ରଚନା କରିଛି । କେତେମନ୍ତେ ଭଜନ ଓ ଜଣାଣମାନ ଫାନ୍ଦି ପକାଇଛି ଏବଂ ପରିପୂର୍ଣ୍ଣ ସାଧୁତା ସହିତ କେତେ କେତେ ସତମାର୍ଗର ଭିଆଣ କରିଛି । ସେଗୁଡ଼ିକୁ ଧର୍ମ ବୋଲି, ଏପରିକି ଏକମାତ୍ର ଠିକ୍ ଧର୍ମ ବୋଲି ଘୋଷଣା ମଧ୍ୟ କରିଛି । ପ୍ରଚଣ୍ଡରୁ ପ୍ରଚଣ୍ଡ ହୋଇ ଅସଲ ସତ୍ୟ ତଥା ଅସଲ ଉଦୟମାନଙ୍କୁ ତାହାପି ଦୂରଛଡ଼ା ନକରି ରଖିବାରେ ସର୍ବଦା ଚେଷ୍ଟିତ ରହିଛି । ପୃଥିବୀରେ ହୁଏତ ଅଧିକତର ମନୁଷ୍ୟ ନିଜପାଖରୁ ଲୁଚି ବୁଲୁଛନ୍ତି, ପରସ୍ପର ପାଖରେ ସେମାନେ ସତକୁ ସତ ଯାହା ନୁହନ୍ତି ସେହିଗୁଡ଼ିକର ପ୍ରଦର୍ଶନ କରିବାରେ କେଡ଼େ ଉତ୍ସାହୀ ହୋଇ ରହିଛନ୍ତି । ପୁଣି, ଏହି ଜଟିଳ ସାଂସାରିକ ଜୀବନରେ ଭଗବାନଙ୍କର ବିବେକଟା ମୋଟେ କାଟୁ କରିବନାହିଁ ବୋଲି ଅନୁମାନ କରୁଥିବା ପରି ସେମାନେ ଏଠାରେ ନାନା ଅବିବେକକୁ ମଧ୍ୟ ଲଗାମମାନ ଛାଡ଼ି ଦେଇଛନ୍ତି । ଶ୍ରୀ ଅରବିନ୍ଦ ଯାହାକୁ ପରସ୍ପରକୁ ଗିଳି ପକାଇବାର କ୍ଷୁଧା ବୋଲି କହିଛନ୍ତି, ଆମର ଯାବତୀୟ ସଦିଚ୍ଛା ସତ୍ତ୍ୱେ ଆମର ସର୍ବବିଧ ବେଭାର ଅନେକତଃ ସେହି ଆଦିମ ଅନାଚାରଟା ମଧ୍ୟରେ ଯାଇ ପଡ଼ି ରହିଛି କି ? ତେଣୁ, ଆମେ ଆସ୍ପୃହା, ପ୍ରତ୍ୟାଖ୍ୟାନ ଓ ସମର୍ପଣ,–ଏହି ତିନୋଟି ଅଧ୍ୟାତ୍ମର ଟିକିଏ ଅଧିକ ଆଲୋଚନା କରିବାକୁ ଏଠାରେ ଚେଷ୍ଟା କରିବା । ସେଗୁଡ଼ିକୁ ଟିକିଏ ଅଧିକ ସମ୍ପୃକ୍ତ ଭାବରେ ବୁଝିବା, ଅଧିକ ସ୍ପଷ୍ଟ ହେବା । ଅଧିକ ସ୍ପଷ୍ଟ ହେଲେ ସିନା ସମ୍ଭବତଃ ଅଧିକ କ୍ରିୟାଶୀଳ ମଧ୍ୟ ହୋଇ ପାରିବା ।

 

ଜଣେ ସନ୍ତାନ ହିଁ ମାଆକୁ ଆବିଷ୍କାର କରେ, ଘରକୁ ଡାକି ଆଣିପାରେ । ଏହି ପ୍ରସ୍ଥଟି ସହିତ ସେହି ପ୍ରସ୍ଥର ଆଦୌ କୌଣସି ଭେଟକୁ ସମ୍ଭବ କରିପାରେ । ଗାଆଁର ସନ୍ତାନ, ଦେଶର ସନ୍ତାନ ଏବଂ ବିଶ୍ଵର ସନ୍ତାନ । ବିଶ୍ଵମାଆ, ତେଣୁ ବିଶ୍ଵସନ୍ତାନ । ତା’ପରେ ଠାକୁରମାନେ ବି ଅଲଗା ଦିଶାନ୍ତି । ଗୋଟିଏ ଠୋସ୍ କଥାରେ କହିଲେ, ସନ୍ତାନ ହେବାର ଯାବତୀୟ ପ୍ରସଙ୍ଗ ହେଉଛି ଏକ ସମ୍ପୃକ୍ତିର ହିଁ ପ୍ରସଙ୍ଗ,–ଏକ ବିମୋଚନକାରୀ ପରିଚୟ,-ଏକ ସମବେତ ଆବାହନ । ବଙ୍ଗସାହିତ୍ୟର ସମ୍ଭବତଃ ଊନବିଂଶ ଶତାବ୍ଦୀର ଜଣେ କବି ରଜନୀକାନ୍ତ ଆମ ସମସ୍ତଙ୍କୁ ଏକ ଆହ୍ଵାନ ଦେଲାପରି ପ୍ରଶ୍ନ କରିଛନ୍ତି : ତାରେ ତୁଇ ପ୍ରଭୁ ବଲିସ୍, ଦାସ ହର୍ଲି ତୁଇ କବେ ? ଆରେ ବାବୁ, ତାକୁ ଯେ ପ୍ରଭୁ ବୋଲି କହୁଛୁ, ତା’ର ଦାସଟିଏ କେବେ ହେଲୁ କହିଲୁ ! ଏହି ପୃଥିବୀଟିକୁ ଥୋକେ ମଣିଷ ନିଜର ବୋଲି କହୁଛନ୍ତି, ମାତ୍ର-ଏକ ରାକ୍ଷସୀ ଭୋଗାସକ୍ତି ସହିତ ତାକୁ ଭୋଗ କରିବେ ବୋଲି ତାକୁ ପୋଲା କରିବାରେ ଲାଗିଛନ୍ତି । ତା’ର ଜଙ୍ଗଲକୁ ପଦା କରୁଛନ୍ତି, ତା’ର ପରିବେଶ ଏବଂ ପରିମଳ ଗୁଡ଼ିକୁ ନଷ୍ଟ କରୁଛି, ସତେଅବା ସେମାନେ ବଞ୍ଚିଯିବା ଏହି ଅଳ୍ପ କେଇଟା ବର୍ଷ ଭିତରେ ଏଠି ନାନା ଶକ୍ତିକ୍ଷୟକାରୀ ଉର୍ବରକମାନଙ୍କର ପ୍ରୟୋଗ କରି ଅଧିକ ଓ ଅଧିକ ପରିମାଣର ଉତ୍ପାଦନ ଦ୍ଵାରା ପୃଥିବୀକୁ ଚିରଦିନ ପାଇଁ ବନ୍ଧ୍ୟା କରିଦେବ ବୋଲି ଥାଟ ଥାଟ ହୋଇ ବାହାରିଛି । ସେହିପରି ଏହି ପୃଥିବୀରେ କେତେ ପ୍ରକାରର କୋଟି କୋଟି ଭକ୍ତ ଏବଂ ଉପାସକ,-ଦେଉଳମାନଙ୍କରେ ଭିଡ଼ ଲଗାଇ ରଖିଛନ୍ତି । କେଡେ ଭବ୍ୟ ଆଡ଼ମ୍ବର ସହିତ ନିଜ ନିଜ ଦେବତାମାନଙ୍କର କଳ୍ପନା,–କେତେବିଧ ସୂତ୍ରବନ୍ଧାଣରେ କେତେ କେତେ ଧର୍ମ ତଥା ଧର୍ମବିଧାନମାନ । କେତେଜଣ ମଣିଷ ଏଠି ଦେବତାମାନେ ରହିଥିବା ପରି ସତକୁ ସତ ଅନୁଭବ କରି ଜୀବନଗୁଡ଼ିକୁ ବଞ୍ଚୁଛନ୍ତି ଏବଂ ଆପଣାର ସମୂହମାନଙ୍କରେ ନିଜକୁ ଆତଯାତ କରାଇ ପାରୁଛନ୍ତି ? ସେମାନଙ୍କର ସର୍ବମୂଳ ଆନୁଗତ୍ୟଟି ସେହି ଦେବତାମାନଙ୍କ ପାଇଁ ନା ପୂରାପଣେ ନିଜ ପାଇଁ ? ସେମାନଙ୍କର ସବାଆଗର ଅନୁରାଗଗୁଡ଼ିକ ସେହି ଦେବତାମାନଙ୍କ ଠାରେ ନା ନିଜଠାରେ ?

 

ତେଣୁ, ପୁନର୍ବାର ରଜନୀକାନ୍ତଙ୍କର ସେହି ଧାଡ଼ିଟି, ଆଗ ତୁ ନା ଆଗ ତୋ’ର ପ୍ରଭୁ, ନିଜକୁ ତୁ କେଡ଼େ ସରାଗରେ ଯାହାଙ୍କର ଦାସ ବୋଲି କହୁଛୁ କିନ୍ତୁ ପ୍ରକୃତରେ କାହା ପାଖରେ ସମର୍ପିତ ହୋଇ ରହିଛୁ ! ସେହିପରି, ଆଗ ଜଣେ ସନ୍ତାନ ନା ସିଏ ଶାସ୍ତ୍ରମୁତାବକ କଳ୍ପନା କରୁଥିବା ଜଣେ ମାଆ ? ନିଜେ ସନ୍ତାନଟିଏ ହେବାର, ଜଣେ ସନ୍ତାନର ଆଖିରେ ବୃହତ୍ ଜୀବନସଂସାରଟି ମଧ୍ୟକୁ ଅନାଇ ଦେଖିଲେ ତ ଆମେ ଯୁଆଡ଼େ ଦେଖୁଥାଉ ପଛକେ, ଜଣେ ଜନନୀଙ୍କୁ ହିଁ ଦେଖିବା । ସତକୁ ସତ ଜଣେ ସନ୍ତାନ ଅନୁସାରେ ହିଁ ତା’ର ମାଆଟି, ଏପରି ଗୋଟିଏ କଥାରେ ଆମ ପଣ୍ଡିତବର୍ଗ ହୁଏତ ମୋଟେ ରାଜି ହେବେନାହିଁ ସିନା, ମାତ୍ର ଯଦି ଆମେ ସନ୍ତାନଟିଏ ହେବାର ଆସ୍ପୃହା ରଖି ଏଠି ବାଟଟିଏ ବଞ୍ଚିବାର ଅନୁରାଗ ରଖିଥିବା, ତେବେ ସେହି କଥାଟିକୁ ହିଁ ହୁଏତ ପୂର୍ଣ୍ଣ ତାତ୍ପର୍ଯ୍ୟ ସହିତ ହୃଦୟଙ୍ଗମ କରିପାରିବା । ଭାରତୀୟ ଦେବୀ-କଳ୍ପନା ତଥା ଦେବୀ-ଉପସନାର ସୁଦୀର୍ଘ ପରମ୍ପରାଟି ମଧ୍ୟରେ କେତେ ନା କେତେ ଖାସ୍ କବିତ୍ଵ ଦେଇ ଦେବୀମାନଙ୍କର ବର୍ଣ୍ଣନା କରାଯାଇଛି । ସେହି ଅନୁସାରେ ମନ୍ତ୍ରମାନଙ୍କର ମଧ୍ୟ ନାନା ଭିନ୍ନତା, ପୂଜା ଓ ପାର୍ବଣ ମାନାଙ୍କରେ ପ୍ରକାର ପ୍ରକାରର ବେଶ, ଅଙ୍ଗସଜ୍ଜା ତଥା ଅଙ୍ଗବର୍ଣ୍ଣନାମାନ । ଏବଂ, ସେହି ଯାବତୀୟ ସମାରୋହରେ ଏକାବେଳେ ବାରି ହୋଇ ପଡ଼ୁଥିବା ପରି ଗୁଡ଼ାଏ ଗୁଡ଼ାଏ ମାଗିବାର ଏକ ଖାସ୍ ସଂସାରମାନ । ମୋତେ ଅମୁକ ଦିଅ, ସମୁକ ଦିଅ, ମୋ’ ଶତ୍ରୁମାନଙ୍କୁ ନିପାତ କର,–ଏହିପରି ଅନେକାନେକ କିସମର ସିଦ୍ଧିକାମନା । ସନ୍ତାନ ମାଗେ ନାହିଁ,–ନିଜକୁ ତିଆରି କରେ । ହୁଏ, ଯେପରିକି ଅଧିକରୁ ଅଧିକ ଦେଇ ପାରିବାର ଯୋଗ୍ୟ ହୋଇପାରିବ, ସେଥିଲାଗି ଅଧିକରୁ ଅଧିକ ହୋଇ ପାରିବାକୁ ଇଚ୍ଛା କରୁଥାଏ । ଆଖି ଆଗରେ, କେବଳ ନିଜକୁ ନୁହେଁ, ଗୋଟିଏ ବିଶ୍ଵର ଉପସ୍ଥିତିକୁ ଘ୍ରାଣ କରି ପାରୁଥାଏ ବୋଲି କପଟହରିତ ଭାବରେ ବିଶ୍ଵଜନନୀଙ୍କ ଲାଗି ଏକ ତଦନୁରୂପ ଆସ୍ପୃହା ସହିତ ତିଆରି ବି ହେଉଥାଏ । ଅଧିକ ଜ୍ଞାନ, ଅଧିକ ଶକ୍ତି ଏବଂ ଅଧିକ ପ୍ରୀତିର ଭାଜନ ହେଉଥାଏ, ଯେପରିକି ତାଙ୍କରି ଅଧିକରୁ ଅଧିକ କାର୍ଯ୍ୟରେ ଲାଗି ପାରିବ । ସ୍ପଷ୍ଟତଃ ସେହିପରି କିଛି କାରଣରୁ ହିଁ ତ ମୁଁ ଯେତିକି ଯୋଗ୍ୟ ହେବାପାଇଁ ମନ କରି ପାରୁଥାଏ, ସେତିକି ବଳ ଏବଂ ଶକ୍ତି ମୋ’ ନିଜ ଭିତରୁ ପାଇ ଯାଉଥାଏ । ମୁଁ ଯାହାର କାର୍ଯ୍ୟ ନିମନ୍ତେ ରାଜି ହୋଇ ବାଟ ଚାଲୁଥାଏ, ସେତିକି ସେତିକି ଅଧିକରୁ ଅଧିକ ପ୍ରତ୍ୟକ୍ଷ ଭାବରେ ସେଇ ଜନନୀ ହିଁ ମୋ’ ଭିତରେ ଅବସ୍ଥିତ ରହି ମୋତେ ସେଗୁଡ଼ିକୁ ଯୋଗାଇ ଦେଉଛନ୍ତି ଅର୍ଥାତ୍ ସେଇ ମୋତେ ପରିଚାଳିତ କରି ନେଉଛନ୍ତି ବୋଲି ପରିଷ୍କାର ହୋଇ ଯାଉଥାଏ ।

 

ଅର୍ଥାତ୍, ସବାଆଗ ସନ୍ତାନଟିଏ ଅଥବା ସନ୍ତାନମାନେ, ମୁଁ ଏବଂ ଆମେ ସମସ୍ତେ,–ସେହି ଅନୁସାରେ ମୋ’ର ତଥା ଆମ ସମସ୍ତଙ୍କର ଏହି ବିଶ୍ଵ ବିଷୟରେ ଏକ ବୋଧ ଏବଂ ସେହି ଅନୁସାରେ ମୋ’ର ଓ ଆମ ସକଳଙ୍କର ବିଶ୍ଵଜନନୀ । ଆମ ପହୁଞ୍ଚଗୁଡ଼ିକ ଅନୁସାରେ ଆମର ସତ ଅନ୍ଦାଜ ଏବଂ ସତ ହିସାବଗୁଡ଼ିକ । ଆସ୍ପୃହା ମୁତାବକ ଆମର ସବୁକିଛି ସମ୍ପୃକ୍ତି ଏବଂ ସମ୍ପୃକ୍ତି ଅନୁସାରେ ଆମର ଆସ୍ପୃହାମାନେ । ଏଡେ ବଡ଼ ପୃଥିବୀରେ ଏହି ସମ୍ପୃକ୍ତିଗୁଡ଼ିକର କ୍ଷେତ୍ରରେ ଆମ କେଉଁସବୁ କାରଣରୁ ଏଭଳି ସଙ୍କୁଚିତ ହୋଇ ରହିଥାଉ କେଜାଣି ? କ’ଣ ସବୁ ବାଧ୍ୟବାଧକତାର ସନ୍ତାପରେ ପଡ଼ି ନିଜ ଚାରିପାଖରେ କାନ୍ଥଗୁଡ଼ିଏ ଉଠାଇ ଦେଇ ସେହିଗୁଡ଼ିକୁ ହିଁ ଆମ ଜୀବନର ସମୁଚିତ ଦିଗ୍‌ବଳୟ ବୋଲି ମାନିନେଉ ଏବଂ ଅଳପ ହୋଇ ରହିଥାଉ । ଆମର ସୀମାଗୁଡ଼ିକ ହିଁ ଆମ ସଂସାରଟିର ସୀମା ହୋଇ ରହିଥାଏ । ଅତ୍ୟନ୍ତ ସଦାତ୍ରସ୍ତ ଏକ ଜୀବନ ଏବଂ ସେହି ଦୂରବସ୍ଥାଟି ହେତୁ ହିଁ ସମ୍ପୃକ୍ତିମାନେ ମଧ୍ୟ ଅଳ୍ପ ତଥା ବହୁବିଧ ତ୍ରସ୍ତତା ଦ୍ଵାରା ସଦା ଛଟପଟ । ସେତେବେଳେ, ଆମ ଭିତରେ ଥିବା ଜଗତ୍‌ସତ୍ୟଟିକୁ ଯେ ସକଳ ଅର୍ଥରେ ବଡ଼ ଅମୁହାଁ ଲାଗୁଥିବ, ସେକଥା ବୁଝିବାଲାଗି ଆମକୁ ସତେଅବା ମୋଟେ ଫୁରସତ୍ ହିଁ ମିଳେନାହିଁ । ବୃହତ୍ତର ଜଗତଟି ରୋଦନ କରିବାରେ ଲାଗିଥାଏ । ସେହି ଜଗତଟିର ସ୍ଵୟଂ ଜନନୀ ମଧ୍ୟ ନିଶ୍ଚୟ ରୋଦନ ହିଁ କରୁଥିବେ । ଆମର ଆଖି କାନ ସବୁ ମହଜୁଦ ହୋଇ ରହିଥାଏ, ସମ୍ଭବତଃ ଛଅ ବା ଷୋଳଟାଯାକ ଇନ୍ଦ୍ରିୟ ସକ୍ରିୟ ଥାଆନ୍ତି । ତଥାପି ଆମେ ଯେତିକି ସେତିକି ହୋଇ ରହୁ । ଖୁସି ମଧ୍ୟ ଥାଉ । ଏହି ପୂରା ସଂସାରଟା ନିଶ୍ଚୟ ଖାସ୍ ଆମରି ଲାଗି ତିଆରି ହୋଇଥିବ ବୋଲି ଧରି ନେଇଥାଉ । ସେତେବେଳେ ମଧ୍ୟ ଆମର ଅସଲ ସିଂହାସନଟି ଉପରେ ସେହି ବିଶ୍ଵଜନନୀ ଆସୀନ ହୋଇ ରହିଥାଆନ୍ତି । କିନ୍ତୁ, କିଏ ପୂରା ସେହି କଥାଟିକୁ ଅସ୍ଵୀକାର କରି ଦାବି କରିପାରିବ ଯେ ଆମେ ସିଂହାସନଟି ଉପରେ କେବଳ ନିଜକୁ ହିଁ ଦେଖୁଥାଉ ଏବଂ ତେଣୁ ଯିଏ ସତକୁ ସତ ଆସୀନା ରହିଥାଆନ୍ତି, ତାଙ୍କୁ ଦେଖି ପାରୁନାହିଁ ।

 

ଅସଲ ମାୟାବାଦଟି ପ୍ରକୃତରେ ସେଇଠି । ଏହି ସମଗ୍ର ଅର୍ଥାତ୍ ଏଡ଼େ ବୃହତ୍ ବିଶ୍ଵଟିକୁ ଯେଉଁପରି ଦେଖିବା ଉଚିତ, ତାହାକୁ ସେଭଳି ନଦେଖି ନିଜର ମର୍ଜି ଅନୁସାରେ ଦେଖିବା ତଥା ସେହି ମୂଳଗଣିତର ମାୟାରେ ପଡ଼ି ଜଗତର ଜନନୀଙ୍କୁ ମଧ୍ୟ ନିଜର ମର୍ଜି ଅର୍ଥାତ୍ ପ୍ରୟୋଜନ ଅନୁସାରେ ଦେଖିବା, ତାହାହିଁ ଏହି ଜଗତକୁ କାବୁ କରି ରଖିଥିବା ଅସଲ ମାୟାବାଦଟି । ମାୟାବାଦର ଦ୍ଵାହି ଦେଇ ଯେତେ ଯେତେ ତତ୍ତ୍ଵ ଏବଂ ଅତତ୍ତ୍ଵର ବ୍ୟାଖ୍ୟା ଓ ଅବ୍ୟାଖ୍ୟାମାନ, ତାହା ହେଉଛି ଭୋଗୀ ଓ ପଳାୟନବାଦୀ ମାନଙ୍କର ବ୍ୟାଖ୍ୟା । ସିଧା ଏବଂ ବଙ୍କା, ସାଧୁ ଓ ଅସାଧୁ ସେହି ଉଭୟ ଶୈଳୀର ଭୋଗୀ ତଥା ପଳାୟନକାମୀ ମାନଙ୍କର ନାନା ବ୍ୟାଖ୍ୟା । ଏକ ଅତ୍ୟନ୍ତ ନକାରାତ୍ମକ ଜୀବନଦୃଷ୍ଟି ସତେଅବା ପୂରା ଗୃହଟିକୁ ଛାଡ଼ି ଦେଇଥିବା ତୁମ ଆମଙ୍କର ବ୍ୟାଖ୍ୟା । ସେହି ନକାରାତ୍ମକ ଦୃଷ୍ଟିଟିରୁ ସତେଅବା କେତେ କ’ଣ ବଳ ପାଉଥିବା ପରି ସେମାନେ ତୁଚ୍ଛା କାମନାମାନଙ୍କ ଦ୍ଵାରା ପ୍ରେରିତ ହୋଇ ନିତାନ୍ତ କ୍ଷୁଧାର୍ତ୍ତ ହୋଇ ପରସ୍ପରକୁ ଗିଳିବାପାଇଁ ଧାବମାନ ହୋଇ ରହିଥାନ୍ତି । ସେମାନଙ୍କର ଯାବତୀୟ ବାସନା ଅଧିକତର କ୍ଷେତ୍ରରେ ଏହି ପୃଥିବୀରେ ଯାହା ଯେଉଁପରି ଓ ଯେତିକି ହୋଇ ରହିଛି, ସର୍ବଦା ସେତିକି ସହିତ ଖାପ ଖାଇ ରହିଯିବାକୁ ହିଁ ଏକମାତ୍ର କାମ୍ୟ ଓ ସର୍ବୋତ୍ତମ ବୋଲି ବିଚାର କରନ୍ତି । ସନ୍ତାନ କେବେହେଲେ ମାୟାବାଦକୁ ମନ କରେ ନାହିଁ, ଏହି ପାଦଦେଶରୁ ସିଏ ପର୍ବତଟିର ଏକ ଶିଖର ମଧ୍ୟ ରହିଛି ବୋଲି ଦେଖୁଥାଏ । ଶିଖରଟିଏ ରହିଛି ଓ ସେଠାରେ ପହଞ୍ଚିବାର ଏକ ରାସ୍ତା ମଧ୍ୟ କାହିଁକି ସମ୍ଭବ ନହେବ ବୋଲି ଆପଣାକୁ ପ୍ରଶ୍ନ ପଚାରେ । ଏହି ନିତ୍ୟନୈମତତ୍ତିକ ପାଦଦେଶରେ ରହିଥିଲେ ମଧ୍ୟ ରାସ୍ତାର ସ୍ୱପ୍ନ ଦେଖେ । ତା’ ନିଜ ଭିତରେ ରାସ୍ତା ଏବଂ ତେଣୁ ଏହି ଜଗତରେ ମଧ୍ୟ ନିଶ୍ଚିତ ଭାବରେ ରାସ୍ତା; ଏହି ଜଗତରେ ଏକ ରାସ୍ତା ଏବଂ ତେଣୁ ଅତ୍ୟନ୍ତ ନିଶ୍ଚିତ ଭାବରେ ନିଜ ଭିତରେ ମଧ୍ୟ ଗୋଟିଏ ରାସ୍ତା । ସିଏ ଆଉ ଯେଉଁଠି ସେଇଥି ରହିପାରେ ନାହିଁ । ବାଟ ଚାଲେ, ହୁଏ,-ଆସ୍ପୃହାର ସେହି ଅନ୍ୟ ସ୍ଵଭାବଧର୍ମଟିର ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯାଏ । ସେହି ଶିଖର ଦେଶରୁ ସତେ ଯେପରି କିଏ ଜନନୀ ପରି ଡାକୁଥିବା ପରି ଲାଗେ । ସେହି ଜନନୀଙ୍କୁ ସିଏ ସତେଅବା କେଉଁ ଯୁଗ ଯୁଗରୁ ଖୁବ୍ ଚିହ୍ନିଥିଲା ପରି ଅନୁଭବ କରେ । ସେହି ଅନୁଭବଟି ତାକୁ ଅଶେଷ ବଳ ଦିଏ । ସିଏ କତି କତି ହୋଇ ଯାଉଥାଏ, ଏକ ଅନ୍ୟ ଗୁମରର ଅଧିକାରୀ ହୁଏ । ତା’ର ଚେତନାରେ ସତେ ଯେପରି କ’ଣ ଗୁପ୍ତପେଡ଼ୀଟିଏ ଖୋଲିଯାଏ କେଜାଣି, ତେଣିକି ସିଏ ତା’ପରି ଅନ୍ୟ ସମସ୍ତଙ୍କୁ ମଧ୍ୟ ସହଯାତ୍ରୀ ସଦୃଶ ଦେଖିବାରେ ସମର୍ଥ ହୁଏ-। ପୂରା ପୃଥିବୀଟା ହିଁ ସାଧନାରତ ହୋଇ ରହିଥିବା ବାଗିର୍ ଲାଗେ । ସମସ୍ତେ ଭଲ ଲାଗନ୍ତି । ଅର୍ଥାତ, ସେହି ଆସ୍ପୃହାର ଆରୋହଣ ଏବଂ ଆତ୍ମପ୍ରସାରଣରେ କାହାର କୃପାବଳରୁ କ’ଣ ଏକ ରସବିଦ୍ୟା କାର୍ଯ୍ୟ କରୁଥାଏ କେଜାଣି । ଜଣେ ସନ୍ତାନ କେଡ଼େ ସକାରାତ୍ମକ ଭାବରେ ସେହି ସଂକ୍ରମଣଟି ନିଜକୁ ସତକୁ ସତ ଉନ୍ମୋଚିତ କରିଦେବାରେ ଲାଗିଥାଏ ।

 

ଏକ ସକାରାତ୍ମକ ଆବେଦନ ଦେଇ ଦେଖିଲେ, ଆମର ସେହି ଅହଂ ନାମକ ସମ୍ପଦଟିକୁ ଆମେ ସକଳ କ୍ଷେତ୍ରରେ ଆମ ଜୀବନର ଏକ ମୂଳଭୂତ ପିଣ୍ଡରୂପେ ଆବିଷ୍କାର କରିପାରନ୍ତେ ଯେଉଁଟିରୁ କି ଆମ ଭିତରେ ନିହିତ ହୋଇ ରହିଥିବା ଯାବତୀୟ ସମ୍ଭାବନା ବିକଶିତ ହୋଇ ବାହାରି ଆସେ ଏବଂ ତାହାରିଦ୍ଵାରା ହିଁ ଆମ ପ୍ରତ୍ୟେକଙ୍କୁ ନିଜ ପାଖରେ ତଥା ପୃଥିବୀ ମଧ୍ୟରେ ଗୋଟିଏ ଗୋଟିଏ ନିଜସ୍ଵ ପରିଚୟରେ ପରିଚିତ କରାଇ ଦେଇଥାଏ । ସେହି କେନ୍ଦ୍ରଟିକୁ ଆମେ ଏକାଧିକ ପ୍ରେରଣାଦ୍ଵାରା ପ୍ରେରିତ ହୋଇ ଆମର ଯାବତୀୟ ଆତ୍ମପ୍ରକାଶର କ୍ଷେତ୍ରରେ ଆମ ପଥଚାରଣାର ମୂଳ ଭଣ୍ଡାର ତଥା ପୁଞ୍ଜିରୂପେ ସ୍ଵୀକାର କରି ନେଇଥାଉ । ସେହି ଅହଂର ଅବହେଳାରୁ ସମ୍ଭବତଃ ଆମ ଭିତରେ ସର୍ବବିଧ ଅହଙ୍କାର ଆସି ପ୍ରବେଶ କରେ ଏବଂ ଅହଂର ସେହି ଅସଲ କେନ୍ଦ୍ରଟିକୁ ଗିଳି ପକାଏ । ପୃଥିବୀରେ ଅନେକ ଅନେକ ଗୁରୁ ହୁଏତ କୌଣସି କାରଣରୁ ନାନା ଅହଙ୍କାର ଭିତରେ କଲବଲ ମଧ୍ୟ ହେଉଥାନ୍ତି, ଯେଉଁଥି ଲାଗି ସେମାନେ ଆପଣାର ସତର୍କ ପରାମର୍ଶମାନ ପ୍ରଦାନ କରୁଥିବା ସମୟରେ ଆମେ ଆଶାୟୀମାନଙ୍କୁ ଅହଂମୁକ୍ତ ହେବାର ନାନା କଥା ଶୁଣାଇବାରେ ଲାଗିଥାନ୍ତି । ଶିକ୍ଷାର୍ଥୀମାନଙ୍କର ଅସଲ ଅହଂଟିର ବିକାଶ ହେଲେ ଏବଂ ଶିକ୍ଷକମାନଙ୍କର ଅହଙ୍କାରମାନେ ଧରା ପଡ଼ିଯିବେ ବୋଲି କୌଣସି ପ୍ରକାରର ଭୟରେ ପଡ଼ିଯାଇ ଥିବାରୁ ସେମାନେ ସେଭଳି କରନ୍ତି କି ? କୌଣସି ଶାସ୍ତ୍ରରେ ମଧ୍ୟ ସେହି କାରଣରୁ କେଡ଼େ ସିଧା ହୋଇ କୁହାଯାଇଛି ଯେ, ଆମର ଏହି ପୃଥିବୀରେ ବହୁସଂଖ୍ୟାରେ ହିଁ ଏହିପରି ଗୁରୁମାନେ ରହିଛନ୍ତି, ଯେଉଁମାନେ କି ଶିଷ୍ୟର ପ୍ରକୃତ ବିତ୍ତଗୁଡ଼ିକୁ ଅପହରଣ କରି ନିଅନ୍ତି-। ଶିଷ୍ୟର ସନ୍ତାପମାନଙ୍କୁ ହରଣ କରି ପାରୁଥିବା ଗୁରୁମାନେ ଖୁବ୍ ବିରଳ ହୋଇ ରହିଛନ୍ତି । ଅହଙ୍କାରର ଦ୍ଵାହି ଦେଇ କାହାର ସେହି ଅହଂ ନାମକ କେନ୍ଦ୍ରଟିକୁ ନାନାଭାବେ ଜଖମ କରି ରଖିବା, ହୁଏତ ସେଇଟି ହେଉଛି ଏକ ମୁମୁକ୍ଷ ଓ ଜିଜ୍ଞାସୁ ଆତ୍ମାକୁ ନାନାବିଧ ଉପଦ୍ରବ ଦ୍ଵାରା ପୀଡ଼ିତ କରି ରଖିବା ।

 

ହଁ, ଗୋଟିଏ ମୁମୁକ୍ଷୂ ଏବଂ ଜିଜ୍ଞାସୁ ଆତ୍ମା । ବିମୋଚନର ଆସ୍ପୃହା କରୁଥିବା ଏବଂ ତେଣୁ ନ୍ୟାୟତଃ ଏକ ଉତ୍ତରୋତ୍ତର ଜିଜ୍ଞାସାର ସାହସଯୁକ୍ତ ଅନୁରାଗରେ ସତେଅବା କୌଣସି ଗୁମ୍ଫା ଭିତରୁ ଫରଚାକୁ ବାହାରି ଆସିବାର ଏକ ଅଧ୍ୟାତ୍ମ ବାସନା,–ସେଇଟି ହେଉଛି ଆସ୍ପୃହା । ଏକ ସଚେତନ ବୋଧ, ଆତ୍ମବୋଧ, ଅଳପ ମଧ୍ୟରୁ ଅଧିକ ମଧ୍ୟକୁ, ଏକ ମୂଳସ୍ଥ ଏକକ ଭିତରୁ ବୃହତ୍ତର ବିଶ୍ଵବୋଧ ତଥା ବ୍ୟାପ୍ତି ଭିତରକୁ । ଶାସ୍ତ୍ରମାନଙ୍କରେ ତାହାକୁ ପ୍ରାୟ ଏକ ଆର୍ଷ ଅନୁରାଗରେ ଭୂମା ବୋଲି କୁହାଯାଇଛି କି ? ଯୁଗପତ୍‌ଭାବେ ଆରୋହଣ ଓ ବ୍ୟାପ୍ତି ଦୁଇଟିଯାକ । ଆତ୍ମ ପରିଚୟ ଓ ବିଶ୍ଵ ପରିଚୟ ଦୁଇଟିଯାକ । ଆତ୍ମ ପରିଚୟକୁ ମାଧ୍ୟମ କରି ବିଶ୍ଵ ପରିଚୟ ଏବଂ ବିଶ୍ଵ ପରିଚୟକୁ ମାଧ୍ୟମ କରି ସକଳ ଅର୍ଥରେ ଗୋଟିଏ ଆତ୍ମ ପରିଚୟ । ପାଦଦେଶରୁ ହିଁ ଶିଖରଟିର ସାନ୍ନିଧ୍ୟଲାଭ ତଥା ଶିଖରଦେଶରୁ ପାଦଦେଶଟି ବିଷୟରେ ଏକ ନୈକଟ୍ୟବୋଧ । ସେଇଟି ଆମର ଆସ୍ପୃହା, ତାହାହିଁ ଅଭୀପ୍ସା । ମୂଳତଃ ଏକ ଦୀକ୍ଷାଗ୍ରହଣ, ଏକ ଉତ୍ତରଣ ଏବଂ ଗୃହପ୍ରତ୍ୟାବର୍ତ୍ତନ । ଆମର ଅସଲ ନିୟତିଟି ସହିତ ଗୋଟିଏ ସକାରାତ୍ମକ କ୍ରମ ପରିଚୟ । ଆସ୍ପୃହା ନାମକ ସେହି ଦୀକ୍ଷାଟିର ଭାଜନ ହେଲେ ସେ ପ୍ରସ୍ଥଟି ଆଉ ମୋଟେ ମୋ’ ବାହାରେ ଆଉ କେଉଁଠାରେ ରହିଥିବା ଏବଂ ମୋତେ ସତେଅବା କୌଣସି ମିଛଖେଳ ଦ୍ଵାରା ଉଚ୍ଚାଟିତ କରି ରଖିଥିବା ଦୂରସ୍ଥ ଆଦୌ କିଛିକୁ ବୁଝାଏ ନାହିଁ ଏବଂ ଏ ପ୍ରସ୍ଥଟିକୁ ସତେଅବା ପରିବର୍ଜିତ ମାୟାଜାଲ ପରି ବୁଝାଏ ନାହିଁ । ସେପ୍ରସ୍ଥ ତଥା ଏପ୍ରସ୍ଥ ମଧ୍ୟରେ ସୁନିଶ୍ଚିତ ଭାବରେ ଏକ ସେତୁ ହିଁ ରହିଛି ବୋଲି ମୋତେ ମୋ’ର ଏହି ପାଦଦେଶଟିରେ ମଧ୍ୟ ପ୍ରତ୍ୟୟମାନ ଦେଇ ଯାଉଥାଏ । ଦୁଇଟିଯାକ ପ୍ରସ୍ଥ ସହିତ ଆମର ମାୟା ଲଗାଇଦିଏ । ଆମକୁ ସତକୁ ସତ କେତେ ଉଶ୍ଵାସ କରିଦିଏ ଏବଂ ଉଶ୍ଵାସ ହୋଇ ପାରିବାରୁ ତ ଆମେ ଅଧିକ ସଚଳ ମଧ୍ୟରେ ହୋଇପାରୁ । ସେପଟକୁ ସ୍ଵର୍ଗ ବୋଲି କହି ଏପଟଟାକୁ ନର୍କ ବୋଲି କହି ବୁଲିବାର ସେଇ ପୁରାତନ ବହିଧର୍ମ ମାନଙ୍କରୁ ତାହା ବଞ୍ଚାଇ ରଖେ ।

 

ସେହି ଶୁଦ୍ଧ ଅହଂଚେତନାଟିରୁ ଡୋରମାନେ ଛିଡ଼ିଗଲେ ହିଁ ଆମ ଭିତରକୁ କିସମ କିସମର ଅହଙ୍କାର ମାଡ଼ି ଆସନ୍ତି ଓ କେତେ ନା କେତେ ମୁହାଁସ ପାଇପାରନ୍ତି । ଭିତରର ସତ ଅହଂଟି ଆମର ନାନା ଅପଚାର ହେତୁ ଅବଦମିତ ହୋଇ ରହି ଯାଉଥିବା ପର୍ଯ୍ୟନ୍ତ ଆମ ଜୀବନରେ ଅହଙ୍କାରଟି ହିଁ ଥାନପତି ହୋଇ ବସିପାରେ ଓ ଜୀବନର ସିଧାଗୁଡ଼ିକୁ ବଙ୍କା କରି ରଖିଥାଏ । ଅହଙ୍କାରୀମାନେ ପ୍ରକୃତରେ ସର୍ବଦା ହିଁ ଭିତରେ ବଡ଼ ଦୁଃଖୀ ହୋଇ ରହିଥାନ୍ତି ଓ ସେଥିପାଇଁ ଭଳି ଭଳି ଉତ୍‌କ୍ଷେପ ଦ୍ଵାରା ଉଗ୍ର ହୋଇ ରହିଥାଆନ୍ତି । ଭିତରର ବହୁ ଭାବେ ଚାପି ହୋଇ ରହିଥିବା ଦୁଃଖର ବହୁ ଉଗ୍ରତା ଦ୍ଵାରା କ୍ଷତିପୂରଣ ହୁଏତ ଲୋଡ଼ୁଥାନ୍ତି । ଏହି ପୃଥିବୀଟିକୁ ଭାରି ଅସହଜ କରି ରଖି କ’ଣ ସବୁ ଖୁସି ପାଆନ୍ତି କେଜାଣି, ଆମର ପୃଥିବୀଟିକୁ ମଧ୍ୟ ଭାରି ଅଶାନ୍ତ କରି ପକାନ୍ତି । ଆପଣାର ବହୁ ଆତ୍ମପ୍ରଦର୍ଶନର ଅହଙ୍କାର, ଆପଣାର ଦେଶକୁ ନେଇ ଅହଙ୍କାର, ଧର୍ମକୁ ତଥା ଆଦର୍ଶବାଦମାନଙ୍କୁ ନେଇ ଆମ ଅନ୍ୟମାନଙ୍କର ଶାନ୍ତିଭଙ୍ଗକାରୀ କେତେ କେତେ ନକ୍ସା ଓ କେତେ ଛାଞ୍ଚର ଅହଙ୍କାର,–ନିଜର ସେହି ଛୋପରା ଅଳ୍ପତାଗୁଡ଼ିକୁ ଏଡ଼େ ଏତେ ବୋଲି ଦେଖିବାର ଅହଙ୍କାର । ନିଜର ଗୁରୁଙ୍କୁ ଶ୍ରେଷ୍ଠ ଓ ବରିଷ୍ଠ ବୋଲି କହି ବହୁ ଅଧର୍ମର ଚକଚକ ମାନଙ୍କୁ ନେଇ ଅହଙ୍କାର । ମଣିଷମାତ୍ରେ ସମସ୍ତଙ୍କୁ ସହପଥିକ ଅର୍ଥାତ୍ ସହସମ୍ପୃକ୍ତ ବୋଲି ସ୍ଵୀକାର କରି ନପାରୁଥିବାରୁ ସେମାନଙ୍କୁ ଦୟା ଦେଖାଉ ଥିବାର ଅହଙ୍କାର, ଯାହାକୁ ଆମର ଦାଣ୍ଡମାନଙ୍କରେ ଖୁବ୍ ଚାତୁର୍ଯ୍ୟ ସହିତ ଉଦାରତା ଓ ବଦାନ୍ୟତା ବୋଲି କହି ପ୍ରଶଂସା ମଧ୍ୟ କରାଯାଏ । ଆମର ଜ୍ଞାନର ଓ ଭକ୍ତିରେ ମଧ୍ୟ ଅହଙ୍କାର ଏବଂ ଏପରିକି ଆମ ନିତାନ୍ତ ବାହ୍ୟ ଭଦ୍ରତାମାନଙ୍କୁ ନେଇ ଅହଙ୍କାର । ପ୍ରକୃତରେ କେତେ ନା କେତେ ଭଦ୍ର ନୁହନ୍ତି ଆମର ଏହି ସଭାସୀନ ଅହଙ୍କାରୀମାନେ !

 

ଅଥାତୋ ଅହଂଜିଜ୍ଞାସା । ଅହଂଜିଜ୍ଞାସାରୁ ହିଁ ସର୍ବବିଧ ବ୍ରହ୍ମଜିଜ୍ଞାସା । ଏଇଟିକୁ ନାନା ଆଳରେ ଉପେକ୍ଷିତ କରି ରଖି ପୃଥିବୀଯାକ ଯେତେ ଯେତେ ବ୍ରହ୍ମଜିଜ୍ଞାସା, ସତ୍ୟଜିଜ୍ଞାସା ଓ ଏପରିକି ଧର୍ମଜିଜ୍ଞାସାମାନ କରାଯାଇ ଆସିଛି, ସେହି ସବୁ କିଛି ହୁଏତ ପ୍ରବର ମନୁଷ୍ୟମାନଙ୍କୁ ଭଳି ଭଳି ବୁଦ୍ଧିବାଦୀ ଭେଳିକି ଭିତରେ ପକାଇ ଆସିଛି । ପ୍ରାପ୍ତ ଜ୍ଞାନମାନେ ଜୀବନକୁ ସ୍ପର୍ଶ କରିନାହାନ୍ତି ଓ ପାଣ୍ଡିତ୍ୟମାନେ ଗଦା ଗଦା ବହି ଭିତରେ ରହି ଯାଇଛନ୍ତି । ଅସଲଟି ସାଙ୍ଗ ଛାଡ଼ି ଯାଇଛି । ଆଧୁନିକ କେତେକ ବୌଦ୍ଧିକ ବିଚାରରେ ଯାହାକୁ ଅନେକ ସମୟରେ ନିଃସଙ୍ଗତା ବୋଲି କୁହାଯାଇଛି, ସେଇଟି ମଧ୍ୟ ଏହିପରି ଗୋଟିଏ ଦୁର୍ଗତିରୁ ଜନ୍ମଲାଭ କରିନାହିଁ ତ ! ଅସଲ ସଙ୍ଗଟି ଅସ୍ଵୀକୃତ ହୋଇ ରହିଛି, ତେଣୁ ନିଃସଙ୍ଗତା । ଆମର ଉଚ୍ଚ ମହଲରେ ସେଥିପାଇଁ ଯାହାକୁ ନିଃସଙ୍ଗତା ବୋଲି କହି ବହୁବିଧ ଶୈଳୀଗତ ଉଲ୍ଲାସରେ ନାନା କଳାତ୍ମକ କୀର୍ତ୍ତନମାନ କରାଯାଏ, ସେଠାରେ ଅହଙ୍କାର ନାମକ ରାଜପୁତ୍ରଟିଏ ରୁଷି ବସିଥାଏ । ଖୁବ୍ ସଉକରେ ରୁଷି ବସିଥାଏ । ହାତରୁ ଧନୁଶର ଛାଡ଼ିଦେଇ ଏକ ଗେହ୍ଲା ଅବସାଦରେ ଆପଣାର ଅନ୍ତର୍ସଖା ପାଖରେ ନାଲିଶ ପରେ ନାଲିଶ କରିବାରେ କେଡ଼େ ଖୁସି ପାଏ । ଏତେବଡ଼ ପୃଥିବୀର ନିତ୍ୟସଙ୍ଗ ମଧ୍ୟରେ ରହି ମଧ୍ୟ କ’ଣ ସବୁ ଆଣ୍ଟରେ ନିଜକୁ ବିଦେଶୀ ବୋଲି କହୁଥାଏ । ବଡ଼ ଏକଜିଦିଆ ଏହି ଅହଙ୍କାରୀ ଫଉଜଟା । ନିଜ ଜୀବନରେ ଗୋଟାପଣେ ଅହଙ୍କାରୀ ଏବଂ ନାଲିଶ୍ କରୁଥିବା ସମୟରେ କେଡ଼େ ସ୍ଫୂର୍ତ୍ତିରେ ଦୁଃଖୀ, ଏକୁଟିଆ ଓ ଆହୁରି କେତେକ’ଣ ଅଳଙ୍କାରରେ ଦେହକୁ ମଣ୍ଡାଇ ରଖିଥିବା ନିରିମାଖୀ ବୋହୂଟିଏ ପରି । ଏବଂ, ଧନ୍ୟ କହିବା, ସେହି କେନ୍ଦ୍ରର ଅହଂଟିକୁ, କେଉଁ କରୁଣାମୟୀ ଜନନୀର ଅନୁକମ୍ପା ଲାଭ କରି ସିଏ ଅପେକ୍ଷା କରିଥାଏ, ତଥାପି ବିଶ୍ଵାସ ରଖିଥାଏ ।

 

ସେହି କେନ୍ଦ୍ରଟିକୁ ଅବହେଳା ଓ ଉପେକ୍ଷା, ସେଇଟି ହେଉଛି ଆମର ଅହଙ୍କାରର ସତ ଇତିବୃତ୍ତଟି । ଅହଙ୍କାରୀ ମନୁଷ୍ୟଟିଏ ମୋଟେ ଆସ୍ପୃହା କରିପାରେ ନାହିଁ । ଆପଣାର କ୍ଷୁଦ୍ର ବୃହତ୍ କାମନାଗୁଡ଼ିକ ଚରିତାର୍ଥ କରିବ ବୋଲି ଆପଣାର ଚିହ୍ନା ଠାକୁରମାନଙ୍କ ନିକଟରେ ଗୁହାରି କରେ । ସେମାନଙ୍କୁ ସତେଅବା ନିଜ ଭଳି ହିଁ ବିଚାରେ । ଭୋଗ କରିବାର ନାନା ମନାସରେ ସେମାନଙ୍କ ନିକଟରେ ଭୋଗମାନ ବାଢ଼ୁଥାଏ, ନିଜ କଳ୍ପନାଗଣିତର କାଠିଗୁଡ଼ିକୁ ଖଟାଇ ପୂରା ଏକତରଫା ଭାବରେ ସେମାନଙ୍କର ଦୈର୍ଘ୍ୟପ୍ରସ୍ଥ ଗୁଡ଼ିକର ନିର୍ଣ୍ଣୟ ଇତ୍ୟାଦି କରିବାରେ ବ୍ୟସ୍ତ ରହିଥାଏ । ଧର୍ମତଃ ଅର୍ଥାର୍ଥୀ ହୋଇ ରହି ଜଣେ ଆଶାୟୀ ସଉଦାମାନ ଖୁବ୍ କରିପାରେ ସିନା, ମାତ୍ର ଆସ୍ପୃହାର ଭାଜନ ହୋଇ ପାରେନାହିଁ । ଆମ ଅହଙ୍କାରୀ ମାନଙ୍କର କାରଣରୁ ତ ଆମର ଜୀବନହାଟର ଧର୍ମମାନେ ମଧ୍ୟ ଏହି ଯାବତୀୟ ପ୍ରକାରେ ଅର୍ଥାର୍ଥୀ ହୋଇ ରହିଛନ୍ତି । ଆମ ଭିତରର ଯଥାର୍ଥ ଆସ୍ପୃହାଟି ଯେପରି ସତେଅବା ସବୁଦିନ ଲାଗି ଅବହେଳିତ ହୋଇ ରହିବ, ସେଥିଲାଗି ଆମ ବାଉଳାଗୁଡ଼ାକରେ ଆମକୁ ଭଳାଇ ରଖିଛନ୍ତି । ଆମ ନିଜ ପାଖରୁ ତାହା ପରସ୍ପର ପାଖରୁ । ଆମେ ପୃଥିବୀଟାକୁ ବାଉଳା କରି ରଖିଛନ୍ତି । ଅର୍ଥାତ୍, ସେହି ଅନ୍ତର୍ସମ୍ପଦଟିକୁ ଆମ ପୃଥିବୀ ସମ୍ଭାବନାର ସର୍ବୋତ୍ତମ ବସ୍ତୁଟି ରୂପେ ବରି ନେଇ ପାରିଲେ ଆମେ ତେବେ ଯାଇ କୌଣସି ଆସ୍ପୃହାର ଯୋଗ୍ୟ ହୋଇପାରିବା । ନିଜକୁ ଏବଂ ପୃଥିବୀକୁ ଏକତ୍ର ଗୋଟାଏ ରୂପେ ଦେଖିପାରିବା । ଅନୁଲମ୍ବ ଭାବରେ ଶିଖରଦେଶଟିକୁ ଏଠି ପାଦଦେଶରେ ଥାଇ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଅନ୍ଦାଜ କରି ପାରୁଥିବା ଓ ଅନୁପ୍ରସ୍ଥ ଭାବରେ ପୃଥିବୀ ମଧ୍ୟକୁ ପ୍ରସାରିତ ହୋଇ ପାରୁଥିବା । ନ୍ୟାୟତଃ, ଯଥାର୍ଥ ଆସ୍ପୃହାର ମାନଚିତ୍ରଟିରେ ଅନୁଲମ୍ବ ଏବଂ ଅନୁପ୍ରସ୍ଥ ଦୁଇଟା ଅଲଗା ଅଲଗା ହୋଇ କେବେ କିଛି ହିଁ ନଥାଏ । ପୁନଶ୍ଚ, ଆସ୍ପୃହାକୁ ଏକ ଖାସ୍ ବ୍ୟଞ୍ଜନା ସହିତ ଗୋଟିଏ ଅସନ୍ତୋଷ ବୋଲି ବି କୁହାଯିବ କି ?

ହଁ, ଆସ୍ପୃହା ହେଉଛି ଏକ ଚିର-ଅସନ୍ତୋଷ, ଏକ ସକାରାତ୍ମକ ଅସନ୍ତୋଷ । ଆମେ ଅଧିକାଂଶ ସ୍ଥଳରେ ମଣିଷମାନେ ଯେତିକି କାଇଦା ଭିତରେ ଆପଣାର ଜୀବନଗୁଡ଼ିକୁ ବଞ୍ଚିଛୁ, ସେଥିରେ ଦ୍ଵେଷ ଏକ ଅସନ୍ତୋଷ, ଆମର ଯାବତୀୟ ଆତ୍ମଭରଣାମାନେ ଗୋଟିଏ ଗୋଟିଏ ଅସନ୍ତୋଷ । ଏପରିକି ଆମର ସର୍ବବିଧ ଆତ୍ମଗ୍ଳାନି ମଧ୍ୟ ବହୁ ପରିମାଣରେ କୌଣସି ନା କୌଣସି ଅସନ୍ତୋଷରୁ ହିଁ ସମ୍ଭୁତ ହୋଇଥାଏ । ପରସ୍ପରକୁ ଗିଳି ପକାଇବାର ଆମ କ୍ଷୁଧାଗୁଡ଼ିକରେ ମଧ୍ୟ ଆମ ଭିତରର କୌଣସି ବିଚିତ୍ର ଅସନ୍ତୋଷ ଆମକୁ ଏକ ନିତାନ୍ତ ଅସ୍ଵାସ୍ଥ୍ୟକର ବେଗ ପ୍ରଦାନ କରିବାରେ ଲାଗିଥାଏ କି ? ଆମର ନାନା କାମନାଦ୍ଵାରା ଉତ୍ପୀଡ଼ିତ ଉତ୍ତାପମାନେ କ’ଣ ଆମକୁ କମ୍ ଅସନ୍ତୋଷ ଭିତରେ ପକାଇ ରଖିଥାଆନ୍ତି ! ଶହେର ମଣିଷଟିଏ କାହିଁକି ହଜାରେ ପାଇଲା ନାହିଁ ବୋଲି ନିଜ ଭିତରେ ଏକ ଅସନ୍ତୋଷ ଦ୍ଵାରା ବିଦାରି ହେବାରେ ଲାଗିଥାଏ । ଲକ୍ଷେବାଲା ଦଶଲକ୍ଷକୁ ଲାଳାୟତ ହୋଇ ରହିଥାଏ । ଏହି ଜଙ୍ଗଲଟା ଭିତରେ ପଶି ରହିଥିବା ପର୍ଯ୍ୟନ୍ତ ଆମେ ତଥାପି ଜାଣିଜାଣି ଭ୍ରମରେ ପଡ଼ିଥିବା ପରି ଆସ୍ପୃହାମାନଙ୍କ ଭିତରେ ରହିଛୁ ବୋଲି କାହିଁକି କଳ୍ପନା କରିବାରେ ଲାଗିଥାଉ କେଜାଣି ? ସାଧନା ଜଗତର ଅଙ୍ଗେନିଭା ଏକ ପରିଭାଷା ଅନୁସାରେ ତେଣୁ ଆମେ ଆସ୍ପୃହାକୁ ଗୋଟିଏ ଈଶ୍ଵରୀୟ ଅସନ୍ତୋଷ ବୋଲି ହୁଏତ କହିପାରିବା । ଆମ ଭିତରେ ରହି ଆମକୁ ପାବଚ୍ଛ ପରେ ପାବଚ୍ଛ ପାରି କରାଇ ନେବାପାଇଁ ଆମକୁ ନିରନ୍ତର ଅନୁରୂପ ସଙ୍କଳ୍ପଗୁଡ଼ିକର ଭାଜନ କରି ନେଉଥିବାର ସେହି ଅସନ୍ତୋଷଟି । ଆମର ଏହି ନାନା ମୁହୂର୍ତ୍ତର ଭଳି ଭଳି ଗ୍ଳାନିଜନିତ ଅସନ୍ତୋଷର ହାଟ ଭିତରୁ ସେଇଟିକୁ ଅସଲ ବୋଲି ବୁଝିବା ଏବଂ ବଞ୍ଚିବା, ତାହାରି ନାମ ହେଉଛି ଆସ୍ପୃହା । ସେହି ଈଶ୍ଵରୀୟ ଆହ୍ଵାନଟି ଆମ ଜୀବନରେ ସର୍ବଦା ହିଁ ରହିଛି । ଏହି ଅହଙ୍କାର ସକଳର ଯାବତୀୟ ଅସନ୍ତୋଷ ଠାରୁ ଗୋଟିଏ ଅଲଗା ଧାତୁର ଓ ଅଲଗା ଏକ ଆକୂତିର,-ଆମ ଜୀବନର ସେହି ପରମ ସତ୍ୟଟି ସହିତ ଏକ ଭେଟକୁ ସମ୍ଭବ କରାଇ ପାରିବା ସକାଶେ ।

 

ଏପରି ଗୋଟିଏ ଭେଟ, ଯାହାଦ୍ୱାରା କି ଶିଖରପ୍ରଦେଶଟି ପାଦଦେଶଟି ସହିତ ଅଙ୍ଗୀକାରବଦ୍ଧ ହୋଇ ରହିଛି ବୋଲି ବାସ୍ତବ ଅନୁଭବ ହେବ ଏବଂ ପାଦଦେଶଟି ମଧ୍ୟ ଶିଖରଟି ନିମନ୍ତେ ସମର୍ପିତ ହୋଇ ରହିଥିବାର ସତ୍ୟଟି ଜଳଜଳ ହୋଇ ଦେଖା ଯାଉଥିବ । ସତେଅବା କେଉଁ ଆବହମାନ କାଳରୁ । ପାହାଚ ପାହାଚ ଉଠି ଯାଉଥିବା ସଙ୍ଗେ ସଙ୍ଗେ ଅଭିନବ ଆସ୍ପୃହାମାନ-। ସତେ ଯେପରି ସେହି ସେକାଳରୁ ଚିହ୍ନା ଥିଲେ ଏବଂ ଏକ ପାହାଚଉଠା ହେତୁ ସମ୍ପୂର୍ଣ୍ଣ ରୂପେ ଚିହ୍ନା ହୋଇ ପାରିଲେ । ସତେଅବା ମୋ’ ସହିତ ସିଏ ମଧ୍ୟ ସତତ ପାହାଚ ଉଠିଯିବା ପରି ଲାଗୁଥିବେ । ଗୋଟିଏ ପାହାଚ ପାରି ହୋଇ ଯାଉଥିବା ସହିତ ଆଗରେ ପାହାଚଟିକୁ ମଧ୍ୟ ଆଦୌ ପଛରେ ଛାଡ଼ି ଯାଉଥିବା ପରି ମୋଟେ ମନେ ହେବନାହିଁ । ଅନୁଭବ ମଧ୍ୟ ଅବଶ୍ୟ କହିବ ଯେ ସେଇଟି ବି ସାଙ୍ଗରେ ରହିଛି । ଆମେ ଏକ ଆରେକକୁ ପଛରେ ପକାଇ ଦେଇ ସତେଅବା କୋଉ ମାଷ୍ଟରଙ୍କ ପାଖରେ ଯାଇ ସୁନାପୁଅ ବୋଲି ପ୍ରତିପାଦିତ ହେବୁ ବୋଲି ଆଦୌ ଧାଇଁ ପଳାଉ ନଥିବା । ଆମେ ପାବଚ୍ଛ ଉଠୁଥିବା ଅର୍ଥାତ୍ ଶିଖରଟି ଆମର କତି ହୋଇ ଆସୁଛି ବୋଲି ଅନୁଭବ କରୁଥିବା । ସେହି ଶିଖରଟି ଏହିପରି ଭାବରେ ଏହି ପାଦଦେଶକୁ ଅବତୀର୍ଣ୍ଣ ହୋଇ ଆସିବ, ସେଇଥିଲାଗି ତ ଏଠାରେ ଆମ ସମସ୍ତଙ୍କୁ ନେଇ ଏହି ତପସ୍ୟା ଓ ତପଶ୍ଚାରଣା । ତାହାହିଁ ଆସ୍ପୃହା । ଆସ୍ପୃହା ପରେ ଆସ୍ପୃହା । ମୋଟେ ଶେଷ ବୋଲି କିଛି ନଥିବା ପରି । ଯେଉଁମାନେ ଗୋଟିଏ ଇପ୍ସିତ ସ୍ଥାନରେ ଆସି ପହଞ୍ଚିଗଲେ ବୋଲି ଧରିନେଇ ସେଇଠି ଲାଖି ରହି ଯିବାକୁ ମନ କରିବେ, ସେମାନେ ଅବଶ୍ୟ ମଠଟିଏ, ଗାଦୀଟିଏ ଅର୍ଥାତ୍ ପୂର୍ଣ୍ଣପ୍ରାପ୍ତିଟିଏ ଆବୋରି ନିଅନ୍ତି, ସେମାନେ ଅବଶ୍ୟ ମଠଟିଏ, ଗାଦୀଟିଏ ଅର୍ଥାତ୍ ପୂର୍ଣ୍ଣପ୍ରାପ୍ତିଟିଏ ଆବୋରି ନିଅନ୍ତି, ସେମାନେ ଶିଖରଯାଏ କେବେହେଲେ ଯାଇ ପାରିନଥାନ୍ତି । କେଉଁ ଦୁର୍ଭାଗ୍ୟ ହେତୁ ନିଜକୁ ହିଁ ଶିଖର ବୋଲି ମାନି ନେଇଥାଆନ୍ତି କି ? ଏହିପରି ମାନି ନେଇଥିବା ଖାସ୍ ଆଶାୟୀମାନେ ତ ପୃଥିବୀରେ ଖାସ୍ ସମ୍ପ୍ରଦାୟମାନ ଗଢ଼ିବାର ଗୁର୍ଦୁ ଉତ୍ସାହ ଦେଖାଇ ଆସିଛନ୍ତି ।

 

ସତ ଆସ୍ପୃହାମାନେ ମୋଟେ ବସି ଯାଆନ୍ତି ନାହିଁ । ସତ ଆସ୍ପୃହାମାନେ ମୋଟେ କ୍ଳାନ୍ତ ହୁଅନ୍ତି ନାହିଁ । ସେମାନଙ୍କର ଈଶ୍ଵରମାନେ ସେମାନଙ୍କୁ କେବେହେଲେ ବସିଯିବାର କୌଣସି ମନ୍ତ୍ରଣା ଦିଅନ୍ତି ନାହିଁ । ମୋଟେ ଅଳସୁଆ କରି ରଖନ୍ତି ନାହିଁ । ଅସଲ ଯାତ୍ରୀମାନେ ସେମାନଙ୍କର ଆସ୍ପୃହାଯାତ୍ରାର ପଥରେ କେବେହେଲେ ଏଇଠି ସରିଲା ବୋଲି କହି ପାରନ୍ତିନାହିଁ । ସରିଲା ବୋଲି କହିବାର ଯାବତୀୟ ସଂସ୍କାରକୁ ସେମାନେ ମାୟା ବୋଲି କହନ୍ତି । ପ୍ରମାଦ ବୋଲି ଜାଣନ୍ତି । ପ୍ରମାଦ ବୋଲି ଜାଣି ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରନ୍ତି । ତେଣୁ ଆମର ଆସ୍ପୃହା ଅନୁସାରେ ହିଁ ଆମର ପ୍ରତ୍ୟାଖ୍ୟାନ । ଆସ୍ପୃହାମାନେ ନାନାବିଧ ସ୍ତରର, ତେଣୁ ପ୍ରତ୍ୟାଖ୍ୟାନମାନେ ମଧ୍ୟ ବହୁସ୍ତରର । ଆମ ଶୁଭ ଏବଂ ଅଶୁଭ ବାସନାର ସ୍ତରମାନେ ମଧ୍ୟ ସେହିପରି ଭିନ୍ନ ଭିନ୍ନ । ହଁ ହଁ ଅନୁସାରେ ଆମର ନାହିଁ ନାହିଁ ଗୁଡ଼ିକ । ସଂସାର ଭିତରେ ଆମ ତଥାକଥିତ ସଂସାରୀମାନଙ୍କ ସକାଶେ ନିୟୋଜିତ ହୋଇ ରହୁଥିବା ଆମର ଗୁରୁମାନେ ଆମର ଆସ୍ପୃହାମାନଙ୍କ ଉପରେ ନୁହେଁ, ଆମର ଏହି ସଂସାରଟି ଚାଲିବା ନିମନ୍ତେ ହିଁ ପ୍ରତ୍ୟାଖ୍ୟାନ ଗୁଡ଼ିକର ବରାଦ କରିଥାଆନ୍ତି । ଏବଂ, ସମ୍ଭବତଃ, ସେମାନେ ଆସ୍ପୃହା ବିଷୟରେ ଆମକୁ ସେପରି କିଛି କହନ୍ତି ନାହିଁ । ଶିଖର-ଆରୋହଣ ବିଷୟରେ ଯଥାସମ୍ଭବ ନୀରବ ରହନ୍ତି । ଆତ୍ମ-ପ୍ରସାରଣ ବିଷୟରେ ମଧ୍ୟ କିଛି ନକହିବାକୁ ମଧ୍ୟ ନିରାପଦ ବୋଲି ଜାଣିଥାଆନ୍ତି କି ?

 

ଏହାପରେ ଆମର ଦ୍ଵିତୀୟ ଚର୍ଚ୍ଚାଟି ହେଉଛି ପ୍ରତ୍ୟାଖ୍ୟାନ ସମ୍ଭନ୍ଧରେ । ଏହି ପ୍ରତ୍ୟାଖ୍ୟାନକୁ ଆମ ନୈତିକତାରେ ପ୍ରାୟ ସମଗ୍ର ଧର୍ମଟିକୁ ବୈରାଗ୍ୟ ବୋଲି କୁହାଯାଇ ଆସିଛି । ବୈରାଗ୍ୟ ଅର୍ଥାତ୍ ଗୋଟିଏ ବୀତଶ୍ରଦ୍ଧ ଭାବ ଏବଂ ତେଣୁ ଏକ ବୀତଶ୍ରଦ୍ଧ ଜୀବନ । ଏଇଠି ଥିବ, ତଥାପି ଏଠାରେ ନଥିବ; ପାଣି ଭିତରେ ନାକଯାଏ ବୁଡ଼ି ଛିଡ଼ା ହୋଇଥିବ ଓ ତଥାପି ପାଣିଟା ତୁମକୁ ସ୍ପର୍ଶ କରୁନାହିଁ ବୋଲି ଆପଣାକୁ ନାନା ସଂଯମ ସହି ବୁଝାଇ ଦେଉଥିବ । ସଂସାର କରିବ ତଥାପି ଏଠାରେ କେହି କାହାରି ନୁହନ୍ତି ବୋଲି ଶୁଦ୍ଧାପୂତ ଭାବରେ ଝିଙ୍ଗାସି ହେଉଥିବ । ଭୋଗ କରିବ ଏବଂ, ମୋ’ର ଅସଲ ମୁଁ ଟି ସେହି ଭୋଗରେ ଆଦୌ ଅଂଶଗ୍ରହଣ କରୁନାହିଁ ବୋଲି ଅତ୍ୟନ୍ତ ଦୃଢ଼ ଭାବରେ ଭାବି ଆପଣାକୁ ଅଲଗା କରି ରଖିଥିବ । ଅନେକ ସମୟରେ ହୁଏତ ଏପରି କହୁଥିବ ଯେ ଯାହାକିଛି ଭୋଗ, ସବୁ ଦେହ ହିଁ କରୁଛି,–ଆତ୍ମା ଅଲଗା ହୋଇ ରହୁଛି । ଦେହଟା ନଶ୍ଵର, ଆତ୍ମା ଶାଶ୍ଵତ । ଆତ୍ମା ଶୁଦ୍ଧ, ମୁକ୍ତ, ସାକ୍ଷୀ ମାତ୍ର । ଦେହକୁ ନେଇ ଏଠି ଆମର ସାଂସାରିକ ଜୀବନର ଯାବତୀୟ ଲୀଳା,–କିନ୍ତୁ ଆମର ଆତ୍ମା ହେଉଛି ଅମର ପରମ ଧନ,-ଏଠି ସତେଅବା ସେହି କଥାଟିକୁ ବହୁ କାରୁଣ୍ୟ ସହିତ କୁହା ହୋଇଛି । ସତେଅବା ଏହି ପ୍ରତ୍ୟାଖ୍ୟାନମାନେ ହିଁ ସବାଆଗ । ଆଗ ଲୋଡ଼ିବା ନୁହେଁ, ଆଗ ଏହି ବାରଣ ଏବଂ ନିଷେଧମାନେ । ସମ୍ଭବତଃ ସେହି ହେତୁ ଆମର ଭଗବାନ୍‌ମାନେ ଆମ ଦେଉଳ ଭିତରେ ସ୍ଵତନ୍ତ୍ର ପରିପାଟୀ ମାନଙ୍କର ମଣ୍ଡନ ଭିତରେ ରହିଥାଆନ୍ତି । ଏବଂ, ସଂସାରର ଆମେ ଏହି ମନୁଷ୍ୟଦେହଧାରୀମାନଙ୍କୁ ଆଗରୁ ନିରୂପିତ ନାନା କାରଣରୁ ପାଳନ କରି ଦେଉଳ ଭିତରକୁ ଯିବାକୁ ହୋଇଥାଏ । ଏହି ଅଭ୍ୟସ୍ତ ନିଷ୍ଠାଗୁଡ଼ିକ ଦ୍ଵାରା ଆମେ ତାଙ୍କୁ ଆମଠାରୁ ବାସନ୍ଦ କରିଥାଉ ବା ଆମ ନିଜକୁ ତାଙ୍କଠାରୁ ବାସନ୍ଦ କରି ରଖୁ କେଜାଣି ? ଏହି ବାସନ୍ଦ କରି ରଖିବାକୁ ଓ ବାସନ୍ଦ ହୋଇ ରହିବାକୁ ଧର୍ମ ବୋଲି ବୁଝୁ କି ?

 

କିନ୍ତୁ, ଯେଉଁଠି ଶିଖରଟି ପାଦଦେଶକୁ ଭୟ କରେନାହିଁ ଏବଂ ପାଦଦେଶଟି ମଧ୍ୟ ଶିଖରକୁ ଲୁଚି ବୁଲେନାହିଁ, ସେଠାରେ ପ୍ରତ୍ୟାଖ୍ୟାନ କହିଲେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚୟ ଏକ ଅନ୍ୟ ନ୍ୟାୟକୁ ବୁଝାଇବ । ଆମର ଏହି ମାୟାମିଥ୍ୟାମୟ ପୃଥିବୀଟିରେ ମଧ୍ୟ ପର୍ବତ ଶିଖରମାନେ ଗୋଟିଏ ଗୋଟିଏ ପାଦଦେଶକୁ ସ୍ଵୀକାର କରି ଠିଆ ହୋଇ ରହିଛନ୍ତି । ତଳୁ ଉପରଯାଏ ରାସ୍ତା ଅଛି ଓ ଉପରୁ ତଳଯାଏ ମଧ୍ୟ ରାସ୍ତାରେ ରହିଛି । ଏବଂ, ଅଧିକ ବୁଝିଥିଲେ, ତୁମେ ଯେଉଁ ରାସ୍ତାଟିକୁ ଧରି ପାଦଦେଶ ଧରି ପାଦଦେଶରୁ ଶିଖର ପର୍ଯ୍ୟନ୍ତ ଯାଇପାରିବ, ସେହି ରାସ୍ତାଟିରେ ଶିଖରର ପାଦଦେଶ ପର୍ଯ୍ୟନ୍ତ ଓହ୍ଲାଇ ଆସି ପାରିବ । ମନ ହେଲେ ନିଜର ଖାସ୍ ରାସ୍ତାଟିଏ ମଧ୍ୟ ବାହାର କରିବ । ପର୍ବତଟିର ଶିଖର କିମ୍ବା ପାଦଦେଶ କେବେହେଲେ ଆପତ୍ତି କରିବେ ନାହିଁ । ତେଣୁ, ପର୍ବତଟିର ଶିଖରଦେଶ ଯାଏ ଯାଇ ପହଞ୍ଚିବା ଲାଗି ମନାସ କରି ଆସିଥିବା ଜଣେ ଆରୋହୀ ଅନ୍ୟ ଆରୋହୀମାନଙ୍କୁ କିପରି କାହିଁକି ଈର୍ଷ୍ୟା ମଧ୍ୟ କରିବ ? ସେମାନେ ତା’ ଆଗରେ ଥାଆନ୍ତୁ ବା ପାର୍ଶ୍ଵବର୍ତ୍ତୀ ହୋଇ ଚାଲୁଥାନ୍ତୁ ପଛକେ କିମ୍ବା ଏପରିକି ରାସ୍ତାଧରି ଆସୁଥାନ୍ତୁ, ପଛକେ, କାହିଁକି ସେପରି କୌଣସି ବାଦ କରିବ ? ଯଥାର୍ଥ ଆସ୍ପୃହା ମୋଟେ ବାଦ କରେ ନାହିଁ ଏବଂ ଆପଣାର ଭିତରୁ ଅସଲ ସୁରାଖ ଗୁଡ଼ିକ ପାଇ ଯାଉଥିବା ପରି ପୂର୍ଣ୍ଣ ଆସ୍ଥାରେ ଯାତ୍ରା କରୁଥାଏ । ଉଭୟ ନିଜ ଉପରେ ପୂର୍ଣ୍ଣ ଆସ୍ଥା ତଥା ଶିଖରଟି ଉପରେ ମଧ୍ୟ ପରିପୂର୍ଣ୍ଣ ଆସ୍ଥା । ଏଠି ଯିଏ ଡାକୁଥାଏ ଏବଂ ଯିଏ ଉର୍ଦ୍ଧ୍ଵରୁ ଉଅ କରୁଥାଏ, ସେଇଟି ଉପରେ ମଧ୍ୟ ପରିପୂର୍ଣ୍ଣ ଆସ୍ଥା । ସମ୍ପୂର୍ଣ୍ଣତଃ ମିତ୍ରବତ । ସେହି ଶିଖରଟି ସହିତ ଯେତିକି ମିତ୍ରତା, ଏହି ତଳୁ ସେଯାଏ ପଡ଼ିଥିବା ପରି ଦେଖା ଯାଉଥିବା ରାସ୍ତାଟି ସହିତ ମଧ୍ୟ ସେତିକି ମିତ୍ରତା ।

 

ଅର୍ଥାତ୍, ଆସ୍ପୃହା ଅନୁସାରେ ହିଁ ପ୍ରତ୍ୟାଖ୍ୟାନ । ତାହାହିଁ ସମ୍ଭବତଃ ସକଳ ଅର୍ଥରେ ଏକ ସୁସ୍ଥ ପ୍ରତ୍ୟାଖ୍ୟାନ । ତେଣୁ ଆସ୍ପ୍ପୃହାର ଆଦୌ କୌଣସି ଆବେଦନ ନଥାଇ ଯେଉଁ ପ୍ରତ୍ୟାଖ୍ୟାନ, ତାହା ବସ୍ତୁତଃ ଆମ ମୂଢ଼ଜନମାନଙ୍କର ପ୍ରତ୍ୟାଖ୍ୟାନ । ପୃଥିବୀର ଇତିହାସରେ କାଳର କ୍ରମ ଅନୁସାରେ ଧର୍ମ ବୋଲି ପରିଚିତ ଯେଉଁ ମାର୍କା ଏବଂ ମାର୍ଗମାନେ ଆମେ ଏତେଏତେଙ୍କ ପାଇଁ ଭିନ୍ନ ଭିନ୍ନ commandment ମାନନଙ୍କର ତାଲିକା ଦେଇ ଯାଇଛନ୍ତି, ସେମାନେ ଆମକୁ ବରଂ ନାନାପ୍ରକାରେ କପଟୀ ହୋଇ ରହିବାରେ ଚିରଦିନ ସହାୟତା କରି ଆସିଛନ୍ତି କି ? ସବାଆଗ ନିଜପାଖରେ କପଟୀ ଓ ତାହାରି ଗୋଟିଏ ଗୋଟିଏ ଆନୁଷଙ୍ଗିକ ରୂପେ ପରସ୍ପର ପାଖରେ କପଟୀ । ସମ୍ଭବତଃ ଆପଣାର ଠାକୁରମାନଙ୍କୁ ପ୍ରାୟ ଏକ ନିର୍ମଳ ବିବେକ ସହିତ ଠକିବାରେ ଲାଗିଥିବା ଗୋଟିଏ ଗୋଟିଏ ରାଜରାସ୍ତା । ପ୍ରତ୍ୟାଖ୍ୟାନ ମାନଙ୍କୁ ଯେ ଆମେ କେଡ଼େ ନିଷ୍ଠାପର ଭାବରେ ପାଳନ କରୁଛୁ, ସେଥି ସକାଶେ ବିଶାଶହେ କିସମର ‘ମିଛପ୍ରତୀତିମାନ । ଏହି ଗୋଛା ଗୋଛା ବ୍ରତ ଓ ଓଷା, ପର୍ବ ଏବଂ ପାର୍ବଣମାନ,–ଏବଂ ସେଗୁଡ଼ିକୁ ଅଧିକ ଆକର୍ଷଣଗୁଡ଼ିଏ ଯୋଗାଇ ଦେଇ କେତେ କେତେ ସୂତରରେ ନାମ ମଣିଷମାନଙ୍କୁ ଏକାଧିକ ଅହମିକା ମଧ୍ୟରେ ପରିପାଳିତ କରି ରଖିବାର ଏହି ପାରମ୍ପରିକ ଯାବତୀୟ ପ୍ରୟାସ । ଅର୍ଥାତ୍, ଗୋଟିଏ ପାଖରେ ମନାଖୁସି ରଜ୍ଜୁଗୁଡ଼ିକୁ କାଟିଦେଇ ଜଣେ ଜଣେ ରଜାପରି ବଞ୍ଚୁଥିବା ଆମର ଅରାଜକପ୍ରାୟ ଅସଲ ପୋତା ଜୀବନଟି ଏବଂ ଅନ୍ୟପଟରେ ଅନ୍ୟମାନଙ୍କ ଲାଗି ଆମେ ନ୍ୟାୟତଃ ଏକ ଅଭିନୟ ସଦୃଶ ପ୍ରଦର୍ଶିତ କରୁଥିବା ଆମର ନାନାଭାବେ କଳାତ୍ମକ ଉଭା ଏକାବେଳେକେ ଆଉ ଗୋଟାଏ ଜୀବନ । ଏଇଟି ଆମକୁ କ୍ରମେ ନିଶ୍ଚୟ ଖୁବ୍ ସୁଖ ବି ଲାଗି ଆସିଲାଣି ଏବଂ, । ସେହି ନହସଟାରେ ପଡ଼ି ଆମ ଜୀବନରେ ଆସ୍ପୃହା ନାମକ ଆଦୌ କୌଣସି ଅନ୍ୟ ଧର୍ମଟିଏ ଓ ଅନ୍ୟ ସାମର୍ଥ୍ୟଟିଏ ରହିଛି ବୋଲି ଆମେ ହାଉଲେ ହାଉଲେ ପାସୋରି ମଧ୍ୟ ଦେଲୁଣି । ଏକ ଖାସ୍ ମାର୍କା ସ୍ଥିତିବାଦରୁ ଚରୁ ନେଇ ଏବେ ଆମ ଏ ଭୁଇଁର ମଧ୍ୟ କେତେ ସଜ୍ଜ୍ନ ମଧ୍ୟ ତାହାକୁ ଆମ ଏଠା ଆଧୁନିକତାର ସତେଅବା ଗୋଟିଏ ସ୍ଵଭାବଲକ୍ଷଣ ବୋଲି ଘୋଷଣା କରି ସାରିଲେଣି ।

 

ସୁତରାଂ, ଆସ୍ପୃହା ମୁତାବକ ପ୍ରତ୍ୟାଖ୍ୟାନ । ଯାବତୀୟ ଅଧ୍ୟାତ୍ମ ମଧ୍ୟରେ ସେଥିପାଇଁ ଆଗ ଆମର ଆସ୍ପୃହା ଏବଂ ତାହାରି ଅନୁସାରେ ପ୍ରତ୍ୟାଖ୍ୟାନମାନ । ତେଣୁ କେଉଁ ନୀତିବାଦୀ ପ୍ରକୃତରେ କେଉଁ ଅକଲରେ ପ୍ରାୟ କେଉଁ ପାଣ୍ଡିତ୍ୟର ଉତ୍ତାପରେ ପଡ଼ି ଏକାବେଳେକେ ମୂଳରୁ ହିଁ ପ୍ରତ୍ୟାଖାନର ତାଲିକାଟିଏ ଏପରି ପ୍ରସ୍ତୁତ କରି ରଖିଦେଇ ପାରିବ ଏବଂ ସେଗୁଡ଼ିକର ପାଳନ କଲେ ମନୁଷ୍ୟମାତ୍ରେ ଆମ ସମସ୍ତଙ୍କର ଅସଲ ଦ୍ଵାରଗୁଡ଼ିକୁ ନିଶ୍ଚୟ ଖୋଲିଯିବ ବୋଲି ଦାବି ମଧ୍ୟ କରିପାରିବ ? ପୁନଶ୍ଚ, ଆଗ ପ୍ରତ୍ୟାଖ୍ୟାନ ଗୁଡ଼ିକର ଅନୁସରଣ କଲେ ଆମ ଆସ୍ପୃହାର ଅନ୍ୟ ଦ୍ଵାରଗୁଡ଼ିକୁ ସେଥିରୁ ଅବଶ୍ୟ ଉପକୃତ ହେବେ ଓ ଆମକୁ ଏଠାରୁ ସେଠାରୁ ବାଟ ବି ଦେଖାଇଦେବେ ବୋଲି ଆଦୌ କୌଣସି ନିର୍ଭର ଦେଇପାରିବେ ? ସେହି ଦୃଷ୍ଟି ବିଚାରି ଦେଖିଲେ ଆମର ଧର୍ମ ତଥା ତଥାକଥିତ ପ୍ରତ୍ୟାଖ୍ୟାନ ପ୍ରଧାନ ରୁଟିନ୍‌ମାନେ ଆମ ମନୁଷ୍ୟମାନଙ୍କର ଏହି ପୃଥିବୀଟିରେ ଆସ୍ପୃହାଗୁଡ଼ିକର ସର୍ବବିଧ ଅନୁଶୀଳନ କ୍ଷେତ୍ରରେ ବରଂ ପ୍ରତିବନ୍ଧକ ପରି କାର୍ଯ୍ୟ କରି ଆସିଛନ୍ତି କି ? ଆପଣାର ଆରୋହଣ–ସମ୍ଭାବନାର ଆହ୍ଵାନଗୁଡ଼ିକୁ ଧ୍ୟାନ ଦେବାରେ ଆମକୁ ଅସମର୍ଥ ଏବଂ ବହୁ କୁଣ୍ଠିତ କରି ରଖିଛନ୍ତି । ମନୁଷ୍ୟର ଅସଲ ଆଲୋକଟି ବିଷୟରେ ତାକୁ କାର୍ଯ୍ୟତଃ ପଶ୍ଚାତ୍‌ପଦ କରି ରଖିଛନ୍ତି । ଆଦୌ କୌଣସି ଆସ୍ପୃହା ନଥାଇ ତୁଚ୍ଛା ପ୍ରତ୍ୟାଖ୍ୟାନଟାକୁ ଏକମାତ୍ର ଧର୍ମ ବୋଲି ମାନିବା ମଣିଷମାନଙ୍କୁ କ୍ରମେ ଭୀରୁ କରି ପକାଇଛି । ନିଜକୁ ମୂଳ କରି ଅସଲ ଜିଜ୍ଞାସାଗୁଡ଼ିକର ଭାଜନ ହେବାରେ ସେମାନଙ୍କୁ ଅସମର୍ଥ କରି ରଖିଛି । ଏଠି ପୃଥିବୀରେ ବହୁ ଉପଦ୍ରବକୁ ମାନିନେବାରେ ସତେଅବା ବାଧ୍ୟ କରି ରଖିଛି । ଏପରିକି ଆମର ପରିଚିତ ଏହି ଧର୍ମଗୁଡ଼ିକୁ ମଧ୍ୟ ଦୁର୍ବଳ କରି ପକାଇଛି । ବେଳେବେଳେ ଧର୍ମଗୁରୁମାନଙ୍କର କଳାହରଣ କରିନେଇଛି ।

 

ଏହି କଥାଗୁଡ଼ିକୁ ପରିପ୍ରେକ୍ଷୀରେ ରଖି ଆମେ ‘ମାଆ’ ବହିରେ କୁହା ଯାଇଥିବା ଆସ୍ପୃହାର ହୁଏତ ଆଉ କିଞ୍ଚିତ୍ ଆଲୋଚନା କରିପାରିବା, ସାଧନା ନାମକ ଜଗତରେ ଏହି ଆସ୍ପୃହା ହେଉଛି ସବାଆଗ । ଆସ୍ପୃହାଟି ଅନୁସାରେ ହିଁ ପ୍ରତ୍ୟାଖ୍ୟାନ । ଆଗ ପ୍ରତ୍ୟାଖ୍ୟାନର ବହୁ ପ୍ରଦର୍ଶନ ଭିତରେ ପଶି ଆମେ ଗୁଡ଼ାଏ କିଛି କରୁଛୁ ଓ ତେଣୁ ଠିକ୍ ମାର୍ଗରେ ଅଛୁ ବୋଲି ଖୁବ୍ ଉଲ୍ଲସିତ ହୋଇ ରହିଥିବା ଏବଂ ଏକ ଆରେକ ସହିତ ବେଶ୍ ପ୍ରତିଯୋଗିତା କରୁଥିବା ସିନା, ତଥାପି ନାନାପ୍ରକାରେ ହୁଡ଼ି ଯିବାରେ ଲାଗିଥିବା । ଏକ ଶିଖରଯାଏ ଲୟ ରଖି ଯଦି ପ୍ରକୃତରେ ବାଟ ଚାଲୁଥିବା ତେବେ, ଆପଣ ଆରୋହଣର ଆଧାରଶିଳା ମାନଙ୍କୁ ଅଧିକରୁ ଅଧିକ ଅର୍ଥରେ ନିଶ୍ଚିତ ଅର୍ଥାତ୍ ନିର୍ଭରଯୋଗ୍ୟ କରିବାର ସେହି ଆବଶ୍ୟକତା ମାନଙ୍କର ସମ୍ମୁଖୀନ ହୋଇ ଆମେ ଯଥାବଶ୍ୟକ ପ୍ରତ୍ୟାଖ୍ୟାନ ଗୁଡ଼ିକୁ ମଧ୍ୟ ଅବଶ୍ୟ କରି ପାରୁଥିବା । ଆହୁରି ଅଧିକ ସତଘଟଣାଟି ହେଉଛୁ ଯେ, ଉକ୍ତ ପ୍ରତ୍ୟାଖ୍ୟାନ ମାନଙ୍କୁ ଖୋଜି ବାହାର କରିବାକୁ ଆମକୁ କୌଣସି ଶାସ୍ତ୍ର ପାଖକୁ ଯିବାକୁ ପଡ଼ିବ ନାହିଁ,–ନାଇଁ, ଆମ ନିଜର ଅନ୍ତରନୁଭାଟି ଭିତରୁ ଆମେ ସେଗୁଡ଼ିକୁ ପାଇ ଯାଉଥିବା-। ଆମ ଆସ୍ପୃହାଟିର ସ୍ଵକୀୟତାଟି ହିଁ ଆମକୁ କେଡ଼ ସ୍ଵାଭାବିକ ସହଜତା ସହିତ ଆମଲାଗି ସ୍ପଷ୍ଟ କରି ଦେଉଥିବ । ତେଣୁ, ଆସ୍ପୃହା ଅନୁସାରେ ପ୍ରତ୍ୟାଖ୍ୟାନ ଗୁଡ଼ିକ ହେବେ ଏବଂ ସେହି ଆସ୍ପୃହାପଥଟି ଆପଣାର ମୋଡ଼ ଏବଂ ବାଙ୍କମାନଙ୍କୁ ବଦଳାଇବା ସହିତ ଆମ ପ୍ରତ୍ୟାଖ୍ୟାନମାନେ ମଧ୍ୟ କେଡ଼େ ସ୍ଵାଭାବିକତା ସହିତ ବଦଳି ଯାଉଥିବେ । ଏପରି କରିବା ଦ୍ଵାରା କୌଣସି ଅପରାଧ ହୋଇଗଲା ବୋଲି ମୋଟେ ଅନୁଭବ ହେବନାହିଁ । ଯାବତୀୟ ଆରୋହଣର ଏହାହିଁ ରୀତି-

 

ଈଶାବାସ୍ୟ ଉପନିଷଦର ପରମ-ଈଶ୍ଵରଙ୍କ ଦ୍ଵାରା ସୃଜିତ ତଥା ସୃଷ୍ଟ ଏହି ଜଗତକୁ ଭୋଗ କରିବା ବିଷୟରେ କୁହାଯାଇଛି । ହଁ, ଅବଶ୍ୟ ଭୋଗ କରିବା, ମାତ୍ର ତ୍ୟାଗ ଦ୍ଵାରା ଭୋଗ କରିବା । ସେହି ଅଧ୍ୟାତ୍ମସୂତ୍ରଟିର ଅନୁସରଣ କରି ଆମେ ସମ୍ଭବତଃ ଏପରି ମଧ୍ୟ କହିପାରିବା ଯେ, ଆମ ସାଧନାରେ ଏହି ଆସ୍ପୃହାଟି ହେଉଛି ତ୍ୟାଗ, ସମର୍ପଣ ହେଉଛି ଭୋଗ ଏବଂ ପ୍ରତ୍ୟାଖ୍ୟାନ କେଉଁଠାରେ ହିଁ ନାହିଁ । ଜୀବନରେ ଅର୍ଥାତ୍ ସାଧନାରେ ସକଳ ଆସ୍ପୃହା ହେଉଛି ତ୍ୟାଗ; ଏଠି ପଡ଼ିଥିବା ପଦଟିକୁ ସେଠି ନେଇ ପକାଇବାକୁ ହୁଏ, ନହେଲେ ଆଦୌ କୌଣସି ଆରୋହଣ ସମ୍ଭବ ପୁଣି କିପରି ହୁଅନ୍ତା ? ଗିରିଶିଖର ଯାଏ ଲକ୍ଷ୍ୟ ରଖି ସାଧକ ଆପଣାର ଆରୋହଣ ଆରମ୍ଭ କରେ ଓ କିଛି ଉପରକୁ ଉଠି ବି ଯାଇପାରେ, ଏବଂ ତା’ପରେ ଅନ୍ୟ ମାୟାଟିଏ କାହିଁକି ଆସି ଲାଗିଯାଏ କେଜାଣି, ସେ ପହଞ୍ଚିଥିବା ସେହି ସ୍ଥାନଟିରେ ଅଟକିଯାଏ; ତା’ ଗୋଡ଼ଟି ଯେଉଁଠାରେ ପଡ଼ିଥାଏ, ସେଇଠାରେ ରହିଯାଏ । ଅଭିଳଷିତ ଥାନଟିରେ ଆସି ପହଞ୍ଚିଲା ବୋଲି ହୁଏତ ଭ୍ରମଟାଏ ହୁଏ । ତେଣୁ, ଆସ୍ପୃହା ହେଉଛି ଧର୍ମତଃ ଏକ ସତତ ଆରୋହଣର ପ୍ରକ୍ରିୟା : ସତତ ଆରୋହଣର ଶ୍ରଦ୍ଧା ତଥା ସତତ ଆରୋହଣର ସାହସଟିଏ । ଯିଏ ସତକୁ ସତ ମାୟାରେ ପଡ଼ିନାହିଁ, ସିଏ କେଡ଼େ ସୁନିଶ୍ଚିତ ହୋଇ ସର୍ବଦା କହିବ ଯେ, ଶେଷ ଶିଖରଟିଏ ବୋଲି ପ୍ରକୃତରେ ଆଦୌ କିଛି ନଥାଏ । ଉଚ୍ଚତା ପରେ ଉଚ୍ଚତାମାନେ ସତକୁ ସତ ଟାଣିବାରେ ଲାଗିଥାନ୍ତି । ତେଣୁ, ଆମର ଆସ୍ପୃହା ଭିତରେ ଯଦି ସେହି ତ୍ୟାଗର ଶକ୍ତିଟି ରହିଥାଏ, ତେବେ ଆମେ କେବେହେଲେ ଚୂଡ଼ାନ୍ତ ଶିଖରରେ ଆସି ପହଞ୍ଚି ଯାଇଥିବାର ଭ୍ରମ ହୁଏନାହିଁ । ଏବଂ, ଭ୍ରମରେ ନପଡ଼ିବାର ଯେଉଁ ଘଟଣାଟି, ସେଇଟି ପ୍ରତ୍ୟାଖ୍ୟାନ । ଅର୍ଥାତ୍, ଆସ୍ପୃହାରେ ଆବଶ୍ୟକ ତ୍ୟାଗଶକ୍ତିଟି ରହିଥିଲେ ଆମ ଭିତରେ କୌଣସି ପ୍ରତ୍ୟାଖ୍ୟାନର ପ୍ରକ୍ରିୟା ଚାଲିଛି ବୋଲି ମୋଟେ ଅନୁଭବ ହୁଏନାହିଁ । ଶିଖରଟିକୁ ତଥା ଶିଖରଗୁଡ଼ିକୁ ଆମେ ଯେତିକି ସହଜ ଭାବରେ ଦେଖିପାରୁ ଏବଂ ସେଥିଲାଗି ପୂର୍ଣ୍ଣ ଲୟ ସହିତ ଆଗକୁ ଆଗକୁ ଖୋଜଗୁଡ଼ିକୁ ପକାଇବାରେ ସମର୍ଥ ହେଉ, ଆମର ଆସ୍ପୃହାଟି ସମ୍ଭବତଃ ସେତିକି ଶକ୍ତିଯୁକ୍ତ ହୁଏ ଏବଂ ଅଟକି ରହିଯିବାର ପ୍ରମାଦରୁ ଆପଣାକୁ ମୁକ୍ତ କରି ରଖିଥାଏ ।

 

ସମର୍ପଣ ହେଉଛି ଗୋଟିଏ ସମସ୍ଥିତି । ଆପଣାପାଇଁ ଜୀବନ ବଞ୍ଚିବାର ଆଖର ଅସଲ ଘରଟିଏ ପାଇ ଯାଇଥିବା ଏକ ପୂର୍ଣ୍ଣପ୍ରତ୍ୟୟଯୁକ୍ତ ସ୍ଥିତିଟିଏ । ଯାବତୀୟ ଅର୍ଥରେ ଏକ ଅସଲ ଭୋଗର ସ୍ଥିତି । ଜୀବନକୁ ବଞ୍ଚିବାର ସେହି ସ୍ଵାଭାବିକ ସ୍ଥିତି, ଯେଉଁଠାରେ ଶିଖର ଆରୋହଣ ଏବଂ ଆତ୍ମପ୍ରସାରଣ ମଧ୍ୟରେ କୌଣସି ଦ୍ଵନ୍ଦ୍ଵ ନଥିବ, ତଥାକଥିତ ଆଦର୍ଶ ଓ ତଥାକଥିତ ବାସ୍ତବ ମଧ୍ୟରେ କୌଣସି ଦୂରତା ନଥିବ,–ତେଣୁ ଆଖି ଭିତରେ ଆପଣାକୁ ନେଇ କୌଣସି ଜ୍ଵର ମଧ୍ୟ ଆଉ କେଉଁଥିପାଇଁ ରହିବ ? ଯାବତୀୟ ଅଧ୍ୟାତ୍ମରେ ଅଭୀଷ୍ଟ ଥାନଟିରେ ଆସି ପହଞ୍ଚି ଯାଇଥିବାର ଏକ ସହଜ ସ୍ଥିତି ତଥା ପୂର୍ଣ୍ଣାଙ୍ଗ ଅନୁଭୂତି । ଆମେ ତାହାକୁ ହିଁ ଏକ ଭୋଗ ବୋଲି ତ କହିପାରିବା ଆଦୌ କୌଣସି ଅଳ୍ପତା ମଧ୍ୟରେ ଅସାବଧାନ ଭାବରେ ପଡ଼ିଯିବି ବୋଲି ମୋଟେ କୌଣସି ବୈକଲ୍ୟ ମଧ୍ୟ ନଥିବ । ତେଣୁ, ସମର୍ପଣ କହିଲେ ସେହି ସ୍ଥିତିଟିର ପରିପୂର୍ଣ୍ଣ ନ୍ୟାୟରେ ଆପଣାକୁ ନେଇ କାହାରି ପାଖରେ ସତେଅବା ବିଶେଷ କୌଣସି ଆଶାରେ ସମର୍ପି ଦେଇ ଆସିବାକୁ ଆଦୌ ବୁଝାଇବ ନାହିଁ । ସତକୁ ସତ ଏପରି ଏକ ଅନ୍ୟ ସାବଲୀଳତାରେ ଜୀବନଟିଏ ବଞ୍ଚିବା, ଯାହାଫଳରେ ଆମକୁ ଆଦୌ କିଛିହେଲେ ବର୍ଜନ କରିବାକୁ ପଡ଼ିଛି ବୋଲି କଦାପି ଅନୁଭବ ହେବନାହିଁ । ମୋଟେ ନିଃସଙ୍ଗ ଲାଗିବ ନାହିଁ । ସଂସାରଟାଯାକ ସାଙ୍ଗରେ ଥିବ । ଏବଂ, ଯିଏ ସର୍ବଦା ହିଁ ଆମ ସହିତ ରହି ଆସିଛନ୍ତି ଏବଂ ଜନନୀରୂପେ ଆମର ଶୁଶ୍ରୂଷା ମଧ୍ୟ କରି ଆସିଛନ୍ତି, ସିଏ ନିଜର ସବର୍ବିଧ ସାମୀପ୍ୟ ଦେଇ ଆମକୁ ଧନାଢ଼୍ୟ କରି ରଖିଛନ୍ତି । ବର୍ତ୍ତମାନ ଚାଲ ତାଙ୍କରି ସମୀପରେ ଥାଇ କହିବ ତ, ଜଣେ ସନ୍ତାନ ପାଇଁ ଏଇଟିଠାରୁ ବଳି ଅଧିକ ଆନନ୍ଦଦାୟକ ଭୋଗ ଆଉ ପ୍ରକୃତରେ କ’ଣ ହୋଇପାରେ ! ଜଣେ ସନ୍ତାନ ହିଁ ସେହି ଭୋଗର ଅଧିକାରୀ ହୋଇପାରେ ଓ ନିତାନ୍ତ ସାଧାରଣ ଭାବରେ ଅଧ୍ୟାତ୍ମ–ସାଧନାର ସେହି ଅସାଧାରଣଟିକୁ ଆପଣାର ଏକ ନିତ୍ୟସୌଭାଗ୍ୟ ରୂପେ ରୂପାନ୍ତରିତ କରି ଦେଇପାରେ ।

 

ଏହି ପର୍ଯ୍ୟନ୍ତ ଆସି ଆମେ ବର୍ତ୍ତମାନ ଆମର ଖିଅଗୁଡ଼ିକୁ ନିଶ୍ଚୟ ଗୋଟିଏ ସରି ପରି କରି ସଜାଡ଼ି ଆଣି ପାରିବା । ଯେଉଁମାନେ କ’ଣ ସବୁ ଆପେ ଭିଆଇଥିବା ଏଇଟି ସେଇଟି ଭିତରେ ପଡ଼ି ପ୍ରତ୍ୟାଖ୍ୟାନକୁ ହିଁ ସର୍ବପ୍ରଧାନ ବୋଲି ମାନନ୍ତି ଏବଂ ଏପରିକି ନିଜ ଜୀବନଯାକ ନାନା ଉତ୍ସାହରେ ପ୍ରତ୍ୟାଖ୍ୟାନ ସହିତ ଛନ୍ଦି ହୋଇ ରହିଥାନ୍ତି, ସେମାନେ ସତକୁ ସତ ଆପେ ଆଦରି ନେଇଥିବା ସେଗୁଡ଼ିକୁ ପାଖରେ ହାରି ଯାଇଥାଆନ୍ତି କି ? ଏବଂ ସେହି ଲଜ୍ଜାଟିକୁ ଲୁଚାଇ ରଖିବାକୁ ବାହାରେ ଅନ୍ୟ ତୁମ ଆମଙ୍କ ଉପରେ ଆଣି ଲଦିଦେବାକୁ ଏତେ ଆଗ୍ରହ ପ୍ରଦର୍ଶନ କରନ୍ତି କି ? ଅଭୀପ୍ସା ବ୍ୟତୀତ ଆଦୌ କୌଣସି ସମର୍ପଣ ବସ୍ତୁତଃ ସମ୍ଭବ ହିଁ ହୁଏନାହିଁ । ତ୍ୟାଗ ବିନା ଆମର ଅଧିକାଂଶ ଭୋଗ–ଆସ୍ପୃହା ସମ୍ଭବତଃ ପ୍ରକାର ପ୍ରକାରର କାମନା–ସ୍ତରରେ ପ୍ରତିହତ ହୋଇ ରହିଥାଏ । ତେଣୁ, ଅଭୀପ୍ସା ଦ୍ଵାରା ଥାକରୁ ଥାକ ଏବଂ ସ୍ତରର ସ୍ତର ଉଠି ଚାଲିଯିବାକୁ ହେଉଥାଏ । ଏଇଟିରୁ ପାଦ ଉଠାଇ ସେଇଟିରେ ପାଦଟିଏ ଥାପିବାର ତ୍ୟାଗବୁଦ୍ଧି ନଥିଲେ ଆମ ଲକ୍ଷ୍ୟର ଶିଖରମାନଙ୍କୁ ଆପଣାର ଶ୍ରଦ୍ଧା ତଥା ଚେତନା ଭିତରେ ମୋଟେ ଠାବ କରି ହୁଏ ନାହିଁ । ତେଣୁ, ଉପନିଷଦ ସେହି ଅଧ୍ୟାତ୍ମବାର୍ତ୍ତାଟି ଅନୁସାରେ ତ୍ୟାଗଦ୍ଵାରା ଭୋଗ ଅଭୀପ୍ସାଦ୍ଵାରା ହିଁ ଯାବତୀୟ ସମର୍ପଣର ମର୍ମପ୍ରବେଶ କରିବା । ଏବଂ, ଆହୁରି ଅଧିକ ସତ୍ୟନିଷ୍ଠ ଭାବରେ କୁହାଯାଇ ପାରିବ ଯେ, ଆମର ଅଭୀପ୍ସା ଅର୍ଥାତ୍ ଆସ୍ପୃହାଟି ସକଳ କ୍ଷେତ୍ରରେ ଆମ ସମର୍ପଣର ମର୍ମସ୍ଥ ଦ୍ରବ୍ୟଗୁଣ ଗୁଡ଼ିକର ନିର୍ଣ୍ଣୟ କରେ । ସେହି ଅନୁସାରେ, ଆମେ ଯେତେ ଯାହା ଅସ୍ଵୀକାର କରିବାରେ ଲାଗିଥିଲେ ମଧ୍ୟ, ଆମକୁ କିସମ କିସମର ଅଧବାଟ ମାନଙ୍କରେ ଘୁଙ୍ଗୁଳାଇ ରଖିଥାଏ ।

 

ଆମ ଆସ୍ପୃହା ଅନୁସାରେ ହିଁ ଆମର ଯାବତୀୟ ତ୍ୟାଗ, ଏବଂ ସେହି ତ୍ୟାଗମାନେ ଯେତିକି ଫରଚା, ଆମ ସମର୍ପଣଟି ମଧ୍ୟ ସେହି ଅନୁସାରେ ସେତିକି ଫରଚା । ସେହି ଦୃଷ୍ଟିରୁ ଆମ ଆସ୍ପୃହାଚୟକୁ ମଧ୍ୟ ସେତିକି କମ୍ କିମ୍ବା ଅଧିକ ବୋଲି କୁହା ବି ଯାଇପାରିବ କି ? ସମ୍ଭବତଃ, ଆମ ପ୍ରତ୍ୟାଖ୍ୟାନମାନେ ଯେତିକି ଅଲଗା ହୋଇ ବାରିହୋଇ ପଡ଼ନ୍ତି ଅର୍ଥା୍ତ ଯେତିକି ଆଡ଼ମ୍ବର ସହିତ ଆମ ବ୍ୟାବହାରିକ ଚେତନାକୁ ମାଡ଼ି ବସିଥାଆନ୍ତି, ଆମ ଆସ୍ପୃହାଟି ମଧ୍ୟ ସେତିକି ନାନାପ୍ରକାରେ ଅନ୍ୟ ସଂକ୍ରାମିତ ହୋଇ ରହିଯିବାରେ ଲାଗିଥାଏ ଏବଂ ସେହି କାରଣରୁ ଆମ ସମର୍ପଣକୁ ମଧ୍ୟ ବିଚଳିତ କରିଦିଏ । ଆମର ତ୍ୟାଗଟା ସଫାହୋଇ ପାରେ ନାହିଁ ଏବଂ ଆମର ଭୋଗ ମଧ୍ୟ ଏକାଧିକ ବାସ୍ତବତାରେ ବେଶ୍ ଛିଦ୍ରଯୁକ୍ତ ହୋଇ ରହିଯାଏ । ଆମ ଯାବତୀୟ ସୁସ୍ଥ ସଂପ୍ରସାରଣରେ ବାଧା ଆଣିଦିଏ । ପୃଥିବୀର ଏହି ଏକାଧିକ ଧର୍ମ ସେହିଭଳି କେତେ ବିପର୍ଯ୍ୟୟ ହେତୁ ଆମକୁ ଆମ ଇସ୍ପିତମାନଙ୍କ ଯାଏ ବେଳେ ବେଳେ ସୁସ୍ଥ ଏବଂ ସଳଖ ହୋଇ ପୂର୍ଣ୍ଣ ସକାରାତ୍ମକ ଭାବରେ ଯିବାଲାଗି ମଧ୍ୟ ବାଟ ଛାଡ଼ିନାହାନ୍ତି କି ? ଆମେ ଯଥୋପଯୁକ୍ତ ଭାବରେ ଡାକି ପାରିନାହୁଁ ଏବଂ ସେଥିଲାଗି ଯଥାର୍ଥ ପରିମଳଟି ସହିତ ଡାକି ପାରିନାହୁଁ ଓ ଫଳରେ ଯାଥାର୍ଥ ଉଅଟିଏ ଶୁଣି ପାରିନାହୁଁ । ଯେଉଁ ସତ୍ୟଟି ଆମ ଅନୁମାନଟା ଅନୁସାରେ ଆମର ଏଠୁ କେତେ ଊର୍ଦ୍ଧ୍ଵରେ ଯାଇ ରହିଛି, ସେଇଟି ଏଇଟି ଆମର ଆସ୍ପୃହାରୂପେ ଆମ ଭିତରେ ମଧ୍ୟ ରହିଛି ଓ ଅସଲ ଭେଟଟିଏ ନିମନ୍ତେ ଅପେକ୍ଷା କରିଛି, ଆମେ ସେହି ଅକଲଟିକୁ ବୁଝି ପାରିନାହୁଁ । ତେଣୁ, ଭେଟ ଅବଶ୍ୟ ହେବ ବୋଲି ବିଧି ନିର୍ଦ୍ଦିଷ୍ଟ ହୋଇ ରହିଥିଲେ ମଧ୍ୟ ଆମପାଇଁ ତାହା ଗଢ଼ି ଗଢ଼ି ହିଁ ଯାଇଛି । ଏବଂ, ପଣ୍ଡିତମାନେ ଯାହା କହନ୍ତୁ ପଛକେ, ସେହି ଭେଟଟି ଉପରେ ହିଁ ତ ଆମ ସାଧନାର, ଆମ ଜୀବନର ତଥା ଆମର ଏହି ପର୍ବତ ଆରୋହଣ ସକଳର ନିୟତିଗୁଡ଼ିକୁ ନିର୍ଭରଶୀଳ ହୋଇ ରହିଛିନ୍ତି !

Image

 

Unknown

ତୃତୀୟ ଅଧ୍ୟାୟ

 

ପୁସ୍ତକଟିର ତୃତୀୟ ଅଧ୍ୟାୟଟିକୁ ଶ୍ରୀଅରବିନ୍ଦ ଯେଉଁପରି ଭାବରେ ଆରମ୍ଭ କରିଛନ୍ତି, ଅଧ୍ୟାୟଟିର ଏକ ଆଲୋଚନା ମଧ୍ୟରେ ପ୍ରବେଶ କରିବାର ଏହି ଆରମ୍ଭରେ ହିଁ ଆମେ ସେଇଟିକୁ ଅବଶ୍ୟ ଆମ ହେତୁରେ ରଖିଥିବା । ମାତ୍ର ଦୁଇ ପୃଷ୍ଠାର ଅଧ୍ୟାୟଟି, କିନ୍ତୁ ସେଥିରେ ଏକ ବିଶେଷ ମହତ୍ତ୍ଵ ନିଗୂଢ଼ ହୋଇ ରହିଥିବା ପରିବେଶ ସ୍ପଷ୍ଟ ହୋଇ ଯାଉଛି । ଆଦ୍ୟ ଦୁଇ ଅଧ୍ୟାୟରେ ଆମକୁ ଯେଉଁ ସୁରକ୍ଷାର କଥା କୁହାଯାଇଛି (ଶ୍ରୀ ଅରବିନ୍ଦ armoured ଶବ୍ଦଟିକୁ ବ୍ୟବହାର କରିଛନ୍ତି), ତାହା ଆମକୁ ଯାବତୀୟ ଅର୍ଥରେ ଭୟମୁକ୍ତ କରି ରଖିଥିବ । ଅଧ୍ୟାତ୍ମ ସାଧନାରେ ଆମ ଭିତରେ କୌଣସି ପ୍ରକାର ଭୟର ହିଁ ଅବକାଶ ନଥାଏ । ଏବଂ, ଜଣେ ସନ୍ତାନର ଯେକୌଣସି ଚାରଣାକୁ ତ ସକଳ କ୍ଷେତ୍ରରେ ଆମେ ଗୋଟିଏ ଆଧ୍ୟାତ୍ମିକ ଚାରଣା ଏବଂ ସାଧନା ବୋଲି କହିବା । ମାଗିବାର ଆଦୌ କୌଣସି କାତରତା ନାହିଁ । ତେଣୁ, କାଳେ ମୋତେ ଯାହା ସବୁ ମିଳିବ ବୋଲି ଆପଣାକୁ ସାନ୍ତ୍ଵନାମାନ ଦେଇ ମୁଁ ଏକ ସାଧନା ମଧ୍ୟକୁ ଆସିଛି, ଯଦି ମୋତେ ସେଗୁଡ଼ିକ କ’ଣ ପାଇଁ ନମିଳେ, ଯଦି ଗୋଡ଼ ଖସିଯାଇ ସେହିପରି କୌଣସି ବିଚ୍ୟୁତି ଘଟେ, ତେବେ ମୋ’ର ଏହି ସକଳ ସାଧନାଶ୍ରମ ବିଫଳ ହୋଇଯିବ ବୋଲି ଏକ ନିତାନ୍ତ ଅନ୍ୟମନସ୍କକାରୀ ଭୟ ମୋତେ ଅତ୍ୟନ୍ତ କାତର କରି ରଖିଥାଏ । ବହୁ ସାଧନାକ୍ଷେତ୍ରର ଗୁରୁମାନେ ମଧ୍ୟ ଆମକୁ ସେହି ସବୁ ଭୟ ବିଷୟରେ ଅତି ସଚେତନ କରି ରଖିଥାଆନ୍ତି । ତେଣୁ, ବହୁତ ସମୟରେ ଆମେ ସେହି ଗୁରୁମାନଙ୍କୁ ମଧ୍ୟ କ’ଣ କମ୍ ଭୟ କରୁ ? ସାଧନାପଥଟିର ବୋଲ ନମାନି ହୁଏତ ଗୁରୁମାନଙ୍କର ବୋଲ ମାନିବାକୁ ଅଧିକ ନିରାପଦ ବୋଲି ବିଚାର ବି କରୁ ।

 

ଶ୍ରୀ ଅରବିନ୍ଦ ସାଧନାଦ୍ଵାରା କ’ଣଟିଏ ହେବାର କଥା କହିଛନ୍ତି, ଏକ ବାଟ ଚାଲିବା କଥା କହିଛନ୍ତି, ଶିଖରଟିଏ ଆରୋହଣ କରିବା କଥା କହିଛନ୍ତି । ଏବଂ ଭୟମୁକ୍ତ ନହେଲେ ଆମେ ଆଦୌ କିଛି ମଧ୍ୟ ହୋଇପାରିବା କିପରି, ଭୟମୁକ୍ତ ନ ହେଲେ ଆମେ ଆଦୌ ସନ୍ତାନଟିଏ ମଧ୍ୟ କିପରି ହୋଇପାରିବା ? କାଳେ ବିଘ୍ନ ଏବଂ ପ୍ରମାଦମାନ ଆସିବେ ଏବଂ ପ୍ରବଳରୁ ପ୍ରବଳ ହୋଇ ଆମକୁ ବିଲୁପ୍ତ କରିଦେବେ, ଏହିଭଳି ଶଙ୍କାଗୁଡ଼ିକ ଆମକୁ ଘାରି ରହିଥିବା ପର୍ଯ୍ୟନ୍ତ ଆମେ ନିଦକ ହୋଇ ଆଗକୁ ଆଗକୁ ଖୋଜ ମଧ୍ୟ କିପରି ପକାଇ ପାରିବା ? ତେଣୁ, ଉପଯୁକ୍ତ ଭାବରେ armoured ହୋଇଥିବା ଅର୍ଥାତ୍ ସର୍ବଦା ଆପଣାକୁ ପୂର୍ଣ୍ଣ ସୁରକ୍ଷିତ ବୋଲି ଅନୁଭବ କରୁଥିବା । ଆମେ ନିଜେ ପିନ୍ଧିଥିବା ଏହି ସୁରକ୍ଷା–ମାର୍ଗଟି ପ୍ରକୃତରେ କେତେ ନିର୍ଭରଯୋଗ୍ୟ, ସେକଥାଟି ଅନ୍ତତଃ ଆମ ବିବେଚନାଟି ଦିଗରୁ କହିବାକୁ ଗଲେ ସବାଆଗ ଆମ ଉପରେ ହିଁ ନିର୍ଭର କରିବା ଉଚିତ । ଆମର ଏହି ସୁରକ୍ଷା ଯେତିକିଯାଏ ସମର୍ଥ ହୋଇ ପାରିବା ନିମନ୍ତେ ତିଆରି ହୋଇଛି ସେଇଟି ଆମକୁ କେବଳ ସେତିକିଯାଏ ଭୟମୁକ୍ତ କରି ଯେ ପାରିବ, ସେହି ସବାବଡ଼ ସତକଥାଟିକୁ ଆମେ କେବେ ମଧ୍ୟ ପାସୋରି ପକାଇବା ନାହିଁ । ଦିବ୍ୟ ଜନନୀଙ୍କୁ ଆଶ୍ରେ କରୁଥିବା ଆମକୁ ଭୟମୁକ୍ତ କରି ଆଣିବାର ଦାୟିତ୍ଵଟି ମଧ୍ୟ ତାଙ୍କରି ବୋଲି ଆମେ କେଡ଼େ ସହଜ ନାନା ଗେଲବସରପଣ କରି ଭାବିବାରେ ଲାଗିଥିଲେ ମଧ୍ୟ ଦିବ୍ୟ ଜନନୀ ତଥାପି ସେହି କଥାଟିକୁ ଆଗତୁରା ନିଜ ଆଡ଼ୁ କରି ଦେବେନାହିଁ । ଆମେ ମନୁଷ୍ୟମାନେ ଏହିପରି ଭୟଗ୍ରସ୍ତ ହୋଇ ରହିଥାଉ ବୋଲି ଇଚ୍ଛା କରୁଥିବାରୁ ଯେ ସିଏ ଏଭଳି କରିବେ, ସେକଥା ମୋଟେ ନୁହେଁ । ଆମେ ପ୍ରତ୍ୟେକେ ଯାବତୀୟ ଭୟରୁ ମୁକୁଳି ତାଙ୍କ ପାଖରେ ଶୀଘ୍ରାତିଶୀଘ୍ର ଯାଇ ପହଞ୍ଚୁ ବୋଲି ସିଏ ତ ସକଳ ଅର୍ଥରେ ଆମଠାରୁ ମଧ୍ୟ ଆହୁରି ଅଧିକ ଆଶା କରୁଥିବେ ଓ ଅପେକ୍ଷା କରି ରହିଥିବେ ।

 

ଏବଂ, ଦିବ୍ୟଜନନୀଙ୍କ କଥା ତ ହୁଏତ ପଛରେ ପଡ଼ିପାରିବ, ମାତ୍ର ଆମର ଏହି ନିତାନ୍ତ ଅଳପ ହିସାବର ପୂରା ପୃଥିବୀରେ ମଧ୍ୟ ନିଜ ସନ୍ତାନମାନଙ୍କର ଅଗ୍ରଗତି ଓ ଅଭିବୃଦ୍ଧି ଇଚ୍ଛା କରୁଥିବା ଜଣେ ସାଧାରଣ ଜନନୀ ମଧ୍ୟ ସେପରି କରିବା ପାଇଁ ମନ କରିବ ନାହିଁ । ନିଜ ପିଲାଟି ଗୋଡ଼ଗୁଡ଼ିକୁ ଦମ୍ଭ କରି ଯେତେବେଳେ ଚାଲି ଶିଖୁଥାଏ, ସେତେବେଳେ ପିଲାଟା ମୋତେ ତଳେ ନପଡ଼ୁ ଓ ତଥାପି ଚାଲିଶିଖୁ ବୋଲି କେବେହେଲେ ଚିନ୍ତା କରିବ ନାହିଁ । ହଁ, ପାଖେ ପାଖେ ଥିବ, ନିଘା ରଖିଥିବ, ସେପରି କୌଣସି ବଡ଼ ପ୍ରକାରର ଅଘଟଣ ଯେପରି ନଘଟେ, ସେଥିଲାଗି ଜାଗ୍ରତ ଥିବ । ଏପରିକି ପିଲାଟି କୌଣସି କାରଣରୁ ପଡ଼ିଗଲେ ମଧ୍ୟ ତାକୁ ଆସି ଉଠାଇଦେବ । ଦି’ପଦ କ’ଣ କହି ଆଶ୍ଵାସନା ଦେବ । ଦମ୍ଭ ଦେବ । କିନ୍ତୁ ତାକୁ ପୁଣି ତା’ ନିଜ ପ୍ରଚେଷ୍ଟାଟିରେ ପୁନର୍ବାର ଛାଡ଼ି ଦେଇଯିବ । ଅର୍ଥାତ୍, ମାଆ ମୋ’ ପାଖେ ସର୍ବଦା ହିଁ ରହିଛି, ସିଏ ମୋତେ କଦାପି ଛାଡ଼ି ଚାଲିଯିବ ନାହିଁ, ପିଲାଟି ନିରନ୍ତର ଉତ୍ତମରୂପେ ବୁଝିଥିଲେ ମଧ୍ୟ ସିଏ ଆଖର ଆପେ ହିଁ ନିଜର ଅଣ୍ଟାଟିକୁ ସିଧା କରି ଚାଲି ଶିଖିବ ଏବଂ ତେବେ ସିନା ତା’ର ଗୋଡ଼ମାନେ ଆପଣାର ସ୍ଵଧର୍ମ ସମର୍ଥତାଟିଏ ହାସଲ କରିପାରିବ ! ଏବଂ, ମାଆ ପାଖରେ ସେଥିଲାଗି କୃତଜ୍ଞ ହିଁ ରହିବେ । ମାଆଟି ମଧ୍ୟ ନିଜ ପିଲାଟି ଏଥର ଚାଲି ଶିଖିଲାଣି ବୋଲି ପ୍ରତ୍ୟକ୍ଷ କରି କେତେ ଆଶ୍ଵସ୍ତ ନହେବ ! ତେଣୁ ଭୟଯୁକ୍ତ ହେବାର ଦାୟିତ୍ଵ ହେଉଛି ଆମ ସନ୍ତାନମାନଙ୍କର । ପ୍ରାୟ ଏକ ବ୍ୟାଧି ପରି ଯେଉଁସବୁ ଅନ୍ୟ ବିବେକରେ ମନୁଷ୍ୟମାନଙ୍କୁ ଏଣୁତେଣୁ ନାନା ପ୍ରଲୁବ୍ଧତାରେ ଭୁଲାଇ ଭଣ୍ଡାଇ ରଖିବାର ଅଭ୍ୟାସ ମଧ୍ୟରେ ଯେଉଁମାନେ ପଡ଼ି ରହିଥାନ୍ତି, ସେମାନେ କେବଳ ନିଜର ଅନ୍ୟଗାମୀ ମାନଙ୍କୁ ନୁହେଁ, ସମ୍ପୂର୍ଣ୍ଣ ପୃଥିବୀଟାକୁ ମଧ୍ୟ ଦାୟିତ୍ଵହୀନ ହୋଇ ରହିବାରେ ସହାୟକ ହୁଅନ୍ତି । ସେହି ଖାସ୍ ସାଧନା–ସୋପାନର ସ୍କୁଲଟିରୁ କ୍ଷଣକ ଲାଗି ବାହାରି ଆସି ଆମ ପିଲାମାନଙ୍କର ଇସ୍କୁଲଯାଏ ଆସି ଖୁବ୍ ଜାଣିପାରିବା ଯେ ଏବେ କ୍ରମେ ସେହି କ୍ଷେତ୍ରରେ ମଧ୍ୟ ଅଧିକରୁ ଅଧିକ ମନଧ୍ୟାନ ସହିତ ସେହି କଥାଟିର ଅଧିକରୁ ଅଧିକ ଚର୍ଚ୍ଚା ହେଲାଣି । ଆଗେ ତ ସର୍ବୋତ୍ତମ ଶିକ୍ଷା ସ୍ଥୂଳତଃ ତାହାକୁ କୁହା ଯାଉଥିଲା, ଯେଉଁଟିରେ ଶିକ୍ଷକ କେଡ଼େ ସନ୍ତର୍ପଣ ସହିତ ଶିକ୍ଷାର୍ଥୀମାନଙ୍କୁ ଯାବତୀୟ ସହାୟତା ଯୋଗାଇ ଦେଉଥିଲା । ସିଏ ସତେଅବା ଆପେ ହିଁ ଶିକ୍ଷାର୍ଥୀମାନଙ୍କର ବାଟଗୁଡ଼ିକୁ ଚାଲିବାକୁ ଆପଣାର ପରମ କର୍ତ୍ତବ୍ୟ ଭଳି ମନେ କରୁଥିଲା । ଜଣେ ଶିକ୍ଷାର୍ଥୀ ନିଜକୁ ଆଗ ଗ୍ରହଣକ୍ଷମ କରି ତିଆରି କରି ଅର୍ଥାତ୍ ପ୍ରସ୍ତୁତ ବୋଲି ପ୍ରତ୍ୟୟଟିଏ ଦେବାର ଆଦୌ କୌଣସି ପ୍ରୟୋଜନ ରହିଛି ବୋଲି ଜାଣୁନଥିଲା । ଅଧ୍ୟାତ୍ମରେ କିନ୍ତୁ ସମଗ୍ର ଆବେଦନଟି ଧର୍ମତଃ ଅଲଗା ପ୍ରକାରର । ଏବଂ, ଏବେ ଆମ ବିଦ୍ୟାଳୟମାନଙ୍କର ଶିକ୍ଷା ଗୋଟାସୁଦ୍ଧା ମାନସିକତାର କସରତ ହୋଇ ନରହି ଏକ ସମଗ୍ର ଜୀବନର ଯୋଗ୍ୟ ହୋଇ ତିଆରି ପ୍ରାୟ ଗୋଟାସୁଦ୍ଧା ଏକ ଅନ୍ୟପ୍ରକାର ଆହ୍ଵାନର ଅନୁକୂଳ ଭୂମିଗୁଡ଼ିକ ତିଆରି ହୋଇ ଆସିବାର ପ୍ରସଙ୍ଗଟିକୁ ଉତ୍‌ଥାପନ କଲାଣି ଓ ତେଣୁ ଆମ ଜୀବନନିର୍ମାଣର ସବାମୂଳ ଆଗ୍ରହଟିକୁ ଅଧିକରୁ ଅଧିକ ପ୍ରାସଙ୍ଗିକତା ସହିତ ସ୍ପଷ୍ଟତଃ ଏକ ଅଧ୍ୟାତ୍ମର ପରିଧିସ୍ତରକୁ ଉନ୍ନୀତ କରିନେବାର ସାହସ ମଧ୍ୟ କରୁଛି । ଏବଂ ବନ୍ଧୁ, ଆମର ସର୍ବବିଧ ଅଧ୍ୟାତ୍ମ-ଅନୁଶୀଳନକୁ ମଧ୍ୟ ପରିପୂର୍ଣ୍ଣ ନ୍ୟାୟରେ ଆମେ ଏକ ସାହସ ବୋଲି କହିବା । ସାଧକ ଏବଂ ସନ୍ତାନ ନିଜ ତରଫରୁ ହିଁ ତାହାର ପ୍ରମାଣ ଦେବ । ସବାଆଗ ଉପଯୁକ୍ତ ସାଞ୍ଜୁଟିକୁ ପିନ୍ଧିବ ଏବଂ ଆପଣାକୁ ସୁରକ୍ଷିତ ମଣିବ । ଏହି ସୁରକ୍ଷିତ ଅନୁଭବ କରିବାର ଯେଉଁ ସାହସଯୁକ୍ତ ସ୍ଥିତି, ଆମେ ସତକୁ ସତ ଭୟମୁକ୍ତ ବୋଲି ସେଇଟି ହିଁ ତ ସବୁଠାରୁ ବଡ଼ ପ୍ରମାଣ ଆଣିଦେବ । ଆମକୁ ମାର୍ଗ କଢ଼ାଇ ଆଗକୁ ଆଗକୁ ନେଇଯିବ ।

 

ଅର୍ଥାତ୍, ଆମଠାରୁ ଅପେକ୍ଷା ରହୁଥିବା ସେହି ପ୍ରତ୍ୟୟପତ୍ରଟି ହେଉଛି ଆମର ଆସ୍ପୃହା, ଆମର ପ୍ରତ୍ୟାଖ୍ୟାନ ଓ ଆମର ସମର୍ପଣ । ଏବଂ, ସବୁଠାରୁ ତଥାପି ଅସଲଟି ହେଉଛି ଆମର ଆସ୍ପୃହା । ଆସ୍ପୃହା ଅନୁସାରେ ଆମର ପ୍ରତ୍ୟାଖ୍ୟାନ । ପ୍ରତ୍ୟାଖ୍ୟାନମାନେ କେଡ଼େ ସହଜ ଭାବରେ ଆମଠାରୁ ଖସି ପଡ଼ୁଥିବେ ଏବଂ ଆମ ପଥରୁ ହଟି ଯାଉଥିବେ ଯେ ଆମେ ପ୍ରକୃତରେ ଆମକୁ କିଛି ଛାଡ଼ିବାକୁ ପଡ଼ୁଛି ବୋଲି ଆଦୌ ଜାଣି ପାରୁନଥିବା । ଏବଂ ତା’ପରେ ଯେଉଁ ଜୀବନସ୍ଥିତିଟି, ତାହାକୁ ସମର୍ପଣ ବ୍ୟତୀତ ଆଉ ଅଲଗା ବୋଲି କ’ଣ କୁହାଯିବ ? ଶ୍ରୀ ଅରବିନ୍ଦ ସେହି ବିଷୟରେ ଏହି ତୃତୀୟ ଅଧ୍ୟାୟଟିରେ ମଧ୍ୟ ଆମଲାଗି ଆହୁରି କିଛି ବିଷୟରେ ସଜ୍ଞାନ କରି ଦେଇଛନ୍ତି । ଯାବତୀୟ ଭୟ ତଥା ପ୍ରମାଦଚିନ୍ତାରୁ ସୁରକ୍ଷିତ ହୋଇ ଜୀବନରେ ବିଚରଣ କରିବାକୁ ହେଲେ ତାଙ୍କ କଥାରେ କେବଳ ଦୁଇଟି ପଦାର୍ଥର ପ୍ରୟୋଜନ ରହିଛି:-ଏବଂ ଏଇ ଦୁଇଟିଯାକ ପଦାର୍ଥ ପରସ୍ପରଠାରୁ ମୋଟେ ଅଲଗା ନୁହନ୍ତି, ଅର୍ଥାତ୍ ଗୋଟିଏ ଥିଲେ ଆରଟି ଅବଶ୍ୟ ଥାଏ ଏବଂ, ତେଣୁ ଆଗ ଏଇଟି ହାସଲ କଲେ ସେଇଟି ହାସଲ ହେବ କିମ୍ବା ସେଇଟି ହାସଲ ହେଲେ ଯାଇ ଏଇଟି ଉପରେ ଧ୍ୟାନ ଦେବାକୁ ହେବ, ମୋଟେ ସେପରି ନୁହେଁ । ଗୋଟିଏ ହେଉଛି ଦିବ୍ୟ ଜନନୀଙ୍କର କରୁଣା ଏବଂ ଆଉ ଗୋଟିଏ ଆମ ଜୀବନରେ, ଏପରି ଏକ ଅନ୍ତର୍ଗତ ସଦା ସ୍ଥିତି ଯାହାକି ବିଶ୍ଵାସ, ଆନ୍ତରିକତା ତଥା ସମର୍ପଣ ଦ୍ଵାରା ସମ୍ବଳିତ ହୋଇ ରହିଥିବ । ଲକ୍ଷ୍ୟ କରି ପାରୁଥିବା ଉଚିତ, ଏଠାରେ ଆସ୍ପୃହା ସ୍ଥାନରେ ବିଶ୍ଵାସ ଶବ୍ଦଟିର ବ୍ୟବହାର କରିଯାଇଛି । ଏହିଟିକୁ ଆମେ କଦାପି ଆକସ୍ମିକ ବୋଲି କହିବା ନାହିଁ । ମର୍ମତଃ ସେହି ଗୋଟିଏ କଥା, ମାତ୍ର ଆମେ ଯେପରି ସେଥିରେ ଥିବା ଆହ୍ଵାନଟିକୁ ଯଥେଷ୍ଟ ପ୍ରାଞ୍ଜଳ ଭାବରେ ବୁଝିବାକୁ ସମର୍ଥ ହେବା, ସେଇଥିପାଇଁ ଆମକୁ ଦୁଇଟି ଶବ୍ଦରେ ସୂଚାଇ ଦିଆଯାଇଛି । ବିଶ୍ଵାସ କହିଲେ ଆମ ବ୍ୟାବହାରିକ ଜୀବନରେ କେତେ କ’ଣ ଅର୍ଥରେ ଆମେ ପ୍ରତ୍ୟେକେ ଅବଶ୍ୟ ବୁଝିଥିବା । ତତ୍ତ୍ଵକାରମାନେ ତ ଏହାର ଯଥାର୍ଥ ଦୈଘ୍ୟପ୍ରସ୍ଥ ଗୁଡ଼ିକୁ ଆମ ସାଧାରଣଙ୍କ ପାଇଁ ସଚଳ କରିଦେବା ସକାଶେ କେତେ କେତେ ଶ୍ରମ କରି ଆସିଛନ୍ତି । ଆଗ ଅନ୍ୟ ବିଶ୍ଵାସ ମାନଙ୍କୁ ଅଳପ ବା ଭ୍ରାନ୍ତିଯୁକ୍ତ ବୋଲି ସିଦ୍ଧ କରିଦେଲେ ମୋ’ ନିଜ ବିଶ୍ଵାସଟି ହିଁ ଏକମାତ୍ର ଅସଲ ବୋଲି ପ୍ରମାଣିତ ହେବ ଅର୍ଥାତ୍ ପ୍ରତିଷ୍ଠା ଲାଭ କରିବ ବୋଲି କେତେ କେତେ ମଣିଷ ଗୋଟାଏ ଗୋଟାଏ ଦିଗ୍‌ବିଜୟରେ ମଧ୍ୟ ବାହାରି ଯାଇଛନ୍ତି ।

 

ଏହି ସବୁ ଯାବତୀୟ ଗୋଳ ହେତୁ ପୃଥିବୀରେ ସମ୍ପ୍ରାଦୟମାନେ ବଢ଼ିଛନ୍ତି, ମାତ୍ର ବିଶ୍ଵାସମାନେ ଭରସା ପାଇ ପାରିଛନ୍ତି କି ? ଅନ୍ୟ ବିଶ୍ଵାସର ଅନୁଗାମୀ ମନକୁ ପରାସ୍ତ କରି ଯେଉଁ ବିଶ୍ଵାସଟି ନିଜକୁ ସବୁଠାରୁ ଅଧିକ ଶକ୍ତିଶାଳୀ ଏବଂ ସେହି କାରଣରୁ ଅଧିକ ନିଦା ବୋଲି ଧରିନେଇ ଯେଉଁମାନେ ଆପଣାକୁ ଗୌରବ ଦିଅନ୍ତି, ସେମାନେ ହୁଏତ ନିଜ ବିଶ୍ଵାସଟି ପ୍ରତି ପ୍ରତ୍ୟୟ ହରାଇ ପକାଇଥାନ୍ତି । ପୃଥିବୀର ଅନେକ ଧର୍ମନେତା ସେହିପରି କୌଣସି ଅଗୌରବ ଦ୍ଵାରା ସହଜ ପଥଟିଏ ମିଳିଗଲେ ଅନାୟାସରେ ସଫଳତାଗୁଡ଼ିକୁ ମିଳିଯିବେ ବୋଲି ବିଚାର କରି ରାଜାନୁଗ୍ରହମାନ ହାସଲ କରିବାକୁ ଚେଷ୍ଟିତ ମଧ୍ୟ ହୋଇଥାଆନ୍ତି କି ? ଏବଂ, କ୍ଷମତାସୀନ ମାନଙ୍କର ଓ ବିତ୍ତଶାଳୀ ମାନଙ୍କର । ସେଥିଲାଗି କେତେମନ୍ତେ ବଙ୍କା ହୋଇ ଅଣ୍ଟା ଭାଙ୍ଗି ଅନେକ କ୍ଷେତ୍ରରେ ସାତ ସଲାମ କରିବାକୁ ପଡ଼ିଥାଏ ସିନା, ମାତ୍ର ସେମାନେ ତଥାପି ସାଲିଶ୍ କରନ୍ତି । ଏକାଧିକ ଏହିପରି କାରଣରୁ ସତ ବିଶ୍ଵାସର ଆମ ଦିଗ୍‌ବଳୟମାନେ କ୍ରମଶଃ ସକୀର୍ଣ୍ଣ ହୋଇ ଆସିଛନ୍ତି । ଆମର ଏହି ଚଉପାଶ ଗୁଡ଼ାକରେ ତେଣୁ ତୁଚ୍ଛା ନ୍ୟସ୍ତସ୍ଵାର୍ଥ ମାନଙ୍କର ହିଁ ଉପଦ୍ରବ ବୃଦ୍ଧି ପାଇଛି ଓ ବିଜ୍ଞାପନମାନେ ଆମ ଦୁର୍ବଳତାମାନଙ୍କରୁ ଫାଇଦା ଉଠାଇ ଆମକୁ କଚାଇ ଓ ନଚାଇ ପାରୁଛନ୍ତି । କେବଳ ବେପାରୀମାନଙ୍କର ବିଜ୍ଞାପନ ନୁହେଁ, ରାଷ୍ଟ୍ର ନାମକ ସେହି ଅନ୍ୟ ବେପାରଟିର ବିଜ୍ଞାପନ ସମେତ । ପୌତ୍ତଳିକତାମାନେ ବଢ଼ୁଛନ୍ତି ଏବଂ ଆମ ଧର୍ମର ଭଣ୍ଡାରଘର ଗୁଡ଼ିକରେ ସଉଦା ବିକୁଥିବା ଆମ ମହିମାମୟମାନେ ଆମକୁ ନାନା ଅଧାବିଶ୍ଵାସ ଅର୍ଥାତ୍ ଅର୍ଦ୍ଧସତ୍ୟ ମଧ୍ୟରେ ଉତ୍ତେଜିତ କରି ରଖିଛନ୍ତି । ଆମ ଯୁଗଗୁଡ଼ିକର ଅସଲ ଓଳମଗୁଡ଼ିକୁ ଧରି ଅଙ୍କ କଷି କଷି ଆମେ ତ ଏବେ ଆମେ ପୃଥିବୀର ନିରାପତ୍ତା ନିମନ୍ତ୍ରେ ସଜ୍ଜିତ ହୋଇ ରହିଥିବା ବୋମାମାନଙ୍କ ଯାଏ ମଧ୍ୟ ଖୁବ୍ ଆସିପାରିବା । ଅନାଇଦେଲା ବେଳକୁ ଏହି କେତେ ନା କେତେ ଭବ୍ୟ ମନ୍ଦିର ଏବଂ ଦେଉଳମାନେ, ଯେଉଁମାନଙ୍କର କି ମୂଳଦୁଆ ବୋଲି କିଛି ନାହିଁ ଅଥବା ଚୂଳ ବୋଲି ମଧ୍ୟ କିଛି ନାହିଁ । ଏହାର ସମ୍ଭବତଃ ଗୋଟିଏ ବଡ଼ କାରଣ ହେଉଛି ଯେ, ଆମର ଏହି ନାନାଭାବେ ଆମକୁ ନେଇ ପ୍ରତିଭାତ ହୋଇ ରହିଥିବା ଜୀବନଟିର ଗୋଟିଏ ମୂଳଦୁଆ ଓ ଗୋଟିଏ ଚୂଳ ଅବଶ୍ୟ ରହିଛି ବୋଲି ଆମେ ଆଉ ବିଶ୍ଵାସ କରି ପାରୁନାହୁଁ ।

 

ଆମକୁ ଯଥାର୍ଥ ଭାବରେ ବୁଝିଥିବାରୁ ହିଁ ଶ୍ରୀ ଅରବିନ୍ଦ ଆସ୍ପୃହା ସ୍ଥାନରେ ବିଶ୍ଵାସ ଶବ୍ଦଟିକୁ ବ୍ୟବହାର କରିଛନ୍ତି କି ? ଆମ ବିଶ୍ଵାସଟି ହେଉଛି ଆମ ଆସ୍ପୃହାଗୁଡ଼ିକର ଜନନୀ ଓ ଆମ ଆସ୍ପୃହାଗୁଡ଼ିକ ହେଉଛନ୍ତି ଆମ ବିଶ୍ଵାସର ଜନନୀ । ବିଶ୍ଵାସ ଅନୁସାରେ ଆସ୍ପୃହା ଏବଂ ଆସ୍ପୃହା ଅନୁସାରେ ବିଶ୍ଵାସ । ଆମର ଏହି ବହୁ ପରସ୍ପର ବିରୋଧୀ କାମନାଦ୍ଵାରା ଗ୍ରସ୍ତ ଗୋଡ଼ାଗୋଡ଼ିର ନାନାଭଳି କର୍ଦ୍ଦମାକ୍ତତା ମଧ୍ୟରେ ଉତ୍ତେଜିତ ହୋଇ ଧାଇଁଥିବା ଅସାଧାରଣମାନଙ୍କର ଧନ୍ଦା ଭିତରେ ଆମେ ନିଜ ଆସ୍ପୃହାଗୁଡ଼ିକର କୌଣସି ଠାବ ହିଁ କାହୁଁ କରିପାରିବା ? ପୃଥିବୀ କହିଲେ ଏହି ସଦାକୁସ୍ତିର ଆହବଟାର ସମବାଚୀ କୌଣସି କଳ୍ପନା କରୁଥିବା ପର୍ଯ୍ୟନ୍ତ ଆମେ ଏହିସବୁ ଯାବତୀୟ ଚାରଣାର ଏକ ଉଦ୍ଦେଶ୍ୟ ରହିଛି ବୋଲି ଆଦୌ ଅନ୍ଦାଜ କରିପାରିବା ନାହିଁ । ଅର୍ଥାତ୍ ଆମ ବାହାରେ ତଥା ଭିତରେ ଆଦୌ ଶିଖରଟିଏ ରହିଛି ବୋଲି ଯଥେଷ୍ଟ ପ୍ରତ୍ୟୟ ପାଇପାରିବା ଭଳି ସେହି ଖାସ୍ ଭାଷାଟିକୁ ମଧ୍ୟ ଆଉ କିପରି ବୁଝିବା ? ପୁନଶ୍ଚ, ସତକୁ ସତ କେଉଁ ନ୍ୟାୟରେ କୌଣସି ବିଶ୍ଵାସର ଭାଜନ ହୋଇ ପାରିବା ? ଅର୍ଥାତ୍, ମୂଳତଃ ନାସ୍ତିକଟିଏ ହୋଇ ରହିଯିବା । ଯେତେ ଯେତେ ହଁ ହଁ’ ର ରଡ଼ି କରୁଥିଲେ ମଧ୍ୟ ନାନା ନକାରାତ୍ମକତାର ପ୍ରତିନିଧତ୍ଵ କରୁଥିବା । ଥରେ ଭାବିଚିନ୍ତି କହିବା ତ, ଆମ ପୃଥିବୀରେ ଏହି ବହୁପ୍ରକାରର ଗୋଳ ଓ ଭିଡ଼ଗୁଡ଼ାକର ବାର ଅସ୍ତବ୍ୟସ୍ତତା ବ୍ୟତୀତ ବସ୍ତୁତଃ ଏକ ଶିଖର ବୋଲି ଆଉ କ’ଣ ରହିଛି ! ଜ୍ଞାନମାନେ ବହକି ଯାଉଛନ୍ତି; ଆମ ବିଜ୍ଞାନମାନେ ଆମ କୁଣ୍ଡିଗୁଡ଼ିକୁ ସତେଅବା ଏଠି ବାସକରୁଥିବା କୋଟି କୋଟି ମନୁଷ୍ୟଙ୍କର ନିୟତିଟିର ବିଚାର ନକରି ଅତ୍ୟନ୍ତ ଅଣଅକ୍ତିଆର ଭାବରେ ଅତିକ୍ରମ କରି ଯାଉଛନ୍ତି । ସେହି ବିଜ୍ଞାନମାନେ ମଧ୍ୟ ଏବେ ଆମ ବିଜ୍ଞାନୀମାନଙ୍କର କୁଣ୍ଢକୁ ମଧ୍ୟ ପାଉନାହାନ୍ତି । ଏହି ପୃଥିବୀରେ ବର୍ତ୍ତମାନ ହୁଏତ କାମନା ତଥା ଆସ୍ପୃହାଗୁଡ଼ିକ ମଧ୍ୟରେ ବାସ୍ତବ ଲଢ଼େଇଟିଏ ଲାଗିଛି । ଯୁଗେ ଯୁଗେ ଲାଗି ଆସିଛି, ଏବଂ ବର୍ତ୍ତମାନ ଅଧିକ ନିର୍ଣ୍ଣାୟକ ଭାବରେ ଲାଗିଛି ।

 

ତେଣୁ, ଏକ ବିଶ୍ଵାସ । ଭିତରେ ରହିଥିବା ଆମ ଆଧାରଶିଳା ଗୁଡ଼ିକ ଉପରେ ବିଶ୍ଵାସ ତଥା ସେଠି ଶିଖରଦେଶରେ କେଡ଼େ ସ୍ପଷ୍ଟ ହୋଇ ଦେଖା ଯାଉଥିବା ନିର୍ଭରଶିଳା ଗୁଡ଼ିକ ଉପରେ ବିଶ୍ଵାସ । ସେହି ନିର୍ଭରଶିଳାମାନେ ଏଠି ରହିଥିବା ଆଧାରଶିଳା ଗୁଡ଼ିକୁ ଅବଶ୍ୟ ଚିହ୍ନିଛନ୍ତି ଏବଂ ଆଧାରଶିଳାମାନେ ଏଠାରୁ ସେହି ନିର୍ଭରଶିଳାମାନଙ୍କୁ ପୂରା ଘ୍ରାଣ କରି ପାରୁଛନ୍ତି । ପୃଥିବୀରେ ଏପରି କେଉଁ ଶିଖରଦେଶମାନେ ରହିଛନ୍ତି, ଯେଉଁମାନେ କି ପାଦଦେଶ ମାନଙ୍କୁ ଚିହ୍ନି ନାହାନ୍ତି ଏବଂ କେଉଁ ପାଦଦେଶମାନେ ଅଛନ୍ତି, ଯେଉଁମାନେ କି ଶିଖରଦେଶମାନେ ରହିଛନ୍ତି ବୋଲି କୌଣସି ବାସନା ପାଉନାହାନ୍ତି ? ତେଣୁ, ଏଇଠି ପାଦଦେଶରୁ ହିଁ ଶିଖରଦେଶଟିକୁ ସ୍ଵୀକାର କରିନେଇ ପାରୁଥିବା ଓ ଶିଖରଟିର ଅନ୍ଦାଜ କରି ପାଦଦେଶଟିକୁ ସ୍ଵୀକାର କରିପାରିବା, ତାହା ହିଁ ବିଶ୍ଵାସ ଏବଂ ତାହା ହିଁ ଆସ୍ପୃହା, ତାହା ହିଁ ଆସ୍ପୃହା ଓ ତାହା ହିଁ ବିଶ୍ଵାସ । ଏବଂ ଯଦି ଆସ୍ପୃହା କହିଲେ ବିଶ୍ଵାସର ଏକ ଟାଣ ପୁଞ୍ଜିକୁ ସମ୍ବଳ କରି ଏକ ଉତ୍ତରୋତ୍ତର ଉତ୍ତରଣକୁ ବୁଝାଏ ଓ ଯେଉଁ ଶିଖରଦେଶକୁ ଲୟ ରଖି ମୁଁ ସୋପାନ ସୋପାନ ଆରୋହଣ କରୁଛି, ସେଇଟି ସତେଅବା ଜନନୀରୂପେ ମୋ’ ଭିତରେ ଅବସ୍ଥିତ ରହି ମୋତେ ବାଟ କଢ଼ାଇ ନେଇ ଯାଉଛି ବୋଲି ଏକ ସର୍ବମୁହୂର୍ତ୍ତର ପ୍ରତ୍ୟୟକୁ ବିଶ୍ଵାସ ବୋଲି କୁହାଯାଏ, ତେବେ ପ୍ରତ୍ୟାଖ୍ୟାନ ବୋଲି ଅନ୍ୟ ସ୍ଵତନ୍ତ୍ର ଚିଜଟିଏ ଆଉ କ’ଣ ପାଇଁ ରହିବ ଏବଂ ମୋ’ ସାଧନାର କ୍ଷେତ୍ରରେ ସେଇଟି ହିଁ ସର୍ବପ୍ରଧାନ ବୋଲି ନାନା ଅଧ୍ୟାସ ଦ୍ଵାରା ମୋତେ ଫୁସୁଲାଇବାରେ ଲାଗିଥିବ ? ଯେଉଁ ଶାସ୍ତ୍ର ଓ ଯେଉଁ ଗୁରୁମାନେ ମୋତେ ପ୍ରତ୍ୟାଖ୍ୟାନଟା ହିଁ ସବାଆଗର ବୋଲି କହି ଉତ୍ପୀଡ଼ିତ ପ୍ରାୟ କରି ରଖିବା ଲାଗି ମନ କରନ୍ତି, ସେମାନେ ମୋତେ ଶିଖରଟି ହୁଏତ କ’ଣ ପାଇଁ ଅନ୍ୟମନସ୍କ କରି ରଖିବାକୁ ଇଚ୍ଛା କରୁଥାନ୍ତି କି ? ମୋ’ର ଏହି ଜୀବନରୂପୀ ପାଦଦେଶଟି ଠାରୁ ଶିଖରଯାଏ ଏକ ଅବିଚ୍ଛିନ୍ନ ଖିଅ ଯେ ଲାଗିରହିଛି, ସେହି କଥାଟିରେ ମୋ’ର ହୃଦ୍‌ବୋଧ କରାଇବା ଉପରେ ସର୍ବାଧିକ ମହତ୍ତ୍ଵ ନଦେଇ ସେମାନେ ଯେ ମୋତେ ପ୍ରତ୍ୟାଖ୍ୟାନ ଗୁଡ଼ିକର ଏକ ଖାସ୍ ଧନ୍ଦାରେ ନେଇ ପକାଇ ରଖିଥାନ୍ତି ଏବଂ ମୁଁ ଆସ୍ପୃହା ଆଡ଼କୁ ନ ଅନାଇ ଏହି ନିଷେଧଗୁଡ଼ିକର ବ୍ୟୁହଟି ଭିତରେ ଧନ୍ଦି ହୋଇ ରହିଥିବି ବୋଲି ଚାହୁଛନ୍ତି, ସେମାନେ ସେହିଭଳି କିଛି ପୃଥକ୍ ଅଭିଳାଷ ରଖି ସେଇଟିରେ ମନ ଦେଇ ଥାଆନ୍ତି କି ? କାରଣ, ଆମେ ଅନୁଭବୀମାନେ ସର୍ବଦା କହିପାରିବା ଯେ ପ୍ରତ୍ୟାଖ୍ୟାନ ବିଷୟରେ ସେହି ଆକଟଗୁଡ଼ିକ ବିଷୟରେ ସତେଅବା ଅନୁକ୍ଷଣ ଚେତା ହୋଇ ରହିବା ହେତୁ ଆମେ କେଡ଼େ ଅଜାଣତରେ ନିଜକୁ ଭାରି ଅଳ୍ପ ବଳ ବୋଲି ଅନୁଭବ କରିବାକୁ ଆରମ୍ଭ କରୁ ଏବଂ ସତକୁ ସତ ଶିଖରଟିଏ ଅଛି ତଥା ଆମ ସମସ୍ତଙ୍କର ଜୀବନରୂପୀ ପାଦଦେଶରୁ ହିଁ ସେଠାରେ ବାଟଟିଏ ପଡ଼ିଛି ବୋଲି ଉପଲବ୍ଧି କରିବା ନିମନ୍ତେ ଆମର ଆଉ ସାହସ ହୁଏ ନାହିଁ । ଏବଂ, ସେହି ପଥଟି ହେଉଛି ଆମ, ତୁମର, ମୋ’ର ଏବଂ ମନୁଷ୍ୟମାତ୍ରେ ଆମ ସମସ୍ତଙ୍କର ସମ୍ମୁଖରେ ପଡ଼ିଥିବା ଆମର ଆସ୍ପୃହାପଥ ବୋଲି ଚିହ୍ନିବା ତ ଆହୁରି ଆଗର କଥାଟିଏ । ପୁନଶ୍ଚ ଆମ ଭିତରେ ସେହି ଦିବ୍ୟ ଜନନୀ ଅବସ୍ଥିତ ରହି ଅଭିପ୍ରେତ ସେହି ପଥଟିରେ ଆଗେଇ ଯିବାକୁ ସାହସ ଏବଂ ଉତ୍ସାହ ଦେବାରେ ଲାଗିଛନ୍ତି ଓ ଆପଣାର ସେହି କରୁଣାରୁ ଯେ କେବେହେଲେ ଆମକୁ ବଞ୍ଚିତ କରି ରଖିନାହାନ୍ତି, ସେଇଟିର ଧାରଣା କରିପାରିବା ତ ଯାବତୀୟ ଅର୍ଥରେ ଆପଣାକୁ ବୁଝିବାର ଏକାବେଳେକେ ଏକ ଅନ୍ୟ ଆୟାମ !

 

ବିଶ୍ଵାସ ପରେ ନିଷ୍ଠା,-ଆନ୍ତରିକତା,–ଏକ ପୂର୍ଣ୍ଣ ନିଷ୍କପଟ ଜୀବନ । ଆମ ଜୀବନରେ ତ କେତେ ନା କେତେ ଖଣ୍ଡ–ନିଷ୍ଠା ଭରପୂର ହୋଇ ରହିଛି । ଏପରିକି ପରସ୍ପରର ବିରୋଧ କରୁଥିବା-। ଯୁଗପତ୍ ଭାବରେ ଜଣେ ନାସ୍ତିକର ନିଷ୍ଠା ଓ ଜଣେ ଆସ୍ତିକର ନିଷ୍ଠା । ପର୍ବ-ନିଷ୍ଠା, ଧ୍ୟାନ ତଥା ଉପାସନାବିଧି ଗୁଡ଼ିକ ପ୍ରତି ଆମର ଅବିଚଳ ନାନା ନିଷ୍ଠା, ତଥାକଥିତ ପରମ୍ପରାଗୁଡ଼ିକ ପ୍ରତି ନିଷ୍ଠା । ଧର୍ମରେ ନିଷ୍ଠା, ଦେଉଳ-ନିଷ୍ଠା, ଆମର ଚିହ୍ନା ଠାକୁରମାନଙ୍କ ଲାଗି ନିଷ୍ଠା । ସଂସାର ନିଷ୍ଠା ଏବଂ ସଂସ୍କୃତି-ନିଷ୍ଠା । ପୁଣି, ବ୍ରାହ୍ମଣର ନିଷ୍ଠା ଓ ଜଣେ ପ୍ରକୃତ ଭକ୍ତର ନିଷ୍ଠା । ଉଭା ପୋତା ନାନା ଅବୟବର ନିଷ୍ଠା । ଆମ ଭଗବାନ ଯଦି ସତକୁ ସତ ଗୋଟିଏ ହୋଇଥିବେ ଅର୍ଥାତ୍ ଯଦି ଗୋଟିଏ ବିବେକରେ ପୃଥିବୀଟାଯାକ ଚାଲୁଥିବ, ତେବେ ଭଗବାନ ମଧ୍ୟ ଆମକୁ ହୁଏତ ସେତେ ଠିକ୍ ଭାବରେ ବୁଝି ପାରୁନଥିବେ । ଏବଂ, ନ୍ୟାୟତଃ, ଯଦି ଠିକ୍ ଠିକ୍ ବୁଝି ପାରୁନଥିବେ, ତେବେ ଆମର ଡାକ ଶୁଣି ଆମକୁ କିଛି କରୁଣା କରିବା ସକାଶେ ଭାରି ମନ କରୁଥିବା ସମୟରେ ନିଶ୍ଚୟ ବହୁତ ଅସୁବିଧାରେ ପଡ଼ି ଯାଉଥିବେ । ଏବଂ, ସେହି କାରଣରୁ ତାଙ୍କୁ ଆମେ ସଦାଦୟାବାନ୍ କହୁଥିଲେ ମଧ୍ୟ ବେଳେ ବେଳେ ସିଏ ଆମ ପାଖରେ କ୍ରୂର ବୋଲି ବି ମନେ ହୁଅନ୍ତି କି ? ନାଇଁ, ଅସଲ ନିଷ୍ଠାଟି ହେଉଛି ଆମର ଜୀବନ ନିଷ୍ଠା । ଏକ ଶିଖର–ଆବିଷ୍କାରର ନିଷ୍ଠା, ସେଇଟି ଆଡ଼କୁ ଖୋଜ ଖୋଜ ହୋଇ ଅଗ୍ରସର ହୋଇ ପାରିବାର ନିଷ୍ଠା । ଏବଂ, ସର୍ବୋପରି, ଆମେ ଯେଉଁ ପାଦଦେଶଟିରେ ଅବସ୍ଥିତରେ ରହି ଏହି ସବୁକିଛିର ଅନ୍ଦାଜ କରିପାରୁଛୁ, ସେଇଟି ବିଷୟରେ ଯାବତୀୟ ଆବେଦନରେ ସଦା ପରିଚିତ ରହି ଆମ ଲାଗି ଉଦ୍ଦିଷ୍ଟ ହୋଇ ରହିଥିବା ଆରୋହଣଟିର ନିଷ୍ଠା । ଗୋଟିଏ ଶବ୍ଦରେ କହିଲେ ସେହି ଆସ୍ପୃହାଟିରେ ନିଷ୍ଠା । ଏବଂ, ସେହି ସବୁକିଛିକୁ ଗୋଟିଏ ଗୋଟିଏ ଆହ୍ଵାନ ବୋଲି ମାନି ଆପଣାକୁ ତିଆରି କରି ନେଉଥିବାର ନିଷ୍ଠା ।

 

ତେଣୁ, ସକଳ ସମର୍ପଣ ମୂଳରେ ଆସ୍ପୃହାଟିଏ । ଆପାଣାର ସର୍ବୋତ୍ତମ ପୁଞ୍ଜିଗୁଡ଼ିକୁ ନେଇ ଏକ ସତକୁ ସତ ଆରୋହଣ । ପାହାଚ ପରେ ପାହାଚ । ଗୋଟିଏ ପାହାଚ ଉଠି ଯାଉଥିବା ସହିତ ଆରଟି ଜୁଟି ଯାଉଥିବ । ସେଇଟିକୁ ମୁଁ କେଉଁଠୁ ଉଠି ବସିଲି ଏବଂ ତେଣୁ ଏଇଟି ଆରମ୍ଭ ହେଲା, ସେହି ବାର୍ତ୍ତାଟି ମୋତେ ମୋ’ଭିତରୁ ଥାଇ ମୋତେ କହି ଦେଉଥିବ । ମୋ’ର ଅଙ୍କ କଷିବା ଅନୁସାରେ ନୁହେଁ, ମୋ’ ନିଷ୍ଠା ହିଁ କହି ଦେଉଥିବ । ଅର୍ଥାତ୍ ମୋ’ର ନିଷ୍ଠାଟି ଅନୁସାରେ ମୋ’ ଆସ୍ପୃହାର ବେଗ । ମୋ’ ଭିତରେ ସଚଳ ହୋଇ ରହିଥିବା ସେହି ସହଜ ଆନ୍ତରିକତାର ବେଗଟିଏ-। ସହଜ ଆନ୍ତରିକତା ହିଁ ମୋ’ର ଯାବତୀୟ ଆସ୍ପୃହାକୁ ଏକ ସମର୍ପଣର ଜୀବନଧର୍ମ ମଧ୍ୟକୁ ଉନ୍ନୀତ କରି ନେଇଯିବ । ମୋତେ ଅଧିକ ପ୍ରସାରଣସମର୍ଥ କରି ନେଉଥିବ । ମୋ’ର ଊର୍ଦ୍ଧ୍ଵକୁ ଉଠିବା ତଥା ସଂପ୍ରସାରିତ ହେବା ବସ୍ତୁତଃ ଦୁଇଟି ଅଲଗା ପ୍ରକ୍ରିୟା ବୋଲି ଆଦୌ ଜାଣି ହେବନାହିଁ । ଅସଲ ଆସ୍ପୃହାଗୁଡ଼ିକୁ ଯଦି କଦାପି କୌଣସି ଅର୍ଥରେ ମଧ୍ୟ ଗୋଟିଏ ଆତ୍ମ–ସଙ୍କୁଚନ ବୋଲି କୁହାନଯିବ, ତେବେ ସେଗୁଡ଼ିକୁ କେବେହେଲେ କୌଣସି ପ୍ରସାରଣ ଲାଗି ଅସମର୍ଥ ମଧ୍ୟ ହେବେ ନାହିଁ । ଅର୍ଥାତ୍ ଶିଖରଟି ନିମନ୍ତେ ଆସ୍ପୃହା ବୋଲି କହିଲେ ଏଠାରେ ଏହି ପୃଥିବୀ ନିମନ୍ତେ ଆସ୍ପୃହାକୁ ବୁଝାଇବ-। ଆମେ ଯେଉଁ ପାଦଦେଶରୁ ଆରମ୍ଭ କରିବ, ସେଇଟି ତ ଏହି ପୃଥିବୀକୁ ଆଶ୍ରା କରି ଅବସ୍ଥିତ ହିଁ ରହିଥିବ ! ସର୍ବୋପରି ସର୍ବମୂଳ କଥାଟି ହେଉଛି, ଆସ୍ପୃହା ବ୍ୟତୀତ ଆଦୌ କୌଣସି ସମର୍ପଣ ସମ୍ଭବ ହୁଏ ନାହିଁ । ଆମ ପ୍ରତ୍ୟେକଙ୍କର ଆସ୍ପୃହା ଯେଉଁଠି, ସମର୍ପଣ ମଧ୍ୟ ସେଇଠି; ଆସ୍ପୃହା ଯେତିକିଯାଏ, ସମର୍ପଣ ମଧ୍ୟ ବାଧ୍ୟରେ ସେତିକିଯାଏ । ଆମ ଅନ୍ଦାଜର ଶିଖରଟି ଯେତିକି ଅଳପ ଅଥବା ଅଧିକ ହୋଇ ରହିଥିବ, ଆମ ସମର୍ପଣର ଆୟତନଟି ମଧ୍ୟ ସେତିକି ପ୍ରଶସ୍ତ ଅଥବା ସଂକୀର୍ଣ୍ଣ ହୋଇ ଅବଶ୍ୟ ଥିବ । ଏପରିକି ସେହି ଦ୍ଵିତୀୟ କଥାଟି ହୁଏତ ସେତିକି ସତ୍ୟ ଯେ, ଆପଣା ଜୀବନର ଏହି ପାଦଦେଶଟି ବିଷୟରେ ଆମେ ଯେତିକି ଏବଂ ଯେଉଁଭାବେ ସଚେତନ ଥିବା, ଆମର ସମର୍ପଣ ମଧ୍ୟ ଆମକୁ ସେତିକି ଅଳପ ବା ଅଧିକ ଆହ୍ଵାନ ଦେଉଥିବ ।

 

ନିର୍ଭୟ ହୋଇ ଜୀବନରେ ଚାଲି ପାରିବା ନିମନ୍ତେ ପୂର୍ଣ୍ଣ ଅପରିହର୍ଯ୍ୟ ଭାବରେ ଶ୍ରୀଅରବିନ୍ଦ ଯେଉଁ ଦୁଇଟି ଆବଶ୍ୟକ ବୋଲି କହୁଛନ୍ତି, ସେଥି ମଧ୍ୟରୁ ଆରଟି ହେଉଛି ଦିବ୍ୟ ଜନନୀନଙ୍କ କରୁଣା । ଏଇଟିକୁ ଦୁଇଟି ମଧ୍ୟରୁ ସେ ପ୍ରଥମେ ଉଲ୍ଲେଖ କରିଛନ୍ତି । ତାଙ୍କର ସେହି ପରମ କରୁଣାଟି ଅବଶ୍ୟ ରହିଥିବା ଦରକାର । ଅର୍ଥାତ୍, ଆମେ ସେଇଟିକୁ ଅବଶ୍ୟ ଆଗ ଲାଭ କରିବା ଏବଂ ସେଇଟି ଆମକୁ ମିଳିଲାଣି ବୋଲି ସୁନିଶ୍ଚିତ ହୋଇଯିବା ପରେ କ’ଣ ଆମ ପଟଟିରୁ ଅପେକ୍ଷା ରହିଥିବା ଆବଶ୍ୟକତା ଗୁଡ଼ିକର ପୂରଣ ନିମନ୍ତେ ପ୍ରୟାସ ଗୁଡ଼ିକୁ ଆରମ୍ଭ କରିବା ? କଥାଟିକୁ ଶୁଣିବା ମାତ୍ରକେ ଖୁବ୍ ବେଖାପ ଲାଗିବ ହିଁ ଲାଗିବ । ବିଶ୍ଵାସ, ପରିପୂର୍ଣ୍ଣ ଆନ୍ତରିକତା ଓ ସମର୍ପଣ,-ଏଗୁଡ଼ିକର କ୍ଷେତ୍ରରେ ପ୍ରସ୍ତୁତ ହେବାର ମାର୍ଗଟି କ’ଣ ସତକୁ ସତ ଆମ ଲାଗି ଦୃଷ୍ଟିଗୋଚର ହେବ ? ଏକ ଶିଖର ରହିଛି ବୋଲି ଲୟ ରଖି ନିଜର ଏହି ପାଦଦେଶଟିରୁ ବାଟଟିଏ ଚାଲୁଥିବା କେଉଁ ସାଧକ ବା ସନ୍ତାନ ତାହାକୁ କାହିଁକି କେଉଁ ଅନ୍ୟ ମାୟାରେ ପଡ଼ି ସତ ବୋଲି କହିବ ? ପୁନଶ୍ଚ, ଦିବ୍ୟ ଜନନୀଙ୍କର କୌଣସି ଭଣ୍ଡାରରେ ପରମ କରୁଣା ନାମକ ଆମ କଳ୍ପନାର ପଦାର୍ଥଟିଏ ଆଗରୁ ଜମା ହୋଇ ରହିଛି ଯେ, ସିଏ ମନ କଲେ ପ୍ରସନ୍ନ ହୋଇ ଆମ ହାତରେ ପୁଳାଏ ଅଥବା ପୋଷେ ବାହାର କରି ଆଣି ବଢ଼ାଇଦେଇ ପାରିବେ ! ସମ୍ପୂର୍ଣ୍ଣ ସତ କଥା ଯେ, ଏକାଧିକ ଧର୍ମୋପାସନାର ମାର୍ଗରେ ଆମେ ଆମର ଦେବତା ଓ ଦେବୀମାନଙ୍କୁ ପ୍ରସନ୍ନ କରିବାକୁ ସେମାନଙ୍କ ପାଇଁ ଲେଖା ହୋଇଥିବା ମନ୍ତ୍ରଗୁଡ଼ିକର ପାରାୟଣ କରୁ ଏବଂ କ’ଣ ସବୁ ପାଇବାକୁ ପ୍ରତ୍ୟାଶା ରଖୁ । ଅଧ୍ୟାତ୍ମର ପରିମଣ୍ଡଳଟି ମଧ୍ୟରେ ଆହ୍ଵାନଟି ହିଁ ଅଲଗା ଏବଂ ତେଣୁ ଅବବୋଧଗୁଡ଼ିକୁ ମଧ୍ୟ ଅଲଗା । ଗୋଟିଏ ଅନ୍ୟପ୍ରକାରର ଲୋଡ଼ିବା, ତେଣୁ ଅନ୍ୟ ଭଳି ପ୍ରତ୍ୟକ୍ଷ କରିବା । ଆସ୍ପୃହା ଦ୍ଵାରା ଲୋଡ଼ିବା ଓ ଆସ୍ପୃହା ଦ୍ଵାରା ପ୍ରତ୍ୟକ୍ଷ କରୁଥିବା । ଅର୍ଥାର୍ଥୀମାନେ କଦାପି ଦିବ୍ୟକରୁଣାର ଥଳ ହିଁ ପାଇବେ ନାହିଁ । ତେଣୁ ସେମାନେ ସେଇଟିର ଭାଜନ ହୋଇ ପାରିବେ ନାହିଁ । ତେଣୁ, ଖୁବ୍ ସହଜରେ କାହିଁକି ବା ବୁଝିନହେବ ଯେ ଅର୍ଥାର୍ଥୀମନେ ଦିବ୍ୟ ଜନନୀଙ୍କର ମଧ୍ୟ କୌଣସି କଳ୍ପନା କରି ପାରିବେ ନାହିଁ । ଆପାଣା ଜୀବନରେ ଆସ୍ପୃହାର ମଧ୍ୟ ଗୋଟିଏ ସ୍ଥାନ ରହିଛି ବୋଲି ଅଙ୍ଗେ ନିଭାଇଲେ ସିନା ସେମାନେ ନିଜ ଭିତରେ ରହିଥିବା ଊର୍ଦ୍ଧ୍ଵ ଶିଖରଦେଶ ଗୁଡ଼ିକୁ ଠଉରାଇ ନେଇ ପାରିବେ ! ଜଣେ ଅର୍ଥାର୍ଥୀର ଜୀବନ ହେଉଛି ଆମ ଧମଗୁଡ଼ିକର କଥା ଏବଂ ଆସ୍ପୃହାଗୁଡ଼ିକ ହେଉଛନ୍ତି ସମ୍ପୂର୍ଣ୍ଣ ଭାବରେ ଅଧ୍ୟାତ୍ମର କଥା । ଏକ ଅନ୍ୟ ପଥ ଏବଂ ତେଣୁ ଏକ ଅନ୍ୟ ଆମନ୍ତ୍ରଣ ।

 

ଦିବ୍ୟ ପରମ କରୁଣା ହେଉଛି ଏକ ପୂର୍ଣ୍ଣପରିମଳ ଉଦାର ଜୀବନାକାଶ ଓ ଏକ ଅବିଚଳ ସଦାପ୍ରତ୍ୟୟ, ଯେଉଁଟିକୁ ଆମରି ଏହି ତଳଟାକୁ ଦେଖିଲେ ଏଠି ସବୁକିଛି ଭଲ ଲାଗେ, ସୁନ୍ଦର ଦିଶେ ଓ ଆପଣାର ହୋଇ ଦେଖାଯାଏ । ସବୁକିଛି ବନ୍ଧୁଘରବତ୍ ଅନୁଭବ ହୁଏ, ନିଜ ଘରପରି ଅନୁଭବ ହେଉଥାଏ । ନିଜ ଘର ଏବଂ ତେଣୁ ଦିବ୍ୟଜନନୀଙ୍କର ଘର, ଦିବ୍ୟଜନନୀଙ୍କର ଘର ଏବଂ ତେଣୁ ଗୋଟାସୁଦ୍ଧା ନିଜ ଘର । ଆଗ ଏଇଟା ବୋଲି ସେଇଟା କିମ୍ବା ଆଗ ସେଇଟା ବୋଲି ସେଇଟା ବୋଲି କହି ପାରିବାକୁ କୌଣସି ଗଣିତର ବଳ ହିଁ ପାଏନାହିଁ । ସ୍ଵର୍ଗ ଲାଗି ଲୋଭ ନଥାଏ ଅଥବା ନରକ ଲାଗି ଭୟ ନଥାଏ । ସବୁକିଛି ଫରଚା ହୋଇ ଦେଖାଯାଏ । କେବଳ ନିଜେ ନୁହଁ, ସମସ୍ତେ ଫରଚା ହୋଇ ଦେଖା ଯାଉଥାନ୍ତି । ଖୁସି ହୋଇ ସମସ୍ତଙ୍କ କତିରେ ଯାଇ ବସିହୁଏ, ସଂସାର କହିଲେ ନାନା ଅବସରର ଏହି ଖୁସି ଦ୍ଵାରା ପ୍ରେରିତ ଭେଟଗୁଡ଼ିକୁ ବ୍ୟତୀତ ଆଉ କିଛିହେଲେ ନୁହେଁ ବୋଲି ସେହି ଅସଲ ରହସ୍ୟଟି ପ୍ରତ୍ୟକ୍ଷ ହୋଇଯାଏ । ଡୋରଗୁଡ଼ିକ ଦୃଶ୍ୟ ହୁଅନ୍ତି ନାହିଁ, ତଥାପି ଡୋରମାନେ ରହିଥାନ୍ତି । ଯଦି ଏହିପରି ଏକ ପରିବେଶ ସହିତ ପୃଥିବୀର ଅର୍ଥାର୍ଥୀମାନଙ୍କୁ ଆଣି ହାବୁଡ଼େଇ ଦିଆଯାଏ, ସେମାନେ ତଦ୍ଦ୍ଵାରା ବଡ଼ ହଇରାଣ ହୁଅନ୍ତି । ନିଜ ଆଗରେ ହୁଏତ ଭାରି ଧରା ପଡ଼ି ଯାଉଥାନ୍ତି ଏବଂ ତେଣୁ ଯେତେ ଯାହା ଚେଷ୍ଟା କଲେ ମଧ୍ୟ ଅନ୍ୟ ସମସ୍ତଙ୍କ ପାଖରେ ଧରା ପଡ଼ିଯାଆନ୍ତି । ଏବଂ, ଚାଲ ଭାବି କରି କହିବା ତ, ଶ୍ରୀ ଅରବିନ୍ଦ ଯେଉଁଟିକୁ ଆମର ପରସ୍ପରକୁ ଗିଳି ପକାଇବାର କ୍ଷୁଧା ବୋଲି କହିଛନ୍ତି, ଏହି କରୁଣାଟି ମଧ୍ୟରେ ଆଉ ସେଇଟି ସକାଶେ ଆଦୌ କାହିଁକି କୌଣସି ଅବକାଶ ରହିବ ?

 

ଏହି ଏଡ଼େ ଚିହ୍ନା ସଂସାରରେ ପୂରାପଣେ ପାକଳ ହୋଇ ରହିଥିବା ତଥାକଥିତ ସାଧାରଣ ମଣିଷ ମାନଙ୍କର ତ କେତେ ନା କେତେ ସାମର୍ଥ୍ୟ । କାମନାମାନଙ୍କ ପାଇଁ ସାମର୍ଥ୍ୟ ଅର୍ଥାର୍ଥୀ ହେବାର ସାମର୍ଥ୍ୟ, ଆପଣାର ସଂଜ୍ଞାଗୁଡ଼ିକ ଅନୁସାରେ ନାସ୍ତିକ ବା ଆସ୍ତିକ ହେବାର ସାମର୍ଥ୍ୟ ଏବଂ ସମୟ ସମୟର ପ୍ରୟୋଜନଗୁଡ଼ିକର ଅନୁରୋଧରେ ପଇତାଗୁଡ଼ିକୁ ବଦଳାଇବାର ମଧ୍ୟ ସାମର୍ଥ୍ୟ । କରୁଣା କରିବାର ସେହି ଗୋଟିଏ ମାତ୍ର ସାମର୍ଥ୍ୟ ବ୍ୟତୀତ ପରମା ଜନନୀଙ୍କର ବସ୍ତୁତଃ ଅନ୍ୟ ସାମର୍ଥ୍ୟ ଆଉ କ’ଣ ବା ରହିଥିବ ? ତେଣୁ, ଏହି ସତକଥାଟିକୁ ଉତ୍ତମରୂପେ ଜାଣିଥିଲେ ମଧ୍ୟ ଆମେ ତଥାପି ତାଙ୍କର କରୁଣା ନିମନ୍ତେ କାହିଁକି ଏତେପ୍ରକାରେ ନିବେଦନ କରିଥାଉ କେଜାଣି ? ଆଲୋକିତ କରିବା ବ୍ୟତୀତ ଆଲୋକର ସତକୁ ସତ ଆଉ ଅନ୍ୟ ସାମର୍ଥ୍ୟ ରହିଛି ! ଏବଂ, ବହିବା ବ୍ୟତୀତ ଏହି ପବନର ମଧ୍ୟ ସତକୁ ସତ କେଉଁ ଅନ୍ୟ ସାମର୍ଥ୍ୟ ରହିଥିବ ? ମାତ୍ର, ସନ୍ତାନଟିଏ ହେବାକୁ ରାଜି ହେଲେ ସିନା ଆମେ ଦିବ୍ୟଜନନୀଙ୍କର ସେହି ସଦା ନିକଟ-ଉପସ୍ଥିତିଟିକୁ ବୁଝିପାରିବା । ସନ୍ତାନଟିଏ ହେବାର ସେହି ସହଜ, ଶ୍ରଦ୍ଧାଟିଏ କରିପାରିଲେ । ଆମେ ନିଜ ପାଖରେ ତିନି ଭାଗ ହୋଇ ରହିଥିବା, ପରସ୍ପର ପାଖରେ ଏକାଧିକ ପ୍ରବୀଣତା ସହିତ ତିନିତିନିଟା ମୁଖାପିନ୍ଧି କାରବାର ହେଉଥିବା, ସିଏ ଖିଳ ବିଶ୍ଵର ତଥା ଆମ ସମସ୍ତଙ୍କର ଜନନୀ ବୋଲି ତୁଣ୍ଡ ଉପରେ ରଟି ହେଉଥିଲେ ମଧ୍ୟ ସେହି ଜଗତଟିକୁ ଆଢ଼ୁଆଳ କରି ସତେଅବା କେବଳ ଆମେ ହିଁ ପୂରା ଜଗତ ବୋଲି ଭାବି ଫାଙ୍କିଦେଇ ବୁଲୁଥିବା । ଏବଂ, ତାଙ୍କରି ଜଗତଟିକୁ ଅସ୍ଵୀକାର କରୁଥିବା ଯାଏ ଏହାର ଜଣେ ଜନନୀ ବୋଲି କେହି ଅଛନ୍ତି ବୋଲି କିପରି ସ୍ଵୀକାର କରିପାରିବା ? ଏବଂ, ତାଙ୍କୁ ତାଙ୍କର ଯଥାର୍ଥ ପ୍ରସାର ଦେଇ ଦେଖିବାକୁ ରାଜି ନହେଉଥିବା ପର୍ଯ୍ୟନ୍ତ ତାଙ୍କର ସେହି ସହଜ କରୁଣାଟିର ସାକ୍ଷାତ ସ୍ପର୍ଶଟିକୁ ଘ୍ରାଣ ବି କରିପାରିବା ? ହୁଏତ ସେଇଟି ହେଉଛି ଏକ ଖାସ୍ କାରଣ, ଯେଉଁଥିପାଇଁ ଆମେ ତାଙ୍କରି ଜଗତଟିର ସୁରକ୍ଷା ମଧ୍ୟରେ ରହିଥିଲେ ମଧ୍ୟ ତଥାପି ଅର୍ଥାର୍ଥୀ ହୋଇ ରହିଥାଉ, ଆମର ନିଷ୍ଠାଗୁଡ଼ିକୁ ନିତାନ୍ତ ଏହି ସ୍ତରର କରି ରଖିଥାଉ । ଆମର ଆସ୍ପୃହାଗୁଡ଼ିକ ହିଁ ଆମକୁ ସେହି ମୂଳଭୂତ କୁଣ୍ଠାଗୁଡ଼ିକର କଷଣ ମଧ୍ୟରୁ ମୁକୁଳାଇ ଆଣିବ ! ପାହାଚ ପରେ ପାହାଚ ଉଠି ସେହି ଜନନୀଙ୍କର ଅଧିକ ଏବଂ ଅଧିକ ନିକଟବର୍ତ୍ତୀ ହେବାର ଆସ୍ପୃହା । ଆମ ଆନ୍ତରିକତା ଗୁଡ଼ିକର ଦ୍ଵାର ଖୋଲି ଦେଉଥିବାର ଆସ୍ପୃହା ଏବଂ ଆମକୁ ଏକ ପୂର୍ଣ୍ଣଧର୍ମ ସମର୍ପଣ ଯୋଗ୍ୟ କରି ନେଉଥିବାର ଆସ୍ପୃହା । ତାହାରିଦ୍ଵାରା ହିଁ ଆମେ ସେହି ଜନନୀକୃପାର ସୁରକ୍ଷା ମଧ୍ୟରେ ଜୀବନଟିକୁ ବଞ୍ଚିପାରିବା, ଆପଣାକୁ ଧର୍ମତଃ ସବାଆଗ ଜଣେ ସନ୍ତାନରୂପେ ଦିବ୍ୟ ଜନୀନଙ୍କର ସମ୍ମୁଖରେ ନେଇ ପହଞ୍ଚାଇ ପାରିବା । ସନ୍ତାନଟିଏ ହେବା,-ଅର୍ଥାତ୍ ସନ୍ତାନଟି ଭଳି ଜୀବନଟିଏ ବଞ୍ଚିବା ଓ ସେହି ଜନନୀଙ୍କର ଜଗତରେ ତାଙ୍କରି କାମରେ ନିୟୋଜିତ ହୋଇ ପାରିବା-। ଆମେ ସହଜ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ପରମା ଜନନୀଙ୍କର ସେହି କୃପା ମଧ୍ୟ ଆମ ପାଇଁ ସହଜ ହୋଇଯିବ, ଆମ ଜୀବନସାଧନା ଅର୍ଥାତ ପୃଥ୍ୱୀସାଧନାର ପଥରେ ଆମପାଇଁ ପାଥେୟ ହୋଇ ରହିବ । ଆମର ଯାବତୀୟ ସାଧନା ଯେ ଏକ ପଥ ଚାଲିବାର ଏକ ପଥ, ସେହି ଗୁମରଟିର ସକାରାତ୍ମକ ଅସଲ ଅର୍ଥଟିକୁ ଆମେ ସେତେବେଳେ ବୁଝିବା । ତେଣୁ ପରମକରୁଣାକୁ ନେଇ ଆମେ ଆଉ ତତ୍ତ୍ଵ କରିବା ନାହିଁ, କୌଣସି ଗୋଳ ବି କରିବା ନାହିଁ । ଆମ ତରଫଟିକୁ ଆପଣାର ଆସ୍ପୃହା ଓ ବିଶ୍ଵାସ ଦ୍ଵାରା ଉନୋଚିତ ଅର୍ଥାତ୍ ସଂପୃକ୍ତ କରାଇ ନେବା ।

 

ପ୍ରକରଣଟିକୁ ଆମ ଲାଗି ଆହୁରି ପ୍ରସାର ଦେଇ ଶ୍ରୀଅରବିନ୍ଦ ଏହି ଅଧ୍ୟାୟଟିରେ ତେଣୁ କହିଛନ୍ତି : ତୁମ ବିଶ୍ଵାସ ଶୁଦ୍ଧ ହୋଇଥିବ, ମଧୁର ହୋଇଥିବ ଏବଂ ପରିପୂର୍ଣ୍ଣ ହୋଇଥିବ । ମାନସିକ ତଥା ପ୍ରାଣିକ ସତ୍ତାରେ ଯେଉଁ ତଥାକଥିତ ବିଶ୍ଵାସମାନେ ବାରମିଶା ଅର୍ଥାତ୍ ବାରଭଙ୍ଗୀ ହୋଇ ରହିଥାଏ, ସେହି ବିଶ୍ଵାସ ଆଦୌ ନୁହେଁ । ସେଥିରେ କେବଳ ନିଜପାଇଁ ହାସଲ କରିବାର କୌଣସି ଆଶା ନଥିବ, ଗର୍ବ ବୋଲି କିଛି ନଥିବ, ଦାମ୍ଭିକତା ନଥିବ । ମନର କ୍ଷେତ୍ରରେ ଉଦ୍ଧତପଣ ନଥିବ : ପ୍ରାଣର କ୍ଷେତ୍ରରେ କୌଣସି ସ୍ଵାର୍ଥ ଜଡ଼ିତ ଇଚ୍ଛା ରହିବ ନାହିଁ, ଖାସ୍ ନିଜ ଲାଗି କୌଣସି ଦାବି କରିବାର ଅବକାଶ ମଧ୍ୟ ନଥିବ । ଆପଣାର ଆମର ଏହି ଅତି ପରିଚିତ ନିମ୍ନ ପ୍ରକୃତିଟାର କ୍ଷୁଦ୍ର ପରିତର୍ପଣମାନ କରିବାର ଏତେ ଟିକିଏ ବାସନା ମଧ୍ୟ ରହି ନଥିବ । ସେହି ଜାତିର ପରିତର୍ପଣ ଗୁଡ଼ିକର ଯେଉଁ ଶିଖାଟି, ସେଇଟି ତ ସର୍ବଦା ହିଁ ଉଚିତ ଉଚ୍ଚତାଟିକୁ ସ୍ପର୍ଶ କରି ନଥାଏ ଏବଂ ସତେଅବା ଧୂଆଁ ଦ୍ଵାରା ସଦା-ଅସ୍ପଷ୍ଟ ହୋଇ ରହିଥାଏ । ତୁମେ ଯେ ଜୀବନଟିଏ ନେଇ ଏହି ପୃଥିବୀକୁ ଆସିଛ, କେବଳ ଦିବ୍ୟ ପରମେଶ୍ଵରଙ୍କର କାର୍ଯ୍ୟକୁ କରିବା ସକାଶେ ଆସିଛ, ଏହି ଧରଣୀ ତଳେ ଉଦ୍ଦିଷ୍ଟ ହୋଇ ରହିଥିବା ଈଶ୍ୱରୀୟ ପରିପ୍ରକାଶରେ ସାହାଯ୍ୟ କରିବାଲାଗି ଆସିଛ । ତେଣୁ, କେବଳ ଶୁଦ୍ଧତା ଲାଗି ଶକ୍ତି ଲାଗି, ଆଲୋକ ଲାଗି, ପୂର୍ଣ୍ଣ ପ୍ରସାର ଓ ଶାନ୍ତି ଲାଗି ତଥା ଦିବ୍ୟ ଚେତନା ମଧ୍ୟରେ ଅବସ୍ଥିତ ରହିଥିବାର ପରମ ଆନନ୍ଦଟି ଲାଗି ତୁମ ଜୀବନରେ ଯାହା କିଛି ବାସନା ରହିଥିବ । ସେହି ଆନନ୍ଦ ହିଁ ତୁମର ମନ, ପ୍ରାଣ ଏବଂ ଶରୀରର ଏକ ରୂପାନ୍ତର ଘଟାଇ ଅବଶ୍ୟ ପରିପୂର୍ଣ୍ଣତା ଆଣି ଦେବା ନିମନ୍ତେ ତୁମର ଦ୍ଵାରଦେଶରେ ଅପେକ୍ଷା କରି ରହିଛି, ତୁମେ ସେଇଟି ବିଷୟରେ ସଚେତନ ହୋଇ ରହିଥିବ ।

 

ତୁମେ ମୋଟେ କିଛି ହେଲେ ମାଗିବ ନାହିଁ,-କେବଳ ସେହି ଦିବ୍ୟ, ଆଧ୍ୟାତ୍ମିକ ଓ ଅତିମାନସ ପରମସତ୍ୟର ବାଞ୍ଛା ରଖିଥିବ : ଏହି ପୃଥିବୀପୃଷ୍ଠରେ, ତୁମ ନିଜ ଭିତରେ ଓ ଯେଉଁମାନେ ଆହୂତ ଏବଂ ନିର୍ବାଚିତ ହୋଇଛନ୍ତି ବୋଲି ଉପଲବ୍ଧି କରି ପାରୁଛନ୍ତି, ସେମାନଙ୍କ ସମସ୍ତଙ୍କର ଭିତରେ ବାସ୍ତବାୟିତ ହୋଇପାରିବ, ତୁମେ ତାହାରି ଲାଗି ଆପଣାକୁ ପ୍ରସାରିତ କରି ରଖିଥିବ । ସେହି ପରମ କାମ୍ୟତମ ସତ୍ୟଟି କିପରି କ୍ରମପ୍ରକଟ ହୋଇ ଆସିବ ଓ ସକଳ ବିରୋଧକାରୀ ଶକ୍ତିମାନଙ୍କ ଉପରେ ବିଜୟ ହାସଲ କରିବ, ସେଥିଲାଗି ପୃଥିବୀରେ ଅପେକ୍ଷା ରହିଥିବା ଅନୁକୂଳ ସ୍ଥିତି ଗୁଡ଼ିକ ମଧ୍ୟ ସମ୍ଭବ ହୋଇ ଆସିବ, ତୁମେ ସେହିଗୁଡ଼ିକ ସକାଶେ ସର୍ବଦା ପ୍ରାର୍ଥନା କରୁଥିବ । ତେଣୁ, ତୁମର ଆନ୍ତରିକତା ଓ ସମର୍ପଣ ଏକ ସତକୁ ଅର୍ଥାତ୍ ଅବିମିଶ୍ରିତ ଆନ୍ତରିକତା ଏବଂ ସମର୍ପଣ ହୋଇ ଅବଶ୍ୟ ହୋଇ ରହିବେ । ଆପଣାକୁ ଦେବା ସମୟରେ ତୁମେ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଦେବ,-ଆଦୌ କୌଣସି ଦାବି, ଆଦୌ କୌଣସି ସର୍ତ୍ତ ନଥିବ । କୌଣସି ପ୍ରକାରର କୁଣ୍ଠା ଅର୍ଥାତ୍ ଦ୍ଵିତୀୟ ଭାବନା ମଧ୍ୟ ରହିବ ନାହିଁ । ଏପରି ହେବ ଯେ, ତୁମ ଭିତରେ ଯାହା କିଛି ଅଛି, ସବୁକିଛି କେବଳ ସେହି ଦିବ୍ୟଜନନୀଙ୍କର ହୋଇ ରହିଥିବ । ତୁମ ନିଜର ବୋଲି ଅଲଗା ହୋଇ କିଛିହେଲେ ରହିବ ନାହିଁ । ଅଥବା, ଅନ୍ୟ କୌଣସି ନିମନ୍ତେ ଆଦୌ ସମର୍ପିତ ହୋଇ ନଥିବ ।

 

ଏବଂ, ଏହି କ୍ଷୁଦ୍ରତମ ଅଧ୍ୟାୟଟିର ଶେଷଭାଗରେ ରହିଥିବା ସେହି ଅନବଦ୍ୟ କେତୋଟି ବାକ୍ୟ : ତୁମ ବିଶ୍ଵାସ ଯେତିକି ଅଧିକ ସମ୍ପୂର୍ଣ୍ଣ ହେବାରେ ଲାଗିଥିବ, ତୁମ ଆନ୍ତରିକତା ଓ ସମର୍ପଣ ଯେତିକି ଅଧିକ ପରିପୂର୍ଣ୍ଣ ହେଉଥିବ, ସେହି କରୁଣା ଏବଂ ସେହି ସୁରକ୍ଷା ତୁମ ଲାଗି ସେତିକି ଅଧିକ ଉପଲବ୍ଧ ହୋଇଆସିବ । ଏବଂ, ସେହି ଦିବ୍ୟଜନନୀଙ୍କ କରୁଣା ସୁରକ୍ଷା ଯେତେବେଳେ ତୁମ ସହିତ ରହିବ, ତେବେ ତୁମକୁ ଆଉ କେଉଁ ଆପଦ ଆଦୌ ସ୍ପର୍ଶ କରିପାରିବ ଅଥବା ତୁମେ ପ୍ରକୃତରେ ଆଉ କାହିଁକି କାହାକୁ ଭୟ କରିବ ? ଏବଂ, ସେହି କରୁଣାର ନିତାନ୍ତ କିଞ୍ଚିତ୍ ପରିମାଣ ମଧ୍ୟ ତୁମକୁ ସୁନିଶ୍ଚିତ ଭାବରେ ହିଁ ସର୍ବବଧ ପ୍ରତିବନ୍ଧକ, ବାଧା ଏବଂ ବିପଦକୁ ଅବଶ୍ୟ ଅତିକ୍ରମ କରାଇ ନେଇ ଯାଉଥିବ । ଏବଂ, ତାହା ତୁମକୁ ସମ୍ପୂର୍ଣ୍ଣ ଭାବରେ ଯଦି ବେଷ୍ଟନ କରି ରହିଥାଏ, ତେବେ ତ ତୁମେ ପୂର୍ଣ୍ଣ ସୁନିଶ୍ଚିତ ଓ ବିପଦଶୂନ୍ୟ ଭାବରେ ନିଜର ବାଟଟିକୁ ଚାଲିଯାଇ ପାରୁଥିବ । କାରଣ, ବର୍ତ୍ତମାନ ତୁମେ ନିଜର ବାଟଟିକୁ ତାଙ୍କରି ବାଟ ବୋଲି ସ୍ଵୀକାର କରି ନେଇଥିବ । ସେତେବେଳେ ତୁମ ଭିତରେ ଆଦୌ କୌଣସି ବିପତ୍ତି ବିଷୟରେ କିଛିହେଲେ ଚିନ୍ତା ବା ଦକ ନଥିବ । ଏହି ପୃଥିବୀରୁ ଅଥବା ଅଦୃଶ୍ୟ ଆଉ କୌଣସି ପୃଥିବୀର ଯାହା ଯେତେ ବିରୋଧ ଯେତେ ଅଧିକ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ସେଗୁଡ଼ିକୁ ନେଇ ତୁମକୁ ମୋଟେ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ । ଦିବ୍ୟଜନୀନଙ୍କର କରୁଣାର ସେହି ସ୍ପର୍ଶଟି କେତେ ନା କେତେ ଅସୁବିଧାକୁ ସୁବିଧାରେ ହିଁ ପରିଣତ କରିଦେବ, ବିଫଳତାକୁ ସଫଳତା ରୂପେ ବଦଳାଇ ଦେବ ଓ ଯାବତୀୟ ଦୁର୍ବଳତାକୁ କଦାପି ନିରସ୍ତ ହେଉ ନଥିବା ଏକ ବଳରେ ହିଁ ରୂପାନ୍ତରିତ କରିଦେବ । କାରଣ, ଦିବ୍ୟଜନନୀଙ୍କର ସେହି କରୁଣା ସେହି ପରମ ଦିବ୍ୟସତ୍ତାଙ୍କର ନିର୍ଦ୍ଦେଶରୁ ଉନ୍ମେଷିତ ହୋଇଥିବ ଏବଂ, ଆଜି କିମ୍ବା କାଲି ଯେଉଁଦିନ ହେଉ ପଛକେ, ଏହାର ଫଳଟି ଅବଶ୍ୟ ପ୍ରତ୍ୟକ୍ଷ ହେବ,-ତାହା ସେହି ମୂଳରୁ ହିଁ ନିର୍ଦ୍ଦେଶିତ ହୋଇ ରହିଛି, ଅବଶ୍ୟମ୍ଭାବୀ ରହିଛି, ସମ୍ପୂର୍ଣ୍ଣ ଅପ୍ରତିରୋଧ୍ୟ ହୋଇ ମଧ୍ୟ ରହିଛି ।

 

ଆମର ଏହି ପୃଥିବୀଯାକ ତେବେ ଏତେ ଏତେ ଭୟ କ’ଣ ପାଇଁ ଆଚ୍ଛାଦି ରହିଛି ? ବ୍ୟକ୍ତି ଜୀବନର ଭୟ, ସାମୂହିକ ଗଢ଼ଣଗୁଡ଼ିକ ମଧ୍ୟରେ ଏତେ ଏତେ କିସମର ଭୟ, ସମୂହମାନେ ହିଁ ମୋତେ ଗିଳି ପକାଇବେ ବୋଲି ଯାବତ ଭୟାକୂଳତାମାନ, ଗୋଟିଏ ସମୂହର ଆଉ ଗୋଟାଏ ସମୂହ ପ୍ରତି ରହିଥିବା ମିଛ ଅଥବା ସର୍ବବିଧ ଭୟ । ଭୟରୁ ହିଁ ହିଂସ୍ରତା । କାଳେ ସେହି ଅନ୍ୟଟା ମୋ’ପ୍ରତି ହିଂସ୍ର ଆଚରଣ କରିବ ବୋଲି ମୁଁ ଆଗରୁ ସାବଧାନ ହେବି, ଅର୍ଥାତ୍ ମୂଳରୁ ହିଁ ସେହି ଅପର ବା ଅନ୍ୟଟାକୁ ଅବିଶ୍ଵାସ କରିବି ଓ ତେଣୁ ହିଂସ୍ର ମଧ୍ୟ ହେବି, ଆମ ପୃଥିବୀକୁ ସେହି ମୂଳଭୂତ ଖୋଇଟା ପ୍ରକୃତରେ ଏଠି ଜଣେ ଜଣେ ମନୁଷ୍ୟ ହିସାବରେ ତଥା ଗୋଟିଏ ଗୋଟିଏ ସମୂହ ହିସାବରେ ଆମକୁ ନାନାପ୍ରକାରେ ନିର୍ବୋଧ କରି ନ ରଖିଛି ! ଏହି ନିର୍ବୋଧତା ହେତୁ ସିନା ଚାରିପାଖରେ ବହୁବିଧ ପ୍ରତିଶ୍ରୁତିମାନ ବାଢ଼ିଦେଇ ଜ୍ଞାନ ଓ ବିଜ୍ଞାନମାନେ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ଆମ ପୃଥ୍ୱୀଜୀବନର ଘରଟି ସେଗୁଡ଼ିକ ଦ୍ଵାରା ଉପକୃତ ହୋଇ ପାରୁନାହିଁ । ଅସହାୟତା ବଢ଼ୁଛି, ଭୟ ବଢ଼ୁଛି, ତେଣୁ ହିଂସ୍ରତା ମଧ୍ୟ ବଢ଼ୁଛି । ମୁଖ୍ୟତଃ ଭୟାଳୁ ହୋଇଥିବାରୁ ସିନା ଅଧିକାଂଶ ମନୁଷ୍ୟ ଭଗବାନଙ୍କୁ ଲୋଡ଼ୁଛନ୍ତି, ଆଦର୍ଶମାନେ ଆଦର୍ଶବାଦର ଗହନମାନଙ୍କରେ ଅଦୃଶ୍ୟ ହୋଇ ଯାଉଛନ୍ତି । ଅସଲ ଅଭୟମାନେ କେଡ଼େ ମର୍ମନ୍ତୁଦ ଭାବରେ ହାତଛଡ଼ା ହୋଇ ଯାଉଛନ୍ତି । ପରମା ଜନନୀଙ୍କର ସଦା ଉପସ୍ଥିତି ବିଷୟରେ ସୁସ୍ଥ ବିଶ୍ଵାସଟିଏ ରହିଥିଲେ ଆମେ ଆଦୌ ଭୟ ବା କାହିଁକି କରନ୍ତୁ । ସେହି ସଦା ସୁରକ୍ଷାଟି ଉପରେ ବିଶ୍ଵାସ ରହିଥିଲେ ଆଉ ଏପରି ଭାବରେ ଆପଣାକୁ ଅସୁରକ୍ଷିତ ମଣି ଆମେ ସନ୍ତାନମାନେ କ’ଣ ପାଇଁ ଏଣେ ତେଣେ ନାଚି ବୁଲିବାରେ ଲାଗିଥାଆନ୍ତୁ । ନାଇଁ ନାଇଁ, ଆମ ସମସ୍ତଙ୍କୁ ଏକାଠି ଗୁନ୍ଥି ରଖିଥିବା ସେହି ଅସଲ ସୂତାଟିକୁ ଲୋଡ଼ିବା, ତାହା ହିଁ ସକଳ ଅର୍ଥରେ ଆମକୁ ସନ୍ତାନରୂପେ ବଞ୍ଚିବା ନିମନ୍ତେ ବଳ ଆଣି ନିଶ୍ଚୟ ଦିଅନ୍ତା । ଜନନୀ ଯେ କେବେହେଲେ ତାଙ୍କର ସନ୍ତାନକୁ ଛାଡ଼ି ଚାଲିଯାଆନ୍ତି ନାହିଁ,-ପ୍ରକୃତରେ କେଉଁ ଦୁଃଖ ଅଥବା ଦୁର୍ଭାଗ୍ୟକୁ ଲୋଡ଼ି କେଉଁ ସନ୍ତାନ ଆଉ କାହିଁକି ବିଶ୍ଵାସ ହରାଇ ବସନ୍ତା ? ସେହି ବିଶ୍ଵାସରୁ ବିଚ୍ୟୁତ ନହେବା,-ଆମେ ଯେ ସତକୁ ସତ ସମର୍ପିତ ହୋଇ ରହିଛୁ, ତାହାରି ଏକ ସର୍ବୋତ୍ତମ ପ୍ରମାଣ କି ?

 

ଅର୍ଥାତ୍ ସବାଆଗ ବିଶ୍ଵାସ,-ଜଣେ ଅନମନୀୟ ସନ୍ତାନ–ଆତ୍ମାର ଏହି ଖିଳ ଜଗତର ସେହି ଜନନୀ ଏଇଠି ମୋତେ ଘେରି କରି ରହିଛନ୍ତି ବୋଲି ଏକ ଅନୁକ୍ଷଣ ପ୍ରତ୍ୟୟ,–ତାହା ହିଁ ତାଙ୍କ ସୁରକ୍ଷା ବିଷୟରେ ସେହି ସକାରାତ୍ମକ ନିତ୍ୟ ବୋଧଟି । ଏବଂ, ସେହି ପ୍ରତ୍ୟକ୍ଷ ବୋଧଟି ଅନୁସାରେ ଏକ ସହଜ ଶ୍ରଦ୍ଧାରେ ନିଜର ଜୀବନଗୁଡ଼ିକୁ ବଞ୍ଚିବା, ସେଇଟି ହିଁ ଆନ୍ତରିକତା ଓ ଅନ୍ତରଙ୍ଗତା । ସମର୍ପଣ ଓ ସକଳ ତାତ୍ପର୍ଯ୍ୟରେ ଏକ ଜୀବନ ସ୍ଥିତି, ଯାହାକୁ ବଞ୍ଚିହୁଏ,-ଯେତେବେଳେ ମାଆଙ୍କର କଥା ଅନୁସାରେ ଆମକୁ ଏକ Serviter ହେବା, ତାହାହିଁ ସନ୍ତାନଟିଏ ହେବାର ସାମର୍ଥ୍ୟଟିକୁ ନିଜ ଜୀବନରେ ଆବିଷ୍କାର କରିବାର ଯାବତୀୟ ଆବଶ୍ୟକ ପ୍ରସାର ପ୍ରଦାନ କରିଥାଏ । ମାଆ ତାହାକୁ ହିଁ ଆମ ସମସ୍ତଙ୍କର ଜୀବନର ସର୍ବୋତ୍ତମ ଆବିଷ୍କାର ବୋଲି ସୂଚାଇ ଦେଇଛନ୍ତି । ଅନେକେ ନାନା ଶୈଳୀରେ despot ହୋଇ ରହି ଯେ ରହିଥାଆନ୍ତି, ସେମାନେ କ’ଣ ସବୁ ଅନ୍ୟପ୍ରକାରେ ପାଞ୍ଚି ସେପରି କରିଥାନ୍ତି କେଜାଣି ? ସମଗ୍ର ଜଗତ ନିମନ୍ତେ despot ହୁଅନ୍ତି ତଥା ପୂରାପଣେ ଏକ ଖାସ୍ ଉତ୍ସାହରେ despot–ଗିରିରେ ଆପଣାକୁ ଉତ୍ତେଜିତ କରିଥାନ୍ତି । କେତେ ଜ୍ଞାନ, କେତେ ଭକ୍ତି, କେତେ କେତେ କର୍ମମୁଖରତା ଭିତରେ ମଜ୍ଜି ରହିଥାଆନ୍ତି ଓ ଆପଣା ଭିତରେ ଅପେକ୍ଷା କରି ରହିଥିବା ସନ୍ତାନାତ୍ମାଟିକୁ ଉତ୍ପୀଡ଼ିତ କରିବାରେ ଲାଗିଥାନ୍ତି । ଆମ ପୃଥିବୀଟାଯାକ ଏଠାରେ ସବୁବେଳେ ହାଉଜାଉ ହୋଇ ରହିଥିବା despotism ଟା ଦ୍ଵାରା ଏତେ ନିପୀଡ଼ିତ ହୋଇ ରହିଛି କି ?

 

ସୁତରାଂ, ସନ୍ତାନଟିକୁ ବ୍ୟକ୍ତ କରି ଆଣିବାକୁ ମନ କଲେ ଆମେ despot ହେବାର ଯାବତୀୟ ଲାଳସାରୁ ଆପଣାକୁ ବଞ୍ଚାଇ ରଖିବା । ଏବଂ, ସାଧନାର ଯାବତୀୟ କ୍ରମପ୍ରକ୍ରିୟାରେ ବିଶ୍ଵାସ ବା ଆସ୍ପୃହା, ଆନ୍ତରିକତା ତଥା ଆସ୍ପୃହା, ଏହି ତିନୋଟିଯାକକୁ ଆମ ନିଜ ତରଫରୁ ହିଁ ଗୋଟିଏ ଗୋଟିଏ ପ୍ରତ୍ୟୟପତ୍ର ବୋଲି ସର୍ବଦା ସଚେତନା ରହିଥିବା । ଆମ ତରଫଟି ସମାହିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଆମେ ଆମର ଜୀବନରେ ସେହି ଚରଣସ୍ପର୍ଶଟିକୁ ଅନୁଭବ କରିପାରିବା । ନିର୍ଭୟ ହେବା ଏବଂ ଆପଣାକୁ ପୂର୍ଣ୍ଣ ସୁରକ୍ଷିତ ବୋଲି ଉପଲବ୍ଧି କରିବା । ଆମ ନିଜ ଜୀବନରେ ଓ ବିଶ୍ଵଯାକର ଜୀବନରେ ଏହି ସ୍ପର୍ଶଟିକୁ ଅନୁଭବ କରିବା, । ଆମର ସର୍ବବିଧ ସାଧନା ଏବଂ ଆମର ସମ୍ପୂର୍ଣ୍ଣ ଇହଜୀବନଟି–ଉଭୟେ ଯେ ପରସ୍ପରଠାରୁ ମୋଟେ ଭିନ୍ନ ନୁହନ୍ତି, ସେଇଟିର ପ୍ରତ୍ୟକ୍ଷ କରିପାରିବା । ସେତେବେଳେ ମଧ୍ୟ despot ମାନେ ଥିବେ, ତଥାପି ଆମ ସନ୍ତାନମାନଙ୍କର serviter ହେବାର ଏକତ୍ର ମେଳଟିର ସେମାନେ କଦାପି ଗତିରୋଧ କରିପାରିବେ ନାହିଁ । ଏବଂ, ଆମ ପୃଥିବୀର ଅସଲ ନିୟତିଟି ଫଳିଫଳି ଯାଉଥିବ ।

Image

 

ଚତୁର୍ଥ ଅଧ୍ୟାୟ

 

ପୂର୍ବରୁ ଯେପରି ସୂଚନା ଦିଆଯାଇଛି, ‘ମାଆ’ ବହିଟି ଏକ ଏକାବେଳେକେ ଲେଖା ହୋଇଥିବା ପୁସ୍ତକ ନୁହେଁ । ଏଇଟି ଏକ ସଂକଳନ । ଛଅଟି ଅଧ୍ୟାୟକୁ ଏକତ୍ର ଗୁନ୍ଥି ସଂକଳନଟିଏ । ସ୍ୱୟଂଶ୍ରୀ ଅରବିନ୍ଦଙ୍କର ଇଚ୍ଛାନୁସାରେ ପ୍ରସ୍ତୁତ କରା ଯାଇଥିଲା କି ନାହିଁ, ସେକଥା କହି ହେବନାହିଁ । ମାତ୍ର, ଏତିକି ନିଶ୍ଚୟ ଅନୁମାନ କରଯାଇ ପାରିବ ଯେ ତାଙ୍କର ଜ୍ଞାତସାରରେ କାର୍ଯ୍ୟଟି ହୋଇଥିଲା ଓ ଏଇଟି ପଛରେ ତାଙ୍କର ସମର୍ଥନ ରହିଥିଲା । ଛଅଟି ଅଧ୍ୟାୟରୁ ଚାରୋଟି ଦୁଇଜଣ ବ୍ୟକ୍ତିଙ୍କ ନିକଟକୁ ପ୍ରେରିତ ହୋଇଥିବା ଶ୍ରୀ ଅରବିନ୍ଦଙ୍କର ଚିଠି । ଚିଠିଗୁଡ଼ିକ ଆଶ୍ରମର ଅଭିଲେଖାଗାରରେ ରହିଛି । କିନ୍ତୁ ସେଗୁଡ଼ିକ ସାଧାରଣ ଉତ୍ସୁକମାନଙ୍କର ଗୋଚରକୁ ଆସିବା ସୁଲଭ ହୋଇ ପାରିନାହିଁ-। ଆଶ୍ରମର କେତେ ବନ୍ଧୁ ମତେ ଦିଅନ୍ତି ଯେ ମୂଳ ଚିଠି ସହିତ ‘ମାଆ’ ପୁସ୍ତକର ସେହି ପାଠ ମଧ୍ୟରେ ଖୁବ୍‌ ସମ୍ଭବ କିଛି ପାର୍ଥକ୍ୟ ମଧ୍ୟ ରହିଛି ।

 

ମାତ୍ର, ଘଟଣା ଯାହା ହୋଇଥାଉ ପଛକେ, ସଂକଳନଟି ସକଳ ଅର୍ଥରେ ଏକ ପୂର୍ଣ୍ଣ ପୁସ୍ତକ ଭଳି ଅବଶ୍ୟ ଲାଗୁଛି । ପୂର୍ଣ୍ଣ ସଙ୍ଗତିଯୁକ୍ତ ଭାବରେ କେଡ଼େ ଗୋଟିଏ ବୋଲି ଗ୍ରହଣ କରିହେଉଛି । ଏବଂ, ସୁନିଶ୍ଚିତ ଭାବରେ ଆମେ ସମସ୍ତେ ହିଁ ତାହାକୁ ବହିଟିର ଅସଲ ଚମତ୍କାର ବୋଲି କହିବା । ଏବଂ, ସେହି ଚମତ୍କାରଟିକୁ ଯେତିକି ଅନ୍ତର୍ଗତ ଭାବରେ ବୁଝିବା, ପୂର୍ଣ୍ଣାଙ୍ଗ ଯୋଗମାର୍ଗର ସ୍ଵାତନ୍ତ୍ର୍ୟଟିକୁ ସେତିକି ଅଧିକ ପରିମାଣରେ ହୃଦୟଙ୍ଗମ କରିପାରିବା । ପାରମ୍ପରିକ ଯୋଗମାର୍ଗ ଗୁଡ଼ିକ ସହିତ ତାହାକୁ ମୋଟେ ଗୋଳାଇ ମିଶାଇ ଦେବାରୁ ଇଚ୍ଛା କରିବା ନାହିଁ । ଆଗର ଉକ୍ତ ମାର୍ଗଗୁଡ଼ିକୁ ଅଳ୍ପ ବହୁତ ପରିମାଣରେ ସମନ୍ଵିତ କରି ଏହି ଅନ୍ୟଟିର ଉଦ୍‌ଭବ ହୋଇଛି ବୋଲି ମଧ୍ୟ ଭ୍ରମ କରିବା ନାହିଁ । ହଁ, ପାରମ୍ପରିକ ପରିଚିତିଗୁଡ଼ିକରୁ ଉପାଦାନମାନ ଅବଶ୍ୟ ନିଆଯାଇଛି, କିନ୍ତୁ କେଉଁ ଖାସ୍ ଅନ୍ୟ ଆହ୍ଵାନଟିକୁ ଆଖି ସମ୍ମୁଖରେ ରଖି ସମ୍ପୂର୍ଣ୍ଣ ଏକ ପ୍ରସ୍ଥ ତଥା ପ୍ରସାର ଦେଇ ଆମ ସମସ୍ତଙ୍କ ସକାଶେ ଏକ ଅନ୍ୟ ପୃଥିବୀ–ନକ୍ସାର ପରିଚୟ ଦିଆଯାଇଛି, ସେଇଟିକୁ ବୁଝି ପାରିବା ତଥା କେଉଁ ବିଶେଷ ବ୍ୟଞ୍ଜନାଟିକୁ ଦେଇ ଶ୍ରୀଅରବିନ୍ଦ ଯୋଗସମ୍ବନ୍ଧୀ ତାଙ୍କର ମୁଖ୍ୟ ପୁସ୍ତକଟିକୁ ନାମିତ କରିଛନ୍ତି, ସେଇଟି ବିଷୟରେ ଅବଗତ ହୋଇ ପାରିବା ।

 

ପୁରୁଣା ଚିହ୍ନା ଦାଣ୍ଡିଟି ଉପରେ ଭରା ଦେଇ ‘ମାଆ’ ବହିଟି ମଧ୍ୟରେ ପ୍ରବେଶ କରିବା ସମୟରେ ଆମେ ଅନେକେ ଏହି ‘ଅର୍ଥ’ ନାମକ ଅଧ୍ୟାୟଟି ପାଖକୁ ଆସି ଆଚମ୍ବିତି ହୋଇଥାଉ କି-? ଏଇଟି ଆସି ସଂକଳନଟି ମଧ୍ୟରେ କିଞ୍ଚିତ୍ ଅକସ୍ମାତ୍ ଭାବରେ ଆସି ପଶିଯାଇଛି କି ? କାହିଁକି ଏପରି ହେଲା ବୋଲି ହୁଏତ ଅଭିଯୋଗ କରୁନାହିଁ, କିନ୍ତୁ ମନଟା ଭିତରେ ଅବଶ୍ୟ କିଛି ଖଟକା ରହିଯାଏ । ନିଜେ ପୂରା ବୁଝି ପାରୁନାହିଁ ବୋଲି ଏକାଠି ବସିଥିବା ବେଳେ କଥାଟିର ଆଲୋଚନା ବି କରୁନାହିଁ । ହୁଏତ ସେହିପରି ଖଟକାଟି ମଧ୍ୟରେ ବାଆଁରେଇ ହୋଇ ରହିଯାଉ । ତା’ପରେ ଆମ ସଂପୃକ୍ତ ସମସ୍ତଙ୍କର ପ୍ରାୟ ସମ୍ମତି ଭିତରେ ‘ମାଆ’ ବହି କାର୍ଯ୍ୟତଃ ଏକ ପାରାୟଣ–ପୁସ୍ତକ ହୋଇ ରହିଯାଏ । ବହିଟି ବେଶ୍ କୌଣସି ଧର୍ମପୁସ୍ତକ ପରି ହୋଇ ରହିଯାଏ । ଅଥବା, କିଞ୍ଚିତ୍ ଏକ ବ୍ୟାବହାରିକ ବୁଦ୍ଧିରେ ବାକି ପାଞ୍ଚୋଟି ଅଧ୍ୟାୟକୁ ଆମେ ଖୁବ୍ ଖୁସି ହୋଇ ପାଠ କରୁ ଏବଂ ଏହି ଚତୁର୍ଥଟିକୁ ସତେଅବା ଡେଇଁ ଯିବାପରି ଡଗଡ଼ଗ କରି ପଢ଼ି ପକାଉ । ଅନେକ ଅବଗାହୀ ତ ଏପରି ପରାମର୍ଶ ମଧ୍ୟ ଦେଇଥାଆନ୍ତି ଯେ, ନାଇଁ ନାଇଁ, ଆଶ୍ରମ ନିମନ୍ତେ ବାହାରର ଜଣେ ବ୍ୟକ୍ତିଙ୍କର ଅର୍ଥ ସଂଗ୍ରହ କରିବାର ସଂକ୍ରାନ୍ତରେ ତାଙ୍କୁ ସତେଅବା କେତେକ ପରାମର୍ଶ ଦେଇ ଶ୍ରୀ ଅରବିନ୍ଦ ଏକ ପତ୍ରରେ ହିଁ ଯାହା ଲେଖିଥିଲେ, ଚତୁର୍ଥ ଅଧ୍ୟାୟରେ ସେହି କଥାମାନଙ୍କୁ ଉଦ୍ଧାର କରାଯାଇଛି । ଏପରିକି ସେହି ବ୍ୟକ୍ତିଙ୍କ ଦ୍ଵାରା ପତ୍ରଟିର ଆରପାଖରେ ହିଁ ସେ କଥାଗୁଡ଼ିକୁ ଲେଖି ପଠାଇ ଦେଇଥିଲେ । ତେଣୁ, ସେଇଟିର ‘ମାଆ’ ବହିର ମୂଳ ଆଧ୍ୟାତ୍ମିକ ଆବେଦନଟି ସହିତ ବିଶେଷ କୌଣସି ସମ୍ପର୍କ ନାହିଁ ବୋଲି ଭାବି ସେମାନେ ସେହିପରି କହିଥାଆନ୍ତି କି ? ‘ମାଆ’ ବହିର ଅଧିକାଂଶ ଆଲୋଚକ ଓ ସମୀକ୍ଷକ କ’ଣ ସେହିପରି କିଛି କାରଣରୁ ଏଇଟି ଉପରେ ଯଥେଷ୍ଟ ମନୋନିବେଶ ନକରୁଥିବା ଭଳି ମନେ ହୁଅନ୍ତି କି ? ଏହିସବୁ ଘଟଣାକୁ ମନରେ ରଖି ତେଣୁ ଆମେ ଏଠାରେ ଅଧ୍ୟାୟଟିକୁ ବୁଝିବାଲାଗି ଚେଷ୍ଟା କରିବା ।

 

ଭାରତୀୟ ମାୟାବାଦରେ ଏହି ଜଗତଟା ମିଥ୍ୟା ବୋଲି ଘୋଷଣା କରି ସେଥିରୁ ଏକ ନିଆରା ଜୀବନମାର୍ଗର ଧାରଣାମାନ ଲାଗି ଆଣି ଯେଉଁମାନେ ବାଢ଼ି ଦେଇଛନ୍ତି, ସେମାନେ ପରମ ସତ୍ୟକୁ ଏହି ମାୟାମୟ ପୃଥିବୀଟାର ବାହାରେ ସତେଅବା ଅନ୍ୟ କେଉଁ ଅପହଞ୍ଚ ଶିଖର ଉପରେ ରହିଥିବା ପରି କଳ୍ପନା କରିଛନ୍ତି । ସେମାନେ ସଂସାରତ୍ୟାଗ କରିଛନ୍ତି । ଅନ୍ତତଃ ଏହି ଅନିତ୍ୟ ସଂସାରଠାରୁ ବାହାରେ ଆପଣାର ଏକ ଦ୍ଵୀପବତ୍ ବିକଳ୍ପବତ୍ ଥଳଟିଏ ନିର୍ମାଣ କରି ରହିଛନ୍ତି ଏବଂ ଏହାଦ୍ଵାରା ମାୟାମୁକ୍ତ ହୋଇ ରହି ପାରିଲେ ବୋଲି ଆପଣାକୁ ସାନ୍ତ୍ୱନା ଦେଇଛନ୍ତି । ପ୍ରାୟ ସେହି ମାର୍କାର ଏକ ମାୟାବାଦୀ ଆକର୍ଷଣରେ ସଂସାର ମଧ୍ୟରେ ବାସ କରୁଛନ୍ତି କିନ୍ତୁ ପୂର୍ଣ୍ଣ ଉଦାସୀନ ହୋଇ ରହିଛନ୍ତି । ସଂସାରରୂପୀ ପଦ୍ମପତ୍ରଟି ଉପରେ ଏକ ଜଳବିନ୍ଦୁ ସଦୃଶ ଅଲଗା ହୋଇ ଅଛନ୍ତି । ସଂସାରରୂପୀ ପଦ୍ମପତ୍ରଟି ନଥିଲେ ଉଦାସୀନ ଜଳବିନ୍ଦୁଟି ଢଳଢ଼ଳ ଅଲଗା ହୋଇ ରହିବାଲାଗି ଆଉ କେଉଁଠାରେ କିପରି ଥାନଟିଏ ପାଆନ୍ତି, ସିଏ ସେହି ବିଷୟରେ ମଧ୍ୟ ଦଣ୍ଡେ ଭାବିବା ନିମନ୍ତେ ମଧ୍ୟ ଉଦାସୀନ ହୋଇ ରହିଯିବାଟିକୁ ମଧ୍ୟ ଉଚିତ ବୋଲି ଗ୍ରହଣ କରି ନେଉଛି କି ? ଶ୍ରୀ ଅରବିନ୍ଦଙ୍କର ବିଶ୍ଵଦୃଷ୍ଟିରେ ସର୍ବୋଚ୍ଚ ପରମ ସତ୍ୟଟି ପୃଥିବୀ ବାହାରେ ନୁହେଁ, ପୃଥିବୀରେ ହିଁ ରହିଛି-। ଅବିକଳ ତାଙ୍କରି ଭାଷାରେ କହିଲେ : God has not created this word, He has become this world, He is this world ,-ତେଣୁ ଉଦାସୀନ ହୋଇ ରହିବାର କୌଣସି ଅବକାଶ ହିଁ ନାହିଁ । ତେଣୁ, ଆମ ସର୍ବବଧି ଅନୁମାନର ମୂଳ ନିର୍ଭରଶିଳା ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଉଛି ।

 

ଆମ ଅଭ୍ୟସ୍ତ ପାରମ୍ପରିକ ପରାମର୍ଶରେ ଯେ କାହିଁକି ଏତେ ଗାମ୍ଭୀର୍ଯ୍ୟ ସହିତ ଅର୍ଥକୁ ଅନର୍ଥ ବୋଲି କୁହାହୋଇଛି, ସେହି କଥାଟି ବେଶ୍ ବୋଧଗମ୍ୟ ହୋଇ ଯାଉଥିବ । ଶ୍ରୀ ଅରବିନ୍ଦ ଅର୍ଥକୁ ଏକ ଶକ୍ତି ବୋଲି କହିଛନ୍ତି । ପୃଥିବୀ ନାମକ ଆମ ସମସ୍ତଙ୍କର ଜୀବନରୂପୀ ଏହି ମହାଖଣ୍ଡଟିରେ ଯାବତୀୟ ଅଧ୍ୟାତ୍ମ–ଯୋଜନାରେ ଅର୍ଥ ହେଉଛି ଏକ ଅପରିହାର୍ଯ୍ୟ ଶକ୍ତି । ଜ୍ଞାନ ଯେପରି ଗୋଟିଏ ଶକ୍ତି, ଅର୍ଥ ମଧ୍ୟ ସେହିପରି ଗୋଟିଏ ଶକ୍ତି । ଅର୍ଥର ସେହି ତାତ୍ପର୍ଯ୍ୟଟିକୁ କେତେକ ନ୍ୟସ୍ତସ୍ଵାର୍ଥଗତ କାରଣରୁ ହୃଦୟଙ୍ଗମ କରିନାହିଁ ବୋଲି ଭାରତବର୍ଷର ଜୀବନଭୂମିଟି ଯାବତୀୟ ଅଧ୍ୟାତ୍ମର ମୂଳ ରୂପାୟନ ଗୁଡ଼ିକର କ୍ଷେତ୍ରରେ ଏପରି ଅସମର୍ଥ ହୋଇ ରହି ଆସିଛି କି-? ଅଧ୍ୟାତ୍ମର ଆହ୍ଵାନଗୁଡ଼ିକ ତଥାକଥିତ ଧର୍ମଗତ ଅଳ୍ପତାମାନଙ୍କ ଭିତରେ ଅଣନିଃଶ୍ଵାସୀ ହୋଇ ରହିଯାଇଛି । ଅଧ୍ୟାତ୍ମ ସବୁ ମନୁଷ୍ୟଙ୍କୁ ପରସ୍ପରର ନିକଟବର୍ତ୍ତୀ କରି ଆଣନ୍ତା ଏବଂ, ତାହାକୁ ଆମେ ନାନା ଚତୁରତା ଦ୍ଵାରା ବହୁ ଦୂରତା ତଥା ଉପେକ୍ଷା ଦ୍ଵାରା ଅବହେଳିତ କରି ରଖିଛୁ କି ? କେବଳ ଏହି ଗୋଟିଏ ଦେଶ ଭାରତବର୍ଷ ନୁହେଁ, ବୃହତ୍ତର ପୃଥିବୀର ସକଳ ଦେଶରେ ହିଁ ଦୂରତାମାନେ ହିଁ ଗାଦୀ ମାଡ଼ି ବସିଛନ୍ତି । ବହୁ ନିରାନନ୍ଦର କାରଣ ହୋଇଛନ୍ତି । ବହୁ ବହୁ ସତ୍ୟକୁ ଅନ୍ତରାଳ କରି ରଖିଛନ୍ତି । ସାଂସାରିକ ସମ୍ଭାବନାଗୁଡ଼ିକ ସତେଅବା ମାଡ଼ ଖାଇ ଯାଉଛନ୍ତି, ସିଧାଗୁଡ଼ିକ ଅକରଣରେ ହିଁ ବଙ୍କା ହୋଇ ଯାଉଛନ୍ତି । ପ୍ରତ୍ୟେକ ମନୁଷ୍ୟ ଭିତରେ ଅପେକ୍ଷା କରି ରହିଥିବା ସତ୍ୟ ଆପଣାକୁ ପ୍ରକାଶିତ କରି ଆଣିବାଲାଗି ସତେଅବା ବାଟ ହିଁ ପାଉନାହିଁ । ପୃଥିବୀରେ ଭୟ ବୃଦ୍ଧି ପାଉଛି, ହିଂସ୍ରତା ବଢ଼ୁଛି । ମନୁଷ୍ୟର ଏହି ପ୍ରକୃତିଟା କାଳକାଳକୁ କେବଳ ଏହିପରି ହୋଇ ରହିବ, ମୋଟେ ବଦଳିବ ନାହିଁ, ସେହି ଅସାଧୁ କଥାଟାକୁ ବିବିଧ ପରିପାଟୀରେ କେତେ କେତେ ପ୍ରତାପରେ କୁହାହେବାରେ ଲାଗିଛି ।

 

କଥିତ ଅଛି ଯେ, ଶ୍ରୀଯୁକ୍ତ ରାମକୃଷ୍ଣ ପରମହଂସ ଦେବ ଟଙ୍କାକୁ ମାଟି ବୋଲି କହୁଥିଲେ । ‘ମାଟି ଟଙ୍କା, ଟଙ୍କା ମାଟି’ ବୋଲି କହି ସେ ଟଙ୍କାଙ୍କୁ ଗଙ୍ଗା ନଦୀ ଭିତରକୁ ଫିଙ୍ଗି ନ୍ଦେଇଥିଲେ । ଶ୍ରୀ ପରମହଂସ ଦେବ ସେହି ପୁରୁଣା ଅର୍ଥରେ କଦାପି ମାୟାବାଦୀ ନଥିଲେ । ଏହି ମନୁଷ୍ୟ ଜୀବନର ଦୈନନ୍ଦିନ ସ୍ତରକୁ ସେ ଅଧ୍ୟାତ୍ମକୁ ସଞ୍ଚାରିତ କରି ଆଣିବାକୁ ହିଁ ଇଚ୍ଛା କରୁଥିଲେ । ତେଣୁ ତାଙ୍କର ଉକ୍ତି ତଥା ଆବେଦନଗୁଡ଼ିକ ମଧ୍ୟରେ କୌଣସି ନକାରାତ୍ମକତା ନଥିଲା । ଆପଣାର ଅନୁଗାମୀମାନଙ୍କୁ ସେ ଯାବତୀୟ ଅର୍ଥରେ ଏକ ସର୍ବକ୍ଷଣର ବଞ୍ଚି ହେଉଥିବା ସକାରାତ୍ମକ ଅଧ୍ୟାତ୍ମକ କଥା ହିଁ କହୁଥିଲେ । ତାଙ୍କରି ସାମୀପ୍ୟ ଦ୍ଵାରା ଉଦ୍‌ବୁଦ୍ଧ ସ୍ଵାମୀ ବିବେକାନନ୍ଦ ଯେତେବେଳେ ଏକ ଧର୍ମସମ୍ମିଳନୀରେ ଅଧ୍ୟାତ୍ମର ଉଦ୍‌ବୋଧନ ଦେବାଲାଗି ଆମେରିକା ଯାଇଥିଲେ, ସେତେବେଳେ ସେଠାରେ କପଟରହିତ ଭାବରେ ଭାରତବର୍ଷର ଦାରିଦ୍ର୍ୟମୋଚନ ନିମନ୍ତେ କିଛି ଅର୍ଥର ଯୋଗାଡ଼ କରିବାଲାଗି ମୁଖ୍ୟତଃ ସେଠାକୁ ଯାଇଛନ୍ତି ବୋଲି ଏକାଧିକ ଅବସରରେ ନିଜର ଶ୍ରୋତାମାନଙ୍କୁ କହୁଥିଲେ । ତାଙ୍କଦ୍ଵାରା ପ୍ରତିଷ୍ଠିତ ରାମକୃଷ୍ଣ ମିଶନ୍ ମଧ୍ୟ ଭାରତବର୍ଷରେ ସେହି ଦିଗରେ ଆପଣାକୁ ଉତ୍ସାର୍ଗୀକୃତ ହିଁ କଲା । ହଁ, ଶ୍ରୀ ରାମକୃଷ୍ଣ ଟଙ୍କାର ମାୟାରେ ଲିପ୍ତ ହୋଇ ନପଡ଼ିବାକୁ ହିଁ ସ୍ପଷ୍ଟତଃ ଲୋକମାନଙ୍କରେ ଦୃଷ୍ଟି ଆକର୍ଷଣ କରିବାଲାଗି ତାହାକୁ ମାଟି ବୋଲି କହୁଥିଲେ । ଅର୍ଥ ଅବଶ୍ୟ ଏକ ଶକ୍ତି, କିନ୍ତୁ ତାହାକୁ ଜୀବନର ଏକମାତ୍ର ଧ୍ୟେୟ ସଦୃଶ କରି ରଖିବାଟି ହେଉଛି ମାୟା,-ଏକ ଭ୍ରମ, ଏକ ଲାଳସା, ଯାହାକି ମନୁଷ୍ୟମାନଙ୍କୁ ଏକ ବିପଜ୍ଜନକ ମିଥ୍ୟାର ଜାଲରେ ଛନ୍ଦି ରଖିବାର ଫିସାଦ କରିଥାଏ । ଠିକ୍ ଯେପରି ଜ୍ଞାନ ମଧ୍ୟ ଗୋଟିଏ ଶକ୍ତି, ଏବଂ ତଥାପି ତାହା ବହୁତ ଜ୍ଞାନୀଙ୍କୁ ମାୟାଟା ଭିତରେ ଖୁବ୍ ହୃଦୟହୀନ କରି ରଖେ । ଜ୍ଞାନମାନେ ଭଳି ଭଳି ଶାସ୍ତ୍ରକାମୁକତା ଭିତରେ ବାନ୍ଧି ହୋଇ ରହିଥାଆନ୍ତି, ଜଗତର କଲ୍ୟାଣରେ ଲାଗି ପାରନ୍ତିନାହିଁ । ସେହିପରି ଏକ କାରଣରୁ ତ ପୃଥିବୀରେ ସଂପ୍ରତି ଏତେ ଏତେ ଅପ୍ରିମିତ ଅର୍ଥ ରହିଥିଲେ ମଧ୍ୟ ଅନାବଶ୍ୟକ ଅନ୍ନଦାରିଦ୍ର୍ୟମାନ ଘୋଟି ରହିଛି ଏବଂ ବହୁ ଅନ୍ୟାୟକୁ ବାଟ ଛାଡ଼ି ଦେଉଛି । ତେଣୁ ସେହି ହିସାବରେ ରାମକୃଷ୍ଣ ଦେବଙ୍କର ଭାଷାରେ ଟଙ୍କା ହେଉଛି ମାଟି ଓ ମାଟି ହେଉଛି ଟଙ୍କା । ଅପ୍ରମିତ ସେହି ଅର୍ଥକୁ ସମୁଚିତ ଭାବରେ ପୃଥିବୀର ଆବଶ୍ୟକତା ଗୁଡ଼ିକର ପୂରଣରେ ଲଗାଇଲେ ଟଙ୍କା ଆଦୌ ମାଟି ନୁହେଁ, ତାହା ହେଉଛି ଶକ୍ତି । ସେହି ଶକ୍ତିଟିର ଅପବ୍ୟବହାର ହିଁ ସକଳ ଅନର୍ଥର କାରଣ ।

 

ଚତୁର୍ଥ ଅଧ୍ୟାୟର ଏକାବେଳେକେ ପ୍ରଥମ ବାକ୍ୟଟିରୁ ହିଁ ଶ୍ରୀ ଅରବିନ୍ଦ କେଡ଼େ ସ୍ପଷ୍ଟ ଭାବରେ ସେହି କଥାଟିକୁ କହିଛନ୍ତି, ଅର୍ଥ ହେଉଛି ଏକ ବିଶ୍ଵଗତ ସାମର୍ଥ୍ୟଶକ୍ତିର ସମ୍ପୂର୍ଣ୍ଣ ରୂପେ ଦୃଶ୍ୟମାନ୍ ହେଉଥିବା ଗୋଟିଏ ସଙ୍କେତ ଏବଂ ପୃଥିବୀପୃଷ୍ଠରେ ଆବିର୍ଭୂତ ହୋଇ ତାହା ପ୍ରାଣିତ ତଥା ଭୌତିକ ସ୍ତରରେ ଆପଣାକୁ କ୍ରିୟାଶୀଳ କରି ରଖିଥାଏ । ଆମର ବାହ୍ୟ ଜୀବନର ପରିପୂର୍ଣ୍ଣତା ଲାଗି ଅର୍ଥ ହେଉଛି ଏକ ଅପରିହାର୍ଯ୍ୟ ଅତ୍ୟାବଶ୍ୟକତା । ଆପଣାର ମୂଳଭୂତ ଯଥାର୍ଥ କ୍ରିୟାଶୀଳତାର କ୍ଷେତ୍ରରେ ତାହା ହେଉଛି ସେହି ପରମ ଦିବ୍ୟସତ୍ତାଙ୍କର ଗୋଟିଏ ସମ୍ପଦ; ମାତ୍ର ପରମ ସତ୍ତାଙ୍କର ଅନ୍ୟ ଏକଧିକ ଶକ୍ତି ଭଳି ଅର୍ଥ ମଧ୍ୟ ଅନ୍ୟ ହାତକୁ ଚାଲିଯାଇଛି ଏବଂ ନିମ୍ନତର ପ୍ରକୃତିର ଅଜ୍ଞାନ ହେତୁ ଅହଂର ଅଧିକାର ମଧ୍ୟକୁ ବେଶ୍ ଚାଲିଯାଇ ପାରିବ : ଆସୁରିକ ପ୍ରଭାବଚୟ ତାହାକୁ ଆପଣାର ଅଧିକାର ମଧ୍ୟକୁ ନେଇଯାଇ ପାରିବେ ଏବଂ ତାହା ଫଳରେ ଓ ସେହିମାନଙ୍କର ଉଦ୍ଦେଶ୍ୟ ସିଦ୍ଧିରେ ଅତ୍ୟନ୍ତ ଅନୁଚିତ ଭାବରେ ମଧ୍ୟ ବ୍ୟବହୃତ ହୋଇ ପାରିବେ । ଏହି ତିନୋଟିଯାକ ଶକ୍ତି–କ୍ଷମତା, ଧନସମ୍ପତ୍ତି ଓ ଯୌନପ୍ରବୃତ୍ତି,–ମଧ୍ୟରୁ ବସ୍ତୁତଃ ଅର୍ଥ ମଧ୍ୟ ଅବଶ୍ୟ ଗୋଟିଏ, ଯେଉଁଗୁଡ଼ିକର କି ମନୁଷ୍ୟମାନଙ୍କର ଅହଂ ସକାଶେ ଏକ ଚରମ ମାତ୍ରାରେ ଶକ୍ତିଶାଳୀ ଆକର୍ଷଣ ରହିଥାଏ,–ଅସୁରଟି ଦ୍ଵାରା ହିଁ ଅତ୍ୟନ୍ତ ଲୋଭନୀୟ ହୋଇ ରହିଥାଏ । ଏବଂ, ସେହି କାରଣରୁ, ଯେଉଁମାନେ ସେଗୁଡ଼ିକର ଅଧୀନ ହୋଇ ରହିଥାନ୍ତି, ସେମାନେ ସାଧାରଣତଃ ସେଗୁଡ଼ିକୁ ସମୁଚିତ ପ୍ରକାରେ ଧାରଣ କରି ପାରନ୍ତି ନାହିଁ ଏବଂ ସେଗୁଡ଼ିକର ଅସଦ୍‌ବ୍ୟବହାର କରନ୍ତି । ଅନେକତର ସ୍ଥଳରେ ଧନଲାଭ କରିବାର ଇଚ୍ଛା ରଖିଥିବା ଓ ଧନର ଅଧିକାରୀ ହୋଇ ରହିଥିବା ମନୁଷ୍ୟମାନେ ନିଜ ଧନର ଅଧିକାରୀ ହୋଇ ରହିନଥାନ୍ତି, ସେମାନେ ନିଜ ସେହି ଧନଦ୍ଵାରା ଅଧିକୃତ ହୋଇ ରହିଥାଆନ୍ତି । ଯେତେବେଳେ ଏକ ଦୀର୍ଘ ସମୟ ଲାଗି ଅସୁର ହିଁ ପରିଚାଳକରୂପେ କାର୍ଯ୍ୟ କରୁଥାଏ ଓ ସେହି ପ୍ରକ୍ରିୟାରେ ନାନା ବିକୃତି ମଧ୍ୟ ଘଟାଇବାରେ ଲାଗିଥାଏ, ବହୁ ମନୁଷ୍ୟ ଅର୍ଥର ମନ୍ଦ ପ୍ରଭାବରେ ଯାଇ ପଡ଼ିଯାଆନ୍ତି ଏବଂ ପଥଚ୍ୟୁତ ହୁଅନ୍ତି ଏବଂ ଖୁବ୍ କମ୍ କ୍ଷେତ୍ରରେ ହିଁ ସେମାନେ ଆପଣାକୁ ସେହି ଆପଦରୁ ମୁକ୍ତ କରି ରଖି ପାରନ୍ତି । ସେହି କାରଣରୁ ଅଧିକାଂଶ ଆଧ୍ୟାତ୍ମିକ ଶୃଙ୍ଖଳା ସାଧାରଣତଃ ଏକ ପୂର୍ଣ୍ଣ ଆତ୍ମସଂଯମ ଉପରେ ସର୍ବଦା ଗୁରୁତ୍ଵ ଦେଇଥାଆନ୍ତି,-ନିର୍ଲିପ୍ତ ରହିବାକୁ ପରାମର୍ଶ ପ୍ରଦାନ କରନ୍ତି ସମ୍ପତ୍ତିର ଯାବତୀୟ ବନ୍ଧନକୁ ବର୍ଜନ କରିବା ନିମନ୍ତେ ମଧ୍ୟ କହନ୍ତି । ଯାବତୀୟ ଅର୍ଥଲାଭର ଲାଳସା ସହିତ ସମ୍ପର୍କ ତୁଟାଇ ଆଣି ବ୍ୟକ୍ତିଗତ ତଥା ଅହଂପ୍ରଣୋଦିତ ସେହି ସର୍ବବିଧ ଅଡ଼ୁଆରୁ ମୁକ୍ତ ହୋଇ ରହିବା ବିଷୟରେ ଆମକୁ ସାବଧାନ କରି ଦେଉଥାନ୍ତି । ଏପରିକି, କେତେକ ମାର୍ଗରେ ଅର୍ଥ ଓ ଧନସମ୍ପତ୍ତି ଉପରେ ଏକ ପୂର୍ଣ୍ଣ ନିଷେଧ ମଧ୍ୟ ଜାରି ହୋଇ ରହିଥାଏ । ବରଂ ଇଚ୍ଛାକୃତ ଭାବରେ ଦାରିଦ୍ର୍ୟକୁ ବାଛି ନେଇ ଜୀବନକୁ ତୁଚ୍ଛା ଏକ ଶୁଷ୍କତା ମଧ୍ୟରେ ପକାଇ ରଖିବାପାଇଁ ଅତ୍ୟନ୍ତ ଗାମ୍ଭୀର୍ଯ୍ୟର ସହିତ ବତାଇ ଦିଆ ଯାଇଥାଏ । ଏବଂ, ଅଧ୍ୟାତ୍ମ ଭିତରକୁ ପ୍ରବେଶ କରିବାକୁ ହେଲେ ଆଉ ଦ୍ଵିତୀୟ କୌଣସି ସମାଧାନ ନାହିଁ ବୋଲି ଚେତାଇ ଦିଆଯାଏ । ମାତ୍ର, ଏହାଦ୍ଵାରା କୌଣସି ସମାଧାନ ବା ପ୍ରତିକାର ସମ୍ଭବ ହୁଏନାହିଁ । ପରିଣାମ କେବଳ ଏହି ଗୋଟିଏ ମାତ୍ର ହୁଏ ଯେ, ଅର୍ଥ ନାମକ ସେହି ଶକ୍ତିଟି ନାନାପ୍ରକାରେ ପ୍ରତିକୂଳ ଶକ୍ତିମାନଙ୍କର କବଳକୁ ଚାଲିଯାଏ ଏବଂ ଆମର ପୃଥିବୀଟି ତଦ୍ଦ୍ୱାରା ଖୁବ୍ କ୍ଷତିଗ୍ରସ୍ତ ହିଁ ହୋଇଥାଏ । ବହୁ ଅବାଞ୍ଛିତ ଅନ୍ୟ ଶିବିରମାନେ ହିଁ ଅର୍ଥକୁ ଅଧିକାର କରି ରହିଥାନ୍ତି ଏବଂ ତାହାରି ଫଳରେ ପୃଥିବୀଯାକ ଆମ ମନୁଷ୍ୟମାନଙ୍କର କେତେ କେତେ ଆକାଙ୍‌କ୍ଷା ଏବଂ ଆସ୍ପୃହାକୁ ଛାରଖାର କରି ରଖିଥାନ୍ତି । ଏବଂ, ଯେତେବେଳେ ନିତ୍ୟ ଆସ୍ପୃହାର ସେହି ସମ୍ଭାବ୍ୟତାଗୁଡ଼ିକର ପଥଟି ବାଧାପ୍ରାପ୍ତ ହୋଇ ରହିଥାଏ, ସେତେବେଳେ ସ୍ଵୟଂ ଈଶ୍ଵର ମଧ୍ୟ ଆମଯାଏ ଆସିବାଲାଗି ସାହସ କରି ପାରନ୍ତିନାହିଁ ।

 

ତେଣୁ, ବିକଳ୍ପ ଘୋଷଣାଟି ହେଉଛି, ଯେଉଁ ଅର୍ଥଶକ୍ତି ସର୍ବବିଧ ପ୍ରାସଙ୍ଗିକତା ସହିତ ସେହି ଦିବ୍ୟ ପରମସତ୍ତାଙ୍କର ହିଁ ଏକ ଶକ୍ତି, ତାହାକୁ ପୁନର୍ବାର ତାହାର ସମୁଚିତ ଥାନଟିକୁ ପୁନର୍ବେଶିତ କରି ଆଣିବାକୁ ହେବ । ଏକ ଦିବ୍ୟ ରୀତିରେ ହିଁ ତାହାର ବିନିଯୋଗ ହେବ, ଦିବ୍ୟ ଜୀବନର ଥାପନା ନିମନ୍ତେ କାମରେ ଲାଗିବ । ଏବେ ତ ଆମ ପୃଥିବୀଯାକର ସେହି ବିପୁଳ ଅର୍ଥରାଶି ଅସୁରମାନଙ୍କ ଦ୍ଵାରା ସେହି ଅସୁରମାହାଲ ଗୁଡ଼ାକର ଅଧିକତର କାମରେ ଲାଗୁଛି । ଏଣେ ନାନା ଅତ୍ୟାବଶ୍ୟକତାରୁ ଉପେକ୍ଷା କରି ବହୁ ଦରବାରର କୁମନ୍ତ୍ରଣାଦ୍ଵାରା ପରିଚାଳିତ ହୋଇ ଏହି ପୃଥିବୀଯାକର କ୍ଷମତାସୀନବର୍ଗ ଅର୍ଥକୁ ଆପଣାର ହାତମୁଠାରେ ଦାବି ରଖିଛନ୍ତି ଏବଂ ବହୁ ସ୍ଫୂର୍ତ୍ତିରେ ତାହାର ଅପବ୍ୟବହାର କରିବାରେ ଲାଗିଛନ୍ତି । ସବୁଠାରୁ ଅଧିକ ପରିମାଣ ଅର୍ଥ ଯୁଦ୍ଧର ପ୍ରସ୍ତୁତି ଲାଗି ଅସ୍ତ୍ରଶସ୍ତ୍ର ବଢ଼ାଇବାରେ ଖର୍ଚ୍ଚ ହେଉଛି ଅଥଚ ଏଣେ କୁଟୁମ୍ବରେ ସବୁ ମଣିଷଙ୍କ ପାଇଁ ଅନ୍ନ ନାହିଁ, ସବୁ ପିଲାଙ୍କର କପାଳରେ ଇସ୍କୁଲଟିଏ ନାହିଁ । ଶୋଷଣ ଲାଗି ରହିଛି, ଅଳପ ମଣିଷ ବହୁ ମିଛର ଫାଶମାନଙ୍କରେ ମନୁଷ୍ୟର ବୁଦ୍ଧି ଓ ବିବେକମାନଙ୍କୁ ବାନ୍ଧି ରଖିଛନ୍ତି । ଆଦର୍ଶ ନାହିଁ, ଆଦର୍ଶବାଦମାନେ ପରାକ୍ରମ ଦେଖାଇ ବିବିଧ କିସମର ଘୃଣା, ଅବୁଝାମଣା ଓ ଅମଙ୍ଗଳମାନ ଭିଆଇବାରେ ବହୁତ ତତ୍ପର ହୋଇ ରହିଛନ୍ତି । ତଥାକଥିତ ବୈଜ୍ଞାନିକମାନେ ବିଜ୍ଞାନର କଲ୍ୟାଣସାମର୍ଥ୍ୟ ମାନଙ୍କୁ କ୍କୀବ କରି ରଖିଛନ୍ତି ଓ ନ୍ୟସ୍ତସ୍ଵାର୍ଥୀ ତୁଚ୍ଛା ଅଘରଗୁଡ଼ାକରେ ଯାଇ ଗୋତି ଖଟିବାକୁ ସମ୍ଭବତଃ ଅଧିକ ବୁଦ୍ଧିମାନର କାର୍ଯ୍ୟ ବୋଲି ଭାବୁଛନ୍ତି । ତଥାକଥିତ ଧର୍ମଗାଦୀମାନେ ମଧ୍ୟ କାହାର ଆଜ୍ଞାବହ ହୋଇ ରହିଥିବା ପରି ସେହି ଅସୁରର କର୍ତ୍ତୃତ୍ଵମାନଙ୍କ ପାଖରେ ନିଜକୁ ବନ୍ଧା ପକାଇ ରଖିଛନ୍ତି କି ? ଅନ୍ୟ ପକ୍ଷରେ, ପୂର୍ଣ୍ଣାଙ୍ଗ ଯୋଗ ଏକ ସମଗ୍ର ସକାରାତ୍ମକତାର ଯୋଗ ଅସୁରମାନଙ୍କ ହାତରେ, ଅହଂକାମିତାର ଏହି ଯାବତୀୟ ପୁରୁଣାଟା ହାତରେ ପୃଥିବୀକୁ ସେମିତି ସେମିତି ଛାଡ଼ିଦେଇ ଏଠାରୁ ପଳାୟନ କରି ଏକେ ନିକାଞ୍ଚନର ନିରପଦତା ମଧ୍ୟରେ ଯାଇ ଆଶ୍ରୟ ଗ୍ରହଣ କରିବାର ସେହି ଅଭ୍ୟସ୍ତ ମାର୍ଗଟି ଆଦୌ ନୁହେଁ । ଏଇଟି ଏକ ଭାଗବତ ଅବତରଣର ମାର୍ଗ ଏବଂ ତେଣୁ ପୂର୍ଣ୍ଣ ସଂପୃକ୍ତିର ମାର୍ଗ ତେଣୁ, ସେହି ମାର୍ଗର ସକଳ ସାଧନା ମଧ୍ୟ ଅନ୍ୟ ପ୍ରକାରର ପୂର୍ଣ୍ଣଯୋଗର ସାଧକ ନିଜକୁ ସେହି ଅବତରଣରେ ସକଳ ଅର୍ଥରେ ଗୋଟିଏ ନିମିତ୍ତରୂପେ ତିଆରି କରିବ । ଆମ ପିଲାମାନଙ୍କର ପ୍ରାର୍ଥନାରେ ଥିବା ଖାସ୍ ଭାଷାଟିରେ କହିଲେ, ସାଧକ ନିଜକୁ ଜଣେ ବୀର ଯୋଦ୍ଧା କରି ନେବ ।

 

କାରଣ, ତାକୁ ଯୋଦ୍ଧା ହୋଇ ଯୁଝିବାକୁ ପଡ଼ିବ । ସେହି ଆସୁରିକ ବଳଟା ସହିତ, ଯିଏ କି ପରମ ବିଧାତାଙ୍କର ଅର୍ଥନାମକ ସେହି ଏଡ଼େ ବଡ଼ ଶକ୍ତିଟିକୁ ଆପଣାର ନ୍ୟସ୍ତସ୍ଵାର୍ଥଗତ ମନ୍ଦଇଚ୍ଛା ଗୁଡ଼ିକରେ ଏହି ପୃଥିବୀରେ ବାନ୍ଧି ରଖିଛି । ତାକୁ ପରାଭୂତ କରି ପୃଥିବୀର କଲ୍ୟାଣ ନିମନ୍ତେ ଉପଲବ୍ଧ କରି ଆଣିବା ସକାଶେ ସେହି ଯୁଦ୍ଧଟିକୁ ଯୁଝିବାକୁ ହେବ । ଯୁଝିବାର ସମଯୋଦ୍ଧା କେହି ନାହାନ୍ତି ବୋଲି ଅସୁରପକ୍ଷଟି ଅର୍ଥଶକ୍ତିକୁ ଏପରି ମାଡ଼ିବସିଛି କି ଏବଂ ଅପେକ୍ଷିତ ଅସଲ ଅବତରଣଟି ନିମନ୍ତେ ଅନ୍ତରାୟ ହୋଇ ରହିଛି କି ? ପୂର୍ଣ୍ଣ ଯୋଗର ଜଣେ ସାଧକର ସେହି ସବଳ ସାଧନାଟିକୁ ସୂଚାଇ ଦେଇ ଶ୍ରୀ ଅରବିନ୍ଦ ତେଣୁ ସେହି କଥାଟିକୁ କହିଛନ୍ତି । ସେହି ଦିବ୍ୟ ପରମ ଈଶ୍ଵର ହେଉଛନ୍ତି ଧର୍ମତଃ ସକଳ ଅର୍ଥଶକ୍ତି ଅର୍ଥାତ୍ ସମ୍ପତ୍ତିର ମାଲିକ । ତାହାକୁ ବର୍ତ୍ତମାନର ଅନୁଚିତ ହାତଗୁଡ଼ିକରୁ ଜୟ କରି ଆଣିବାକୁ ପଡ଼ିବ, ମୁକ୍ତ କରିବାକୁ ହେବ । ପୁନଶ୍ଚ, ଉକ୍ତ ସମ୍ପତ୍ତିକୁ ଦିବ୍ୟ ଜୀବନର ପ୍ରତିଷ୍ଠାର ସେହି ଖାସ୍ କାର୍ଯ୍ୟଟି ନିମନ୍ତେ ବ୍ୟବହାର କରିବ । ଏବଂ, ଏକ ଦିବ୍ୟ ରୀତିରେ । ଦିବ୍ୟ ଜୀବନର ପ୍ରତିଷ୍ଠା ପରମ ବିଧାତାଙ୍କର ଏହି ପୃଥିବୀପୃଷ୍ଠରେ । ଆଦୌ ପଳାୟନ କରି ନିଜର କୌଣସି ନିରାପତ୍ତା ମଧ୍ୟରେ ନିଃଶଙ୍କ ହୋଇ ରହିବା ନିମନ୍ତେ ନୁହେଁ; । ଅର୍ଥ ସେହି ପରମଙ୍କର ଏବଂ ଏହି ପୃଥିବୀରେ ହିଁ ଏକ ଜୀବନଧାରାର କ୍ରମପ୍ରତିଷ୍ଠା ପାଇଁ ଯାବତୀୟ ଅର୍ଥ ନିୟୋଜିତ ହେବ । ସାଧକର ସେହି ମାର୍ଗଟିକୁ ଶ୍ରୀଅରବିନ୍ଦ ଏକ ମାନସାତୀତ ମାର୍ଗ ବୋଲି କହିଛନ୍ତି । ପ୍ରାୟ ଏକ ଶାସ୍ତ୍ରୀୟ ଦ୍ରବ୍ୟର ବ୍ୟଞ୍ଜନା ଦେଲାପରି ଆମେ ତାହାକୁ ଅତିମାନସ ମାର୍ଗ ବୋଲି କହିବାରେ ଅଧିକ ଅଭ୍ୟସ୍ତ ହେଲୁଣି ।

 

ଅତି ମାନସ ଏକ ମାର୍ଗ । ଏକ ଶିଖରକୁ ଆଗରେ ରଖି ଏକ ମାର୍ଗ । ସେହି ଶିଖରଟି ସମ୍ଭବତଃ ଆମ ପୃଥିବୀ ନିମନ୍ତେ ସାଧକର ସମ୍ମୁଖରେ ଉଭା ହୋଇ ରହି ତାକୁ ଆହ୍ଵାନ କରୁଥିବା ଏକ ସ୍ଥିତି । ମାନସାତୀତ ଅର୍ଥାତ୍‍ ମାନସର ଅତୀତ । ଚେତନାର ଯେଉଁ ସ୍ଵଭାବସ୍ତରରେ ମନୁଷ୍ୟର ମନଟି ସାଧାରଣତଃ ବର୍ତ୍ତମାନ କ୍ରିୟାଶୀଳ ହୋଇ ରହିଛି, ତାହା ମନୁଷ୍ୟମାନଙ୍କର ପ୍ରଚେଷ୍ଟାଗୁଡ଼ିକୁ ଏତିକିଯାଏ ହିଁ ଆଣିପାରିଛି । ଏବଂ ବସ୍ତୁତଃ ଆମ ପୃଥିବୀକୁ ନାନା କୁନି କୁନି ସ୍ଵାର୍ଥ ଓ ସେହି କାରଣରୁ କୁନି କୁନି ଭୟ ଭିତରେ ପକାଇ ରଖିଛି । କୁନି କୁନି ବହୁ ଅଳ୍ପତା ଏବଂ ଅର୍ଦ୍ଧସତ୍ୟ ମଧ୍ୟରେ । ଆଧ୍ୟାତ୍ମିକତାରେ ମିଛ ଦ୍ଵାହିମାନ ଦେଇ ବହୁ ଧର୍ମୀୟତା, ନାନାବିଧ ଭେଦଭାବନା ଭିତରେ । ନାନା ଭେଦଦ୍ଵାରା ବିଭକ୍ତ କରି ରଖିଥିବା ନାନା ଅତିସଚେତନତାମାନ । ସେହି ଗାରଟିକୁ ଡେଇଁଯିବାକୁ ହେବ । ଏବଂ, ଯେଉଁ ଅନ୍ୟ ଭଳି ଗୋଟିଏ ମାର୍ଗପ୍ରତ୍ୟୟ ଦ୍ଵାରା ତାହା ସମ୍ଭବ ହେବ, ସେଇଟି ମାନସାତୀତ । ପୂର୍ଣ୍ଣ ଯୋଗରେ ସେଇଟି ହେଉଛି ସାଧକର ମାର୍ଗ । ମାନସକୁ ବର୍ଜନ କରି ନୁହେଁ, ଏର୍କ ଅନ୍ୟଭଳି ସଂପ୍ରସାରଣର ସ୍ପର୍ଶନ ଦ୍ଵାରା । ସେଇ ସ୍ପର୍ଶନଟି ଅନ୍ତର ମଧ୍ୟରେ ଏବଂ ତେଣୁ ବାହାରେ ଏହି ଖଳି ସମ୍ବନ୍ଧର ଜଗତଟି ମଧ୍ୟରେ । ଭିତରେ ତେଣୁ ବାହାରେ, ବାହାରେ ତେଣୁ ଭିତରେ । କୋଉଟି ଆଗ ଏବଂ କୋଉଟି ତା’ପରେ, ଆଦୌ ବାରି ହେବନାହିଁ । କେଉଁଠାରେ ମାନସଟି ସରିଛି ଏବଂ ସେହି ବିଭେଦକାରୀ ଗାରଟିକୁ ମାନସାତୀତଟି ଆରମ୍ଭ ହୋଇଛି, ମୋଟେ ହୋସ୍ ରହିବ ନାହିଁ । ଯେଉଁ ମାନସଟି ସହିତ ଆମେ ଏକଧିକ ପ୍ରବୀଣତା ସହିତ ପରିଚିତ ହୋଇ ରହିଛୁ, ସମ୍ଭବତଃ ଏକ ସ୍ଵଭାବଗତ ସଂସ୍କାର ହେତୁ ତାହା ଭିତର ସହିତ ଏହି ବାହାରଟିକୁ ଏକ ସମଗ୍ର କରି ଦେଖିପାରେ ନାହିଁ । ତେଣୁ, ଜୀବନର କ୍ଷେତ୍ରରେ ସ୍ଵାର୍ଥ ରହିଥାଏ ଏବଂ ଶାସ୍ତ୍ରମାନେ ପରାର୍ଥ ବିଷୟରେ ଆକର୍ଷଣକାରୀ ବର୍ଣ୍ଣନାଦ୍ଵାରା ଆମକୁ ବିହ୍ଵଳ କରି ରଖିଥାଆନ୍ତି । ତାହାରି ଫଳରେ ଆମେ ଦୁଇଭାଗ ହୋଇ ରହିଥାଉ କି ? ଏବଂ, ଦୁଇଭାଗ ହୋଇ ଜୀବନ ବଞ୍ଚୁ । ସେଇଥିଲାଗି ମାନସତୀତ,–ଏକ ଉତ୍ତୋଳନ ଏବଂ ପ୍ରସାରଣ । ପଳାୟନର ମୋଟେ କୌଣସି ଅଭିସନ୍ଧି ନଥାଏ । ଏବଂ, ତାହାରି ସକାଶେ ଏକ ଆସ୍ପୃହା । ଏକ ଗୁହାମୁକ୍ତିର ଆଶୀର୍ବାଦ ଲାଭ । ଆମର କେତେ ପରିଚିତ ମାତୃବାକ୍ୟଟି ଅନୁସାରେ, ସମଗ୍ର ପୃଥିବୀଟିକୁ ଏକାବେଳେକେ ଦେଖିବା, ତାହାହିଁ ପରମ ଦିବ୍ୟତାଙ୍କ ବିଷୟରେ ଆମର ଇସ୍ପିତ ଯଥାର୍ଥ ଚେତନାଟିରେ ଭାଜନ ହେବା । ସେହି ପୃଥିବୀଟି ମଧ୍ୟରେ ମୁଁ ଅଛି, ଆମେ ସମସ୍ତେ ରହିଛୁ । ମନ ଓ ମାନସାତୀତ ମଧ୍ୟରେ ମୋଟେ କୌଣସି କଳହ ନାହିଁ । ତେଣୁ, ବସ୍ତୁତଃ ସବୁକିଛି ସ୍ଵାର୍ଥ, ସବୁକିଛି ପରାର୍ଥ ।

 

ପୁନଶ୍ଚ, ଅର୍ଥ ସମ୍ବନ୍ଧରେ ବହିରେ ଥିବା ବାର୍ତ୍ତାଟିକୁ ଫେରି ଆସିଲେ, ଅର୍ଥ ହେଉଛି ଏହି ପୃଥିବୀର ଆମ ଲାଗି ଈଶ୍ଵରଙ୍କ ଦ୍ଵାରା ପ୍ରଦତ୍ତ ହୋଇ ରହିଥିବା ଗୋଟିଏ ଶକ୍ତି, ଆମେ ସେହି ଶକ୍ତିଟିର ଭାଜନ ହେବା, ତେବେ ଯାଇ ସେଇଟିଦ୍ଵାରା ଉପକୃତ ହୋଇ ପାରିବା ଏବଂ ତା’ହେଲେ ତାହା କେବେହେଲେ ଏକ ଅନର୍ଥରେ ପରିଣତ ହୋଇ ଯିବନାହିଁ । ଆମେ ଯଥାର୍ଥ ପ୍ରକାରେ ଭାଜନ ହୋଇ ପାରିନାହୁଁ ବୋଲି ସିନା ତାହା ସେପରି ହୋଇଯାଉଛି ଓ ଏତେ ଏତେ ଲକ୍ଷ୍ମୀରେ ଭର୍ତ୍ତି ହୋଇ ରହିଥିବା ପୃଥିବୀଟିକୁ ଲକ୍ଷ୍ମୀଛଡ଼ା କରି ରଖିଛି ! ଶ୍ରୀ ଅରବିନ୍ଦଙ୍କର ମୂଳ ବାକ୍ୟଗୁଡ଼ିକ ଅନୁସାରେ, ଆମେ ଆଦୌ କୌଣସି ବୈରାଗ୍ୟ ଆଡ଼କୁ ବିଚ୍ୟୁତ ହୋଇ ପଡ଼ି ନାନା ଅନାବଶ୍ୟକ କାତରତାରେ ଅଧୀର ହୋଇ ଅର୍ଥଶକ୍ତିଠାରୁ ଦୂରବର୍ତ୍ତୀ ହୋଇ ରହିବା ଲାଗି କୌଣସି ଉତ୍ସାହ ଦେଖାଇବା ନାହିଁ; ଅର୍ଥ ଆମ ହାତରେ ଯେଉଁସବୁ ସାମର୍ଥ୍ୟ ଆଖି ଦେଇଥାଏ ଏବଂ ଆମ ସର୍ବଜନଙ୍କର ଏହି ପୃଥିବୀଟି ଲାଗି ଯେଉଁସବୁ ବସ୍ତୁଗୁଡ଼ିକୁ ଉପଲବ୍ଧ କରାଏ, ସେଗୁଡ଼ିକୁ ସତେଅବା ନାନା ସ୍ଖଳନର କାରଣ ବୋଲି ବିଚାରି ସଙ୍କୁଚିତ ହୋଇ ରହିବା ନାହିଁ । ଏବଂ, ଅନ୍ୟ ପକ୍ଷରେ ପ୍ରାୟ ଏକ ରାଜସିକ ଅତି–ଆକର୍ଷଣରେ ସେଇଟି ସହିତ ବାନ୍ଧି ହୋଇ ମଧ୍ୟ ରହିବାନାହିଁ,-ଆମେ ନିଜକୁ ଅତିମାତ୍ରାରେ ସେହି ଅର୍ଥର ଦାସତ୍ଵକୁ ମଧ୍ୟ ସ୍ଵୀକାର କରି ପ୍ରାୟ ଏକ ନିତାନ୍ତ ଦୁର୍ବଳ ପ୍ରମତ୍ତତା ସହିତ ପଡ଼ି ରହିବାକୁ ଆଦୌ ମନ କରିବାନାହିଁ । ଅର୍ଥାତ୍, ଅର୍ଥଶକ୍ତି ଆମକୁ ଯେଉଁ ଏକାଧିକ ସମର୍ଥତା ଅଧିକାରୀ କରାଇ ପାରୁଛି, ଆମେ କେବଳ ତାହାରି ଯୋଗ୍ୟ ହେବା । ଏବଂ, ସେହି ଶକ୍ତି ସମ୍ପ୍ରତି ଅନୁଚିତ ମାନଙ୍କର କବଳରେ ରହିଛି; ପୃଥିବୀର ଜୀବନୋଦାୟ-ପ୍ରକ୍ରିୟାରେ ଲାଗି ପାରୁନାହିଁ, ଅର୍ଥାତ୍ ସବୁ ମନୁଷ୍ୟଙ୍କର କଲ୍ୟାଣରେ ଖରଚ ହୋଇ ପାରୁନାହିଁ ଏବଂ ଯେଉଁ କତିପୟମାନେ ତାହାକୁ କେବଳ ଆପଣାର କୁମ୍ପୀ ଓ ମୁଣା ମାନଙ୍କରେ ଜବତ କରି ରଖିଛନ୍ତି, ସେମାନଙ୍କ ପାଖରୁ ତାହାକୁ ମୁକ୍ତ କରି ଆଣିବାକୁ ପଡ଼ିବ । କାରଣ ସେମାନେ ହିଁ ସବୁ ମଣିଷଙ୍କର ଅର୍ଥାତ୍ ପରମେଶ୍ଵରଙ୍କର ଏହି ସଂସାରରେ ଆସୁରିକ ନାନା ଅରୀତିର ପ୍ରତିନିଧିତ୍ଵ କରୁଛନ୍ତି । ବହୁ ମିଥ୍ୟା ତଥା ଅନୀଶ୍ଵରତାକୁ ପୃଥ୍ୱୀଭାଗ୍ୟର ସମ୍ପୂର୍ଣ୍ଣ ସମ୍ଭାବନାଟିର କ୍ଷେତ୍ରରେ ସତେଅବା ଗୋଟାଏ ରାଜା କରି ବସାଇ ରଖିଛନ୍ତି । ଆଗ ସେମାନଙ୍କ ଉପରେ ବିଜୟ ହାସଲ ନକଲେ ସବୁ ମଣିଷଙ୍କ ନିମନ୍ତେ ଭଗବାନଙ୍କ ଦ୍ଵାରା ଅଭିପ୍ରେତ ହୋଇ ରହିଥିବା ଏହି ପୃଥିବୀରେ ଅର୍ଥକୁ ତାଙ୍କରି ଇଚ୍ଛାର ଅନୁକୂଳ କରି କଦାପି କାମରେ ଲଗାଇ ହେବନାହିଁ । ହଁ, ଅର୍ଥକୁ ତେଣୁ ଉଦ୍ଧାର କରି ଆଣିବାକୁ ହେବ ଓ ସମଗ୍ର ଜଗତର ଧାତ୍ରୀ ତଥା ଜନନୀଙ୍କ ପରିଚର୍ଯ୍ୟାରେ ଲାଗି ପାରିବା ନିମନ୍ତେ ଏକ ଯଥାର୍ଥ ଅନୁକୂଳତା ସୃଷ୍ଟି କରାଯାଇ ପାରିବ ।

 

ଆମେ ସମସ୍ତେ କଥାଟିରେ ଉଚିତ୍ ତାତ୍ପର୍ଯ୍ୟଟିକୁ ଯେପରି ହୃଦୟଙ୍ଗମ କରି ପାରିବା, ଯେତେ ପୁନାରାବୃତ୍ତି ପରି ହୁଏତ ଲାଗୁଥିଲେ ମଧ୍ୟ ପୁର୍ନବାର ସେହି କଥାଟି : ସକଳ ସମ୍ପତ୍ତି ହିଁ ସେହି ପରମ ଦିବ୍ୟସତ୍ତାଙ୍କର, ଏବଂ ଯେଉଁମାନଙ୍କ ପାଖରେ ତାହା ରହିଛି, ସେମାନେ ହେଉଛନ୍ତି ସେହି ଦିବ୍ୟ ନ୍ୟାୟଟି ଅନୁସାରେ ତାହାର ମାରଫତଦାର, ମୋଟେ ତାହାର ମାଲିକ ନୁହନ୍ତି । ଆଜି ଅର୍ଥ ସେମାନଙ୍କ ହାତରେ ରହିଛି ଏବଂ କାଲି ଆଉ କେଉଁମାନଙ୍କ ହାତରେ ଆଉ କେଉଁଠାରେ ଯାଇ ରହିବ । ବର୍ତ୍ତମାନ ତାହା ଯେଉଁମାନଙ୍କ ହାତରେ ଅଛି, ସେମାନେ ଆପଣାର ଉକ୍ତ ଦାୟିତ୍ଵଟିକୁ କିପରି ଭାବରେ ତୁଲାଉଛନ୍ତି, ବସ୍ତୁତଃ ସବୁକିଛି ତାହାରି ଉପରେ ନିର୍ଭର କରିବା । ହଁ, କେଉଁ ମନୋଭାବ ସହିତ ସେମାନେ ଆପଣାର କର୍ତ୍ତବ୍ୟଟିକୁ ତୁଲାଇବେ, କେଉଁ ଚେତନାରେ ସେମାନେ ସେହି ଅର୍ଥର ବ୍ୟବହାର କରିବେ, କେଉଁ ଲକ୍ଷ୍ୟ ବା ଉଦ୍ଦେଶ୍ୟରେ କରିବେ, ତାହାରି ଉପରେ । ଇତିହାସରେ ମଧ୍ୟ ନିୟମତଃ ଅନେକ ସମୟରେ ସେହିପରି ହୋଇଛି କି ? ଏହି ମାଲିକାନାଟିକୁ ଗୋଟିଏ ହାତରୁ ଆଉ ଗୋଟିଏ ହାତରୁ ନେବାର ନାରାମାନ ଦେଇ ବିପ୍ଳବମାନେ ହୋଇଛନ୍ତି, ରାଜ୍ୟମାନେ ବଦଳିଛନ୍ତି ଏବଂ ରାଜ୍ୟମାନଙ୍କୁ ଶାସନ କରୁଥିବା ତନ୍ତ୍ରମାନେ ମଧ୍ୟ ବଦଳି ଯାଇଛନ୍ତି । ଅକସ୍ମାତ୍ କ’ଣ ଗୋଟିଏ ଘଟିଲା ବୋଲି କେତେ କିଏ କାବା ହୋଇ ଯାଇଛନ୍ତି, ମାତ୍ର ହୁଏତ ଆଦୌ କିଛିହେଲେ ଅକସ୍ମାତ୍ ଘଟି ନାହିଁ ।

 

ପ୍ରସଙ୍ଗଟିର ଆଉ ଗୋଟିଏ ଆଲୋଚନା–ଦିଗର ଉତ୍‌ଥାପନ କରି ତା’ପରେ କୁହାଯାଇଛି: ତୁମେ ଯେତେବେଳେ ନିଜର ବ୍ୟକ୍ତିଗତ କ୍ଷେତ୍ରରେ ଅର୍ଥର କାରବାର କରୁଛ, ସେତେବେଳେ ତୁମ ପାଖରେ ଯାହାକିଛି ରହିଛି, ଯାହାକିଛି ଉପଲବ୍ଧ ହେଉଛି ଓ ଆସୁଛି, ସେହି ସବୁକିଛିକୁ ତୁମେ ସେହି ଦିବ୍ୟ ପରମାଜନନୀଙ୍କର ସମ୍ପତ୍ତି ବୋଲି ହିଁ ବିଚାର କରିବ । ଆଦୌ କୌଣସି ଦାବି କରିବନାହିଁ, ସେହି ଜନନୀଙ୍କ ଠାରୁ ତୁମକୁ ଯେତେବେଳେ ଯାହା ମିଳୁଛି, ତାହାକୁ ପୂର୍ଣ୍ଣ ସନ୍ତର୍ପଣରେ ଗ୍ରହଣ କରିବ । ଏବଂ, ଯେଉଁପରି ବ୍ୟୟିତ ହେବା ସେହି ଅର୍ଥ ତୁମ ହାତକୁ ଆସିଲା, ତୁମେ ତାହାକୁ ସେହି ସକାଶେ ହିଁ ବ୍ୟବହାର କରିବ । ଏହି କ୍ଷେତ୍ରରେ ତୁମେ ସକଳ ଅର୍ଥରେ ସ୍ଵାର୍ଥମୁକ୍ତ ହୋଇ ରହିଥିବ, ଯାବତୀୟ ସବୁକିଛିକୁ ପୂର୍ଣ୍ଣ ବିବେକର ସହିତ କରୁଥିବ; ଯେପରି କିଛି ମଧ୍ୟ କେବେହେଲେ କେବେ ମଧ୍ୟ ଏପାଖ ସେପାଖ ହୋଇ ନଯାଏ, ଏତେ ଟିକିଏ ବୋଲି ବୋଧ ହେଉଥିବା ଆଦୌ କିଛି ହିଁ ଯତ୍ନହୀନତାର ପରିଚୟ ଦେବନାହିଁ । ବସ୍ତୁତଃ, ସକଳ ପ୍ରକ୍ରିୟାରେ ଜଣେ ଉତ୍ତମ ଟ୍ରଷ୍ଟି ବା ମାରଫତଦାର ହୋଇ ରହିଥିବ । ଏହି ଧନ ଯେ ସର୍ବତୋଭାବେ କେବଳ ସେହି ଜନନୀଙ୍କର ଏବଂ ତୁମର କଦାପି ନୁହେଁ, ତାହା ସର୍ବଦା ହିଁ ବୁଝିବ । ତାହାକୁ ନେଇ କିଛି ଦାୟିତ୍ଵ ବହନ କରିଛ ବୋଲି, ତାହାକୁ ନିଜର ଅର୍ଥ ବୋଲି ମୋଟେ ଭାବିବ ନାହିଁ । ଏବଂ, ତେଣୁ, ସେହି ଜନନୀଙ୍କର କାର୍ଯ୍ୟରେ ଲାଗିଲା ପାଇଁ ତୁମକୁ ଯାହାକିଛି ଅର୍ଥ ମିଳୁଥିବ, ଏକ ପୂର୍ଣ୍ଣ ଧର୍ମଚାରଣର ମନୋଦୃଷ୍ଟି ସହିତ ତାହାକୁ ତାଙ୍କରି ଆଗରେ ନେଇ ରଖିଦେବ-। ତାହାକୁ ତୁମ ନିଜର କିମ୍ବା ଅନ୍ୟ କାହାରି ଉଦ୍ଦେଶ୍ୟର ପୂରଣ ନିମନ୍ତେ ମୋଟେ ବ୍ୟବହାର କରିବାକୁ ଆଗ୍ରହୀ ହେବନାହିଁ । ଏହି କଥାଗୁଡ଼ିକୁ ଆମେ କେବଳ ଜଣେ ବ୍ୟକ୍ତିକୁ ଦିଆଯାଇଥିବା ଶ୍ରୀ ଅରବିନ୍ଦଙ୍କର କେତୋଟି ପରାମର୍ଶ ବୋଲି ମୋଟେ ଭ୍ରମ କରିବାନାହିଁ । ଜଣେ ବ୍ୟକ୍ତିକୁ ଗୋଟିଏ ପତ୍ର ହିସାବରେ ଉକ୍ତ ହୋଇଥିଲେ ମଧ୍ୟ, ଆମ ପ୍ରତ୍ୟେକଙ୍କ ପାଇଁ ସର୍ବଦା ଅବଶ୍ୟ ପ୍ରଯୁଜ୍ୟ । ଏବଂ, ସମାନ ପ୍ରାସଙ୍ଗିକତା ସହିତ ମଧ୍ୟ ଆମ ଅନୁଷ୍ଠାନଗୁଡ଼ିକୁ ନିମନ୍ତେ-

 

କେଉଁ ବ୍ୟକ୍ତିମାନଙ୍କ ପାଖରେ କେତେ ଅଧିକ ସମ୍ପତ୍ତି ରହିଛି, ସେହି ସୁମାରିରେ ସେମାନଙ୍କର କଦାପି ଆକଳନ କରନାହିଁ । ସେମାନଙ୍କର ସେହି ଧନଗତ ଆଡ଼ମ୍ବର ଇତ୍ୟାଦିକୁ ଦେଖି ନିଜେ ମଧ୍ୟ ପ୍ରଭାବିତ ହୁଅନାହିଁ । ସେମାନଙ୍କ ପାଖରେ ଏତେ କ୍ଷମତା ଓ ଏତେ ଏତେ ପ୍ରଭାବଶାଳିତା, ତଦ୍ଦ୍ଵାରା ମୋଟେ ଆଚମ୍ବିତ ହୋଇ ପଡ଼ନାହିଁ । ଯେତେବେଳେ ତୁମେ ପରମା ଜନନୀଙ୍କ ନିମନ୍ତେ କାହାକୁ ଅର୍ଥଲାଗି ଅନୁରୋଧ କରୁଛ, ସେତେବେଳେ ତୁମେ ସର୍ବଦା ଅବଶ୍ୟ ଅନୁଭବ କରିବ ଯେ, ସେହି ଜନନୀହିଁ ତୁମକୁ ମାଧ୍ୟମ କରି ସେହି ପରିମାଣଟିକୁ କାହାଠାରୁ ଦାବି କରୁଛନ୍ତି : ବସ୍ତୁତଃ ଯାହା ତାଙ୍କରି ସମ୍ପତ୍ତି, ତାହାର ଏକ ଅତ୍ୟନ୍ତ କ୍ଷୁଦ୍ର ଅଂଶକୁ ହିଁ ସେମାନଙ୍କ ଠାରୁ ଦାବି କରୁଛନ୍ତି । ଏବଂ, ଯେଉଁ ବ୍ୟକ୍ତିଟି ଠାରୁ ତୁମେ ସେଇଟି ପାଇବ ବୋଲି ତାଙ୍କ ସମୀପକୁ ଯାଇଛ, ସିଏ କିପରି ଭାବରେ ତୁମ ମାଗିବାଟିର ଜବାବ ଦେଲା, ତାହାରି ଅନୁସାରେ ହିଁ ତାହାର ବିଚାର ହେବ; ଅର୍ଥାତ୍ ନିଜେ କେବେହେଲେ ସେ ସବୁର କୌଣସି ବିଚାର କରିବ ନାହିଁ ।

 

ଯଦି ତୁମେ ପ୍ରକୃତରେ ଅର୍ଥସମ୍ପତ୍ତିର ସକଳ କଳଙ୍କରୁ ଦୂର ହୋଇ ରହିଥିବ ଏବଂ ଯଦି ଅନ୍ୟ ପକ୍ଷରେ କୌଣସି ବୈରାଗ୍ୟଭାବଦ୍ଵାରା ପ୍ରେରିତ ହୋଇ ସେହି କ୍ଷେତ୍ରରେ ନିଜକୁ ପ୍ରତ୍ୟାହୃତ କରି ରଖିନଥିବ, ତେବେ ତୁମେ କାର୍ଯ୍ୟତଃ ଭଗବାନଙ୍କର କାର୍ଯ୍ୟ ଲାଗି ଅର୍ଥ ସମ୍ଭବ କରିପାରିବା ସକାଶେ ଏକ ଅଧିକତର ସାମର୍ଥ୍ୟ ନିଶ୍ଚୟ ହାସଲ କରିଥିବ । ହଁ, ମନରେ ଆଦୌ କୌଣସି ପ୍ରକାରେ ବିଚଳିତ ହେଉନଥିବ, କୌଣସି ପ୍ରକାରର ଦାବି କରିବାରୁ ମୁକ୍ତ ରହିଥିବ ଏବଂ, ତୁମ ପାଖରେ ଯାହା ରହିଛି, ତୁମେ ଯାହାକିଛି ସଂଗ୍ରହ କରୁଛ ତଥା ଅର୍ଥ ଅର୍ଜନ କରିବାର ସକଳ ସାମର୍ଥ୍ୟକୁ ଯଦି ସମ୍ପୂର୍ଣ୍ଣ ଭାବରେ ସେହି ଦିବ୍ୟ ପରମାଶକ୍ତି ଓ ତାଙ୍କରି କାର୍ଯ୍ୟଟି ପାଖରେ ଉତ୍ସର୍ଗ କରି ପାରିଛ,–ତେବେ ସେହିଗୁଡ଼ିକ ହିଁ ତୁମେ ଏହି କ୍ଷେତ୍ରଟିର ସକଳ ଅବକାଶରେ ମୁକ୍ତ ହୋଇ ରହିଛି ବୋଲି ସଙ୍କେତମାନ ସର୍ବଦା ମିଳି ଯାଉଥିବ । ଏବଂ, ଅର୍ଥ ଓ ଅର୍ଥ ବ୍ୟବହାର ବିଷୟରେ ଆଦୌ କୌଣସି ପ୍ରକାରେ ବିଚଳିତ ହୋଇ ପଡ଼ୁଥିଲେ, କୌଣସି ଦାବି କରୁଥିଲେ ଅଥବା ଅଭିଯୋଗ କରୁଥିବା ପରି କୌଣସି ଅସନ୍ତୋଷ ମଧ୍ୟରେ ପଡ଼ି ରହିଥିଲେ ସେଥିରୁ ସୁନିଶ୍ଚିତ ଭାବରେ ପ୍ରମାଣିତ ହୋଇ ଯାଉଥିବେ ଯେ, ତୁମ ଭିତରେ ଅବଶ୍ୟ କିଛି ନା କିଛି ଅପୂର୍ଣ୍ଣତା ରହିଛି କିମ୍ବା ତୁମେ ନିଜେ ମଧ୍ୟ କେଉଁଠି ନା କେଉଁଠି ବନ୍ଧନଦ୍ଵାରା ବାନ୍ଧି ହୋଇ ରହିଯାଇଛ ।

 

ଏହି ପ୍ରକାରର ଜଣେ ଆଦର୍ଶ ସାଧକ ହେଉଛି ସେହି ସ୍ଵଭାବର ଜଣେ ମନୁଷ୍ୟ, ଯିଏ ବେଶ୍ ଅଳପ ସମ୍ବଳ ମଧ୍ୟରେ ଦରିଦ୍ର୍ୟବତ୍ ଜୀବନ ଅତିବାହିତ କରିବା ଆବଶ୍ୟକ ହେଲେ ତାହା ନିଶ୍ଚୟ କରିପାରିବ ଏବଂ କୌଣସି ପ୍ରକାରର ଅଭାବବୋଧ ତାକୁ ଆଦୌ ବ୍ୟସ୍ତ କରି ପକାଉ ନଥିବ । ଦିବ୍ୟ ଚେତନାର ପୂର୍ଣ୍ଣ ଅନ୍ତର୍ଗତ କ୍ରିୟାରେ ତାକୁ କୌଣସି ହସ୍ତକ୍ଷେପର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ପୁନଶ୍ଚ, ଯଦି ବହୁପରିମାଣ ବସ୍ତୁର ପୂର୍ଣ୍ଣସମ୍ପନ୍ନତା ମଧ୍ୟରେ ଯଦି ପଡ଼ୁଥାଏ, ତେବେ ମଧ୍ୟ ସିଏ ସେହିପରି ଏକ ଜୀବନକୁ ଅବଶ୍ୟ ସ୍ଵୀକାର କରିନେଇ ପାରିବ ଓ ଗୋଟିଏ ମୁହୂର୍ତ୍ତ ଲାଗି ମଧ୍ୟ ବାସନାଗୁଡ଼ିକ ଭିତରେ ଆଦୌ ପଡ଼ି ଯିବନାହିଁ । ନିଜର ଉକ୍ତ ଧନସମ୍ପନ୍ନତା ପ୍ରତି ସେ କୌଣସି ପ୍ରକାରେ ହିଁ ଆସକ୍ତ ହେବ ନାହିଁ । ବ୍ୟବାହର କରୁଥିବା ଆଦୌ ସେହି ଦ୍ରବ୍ୟମାନଙ୍କ ଭିତରେ କଦାପି ବାନ୍ଧିହୋଇ ଯିବନାହିଁ । କୌଣସି ସୁଖଲାଳସାର ଦାସ ହେବନାହିଁ । ଏବଂ, ପାଖରେ ବହୁ ବହୁ ଦ୍ରବ୍ୟ ରହିଥିଲେ ମଧ୍ୟ ନିତାନ୍ତ ଦୁର୍ବଳଙ୍କ ସଦୃଶ ସେହି ବେଡ଼ିଟା ଭିତରେ ପଡ଼ି ଯିବନାହିଁ । ଦିବ୍ୟ ପରମଇଚ୍ଛାକୁ ହିଁ ସେହି ସାଧକ ସବୁକିଛି ବୋଲି ଗ୍ରହଣ କରି ନେଇଥିବ ସେହି, ଦିବ୍ୟ ପରମ ଆନନ୍ଦର ଅଧିକାରୀ ହୋଇଥିବ ।

 

ଯେତେବେଳେ ଆମର ଏହି ପୃଥିବୀର ଜୀବନରେ ସେହି ମାନସତୀତ ଅର୍ଥାତ୍ ଅତି ମାନସର ପ୍ରତୀକ୍ଷିତ ଧାରାଟିର ସର୍ଜନା ହୋଇ ଆସିବ, ସେତେବେଳେ ଅର୍ଥନାମକ ଏହି ଅପରିହାର୍ଯ୍ୟ ଶକ୍ତିଟିକୁ ପୁନର୍ବାର ଦିବ୍ୟ ପରମଙ୍କର ହାତରେ ଆଣି ସମର୍ପି ଦେବାକୁ ପଡ଼ିବ । ଏବପରି ସେହି ଶକ୍ତି ଅସୁରମାନଙ୍କର କବଳରେ ନିନ୍ଦିତ ହୋଇ ରହିଥିବ ଏବଂ ଜଗତନାମକ ଏହି ଘରଟିରେ ଅତିମାନସର ପ୍ରତିଷ୍ଠା ହେବାର ପ୍ରକ୍ରିୟାଟିଏ କ୍ରିୟାଶୀଳ ରହିଥିବ, ଏପରି କଦାପି ହୋଇ ପାରିବନାହିଁ । ସେହି ବହୁ ଇପ୍ସିତଟିକୁ ସତକୁ ସତ ମନ କରିବା ମାତ୍ରକେ ତେଣେ ଅର୍ଥର ବିନିଯୋଗ କରିବାର ଆମରି ଉପସ୍ଥିତ ସାମୂହିକ ଗୁଳାଗୁଡ଼ିକୁ ବଦଳାଇ ଆଣିବାର ଆବଶ୍ୟକ ପ୍ରୟାସ ମଧ୍ୟ ଆରମ୍ଭ ହେବ । ନହେଲେ ଆମର ଯାବତୀୟ ନିଷ୍ଠାକୁ ପରିହାସ କରି ଅତିମାନସ ଆମ ସକାଶେ ତୁଚ୍ଛା ଗୋଟିଏ ଶାସ୍ତ୍ରୀୟ ଆନନ୍ଦସ୍ଵପ୍ନ ହୋଇ ରହିଥିବ ଓ ଆମେ ନାନାପ୍ରକାରେ ମୁଖାମାନ ପିନ୍ଧି ସେହି ପୁରୁଣା ଅର୍ଥ ‘କାରବାରର ଅନ୍ଧାର ଓ ଅନର୍ଥଗୁଡ଼ିକ ମଧ୍ୟରେ ପ୍ରାୟ ଏକ ଆସୁରିକ ଜିଦ୍‌ରେ ଖୁବ୍ ଖୁସି ହୋଇ ରହିଥିବ ।

 

ଶ୍ରୀ ଅରବିନ୍ଦ ବ୍ୟବହାର କରିଥିବା ବାକ୍ୟଗୁଡ଼ିକୁ ପୁନର୍ବାର ଫେରି ଆସି କହିବାକୁ ଚେଷ୍ଟା କଲେ, ସ୍ଵୟଂ ପରମା ଜନନୀ ତାଙ୍କ ଆପଣା ସର୍ଜନାତ୍ମକ ଦୃଷ୍ଟି ନକ୍ସାଟି ଅନୁସାରେ ପୃଥିବୀର ଏହି ପ୍ରାଣିକ ଏବଂ ଭୌତିକ ଜୀବନଟିକୁ ସିଏ ଯେପରି ଏକ ନୂତନ ଦିବ୍ୟତାଯୁକ୍ତ ସଂହତି ଦେଇ ଗଢ଼ି ଆଣିବା ଲାଗି ଶ୍ରଦ୍ଧା କରିଛନ୍ତି, ଅର୍ଥଶକ୍ତିକୁ ମଧ୍ୟ ସେଇଟିର ଅନୁକୂଳ କରି ଗୋଟିଏ ଯଥାର୍ଥ, ସୁନ୍ଦର ତଥା ସମଞ୍ଜସତାଯୁକ୍ତ ସାଧନରୂପେ ବ୍ୟବହାର କରି ପାରିବାଭଳି ସମୁଚିତ ଅବସରଟିଏ ଲାଭ କରିବେ । ତେଣୁ, ଏ ହାତରୁ ସେ ହାତରେ ଆଣିଦେବା ହେଉଛି ଆମର କାର୍ଯ୍ୟ, ଆମେ ଯେଉଁମାନେ ଏକ ଅନ୍ୟ ଚେତନାର ଧରାବତରଣ ଲାଗି ସହଯୋଗ କରିବା ନିମନ୍ତେ ସମ୍ମତି ଦେଇ ଆପଣାକୁ ସଂପୃକ୍ତ କରି ରଖିଛୁ । ମାତ୍ର, ଆମ ଯୁଝିବାଟା ଆଗ, ଆସୁରିକ ଏହି ପୁରାତନ ଚଳଣିଟା ଉପରେ ବିଜୟଲାଭ କରି ଜନନୀଙ୍କର କାର୍ଯ୍ୟସାଧନଟି ଲାଗି ଅର୍ଥକୁ ତାଙ୍କରି ପଦତଳେ ଆଣି ପହଞ୍ଚାଇ ଦେବାର କାର୍ଯ୍ୟଟି । ତା’ନହେଲେ ସିଏ ସମ୍ଭବତଃ କିଛିହେଲେ କରିପାରିବେ ନାହିଁ ଏବଂ ବର୍ତ୍ତମାନ ପରି ଅପେକ୍ଷା କରି ରହିଥିବେ ବୋଲି ମଧ୍ୟ ଏକ ଆଶଙ୍କା ସବୁବେଳେ ରହିଛି କି ? ଏବଂ, ଏକଥା କିଏ କରି ପାରିବ,-କିଏ ସତକୁ ସତ ସେହି ବିଜୟଟି ନିମନ୍ତେ ସବୁଠାରୁ ଅଧିକ ସମର୍ଥ ବୋଲି ନିଜକୁ ପ୍ରମାଣିତ କରିପାରିବ ? ଅଧ୍ୟାୟଟିର ଶେଷ ବାକ୍ୟଟିରେ ଶ୍ରୀ ଅରବିନ୍ଦ ସେହି କଥାଟିର ସୂଚନା ଦେଇ କହିଛନ୍ତି : ଯେଉଁମାନେ ଆପଣା ସ୍ଵଭାବର ଏହି କ୍ଷେତ୍ରଟିରେ ସତକୁ ସତ ବଳଯୁକ୍ତ ହୋଇଥିବେ, ସର୍ବବିଧ ସଂକୀର୍ଣ୍ଣତାରୁ ମୁକ୍ତ ରହିଥିବେ ଏବଂ ଅହଂର ଏହି ନାନା ଘେରମାନଙ୍କରୁ ବାହାରି ଆସି ପାରିଥିବେ, ଆଦୌ କିଛି ଦାବି କରିବାର ଭ୍ରାନ୍ତି ମଧ୍ୟରେ ଗୁରାଇ ହୋଇ ନରହି ନିଜକୁ ସମର୍ପିତ କରି ପାରିଥିବେ, ଯେଉଁମାନଙ୍କ ମଧ୍ୟରେ ମୋଟେ କୌଣସି କୁଣ୍ଠା କିମ୍ବା ସଙ୍କୋଚ ନଥିବ, ଯେଉଁମାନେ ସେହି ପରମ ତଥା ସର୍ବୋଚ୍ଚ କ୍ରିୟାରମ୍ଭଟି ନିମନ୍ତେ ନିଜକୁ ଆବଶ୍ୟକ ପରିମାଣରେ ଶୁଦ୍ଧ ଏବଂ ବଳଯୁକ୍ତ ଗୋଟିଏ ଗୋଟିଏ ମାଧ୍ୟମ କରି ତିଆରି କରିଥିବେ, ସେଇମାନେ ପାରିବେ ।

 

ଏହି କଥାଟିକୁ ଚର୍ଚ୍ଚା କରିବାର ଅବସରରେ ଏକାଧିକ ବାର ଶ୍ରୀ ଅରବିନ୍ଦ ‘ପୁଣି ଜୟ କରି ଆଣିବାର’ ସେହି ଖାସ୍ କାର୍ଯ୍ୟଟିକୁ କହିଛନ୍ତି । ବର୍ତ୍ତମାନ ଅର୍ଥନାମକ ସେହି ଶକ୍ତିଟି କାହା ହାତରେ ‘ଯାଇ ରହିଛି ଯେ ଆମେ ସନ୍ତାନମାନେ ସେଇଟିକୁ ତାହାରି ହାତରୁ ପୁନର୍ବାର ଜୟ କରି ଆଣିବା ? କିଏ ସେହି ପ୍ରତିକୂଳ ଶକ୍ତି, ଯିଏକି ଆମ ପୃଥ୍ୱୀଜୀବନର ଅଭ୍ୟୁଦୟ ପଥରେ ଏଡ଼େ ବଡ଼ ଅନ୍ତାରାୟ ହୋଇ ରହିଛି ଓ ଏକାବେଳେକେ ମୂଳରୁ ହିଁ ଆମକୁ କାମୁଡ଼ି ଧରିଥିବାରୁ ସେଇ ସବାମୂଳ ଗାରଟିରେ ହିଁ ପରିବର୍ତ୍ତନର ଯାବତୀୟ ସମ୍ଭାବନାଗୁଡ଼ିକୁ ମଧ୍ୟ ସେହି ମୂଳରୁ ହିଁ ବିଗାଡ଼ି ଦେଉଛି ? ଏହି ଖିଳ ଭୁବନର ଅନୁମନ୍ତା ସ୍ଵୟଂ ବିଧାତା କ’ଣ ଆମ ପୁରାଣମାନଙ୍କର କେତେ କଳ୍ପନା ଅନୁସାରେ ନିଜର ଏହି ଧରଣୀପୃଷ୍ଠରେ ସତେଅବା କିଛି କଉତୁକ ଦେଖିବାର ଅଭିଳାଷରେ ଆପଣା ମାୟାରେ ନିଜ ଭିତରୁ ଏକ ପ୍ରତିକୂଳ ଶକ୍ତିକୁ ଜନ୍ମ ଦେଇଛନ୍ତି ଓ ତାହାରି ବଳରେ ଆମ, ମନୁଷ୍ୟମାନଙ୍କୁ ଏପରି କ୍ରୀଡ଼ନକବତ୍ ନଚାଇବାକୁ ହୁଏତ କିଛି ଖୁସି ପାଉଛନ୍ତି କି ? ପରମା ଜନନୀଙ୍କର ସେହି ଶକ୍ତିମୟ ସାନ୍ନିଧ୍ୟର ଏତେଟିକିଏ ବି ସ୍ପର୍ଶ ପାଇଥିବା ଆମ ଭିତରୁ କେହି କଦାପି ଏପରି ବିଶ୍ଵାସ କରିବାଲାଗି ଆଦୌ ମନ କରିବନାହିଁ । ପ୍ରତିକୂଳ ଶକ୍ତି ହେଉଛି ଆମେ ମାନି ନେଇଥିବା ଏହି ସାମୂହିକ ବ୍ୟବସ୍ଥାଟିର ଏକ ଭିଆଣ, ଯାହାର ନାନା ଅପରବାଦ ଆମକୁ ନାନା ଅସୁସ୍ଥତା ମଧ୍ୟରେ ବାନ୍ଧି ରଖିଥାଏ । କାଳକାଳରୁ ସେହି ଅସୁସ୍ଥତାମାନେ ଆମକୁ ଅଟକାଇ ରଖିଛନ୍ତି । ଆମର ଯଥାର୍ଥ ଇଚ୍ଛାଗୁଡ଼ିକୁ ବିକଶିତ ହୋଇ ଆସିବାକୁ ଦେଉନାହାନ୍ତି । ଯେଉଁଥିପାଇଁ ଅର୍ଥଶକ୍ତି ମଧ୍ୟ କାର୍ଯ୍ୟତଃ ଏକ ଅପଶକ୍ତି ହୋଇ ରହିଛି । କାଳକାଳରୁ ହିଁ କେତେ ମନୁଷ୍ୟ ଏହି ପୃଥିବୀଟାକୁ ପୂରା ଏକୁଟିଆ ଭୋଗ କରିବେ ବୋଲି ଅବଶିଷ୍ଟ ମନୁଷ୍ୟଙ୍କୁ ବେଢ଼ାବାହାର କରି ରଖି ଆସିଛନ୍ତି, ସୃଷ୍ଟିର ଅସଲ ବିଧାନଟାକୁ ପଣ୍ଡ କରି ପକାଇଛନ୍ତି । ଏକ ପୂରା ପୃଥିବୀର ସର୍ବବଧ ବ୍ୟସ୍ଥାରେ ପ୍ରତିବନ୍ଧକ ହୋଇ ଠିଆ ହୋଇଛନ୍ତି । ସକଳ ପ୍ରାସଙ୍ଗିକତାରେ ନିଶ୍ଚୟ ସେମାନଙ୍କୁ ଆମ ମଣିଷମାନଙ୍କ ମଧ୍ୟରେ ଅସୁର ବୋଲି କାହିଁକି କୁହାଯାଇ ନପାରିବ ! ସେହିମାନଙ୍କର ହାତରୁ ଅର୍ଥଶକ୍ତିକୁ ପୁଣି ବିଜୟ କରି ଆଣିବାକୁ ହିଁ ହେବ । ତେବେଯାଇ ବିଧାତା ଆପଣାର ନକ୍ସାଟି ଅନୁସାରେ ସଂସାରଟିକୁ ଗଢ଼ିପାରିବେ ଓ ତାହାକୁ ପରବର୍ତ୍ତୀ ଉପଲବ୍ଧିଗୁଡ଼ିକୁ ନିମନ୍ତେ ପ୍ରସ୍ତୁତ କରିବେ । ଇତିହାସର ଧର୍ମମାନେ ସେହି କାଳକାଳରୁ ଏହି ଅସଲ ଆହ୍ଵାନଟି ପାଖରୁ ହୁଡ଼ି ଯାଉଛନ୍ତି, ନାନା ଅନ୍ୟ ଆକର୍ଷଣରେ ପଡ଼ି ନାନାପ୍ରକାରେ ନ୍ୟସ୍ତସ୍ଵାର୍ଥ ଗୁଡ଼ିକର ସମର୍ଥନ କରିଛନ୍ତି । ଏକ ଅନ୍ୟ ପୃଥିବୀର କଥା କହି ମଧ୍ୟ ସେମାନେ ପୁରୁଣାଟି ଆଡ଼କୁ ଆଡ଼େଇ ପଡ଼ିଛନ୍ତି । ପ୍ରଭା ହରାଇଛନ୍ତି, ବହୁ ଅଧ୍ୟାତ୍ମ–ସମ୍ଭାବନାରୁ ଆପଣାକୁ ଅଲଗା କରି ରଖିଛନ୍ତି । ସନ୍ତାନମାନେ ହିଁ ପାରନ୍ତେ । ସନ୍ତାନମାନେ ହିଁ ପାରିବେ, ପ୍ରତିକୂଳ ଶକ୍ତିଗୁଡ଼ିକ ସହିତ ଯୁଝି ପାରିବେ । ଅସୁରମାନଙ୍କର ଠାରୁ ଏକ ବିଜୟଲାଭ ଦ୍ଵାରା ପୃଥିବୀକୁ ମୁକ୍ତ କରି ଆଣିବେ । ଦିବ୍ୟଜନନୀଙ୍କ ନିମନ୍ତେ ପଥଗୁଡ଼ିକୁ ପ୍ରସ୍ତୁତ କରି ଆଣିବେ ।

 

ମାଆଙ୍କର ଏକ ବ୍ୟାଖ୍ୟା ଦେଇ କହିଲେ, ଅର୍ଥ ଓ ଧନସମ୍ପତ୍ତି ଯଥାସମ୍ଭବ ଅଧିକରୁ ଅଧିକ ପରିଣାମ ସଚଳ ହୋଇ ରହିଥିବା ଉଚିତ । ଆଦୌ ଗୋଟିଏ ହାତରେ ଗଚ୍ଛିତ ହୋଇ ରହିଥିବା ଉଚିତ ନୁହେଁ । ତଥାପି କେତେ ମଣିଷ ଅର୍ଥକୁ ନିଜ ପାଖରେ ଜମା କରି ରଖନ୍ତି । ସେମାନେ ସେହି ଅର୍ଥର ମାଲିକ ବୋଲି ଅନୁଭବ କରି ଖୁବ୍ ଖୁସି ହୁଅନ୍ତି । ଧନର ବ୍ୟବାହର କରିବା ଅପେକ୍ଷା ତାହାର ମାଲିକ ହୋଇ ରହିବାକୁ ସତେଅବା ଏକ କେଡ଼େ ବଡ଼ ଶ୍ରେୟ ବୋଲି ଭାବନ୍ତି । ସେମାନେ ସେହି କାରଣରୁ ନିଜନିଜର ଜୀବନରେ ଭାରି ଅନ୍ୟକାତର ହୁଅନ୍ତା । ଅନ୍ୟକୁ ଲୋଡ଼ିବା ଅପେକ୍ଷା ଅର୍ଥକୁ ଅଧିକ ଲୋଡ଼ନ୍ତି ଏବଂ ଅଧିକ ମୂଲ୍ୟ ଦିଅନ୍ତି । ଏଡ଼େ ବଡ଼ ପୃଥିବୀରେ ଏତେ ଏତେ ମନୁଷ୍ୟ ବାସ କରୁଥିଲେ ମଧ୍ୟ ଏମାନେ ଆପଣା ପାଖରେ ଗଚ୍ଛିତ ରଖିଥିବା ପଇସାଟାକୁ ହିଁ ଅଧିକ ସରାଗର ସହିତ ଦେଖନ୍ତି । ଅର୍ଥକାମୁକ ହିଁ ହୁଅନ୍ତି । ପୃଥିବୀରେ କାଳେ କାଳେ ଯେ ଅସୁମାରି ସେହିମାନଙ୍କ ପରି ମଣିଷ ଅବହେଳିତ ହୋଇ ରହିଛନ୍ତି, ଅଳପ ମଣିଷଙ୍କର ଧନକାମୁକତା ତେଣେ ଦୃଷ୍ଟି ହିଁ ଦେଇନାହିଁ । ସତେଯେପରି ଏହି ଧରଣୀ ଉପରେ ଜଗତଯାକର ଈଶ୍ଵର ତୁଚ୍ଛା ସେହି ଅଳପଙ୍କର ପ୍ରୀତିନିମନ୍ତେ ହିଁ ଏଠି ସର୍ବବିଧ ଅବସରଗୁଡ଼ିକର ବରାଦ କରି ରଖିଛନ୍ତି । ମାଆ କହିଛନ୍ତି, ଧନ ଜମା ହୋଇ ରହିବ ନାହିଁ,–ହାତକୁ ହାତ ହେଉଥିବ । ଜମା ହୋଇ ରହିଥିଲେ ସେଥିରେ ପୋକ ଲାଗିଯିବେ । ହଁ, ପୃଥିବୀଯାକର ଅର୍ଥ ଯଦି ସତକୁ ସତ ସଚଳ ହୁଅନ୍ତା, ତେବେ ଏଠାରେ ଏତେ ଏତେ କୋଟିସଂଖ୍ୟାର ମଣିଷ ପୁଣି କ’ଣ ପାଇଁ ଅନ୍ଧାର ଅର୍ଥାତ୍ ଏହି ଯାବତୀୟ ଅସମର୍ଥତା ମଧ୍ୟରେ ବାଧ୍ୟ ହୋଇ ରହି ଥାଆନ୍ତେ ? ଆହୁରି ଆଗକୁ ଯାଇ କହିଲେ, ଏତେ ଏତେ ଜ୍ଞାନ ଓ ବିଜ୍ଞାନ କାହିଁକି ତୁଚ୍ଛା ଅମାର୍ଗରେ ବରବାଦ ହୋଇଯାଆନ୍ତେ ?

 

ଆହୁରି ସ୍ପଷ୍ଟ ହୋଇପାରିବା ନିମନ୍ତେ ସ୍ୱୟଂମାଆଙ୍କର କେତୋଟି ବାକ୍ୟ : “ଧନ ହେଉଛି ଏକ ସମ୍ପଦ, ପ୍ରକୃତରେ ଏକ ସମ୍ପଦ; ଏବଂ ତାହା ହାତକୁ ହାତ ଦେଉଥିବାର ଏକ ମାଧ୍ୟମ ହୋଇ ରହି ପାରୁଥିବା ଉଚିତ । ସର୍ବଦା ଗତିଶୀଳ ହୋଇ ରହିବ, ଠିକ୍ ବୋହି ଯାଉଥିବା କୌଣସି ଜଳଧାରା ପରି । ଧନ ଉତ୍ପାଦନର ପ୍ରକ୍ରିୟାରେ ବ୍ୟବହୃତ ହୋଇ ପାରୁଥିବ, ଜୀବନକୁ ସଙ୍ଗଠିତ କରି ଆଣିବାରେ କାମରେ ଲାଗିଥିବ । ଖୁବ୍ ସୁବିଧାଜନକ ମାଧ୍ୟମ ଓ ସାଧନଟିଏ, କାରଣ ବସ୍ତୁତଃ ତାହାରି ସାହାଯ୍ୟରେ ହିଁ ଦ୍ରବ୍ୟମାନେ ପୂର୍ଣ୍ଣ ରୂପେ ତଥା ମୁକ୍ତ ଭାବରେ ହାତରୁ ହାତକୁ ହେବା ସମ୍ଭବ ହୋଇଯାଏ ।” ପୁନଶ୍ଚ, ତା’ପରେ “ଧନରୂପକ ସେହି ଶକ୍ତିଟି କେବଳ ସେହିଭଳି ବ୍ୟକ୍ତିମାନଙ୍କ ପାଖରେ ରହିଥିବା ଉଚିତ, ଯେଉଁମାନେ କି ତାହାକୁ ସର୍ବୋତ୍ତମ ଭାବରେ ବ୍ୟବହାର କରିବାର ଉପାୟଗୁଡ଼ିକୁ ଜାଣିଥାଆନ୍ତି । ଅର୍ଥାତ୍, ଯେଉଁ ବ୍ୟକ୍ତିମାନେ ଯାବତୀୟ ବ୍ୟକ୍ତିଗତ ବାସନାର ବିଲୋପସାଧନ କରି ପାରିଛନ୍ତି ଅଥବା କୌଣସି ନା କୌଣସି ପ୍ରକାରେ ସେଥିରୁ ମୁକ୍ତ ହୋଇ ପାରିଛନ୍ତି । ଯାବତୀୟ ପ୍ରକାରର ଆସକ୍ତିକୁ ପରିହାର କରିଛନ୍ତି । ....ସେମାନଙ୍କ ପାଖରେ ସର୍ବଦା ଏପରି ଏକ ପ୍ରଶସ୍ତ ଦୂରଦୃଷ୍ଟି ମଧ୍ୟ ରହିଥିବା ଉଚିତ, ଯାହାକି ସେମାନଙ୍କୁ ଏହି ପୃଥିବୀର ଆବଶ୍ୟକତା ଗୁଡ଼ିକୁ ବୁଝିବାରେ ସମର୍ଥ କରାଇ ପାରିଥିବ; ସେମାନେ ଏପରି ଏକ ପୂର୍ଣ୍ଣଜ୍ଞାନର ଅଧିକାରୀ ହୋଇଥିବେ, ଯାହାକି ସେମାନଙ୍କୁ ସେହି ଯାବତୀୟ ସେହି ଯାବତୀୟ ଆବଶ୍ୟକତା ଗୁଡ଼ିକୁ ଉଚିତ ସଙ୍ଗତି ସହିତ ସଙ୍ଗଠିତ କରି ଦେଖି ପାରୁଥିବ ଏବଂ ସେହି ଅନୁସାରେ ଅର୍ଥନାମକ ଏହି ଶକ୍ତିଟିକୁ କାମରେ ଲଗାଇ ପାରୁଥିବ ।” ପୁନଶ୍ଚ, ତା’ପରେ,

 

“ଯଦି ଏହି ବ୍ୟକ୍ତିମାନେ ଏକ ଉଚ୍ଚତର ଅଧ୍ୟାତ୍ମିକ ଜ୍ଞାନର ଅଧିକାରୀ ବି ହୋଇଥାନ୍ତି, ତେବେ ସେହି ଶକ୍ତିଟିର ବିନିଯୋଗ କରି କ୍ରମେ ପୃଥିବୀପୃଷ୍ଠରେ ଏପରି କିଛିକୁ ଗଢ଼ି ଆଣିପାରିବେ, ଯାହାକି ଏଠାରେ ଦିବ୍ୟ ପରମଶକ୍ତିକୁ ପ୍ରକଟ କରି ଆଣିବାରେ ମଧ୍ୟ ସମର୍ଥ ହେବ । ସେହି ଦିବ୍ୟ ପରମ ବଳ ଓ ଦିବ୍ୟ ପରମ କରୁଣାକୁ ବ୍ୟକ୍ତ କରି ଆଣିବାରେ । ଏବଂ ସେତେବେଳେ ଏହି ଅର୍ଥରାଶି, ଏହି ଧନବଳ, ଏହି ବିତ୍ତୀୟ ସାମର୍ଥ୍ୟ-ଏଗୁଡ଼ିକୁ ମୁଁ ଆରମ୍ଭରେ ଗୋଟିଏ ଗୋଟିଏ ଅଭିଶାପବତ୍ ବୋଲି କହିଥିଲା ସିନା, ସେଗୁଡ଼ିକ ସକଳ ସର୍ବଜନଙ୍କର କଲ୍ୟାଣ ନିମନ୍ତେ ହିଁ ଏକ ପରମ ଆଶୀର୍ବାଦରେ ପରିଣତ ହୋଇଯିବ । ....ତଥାପି, ଏହି କଥାଟି ସବୁବେଳେ ହିଁ ସତ ଯେ, ବୃହତ୍‌ରୁ ଅଧିକ ବୃହତ୍ ଯେକୌଣସି ଶକ୍ତିକୁ ଯଦି ନିର୍ବୋଧ ଏବଂ ମନ୍ଦ ଭାବରେ ବ୍ୟବହାର କରାଯିବ, ତେବେ ତାହା ଅବଶ୍ୟ ଏକ ବୃହତ୍ ବିପତ୍ତିରେ ପରିଣତ ହୋଇଯାଇ ପାରିବ । ଏବଂ, ଅନ୍ୟ ପକ୍ଷରେ, ସେହି ବୃହତ୍ ଶକ୍ତିଟିକୁ ଯଦି ଉଚିତ ମାର୍ଗରେ ବ୍ୟବହାର କରାଯିବ, ତେବେ ତାହା ଏକ ଆଶୀର୍ବାଦରେ ପରିଣତ ହୋଇ ପାରିବ । ଆମେ ଏହି ଯାବତୀୟ ବସ୍ତୁକୁ ଯେଉଁପରି ଭାବରେ କାମରେ ଲଗାଇବା, ସକଳ ପରିଣାମ ତାହାରି ଉପରେ ନିର୍ଭର କରିବ । ପୃଥିବୀରେ ସକଳ ବସ୍ତୁ ନିମନ୍ତେ ସ୍ଥାନ ରହିଛି, କ୍ରିୟାଶୀଳ ହେବାର ଉଚିତ କ୍ଷେତ୍ର ରହିଛି,-ଯଥୋଚିତ ବ୍ୟବହାରର ମାର୍ଗ ମଧ୍ୟ ରହିଛି । ଏବଂ, ଯଦି ତାହାକୁ ଅନ୍ୟକିଛି ସକାଶେ ବ୍ୟବହାର କରାଯାଏ, ତେବେ ସେଥିରୁ ଏକ ବିଶୃଙ୍ଖଳା ହିଁ ଜାତ ହେବ । ସବୁ ମାର୍ଗ ହୁଡ଼ିଯିବ ଏବଂ ଅରାଜକତା ଘଟାଇବ । ସେପରି ହେବ, କାରଣ ପୃଥିବୀ ବର୍ତ୍ତମାନ ଯେଉଁ ଅବସ୍ଥାରେ ରହିଛି, ଏଠାରେ ଖୁବ୍ ଅଳ୍ପସଂଖ୍ୟକ ବସ୍ତୁକୁ ହିଁ ସେଗୁଡ଼ିକର ଉଚିତ ପରିମଳମାନ ରକ୍ଷା କରି ବ୍ୟବହାର କରାଯାଉଛି,–ଖୁବ୍ କମ୍‍ସଂଖ୍ୟକ ବସ୍ତୁ ସେମାନଙ୍କର ଯଥୋଚିତ ସ୍ଥାନରେ ରହିଛନ୍ତି । ଏବଂ, ସେହି କାରଣରୁ ପୃଥିବୀଟା ଏକ ଭୟଙ୍କର ଅବ୍ୟବସ୍ଥା ଭିତରେ ହିଁ ବିକାଶ ହୋଇ ରହିଛି । ସେଇଥିରୁ ଏତେ ଏତେ ଦୁଃଖଭୋଗ ଏବଂ ଏତେ ଏତେ ଦୁର୍ଦ୍ଦଶା । ଯଦି ପ୍ରତ୍ୟେକ ବସ୍ତୁ ନିଜ ନିଜର ଯଥୋଚିତ ଥାନରେ ରହିଥାନ୍ତି, ଯଦି ସୁସଙ୍ଗତିଯୁକ୍ତ ଭାରସାମ୍ୟଟିଏ ଥାଆନ୍ତା, ତେବେ ସମୁଦାୟ ପୃଥିବୀର କେବଳ ଅଗ୍ରଗତି ହିଁ ହେଉଥାଆନ୍ତି,-ଏହିସବୁ ଦୁର୍ଦ୍ଦଶା ତଥା ଦୁଃଖଭୋଗର କୌଣସି ଆବଶ୍ୟକତା ନଥାନ୍ତା ।”

 

ମାଆଙ୍କର ଏହି ଦୀର୍ଘ ବ୍ୟାଖ୍ୟାଟିରୁ ଯଦି ଆମେ ପୂର୍ଣ୍ଣ ପୃଥ୍ୱୀସଚେତନ ହୋଇ ‘ମାଆ’ ବହିର ଏହି ଅଧ୍ୟାୟର ଆହ୍ଵାନଗୁଡ଼ିକ ପାଖକୁ ଫେରି ଆସିବା, ତେବେ ନିଜ ଭିତରକୁ ଓ ଆମ ପରସ୍ପର ଭିତରକୁ ଅବଶ୍ୟ ଖିଅଟିଏ ପାଇଯିବା । ଅର୍ଥଶକ୍ତି ବର୍ତ୍ତମାନ ଅସୁରମାନଙ୍କ ଅକ୍ତିଆରରେ ରହିଛି ଓ ତେଣୁ ତାହା ପୃଥିବୀର ଜୀବନରେ ବହୁ ଅନର୍ଥର କାରଣ ହୋଇ ରହିଛି । ସେହି ଶକ୍ତିକୁ ପୁନର୍ବାର ଅସୁରମାନଙ୍କ ହାତରୁ ମୁକୁଳାଇ ଆଣିବା ବିଷୟରେ ଶ୍ରୀ ଅରବିନ୍ଦ ଆମକୁ ଉଦ୍‌ବୋଧନ ଦେଇଛନ୍ତି । ଅସୁରଙ୍କ ହାତରୁ ମୁକ୍ତକରି ଅର୍ଥଶକ୍ତିକୁ ଭଗବାନଙ୍କ କାର୍ଯ୍ୟରେ ଲଗାଇବାକୁ ହେବ । ଅନେକ କିଛିକିଛି ଭାବତତ୍ତ୍ଵ ଦ୍ଵାରା ଆମେ ଉକ୍ତ କଥାଟିର ଅର୍ଥ କରିବାଲାଗି ମନ ବଳାଇଥାଉ ବୋଲି ସମ୍ଭବତଃ ସେହି କଥାକୁ ନେଇ ସର୍ବଦା ହିଁ କିଛି ନା କିଛି ଅସ୍ପଷ୍ଟତା ମଧ୍ୟ ରହିଥାଏ । ସମୟ ସମୟରେ ଏପରି ମଧ୍ୟ ଲାଗେ ଯେ, ଆପଣାର ହିଁ କୌଣସି ଅନିଚ୍ଛାଗତ ଆବଶ୍ୟକତା ହେତୁ ଆମେ ଅନେକେ ସେହି ଉଦ୍‌ବୋଧନଟିକୁ କିଞ୍ଚିତ୍ ଅସ୍ପଷ୍ଟତା ମଧ୍ୟରେ ଆଚ୍ଛନ୍ନ କରି ରଖିବା ଲାଗି ବେଶ୍ ଇଚ୍ଛା କରୁଥାଉ । ହୁଏତ ଭିତରର ଗୋଟାଏ ଅବଚେତନ ବାହାରିଆସେ ଓ ଆମର ଉକ୍ତ ଧନ୍ଦାରେ ସାହାଯ୍ୟ ମଧ୍ୟ କରେ । ଆମେ ଏକ ବୃହତ୍ ସାନ୍ତ୍ୱନା ପାଇଗଲା ପରି ଅନୁଭବ କରୁ । କିନ୍ତୁ ମାଆଙ୍କ ଉକ୍ତିରୁ ଉଦ୍ଧୃତ ବାକ୍ୟଗୁଡ଼ିକରେ ସେପରି ଆଦୌ କୌଣସି ଅସ୍ପଷ୍ଟତା ଆବିଷ୍କାର କରି ହୁଏନାହିଁ । ପ୍ରଧାନତଃ ଏକ ଅପଶକ୍ତି ଓ ଅନ୍ୟାୟ ଶକ୍ତି ରୂପେ ଆମ ପୃଥ୍ୱୀଜୀବନର ସକଳ କ୍ଷେତ୍ରରେ ଧର୍ଷିତପ୍ରାୟ ହୋଇ ରହିଥିବା ଅର୍ଥଶକ୍ତି ପୁନର୍ବାର ନିଜର ସମୁଚିତ ଭୂମିକାଟିକୁ ଗ୍ରହଣ କରୁ ବୋଲି ଅନୁରାଗ ରଖିଥିବା ଆମ ସକଳଙ୍କ ନିମନ୍ତେ ମାଆ ବହୁତ ସହଜ ସ୍ପଷ୍ଟ କରିଦେଇ କହିଛନ୍ତି ଯେ, ‘ଧନ କାହାରି ଏକ ବ୍ୟକ୍ତିଗତ ସମ୍ପତ୍ତି ହୋଇ ରହିବା ଉଚିତ ନୁହେଁ । ଦିବ୍ୟ ପରମସତ୍ତା ହିଁ ସକଳ ଧାନର ମାଲିକ ହୋଇ ରହିବେ ଏବଂ ତାହା ସମସ୍ତଙ୍କର ମଙ୍ଗଳ ନିମନ୍ତେ ବ୍ୟୟିତ ହେବ ।’ (ଇଂରାଜୀ ମାତୃରଚନାବଳୀ, ୧୬ଶ ଖଣ୍ଡ, ପୃଷ୍ଠା–୩୭୨) ଏହି କଥାଗୁଡ଼ିକ ଏତେ ସିଧା ଯେ, ଆମପରି ଅନେକ ବଙ୍କା ମଣିଷ ମଧ୍ୟ ଉତ୍ତମରୂପେ ବୁଝି ପାରିବେ ।

 

ଏହି ଧନଶକ୍ତି ଅର୍ଥାତ୍ ଅର୍ଥଶକ୍ତି ‘କାହିଁକି ସମସ୍ତଙ୍କର, ମନୁଷ୍ୟମାତ୍ରକେ ସମସ୍ତଙ୍କର କଲ୍ୟାଣକଳ୍ପେ ବ୍ୟବହୃତ ହୋଇ ନପାରୁଛି ? ସ୍ଵୟଂବିଧାଟା କ’ଣ ଏଥିରେ ଏକ ପ୍ରତିବନ୍ଧକ ହୋଇ ଠିଆ ହୋଇଛନ୍ତି ? ବ୍ୟକ୍ତିଗତ ସମ୍ପତ୍ତି ହୋଇ ନରହି ଅର୍ଥ ସକଳ ମନୁଷ୍ୟଙ୍କର କଲ୍ୟାଣରେ ବ୍ୟୟିତ ହେଉ ବୋଲି ଆମ ଠାକୁରମାନେ ମଧ୍ୟ ଆଦୌ କୌଣସି କାରଣରୁ ମଧ୍ୟ ଇଚ୍ଛା କରୁଥିବେ ? ତେଣୁ, ଆମେ ମନୁଷ୍ୟମାନେ କ’ଣ ପାଇଁ ସତେଅବା ସବୁଯାକ ଅର୍ଥକୁ କେବଳ ନିଜେ ଭୁଞ୍ଜିବୁ ବୋଲି ଭଗବାନଙ୍କ ପଥରେ ବାଧା ହୋଇ ଠିଆ ହୋଇ ରହିଛୁ ? ଗୋଟିଏ ଗାଆଁରେ, ଗୋଟିଏ ଦେଶରେ ଏବଂ ପୃଥିବୀଟା ଯାକରେ ସମ୍ପତ୍ତି ଗୁଡ଼ିକ ସ୍ତୂପ ମରାହୋଇ ରହିଛି, ସମୁଚିତ ପ୍ରଜ୍ଞାରେ ସବୁ ମଣିଷଙ୍କର କଲ୍ୟାଣରେ ସେଗୁଡ଼ିକୁ ଲଗାଇ ପାରିବାର ଉପାୟଚୟ ଆମର ବିଦ୍ୟାରେ ଏବଂ ବୁଦ୍ଧିସାମର୍ଥ୍ୟର ଖଳାମାନଙ୍କରେ ମହଜୁଦ ରହିଛି । ତେବେ, ତଥାକଥିତ ଅସୁରମାନେ କ’ଣ ସତକୁ ସତ ଏହି ପୃଥିବୀ ବାହାରେ ସତେଅବା ଆଉ କେଉଁଠାରେ ଥାଇ ପୃଥିବୀର ବୈରୀପଣ କରୁଛନ୍ତି ଏବଂ ପଥଗୁଡ଼ିକୁ ଓଗାଳି ଠିଆ ହୋଇଛନ୍ତି ? ନାଇଁ, ନାନା ଅସୁସ୍ଥ ଅକାରଣରୁ ହିଁ ଆମେ ପରସ୍ପରକାତର ବନି ପୃଥିବୀର ଉଦୟଲାଗି ଅପେକ୍ଷା କରି ବହିଥିବା ପାରସ୍ପରକିତା ଗୁଡ଼ିକୁ ନିଜର ଏହି ସାମ୍ପ୍ରତିକ ଜୀବନଗୁଡ଼ିକରୁ ବାସନ୍ଦ କରି ରଖିଛୁ । ସକଳ ମନୁଷ୍ୟଙ୍କୁ ସେହି ଗୋଟିଏ ପରମ–ଇଚ୍ଛାମୟଙ୍କର ସନ୍ତାନ ବୋଲି ସ୍ଵୀକାର କରି ନପାରିଲେ, ସତୀର୍ଥବତ୍ ସଚେତନ ନହେଲେ ଆମେ ବିଶ୍ଵଜନନୀଙ୍କର ଅର୍ଥାତ୍ ସବୁ ମନୁଷ୍ୟଙ୍କର ଜନନୀଙ୍କର ଉପସ୍ଥିତିକୁ କିପରି ବା ଅନୁଭବ କରି ପାରିବା । ସିଏ ଏହି ପୃଥିବୀ ମଧ୍ୟରେ ଏବେ ମଧ୍ୟ କ୍ରିୟାଶୀଳା ହୋଇ ରହିଛନ୍ତି ବୋଲି କିପରି ବୁଝିପାରିବା ?

 

ଆମ ଇତିହାସର ସବୁଯାକ ଧର୍ମରେ ଆବହମାନ କାଳରୁ ଆମେ ସେହି ଆସୁଥିବା ଅଧିକ ଉତ୍ତମ ଅନ୍ୟ ଏକ ପୃଥ୍ୱୀଚିତ୍ରର ସର୍ବଦା ହିଁ ଆଭାସ ପାଇପାରିବା । ଏକ ଅନ୍ୟ ଉଜ୍ଜ୍ଵଳତର ମେଦିନୀ ଦୃଷ୍ଟି, ଯେତେବେଳେ ମଣିଷମାତ୍ରେ ସମସ୍ତେ ସ୍ଥାନ ପାଇବେ, ସମସ୍ତଙ୍କର ହିତବିଧାନ ହେବ । ସମସ୍ତେ ଲୋଡ଼ା ହେବେ । ଆମ ଏଠାରୁ କେତେ କେତେ କାଳରୁ ଅପହଞ୍ଚ ଊର୍ଦ୍ଧ୍ୱ ହୋଇ ରହିଥିବା ସ୍ଵର୍ଗରାଜ୍ୟଟି ଏହି ମର୍ତ୍ତ୍ୟରୂପୀ ମଣିଷ–ସଂସାରଟି ମଧ୍ୟକୁ ଅବତୀର୍ଣ୍ଣ ହୋଇ ଆସିବ । ଈଶ୍ଵରଙ୍କର ଆଦର୍ଶ ରାଜ୍ୟଟି ଏହି ତଳେ ହିଁ ପ୍ରତିଷ୍ଠିତ ହେବ । ମଣିଷ ଦେବତା ହେବ । ଯାହାକିଛି ତା’ଭିତରର ଆସ୍ପୃହାଟି ମଧ୍ୟରେ ପ୍ରାୟ ସୃଷ୍ଟିର ଉନ୍ମୋଷ ସମୟରୁ ହିଁ ଅପେକ୍ଷା କରି ରହିଆସିଛି, ସେଇଟି ଫୁଲଟିଏ ହୋଇ ଫୁଟି ଉଠିବ । ଏଥିରେ ଆମ ମନୁଷ୍ୟ ଜଗତକୁ ଏତେଏତେ ସମ୍ଭାରରେ ସମ୍ଭାରି ରଖିଥିବା ସ୍ଵୟଂ ସିଏ ମଧ୍ୟ କେଡ଼େ ଖୁସି ନହେବେ । ସେହି ଅପେକ୍ଷିତ ଅନ୍ୟଟିର ଜନନୀଚିତ୍ତଟି ତ ଯୁଗେ ଯୁଗେ ସର୍ବଦା ପୁରୁଣାଟିକୁ ନିତାନ୍ତ ଅସହ୍ୟ ପରି ଅନୁଭବ କରିଛି ଏବଂ ପୂରା ଏକ ଅନ୍ୟ ପ୍ରତ୍ୟୟ ସହିତ ବାରମ୍ବାର ଭାଙ୍ଗିଦେବା ନିମନ୍ତେ ଇଚ୍ଛା କରିଛି ! କିନ୍ତୁ ଅଧ୍ୟାତ୍ମର ସେହି ସଂକ୍ରମଣବାର୍ତ୍ତାଟି କେଡ଼େ ହାଉଲେ ହାଉଲେ ସେହି ପୁରାତନ ଛାଞ୍ଚ ଭିତରେ ଆସି ପଶିଯାଇଛି;–ନୂଆ ନୂଆ ନାମରେ ସେହି ସଂପ୍ରଦାୟ, ସନ୍ତକ, ପବିତ୍ର ପୁସ୍ତକ, ଦେଉଳ ମାନଙ୍କରେ ପତାକା ଉଡ଼ାଉଥିବା ନୂଆ ବିଧିବିଧାନ, ପୁରୁଣାମାନଙ୍କର କିମିଆ ଦ୍ଵାରା କେଡ଼େ ଟହଟହ ଦିଶୁଥିବା ଖୁବ୍ ମନୋରଞ୍ଜକ କାହାଣୀ ଏବଂ କଥାନିଗୁଡ଼ିକ । ଚକଟା ପୂରା ରହିଯାଇଛି । ସବୁ ମଣିଷ ଯେ ସାଙ୍ଗକୁ ଆସିବେ, ସେହି ସବାଆଗର ସତ୍ୟଟି ବାଉଳା ହୋଇଯାଇଛି । ପ୍ରତିକୂଳ ଶକ୍ତିଟା ପରାକ୍ରମୀ ହୋଇଯିବା ପରି, ଗୋଟାଏ ଅଂଶକୁ ମ୍ଳେଚ୍ଛ ଏବଂ ମଳିନ କରି ରଖାନଗଲେ ଅଳପ କେତେକ ପୁଣି କିପରି ବିଶେଷ ହୋଇ ଦୃଷ୍ଟିଗୋଚର ହେବେ, ସେହି ଅନ୍ୟାୟଟା ହିଁ ଯୁଗର ଦୁଆରବନ୍ଧ ଗୁଡ଼ିକୁ ବାଟ ଓଗାଳି ବସିଛି ।

 

ସାମ୍ୟ, ମୈତ୍ରୀ ଓ ସାର୍ବଜନୀନ ସମାଜ ବିଧାନକୁ ମଝିରେ ରଖି ଆମ ପୃଥିବୀରେ ରକ୍ତାକ୍ତ ସମରମାନ ମଧ୍ୟ ହୋଇଛି । ତଥାପି ରାତିମାନେ ପାହିନାହାନ୍ତି । ଆଜିର ବିପ୍ଳବୀମାନେ କାହାର କୁଚକ୍ରମାନଙ୍କ ଭିତରେ ଯାଇ ପଡ଼ିଗଲା ପରି କାଲିକୁ ପ୍ରତିକ୍ରିୟାଶୀଳ ବନିଛନ୍ତି, । ସେହି ଜିଦ୍‌ଖୋର ନାଟକଟା ଏବେ ମଧ୍ୟ ଖୁବ୍ ଲାଗି ରହିଛି । ରାଷ୍ଟ୍ରଶାସକ ଏବଂ ଧର୍ମାଧୀଶମାନେ ମଧ୍ୟ କ’ଣ ସବୁ ହାତଗୁଞ୍ଜା ପାଇଲା ପରି ସେଇ ପଟର ହୋଇ ଯାଇଛନ୍ତି । କେତେ କେତେ ନୂଆ ନାଆଁରେ ସେହି ପୁରୁଣା ଫିସାଦଟା ହିଁ ଜୟଲାଭ କରିଛି କି ? ଏବଂ, ମନୁଷ୍ୟଭାଗ୍ୟର ସତ୍ୟ ଉନ୍ମୋଚନ ଅର୍ଥାତ୍ ନ୍ୟାୟଗୁଡ଼ିକୁ ବାଧା ଦେଉଥିବା ଏହି ଭଳି ଭଳି ଫିସାଦମାନଙ୍କୁ ହିଁ ଆମେ ସତକୁ ସତ ଆମକୁ ମୋହି ନେଉଥିବା ସେହି ପ୍ରତିକୂଳ ଶକ୍ତି ବୋଲି କହିପାରିବା କି ? ‘ମାଆ’ ବହିର ଭାଷାରେ, ସେହି ପ୍ରତିକୂଳ ଶକ୍ତି ହେଉଛି ଅସୁରଶକ୍ତି । ଅସୁରମାନଙ୍କର ସେହି ଶକ୍ତିଟି ହିଁ ଅର୍ଥଶକ୍ତିକୁ ହାତମୁଠା ଭିତରେ ନେଇ ରଖିଛି । ତାହାକୁ ସେମାନଙ୍କ ହାତରୁ ମୁକ୍ତ କରି ଆଣି ପାରିଲେ ଯାଇ ଅଧ୍ୟାତ୍ମ ଲାଗି ତାହା କାମରେ ଆସି ଲାଗିପାରିବ । ନହେଲେ ବାଟମାରଣା ହୋଇ ଯାଉଥିବ । ଆମକୁ କଥାଟି ଯେତେ ଅପ୍ରୀତିକର ଲାଗୁଥାଏ ପଛକେ, ଆମରି ସହଯୋଗରେ ହିଁ ତାହା ହେଉଥିବ । ଏକାବେଳେକେ ବିପରୀତ କଥାଟିଏ ଆଣି ଆଗରେ ଥୋଇ ଦେଉଥିଲା ପରି । ମାଆ କହିଛନ୍ତି, ଅର୍ଥ ହେଉଛି ପରମ ଦିବ୍ୟବିଧାନର ଶକ୍ତି । ପରମେଶ୍ଵରଙ୍କର ଏକ ଶକ୍ତି ଏବଂ ସମ୍ପତ୍ତି । ଆମ ସବୁ ମନୁଷ୍ୟଙ୍କର ସମ୍ପତ୍ତି ଏବଂ ଶକ୍ତି । ମାତ୍ର କେତେକଙ୍କର ତୃପ୍ତିବିଧାନ ନିମନ୍ତେ ଅର୍ଥ ଯୁଗ ଯୁଗ ହେଲା ବ୍ୟବହୃତ ହୋଇ ଆସୁଛି ବୋଲି ତାହା ଏକ ଅନର୍ଥରେ ପରିଣତ ରହିଛି । ଅର୍ଥାତ୍, ବହୁତ ମନୁଷ୍ୟଙ୍କୁ ବଞ୍ଚିତ କରି ରଖାଯାଇଛି । ଅର୍ଥାତ୍ ପ୍ରତିକୂଳ ଶକ୍ତିକୁ ଏହି ଯାବତୀୟ ଅନର୍ଥ ଓ ଅନ୍ୟାୟକୁ ବାଟ ଛାଡ଼ି ଦିଆଯାଇଛି ।

 

ଏକମାତ୍ର ସମାଧାନ, ତାହା ସବୁ ମନୁଷ୍ୟଙ୍କର କଲ୍ୟାଣ କାର୍ଯ୍ୟରେ ବ୍ୟବହୃତ ହେବ । ଏବେ ମଧ୍ୟ ଆମ ପୃଥିବୀରେ କଲ୍ୟାଣ କାର୍ଯ୍ୟ କମ୍ ହେଉଛି । କେତେ ଦୟା ଓ ଦାକ୍ଷିଣ୍ୟ ତଥା କେତେ ଅନୁକମ୍ପାର ପ୍ରଦର୍ଶନ । ପୃଥିବୀର ବହୁତ ରାଷ୍ଟ୍ର ତ ସବୁ ମଣିଷଙ୍କୁ ମନୁଷ୍ୟର ନ୍ୟାଯ୍ୟ ସ୍ଵୀକୃତି ଦେଇନାହାନ୍ତି । ଅଳପ ଉର୍ଦ୍ଧ୍ଵସ୍ଥ ମଣିଷ ସବୁ ମନୁଷ୍ୟଙ୍କର କ୍ଷମତା ତଥା ଅଧିକାରକୁ ଆପେ ଆତ୍ମସାତ୍ କରି ନେଇଛନ୍ତି ଏବଂ ତୁଚ୍ଛା ଅଧର୍ମ ଭିତରେ ରହି ପୃଥିବୀରୂପୀ ମନୁଷ୍ୟ-ମହାଖଣ୍ଡ ଉପରେ ରାଜା ହୋଇ ବସିଛନ୍ତି, ସେମାନେ ଦୟା ଓ ଅନୁକମ୍ପାର କେତେ କେତେ ଉଦାରତା ଦେଖାଉଛନ୍ତି । ଯେଉଁମାନଙ୍କୁ ହୁଏତ ଭାଗ୍ୟତଃ ବଞ୍ଚିତ ବୋଲି ଧରି ନେଇଛନ୍ତି ଏବଂ ସେହି କାରଣରୁ ଅବଶିଷ୍ଟମାନଙ୍କୁ କେତେ କେତେ ମିଛ ବିବେକର ଡେରମାନ ଦେଇ ଆପଣାର ବାହାରେ ବାହାରେ ରଖିଛନ୍ତି, ସେହିମାନଙ୍କୁ ମର୍ଜି ଅନୁସାରେ ମେଞ୍ଚାଏ ମେଞ୍ଚାଏ ଦେଇ ଆପଣାକୁ ସୁରକ୍ଷିତ କରି ରଖିବାର ନାନା ଉପଚାର କରିବାରେ ଲାଗିଛନ୍ତି । ସେମାନେ ମଧ୍ୟ ସେହି ପ୍ରତିକୂଳ ଶକ୍ତିଟାର ଶିକାର ହୋଇ ରହିଛନ୍ତି । ଅଧ୍ୟାତ୍ମକୁ ବହୁ ବିଡ଼ମ୍ବିତ କରି ରଖିଛନ୍ତି । ତେଣୁ, ଅସଲ ଅଧ୍ୟାତ୍ମ ଅନୁସାରେ ସମସ୍ତେ ମନୁଷ୍ୟ ବୋଲି ସ୍ଵୀକୃତ ହେବେ । ଏକାଠି ବସିବେ । ପୂର୍ଣ୍ଣ ସଚେତନ ଅର୍ଥାତ୍ ସମର୍ପିତ ଭାବରେ ପରସ୍ପରକୁ ଗୋଟିଏ ମେଳ ବୋଲି ଦେଖିବେ । ଏବଂ, କ’ଣ ସବୁ କଲେ ସବୁ ମନୁଷ୍ୟଙ୍କର କଲ୍ୟାଣ ସାଧନ ହେବ, ଅର୍ଥାତ୍ ସମସ୍ତଙ୍କର ଅଗ୍ରଗତି ଲାଗି ବାଟ ଫିଟିଯିବ, ସେହି କଥାଟିର ଫଇସଲା କରିବେ । ଯୁଗଯୁଗର ଅସମାନତା ଓ ଅବିଚାର ହେତୁ ଯେଉଁମାନେ ସବାପଛରେ ପଡ଼ି ରହିଛନ୍ତି, ସେମାନଙ୍କ ସମ୍ବନ୍ଧରେ ଆଗ ବିଚାର ହେବ । ଏବଂ, କାଳକାଳରୁ ଆମ ବିଶେଷମାନଙ୍କୁ ଦୈତ୍ୟପ୍ରାୟ ଆଚରଣ କରିବାପାଇଁ ବହୁ ପ୍ରଶ୍ରୟ ଦେଇ ଆସିଥିବା ଭେଦଗୁଡ଼ିକୁ ମଧ୍ୟ ସେହି ପ୍ରଥମରୁ ହିଁ ବର୍ଜନ କରାଯିବା ଭଳି ଭଳି ସମାଜର ଏହି ଅବାଞ୍ଛିତ ବାଡ଼ଗୁଡ଼ିକ ଭିତରେ ଶାସ୍ତ୍ରର ପ୍ରମାଣ ବାଢ଼ିଦେଇ ବହୁ ଦୂରତା ଓ ଅସମାନତା ଗୁଡ଼ିକୁ । ପରେମେଶ୍ଵର ହିଁ ଆମ ସମସ୍ତଙ୍କର ବିଧାନଟିକୁ କରୁଛନ୍ତି ଓ ସେହି ବିଧାନଟିକୁ ନିଜ ନିଜ ଜୀବନରେ ସହଜ ହୋଇ ମାନିନେଇ ପାରିଲେ ଆମେ ତା’ପରେ କିପରି ଏହି ଭେଦଗୁଡ଼ିକୁ ତଥାପି ଦେଖୁଥାଉ କେଜାଣି ? ସେହି ପ୍ରତିକୂଳ ଶକ୍ତିଟାର ପକ୍ଷରେ ରହିଥାଉ କି ? ଏପରି କରି ନିଜର ମୂଳଭୂତ ଅଧ୍ୟାତ୍ମରୁ ଆପଣାକୁ ବଞ୍ଚିତ କରି ନିଶ୍ଚୟ ରଖିଥାଉ । ଦିବ୍ୟଜନନୀଙ୍କୁ ପ୍ରକୃତରେ ବହୁତ ଅସୁବିଧା ଭିତରେ ପକାଇ ରଖିଥାଉ ।

 

ତେଣୁ, ଆଗ ଅସୁର ଉପରେ ବିଜୟ ପ୍ରାପ୍ତି, ଅସୁରର ଏହି ଅଧ୍ୟାତ୍ମ–ପ୍ରତିକୂଳ ପୃଥିବୀରେ ଥାଇ ମଧ୍ୟ ଅସୁର ସହିତ ସେହି ଯୁଝିବାଟି । ଅର୍ଥଶକ୍ତିକୁ ସେହି ଅସୁରର ଅକ୍ତିଆର ମଧ୍ୟରୁ ଯୁଦ୍ଧ ଦ୍ଵାରା ମୁକ୍ତ କରି ଆଣିବା ଏବଂ ଆମର ଏହି ପୃଥିବୀରେ ଦିବ୍ୟଜନନୀଙ୍କ କାର୍ଯ୍ୟଲାଗି ତାଙ୍କର ପାଦତଳେ ଆଣି ପହଞ୍ଚାଇ ଦେବା, ସେଇଟି ସମ୍ପୂର୍ଣ୍ଣ ଭାବରେ ଆମ ସନ୍ତାନମାନଙ୍କର କାର୍ଯ୍ୟ । ତା’ପୂର୍ବରୁ ଆମର ଯାବତୀୟ ଆସ୍ପୃହା ଅତ୍ୟନ୍ତ ଶୋଚନୀୟ ଭାବରେ ପରାହତ ହୋଇ ରହିଥିବ । ଅଧ୍ୟାତ୍ମମାନେ ଆମର ସର୍ବବିଧ ନିଷ୍ଠା ସତ୍ତ୍ୱେ ବହୁଦୂର ହୋଇ ରହିଥିବେ । କେଉଁଟା ଯେ ଆମର ସତୁକ ସତ ଆସ୍ପୃହା, ନାନା ଖଣ୍ଡ-ଉତ୍ସାହ ଏବଂ ଖଣ୍ଡ-କାମନା ଦ୍ଵାରା ଅନ୍ତରାଳ ହୋଇ ରହିଥିବ । ଆମେ ସମ୍ଭବତଃ ବହୁବିଧ ଆଳରେ ଅସଲ ଉପସ୍ଥିତିଗୁଡ଼ିକ ପାଖରୁ ପଳାଇ ଯିବାରେ ହିଁ ଲାଗିଥିବୁ । ଏବଂ, ଅସୁରମାର୍କା ପ୍ରତିକୂଳ ଶକ୍ତିମାନେ ଆମକୁ ଏକାଧିକ ଅନ୍ୟ ଆଳରେ ଧୋକା ଦେବାରେ ଲାଗିଥିବେ । ଏବଂ, ଏହିପରି ଧୋକାଗୁଡ଼ିକ ମଧ୍ୟରେ ରହି ଆମର ସତ ଆହ୍ଵାନମାନେ ମୁଖ୍ୟତଃ ଗୋଟିଏ ଗୋଟିଏ ଶବ୍ଦାଡ଼ମ୍ବର ଭିତରେ କେତେଭଳି ଜଙ୍ଗଲରେ ତୁଚ୍ଛା ଆତ୍ମସନ୍ତୋଷ ଗୁଡ଼ିକରେ ମଜ୍ଜି ରହିଯିବେ ନାହିଁ ତ ! ନୂଆ ଶବ୍ଦ, ନୂଆ ନୂଆ ନକ୍ସାର ଦେଉଳ ଏବଂ ରଚନାମାନ,–ତଥାପି ସେହି ପୁରୁଣା ଜୀବନଟା,-ଯିଏକି କେବଳ ନିଜକୁ ଦେଖୁଥିବ, ଏହି ବେଢ଼ା ଭିତରଟା ହିଁ ସମୁଦାୟ ପୃଥିବୀ ପରି ଦିଶୁଥିବ । ଆମେ ତାହାରି ଭିତରେ ସତେଅବା ଗୋଟିଏ ଦ୍ଵୀପ ବା ଡିହ ଉପରେ ଅବଶ୍ୟ ଦିବ୍ୟଜନନୀଙ୍କ ସୁରକ୍ଷା ମଧ୍ୟରେ ରହିଛୁ ବୋଲି ଏକ ଭ୍ରମ ଭିତରେ ପଡ଼ି ରହିଥିବା-। ପଙ୍କଗୁଡ଼ାକ ଭିତରେ ରହିଥିବା, ଆପଣାର କେତେ ସ୍ଵାର୍ଥ ଓ ଅଳ୍ପତା ମଧ୍ୟରେ କେଡ଼େ କେଡ଼େ ଖାସ୍ ଆନୁଗତ୍ୟରେ ଗୋଟାଏ ଗୋଟାଏ ପଥର ପରି ମୁଖ୍ୟତଃ ଉପେକ୍ଷା ଏବଂ ଅବଜ୍ଞାର ହିଁ ଅବତାର ହୋଇ ରହିଥିବା । ଆମେ କଦାପି ଅସୁର ସହିତ ଲଢ଼ି ପାରିବା ନାହିଁ । ପୃଥିବୀରେ ଆହୁରି ଅନ୍ୟମାନେ ରହିଛନ୍ତି, ବୋଲି ସତେଅବା ନିଜର ହିଁ ହିତଦୃଷ୍ଟିରୁ ଜାଣିଜାଣି ପାସୋରି ରହିଥିବା । ଅର୍ଥାତ୍ ସେହି ଅସୁରଟାଠାରୁ ଆମକୁ କୌଣସି ପୃଷ୍ଠପୋଷକତା ଯେତେବେଳ ଯାଏ ପ୍ରାପ୍ତ ହେଉଛି, ଆମେ ମଧ୍ୟ ଜାଣତରେ ବା ଅଜାଣତରେ ହେଉ ପଛକେ ସେହି ଅସୁରଟାର ବେଶ୍ ପୃଷ୍ଠପୋଷକତା କରୁଥିବା । ଆମର ଯାବତୀୟ ଅଧ୍ୟାତ୍ମ–ବିଷୟକ କୋଳାହଳ ସତ୍ତ୍ୱେ ଆମର ନିତି କାରବାରର ଏହି ପୃଥିବୀ ଅଳ୍ପ ବହୁତ ପରିମାଣରେ ସେହି ଧିସାର ହୋଇ ରହିଛି କି ?

 

ଅର୍ଥାତ୍, ସବାପ୍ରଥମ ଗୋଟିଚାଳନାଟି ଆମ ଏ ତରଫରୁ, ଆମର ସାନବଡ଼ ସାମୂହିକତା ଗୁଡ଼ିକରୁ । ହୁଏତ, ସେଇଟି ଲାଗି ସମ୍ମତ ହେବା ଏବଂ ପ୍ରସ୍ତୁତ ହୋଇ ବାହାରିବା ହେଉଛି ଆସ୍ପୃହା । ଯୁଝି ବାହାରିବାର ଏକ ଆସ୍ପୃହା, ଯାବତୀୟ ଆତ୍ମ ଉଦ୍‌ଘାଟନର ଏବଂ ପର୍ବତାରୋହଣ ଲାଗି ସେହି ମୂଳଭୂତ ପଦକ୍ଷେପଟି । କେବଳ ଆମେ ଏକମାତ୍ର ହୋଇ ଦିଶିବା ନାହିଁ, କେବଳ ଆମର ଏହି ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ତଥାପି ଅଳପ ହୋଇ ରହିବାକୁ ମନ କରିବାନାହିଁ, –ମାଆଙ୍କର ସେହି ଉଦ୍‌ବେଳନକାରୀ ଶବ୍ଦଗୁଡ଼ିକୁ ସ୍ମରଣ କରି କହିଲେ, ଆମେ ଯାହା କିଛି ଯେତେବେଳେ ଦେଖିବା, ସେତେବେଳେ ସମଗ୍ର ପୃଥିବୀଟାକୁ ହିଁ ଦେଖିବା । ଜୀବନ ବୋଲି ଆମେ ଯାହାକିଛି ବଞ୍ଚିବା, ସେତେବେଳେ ସମଗ୍ର ପୃଥିବୀଟାକୁ ବଞ୍ଚିବା । ଅନ୍ୟ ସମସ୍ତେ ଥିବେ ଏବଂ ସେମାନଙ୍କ ସହିତ ଅଛୁ ବୋଲି ପ୍ରତ୍ୟକ୍ଷ ଭାବେ ଉପଲବ୍ଧି କରୁଥିବା । ଅପଶକ୍ତିମାନଙ୍କ ହାତରୁ ଅର୍ଥକୁ ମୁକ୍ତ କରି ଆଣିବାର ଯୁଦ୍ଧରେ ସେଇଟି ହିଁ ଆମର ସର୍ବପ୍ରାଥମିକ ଯୋଗଦାନ । ଅର୍ଥଶକ୍ତିକୁ ଆମର ସେହି ଦୃଢ଼ ସହମତି ହିଁ ବୈରୀ ଏବଂ ବାଧାମାନଙ୍କର ହାତରୁ ମୁକ୍ତ କରି ଆଣିବ ଏବଂ ପରମା ଜନନୀ ଆମକୁ ନିମିତ୍ତ କରି ଆମର ଏହି ସଂସାରଟି ମଧ୍ୟରେ ଆଗକୁ ଆଗକୁ ସବୁକିଛି ଏକ ନୂତନ ଆଡ଼କୁ ଅଗ୍ରସର କରାଇ ନେଇଯାଇ ପାରିବେ । ପରମା ଜନନୀ ଓ ତାଙ୍କର ଏହି ଜଗତର ମଝିରେ ଛିଡ଼ା କରାଇ ଆମେ ଯେତିକି ଅନ୍ତରଙ୍ଗତା ସହିତ ନିମିତ୍ତ ହେବାକୁ ରାଜି ହେବା ଏବଂ ସେହି ଅନୁସାରେ ଆମ ଭିତର ତଥା ବାହାରର ଆଖିମାନଙ୍କୁ ତିଆରି କରି ନେଇ ପାରୁଥିବା, ‘ମାଆ’ର ଅସଲ ଆହ୍ଵାନଟି ପ୍ରକୃତରେ ଏହି ଚତୁର୍ଥ ଅଧ୍ୟାୟରୁ ହିଁ ଆରମ୍ଭ ହୋଇଛି ବୋଲି ସ୍ପଷ୍ଟ ଭାବରେ ଉପଲବ୍ଧି କରିପାରିବା । ଯୁଦ୍ଧରେ ବିଜୟ ହାସଲ ନକରିବାର କୌଣସି କାରଣ ଆଉ କାହିଁକି ରହିବ ?

 

ଆମେ ଯେ ଜଣେ ଜଣେ ଯୁଜୁତ୍ସୁ ହୋଇ ବାହାରିଛୁ, ତାହାର ପ୍ରତ୍ୟୟପତ୍ରମାନେ ଆମକୁ ମିଳିମିଳି ଯାଉଥିବେ । ଯୁଜୁତ୍ସୁ ହେବା, ସମ୍ଭବତଃ ତାହା ହିଁ ଆପଣାକୁ ଜଣେ ସନ୍ତାନ ବୋଲି ପରିଚୟ ଲାଭ କରିବାର ଅସଲ ଅନୁମତିପତ୍ର । ତା’ପରେ, ପରମା ଜନନୀ ଆମକୁ ସତେଅବା କ’ଣ ସବୁ ଫରଚା ହୋଇ ଆସିଥିବା ପରି ଏକ ଅଭେଦ ସମ୍ପର୍କର ଅନୁଭବରେ ଅତ୍ୟନ୍ତ ନିକଟ ହୋଇ ଆସିବେ । ଖୁବ୍ ସମ୍ଭବ, ଏହି ପ୍ରଥମ ସମରଟିରେ ମଧ୍ୟ ସିଏ ଆମ ସହିତ ଅଛନ୍ତି ଏବଂ ନେତୃତ୍ଵ ଦେଉଛନ୍ତି ବୋଲି କେଡ଼େ ସହଜରେ ହିଁ ଦିଶି ଯାଉଥିବେ । ନିମିତ୍ତ ହୋଇପାରିଲେ, ସନ୍ତାନ ହୋଇପାରିଲେ ଆଉ ସାଧନ ବୋଲି ମଧ୍ୟ ଅଲଗା ହୋଇ କାହିଁକି କ’ଣ ରହିବ ! ଆମର ବ୍ୟକ୍ତିଗତ ଏବଂ ସାମାଜିକ ଉଭୟ ଜୀବନରେ । ଯୁଝି ବାହାରି ପାରିଲେ ହିଁ ଆମେ ଆପଣାକୁ ମଝିରେ ରଖି ସବୁମଣିଷଙ୍କୁ ଦେଖି ପାରିବା ଏବଂ ସବୁମଣିଷଙ୍କୁ ସାଙ୍ଗରେ ଏକତ୍ର କରି ସମସ୍ତଙ୍କୁ ଦେଖି ପାରିବା । ହୁଏତ ସେହି ପ୍ରଥମ ସମରଟି ହିଁ ସଂପ୍ରତି ଲଢ଼ା ହେଉଛି, କାହାରି ହୁକୁମ ମାନି ଆଦୌ ନୁହେଁ, ଏହି ପୃଥିବୀ ସହିତ ନିବିଡ଼ ଭାବରେ ସଂପୃକ୍ତ ହୋଇ ରହିବାକୁ ଇଚ୍ଛା କରି ହି ଆମେ ଡାକରା ପାଇ ଏଠି ଆସି ସମବେତ ହୋଇଛୁ । ପରସ୍ପରକୁ ଆବିଷ୍କାର କରୁଥିବା ସଙ୍ଗେ ସଙ୍ଗେ ନିଜକୁ ଆବିଷ୍କାର କରୁଛୁ । କେଡ଼େ କତି ହୋଇ ଆସୁଛୁ । ସେହି କତି ହୋଇ ଆସିବାଟି ହିଁ ଆମ ଭିତରେ ବଳ ଭରିଦେଉଛି, ଆମ ଉପରେ ନ୍ୟସ୍ତ ହୋଇ ରହିଥିବା ପ୍ରଥମ ସମରଟି ସକାଶେ ଆମକୁ ପୂରାପଣେ ସେହି ପରମା ଜନନୀଙ୍କର ଅଭୟଟିକୁ ଆଣି ଦେଇଯାଉଛି । ଏବଂ, ସେହି ଅଭୟ ହିଁ ଏକ ଅଭୂତପୂର୍ବ ଶ୍ରଦ୍ଧାରେ ଆମକୁ ସେହି ଜନନୀଙ୍କର ଏକ ଅଖଣ୍ଡ ଉପସ୍ଥିତି ଦ୍ଵାରା ଆମକୁ ତିଆରି କରିନେଉଛି ।

Image

 

Unknown

ପଞ୍ଚମ ଅଧ୍ୟାୟ

 

ଆରମ୍ଭରେ ତିନୋଟି ଏବଂ ଶେଷରେ ଦୁଇଟି ଅଧ୍ୟାୟ ଏବଂ ଏକ ଚତୁର୍ଥ ଅଧ୍ୟାୟରେ ଅର୍ଥଶକ୍ତି ବିଷୟରେ ଏକ ସଂଯୋଜନ,-‘ମାଆ’ ବହିଟିକୁ ଏହିପରି ଭାବରେ ଗୋଟିଏ ଏକକରୂପେ ଆମ ଆଗରେ ଆଣି ଉପସ୍ଥାପିତ କରାଯାଇଛି । ପାଠକମାନଙ୍କ ପାଇଁ ଯେତେ ନୁହେଁ, ତାହାଠାରୁ ବହୁ ଅଧିକ ଗୁଣରେ ଇଚ୍ଛୁକମାନଙ୍କ ପାଇଁ ଏବଂ ସନ୍ତାନମାନଙ୍କ ପାଇଁ । ତଥ୍ୟଟା କହୁଛି, ଯେ ଏଥିରୁ ତିନୋଟି ହେଉଛି ଦୁଇଜଣଙ୍କ ପାଖକୁ ପ୍ରେରିତ ହୋଇଥିବା ପତ୍ର, ଆଉ ଦିଓଟି ଆଶ୍ରମର ସାଧକବର୍ଗଙ୍କ ସକାଶେ ଏବଂ ଶେଷଟି ହୁଏତ ଅଲଗା ଭାବରେ ଲିଖିତ । ‘ମାଆ’ ପୁସ୍ତକଟିକୁ ପାଠ କରି ମେଳମାନଙ୍କର ବସି ମନନ କରୁଥିବା ସମୟରେ ଉକ୍ତ ତଥ୍ୟଗୁଡ଼ିକ ହେତୁ ଆଦୌ କେଉଁଠାରେ ମଧ୍ୟ ଝୁଣ୍ଟି ହୋଜିବା ପରି ମନେ ହୁଏନାହିଁ । ସକଳ ଯୁକ୍ତି ଏବଂ ସବୁକିଛି ଆବେଦନରେ ତାହା ସମ୍ପୂର୍ଣ୍ଣ ଭାବରେ ଗୋଟିଏ ସମଗ୍ର ବାର୍ତ୍ତାର ଦ୍ୟୋତକ ବୋଲି ହିଁ ଲାଗୁଥାଏ, ଏକ ସମଗ୍ର ଆହ୍ଵାନର ବାର୍ତ୍ତାରୂପେ ଆତ୍ମସ୍ଥ କରିହୁଏ,–ଆହୁରି ଅନ୍ତର୍ଗତ ଭାବରେ କଥାଟିକୁ କହିଲେ, ଏକ ଆମନ୍ତ୍ରଣ ପରି ଅନୁଭୂତ ହୁଏ; ତୁମକୁ, ମୋତେ ଏବଂ ସମସ୍ତଙ୍କୁ, ପୂରା ଆମର ଏହି ପୃଥିବୀଟାକୁ । ସବୁଯାକ ଅଧ୍ୟାତ୍ମ ସକଳ ପ୍ରାସଙ୍ଗିକତା ସହିତ ମାଟି ଉପରକୁ ଲାଗି ଆସୁଥିବା ପରି ଲାଗୁଥାଏ । ନିଜକୁ ଭାରି ପବିତ୍ର ବୋଲି ଅନୁଭବ ହେଉଥାଏ ।

 

ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣ ଅନୁମୋଦନରେ ଯେ ମାଆ’ ବହିଟିର ଯୋଜନା ତଥା ସମ୍ପାଦନ କରାଯାଇଛି, ଆମଲାଗି ସେତିକି ତଥ୍ୟ ହିଁ ଯଥେଷ୍ଟ । ଏପରିକି ସଙ୍କଳନଟିରେ କେଉଁ ସାମଗ୍ରୀମାନଙ୍କୁ କେଉଁଠାରୁ ଆଣି ଗୁନ୍ଥିବାକୁ ହେବ, ସେହି ବିଷୟରେ ସିଏ ଖୁବ୍‌ ସମ୍ଭବ ପ୍ରାଥମିକ ଚୟନଗୁଡ଼ିକୁ ସ୍ଵୟଂ କରିଛନ୍ତି । ବିଶେଷତଃ, ଚତୁର୍ଥ ଅଧ୍ୟାୟର ଅର୍ଥଶକ୍ତି ସମ୍ବନ୍ଧୀୟ ଚର୍ଚ୍ଚାଟିକୁ ଅନ୍ୟଗୁଡ଼ିକ ସହିତ ଏକାଠି ଅନ୍ତର୍ଭୁକ୍ତ କରିବା ନିମନ୍ତେ ଯେଉଁ ଖାସ୍‍ କଳ୍ପନାଟି, କେବଳ ଶ୍ରୀ ଅରବିନ୍ଦଙ୍କ ବ୍ୟତୀତ ସେତେବେଳେ ଆଉ ଅନ୍ୟ କେହିହେଲେ କରି ପାରିନଥାନ୍ତେ । ଏବଂ, ଏହି ଅନ୍ୟ କଥାଟି ମଧ୍ୟ ଏକାନ୍ତ ସତ୍ୟ, ଯେ, ଶ୍ରୀ ଅରବିନ୍ଦ କ’ଣ ପାଇଁ ଏପରି କରିଛନ୍ତି, ସେତେବେଳେ ମଧ୍ୟ ଖୁବ୍‌ ସମ୍ଭବ କେବଳ ମାଆଙ୍କୁ ଛାଡ଼ିଦେଲେ ଅନ୍ୟ କେହି ବୁଝି ବି ପାରିନଥିବେ । ଏବେ ମଧ୍ୟ କେଉଁଠାରେ କେତେ ବ୍ୟକ୍ତି ବୁଝୁଛନ୍ତି ଏବଂ ଆପଣା ଭିତରେ ସ୍ଵୀକାର କରିନେଇ ପାରୁଛନ୍ତି ? ସେ ପ୍ରସ୍ଥରୁ ଆମ ଏପ୍ରସ୍ଥ ପର୍ଯ୍ୟନ୍ତ ସତ୍ୟଗୁଡ଼ିକୁ ଅବତୀର୍ଣ୍ଣ କରାଇ ଆଣି ପାରିବାକୁ ହେଲେ ସେଇଟି ଯେ ଏହି ପ୍ରସ୍ଥଟିରେ ସର୍ବାଦୌ ଆବଶ୍ୟକ, ଆମେ ଅନେକେ ସେହି କଥାଟିକୁ ଭାବିବା ବିଷୟରେ ମଧ୍ୟ ଭୀତତ୍ରସ୍ତ ହୋଇ ପଡ଼ୁଥିବା । ‘ମାଆ’ ପୁସ୍ତକଟିର ପ୍ରଥମ ତିନି ଅଧ୍ୟାୟରେ ଆମକୁ ପୂର୍ଣ୍ଣସତ୍ୟଟି ଆଡ଼କୁ ନିର୍ଦ୍ଦେଶ କରିଦେଇ ତାହା ଆମରି ଡାକଟିକୁ ଶୁଣିବା ଦ୍ୱାରା ହିଁ ଯେ ଆମରି ସମ୍ମତିରେ ଆମ ଜୀବନରେ ସେହି ସାକ୍ଷାତ୍‌କାରଟି ଲାଗି ଆପଣାକୁ ଆନତ କରି ଆଣିବ, ସେହି କଥାଟିକୁ ଦର୍ଶାଇ ଦିଆଯାଇଛି । କିନ୍ତୁ ଗୋଟିଏ ଗୋଟିଏ ଗ୍ରହଣପାତ୍ର ରୂପେ ଆମେ ଯୋଗ୍ୟ ମଧ୍ୟ ହେବା । ଆସ୍ପୃହା ଦ୍ୱାରା, ପ୍ରତ୍ୟାଖ୍ୟାନ ଦ୍ୱାରା ଏବଂ ସମର୍ପଣ ଦ୍ୱାରା । ଆସ୍ପୃହାକୁ ଅଧିକ ବୋଧଗମ୍ୟ କରି ଆଣି ଶ୍ରୀ ଅରବିନ୍ଦ ତାହାକୁ ବିଶ୍ୱାସ ବୋଲି କହିଛନ୍ତି ।

 

ଏବଂ, ତା’ପରେ ଆମକୁ ଏକ ଯୁଦ୍ଧରେ ପ୍ରବୃତ୍ତ ହେବାକୁ ପଡ଼ିବ । ଅସୁରମାନଙ୍କ ସହିତ ଏବଂ କେତେ ନା କେତେ ଅଭ୍ୟସ୍ତ ଅନିଚ୍ଛାଗୁଡ଼ାକ ସହିତ ଆମକୁ ବାନ୍ଧି ରଖିଥିବା ପ୍ରତିକୂଳ ଉପାଦାନଗୁଡ଼ିକ ସହିତ । ବ୍ୟକ୍ତିର ଆପଣା ସହିତ ଯୁଦ୍ଧ ତଥା ସାମୂହିକ ଏହି ନାନା ମିଥ୍ୟାଶ୍ରୟ ମାନଙ୍କ ସହିତ ଯୁଦ୍ଧ । ସେହି ଯୁଦ୍ଧରେ ଜୟଲାଭ କରି ଅର୍ଥଶକ୍ତିକୁ ଅସୁରମାନଙ୍କର ହାତରେ ପଡ଼ି ଏକାଧିକ ଅନର୍ଥ ହୋଇ ପଡ଼ି ରହିଥିବାର ସେହି ଯାବତୀୟ ଅପଦଶାରୁ ମୁକ୍ତ କରି ଆଣିବାକୁ ହେବ । ଏକାଧିକ ତାତ୍ପର୍ଯ୍ୟରେ ବସ୍ତୁତଃ ତା’ପରେ ଯାଇ ପଞ୍ଚମ ଏବଂ ଷଷ୍ଠ ଅଧ୍ୟାୟର ଆମଲାଗି ଏକ ଯୁକ୍ତିଯୁକ୍ତ ପ୍ରାସଙ୍ଗିକତା ରହିବ । ବୁଝିହେବ ଓ ଆଦରି ନେଇ ହେବ । ଧର୍ମର କଥାମାନ ନାନା କାରଣରୁ ଆମଠାରୁ ସେପରି କୌଣସି ମୂଳଭୂତ ଦାବି ସାଧାରଣତଃ କରନ୍ତି ନାହିଁ ବୋଲି ସଚରାଚର ଆମ ଅନେକଙ୍କୁ ଧର୍ମୀୟ ବଚନମାନେ ଏପରି ରୋଚକ ମନେ ହୋଇ ଥାଆନ୍ତି କି ? ଏବଂ, ପ୍ରାୟ ସେହିପରି କିଛି ରୀତିରେ ଅଧ୍ୟାତ୍ମର ଦ୍ୟୋତନାଗୁଡ଼ିକୁ ମଧ୍ୟ ଆମେ ଅନେକ ସମୟରେ ଧର୍ମୀୟ ଅର୍ଥରେ ଆମର କାନଗୁଡ଼ିକ ନିମନ୍ତେ ହୁଏତ ରୋଚକ କରି ଆଣିଥାଉ । ‘ମାଆ’ ବହିର ପଞ୍ଚମ ଏବଂ ଷଷ୍ଠ ଅଧ୍ୟାୟ ଦୁଇଟିରେ ଆମେ ବହୁ ଅବସରରେ କେଡ଼େ ସହଜରେ ଅଧ୍ୟାତ୍ମଗୁଡ଼ିକ ଭିତରେ ଏକ ଧର୍ମୀୟ ନିରୀହତା ସହିତ ଯାଇ ପଶିଯାଉ ଏବଂ ଭାରି ଖୁସି ବି ଅନୁଭବ କରୁ । ବିଶେଷତଃ, ଷଷ୍ଠ ଅଧ୍ୟାୟରେ ଆମର ସୁପରିଚିତ କେତୋଟି ନାମ ଦେଖି ଆମେ ବାକ୍ୟଗୁଡ଼ିକୁ ପାଠ କରିବା ମାତ୍ରକେ ପୂରା ବିହ୍ୱଳ ହୋଇ ଯାଇଥାଉ ଓ ଶ୍ରୀ ଅରବିନ୍ଦ ଏତେବେଳେ ଯାଇ ଆମ କଥାକୁ ଆସିଲେ ବୋଲି ମନେ କରିଥାଉ । ବହିଟିରେ ଆଗରୁ କେତୋଟି ଅଧ୍ୟାୟ ରହିଛି ଏବଂ ସେଥିରେ ପ୍ରାୟ ପ୍ରାଥମିକ ଆବଶ୍ୟକତା ରୂପେ କ’ଣ ସବୁ କୁହାଯାଇଛି ଏବଂ ସର୍ବୋପରି ଯୁଜୁତ୍ସୁମାନଙ୍କ ଉଦ୍ଦେଶ୍ୟରେ ଏକ ସନ୍ଦେଶ ରହିଛି ବୋଲି ଆମର ପ୍ରାୟ କୌଣସି ହୋସ୍ ହୁଏତ ରହିନଥାଏ । ଅଧ୍ୟାତ୍ମ ପାସୋର ଯାଏ, ଆହ୍ୱାନମାନେ ପାସୋର ହୋଇ ରହନ୍ତି । ‘ମାଆ’ ବହିକୁ ନିତ୍ୟପାରାୟଣର ପୁସ୍ତକରୂପେ ଗ୍ରହଣ କରି ଆମେ କର୍ତ୍ତବ୍ୟ ସାରୁ । ଏବଂ, ପ୍ରାୟ ସେହିପରି କୌଣସି ସରଳ ମନ ସଦିଚ୍ଛା ସହିତ ଆଣି ପିଲାମାନେ ମଧ୍ୟ ସେହିପରି ତାହାର ପାରାୟଣ ଦ୍ୱାରା ଉପକୃତ ହେବେ ବୋଲି ଆକାଙ୍‌କ୍ଷା ରଖି ଆମେ ସେମାନଙ୍କ ସକାଶେ ମଧ୍ୟ ନିୟମ କରି ରଖିଥାଉ କି ?

 

ପଞ୍ଚମ ଅଧ୍ୟାୟର ଏକାବେଳେକେ ମୂଳ ଧାଡ଼ିଟିରେ ହିଁ ଶ୍ରୀ ଅରବିନ୍ଦ a true doer of divine workds ବୋଲି କଥାଟିର ପ୍ରୟୋଗ କରିଛନ୍ତି । ଏଥର ବାକ୍ୟଗୁଡ଼ିକ ସତେଅବା ସେହି ବ୍ୟକ୍ତି ଏବଂ ସେହି ଗୋଷ୍ଠୀମାନଙ୍କ ନିମନ୍ତେ, ଯେଉଁମାନେ ଈଶ୍ୱରଙ୍କର କର୍ମ କରିବେ ବୋଲି ସତକୁ ସତ ପ୍ରସ୍ତୁତ ହୋଇ ଆସିଛନ୍ତି । ସେମାନେ ପୂର୍ବର ଅଧ୍ୟାୟଗୁଡ଼ିକର ବାର୍ତ୍ତାଗୁଡ଼ିକୁ ନିଜ ନିଜ ଜୀବନର ଗୋଟିଏ ଗୋଟିଏ ସତ୍ୟ କରଣିରୂପେ ଗ୍ରହଣ କରି ନେଇଛନ୍ତି ଏବଂ ସେହି ଅନୁସାରେ ଆପଣାକୁ ପ୍ରସ୍ତୁତ କରି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପୃଥିବୀପାଇଁ ଗୋଟିଏ ବାର୍ତ୍ତା, ମାଆଙ୍କ ଭାଷାରେ ଏକ ବହୁଅପେକ୍ଷିତ collaboration ଅର୍ଥାତ୍ ସହଯୋଗିତା ଏବଂ ସହଚାରିତା ନିମନ୍ତେ ବାହାରିଛନ୍ତି । ଅଗ୍ରଗାମୀ ହୋଇ ବାହାରିଛନ୍ତି । ପୁରାତନ ସହିତ ନୂତନର ସେହି ମହାଯୁଦ୍ଧରେ ସେମାନେ ବୀର ଅଗ୍ରଣୀ ହୋଇ ବାହାରିଛନ୍ତି । ମେଳଗୁଡ଼ିକୁ ଗଢ଼ିଛନ୍ତି ତଥା ସେଥିପାଇଁ ନିଜ ନିଜକୁ ଅନବରତ ଯୋଗ୍ୟରୁ ଯୋଗ୍ୟତର କରିବାର ପ୍ରୟାସ କରୁଛନ୍ତି । ସେହିମାନେ ଯୁଝିବେ । ପୁରୁଣାର ଥାନରେ ନୂଆର ସଂସ୍ଥାପନା କରିବେ । ସାଧନା କହିଲେ ସମ୍ପୂର୍ଣ୍ଣ ସତ୍ୟ ଭାବରେ ସେମାନେ ମୁଖ୍ୟତଃ ସେତିକି ବୁଝିଛନ୍ତି । ତେଣୁ, ଶ୍ରୀ ଅରବିନ୍ଦଙ୍କ ନିଜ ଭାଷାରେ, ଯଦି ତୁମେ ପରମ ଭଗବାନଙ୍କର କାର୍ଯ୍ୟଚୟରେ ଜଣେ ସକ୍ରିୟ ସହଚାରୀ ଏବଂ ସହଗାମୀ ହେବାକୁ ଇଚ୍ଛା କରୁଥାଅ, ତେବେ ତୁମକୁ ସର୍ବପ୍ରଥମେ ଯାବତୀୟ ବାସନା ତୁଚ୍ଛା ଆତ୍ମକେନ୍ଦ୍ରୀ ଅହଂସଚେତନତାରୁ ମୁକ୍ତ ରହିବାକୁ ହେବ, ଆମର ସର୍ବବିଧ ବାସନାଗୁଡ଼ିକ ମଧ୍ୟରୁ, ଯେଉଁଗୁଡ଼ିକ ଅହଂଲାଳସାରୁ ମୁକ୍ତ, ସେଗୁଡ଼ିକ ହିଁ ଅଭୀପ୍ସା ଏବଂ ଆସ୍ପୃହା । ସେଠାରେ ସମ୍ମୁଖସ୍ଥ ସିଂହାସନ ଗୁଡ଼ିକ ଉପରେ କେବଳ ସେଇ ଆସୀନ ଏବଂ ତାଙ୍କର ଏହି ପୃଥିବୀଟା ହିଁ ବିଦ୍ୟମାନ । ଆମର ଏହି ଚିହ୍ନା ଦୈନଦିନ ମାନସିକତା ଘେର ଭିତରେ ଆମର କିସମ କିସମର ଚାରଣା, ସାଧନା ଏବଂ ଏପରିକି, ତପସ୍ୟା ଯାହା ଯେତେ, ସବୁକିଛି ସମ୍ଭବତଃ ବାସନା ।

 

ଏହି ପୁସ୍ତକରେ ଶ୍ରୀ ଅରବିନ୍ଦ ଆଗରୁ ମଧ୍ୟ କେତେ ବେଶୀ ଗୁରୁତ୍ୱ ଦେଇ ଏହି ସମାନ କଥାଟିର ଉଲ୍ଲେଖ କରିଛନ୍ତି ଏବଂ ତେଣୁ ପୁନରାବୃତ୍ତି ସଦୃଶ ଏହି କଥାମାନ ଆମକୁ ମୋଟେ ଭଲ ଲାଗୁନଥିବ । ଆମେ ତ ଆମ ନିଜର ହିସାବରେ ଧର୍ମରେ ରହିଛୁ, ଠାକରୁମାନଙ୍କୁ ଆଶ୍ରା କରିଛୁ, ବିଧି ମାନୁଛୁ,–ଏବଂ ଖୁବ୍ ସୁଧାର ଭାବରେ ସେଗୁଡ଼ିକୁ ଅଧ୍ୟାତ୍ମ ବୋଲି ଗ୍ରହଣ କରି ନେଉଛୁ । ଆମର ସାନ୍ତ୍ୱନାଦାତା ଗୁରୁମାନେ ମଧ୍ୟ ସେତିକିକୁ ହିଁ ଯଥେଷ୍ଟ ବୋଲି ଧରି ନେଉଛନ୍ତି । ଅତି ଅଳପ ଶକତିର ଏହି ମଣିଷ ଆଉ ଅଧିକ କ’ଣ କରିପାରିବ ବୋଲି କହି ଆମକୁ ଏତିକିରେ ତୁଷ୍ଟ ହୋଇ ରହିବା ହିଁ ଯଥେଷ୍ଟ ବୋଲି କହିବାରେ ଲାଗିଛନ୍ତି । ସେହି ସର୍ବବିଧ ସାନ୍ତ୍ୱନା ମଧ୍ୟରେ ଏହି ଜଗତ ବି ଚାଲିଛି ଏବଂ ଅଳପ ହୋଇ ରହିଛି । ଅର୍ଥାତ୍ ମୂଳ ଏବଂ ଶୁଦ୍ଧ ଅହଂଟା ହିଁ ଗାଦିରେ ବସିଛି । ଅହଂ ଅହଂ ମଧ୍ୟରେ ବହୁ ସମର ଲାଗି ରହିଛି । ପୃଥିବୀଯାକ ସେହି ପୁରୁଣା ଜଞ୍ଜାଳମାନଙ୍କ ମଧ୍ୟରେ ପ୍ରାୟ ଅଣନିଃଶ୍ୱାସୀ ହୋଇ ରହିଛି । ଉଭୟ ବ୍ୟକ୍ତିଗତ ଓ ସାମାଜିକ ନାନା ଢାଞ୍ଚା ଏବଂ ମାର୍କାର ଅହଂନିପୀଡ଼ିତ ଜଞ୍ଜାଳଗୁଡ଼ିକ ଦ୍ୱାରା । ଆମ ଚଳନ୍ତି ଚେତନାର ଥିର ମୁହୁର୍ତ୍ତମାନଙ୍କରେ ହୁଏତ ଆମେ ଏହି ଅହଂଗୁଡ଼ିକର ଅକ୍ତିଆରଟା ଭିତରୁ ବାହାରି ଆସିବାକୁ ଇଚ୍ଛା କରୁଛୁ, ମାତ୍ର ଆମେ ପଡ଼ି ଯାଇଥିବା ଏହି ଅସୁମାରି ବାସ୍ତବର ଗୁଳାରେ ପଡ଼ିଯାଇଛୁ ବୋଲି ଆଦୌ ଆଉ କିଛି କରି ପାରୁନାହୁଁ ଏବଂ ଆମର କୌଣସି ଗଭୀର ଅବଚେତନର ସ୍ତରରେ ବେଶ୍‌ ଦ୍ୱନ୍ଦ୍ୱରତ ହୋଇ ରହିଛୁ ବୋଲି ଶ୍ରୀ ଅରବିନ୍ଦଙ୍କର ଏପରି ବାରମ୍ବାର କହୁଥିବା କଥାଗୁଡ଼ିକ ଆମକୁ ବିରକ୍ତିକର ବୋଧ ହେଉଥିବ କି ? ସମସ୍ତ ପୃଥିବୀ ନିମନ୍ତେ ଯାହା ଉଚିତ ଏବଂ ହିତକର, ଆମ ଜଣଜଣଙ୍କ ନିମନ୍ତେ ତାହା ଅବଶ୍ୟ ହିତକାରୀ ହେବ ହିଁ ହେବ ବୋଲି ଆମେ କାହିଁକି ବୁଝି ପାରୁନାହୁଁ କେଜାଣି ? ଆମେ ପ୍ରତ୍ୟେକେ ଅର୍ଥାତ୍ ସମସ୍ତେ ଏହି ପୃଥିବୀର ଅନ୍ତର୍ଗତ ହୋଇ ରହିଛୁ ବୋଲି ଅନୁଭବ କରିବାର ସାମର୍ଥ୍ୟ, ମୂଳତଃ ତାହା ହିଁ ସବାଆଗ ଅହଂରୁ ବିମୋଚିତ ହେବାର ସର୍ବନିମ୍ନ ତତ୍ତ୍ୱଟି । ତେଣୁ ଏକ ସଂପ୍ରସାରଣ ନିମନ୍ତେ ସମ୍ମତ ରହିବା, ସେଇଟି ଆମକୁ ସୁସ୍ଥ ଭାବରେ ସକଳ ଅହଂଯାତନାରୁ ମୁକ୍ତ କରି ଆଣିବ ତଥା ଆମର ଓ ପୃଥିବୀଯାକର ପରବର୍ତ୍ତୀ ଅଭ୍ୟୁଦୟ ଗୁଡ଼ିକ ଲାଗି ଆମକୁ ଯୋଗ୍ୟରୂପେ ଗଢ଼ିନେବ ।

 

ଅର୍ଥାତ୍, ଏହି ଭୀତ ଏବଂ ଚକିତ କ୍ଷୁଦ୍ର ଅହଂଟିରୁ ମୁକ୍ତ ହେବାର ତାତ୍ପର୍ଯ୍ୟଟି ହେଉଛି ଏକ ବୃହତ୍ତର ଅହଂର ପରିଚାଳନା ନିମନ୍ତେ ସମ୍ମତ ହୋଇ ରହିବା । ନିଜର ଅନ୍ତର ମଧ୍ୟରେ ଓ ବାହାରର ଏହି ଜଗତରୂପକ ବାସ୍ତବ ନାମକ ସକଳ ସମ୍ପର୍କରେ । ଶ୍ରୀ ଅରବିନ୍ଦଙ୍କର ଶବ୍ଦରେ କହିଲେ, ତୁମର ସମ୍ପୂର୍ଣ୍ଣ ଜୀବନଟି ସେହି ପରମ ସର୍ବୋଚ୍ଚଙ୍କର ଉଦ୍ଦେଶ୍ୟରେ ଏକ ସମର୍ପିତ ମହତ୍‌ ବସ୍ତୁ ହୋଇ ରହିଥିବ । ଆପଣାର ଜୀବନରେ ତୁମେ ଯାହା କିଛି କରିବ, ସେଗୁଡ଼ିକରେ କେବଳ ତାଙ୍କରି ପରିଚର୍ଯ୍ୟା କରୁଥିବ, କେବଳ ତାଙ୍କରିଠାରୁ ହିଁ ଯାହା କିଛି ଗ୍ରହଣ କରୁଥିବ,–ତାହାରି ମାଧ୍ୟମରେ ଦିବ୍ୟ ପରମାଶକ୍ତିଙ୍କର କାର୍ଯ୍ୟସାଧନରେ ଏକ ଯନ୍ତ୍ର ହୋଇ ରହିଥିବ, ଯେପରିକି ତୁମକୁ ମାଧ୍ୟମରୂପେ କାର୍ଯ୍ୟରେ ଲଗାଇ ସିଏ ଆପଣାର ଇଚ୍ଛାଗୁଡ଼ିକୁ ସାକାର ରୂପ ପ୍ରଦାନ କରି ପାରିବେ-। ଗୋଟିଏ କଥାରେ କହିଲେ, ସର୍ବବିଧ ଅର୍ଥରେ ସେହି ପରମା ଶକ୍ତିଟି ତୁମ ଭିତରେ ପୂର୍ଣ୍ଣରୁ ପୂର୍ଣ୍ଣତର ହୋଇ ହିଁ ପ୍ରକଟ ହେବାରେ ଲାଗିଥିବ । ହଁ, ସେହି ଦିବ୍ୟ ଚେତନାରେ ହିଁ ସତତ ସମୃଦ୍ଧି ଲାଭ କରି ପାରୁଥିବ, ତାହାରି ଅବଲମ୍ବନଟି ମଧ୍ୟରେ ନିଜକୁ ସଦା ଅଗ୍ରସର କରାଇ ନେଇ ପାରୁଥିବ । ଏବଂ, ସେହି କ୍ରମରେ ପରିଶେଷରେ ତୁମେ ଏପରି ଏକ ଜୀବନ ସ୍ଥିତିରେ ଆସି ପହଞ୍ଚିବ, ଯେତେବେଳେ କି ତୁମର ନିଜ ଇଚ୍ଛା ଓ ତାଙ୍କର ଇଚ୍ଛାଟି ମଧ୍ୟରେ କୌଣସି ପାର୍ଥକ୍ୟ ଅର୍ଥାତ୍ ଦୂରତା ହିଁ ରହିବ ନାହିଁ । ସେଇ ତୁମ ଭିତରେ ସକଳ ଗତିଶୀଳତା ଆଣିଦେବେ; ତୁମେ ଏପରି କୌଣସି କାର୍ଯ୍ୟରେ ମନୋନିବେଶ କରିବ ନାହିଁ ଯାହାକି ତୁମ ନିଜ ଭିତରେ ତାଙ୍କରି ଗୋଟିଏ ସଚେତନ କାର୍ଯ୍ୟ ହୋଇ ନଥିବ ଓ ତୁମକୁ ମାଧ୍ୟମ କରି ଯେଉଁଟିକୁ ସିଏ କାର୍ଯ୍ୟକାରୀ କରି ନେଉନଥିବେ ।

 

ଏବଂ, ଆଗକୁ, ସେହି ତାଙ୍କରି ଭାଷାରେ, ଏହି ପୂର୍ଣ୍ଣ ଏକାତ୍ମକ ଜୀବନଯାପନଟି ଯେପର୍ଯ୍ୟନ୍ତ ସମ୍ଭବ ନହୋଇଛି, ସେପର୍ଯ୍ୟନ୍ତ ଆମେ ସର୍ବାନ୍ତଃକରଣରେ ଏହିପରି ଭାବଟିଏ ନେଇ ନିଜନିଜର ଜୀବନକୁ ବଞ୍ଚୁଥିବା ଯେ, ଏହି ଆମେ ବୋଲି କହୁଥିବା ଆତ୍ମା ଏବଂ ଶରୀର କେବଳ ତାଙ୍କରି କାର୍ଯ୍ୟରେ ଲାଗିବାକୁ ହିଁ ତିଆରି ହୋଇଛି ଏବଂ ଆମେ ଯେତେବେଳେ ଯାହାକିଛି କରୁଛୁ, କେବଳ ତାଙ୍କରି ପାଇଁ କରୁଛୁ । ତାଙ୍କୁ ଯନ୍ତ୍ରୀ ବୋଲି ସ୍ୱୀକାର କରିବାକୁ ହେଲେ, ଆମେ ଆପଣାକୁ ଯେଉଁ ଯନ୍ତ୍ର ବୋଲି ଗ୍ରହଣ କରି ନେଇଥିବା, ତାହା ହେଉଛି ଏକ ସଚେତନ ଯନ୍ତ୍ର; ଜଣେ ଜଣେ ସଚେତନ ଯନ୍ତ୍ର ରୂପେ ଆମେ ସମସ୍ତେ, ପ୍ରତ୍ୟେକେ । କେଡ଼େ ନିରୀହ ଭାବରେ ଆମେ ବହୁତ ସମୟରେ କହି ନପକାଉ ଯେ ଆମେ ହେଉଛୁ କେବଳ ନିମ୍ମିତ୍ତ ମାତ୍ର,–ଗୋଟିଏ ଗୋଟିଏ ଯନ୍ତ୍ର; ସିଏ ଆମକୁ ଯେପରି ଚଳାଇବେ, ଆମେ କେବଳ ସେହିପରି ସିନା ଚଳିବୁ । ଏବଂ, ଏହିପରି ଭାବରେ ସତେଅବା ଦାୟିତ୍ୱମୁକ୍ତ ହୋଇ ସଂସାରଟା ଭିତରେ ଆମ ନିଜ ବରାଦ ମୁତାବକ ନିଜ ସାଂସାରିକ ଜୀବନର ସ୍ୱାଦମାନଙ୍କୁ ଚାଖିବାରେ ଲାଗି ଯାଇଥାଉ, ସଂସାରରୂପୀ ସରୋବରଟିରେ ବାସନଦ୍ୱାରା ପ୍ରକୁପିତ ହୋଇ କେଡ଼େ ଦର୍ପିଷ୍ଠ ଭାବରେ ସନ୍ତରଣ କରୁ । ତାଙ୍କୁ ସୁଖ ମାଗୁ, ବିତ୍ତ ମାଗୁ,–ଶରଣ ମାଗୁ । ଆମପାଇଁ ତାଙ୍କୁ ଲୋଡ଼ୁ ଓ ସେହି ଅନୁସାରେ ଯାବତୀୟ ଧର୍ମର ଆଚରଣ କରୁ । ସନ୍ତାନମାନେ କଦାପି ଏପରି ଦାୟିତ୍ୱହୀନ ଭାବରେ ଆଚରଣ କରନ୍ତି ନାହିଁ । ସେମାନେ ପରମା ଜନନୀଙ୍କର କାର୍ଯ୍ୟ କରିବାକୁ ହିଁ ଯାହାକିଛି ହୁଅନ୍ତି । ଆପଣାକୁ ଏହି ପୃଥିବୀରେ ତାଙ୍କରି ଅମାନତବତ୍ ଅନୁଭବ କରୁଥାଆନ୍ତି । ତାଙ୍କରି କାର୍ଯ୍ୟ କରିବାରେ ପରିପୂର୍ଣ୍ଣ ସଚେତନତାରେ ନିଜକୁ ତାଙ୍କରି ଯନ୍ତ୍ର ବୋଲି ଜାଣିଥାଆନ୍ତି । ମାଗନ୍ତି ନାହିଁ, ଦିଅନ୍ତି, କାମରେ ଲାଗନ୍ତି ଓ ଧର୍ମତଃ ତାହାକୁ ନିଜ ଜୀବନର ସବାବଡ଼ ଖୁସି ବୋଲି ଜାଣି ସେହି ଖୁସିରେ ହିଁ ବଞ୍ଚି ଧନ୍ୟ ହୁଅନ୍ତି ।

 

ତେଣୁ, ଏହି ଏକାତ୍ମ ହେବାକୁ ଶ୍ରୀ ଅରବିନ୍ଦ ଏକ dynamic ଏକାତ୍ମକତା ବୋଲି କହିଛନ୍ତି । ସଚଳ, ସଦା ଗତିଶୀଳ ଏବଂ ସମ୍ପୂର୍ଣ୍ଣ ସ୍ୱୟଂ ପ୍ରଣୋଦିତ । ଆପଣାକୁ ହତାଶ ଓ ସମ୍ବଳଶୂନ୍ୟ ଭାବି ଯେଉଁମାନେ ପ୍ରାୟ ଏକ ବାସନାର୍ତ୍ତ ଦାରିଦ୍ର୍ୟବୋଧର ତାଡ଼ନାରେ ତାଙ୍କୁ ଆଦରି ନେଇଥାନ୍ତି, ସେମାନେ ଆଦୌ ନୁହନ୍ତି । ସେହି ଆର୍ତ୍ତମାନଙ୍କ ଦ୍ୱାରା ତ ଆମର ଏହି ମହାନ୍ ପୀଠଗୁଡ଼ିକ ଲୋକାରଣ୍ୟ ହୋଇ ରହିଥାଏ । ସେମାନେ ନ୍ୟୂନରୁ ଆହୁରି ନ୍ୟୂନ ହୋଇ କେବଳ ମାଗନ୍ତି,–ଏବଂ ଭିତରେ ଜଡ଼ବତ୍ ହୋଇ ରହିଥାନ୍ତି । ଈଶ୍ୱର ଅଶେଷ ଦୟାଳୁ ବୋଲି କହି ପଦମାନ ରଚନା କରନ୍ତି । ନାଇଁ, ଅସଲ ଏକାତ୍ମକତାର ଆସ୍ପୃହା ଅନୁକ୍ଷଣ ଗତିଶୀଳ ହୋଇ ରହିଥାଏ । ଗତିଶୀଳ ହେବାଦ୍ୱାରା ହିଁ ତ ତାଙ୍କର ଅଧିକରୁ ଅଧିକ ନୈକଟ୍ୟ ଲାଭ କରୁଥିବାର ଅନୁଭବ ସମ୍ଭବ ହୁଏ ଏବଂ ସେ ପ୍ରସ୍ଥଟି ମୋ’ ପାଇଁ ଆଉ ଆଦୌ ଦୂରବର୍ତ୍ତୀ ହୋଇ ନରହି ଏପ୍ରସ୍ଥଟିକୁ ଛୁଇଁ ଆସୁଛି ବୋଲି ଚାଲୁଥିବା ଆଉ ସମସ୍ତଙ୍କୁ ମଧ୍ୟ ଅପରୋକ୍ଷ ଭାବରେ ସ୍ୱୀକାର କରିନେଇ ହୁଏ ଓ ସର୍ବୋପରି ସର୍ବଦା ହିଁ ସମସ୍ତେ ମୋ’ ସହିତ ରହିଛନ୍ତି ଏବଂ ତେଣୁ ମୁଁ ସମସ୍ତଙ୍କ ସହିତ ଅନୁକ୍ଷଣ ରହିଛି ବୋଲି ମଧ୍ୟ ପ୍ରତ୍ୟକ୍ଷ ହୋଇଆସେ । ଆର୍ତ୍ତ ହୋଇ ଡାକିବାର କୌଣସି ଅବକାଶ ନଥାଏ । ତେଣୁ, ସେହିପରି ଏକ ଏକାତ୍ମକତାକୁ ମନ କଲେ ଅର୍ଥାତ୍ ଆପେ ସେଇଟିର ଉପଲବ୍ଧି ନିମନ୍ତେ ସ୍ୱାଭାବିକ ପ୍ରକାରେ ଗତିଶୀଳ ହୋଇ ରହିଲେ ମୋ’ର ଏହି ଶରୀର ବା ଆତ୍ମା ତାଙ୍କରି ନିମନ୍ତେ ରହିଛି ବୋଲି ବୁଝି ପାରିବା ଓ ସେହି ଅନୁସାରେ ଜୀବନଟିଏ ବଞ୍ଚିବା ଆଉ ଆଦୌ ଦୂରର କେଉଁ ଆଦର୍ଶ ହୋଇ ରହେନାହିଁ । ଶିଖରଗୁଡ଼ିକ ଯେତେଦୂରରେ ହୁଏତ ରହିଥାଆନ୍ତୁ ପଛକେ, ମୁଁ ସେହି ଆଡ଼କୁ ହିଁ ଆଗ ଆଗ ହେବାରେ ଲାଗିଛି ବୋଲି ଏକ ହୃଦ୍‌ବୋଧ ସତେଅବା ଆପେ ଆପେ ଉପଲବ୍ଧ ହୋଇ ଆସୁଥାଏ ।

 

ମୂଳ ପାଠଟିକୁ ଫେରିଯାଇ ପୁନର୍ବାର କହିବାକୁ ଗଲେ, ପ୍ରଥମେ ପ୍ରଥମେ ଆପଣାକୁ ତାଙ୍କରି ଜଣେ କର୍ମୀ ବୋଲି ଭାବିବାରେ ବେଶ୍‌ ବହୁତ ପରିମାଣରେ ଉତ୍ସାହ ଦେଖାଇ ଧାରଣାମାନ ହେଉଥିଲେ, ଅର୍ଥାତ୍ ନିଜକୁ ଜଣେ ଯନ୍ତ୍ରୀର ଯନ୍ତ୍ରରୂପେ ଗ୍ରହଣ କରିବାର ସ୍ଥିତି ଯାଏ ଆସିବା ସମ୍ଭବ ହୋଇ ନଥିଲେ,–ତାଙ୍କର ହୋଇ ନୁହେଁ, କିନ୍ତୁ ମୁଁ ନିଜେ ହିଁ ନିଜ ପ୍ରେରଣାରେ ଯାବତୀୟ କାର୍ଯ୍ୟ କରୁଛି ବୋଲି ଧାରଣାଟି ପ୍ରବଳ ହୋଇ ରହିଥିଲେ ତଥାପି ଆମେ ଯାହାକିଛି କରିବା, କାର୍ଯ୍ୟତଃ ତାଙ୍କରି ସକାଶେ ହିଁ କରୁଥିବା । ତାଙ୍କରି ସକାଶେ କାର୍ଯ୍ୟ ଓ ତେଣୁ ତାଙ୍କରି ପାଇଁ ହିଁ ଆମର ଏହି କାର୍ଯ୍ୟଗୁଡ଼ିକ,–ଆମର ମନ ଭିତରେ ଅନ୍ତତଃ ସେହିପରି ଭାବନାଟିଏ ରହିଥିବ । କୌଣସି ଚତୁରତାର ବଶବର୍ତ୍ତୀ ହୋଇ ନୁହେଁ, ଏକ ପରିପୂର୍ଣ୍ଣ ନିଷ୍ଠାର ସହିତ । ଏବଂ, ତା’ ପରେ ପୁନର୍ବାର ସେହି ସତର୍କବାଣୀଟି,–ଆମେ ନିଜେ ଅହଂ ପ୍ରଣୋଦିତ ହୋଇ କାର୍ଯ୍ୟଟିକୁ ବାଛି ନଥିବା, ଏହି କାର୍ଯ୍ୟଟିକୁ କରିବା ପଛରେ ବ୍ୟକ୍ତିଗତ ଲାଭର ମୋଟ କୌଣସି ମତଲବ ନଥିବ, ସେହି କାର୍ଯ୍ୟଟିକୁ କରିବାକୁ ଉଦ୍ୟତ ହେବାର ଏପରି କୌଣସି ବାସନା ନଥିବ; ଯାହାକି ସବାଆଗରେ ତୁଚ୍ଛା ଆପଣାକୁ ହିଁ ବସାଇ ରଖିଥିବ, କାର୍ଯ୍ୟତଃ ଏହି କାର୍ଯ୍ୟଟିରେ ଆମେ ସବାମୂଳରେ ଆପଣାକୁ ହିଁ ନେଇ ସ୍ଥାପନା କରି ରଖିଛୁ ବୋଲି କୌଣସି ଅନ୍ୟ ପ୍ରବୃତ୍ତି ହିଁ ନଥିବ । ଫଳ ନିମନ୍ତେ କୌଣସି ଆକାଙ୍‌କ୍ଷା ରହିବ ନାହିଁ, ଏଥିରୁ ଆମକୁ କୌଣସି ଯଶଃ, ପୁରସ୍କାର କିମ୍ବା ଖାସ୍ ଖ୍ୟାତି ପ୍ରାପ୍ତ ହେବ ବୋଲି ଭାବିବାର ଆଦୌ କୌଣସି ଉତ୍ତାପ ନଥିବ । ହଁ, ଏହି କାର୍ଯ୍ୟଟିକୁ କରିବାଦ୍ୱାରା ଆମେ ସକଳ କ୍ଷେତ୍ରରେ ଦିବ୍ୟ ଜନନୀଙ୍କର ଖୁସି ନିମନ୍ତେ କରୁଛୁ ବୋଲି ଖୁସିଟିଏ ହିଁ ଥିବ । ଦିବ୍ୟଜନନୀଙ୍କର ଖୁସି, ତାହାହିଁ ଆମଲାଗି ଖୁସି,–ଏହିପରି ଗୋଟିଏ ଅବବୋଧ ରହିଥିବ । ଆମେ ଯାହାକିଛି କରୁଛୁ, କେବଳ ତାଙ୍କରି କାର୍ଯ୍ୟର ସାଧନ ଓ ପରିପୂରଣ ଲାଗି କରୁଛୁ ବୋଲି ଏକ କପଟତାଶୂନ୍ୟ ଅବବୋଧ । ଆମର ଏହି ଯାବତୀୟ କାର୍ଯ୍ୟରେ ପୁରସ୍କାରଟି ହେଉଛି କେବଳ ସେହି ଗୋଟିଏ,–ଆମର ଅଗ୍ରଗତି,–ଦିବ୍ୟ ଚେତନାର ମାର୍ଗରେ ଆମ ନିଜର ଅଗ୍ରଗତି,–ଯେଉଁଟି ଦ୍ୱାରା ଉତ୍ତରୋତ୍ତର ଭାବରେ ଆମ ଚିତ୍ତର ସ୍ଥିରତା ସମ୍ଭବ ହୋଇ ଆସୁଥିବ; ବଳରେ ବୃଦ୍ଧି ଘଟିବ ଏବଂ ଆମର ଜୀବନ ବଞ୍ଚିବାରେ ଏକ ଆନନ୍ଦ ଉପଲବ୍ଧ ହେବାରେ ଲାଗିଥିବ । ସେବକଟିଏ ହୋଇ ପାରୁଥିବାର ଯେଉଁ ଆନନ୍ଦଟି, ଏହିସବୁ ଯାବତୀୟ କର୍ମ କରୁଥିବାର ମାଧ୍ୟମରେ ଗୋଟିଏ ସତତ ଅଭିବୃଦ୍ଧି । ପ୍ରତ୍ୟେକ ସ୍ୱାର୍ଥମୁକ୍ତ କର୍ମୀ ପାଇଁ ଶ୍ରୀ ଅରବିନ୍ଦ ତାହାକୁ ହିଁ ଯଥେଷ୍ଟ ଫଳପ୍ରାପ୍ତି ବୋଲି ଘୋଷଣା କରିଛନ୍ତି ।

 

ଏହିପରି ଭାବରେ କ୍ରମେ ଏପରି ଏକ ସମୟ ଆସି ପହଞ୍ଚିବ, ଯେତେବେଳେ ତୁମେ ଅଧିକରୁ ଅଧିକ ପରିମାଣରେ ଅନୁଭବ କରିବ ଯେ ତୁମେ ହେଉଛ ପ୍ରକୃତରେ ଗୋଟିଏ ଯନ୍ତ୍ର,–ତୁମେ ନିଜେ ଆଦୌ କିଛି କରୁନାହଁ, ସେଇ ତୁମ ଦ୍ୱାରା ସବୁକିଛି କରାଉଛନ୍ତି । ଚାଲ, ସହଜ ହୋଇ କହିବା ତ, ଏତିକି କ’ଣ କମ୍ କଥା, କମ୍ ଭାଗ୍ୟର କଥା ! ପୁନଶ୍ଚ, ପ୍ରଥମତଃ ନିଜର ଭକ୍ତି ଅର୍ଥାତ୍ ଅନୁରାଗ ନିଷ୍ଠା ବଳରେ ଦିବ୍ୟଜନନୀଙ୍କ ସହିତ ତୁମର ସମ୍ପର୍କଟି କ୍ରମେ ଏତେ ଅନ୍ତରଙ୍ଗ ହୋଇ ଆସିବ ଯେ, ତୁମର ଜୀବନ କ୍ରମେ ଅନୁକ୍ଷଣ ହିଁ ତାଙ୍କରି ଠାରେ ଏକ ନିବିଷ୍ଟ ହୋଇ ରହିବ ଏବଂ ସତେଅବା ଆପେ ଆପେ ତୁମର ସବୁ ତାଙ୍କରି ହାତଗୁଡ଼ିକରେ ନେଇ ରଖିଦେବ,–ଉପସ୍ଥିତ ସକଳ ମୁହୂର୍ତ୍ତରେ ଯେପରି ତୁମେ ତାଙ୍କରି ମାର୍ଗଦର୍ଶନ ଲାଭ କରିପାରିବ, ସେଇଟି ଲାଗି, ସକଳ କାର୍ଯ୍ୟର ପ୍ରେରଣା ତାଙ୍କରିଠାରୁ ପାଇବ, ସିଧା ତାଙ୍କରି ନିର୍ଦ୍ଦେଶନାରେ ହିଁ ଅନୁକ୍ଷଣ ସବୁ କରିବାର ସାମର୍ଥ୍ୟ ଲାଭ କରିବ । ତୁମେ କ’ଣ କରିବାକୁ ଯାଉଛ, ସେହି ନିର୍ଦ୍ଦେଶ ବିଷୟରେ ତାଙ୍କରିଠାରୁ ସୂଚନା ପାଇ ପାରିବ । କାର୍ଯ୍ୟଟିକୁ କିପରି କରିବାକୁ ହେବ ତଥା ସେଥିରୁ କେଉଁପରି ପରିଣାମ ପ୍ରାପ୍ତ ହେବ, ଏହି ସବୁକିଛି ବିଷୟରେ । ଏବଂ, ତୁମେ ପରେ ଏହି କଥାଟିକୁ ମଦ୍ୟ ଉପଲବ୍ଧି କରିବ ଯେ, ସେହି ଦିବ୍ୟ ପରମା ଶକ୍ତି ଆମକୁ ଯେ କେବଳ ପ୍ରେରଣା ଦାନ କରୁଛନ୍ତି ଓ ମାର୍ଗଗୁଡ଼ିକ ଉପରେ ପରିଚାଳିତ କରି ନେଉଛନ୍ତି ତାହା ନୁହେଁ, ସେଇ ହିଁ ଆମର ସର୍ବବିଧ କାର୍ଯ୍ୟର ପ୍ରାରମ୍ଭରେ ବିଦ୍ୟମାନ ରହିଛନ୍ତି ଆମର କାର୍ଯ୍ୟଗୁଡ଼ିକୁ ସ୍ୱୟଂ ହିଁ କାର୍ଯ୍ୟକାରୀ କରି ନେଉଛନ୍ତି । ଆମର ସର୍ବବିଧ କର୍ମଚାରଣାର ମୂଳରେ ସେଇ ଅଛନ୍ତି; ଆମର ଯାହାକିଛି ବଳ ଓ ଶକ୍ତି, ବସ୍ତୁତଃ ତାହା ତାଙ୍କରି ବଳ ଏବଂ ତାଙ୍କରି ଶକ୍ତି । ଆମର ମନ, ଜୀବନ ତଥା ଏହି ଶରୀର– ଏହି ସମସ୍ତ ହିଁ ସେତେବେଳେ ତାଙ୍କରି କାର୍ଯ୍ୟଟିର ସଚେତନ ଯନ୍ତ୍ର ଭାବେ କାର୍ଯ୍ୟ କରୁଛନ୍ତି, ପରିପୂର୍ଣ୍ଣ ଏକ ସ୍ୱାଭାବିକ ଖୁସିରେ ତାହା କରୁଛନ୍ତି । ସମ୍ପୂର୍ଣ୍ଣ ତାଙ୍କରି ସାଧନଗୁଡ଼ିକୁ ଦେଇ ସିଏ ତାହା କରୁଛନ୍ତି, ତାଙ୍କରି ଲୀଳାର ସହାୟକ ବସ୍ତୁରୂପେ ସେଗୁଡ଼ିକୁ କାମରେ ଲଗାଉଛନ୍ତି । ଏହି ପ୍ରତ୍ୟକ୍ଷ ଜଗତରୂପୀ ବିଶ୍ୱପ୍ରସାରଟିର କ୍ଷେତ୍ରରେ ଆପଣାର ପ୍ରକାଶ ଘଟାଇବା ନିମନ୍ତେ ସେଗୁଡ଼ିକୁ ଆବଶ୍ୟକ ଛାଞ୍ଚ ଗୁଡ଼ିକରେ ପକାଇ ତିଆରି କରି ନେଉଛନ୍ତି ।

 

ତେଣୁ, ଏହିପରି ତାଙ୍କର ଲୀଳାଟି ସହିତ ସଂଯୁକ୍ତ ହୋଇ ରହିବା, ଏହି ନିର୍ଭରଶୀଳତା, ସେଇଟି ଅପେକ୍ଷା ଅଧିକ ସୁଖାନୁଭବର ସ୍ଥିତିଟି ପ୍ରକୃତରେ ଆଉ କ’ଣ ରହିଛି ? କାରଣ, ଏହିପରି ଗୋଟିଏ ପଦକ୍ଷେପଟି ଦ୍ୱାରା ତୁମେ ନିଜର ଏହି ଜୀବନଟିର ସୀମା ଏବଂ ଗାରଗୁଡ଼ିକୁ ଡେଇଁ ଯାଇ ପୁନର୍ବାର ଏପରି ଏକ ନୂତନ ସ୍ଥିତିରେ ଯାଇ ଉପନୀତ ହୋଇ ପାରୁଛ,–ଏହି ନାନା ଅନ୍ତର୍ଦାହ ତଥା ଦୁଃଖସହନରେ ପୂର୍ଣ୍ଣ ହୋଇ ରହିଥିବା ବର୍ତ୍ତମାନର ନିଜ ଜୀବନଟିର ଗାରଗୁଡ଼ିକୁ ଅତିକ୍ରମ କରି, ଏହି ଅଜ୍ଞାନମୟ ନିତ୍ୟବେଢ଼ ଗୁଡ଼ିକର ସୀମାମାନଙ୍କୁ ପାର ହୋଇ ଆପଣା ଅଧ୍ୟାତ୍ମ ସତ୍ତାଟିର ସତ୍ୟ ମଧ୍ୟକୁ ଉତ୍ତୀର୍ଣ୍ଣ ହୋଇ ଯାଇ ପାରୁଛ,–ତାହାର ସେହି ସୁଗଭୀର ଶାନ୍ତି ମଧ୍ୟକୁ ଏବଂ ତାହାରି ପ୍ରଗାଢ଼ ଆନନ୍ଦଟି ମଧ୍ୟରେ ଯାଇ ପ୍ରବିଷ୍ଟ ହୋଇ ପାରୁଛ । ଏଗୁଡ଼ିକ ଆଦୌ କୌଣସି ଦାର୍ଶନିକ ବାକ୍ୟର ଏକ ସମ୍ମୋହକ ସୃଷ୍ଟି କରି ସତେଅବା ଏକ ସହଜ କ୍ଷଣିକ ଆଉ କିଛି ମଧ୍ୟକୁ ଉଡ଼ାଇ ନେଇଯିବାର ଆଦୌ ଏକ ପ୍ରୟାସ ନୁହେଁ, ଯାହାକୁ ପ୍ରଚଳିତ ବହୁ ବହୁ ଅଭିନବତାରେ ଆମକୁ କୌଣସି ତଥାକଥିତ ଆଧ୍ୟାତ୍ମିକ ଆରାମ ମଧ୍ୟକୁ ଉଡ଼ାଇ ନେବାକୁ ହିଁ ଇଚ୍ଛା କରୁଥାନ୍ତି । ଏଗୁଡ଼ିକ ଉଭୟ ସ୍ଥୂଳ ତଥା ସୂକ୍ଷ୍ମ ଉଭୟ ଅର୍ଥରେ ଗୋଟିଏ ଗୋଟିଏ ମାନଚିତ୍ର, ଯାହାକୁ ଲୟରୂପେ ହାତରେ ଧରି ଆମେ ପ୍ରତ୍ୟେକେ ଏଠାରୁ ସେଠା ପର୍ଯ୍ୟନ୍ତ ଯାଇପାରିବା । ଆଦୌ ଏକ ପଳାୟନ ନୁହେଁ; ଏହି ପୃଥିବୀ ନାମକ ମହାସମ୍ଭାବନାର କ୍ଷେତ୍ରରେ ଆମେ ଏହିଠାରେ କାର୍ଯ୍ୟ କରୁଥିବା ପରମାଜନନୀଙ୍କ ଠାରୁ ଆବଶ୍ୟକ ପ୍ରେରଣା ଗୁଡ଼ିକରୁ ବଳ ନେଇ ତାଙ୍କର ନିତ୍ୟସାନ୍ନିଧ୍ୟଯାଏ ଯାଇପାରିବା, ନିଜର ତଥା ଏହି ପୃଥିବୀର ଏହି ନିତ୍ୟସଚଳତା ମଧ୍ୟରେ କିପରି ସେହି ଅସଲ ଉପସ୍ଥିତିଟି ସହିତ ଯୁକ୍ତ ତଥା ସଂପୃକ୍ତ ହେବା, ଶ୍ରୀ ଅରବିନ୍ଦ ଆମ ଇଚ୍ଛୁକମାନଙ୍କର ସମ୍ମୁଖରେ ଉତ୍ତୋଳିତ କରି ଧରିଥିବା ସତକୁ ସତ ଉତ୍ସାହଦାୟକ ମାନଚିତ୍ରଟିଏ । ଏକ ପଦକ୍ଷେପ ଗ୍ରହଣ କରିପାରିଲେ ଏକାବେଳକେ ଆମଠାରୁ ସର୍ବୋଚ୍ଚ ତାଙ୍କଯାଏ ଏକ ମାର୍ଗପ୍ରଦର୍ଶନକାରୀ ମାନଚିତ୍ର, ଏକ ଆମନ୍ତ୍ରଣ, ଏକ ଅଭୟପ୍ରଦାନ । ଏବଂ, ବର୍ତ୍ତମାନ ଚାଲ ଚିନ୍ତା କରି କହିବା ତ, ଏହି ପ୍ରକ୍ରିୟା ଅର୍ଥାତ୍ ବାଟ ଚାଲିବାଟି ପ୍ରକୃତରେ ଏକ ଆରୋହଣ ନା ଏକ ଅବତରଣ ? ସତ କହିବାକୁ ଗଲେ କେବଳ ଗୋଟିଏ ଆରୋହଣ ନୁହେଁ ଅଥବା କେବଳ ଅବତରଣ ମଧ୍ୟ ନୁହେଁ । ସବାଆଗ ଆମ ତରଫରୁ ଏକ ପଦକ୍ଷେପ ଗ୍ରହଣ, ଯାହାକୁ ଶିଖରଟିକୁ ପାଦଦେଶଯାଏ ହିଁ ଅବତୀର୍ଣ୍ଣ କରାଇ ଆଣେ । ଏହି ପ୍ରସ୍ଥଟିର ସ୍ପର୍ଶ ପାଇଲେ ସେଇଟି ଏଇଠି ହିଁ ଦୃଶ୍ୟମାନ ହୁଏ, ଏଇଠି ଥାଇ ସେଇଟିକୁ ବଞ୍ଚିହୁଏ,–ହଁ, ତାଙ୍କୁ ଏହି ଏଠାରେ ମଧ୍ୟ ସଙ୍ଗୀରୂପେ ପାଇହୁଏ ।

 

ଏହିପରି ଭାବରେ ସତକୁ ସତ ରୂପାନ୍ତରର କାର୍ଯ୍ୟଟି ଚାଲିଯାଏ । ରୂପକୁ ନେଇ ସେହି ରୂପାନ୍ତର । ଆଦୌ ଏପରି ନୁହେଁ ଯେ ରୂପଟିକୁ ବର୍ଜନ କରିବାକୁ ହୁଏ ଏବଂ ସତେଅବା କୌଣସି ଶୂନ୍ୟ ଉପରେ ତା’ପରେ ଯାଇ ଏକ ଅନ୍ୟ ପର୍ବରୂପେ ରୂପାନ୍ତର ଆପଣାର କାର୍ଯ୍ୟଟିକୁ ଆରମ୍ଭ କରିବ ବୋଲି ଆସି ପହଞ୍ଚିଯାଏ । ନାଇଁ, ନାଇଁ, ଜୀବନକୁ ନେଇ ରୂପାନ୍ତର । ଜୀବନର ଏହି ଭୂମିଟିକୁ ନେଇ ରୂପାନ୍ତର । ଏହି ପୃଥିବୀକୁ ଭୂମି କରି ରୂପାନ୍ତର । ଏହି ପୃଥିବୀର ରୂପାନ୍ତର । କ’ଣ ସବୁ କାରଣରୁ ଯାହା ଯେତିକିରେ ଅଛି, ସେତିକି ହିଁ ସବୁ ବୋଲି ସ୍ୱୀକାର କରିନେବାକୁ ଇଚ୍ଛା ହୁଏନାହିଁ; ପୃଥିବୀ ଯେତିକିରେ ଅଛି, ସେତିକି ମୋଟେ ସବୁ ବୋଲି ସ୍ୱୀକାର କରି ନେଇ ହୁଏନାହିଁ-। ଏହି ଚଳନ୍ତି ଅଭ୍ୟସ୍ତତାର ସମ୍ପର୍କଗୁଡ଼ାକ ଆଉ ସମ୍ପୂର୍ଣ୍ଣ ବୋଲି ଲାଗେ ନାହିଁ । ଏକ ଅସନ୍ତୋଷ, ଯାହାର ଭାଜନ ହୋଇ ପାରିଲେ ଏଇଠି ଏହି ପାଦଦେଶରେ ଥାଇ ମଧ୍ୟ ଶିଖର–ସମ୍ଭାବନାର ସଙ୍କେତ ମିଳିଯାଏ । ସେହି ଅସନ୍ତୋଷ ହିଁ ଆସ୍ପୃହା । ଭିତର ଏବଂ ବାହାର ସେହି ଆସ୍ପୃହାଟି ନିମନ୍ତେ ପ୍ରେରଣା ଯୋଗାଇ ଦିଅନ୍ତି । କିଛି ଛାଡ଼ି ଚାଲିଯିବାକୁ ପଡ଼ୁଛି ବୋଲି ଆଦୌ ବୋଧ ହୁଏନାହିଁ । ଶିଖରଟିଏ ଟାଣିବା ମାତ୍ରକେ ବରଂ ଏଠି ସବୁକିଛି ତଥା ସର୍ବଜନ ଅଧିକ ନିବିଡ଼ ହୋଇ ଦିଶନ୍ତି । ମାୟାମାନେ ପ୍ରସାରିତ ହୋଇଯାଆନ୍ତି । ନିଜ ଭିତରେ ସମଗ୍ର ପୃଥିବୀଟା ହିଁ ପ୍ରସାରିତ ହୋଇ ରହିଥିବାର ସେହି ସମ୍ପଦଲାଭର ବୋଧଟି,–ତାହାକୁ ପରିପୂର୍ଣ୍ଣ ପ୍ରାସଙ୍ଗିକତା ସହ ଆମେ ସ୍ୱୟଂ ପ୍ରତ୍ୟେକେ ପୃଥିବୀଟା ସହିତ ଖିଅ ଲାଗି ରହିଛୁ ବୋଲି ସିଧା ବୁଝି ବୁଝି ହୋଇଯାଏ-। ଏଇଠି ଏହି ଭୂମିଟି ଉପରେ ଦୂରତାଗୁଡ଼ିକ ହ୍ରାସ ହୋଇ ଆସନ୍ତି ଅର୍ଥାତ୍ ଭୟମାନେ ହ୍ରାସ ହୋଇଯାଆନ୍ତି ଏବଂ ଭୟ ଚାଲି ଯାଉଥିବା ସହିତ ଆମର ନିଜ ଜୀବନଟି ବିଷୟରେ ମଧ୍ୟ କାକୁସ୍ଥତା କମିଯାଏ, । କାକୁସ୍ଥତା କମି ଯାଉଥିବା ସଙ୍ଗେ ସଙ୍ଗେ ଏହି ଭୂମିଟି ହିଁ ଅସଲ ଶିଖରଗୁଡ଼ିକୁ ଧରି ରଖିଥିବାର ପ୍ରତ୍ୟକ୍ଷ ହୁଏ । ଆମର ଆଖି, ଅନ୍ଦାଜ, ଅନୁରାଗ ଏବଂ ଆସ୍ପୃହାମାନେ ଆଉ କୌଣସି କ୍ଷୁଦ୍ରତା ମଧ୍ୟରେ ବାନ୍ଧି ହୋଇ ଏତିକିକୁ ହିଁ ସବୁ ବୋଲି ଦେଖିବାପାଇଁ ମୋଟେ ଇଚ୍ଛା କରନ୍ତିନାହିଁ । ଏହିପରି ଭାବରେ ଆମ ଜୀବନରେ ଯାବତୀୟ ପୃଥ୍ୱୀ ସ୍ପର୍ଶରେ ଯେଉଁ ପରିବର୍ତ୍ତନ, ତାହାହିଁ ରୂପାନ୍ତର,–ଏକ ଗୁହାମୁକ୍ତି, ଏକ ଅଧ୍ୟାତ୍ମ ଓ ଏକ ଦ୍ୱିଜତ୍ୱ ।

 

ଶ୍ରୀ ଅରବିନ୍ଦଙ୍କର ବାକ୍ୟଗୁଡ଼ିକୁ ପୁନର୍ବାର ଫେରି ଆସିବାକୁ ହେଲେ, ରୂପାନ୍ତରର କ୍ରିୟାଟି ଯେତେବେଳେ ଏହିପରି ଭାବରେ ଚାଲିଥିବ, ସେତେବେଳେ ଏକାନ୍ତ ଆବଶ୍ୟକ ଯେ, ଆମେ ସେତେବେଳେ ନିଜକୁ ସେହି ଅହଂବିକାରର ଯାବତୀୟ ମାଳିନ୍ୟ ମଧ୍ୟରୁ ପୂର୍ଣ୍ଣମୁକ୍ତ କରି ରଖିଥିବା । ଆମ ତରଫରୁ ଏପରି ଆଦୌ କୌଣସି ଦାବି କରାଯାଉ ନଥିବ ଅଥବା ଅନମନୀୟତା ନଥିବ ଯାହାକି ଆମର ସକଳ ଶୁଦ୍ଧତା, ଆତ୍ମ-ଦାନ ଅର୍ଥାତ୍ ଉତ୍ସର୍ଗୀକୃତ ହୋଇ ରହିବାର ସହଜ ସରଳ ରୀତିଟିରେ ନାନା ବାଧା ଆଣି ପହଞ୍ଚାଇ ଦେଉଥିବ । ଆମେ ଯାହାକିଛି କରୁଛୁ ସେଇଟି ପ୍ରତି କିମ୍ବା ଆମେ ସେଥିରୁ ପ୍ରତ୍ୟାଶା କରି ରହିଥିବା ଫଳଟି ପ୍ରତି ଆମ ଭିତରେ କୌଣସି ଆସକ୍ତି ନଥିବ, ଆମ ତରଫରୁ କୌଣସି ପ୍ରକାରର ସର୍ତ୍ତ ମଧ୍ୟ ନଥିବ,–ଯେଉଁ ପରମ ଶକ୍ତିଟି ଆମକୁ ଆପଣାର ଅକ୍ତିଆରକୁ ନେବା କଥା, ସେଇଟିକୁ ଆମେ ଲାଭ କଲୁଣି ବୋଲି କୌଣସି ଦାବି ମଧ୍ୟ ଏହି କ୍ଷେତ୍ରରେ କିପରି ରହିବ ? ପୁନଶ୍ଚ, ଆମେ ଗୋଟିଏ ଗୋଟିଏ ଯନ୍ତ୍ରରୂପେ ତିଆରି ହୋଇଗଲୁଣି ବୋଲି ଆମ ଭିତରେ କୌଣସି ଗର୍ବ ରହିବ ନାହିଁ, କୌଣସି ଔଦ୍ଧତ୍ୟ ଅଥବା ଆସ୍ଫାଳନ ମଧ୍ୟ ଆଦୌ ନଥିବ । ଆମର ମନ, ପ୍ରାଣ କିମ୍ବା ଶାରୀରିକ ଜୀବନରେ ଏପରି ଆଦୌ କୌଣସି ଉପାଦାନ କେବେହେଲେ ରହିବ ନାହିଁ, ଯାହାକି ବର୍ତ୍ତମାନ ତୁମ ଭିତରେ କାର୍ଯ୍ୟ କରୁଥିବା ମହନୀୟ ଶକ୍ତିଚୟକୁ ନାନା ମଉକା ସୃଷ୍ଟି କରି ଏବଂ ବିକୃତି ଘଟାଇ ଆପଣାର ଖାସ୍ କାମରେ ନେଇ ବ୍ୟବହାର କରିବା ନିମନ୍ତେ ଉତ୍ସାହୀ ହେବେ, ସେଗୁଡ଼ିକୁ ନିଜ ଅଧିକାର ଭିତରକୁ ନେଇଯିବେ ଓ କୌଣସି ସ୍ୱତନ୍ତ୍ର ଏବଂ ବ୍ୟକ୍ତିଗତ ସନ୍ତୋଷ ବିଧାନ ନିମନ୍ତେ ସେଗୁଡ଼ିକୁ ବ୍ୟବହାର କରିବାଲାଗି ମନ ବଳାଇବେ । ଏବଂ, ପୁନର୍ବାର ସେହି ମଞ୍ଜ କଥାଟି ବାରମ୍ବାର, ‘ତୁମର ବିଶ୍ୱାସ, ତୁମ ନିଷ୍ଠା, ଆସ୍ପୃହାର କ୍ଷେତ୍ରରେ ତୁମର ଆଦୌ କୌଣସି ମିଶ୍ରଣକୁ ମୋଟେ ବାଟ ଛାଡ଼ି ନଦେବା,–ଏଥିରେ କେତେବେଳେ ହେଲେ କିଛି ଭେଲ କଦାପି ନରହୁ, ସେହି ଆସ୍ପୃହା ତୁମ ସତ୍ତାର ସବୁଯାକ ଭୂମିସ୍ତରକୁ ସଞ୍ଚରିତ ହୋଇ ରହିଥାଉ । ତେବେ ଯାଇ, ତୁମର ଏହି ଚାରଣାର ମାର୍ଗରେ ଯାହାକିଛି ଉପାଦାନ ତୁମକୁ ବିଚଳିତ କରି ଦେଉଥିବ ଏବଂ ଯାହାକିଛି ଅନ୍ୟ ପ୍ରଭାବ ତୁମର ଯଥାର୍ଥ ଲୟଟିକୁ ଚହଲାଇ ପକାଇବାର ଚେଷ୍ଟା କରୁଥିବ, ସେଗୁଡ଼ିକ ତୁମ ପ୍ରକୃତିଟି ମଧ୍ୟରୁ ବହିଷ୍କୃତ ହୋଇ ପାରୁଥିବେ; ଅଧିକରୁ ଅଧିକ ପରିମାଣରେ ହିଁ ନିରସ୍ତ ହୋଇ ରହିଯିବେ ।’

 

ସେହି ଗୋଟିଏ କଥା,–ଆପଣାର ଅହଂଟିକୁ ଘେରି ତୁମକୁ ଜାବୁଡ଼ି ରହିଯିବା ଯାବତୀୟ ସଉକରୁ ତୁମେ ନିଜକୁ ମୁକ୍ତ କରି ରଖିବ । ଏପରି ଯେ ଆମ ପ୍ରତ୍ୟେକଙ୍କର ଜୀବନରେ ପ୍ରାୟ ଗୁରାଇ ତୁରାଇ ଘଟିବାରେ ଲାଗିଥାଏ, ଆମର ଇଚ୍ଛା ନଥିବା ସତ୍ତ୍ୱେ କୌଣସି ପ୍ରତିକୂଳ ଶକ୍ତି ସତେଅବା ବାହାରୁ ଚକ୍ରାନ୍ତ କରି ଆମ ଭିତରକୁ ଆସି ପଶି ଯାଇଥାନ୍ତି କି ? ସାଧାରଣତଃ, ଯେଉଁ ମଣିଷମାନେ ଜୀବନର ଏହି ଦୈନନ୍ଦିନ ଯାତ୍ରାଟିରେ ଅଳ୍ପବହୁତ ଯେଉଁପରି ସେହିପରି ହୋଇ ରହିଥାନ୍ତି ଏବଂ ସେହିଭଳି ରହିବାରୁ ବେଶ୍ ଫାଇଦା ହେଉଛି ବୋଲି ଅନୁଭବ ମଧ୍ୟ କରୁଥାନ୍ତି, ସଚରାଚର ସେହିମାନେ ହିଁ ସେହିପରି ଭାବିବା ଲାଗି ହୁଏତ ଏକ ଖାସ୍ ଉତ୍ସାହ ପ୍ରକଟ କରନ୍ତି । ବିଘ୍ନକାରୀ ଶକ୍ତିଟି ମୋ’ ବାହାରୁ ଯେତେବେଳେ ଆସି ମୋତେ ଅକ୍ତିଆର କରି ନେଉଛି, ସେତେବେଳେ ମୋ’ ନିଜର ଆଉ କ’ଣ କରିବାର ଅଛି ବୋଲି ସେମାନେ ସର୍ବଥା ବାଟ ଛାଡ଼ି ଦିଅନ୍ତି ଏବଂ ଫଳରେ ସ୍ଥିତିମାନେ ଯେପରି ସେହିପରି ହୋଇ ରହିବାଟିରେ ବେଶ୍ ଆନନ୍ଦ ଲାଭ କରନ୍ତି । ଏବଂ, ସେହି ପୁରୁଣା ତାମସାଟି ଲାଗି ରହିଥାଏ । ଆପଣାକୁ ଅଳ୍ପ ବଳ ଏବଂ ଅକ୍ଷମ ବୋଲି ଦେଖାଇ ଯଦି ସ୍ଥିତାବସ୍ଥାଟି ମଧ୍ୟରେ ନିଜ ପୃଥିବୀଟିକୁ ଭୋଗ କରି ହେଉଛି, ସୁଖକାମୀ ମନୁଷ୍ୟମାନେ ସେଥିରୁ ଯଥାସମ୍ଭବ ଉପକୃତ ହୋଇ ରହିବା ଦ୍ୱାରା ସଂସାରରେ ଖୁସି ହିଁ ରହିଥାନ୍ତି-। ଜୀବନରେ ଅଶେଷ ଦୁଃଖ ଅର୍ଥାତ୍ ବହୁତ ଅଳ୍ପତା ବୋଲି ମାନିନିଅନ୍ତି ଏବଂ ସେଥିରୁ ଉପଲବ୍ଧ ସଂସାରଟିଏ ନେଇ ଅନୁରକ୍ତ ହୋଇ ରହନ୍ତି, ଜୀବର ଅଳପ ଶକତି ବୋଲି କହନ୍ତି ଓ ଏତିକିମାତ୍ରକୁ କାମୁଡ଼ି ରହିଥାନ୍ତି । ତେଣୁ ଆସ୍ପୃହାଠାରୁ ଦୂରରେ ରହନ୍ତି । ନିଜଭିତରେ ବିଚିତ୍ରତା ବି ନିଶ୍ଚୟ ଅନୁଭବ ମଧ୍ୟ କାହିଁକି ନ କରିବେ !

 

ଆମ ଇତିହାସର ପ୍ରାୟ ସବୁକାଳର ଧର୍ମଜୀବନଟାର ହାଟଟା ଭିତରେ କେତେ ନା କେତେ ହଟଗୋଳ ଲାଗି ନ ଆସିଛି ! କିଏ ସବୁ ପ୍ରକୃତରେ କ’ଣ ଦେଖିଛନ୍ତି ବା ଦେଖିନଥିଲେ ମଧ୍ୟ ଦେଖିଛୁ ବୋଲି କହି ଆସିଛନ୍ତି । ବହୁ ବହୁ ଗୁରୁ ବାହାରିଛନ୍ତି; ମାର୍ଗୀମାନେ ଦିଗ୍‌ବିଜୟରେ ବାହାରି ବିରୋଧୀମାନଙ୍କୁ ପରାସ୍ତ କରିଛନ୍ତି । ଅନେକେ ପୁଣି କେବଳ ଆମେ ଦେଖିଛୁ ଏବଂ ଆଉମାନେ ଆଦୌ ଦେଖିନାହାନ୍ତି ଏବଂ ସେହି ନିଜ ପଥଟିରେ ରହିଥିବା ପର୍ଯ୍ୟନ୍ତ ସେମାନେ ଆଉ କିଛିହେଲେ ଦେଖିବେ ନାହିଁ ବୋଲି ଘୋର କୁତ୍ସାମାନଙ୍କର ପ୍ରଚାର କରି ବୁଲିଛନ୍ତି ଏବଂ ସେହିମାନଙ୍କର ଏକମାତ୍ର ଠିକ୍ ମାର୍ଗରେ ଗଲେ ଯାଇ ପୃଥିବୀରେ ଭଗବାନ୍‌ଙ୍କର ସେହି ରାଜ୍ୟର ପ୍ରତିଷ୍ଠା ହୋଇପାରିବ ବୋଲି ଘୋଷଣାମାନ କରିଛନ୍ତି । ଏପରି କରି ସକଳ ଅର୍ଥରେ ପୃଥିବୀରେ ବହୁତ ଅଶାନ୍ତି ତଥା ଅଶୁଭର କାରଣ ମଧ୍ୟ ହୋଇଛନ୍ତି । ମଞ୍ଚପଣ୍ଡିତମାନେ ସେହି ଅନୁସାରେ ପବିତ୍ର ଗ୍ରନ୍ଥମାନ ରଚନା କରି ଈନ୍ଧନ ବି ଯୋଗାଇ ଦେଇଛନ୍ତି । ସମ୍ଭବତଃ ତାହାରିଦ୍ୱାରା ହିଁ ଅସଲ ଜୀବନଧର୍ମ ପ୍ରତାରିତ ହୋଇ ରହିଛି । ମନୁଷ୍ୟମାନଙ୍କୁ ବହୁ କିସମର ପବିତ୍ର ଅଫିମମାନ ଭୁଞ୍ଜାଇ ଦେଇ ଭାରି ଚଗଲା କରି ରଖାଯାଇଛି । ତୁଚ୍ଛା ଗୁଡ଼ାଏ ସନ୍ତକ, ମାର୍ଗ ଓ ଅମାର୍ଗ ବିଷୟରେ ଗଦା ଗଦା ସିଦ୍ଧାନ୍ତ,–ଅସଲ ଚାରଣାମାନଙ୍କୁ କେତେ ନା କେତେ ବୁଦ୍ଧିମତ୍ତା ସହିତ ଭିନ୍ନ ଭିନ୍ନ ଉପବୀତର ଗୁଡ଼ାଏ ଗୁଳା ମଧ୍ୟରେ ପକାଇ ରଖାଯାଇଛି । ସେଥିରୁ ବୃହତ୍ତର ବହୁ ଅରାଜକତାକୁ ସତେଅବା ଆମ ଜୀବନଗୁଡ଼ିକ ଭିତରକୁ ଡାକି ଅଣାଯାଇଛି ଏବଂ ବହୁବିଧ ଭଗବାନ ବନି ଆମର ଧର୍ମ ବାହାରର ନିତିଜୀବନଟା ମଧ୍ୟ ବଡ଼ ଲଣ୍ଡଭଣ୍ଡ ହୋଇ ରହିଛି । ବହୁ କ୍ଷୁଦ୍ରତା ତଥା ଅନ୍ୟଲିପ୍ତତା ଫଳରେ ମନୁଷ୍ୟମାନେ ନିଜ ଭିତରେ ଏବଂ ସେମାନଙ୍କର ଭଳି ଭଳି ପାରସ୍ପରିକ ଜୀବନରେ ପ୍ରାୟ ଆପଣାର ଅସଲ ବଳ ଏବଂ ଅସଲ ଆଲୋକ ଗୁଡ଼ିକୁ ହରାଇ ବସିଛନ୍ତି । ଏବଂ, ସେହି ଦୁର୍ଭାଗ୍ୟ ହେତୁ ସଂପ୍ରତି ଆପଣାର ସେହି ପଇତାଗୁଡ଼ିକ ବ୍ୟତୀତ ସତେ ଯେପରି ଅନ୍ୟ କୌଣସି ପରିଚୟ ହିଁ ନାହିଁ । ପଇତା ବାଣ୍ଟୁଥିବା ଗୁରୁମାନଙ୍କର ସତେ ଯେପରି ସର୍ବାଧିକ ମର୍ଯ୍ୟାଦାମାନ । କିଏ ସତକୁ ସତ ବାଟଟିଏ ଚାଲୁଛି ଏବଂ କିଏ ସେହି ଚାଲିବା ବାଟରେ ସତକୁ ସତ ସଙ୍ଗୀଟିଏ ମଧ୍ୟ ଲୋଡ଼ୁଛି । ଆଗରେ ତଥା ଆପଣାର ଅନ୍ତରାକାଶରେ ତାରାଭଳି ତାରାଟିଏ ଦେଖି ପାରୁଥିଲେ ସିନା ମନୁଷ୍ୟମାନେ ପଥ ଉପରେ ରହିଥାନ୍ତେ ଏବଂ ସେହି କାରଣରୁ ସହଯାତ୍ରୀମାନଙ୍କୁ ଆବିଷ୍କାର କରିବାକୁ ମନ କରନ୍ତେ । ଏବଂ, ଠିକ୍ ସେହି ନ୍ୟାୟରେ, ଗୁରୁମାନେ ତଥା ଧର୍ମପୀଠମାନଙ୍କର ଅଧିପମାନେ ମଧ୍ୟ ଆପେ ବାଟମାନଙ୍କୁ ଚାଲୁଥିଲେ ସିନା ସକଳ ମନୁଷ୍ୟଙ୍କୁ ସେହିପରି ନିଜ ନିଜ ପଥ ଉପରେ ଜଣେ ଜଣେ ଯାତ୍ରୀ ବୋଲି ଚିହ୍ନନ୍ତେ ଏବଂ ଉପବୀତ ଓ ରୂପକୁ ବଢ଼ାଇ ଦେଇ ମୋଟେ ଭଣ୍ଡି ରଖନ୍ତେ ନାହିଁ ।

 

ଯାତ୍ରୀ ହୋଇ ବାହାରିଥିବା କୌଣସି ମନୁଷ୍ୟ ପଇତା ଲୋଡ଼େ ନାହିଁ, ସମ୍ପ୍ରଦାୟର ଏହି ମେଳା ମେଳା ମାର୍କା ଗୁଡ଼ିକରେ ମୋଟେ ରାଜି ହୋଇପାରେ ନାହିଁ । ସିଏ ବାଟ ଚାଲୁଥାଏ, ଲୋଡ଼େ, ନିଜ ଭିତରର କୌଣସି ମୂଳଭୂତ ଆସ୍ଥାକୁ ସିଏ ବାହାରେ ମଧ୍ୟ ଘ୍ରାଣ କରି ପାରୁଥିବା ଏକ ଶିଖରର ଆସ୍ଥାରେ ବାଟ ଚାଲୁଥାଏ । ଏବଂ, ସବୁଠାରୁ ବଡ଼ କଥା ହେଉଛି, ସିଏ ବର୍ତ୍ତମାନ ଆପଣାର ଇପ୍ସିତ ଶିଖରଟି ଉପରେ ଆସି ପହଞ୍ଚିଗଲା ବୋଲି କେବେହେଲେ ମାନି ନିଏନାହିଁ । ଏପରି ଜଣେ ଗୁରୁଙ୍କୁ ଲୋଡ଼େ, ଯିଏ ତା’ ବୁଝିବାରେ ବାଟଟିଏ ଚାଲୁଥାଆନ୍ତି । ତା’ ଶିଖର–ଆରୋହଣ କେବେହେଲେ ସରେନାହିଁ । ଏକ ଶିଖରରେ ଆସି ପହଞ୍ଚିବାର ବୋଧଟିଏ ହେଲା ମାତ୍ରକେ ସିଏ ପଛକୁ ପଛକୁ ଅର୍ଥାତ୍ ଆଗକୁ ଆଗକୁ ଆହୁରି ଶିଖର ରହିଥିବାର ଏକ ଅନୁଭବ-ପ୍ରତ୍ୟକ୍ଷର ଅଧିକାରୀ ହୁଏ । ନିଜ ଭିତରେ ଦେଖେ ଏବଂ ତେଣୁ ବାହାରେ ଠାବ କରିପାରେ, ବାହାରେ ଦେଖେ ଏବଂ ତେଣୁ ଭିତରେ ବି ଅଧିକ ଅନ୍ତରଙ୍ଗ କରି ଦେଖିପାରେ । ତା’ର ଗୁରୁ ମଧ୍ୟ ଆରୋହଣ କରୁଥାଆନ୍ତି, Who will climb with me ? ବୋଲି ପଚାରିବାରେ ଲାଗିଥାଆନ୍ତି । ଅଧ୍ୟାତ୍ମର ଯାବତୀୟ ବିସ୍ତାର ଏବଂ ଯାବତୀୟ ଆହ୍ୱାନ ଏହିପରି ଗୋଟିଏ ଗୋଟିଏ ଆମନ୍ତ୍ରଣ । ଏହିପରି ସର୍ବଦା ଗୋଟିଏ ନୂତନ ଗୃହପ୍ରବେଶ । ଗୃହ ପରେ ଗୃହ, ଆଶ୍ରୟ ପରେ ଆଶ୍ରୟ; ଏପରି ଗୋଟିଏ ଏକାତ୍ମକତା, ଯାହାକୁ ଶ୍ରୀ ଅରବିନ୍ଦ dynamic ବୋଲି କହିଛନ୍ତି । ଏକ ପୂର୍ଣ୍ଣଧର୍ମ ସଦୃଶ ଏକାତ୍ମକତାର ସମ୍ମତିଟିଏ । ତାହା ହିଁ ତପସ୍ୟା ଓ ସାଧନା । ଯୁଗପତ୍ ଭାବରେ ଏକ ଗୃହରେ ଆସି ପହଞ୍ଚିଥିବାର ପରିତୃପ୍ତିଟିଏ, ପ୍ରତିଶ୍ରୁତିଟିଏ । ଏବଂ, ତଥାପି ମୋ’ ଲାଗି ଅଭିପ୍ରେତ ଆହୁରି ଚାରଣା ବାକି ରହିଛି ଏବଂ ସେପରେ ମୋ’ର ପରବର୍ତ୍ତୀ ଆହୁରି ଏକାଧିକ ଘର ଓ ସ୍ଥଳ ବାକି ରହିଛି ବୋଲି ଈଶ୍ୱରୀୟ ଏକ ଅସନ୍ତୋଷ । ସେହି ଅସନ୍ତୋଷ ଆଦୌ ଅବଶ କରି ପକାଏନାହିଁ ଏବଂ ଆବଶ୍ୟକ ବଳଗୁଡ଼ିକ ମୋ’ଲାଗି ପ୍ରଦତ୍ତ ହୋଇ ରହିଛି ବୋଲି ସତେଅବା ଜଣେ ନିତ୍ୟସଙ୍ଗୀଠାରୁ ଆବଶ୍ୟକ ଅଭୟମାନେ ମଧ୍ୟ ମିଳି ଯାଉଥାନ୍ତି ।

 

ଅସଲ ଗୁରୁ ହେଉଛି ପ୍ରକୃତରେ ସେହିପରି ଜଣେ ନିତ୍ୟପଥଚାରୀ ଗୁରୁ । ଗୁରୁମାନେ କୌଣସି ଆବଶ୍ୟକତା ଦ୍ୱାରା ବାଧ୍ୟ ହୋଇ ଅବଶ ହୋଇ ପଡ଼ିଲେ ପ୍ରାୟ ବାତୁଳ ପରି ହୋଇ ନିଜ ବୁକୁଚାଗୁଡ଼ିକ ମଧ୍ୟରେ ସାଉଁଟି ଧରିଥିବା ବିତ୍ତଟିର ଚାରିପାଖରେ ପ୍ରାଚୀରମାନ ବୁଲାଇ ନିଅନ୍ତି ଓ ସବୁ ପଥ ଏହିଠାରୁ ସରିଲା ବୋଲି ଘୋଷଣା କରନ୍ତି । ପଥ ସରିଲା, ତେଣୁ ପଥ ଚାଲିବାର ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଲା । ମୋ’ ଚାଲିବା ବନ୍ଦ ହେଲା, ତେଣୁ ସମସ୍ତଙ୍କର ପଥଚଲା ମଧ୍ୟ ବନ୍ଦ ହେଲା । ସତେଅବା ସ୍ୱୟଂବିଧାତା ମଧ୍ୟ ଏହିଠାରେ ହିଁ ବସିଗଲେ । ଏହିଭଳି ଗୋଟିଏ ଗୋଟିଏ ଅବିହିତ ନ୍ୟାୟରେ ହିଁ ଆମ ଇତିହାସଯାକର ଧର୍ମ–ସାମ୍ପ୍ରଦାୟିକତାମାନେ ଆରମ୍ଭ ହୋଇଛନ୍ତି କି ? ଅଧ୍ୟାତ୍ମର ଦ୍ୱାରଗୁଡ଼ିକ ଉପରେ ସତେଅବା କୁହୁଣ୍ଡା ପଡ଼ିଗଲା । ସମସ୍ତେ ଧର୍ମଗୁଡ଼ିକୁ ହିଁ ଅଧ୍ୟାତ୍ମ ବୋଲି ମାନିନେଲେ । ଭଳି ଭଳି ଧର୍ମ ଏବଂ ତେଣୁ ଭଳି ଭଳି ଅଧ୍ୟାତ୍ମ । ଆମ ଧର୍ମୀୟ ଚାରଣବୃତ୍ତିରେ ସେଥିଲାଗି ଆଉ ଲୋଡ଼ିବାର ସେତେ ଅବକାଶ ନାହିଁ । କେତେକ ସୂତ୍ର ଓ ସନ୍ତକରେ ଖୁବ୍ କାମ ଚଳିଯାଉଛି । ଏହିପରି ଏକ ସ୍ଥିତିରୁ ଉତ୍ସାହ ପାଇ ଯାଉଥିଲା ପରି କ୍ରମେ ଗୁରୁମାନେ ମଧ୍ୟ ଅନେକ ସମୟରେ ନିଜକୁ ଭଗବାନ୍ ବୋଲି କହିଲେଣି । ତେଣୁ, ନିଷ୍କର୍ଷ ହେଉଛି ଯେ, ଆମର ବାଟ ଚାଲିବା ବନ୍ଦ ହୋଇଗଲେ ଆମଲାଗି ଅଧ୍ୟାତ୍ମର ସେହି ମୂଳ ବ୍ୟାକୁଳତାଟି ମଧ୍ୟ କ୍ରମେ କ୍ଷୀଣ ହୋଇ ଆସେ । ଏକ ଭୀରୁତା ହୁଏତ ଆମକୁ ଯେଉଁଠି ସେଇଠି ଗୋଡ଼ ବାନ୍ଧି ରହିଯିବାକୁ ସହାୟତା କରେ । ଚାଲିବାଟା,–ତାହା ହେଉଛି ପୂରାପଣେ ଏକ ସାହସୀର କାର୍ଯ୍ୟ,–ଏହି ପାଦଦେଶରେ ଥାଇ ଶିଖରଗୁଡ଼ିକୁ ନିଜ ମଧ୍ୟକୁ ସ୍ୱୀକାର କରି ଆଣିବାରେ ସେହି ସ୍ୱୟଂସଚେତନ ଆସ୍ପୃହାଟିର କାର୍ଯ୍ୟ ।

 

‘ମାଆ’ ପୁସ୍ତକରେ ଶ୍ରୀ ଅରବିନ୍ଦଙ୍କର ପୁନଃପୁନଃ ଘୋଷଣାଟି ହେଉଛି, ଯଦି ଆମେ ସମସ୍ତେ ଯଥାର୍ଥ ଆସ୍ପୃହାଟିର ଭାଜନ ହେବା, ଚାଲିବାକୁ ମନ କରିବା, ତେବେ ଆମର ଜୀବନର ଯାବତୀୟ ପ୍ରତ୍ୟୟ ଏବଂ ପରିଚୟରେ ଆମକୁ ସର୍ବପ୍ରଥମେ ହିଁ ଅହଂର ସକଳ ନିର୍ଭରଶୀଳତାରୁ ମୁକ୍ତ ହୋଇ ଆସିବାକୁ ହେବ । ପ୍ରକୃତରେ କହିଲେ, ସର୍ବବିଧ ଅହଙ୍କାରଠାରୁ । ମୁଁ ହେଉଛି କେନ୍ଦ୍ରରେ,–ଏହି ଜଗତ ମୋ’ର ପ୍ରୀତି ନିମନ୍ତେ ହିଁ ମୋ’ରି ଖାସ୍ କାମୁକତାଗୁଡ଼ିକ ଚରିତାର୍ଥ ହୋଇପାରିବା ଲାଗି ବ୍ୟବହୃତ ହେବ,–ସେଥିଲାଗି ଆବଶ୍ୟକ ପଡ଼ିଲେ ମୁଁ ଭଗବାନଙ୍କୁ ମଧ୍ୟ ବ୍ୟବହାର କରି ପାରିବି, ତାଙ୍କୁ ନାନାଭଳି ଭୋଜ୍ୟ ଏବଂ ନୈବେଦ୍ୟ ଦେଇ ମୋ’ ତରଫରୁ ମଙ୍ଗାଇ ରଖିଥିବି । ସତେ ଯେପରି ମୋ’ ଠାକୁରମାନେ କୌଣସି ଏକ ସୃଷ୍ଟିର ନିୟମ ଅନୁସାରେ କେବଳ ମୋତେ ହିଁ ସକଳ ସୌଷ୍ଠବ ମଧ୍ୟରେ ସ୍ଥୂଳ କରି ରଖିବା ନିମନ୍ତେ ଏଇ ପୃଥିବୀକୁ ଆସିଛନ୍ତି ! ଅସଲ ଅହଂଟା ଆମର ଏହି ଅହଙ୍କାରୀମାନଙ୍କର ଜୀବନରେ ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇ ରହି ଯାଇଥାଏ । ଆମ ପ୍ରତ୍ୟେକଙ୍କ ମଧ୍ୟରେ ସେହି ବିଶ୍ୱବିଧାତାଙ୍କର ପରିଭୂ ସଦୃଶ ହୋଇ ରହିଥିବା ସେହି ଦିବ୍ୟ କଣାଟି,–ସେଇ ହେଉଛି ଆମର ଅସଲ ଅହଂଟି,–ଆମ ପ୍ରତ୍ୟେକଙ୍କ ମଧ୍ୟରେ ତାଙ୍କରି ଏକ ପ୍ରକାଶ । ସେଇଟି ରହିଛି ବୋଲି ସିନା ଆମେ ଆଦୌ କୌଣସି ଅଭୀପ୍ସା ତଥା ଆସ୍ପୃହା ନିମନ୍ତେ ମନ କରିଥାଉ । ଅସଲ ଉତ୍ସଟିକୁ ଲୋଡ଼ୁ ଓ ଅସଲ ଶିଖରମାନଙ୍କର ବାସନା ପାଉ । କ୍ଷଣ କ୍ଷଣର ଏହି ଟୁକୁରା ଟୁକୁରା ଜୀବନ ଭିତରେ ଏକ କ୍ଷଣାତୀତତାର ବାସନା ପାଉ । ନିତ୍ୟାନ୍ତ ନଶ୍ୱର ଏହି ଅନିଶ୍ଚିତ ଜୀବନଟି ମଧ୍ୟରେ ତଥାପି ଶାଶ୍ୱତତାର ସେହି ଅନ୍ୟ ସତ୍ୟଟିକୁ ଆବିଷ୍ଲାର କରି ବି ପାରୁ । ସେହି ସତ ଅହଂଟିର ପରିଚୟଟି ମଧ୍ୟରେ ଜୀବନ ବଞ୍ଚିବା, ତାହା ତ ଧର୍ମତଃ ଆମକୁ କେଡ଼େ ସହଜ କରି ରଖିଥାଏ । ଉଭା ଓ ପୋତା ଉଭୟେ ଥାଆନ୍ତି, ମାତ୍ର ସେମାନେ ପରସ୍ପର ମଧ୍ୟରେ କୌଣସି ବଇରୀଭାବ ରଖି ନଥାନ୍ତି । ଜୀବନର ଖିଅମାନେ ଆଦୌ ଅଡ଼ୁଆ ହୋଇ ରହିଥିବା ପରି ସନ୍ତାପ ଦିଅନ୍ତି ନାହିଁ ।

 

ଅନ୍ୟ ପକ୍ଷରେ, ଆମର ସେଇ ଅନ୍ୟ ପ୍ରପୀଡ଼ନକାରୀ ଅହଂଟି ତ ବହୁତ ବହୁତ ଖଳ ଇହଉପଚାର ଭିତରେ ସର୍ବଦା ସତେଅବା ଆପଣାର ଖାସ୍ କୌଣସି ସାମ୍ରାଜ୍ୟବିସ୍ତାରକୁ ହିଁ ନିଜର ସର୍ବପ୍ରଥମ ଅଭିପ୍ରାୟରୂପେ ଗ୍ରହଣ କରି ନେଇଥାଏ, ହେଁସେ ହେଁସେ ବର୍ତ୍ତୁଳତା ମଧ୍ୟରେ ନାନାଭାବେ ବହଳ ହୋଇ ରହିଥାଏ । ସତେଅବା ଆପେ ହିଁ ସବାଉଚ୍ଚ କୌଣସି ଶିଖର ଉପରେ ଆସୀନ ରହି ସିଏ ସିଆଡ଼ୁ ଏହି ପୃଥିବୀକୁ ଆସିଥାଏ । ଯାହାକୁ ପାଏ, ତାହାକୁ ଆପଣା ପାଖରେ ବାଧ୍ୟ କରି ରଖିବାର ବହୁ ଅନାଚରଣ କରିବାର ଲାଗିଥାଏ । ତାକୁ କେହି ସ୍ୱୀକାର ନକରୁଥିଲେ ମଧ୍ୟ ଏହି ପୃଥିବୀରେ ସବୁ ମନୁଷ୍ୟଙ୍କୁ ଆପଣା ଅଧସ୍ତନ ବୋଲି ଧରି ନେଇଥାଏ । ପୃଥିବୀରେ ବହୁ ଅବିବେକର କାରଣ ହୁଏ । ଅହଙ୍କାରୀମାନେ ଗୋଟିଏ ଗୋଟିଏ ସାମୂହିକତା ନାମରେ ଏକଜୁଟ ହୋଇ ଏବେ ଆମପାଇଁ ନାନା ଆପଦ ତଥା ଆତଙ୍କର କାରଣ ହୋଇ ରହିଛନ୍ତି । କେତେ କେତେ ସହଭାଗିତା ନିମନ୍ତେ ଅଭିପ୍ରେତ ହୋଇ ରହିଥିବା ଆମ ପୃଥିବୀକୁ ବହୁତ ବହୁତ ବିକ୍ଷୋଭର ଭିଆଣ ଦ୍ୱାରା ଅସ୍ତବ୍ୟସ୍ତ କରି ରଖିଛନ୍ତି । ଏଠି ଅଧିକାଂଶ ଗୋଳ ତ ସେହି କାରଣରୁ ହିଁ ଲାଗି ରହିଛି । ଜୀବନନାମକ ଏହି ଅସୁମାରି ପୃଥ୍ୱୀ–ଯୋଜନାର ସ୍ୱପ୍ନକୁ ନାନାଭାବେ ପରାହତ କରି ରଖା ଯାଇଛି । ଏବଂ, ସେହି ବିପର୍ଯ୍ୟୟଟି ହେତୁ ଅନନ୍ତ ଦିବ୍ୟସମ୍ଭାବନାକୁ ଧାରଣ କରି ରହିଥିବା ଅସଲ ଅହଂଟି ଆମ ଭିତରେ ଅବହେଳିତ ହୋଇ ରହିଛି । ସେହି ସର୍ବମୂଳ ପରିଚୟଟିର ବଳରେ ସିନା ଏଡ଼େ ବିଶାଳ ପୃଥିବୀଟା ପୂର୍ଣ୍ଣସଚେତନ ଗୋଟିଏ ଘରପରି ଏକତ୍ର ହୋଇ ଆସନ୍ତା-! ଆମର ପରମ୍ପରାଗତ ଧର୍ମମାନେ ଏବଂ ଏପରିକି ଆମ ଯାବତୀୟ ସାମାଜିକ ତଥା ରାଜନୀତିକ ପ୍ରଚେଷ୍ଟାଗୁଡ଼ିକ ନାନା ଅସାଧୁତାରେ ହୁଡ଼ି ଯାଉଥିବାରୁ ମନୁଷ୍ୟମାତ୍ରେ ପ୍ରତ୍ୟେକଙ୍କ ଭିତରେ ଯଥାର୍ଥ ଅହଂଟିକୁ ଆମଠାରୁ ଭୁରୁଡ଼ାଇ ରଖିଛନ୍ତି ବୋଲି ଆମ ସମସ୍ତଙ୍କର ଆଖିଗୁଡ଼ିକୁ ଏତେ ଏତେ ପ୍ରକାରେ ଆଚ୍ଛନ୍ନ କରି ରଖିଛନ୍ତି କି ଏବଂ ଆମ ହୃଦୟମାନଙ୍କୁ ଏପରି ଦୁର୍ଗତ ଭାବରେ କ୍ରିୟାଶକ୍ତିହୀନ କରି ପକାଇଛନ୍ତି କି ?

 

ଏଡେ ଅନିଷ୍ଟର ମୂଳ ଏହି ଅହଂଟା ଉପରେ ବିଜୟ ହାସଲ କରିବାର କେତେ ପରାମର୍ଶମାନ ପ୍ରଦାନ କରି ପୃଥିବୀରେ ପ୍ରାୟ ଏକ ଅତ୍ୟୁତ୍ସାହ ସହିତ କେତେ କଥା କୁହାଯାଇଛି । ସମାଜଧର୍ମରେ ତାହାକୁ ସର୍ବଦା ଆମ ମନୁଷ୍ୟପ୍ରାଣୀ ମାନଙ୍କର ଜୀବନର ସର୍ବପ୍ରଧାନ କରଣୀୟ ବୋଲି ସ୍ୱୀକାର କରାଯାଇଛି । ପ୍ରତ୍ୟାଖ୍ୟାନ, ପ୍ରତିମୋକ୍ଷ,–ଏବଂ ଆହୁରି କେତେ କେତେ ପରିଭାଷାର ଆଶ୍ରୟ ନିଆଯାଇଛି । ରିପୁମାନଙ୍କୁ ଗଣନା କରି ସେହି ଛଅଟି ଉପରେ ମାଲିକ ହୋଇ ବସିଥିବା ଅହଂଟାକୁ କେତେମନ୍ତେ କେତେ ଉପମା ଏବଂ ଅଳଙ୍କାର ଦେଇ ବି କି ସୁନ୍ଦର ବର୍ଣ୍ଣନାମାନ ରହିଛି । ଦାର୍ଶନିକମାନେ ସେଥିଲାଗି ନୀତିଶାସ୍ତ୍ର ନାମକ ଏକ ସ୍ୱତନ୍ତ୍ର ଚର୍ଚ୍ଚାର ଇଲାକାଟାଏ ସୃଷ୍ଟି କରି ରହିଛନ୍ତି । ନୈତିକତା, ନୀତିଶାସ୍ତ୍ର,–ଏଗୁଡ଼ିକୁ ଅଧିକାଂଶ ଅବସରରେ ଆମ ଧର୍ମମାନଙ୍କର ସବାବଡ଼ ଅଂଶ ବୋଲି ଦର୍ଶାଇ ଦିଆଯାଇଛି । ପୃଥିବୀର୍ରେ ଧର୍ମର ପ୍ରତିଷ୍ଠା ନିମନ୍ତେ ଭଗବାନ ବେଳେବେଳେ ସଂସାରରେ ଅବତୀର୍ଣ୍ଣ ହେଉଛନ୍ତି ବୋଲି ଯେଉଁ ଶାସ୍ତ୍ରୀୟ ଘୋଷଣାଟି ରହିଛି, ସେଥିରେ ମଧ୍ୟ ମୂଳତଃ ଏକ ନୈତିକ ବିଶେଷ ବ୍ୟଞ୍ଜନା ପୂରାଇ ଦେଇ ଆମର ପ୍ରଜ୍ଞାଶୀଳ ସାଧୁଜନମାନେ ଆମପାଖରେ ଆଣି ବାଢ଼ିଦେଇ ଆପଣାର କର୍ତ୍ତବ୍ୟ ସମାପନ କରିବା ସକାଶେ ମଧ୍ୟ ଖୁବ୍ ଚେଷ୍ଟା କରିଥାଆନ୍ତି । ନୀତିଭ୍ରଷ୍ଟ ମନୁଷ୍ୟ ଲାଗି କିସମ କିସମର ଶାସ୍ତିମାନ, ମୃତ୍ୟୁଅନ୍ତେ ନରକକୁ ଯିବାର ଭଳି ଭଳି ନିର୍ଣ୍ଣୟ, ସ୍ୱର୍ଗରେ ଅବିଶ୍ରାନ୍ତ ସୁଖ ଭୁଞ୍ଜିବାର ଉଜ୍ଜ୍ୱଳ ପ୍ରତିଶ୍ରୁତି ସକଳ, ଇତ୍ୟାଦି, ଇତ୍ୟାଦି । ହିତୋପଦେଶର ପଣ୍ଡିତ ବିଷ୍ଣୁଶର୍ମା ନାନା କାହାଣୀର କୁଞ୍ଜବନମାନ ଖୋଲିଦେଇ ନୀତିଶାସ୍ତ୍ରର ଗୁଳାମାନଙ୍କରେ ରହିବାର ସୁପରାମର୍ଶମାନ ଆଣି ଖଞ୍ଜି ଦେଇଛନ୍ତି । ଏବଂ, ଅଧିକାଂଶ ସ୍ଥଳରେ ମନ ଅର୍ଥାତ୍ ଆମର ଚିତ୍ତଗ୍ରାମଟିକୁ ବାଗକୁ ଆଣିବା ନିମନ୍ତେ ଆମ ନହନହ ବେତଗୁଡ଼ିକ ଏଡ଼େ ବୁଦ୍ଧିମତ୍ତା ସହିତ ବିଚରା ଏହି ଦେହଟାକୁ ହିଁ ଦଣ୍ଡ ଦେବାଲାଗି କାହିଁକି ଆଗଭର ହୋଇ ଯାଇଛନ୍ତି କେଜାଣି ?

 

ଗୀର୍ଜା, ଧର୍ମ, ଅଥବା ଆମ ରାଜଦରବାର ମାନଙ୍କରେ ଯେ ସେହି ଦଣ୍ଡ ଦେବାର ରୀତିଟିର କେବଳ ପ୍ରୟୋଗ ହୋଇ ଆସିଛି, ତାହା ନୁହେଁ, ଆମ ପିଲାମାନଙ୍କର ଚପଳ ସ୍ୱାଭାବିକତା ଗୁଡ଼ିକୁ ମଧ୍ୟ ପ୍ରାୟ ଏକ ବୁଦ୍ଧିହୀନ ସହଜ ଅବିବେକିତାରେ ସେହି ପ୍ରକ୍ରିୟାଟି ଦ୍ୱାରା ଗାର ଭିତରେ ବଶ କରି ରଖିବାର ପ୍ରଚେଷ୍ଟା କରାଯାଇଛି । ତଥାପି ସେହି ନୈତିକତାଟି ମଧ୍ୟ କାହିଁ-? ଯାହା ହାତରେ ଅଧିକ କ୍ଷମତା, ଅଧିକ ବିତ୍ତ, ଅଧିକ ସୁଯୋଗ, ଯୁଗେ ଯୁଗେ ନିୟମତଃ ସେଇ ଉକ୍ତ ତଥାକଥିତ ନୈତିକତା ଗୁଡ଼ିକ ଜାରି କରି ରଖିଛି । ତୁମେ ଆପଣା ଜୀବନର ଆଚରଣରେ ଏହି ନୀତିଗୁଡ଼ିକରେ ଥାଅ ବା ନଥାଅ, ତଥାପି ଉପରେ ଉପରେ ନିୟମରେ ରହିଛ ବୋଲି ଅଭିନୟମାନ କରୁଥାଅ ପଛକେ, ତଥାପି ବାହାରେ ଯଥୋଚିତ ପ୍ରଦର୍ଶନଗୁଡ଼ିକ କରୁଥାଅ । ବହୁତ ସମୟରେ ଏପରି ମଧ୍ୟ ଧାରଣା କରିହୁଏ ଯେ, ଯେଉଁମାନେ ଉପରେ ଭାଡ଼ିମାନଙ୍କରେ ରହି ନିୟମଗୁଡ଼ିକର ବୟାନ କରନ୍ତି ଏବଂ ହାତରେ ଛାଟ ଧରି ବସିଥାନ୍ତି, ସେମାନେ ମଧ୍ୟ କେଡ଼େ ଶୁଦ୍ଧ ବିବେକର ସହିତ ସେହି ଅଭିନୟଟିକୁ ସ୍ୱୟଂ କରୁଥାଆନ୍ତି । ଆମ ଧର୍ମମଣ୍ଡପ ମାନଙ୍କରେ ସୁଧୀ ସଭାରେ, ଏହି ସଂସ୍କୃତି ନାମକ ସର୍ବବିଧ ଆନୁଷ୍ଠାନିକତାରେ, ରାଷ୍ଟ୍ରଶାସନରେ ଓ ବିଦ୍ୟାଳୟରେ–ସକଳ ଅବକାଶରେ । ଆମର ତଥାକଥିତ ନିବୃତ୍ତିଗୁଡ଼ିକର ଆସ୍ତରଣ ତଳେ ଆମ ଅସଲ ପ୍ରବୃତ୍ତିମାନେ ପୂର୍ଣ୍ଣ ପ୍ରାସଙ୍ଗିକତା ସହିତ ଆମ ନିଜ ଉପରେ ତଥା ସମସ୍ତଙ୍କର ଏହି ପୃଥିବୀ ଉପରେ ଉତ୍ପାତ କରିବାରେ ଲାଗିଥାନ୍ତି । ପୁନଶ୍ଚ, ବାହ୍ୟ ପୋଷାକୀ ଇତ୍ୟାଦିରେ ଆମେ ନୀତିବାଦର ପ୍ରଚଣ୍ଡ ପ୍ରବକ୍ତା ବନି ବୁଲୁଥାଉ ସତ, ମାତ୍ର ନିଜ ଜୀବନର ପ୍ରାୟ ସକଳ କାମନାମେଣ୍ଟଣର କ୍ଷେତ୍ରରେ ଜଣେ ଜଣେ ଦୁଃସାଧ୍ୟ ରାକ୍ଷସବତ୍ ବଞ୍ଚିବାରେ ଲାଗିଥାଉ । ବାହାରର ସବୁଯାକ ନିବୃତ୍ତି–ପ୍ରଦର୍ଶନ ଭିତରର ସେହି ପ୍ରାୟ ଟକଟକ ହୋଇ ଫୁଟୁଥିବା ପ୍ରବୃତ୍ତିମାନଙ୍କୁ ସତେଅବା ପୂର୍ଣ୍ଣ ସଦାଚାର ସହିତ ବାଟଟାକୁ ଛାଡ଼ି ଦେଇଥାଏ ।

 

ଅଧ୍ୟାୟଟିର ଶେଷ ପାରାରେ ଶ୍ରୀ ଅରବିନ୍ଦ କହିଛନ୍ତି : ଅହଂରୁ ମୁକ୍ତ ହୋଇ ସେହି ଯଥାର୍ଥ ଗତିଶୀଳତାର କ୍ରମପରିପୂର୍ଣ୍ଣତାର ପଥରେ ତୁମେ ଶେଷକୁ ଏପରି ଏକ ସ୍ଥିତିରେ ଆସି ପହଞ୍ଚିବ, ଯେତେବେଳେ ତୁମେ ଦିବ୍ୟ ପରମାଜନନୀଙ୍କ ସହିତ ଏକାତ୍ମ ହୋଇ ପାରୁଥିବ; ଏପରି ଗୋଟିଏ ମୁହୂର୍ତ୍ତ ନଥିବ, ଯେତେବେଳେ ନିଜକୁ ତାଙ୍କଠାରୁ ଅଲଗା ବୋଲି ଅନୁଭବ କରୁଥିବ, ଏପରିକି ତାଙ୍କଠାରୁ ଭିନ୍ନ ହୋଇ ରହିଥିବା ଏକ ସତ୍ତା, ଯନ୍ତ୍ର ଓ ଏପରିକି ତାଙ୍କର ଜଣେ ଦାସ କିମ୍ବା କର୍ମୀ ହୋଇ ମଧ୍ୟ ରହିଥିବ । ନାଇଁ ନାଇଁ; ସମ୍ପୂର୍ଣ୍ଣତଃ ଗୋଟିଏ ଶିଶୁ ତଥା ତାଙ୍କରି ଚେତନା ଏବଂ ଶକ୍ତିର ଗୋଟିଏ ଅବିଚ୍ଛେଦ୍ୟ ଶାଶ୍ୱତ ଅଂଶ ବୋଲି ଅନୁଭବ କରିବ । ସିଏ ସର୍ବଦା ତୁମ ଭିତରେ ବିଦ୍ୟମାନ୍‌ ଥିବେ ଓ ତୁମେ ମଧ୍ୟ ତାଙ୍କରି ମଧ୍ୟରେ ଅବସ୍ଥାନ କରୁଥିବ । ଅତ୍ୟନ୍ତ ସରଳ, ସତତ ଓ ସ୍ୱାଭାବିକ ଏକ ପ୍ରତ୍ୟକ୍ଷବୋଧ ହେବାକୁ ଲାଗିବ ଯେ, ତୁମେ ଯାହା କିଛି ଭାବୁଛ, ଯାହା କିଛି ଦେଖୁଛ ଓ ଯାହା କିଛି କରୁଛ, ଏପରିକି ତୁମର ଏହି ସର୍ବକ୍ଷଣର ନିଃଶ୍ୱାସ ଓ ପ୍ରଶ୍ୱାସଗତ ଜୀବନଟି ଏବଂ ସର୍ବବିଧ ଗତିଶୀଳତା,–ସବୁ କିଛି ତାଙ୍କରି ପାଖରୁ ହିଁ ଆସୁଛି ଏବଂ ତେଣୁ ଏସବୁ ପୂର୍ଣ୍ଣ ବାସ୍ତବରେ କେବଳ ତାଙ୍କର । ହଁ, ତୁମେ ଏବେ ଅବଶ୍ୟ ଜାଣିବ, ଦେଖିବ ଏବଂ ଅନୁଭବ କରିବ ଯେ, ତୁମେ ହେଉଛ ଏପରି ଜଣେ ବ୍ୟକ୍ତି ଏବଂ ଏପରି ଏକ ଶକ୍ତି, ଯାହାକୁ କି ସେଇ ଆପଣା ଭିତରୁ ଗଠିତ କରି ଆଣିଛନ୍ତି, ନିଜ ଭିତରୁ ଆଣି ହିଁ ଏକ ଅନ୍ୟ ରୂପ ପ୍ରଦାନ କରିଛନ୍ତି, ତାଙ୍କରି ଲୀଳା ନିମନ୍ତେ ହିଁ ସିଏ ସେପରି କରିଛନ୍ତି । ତଥାପି, ତୁମେ ନିରନ୍ତର ନିରାପଦ ହୋଇ ରହିଛ, ତାଙ୍କରି ସତ୍ତାର ଏକ ସତ୍ତା ହୋଇ ରହିଛ,–ହଁ ତାଙ୍କରି ଚେତନାର ହିଁ ଚେତନାଟିଏ ହୋଇ ରହିଛ । ତାଙ୍କର ଆନନ୍ଦର ଆନନ୍ଦ ହୋଇ ରହିଛ ।

 

ଏବଂ, ସବା ଶେଷକୁ, ‘ଯେତେବେଳେ ଏହି ସ୍ଥିତିଟି ପୂର୍ଣ୍ଣ ହୋଇଯିବ ଓ ତାଙ୍କର ମାନସୋତ୍ତର ଶକ୍ତିଚୟ ତୁମ ମଧ୍ୟରେ ମୁକ୍ତ ଅର୍ଥାତ୍ ଅବାଧ ଭାବରେ ସଚଳ ହେବେ, ତେବେ ତୁମ ଯେଉଁ ପରିପୂର୍ଣ୍ଣତାର ଅଧିକାରୀ ହେବ : ଯାବତୀୟ ଦିବ୍ୟ କର୍ମର ଯୋଗ୍ୟ ହେବ । ତୁମର ଜ୍ଞାନ, ଇଚ୍ଛାଶକ୍ତି ଏବଂ ଯାବତୀୟ କର୍ମସମ୍ପାଦନ ସେତେବେଳେ ସମ୍ପୂର୍ଣ୍ଣ ଭାବରେ ସଂଶୟ ରହିତ ହେବେ-। ତେଣୁ ସୁନିଶ୍ଚିତ ଏବଂ ସରଳ ହେବେ, ଆଲୋକଯୁକ୍ତ ହେବେ, ସ୍ୱତଃସ୍ଫୂର୍ତ୍ତ ହେବେ । ସେଗୁଡ଼ିକ ମଧ୍ୟରେ ଆଉ ଦୋଷ ବା ଖୁଣ ବୋଲି କିଛି ନଥିବ,–ସବୁକିଛି ସେହି ପରମୋଚ୍ଚ ସର୍ବକର୍ତ୍ତାଙ୍କ ଠାରୁ ଉତ୍ସାରିତ ହୋଇ ଆସୁଥିବ, ସେହି ପରମ ଚିରନ୍ତନଙ୍କର ଏକ ଦିବ୍ୟ ଚଳମାନତାକୁ ରୂପାନ୍ତରିତ ହୋଇ ଯାଇଥିବ ।’ ସାନ ଅଧ୍ୟାୟଟିର ଏହି ସର୍ବଶେଷ ପାରା ଏବଂ ପଂକ୍ତିକତିପୟଯାଏ ଆସିବାବେଳକୁ ଯଦି ଏସବୁ ମୋ’ ପାଇଁ ଓ ଆମପାଇଁ ମଧ୍ୟ ଲେଖା ହୋଇଥିବାର ଏକ ଯଥାର୍ଥ ଆତ୍ମବୋଧ ହେଉଥାଏ, ତେବେ ତ ସବାଆଗ ଅବଗାହି ପଡ଼ିବାକୁ ହିଁ ମନ ହେବ । ସତକୁ ସତ ଆଗ କ’ଣ ସବୁର ପ୍ରତ୍ୟାଖ୍ୟାନ କଲେ ଯାଇ ଯେ ଏକ ଅବଗାହନ ନିମନ୍ତେ ଏକ ପ୍ରମାଣପତ୍ର ମିଳିବ, ସେକଥା ସତ ନୁହେଁ ବୋଲି ଏହି ପରିଣତ ଅନ୍ତସ୍କରଣଟିର ହିଁ କେତେ ନିର୍ଭର ମିଳିଯିବ-। ଭିତରେ ନିଶ୍ଚୟ କେତେ କେତେ ପୁରୁଣା ତାପି ରହି ଯାଇଛନ୍ତି ବୋଲି ସମ୍ପୂର୍ଣ୍ଣ ଭାବରେ ସୂତରମାନେ ମିଳି ଯାଉଥିଲେ ମଧ୍ୟ ଆମେ ତଥାପି ମିଛଟାରେ ଅଚ୍ଛବପ୍ରାୟ ମଣି କୁଣ୍ଠିତ ହୋଇ ରହିଯାଉ ନଥିବା । ନିଜ ପାଖରେ ଦ୍ରୋହୀ ପରି ଆଚରଣ କରି କଦାପି ସେହି ଅବଗାହନର ଆମନ୍ତ୍ରଣଟି ଆସି ପହଞ୍ଚିଗଲା ବୋଲି ଜାଣିପାରିଲେ ମଧ୍ୟ କଦାପି ନାନା ଆତ୍ମଜୁଗୁପ୍ସା ମଧ୍ୟରେ ପଡ଼ି ରହିବାନାହିଁ । ଅସଲ ମୁକ୍ତ ତ ସେଇ, ଯିଏକି ମୁହୂର୍ତ୍ତଟି ଆସି ପହଞ୍ଚି ଯାଇଛି ବୋଲି ସେହି ଦିବ୍ୟ ବାରତାଟିକୁ ପାଇ ଅବଗାହନଟି ସକାଶେ ଆଗୁସାର ହୋଇଯାଏ । ମୁକ୍ତିର ଅବବୋଧଟି ହେବା ମାତ୍ରକେ ଆପଣାକୁ ଜଣେ ବ୍ୟକ୍ତିର ପୂର୍ଣ୍ଣବୋଧରେ ଦେଖି ହୁଏ ଏବଂ ତେଣେ ପୂର୍ଣ୍ଣ ବିଶ୍ୱାସଟି ମଧ୍ୟ ରହିଥାଏ ଯେ ତାଙ୍କର ପରିପୂର୍ଣ୍ଣ ସୁରକ୍ଷା ଅନୁକ୍ଷଣ ଅବାରିତ ହୋଇ ରହିଛି । ବିଶ୍ୱାସରୁ ବଳ ମିଳେ,–ମୁକ୍ତ ବ୍ୟକ୍ତିଟିଏ ହୋଇ ବାଟ ଚାଲିବାର ସେହି ଅଧ୍ୟାତ୍ମର ବଳ । ସେହି ବିଶ୍ୱାସଟି ହେତୁ କେତେ କେତେ କାତରତା ବିଦା ହୋଇ ବି ଯାଆନ୍ତି । ଯାହାସବୁ ଖସି ପଡ଼ିବା କଥା, ସେମାନେ କେଡ଼େ ଅଜାଣତ ଭାବରେ ଖସି ପଡ଼ନ୍ତି, ପଛରେ ରହିଯାଆନ୍ତି । ଆମେ ସଚେତନ ଭାବରେ କୋଉଠି କ’ଣ ସବୁର ପ୍ରତ୍ୟାଖ୍ୟାନ କରୁଛୁ ବୋଲି ଜାଣିବାକୁ ସତେଅବା ବେଳ ନଥାଏ । ତେଣୁ, ଏବାଟଟିରେ ଯିବା ନିମନ୍ତେ ମୋତେ ବା ଆମକୁ କ’ଣ ସବୁ ଛାଡ଼ି ଆସିବାକୁ ପଡ଼ିଲା ବୋଲି ଅଶ୍ରୁମୋଚନ କରିବାର ମୋଟେ କୌଣସି ଦୁର୍ଭାଗ୍ୟ ବା କାହିଁକି ହେବ ?

 

ସେହି ସ୍ଥିତିଟି ଆସିଗଲେ ଆମେ ନିଜକୁ ଯଥାର୍ଥରେ ଗୋଟିଏ ଶିଶୁ ବୋଲି ଅନୁଭବ କରିବା,–ଭିନ୍ନ ଆଉ ଜଣେ, ଏକ ଅନ୍ୟ ସତ୍ତା, ଏକ ଯନ୍ତ୍ର, ସେବକ ଅଥବା କର୍ମୀରୂପେ ମଧ୍ୟ ଅନୁଭବ କରିବାକୁ ସେତେବେଳେ ଆଉ ଅବକାଶ ରହିବ ନାହିଁ । ଏହି ପୃଥିବୀରେ କେତେ କେତେ ବିଶେଷଜନ ସର୍ବତ୍ର ସବୁବେଳେ ଥାଆନ୍ତି, ଯେଉଁମାନେ କି କେତେ ଖାସ୍ ସଚେତନତା ସହିତ ଆପଣାକୁ ଜଣେ ଜଣେ ବୃହତ୍ କର୍ମୀ ତଥା ବିଶେଷ ଯନ୍ତ୍ରବୋଲି ଭାବି କେତେ ନା କେତେ ମନଃପ୍ରସନ୍ନତା ଲାଭ କରନ୍ତି । କୌଣସି କାରଣରୁ ସେମାନେ ଶିଶୁ ହୋଇ ପାରିନଥାନ୍ତି ବୋଲି ଏମାନେ ସେତିକି ଭିତରେ ରହିଥାନ୍ତି ଅଥବା ସେତିକି ମଧ୍ୟରେ ବାନ୍ଧି ହୋଇ ରହିଥିବାରୁ ଶିଶୁ ହୋଇ ପାରନ୍ତିନାହିଁ କି ? ତେଣୁ ପ୍ରତ୍ୟାଖ୍ୟାନର ଯାବତୀୟ ନକାରାତ୍ମକତାରୁ ମୁକୁଳି ଆସିବା, ସର୍ବବିଧ ଦୋଷ-ସଚେତନତା ମଧ୍ୟରୁ ସତେଅବା ପୂରା ଅଜାଣତରେ ବାହାରି ଆସି ଶିଶୁଟିଏ ହେବା ସମ୍ଭବ ହୁଏ । ଶିଶୁଟିଏ ହେବା, ତାହା ହିଁ ସନ୍ତାନଟିଏ । ସତକୁ ସତ ଅତ୍ୟନ୍ତ ନିଦା କଥାଟିଏ ଯେ, ଜଣେ ଶିଶୁ ହେବାର, ସନ୍ତାନ ହେବାର ସମ୍ଭାବନାଟି ଆମ ପ୍ରତ୍ୟେକଙ୍କ ଭିତରେ ହିଁ ରହିଥାଏ, ଯାହାକି ଆମଠାରୁ ଅନୁକୂଳତା ଲାଭ କଲେ ଆପେ ଆପେ ପ୍ରସ୍ଫୁଟିତ ହୋଇଆସେ । ମୁଁ ଯେ ବିଧାତାଙ୍କର କର୍ମରେ ଏକ ଯନ୍ତ୍ରରୂପେ ତିଆରି ହେଉଛି, ଯନ୍ତ୍ର ହୋଇ ତିଆରି ହୋଇ ପାରିବାଲାଗି ସାଧନା କରୁଛି, ହଁ, ପରିପୂର୍ଣ୍ଣ ନିଷ୍ଠାର ଚଉବାଡ଼ ଭିତରେ ରହି ଖାସ୍ ଏସବୁ କରୁଛି, ଏହି କାଟର ସକଳ ସଚେତନତାରୁ ମୁକ୍ତ ହୋଇ ପାରିବାଦ୍ୱାରା ହିଁ ଆମେ ସତକୁ ସତ ବିଶ୍ୱଜନନୀଙ୍କର ସମୁଚିତ ଯନ୍ତ୍ରଟିଏ ହୋଇପାରୁ । ସଚେତନ ଯନ୍ତ୍ରମାନେ ସର୍ବଦା ପୃଥିବୀ ଲାଗି ବହୁ ପ୍ରମାଦର କାରଣ ହୁଅନ୍ତି-। ଶିଶୁଟିଏ ହୋଇ ପାରିନଥାନ୍ତି ଏବଂ ତେଣୁ ସନ୍ତାନଟିଏ ହେବାର ସହଜ ଖୁସିଟିରୁ ବହୁ ଦୂରରେ ରହିଥାଆନ୍ତି । ଦୂରରେ ରହିଥାନ୍ତି ବୋଲି ସମ୍ଭବତଃ ନୈତିକତା ନାମରେ ନାନା କୃଚ୍ଛ୍ରକଷଣକୁ ଆଣି ପୃଥିବୀ ଉପରେ ଲଦି ଦେଉଥାନ୍ତି । ହଁ, ଆପଣାର ସେହି ଖାସ୍ ତତ୍ପରତାର ଏକ ଫଳ ସେମାନଙ୍କୁ ଅବଶ୍ୟ ମିଳେ ସତ, ମାତ୍ର ତାହା ପରମା ବିଶ୍ୱଧାତ୍ରୀଙ୍କର ନକ୍ସାଟି ପାଖରୁ ସତେଅବା ଦୂରକୁ ଦୂରକୁ ହୁଡ଼ାଇ ନେବାରେ ବରଂ ଅଧିକତର ସହାୟତା ହିଁ କରନ୍ତି । ତେଣୁ, ଶିଶୁମାନଙ୍କ ଲାଗି, ସନ୍ତାନମାନଙ୍କ ଲାଗି ତଥାପି ଅପେକ୍ଷା ରହିଥିବ ।

 

ଷଷ୍ଠ ଅଧ୍ୟାୟରେ ପ୍ରବେଶ କରିବା ପୂର୍ବରୁ ଆମେ ଏହି ସତ୍ୟଟିକୁ ଅବଶ୍ୟ ମନେ ରଖିବା-। ଶ୍ରୀ ଅରବିନ୍ଦଙ୍କର ଶବ୍ଦଚୟରୁ ବଳ ନେଇ କହିଲେ, ‘ଆମେ ପ୍ରତ୍ୟେକେ ହେଉଛୁ ଗୋଟିଏ ବ୍ୟକ୍ତି ଏବଂ ଶକ୍ତି, ପରମା ବିଧାତ୍ରୀଙ୍କଠାରୁ ଫିଡ଼ିକି ପଳାଇଥିବା ଆଦୌ ଗୋଟିଏ ଗୋଟିଏ ଶକ୍ତି ଏବଂ ଜଣେ ବ୍ୟକ୍ତି ନୋହୁ, କାରଣ ଆମେ ଆମର ସେହି ଉଭୟ ସ୍ଥିତିରେ ତାଙ୍କରିଦ୍ୱାରା ସୁରକ୍ଷିତ ହୋଇ ରହିଛୁ, ତାଙ୍କର ସତ୍ତାର ଏକ ସତ୍ତା ହୋଇ ରହିଛୁ, ତାଙ୍କରି ଚେତନାର ଏକ ଚେତନା ହୋଇ ରହିଛୁ-। ଆମ ଶକ୍ତି ତାଙ୍କରି ଶକ୍ତି ।’ ବନ୍ଧୁ, ଜଣେ ଶିଶୁ ହୋଇ ପାରିଲେ ଏବଂ ସନ୍ତାନ ହେଲେ ଯାଇ ଆମେ ଏହି କଥାଟିର ପ୍ରାଣ ପ୍ରବେଶ କରିପାରିବା । ନଚେତ୍ ବହୁ ସିଦ୍ଧାନ୍ତର ତୁଚ୍ଛା ତୋଟାଗୁଡ଼ାକ ଭିତରେ ହିଁ ଭ୍ରମ ବୁଲିବାରେ ଲାଗିଥିବା । ଶିଶୁ ହେବା, ସନ୍ତାନଟିଏ ହେବା, ଅର୍ଥାତ୍ ଖେଳେଇ ହୋଇଯିବା । ଆପଣା କ୍ଷୁଦ୍ର ଅହଂବୋଧ ଗୁଡ଼ିକର ମାୟା ଛାଡ଼ିଗଲେ ସିନା ଏହି ପୃଥିବୀଟି ତାଙ୍କରି ହାତରେ ଗଠିତ ହୋଇ ଆସୁଥିବା ଏକ ପ୍ରୟୋଗଶାଳା ରୂପେ ଅନୁଭବ ହେବ ! ଏହି ପୂର୍ଣ୍ଣ ପୃଥିବୀଟି ନେଇ ତାଙ୍କର ଅବିରତ ଏହି ପ୍ରୟୋଗ,–ଏବଂ, ଆମେ ତ ଏଇ ସତ୍ୟଟିକୁ ବୁଝି ଆପଣାକୁ ସର୍ବଦା ଅଶେଷ ଭାଗ୍ୟଶାଳୀ ମନେ କରୁଥିବା ଯେ ମୁଁ ଓ ଆମେ ପ୍ରତ୍ୟେକେ ସେହି ପ୍ରୟୋଗଟି ମଧ୍ୟରେ ରହିଛୁ, ସେହି ପ୍ରୟୋଗଟି ସକାଶେ ପରମା ଜନନୀଙ୍କ ଦ୍ୱାରା ଲୋଡ଼ା ମଧ୍ୟ ହେଉଛୁ । ପରମା ଜନନୀ ଯେ ଆମେ ସମସ୍ତଙ୍କୁ ନେଇ, ପ୍ରତ୍ୟେକଙ୍କୁ ନେଇ ପ୍ରୟୋଗଟି କରୁଛନ୍ତି, ତାହା ଏହି ପୃଥିବୀନାମକ ତାଙ୍କରି ଭୂମିଟି ଉପରେ କରୁଛନ୍ତି । ପୃଥିବୀଟି ଯଦି ତାଙ୍କରି ଏବଂ ଦିବ୍ୟ ପରମାଜନନୀ ଯଦି ଆମରି, ତେବେ ଏହି ପୃଥିବୀଟି ମଧ୍ୟ ସକଳ ନ୍ୟାୟରେ ଆମର । ଆମେ ସେହି ପୃଥିବୀ ଭିତରେ ଖେଳେଇ ହୋଇଯିବା । ମୋଟେ ଘର ବାରିବାନାହିଁ ଟି ! ପୃଥିବୀଟା ମୋତେ ବା ଆମକୁ ଅମୁକଟାକୁ ଅଥବା ସମୁକଟାକୁ ଦେଇ ପାରିଲାନାହିଁ ବୋଲି ମନେ କରି ଆଦୌ ତା’ ଠାରୁ ମୁହଁ ବୁଲାଇ ନେବାନାହିଁ । ଆମେ ଆପଣାଆଡ଼ୁ ପୃଥିବୀର ହୋଇଯିବା । ଅର୍ଥାତ୍ ପରସ୍ପରର ହୋଇଯିବା । ପରସ୍ପରର ଏହି ଯାବତୀୟ ପୃଥ୍ୱୀଆସ୍ପୃହାକୁ ନେଇ ନିଜ ଜୀବନଗୁଡ଼ିକୁ ବଞ୍ଚିବା । ନିଜ ଜୀବନରେ ଦିବ୍ୟ ଜନନୀଙ୍କୁ ଏକ ଥାନ ଦେଇପାରିବା ମାତ୍ରକେ ଆମେ ପ୍ରତ୍ୟେକେ ପୃଥିବୀରେ ହିଁ ସିଏ ସଦା ପୂର୍ଣ୍ଣ ଓ ସଦା କ୍ରିୟାଶୀଳ ହୋଇ ରହିଛନ୍ତି ବୋଲି ସ୍ୱୀକାର କରିନେବାକୁ ଆଦୌ କୌଣସି ସ୍ୱତନ୍ତ୍ର ସାଧନା କରିବାକୁ ପଡ଼ିବନାହିଁ । ତେଣୁ ଏକ ପରିପୂର୍ଣ୍ଣ ସଙ୍ଗତିର ଏକ ପରିପୂର୍ଣ୍ଣ ସଂହତି ଓ ସେଥିରୁ ଏକ ପରିପୂର୍ଣ୍ଣ ସଂପୃକ୍ତି ।

 

ଏହିପରି ଏକ ପରିପୂର୍ଣ୍ଣ ସନ୍ତାନମନର ସହଜତା ସହିତ ଆମେ ‘ମାଆ’ ବହିର ସର୍ବଶେଷ ଅଧ୍ୟାୟ ମଧ୍ୟରେ ପ୍ରବେଶ କରିବା । ଆମର ସେହି ପୁରୁଣା ଚିତ୍ରରୂପ ବା ଚିତ୍ରକଳ୍ପ ଗୁଡ଼ିକ ଦ୍ୱାରା ବହକି ଯାଇ ଆମେ ପୁସ୍ତକଟିର ଅଧ୍ୟାତ୍ମ ଆହ୍ୱାନଗୁଡ଼ିକୁ ଅନ୍ୟଭଳି କରି ପକାଇବା ନାହିଁ । ସମୁଚିତ ପରିମଳ ଗୁଡ଼ିକର ଯୋଗ୍ୟ ହୋଇ ବାର୍ତ୍ତାଗୁଡ଼ିକର ଅର୍ଥଭୂମିଟିକୁ ଚହଲାଇ ପକାଇବା ନାହିଁ । ସମ୍ଭବତଃ ପ୍ରଥମ ପାଞ୍ଚ ଅଧ୍ୟାୟକୁ ଏକତ୍ର ଗୁନ୍ଥି ଆଣି ସ୍ୱତନ୍ତ୍ର ଭାବରେ ଅଳପରେ କିଛି ଆମ ସମସ୍ତଙ୍କର ଗୋଚରକୁ ଆଣିବାଲାଗି ଏକ ନିଷ୍ପତ୍ତି ନିଆଯିବା ପରେ ଶ୍ରୀ ଅରବିନ୍ଦ ଏହି ସର୍ବଶେଷ ଅଧ୍ୟାୟଟିକୁ ଆଣି ଯୋଡ଼ିଦେବା ପାଇଁ ବିହିତ ବୋଲି ଇଚ୍ଛା କରିଥିଲେ । ଏହାକୁ ଆମେ ଏକ ସ୍ୱତନ୍ତ୍ର ଅଧ୍ୟାୟ ବୋଲି କଦାପି ଗ୍ରହଣ କରିବା ନାହିଁ । ପ୍ରଥମ ପାଞ୍ଚଗୋଟିର ଏକ ସନ୍ଦର୍ଭ ଅର୍ଥାତ୍ ପୃଷ୍ଠଭୂମି ଉପରେ ସେଇଟିର ରଚନା ହୋଇଛି ଏବଂ ସେହି ପୃଷ୍ଠଭୂମିକୁ ଆହୁରି ଅଧିକ ତାତ୍ପର୍ଯ୍ୟଯୁକ୍ତ କରାଯାଇଛି । ଜଣେ ସନ୍ତାନର ଆଖି ଛଅଟିଯାକ ଅଧ୍ୟାୟକୁ ହିଁ ଏକତ୍ର ଏକ ସମ୍ପୂର୍ଣ୍ଣ ଆହ୍ୱାନ ବୋଲି ଗ୍ରହଣ କରିବ । ତେବେ ଯାଇ ଅସଲ ଓ ସମଗ୍ର ଆଲୋକଟିର ମୁଖଶାଳା ମଧ୍ୟକୁ ବାଟ ପାଇବ, ହୋଇପାରିବ । ଆମନ୍ତ୍ରଣଟିର ଅଧିକ ଯୋଗ୍ୟ ହେବ ।

Image

 

Unknown

ଷଷ୍ଠ ଅଧ୍ୟାୟ

 

ପରମା ଜନନୀଙ୍କର ଚାରିଗୋଟି ଶକ୍ତି,–ସେହି କେବଳ ଚାରୋଟିମାତ୍ର ଶକ୍ତି ନୁହନ୍ତି–ତାଙ୍କର ଅନନ୍ତ ଓ ଅସୁମାରି ଶକ୍ତି ଅର୍ଥାତ୍ ବ୍ୟକ୍ତିତ୍ଵ,–ଶ୍ରୀ ଅରବିନ୍ଦ ସେହିଗୁଡ଼ିକୁ ତାଙ୍କର ମୁଖ୍ୟ ବ୍ୟକ୍ତିତ୍ଵଗୁଡ଼ିକ ମଧ୍ୟରୁ ଚାରୋଟି ବୋଲି କହିଛନ୍ତି । ଆମର ଠଉରାଇ ପାରିବାର ଗାରଗୁଡ଼ିକ ଭିତରେ ଆମେ ଯେତିକିଟିର କିଛି ନା କିଛି ଅନ୍ଦାଜ କରିପାରିବା, ସେହିପରି ଚାରିଗୋଟି ବ୍ୟକ୍ତିତ୍ଵ । ଶାସ୍ତ୍ରୀୟ ପରିଭାଷାରେ ସେଗୁଡ଼ିକୁ ସମ୍ଭବତଃ ଗୋଟିଏ ଗୋଟିଏ ସ୍ଵରୂପ–ଲକ୍ଷଣ ବୋଲି କୁହାଯାଇ ପାରିବ । ସେଗୁଡ଼ିକ ହେଉଛନ୍ତି ତାଙ୍କ ଦିବ୍ୟତ୍ୱର ସାକାର କେତୋଟି ପରିପ୍ରକାଶ, ଯାହାର ମାଧ୍ୟମରେ ସେ ଆପଣାର ଆମ ଜୀବନଧାରୀ ପ୍ରାଣୀମାନଙ୍କ ଉପରେ କ୍ରିୟା କରନ୍ତି, ଏହି ସୃଷ୍ଟ ଜଗତ ସକଳ ଭିତରେ ନିଜର ସର୍ଜନାଚୟକୁ ଏକ ବ୍ୟବସ୍ଥା ତଥା ସମଞ୍ଜସତା ମଧ୍ୟରେ ଖଞ୍ଜି ରଖିଥାନ୍ତି ଏବଂ ତାହାରି ମାଧ୍ୟମରେ ଆପଣାର ସହସ୍ରସଂଖ୍ୟକ ସମର୍ଥତାଗୁଡ଼ିକୁ ଏଠାରେ ନାନାରୂପେ ଅଭିବ୍ୟକ୍ତ କରି ଆଣିବାର ପ୍ରକ୍ରିୟାଟିର ପରିଚାଳନା କରିଥାଆନ୍ତି । ହଁ, ପ୍ରକୃତରେ ଆମରି କିଛି ନା କିଛି ଅନ୍ଦାଜ ହୁଏତ ପାଇବ ବୋଲି ଆମର ପରିଚିତ ଚାରୋଟି ଠୁଳ କଳ୍ପନାରେ । ଆମେ ତେଣୁ ଅନୁମାନ ବି କରିପାରିବା ଯେ ପରମା ଜନନୀ ସେଗୁଡ଼ିକୁ ସର୍ବବୃହତ୍ ବା ସବାଆଗର ବୋଲି ବିଚାର କରି ମୋଟେ ସେମାନଙ୍କୁ ବାଛିନାହାନ୍ତି, ବରଂ ଆମ ପରିଚିତ କେତୋଟି ମିଥ୍‌ଗୁଡ଼ିକୁ ବ୍ୟବହାର କରି କହିଲେ, ସେଇଟି ଏକ ଖାସ୍ ସାଂସ୍କୃତିକ ପରିଚିତି ମଧ୍ୟରେ ଦୀର୍ଘକାଳରୁ ଜୁଆ ହୋଇ ଆସିଥିବା ଆମର ମାନସଚେତନା ନିମନ୍ତେ ଅଧିକ ଗ୍ରହଣୀୟ ହୋଇପାରିବ ବୋଲି ସେଭଳି କରାଯାଇଛି । ଏବଂ, କହିବା ବାହୁଲ୍ୟ, ଶ୍ରୀ ଅରବିନ୍ଦ ସେହି ଗୋଟିଏ କାରଣରୁ ରୂପଗୁଡ଼ିକୁ ମାଧ୍ୟମ କରି ଆମପାଇଁ ସେହି ମାତୃବ୍ୟକ୍ତିତ୍ଵ ଗୁଡ଼ିକର ଚର୍ଚ୍ଚା କରିଛନ୍ତି । ଭ୍ରମରେ ପଡ଼ିବାର କୌଣସି କାରଣ ନାହିଁ ।

ଏବଂ ତଥାପି ଏହି ମୂଳରୁ ହିଁ ସକଳ ଭ୍ରମର ଅପନୋଦନ କରିବାପାଇଁ ଠିକ୍ ତା’ପରେ ଅଧିକ ନିର୍ଦ୍ଦିଷ୍ଟ କରିଦେଇ ସେ କହିଛନ୍ତି, ପରମା ଜନନୀ ହେଉଛନ୍ତି ଗୋଟିଏ, ସକଳ ଅର୍ଥରେ ଜଣେ, ଗୋଟିଏ ବ୍ୟକ୍ତିତ୍ଵ, ଗୋଟିଏ ପରିଚୟ ଏବଂ ତେଣୁ ଗୋଟିଏ ବିଶ୍ଵବ୍ୟବସ୍ଥା ଅର୍ଥାତ୍ ବିଶ୍ଵ–ଉଦ୍ୟମର ସେହି ପରମ ଅଧିଷ୍ଠାନ ।–ଏବଂ ଆପଣାର ଭଳି ଭଳି ରୂପବିଭାବର କଳ୍ପନାଭାସମାନ ଦେଇ ସିଏ ଆମଲାଗି ଦୃଶ୍ୟମାନ ହୁଅନ୍ତି,–ସକଳ ଆବଶ୍ୟକତାରେ ଆମରି ନିମନ୍ତେ,–ତାଙ୍କର କୌଣସି ପ୍ରୟୋଜନରେ ଆଦୌ ନୁହେଁ । ତାଙ୍କର ଗଣନାତୀତ ଶକ୍ତି, ଗଣନାତୀତ ବ୍ୟକ୍ତିତ୍ଵ ଏବଂ ଆମର ଏହି ବ୍ରହ୍ମାଣ୍ଡରେ ତାଙ୍କରି ବହୁ ପ୍ରସର୍ଜନ ଓ ବିଭୂତି କ୍ରିୟାଶୀଳ ରହି ତାଙ୍କର କାର୍ଯ୍ୟଟିର ସମ୍ପାଦନ କରୁଛନ୍ତି । ତେଣୁ, ଯାହାଙ୍କୁ ଆମେ ପରମା ଜନନୀ ବୋଲି ଆରାଧନା କରୁ, ସିଏ ହେଉଛନ୍ତି ସତକୁ ସତ ସେହି ଦିବ୍ୟ ପରମ ଚେତନାମୟତାର ମୂଳଭୂତ ସେହି ଶକ୍ତି ଯାହାକି ସକଳ ଅସ୍ତିତ୍ଵର ପରିଭୂରୂପେ ପ୍ରତିଷ୍ଠିତ ରହିଛନ୍ତି । ସର୍ବତୋଭାବେ ଜଣେ, ଗୋଟିଏ–ତଥାପି ଏତେ ଏତେ ବିଭବରେ ଅର୍ଥାତ୍ ଏତେବିଧ ପ୍ରକାଶରେ ଆମ ଲାଗି ପ୍ରତିଭାତ ହେବାରେ ଲାଗିଥାଆନ୍ତି ଏବଂ ଲାଗିଛନ୍ତି । କାରଣ ଏକାଧିକ, ତଥାପି ଆମେ ପୁରୁଣାମାନେ ବୁଝିବା ଭଳି କାରଣ କିଛି ବି ନାହିଁ । ତେଣୁ, ଆମେ ବୁଝି ପାରିବା ଭଳି ସିଏ ବହୁଭୁଜା ଓ ଦଶପ୍ରହରଣଧାରିଣୀ ଏବଂ ଆହୁରି ଏଇଟି ଏବଂ ସେଇଟି । ସକଳ ବ୍ୟଞ୍ଜନାରେ ‘ବହୁପ୍ରସ୍ଥଯୁକ୍ତ’ । ଏବଂ, ଆମେ ଯେଉଁମାନେ ଏହି ନିତ୍ୟ ବିଶ୍ଵସର୍ଜନା ଓ ବିଶ୍ଵବ୍ୟବସ୍ଥାରେ ତାଙ୍କର ସେହି ସ୍ଵଗତିଶୀଳତାର ବିଧିଗୁଡ଼ିକୁ ବୁଝିବାକୁ ମନ କରିବା, ଆମକୁ ସର୍ବଦା କେବଳ ନିରସ୍ତ ହୋଇ ଫେରି ଆସିବାକୁ ହିଁ ପଡ଼ିବ । ଆମର ଏହି ମନଟା ଯେତେ ଅଧିକ ପରିମାଣରେ ପ୍ରବୀଣ ଓ ବେଗଶାଳୀ ହୋଇଥାଉ ପଛକେ ଏବଂ ବୁଦ୍ଧିଟି ମଧ୍ୟ ଯେତେ ମୁକ୍ତ ଅଥବା ପ୍ରସାରକ୍ଷମ ହୋଇଥାଉ ପଛକେ, ସେକଥା ଆମଲାଗି କେବଳ ଅସାଧ୍ୟ ହୋଇ ହିଁ ରହିଥିବ-

 

ହଁ, ପରମା ଜନନୀ ହେଉଛନ୍ତି ସେହି ସର୍ବପରମ ସର୍ବୋଚ୍ଚ ସତ୍ତାଟିର ହିଁ ଚେତନା ଓ ଶକ୍ତିମତ୍ତା । ଏବଂ, ଜଗତ ନାମକ ଏହି ସର୍ଜନାଟି ମଧ୍ୟରେ ସେ ଯାହା କିଛି ଆଦୌ କୌଣସି ଅବୟବ ଦେଇ ଗଢ଼ିଛନ୍ତି, ସେହି ସବୁ କିଛି ଠାରୁ ସିଏ ବହୁ, ବହୁ ଉର୍ଦ୍ଧ୍ୱରେ । ତଥାପି, ତାଙ୍କର ଅନୁସୃତ ମାର୍ଗମାନଙ୍କ ମଧ୍ୟରୁ ଆମେ ଅବଶ୍ୟ କିଛି କିଛି ଦେଖି ପାରିବା ଏବଂ ଘ୍ରାଣ ମଧ୍ୟ କରିପାରିବା : ତାଙ୍କର ଏହି ସାକାର କଳ୍ପନାରୂପ କେତୋଟିର ମାଧ୍ୟମରେ, ଆମର ଆଖିମାନେ ଗ୍ରହଣ କରି ପାରୁଥିବା ଏହି କତିପୟ ମାଧ୍ୟମରେ । କାରଣ, ଆମେ ଗ୍ରହଣ କରି ପାରିବାପରି ସେଗୁଡ଼ିକର କିଛି ନା କିଛି ସଂଜ୍ଞା ବେଶ୍ ଉପଲବ୍ଧ ହୋଇ ଯାଇ ପାରୁଥିବ, ଆମର ପରିଚିତ ସୀମାଗୁଡ଼ିକ ମଧ୍ୟରେ ସେଗୁଡ଼ିକର ପ୍ରକୃତିକୁ ବେଶ୍ ବୋଧଗମ୍ୟ ପରି ପ୍ରତୀତ ବି ହେଉଥିବ । ସେହି ଦେବୀରୂପର ଯେଉଁସବୁ ବିଶେଷ ବର୍ଗର କର୍ମସାଧନ ସହିତ ଆମେ ପରିଚିତ ରହିଆସିଛୁ, ସେଗୁଡ଼ିକର ଡାଳ ଧରି ଆମେ ଆପଣାର ବୋଧ୍ୟ ଅନୁମାନଗୁଡ଼ିକୁ ମଧ୍ୟ କିଛି ଅର୍ଥ ଦେଇ ପାରୁଥିବା-। ସେହି ଆମଲାଗି ଅଭ୍ୟସ୍ତ ରୂପଗୁଡ଼ିକୁ ଦେଇ ସିଏ ଆପଣାର ସୃଷ୍ଟ ସତ୍ତାମାନଙ୍କ ସକାଶେ ପ୍ରକଟ ହେବା ଲାଗି ସମ୍ମତି ପ୍ରଦାନ କରୁଥିବେ । ତେଣୁ, ଏହି ପରିଚିତ ଗାରମାନଙ୍କ ମଧ୍ୟରେ ରହିଥିବା ରୂପଗୁଡ଼ିକ ହେଉଛନ୍ତି ନ୍ୟାୟତଃ ଆମ ଇହକ୍ଷେତ୍ରଟିର ଆମମାନଙ୍କର ସୁବିଧାପାଇଁ : ଅର୍ଥାତ୍ ପରମା ଜନନୀ ସେଗୁଡ଼ିକୁ ନିଜେ ବାଛିନାହାନ୍ତି,–ଏବଂ ତେଣୁ, ସେହି ଚାରିଗୋଟି ରୂପ ତାଙ୍କର ସର୍ବପ୍ରଧାନ ବିଶେଷ ରୂପଚତୁଷ୍ଟୟ ବୋଲି ଆମେ କେବେହେଲେ ଅନୁମାନ କରି ପକାଇବା ନାହିଁ । ସେପରି କରି ଆମେ ପରମା ଜଗଜ୍ଜନନୀଙ୍କୁ କଦାପି ଆମର ଆଦୌ କୌଣସି ଅତ୍ୟାଗ୍ରହରେ ସ୍ଥାନୀୟ କରି ପକାଇବା ନାହିଁ । ଏଇଠି ଥାଇ ପ୍ରରୂପଗୁଡ଼ିକୁ ବୁଝିବାର ଆମର ପ୍ରଚେଷ୍ଟାରେ ତାଙ୍କୁ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ କଳନାମାନ କରୁଥିବା ଏବଂ ସେହି ଆତ୍ମପ୍ରସାରଣରେ ସୁନିଶ୍ଚିତ ଭାବରେ ବସ୍ତୁତଃ ଆପଣାକୁ କ୍ରମଶଃ ଅଧିକ ଯୋଗ୍ୟ କରି ନେଉଥିବା, ସେହି ପରମାଙ୍କର ଜଣେ ନିମିତ୍ତ ଅର୍ଥାତ୍ ସନ୍ତାନ ହେବାର ଅଧିକାର ଗୁଡ଼ିକୁ ଲାଭ କରୁଥିବା । ଏବଂ, ସେହି କ୍ରମରେ ତାଙ୍କର ପୂର୍ଣ୍ଣତରରୁ ଆହୁରି ପୂର୍ଣ୍ଣତର ପରିଚୟ ନିଶ୍ଚୟ ଲାଭ କରୁଥିବା, ଯଦି ସେ ପ୍ରସ୍ଥଟିକୁ ଏପ୍ରସ୍ଥଯାଏ ଅବତରଣ କରାଇ ଆଣିବାରେ ଆମେ ଆପଣାକୁ ତଥା ଆମର ଏହି ପୃଥିବୀଟିକୁ ସେପରି ଏକ ପରବର୍ତ୍ତୀ ଭାଗ୍ୟୋନ୍ମୋଚନ ଲାଗି ତିଆରି କରିନେଇ ପାରୁଥିବା ।

 

ତା’ପରେ, ‘ଯେଉଁ ସଚେତନ ସେହି ପରମ ଶକ୍ତିମତ୍ତା ଆମକୁ ପୋଷଣ ଯୋଗାଇ ସମ୍ଭବ କରି ରଖିଛି, ଏବଂ ଆମର ଏହି ବିଶ୍ଵଟିକୁ ସମ୍ଭାରି ଧରିଛି, ସେଇଟି ସହିତ ତୁମର ଅବଶ୍ୟ ଏକ ଐକ୍ୟ ସବୁବେଳେ ରହିଛି ବୋଲି ସଚେତନ ସ୍ପର୍ଶଟିଏ ପାଇଲେ ଯାଇ ତୁମେ ପରମା ଜନନୀଙ୍କର ତିନୋଟି ସତ୍ତାଗତ ବିଧି ବିଷୟରେ ସଜ୍ଞାନ ହୋଇ ପାରିବ । ପ୍ରଥମଟି ହେଉଛି ତାଙ୍କର ବିଶ୍ଵାତୀତ ରୂପ, ସେହି ମୂଳଭୂତ ସର୍ବୋଚ୍ଚ ପରମଶକ୍ତିର ଏକ ଭୂମାତ୍ଵର ବୋଧ,–ସେହି ପରିମିତିଟି ଅନୁସାରେ ସେ ଏହି ସକଳ ବିଶ୍ଵଚୟର ଉର୍ଦ୍ଧ୍ଵରେ, ଅନେକ ଉର୍ଦ୍ଧ୍ଵରେ ଯାଇ ଅବସ୍ଥାନ କରୁଥାଆନ୍ତି” । ଆମ ବିଶ୍ଵସୀମାଟିକୁ ଛାଡ଼ି କେଉଁ ବାହାରେ ନୁହନ୍ତି,–କିନ୍ତୁ ଏତିକି ସୀମାର ରେଖାଚିହ୍ନ ଭିତରେ ଆମକୁ ଦୃଶ୍ୟ ହୋଇପାରିବା ଭଳି ମୋଟେ ନଥାନ୍ତି । ସେହି ବୃହତ୍ତମର ଅନ୍ତର୍ଗତ ହୋଇ ଆମେ ଅର୍ଥାତ୍ ଏତିକି ପରିଚିତ ପୃଥିବୀଟି ମଧ୍ୟ ଅନ୍ତର୍ଗତ ହୋଇ ରହିଥାଏ । ଏତିକି ଭିତରେ ଆବଦ୍ଧ କରି ଆମେ ତାଙ୍କ ବିଶ୍ଵାତୀତ ରୂପଟିକୁ କେବେହେଲେ ଆମ ବୋଧସୀମାଟି ଭିତରେ ଦେଖି ପାରିବାନାହିଁ । ଯାହା ବହୁ ପରିମାଣରେ ହୋଇଥାଏ, ତାଙ୍କର ସେହି ରୂପରେ ପରମା ଜନନୀ ଏଠାରେ ନାହାନ୍ତି ବୋଲି ଧରିନେଇ ଆମେ ପ୍ରାୟ ଏକ ନିତ୍ୟନାସ୍ତିକତା ମଧ୍ୟରେ ଯାଇ ପଡ଼ି ରହିଥାଉ । ପ୍ରକୃତ କଥା ହେଉଛି, ସିଏ ଏତିକି ମଧ୍ୟରେ ନଥାନ୍ତି; ଆମେ ହିଁ ଏତିକି ଭିତରେ ଥାଉ ଏବଂ ତେଣୁ ତାଙ୍କର ସେହି ବିଶ୍ଵାତୀତ ରୂପବ୍ୟାପ୍ତିଟିର କୌଣସି ସୁସ୍ଥ ଅନୁମାନ କରିବାରେ ଅସମର୍ଥ ହୋଇ ରହୁ । ଏବଂ, ଯହୁଁ ଯହୁଁ ଆମର ବର୍ତ୍ତମାନର ଏହି ଅଳପମାନଙ୍କର ଏତିକିରୁ ଏବେ ସେଥିଲାଗି ଅତୀତ ହୋଇ ରହିଥିବା ପ୍ରସ୍ଥଗୁଡ଼ିକ ଆଡ଼କୁ ପ୍ରସାରିତ ହୋଇଯିବ, ସେତେବେଳେ ଆମପାଇଁ ଆଉ ବିଶ୍ଵାତୀତ ହୋଇ ଆଉ କିଛି ରହିବ ? ଇତିହାସଟା ଯାକ ତ ଗୋଟିଏ ଦୃଷ୍ଟିରୁ ସେହି ବହୁ ଅପହଞ୍ଚ ଭିତରୁ ଏହି ବିଶ୍ଵ ଉପରକୁ ପ୍ରାୟ ସବୁକିଛିର ବାସ୍ତବାୟନ ହୋଇ ହିଁ ଆସିଛି । ସେ ପ୍ରସ୍ଥଟିଏ ଏ ପ୍ରସ୍ଥଟି ମଧ୍ୟକୁ ନାନାଭଳି ପ୍ରତିଶ୍ରୁତିପୂର୍ଣ୍ଣ ସମ୍ପଦରେ ରୂପାୟିତ ହୋଇ ଆସିଛି ! ପୃଥିବୀ ସହିତ ପରିଚୟ ବଢ଼ୁଛି ଏବଂ ପରମା ଜନନୀଙ୍କୁ ଏହିଠାରେ ପ୍ରତ୍ୟକ୍ଷ କରି ପାରିବାର ଶ୍ରଦ୍ଧା ଓ ତପସ୍ୟାମାନେ ଅଧିକ ନିବିଡ଼ ହେବାରେ ଲାଗିଛନ୍ତି ।

 

ତେଣୁ, ବିଶ୍ଵାତୀତା ଜନନୀ ସେହି ଉର୍ଦ୍ଧ୍ଵର ଏକ ଆକର୍ଷଣରୂପେ ବିଦ୍ୟମାନ ରହି ‘ବର୍ତ୍ତମାନର ଏହି ବିଶ୍ଵକୁ ସେହି ପରମୋଚ୍ଚଟି ସହିତ ଖିଅ ଯୋଡ଼ି ରଖିଛନ୍ତି ।’ ନିୟମତଃ ଏହି ପ୍ରକ୍ରିୟାକ୍ରମଟି ଅବାରିତ ହୋଇ ରହିଥିବ; ଅଧିକରୁ ଅଧିକ ପହୁଞ୍ଚ ଭିତରକୁ ଆସୁଥିବ ଓ ତଥାପି ଆହୁରି କେତେ କ’ଣ ଅତୀତ ଓ ଅପହଞ୍ଚ ହୋଇ ରହିଥିବ । ରହସ୍ୟମାନେ ଫିଟି ଯାଉଥିବେ ଏବଂ ରହସ୍ୟ ତଥାପି ରହିବ । ଦ୍ଵିତୀୟଟି ହେଉଛି ‘ସେଇ ପରମା ଜନନୀଙ୍କର ବିଶ୍ଵଗତ ରୂପଟି,–ସେହି ବିଶ୍ଵପ୍ରସାରିତ ମହାଶକ୍ତି,-ଏହି ଭୂମିକାଟିରେ ରହି ସିଏ ଏହି ଯାବତୀୟ ସତ୍ତାଗୁଡ଼ିକୁ ସୃଷ୍ଟି କରୁଛନ୍ତି ଏବଂ ସେହି ପ୍ରକ୍ରିୟାଟିରେ ରହି ସେ ବିଶ୍ଵକୁ ଧରି ରଖିଛନ୍ତି, ତାହାରି ଆୟତନଟି ମଧ୍ୟରେ ଆପେ ପ୍ରବିଷ୍ଟ ହୋଇ ରହିଛନ୍ତି ଏବଂ ସହସ୍ରବିଧ ସେହି, ବିଶ୍ଵଲୀଳାର ପୋଷଣ କରୁଛନ୍ତି–ଏହି ଯାବତୀୟ ପ୍ରକ୍ରିୟା ତଥା ସାମର୍ଥ୍ୟଚୟର ପରିଚାଳନା କରୁଛନ୍ତି । ଏହି ପ୍ରସ୍ଥଟିର ଭାଷାର୍ଥରେ ସେ ହେଉଛନ୍ତି ଏଠାରେ ସକଳ ସବୁକିଛିର ଧାତ୍ରୀ,-ଜଗଦ୍ଧାତ୍ରୀ । ପରମା ସେଇ ତାଙ୍କରି ତୃତୀୟ ରୂପସଂରଚନାଟି ହେଉଛି ତାଙ୍କର ବ୍ୟକ୍ତିରୂପ ଏବଂ ସେଇଟିକୁ ମାଧ୍ୟମ କରି ସେ ଆପଣା ବର୍ତ୍ତମାନତାର ପୂର୍ବୋକ୍ତ ଦୁଇଟିଯାକ ଅଧିକ ବ୍ୟାପ୍ତି ରହିଥିବା ମାର୍ଗକୁ ଏକ ସାକାର ରୂପ ପ୍ରଦାନ କରି ପାରୁଛନ୍ତି । ସେହି ଦୁଇଟିଯାକ ସ୍ଵପରିଚୟରେ ଜୀବନ୍ତତା ଆଣି ଦେଉଛନ୍ତି । ହଁ, ଆମରି ଅନୁଭବ ଲାଗି ଜୀବନ୍ତ ଏବଂ ଆମକୁ ଅଧିକ ନିକଟ କରି ରଖିଛନ୍ତି । ସେହି ପଦ୍ଧତିଟି ଦ୍ଵାରା ସେ ଆମ ମନୁଷ୍ୟବ୍ୟକ୍ତି ସକଳ ତଥା ଦିବ୍ୟ ପରମ ସ୍ଵଭାବଧର୍ମଟି ମଧ୍ୟରେ ମଧ୍ୟସ୍ଥତା କରୁଛନ୍ତି ।’ ଏକ ସେତୁ ହୋଇ ରହିଛନ୍ତି, ଆମ ଜୀବନ ବାସ୍ତବ ନାମକ ଏହି କ୍ଷେତ୍ରରେ ।

 

ଏହାପରେ, ତଥାପି ଆମକୁ ଆଉଥରେ ସ୍ମରଣ କରାଇ ଦେବା ନିମନ୍ତେ, ସେହି ବିଶ୍ଵାତୀତା ଜନନୀଶକ୍ତି ଏହି ପୃଥିବୀସକଳର ଉର୍ଦ୍ଧ୍ୱରେ ରହିଛନ୍ତି ଓ ଆପଣାର ଚିରନ୍ତନ ଚେତନାଟି ମଧ୍ୟରେ ସେହି ସର୍ବୋଚ୍ଚ ପରମଦିବ୍ୟ ସତ୍ତାଟିକୁ ବହନ କରୁଛନ୍ତି । ହଁ, ଏକ ଅନନ୍ୟ ଏକ ଅବସ୍ଥିତିଟି ମଧ୍ୟରେ ଆପଣାର ଏକାନ୍ତ ସାମର୍ଥ୍ୟ । ତଥା ବର୍ଣ୍ଣନାତୀତ ସ୍ଥିତିର ଅଧିକାରିଣୀ ରୂପେ । ସେହିଠାରେ ସିଏ ସେହି ମହାନ୍ ପରମସତ୍ୟକୁ ଧାରଣ କରିଛନ୍ତି, ଯେଉଁଗୁଡ଼ିକ ଏହି ପୃଥିବୀରେ ହିଁ ଅବଶ୍ୟ ରୂପାୟିତ ଅର୍ଥାତ୍ ପ୍ରତ୍ୟକ୍ଷ ହେବେ ବୋଲି ଅଭିପ୍ରେତ ହୋଇ ରହିଛନ୍ତି । ଯେଉଁ ମହନୀୟ ପରମରହସ୍ୟର ଗର୍ଭରେ ସେମାନେ ଲୁକ୍କାୟିତ ହୋଇ ରହିଥିଲେ, ବିଶ୍ଵାତୀତା ଜନନୀ ସେଗୁଡ଼ିକୁ ନିମ୍ନକୁ ଅବତୀର୍ଣ୍ଣ କରାଇ ଆଣୁଛନ୍ତି; ସେଗୁଡ଼ିକୁ ସ୍ଵକୀୟ ଅନନ୍ତ ଚେତନାର ଆଲୋକ ମଧ୍ୟକୁ ବହନ କରି ଆଣୁଛନ୍ତି ଏବଂ, ଏହି ବିଶ୍ଵରେ ସେଗୁଡ଼ିକୁ ସ୍ଵକୀୟ ଅନନ୍ତ ଚେତନାର ଆଲୋକ ମଧ୍ୟକୁ ବହନ କରି ଆଣୁଛନ୍ତି ଏବଂ, ଏହି ବିଶ୍ଵରେ ସେଗୁଡ଼ିକୁ ଆପଣାର ସର୍ବ–ସର୍ବଶକ୍ତିମତ୍ତା, ନିଜର ସେହି ସୀମାହୀନ ପ୍ରାଣବନ୍ତତା ତଥା ଏକ ଶରୀରର ରୂପ ଦେଇ ସେଗୁଡ଼ିକୁ ଶକ୍ତିସମ୍ପନ୍ନ ଏକ ଆକାର ପ୍ରଦାନ କରୁଛନ୍ତି । ପୁନଶ୍ଚ, ତାଙ୍କ ମଧ୍ୟରେ ସର୍ବୋଚ୍ଚ ପରମ ସତ୍ୟ-ରୂପୀ ସେହି ଅବିନାଶୀ ପରମ ସଚ୍ଚିଦାନନ୍ଦ ହିଁ ଏହି ସକଳ କ୍ରିୟାଶୀଳତା ସମୟରେ ସର୍ବଦା ଏହି ସୃଜିତ ପୃଥିବୀଚୟରେ ପ୍ରକଟ ହୋଇ ଆସିବାରେ ଲାଗିଥାନ୍ତି,–ଈଶ୍ଵରଶକ୍ତିର ଏକାଧାରରେ ସେହି ଅଦ୍ୱୈତ ଏବଂ ଦ୍ୱୈତ ଉଭୟ ଚେତନାରେ ତଥା ପୁରୁଷ-ପ୍ରକୃତିର ଦ୍ୱୈତ ବିଧାନ ମଧ୍ୟରେ ଅଭିବ୍ୟକ୍ତ ହୁଅନ୍ତି । ତାଙ୍କରି ନିର୍ଦ୍ଧାରଣଟି ଅନୁସାରେ ଏହି ସବୁଯାକ ଭୁବନରେ, ସକଳବିଧ ଭୂମିରେ ସର୍ବବିଧ ଦେବତା ତଥା ସେମାନଙ୍କର ଯାବତୀୟ ଶକ୍ତିକୁ ଆଧାର କରି ପ୍ରତିଭାତ ହୁଅନ୍ତି । ଆମର ଜ୍ଞାତ ଏହି ପୃଥିବୀ ଗୁଡ଼ିକରେ ଓ ଅଜ୍ଞତ ଅନ୍ୟ ଅନେକ ପୃଥିବୀରେ ତାଙ୍କରି ସକାଶେ ହିଁ ଏହି ସବୁକିଛି ରୂପେ ପ୍ରତିଭାତ ହୋଇଥାନ୍ତି । ଏହି ସବୁକିଛି ହିଁ ତାଙ୍କର କ୍ରୀଡ଼ା ଓ କ୍ରିୟାଶୀଳତା, ତାଙ୍କରି ଲୀଳା-ସେହି ସର୍ବୋଚ୍ଚ ସର୍ବସତ୍ୟଟି ସହିତ ଲାଗି ରହିଥିବା ତାଙ୍କର ଲୀଳାଟି,–ସବୁକିଛି ହେଉଛି ପରମ ଶାଶ୍ଵତଙ୍କର ଯାବତୀୟ ରହସ୍ୟଗୁଡ଼ିକର ରୂପାୟନ,–ପରମ ଅନନ୍ତଙ୍କର ହିଁ ସେହି ପରମା ପ୍ରକୃତିଙ୍କ ଦ୍ଵାରା ସମ୍ଭବ ହେବାରେ ଲାଗିଥିବା ଗୋଟିଏ ଗୋଟିଏ ରୂପାୟନ । ହଁ, ବସ୍ତୁତଃ ସେଇ ସବୁକିଛି; କାରଣ, ସକଳ ଏହି ସବୁକିଛି ହେଉଛି ସେହି ଦିବ୍ୟ ପରମ ଚିତ୍‌ଶକ୍ତିର ହିଁ ଗୋଟିଏ ଗୋଟିଏ ଅଂଶ ବିଶେଷ ।

 

କେବଳ ସେଇ ନିଷ୍ପତ୍ତି ଓ ନିର୍ଣ୍ଣୟ କରନ୍ତି ଏବଂ ସେହି ଧାରାଟିର ଅନ୍ତର୍ଗତ ହୋଇ ଏଠାରେ ଏବଂ ଆଉ ସବୁଯାକ ସ୍ଥାନରେ ଯାହାକିଛି ଆଦୌ ସମ୍ଭବ ହୋଇଥାଏ ଏବଂ ପରମ ସର୍ବସତ୍ୟ ସେଗୁଡ଼ିକ ଲାଗି ଅନୁମତି ପ୍ରଦାନ କରନ୍ତି । ତେଣୁ ସର୍ବସତ୍ୟ ସେହି ପରମ କର୍ତ୍ତାଙ୍କର ଅନୁମତି ଦ୍ଵାରା ପରିପ୍ରେରିତ ହୋଇ ସେଇ ପରମା ଜନନୀଶକ୍ତି ହିଁ ସେ ସବୁକିଛି ସୃଜନକୁ ସାକାର କରି ଆଣନ୍ତି । ଆପଣାର ନିୟତ ସେହି ସୃଜନଜନିତ ଆନନ୍ଦ ମଧ୍ୟରେ ଉତ୍ସଟିଏ ସମ୍ଭବ ନକରିଥିବା ପର୍ଯ୍ୟନ୍ତ ଓ ଆପଣାର ଅବବୋଧକୁ ଆଣି ଆକାରଟିଏ ନଦେଇଥିବା ପର୍ଯ୍ୟନ୍ତ ବସ୍ତୁତଃ ଆଦୌ କୌଣସି ଘଟଣା କେବେହେଲେ ଘଟିପାରେ ନାହିଁ । ଜନନୀଙ୍କର ପରବର୍ତ୍ତୀ ଠୁଳ କଳ୍ପନାଟି, ତାଙ୍କର ସେହି ମହାଶକ୍ତି ଅର୍ଥାତ୍ ବିଶ୍ଵଧାତ୍ରୀର ଭୂମିକାଟି,-ଯାହାକିଛି ସେହି ପରମ ସର୍ବୋଚ୍ଚ ସତ୍ୟସଭ୍ୟଟିର ଅନୁମତି ଲାଭ କରି ସେହି ବିଶ୍ଵାତୀତ ଚେତନାଧାରରୁ ସଂପ୍ରେରିତ ହୋଇ ସେଇ ଗଢ଼ି ଥୋଇ ଦେଇଥିବା ପୃଥିବୀଗୁଡ଼ିକ ମଧ୍ୟରେ ପ୍ରବେଶ ଲାଭ କରେ । ତାହାରି କାର୍ଯ୍ୟଟିର ହିଁ ସମ୍ପାଦନ କରେ-। ତାଙ୍କରି ଉପସ୍ଥିତି ହିଁ ସେହିଗୁଡ଼ିକୁ ଭରି ରଖେ ଏବଂ ସେଗୁଡ଼ିକର ଅବଲମ୍ବନ ହୋଇ ରହିଥାଏ–ସେଗୁଡ଼ିକୁ ସେହି ଦିବ୍ୟ ଭାବ–ଉନ୍ମେଷଣାଗୁଡ଼ିକ ଦ୍ଵାରା ଧରି ରଖିଥାଏ,-ଏକ ଦିବ୍ୟ ସର୍ବ ପୂର୍ଣ୍ଣଶୁଶ୍ରୂଷାଯୁକ୍ତ ଏକ ସ୍ଵଶକ୍ତିଦ୍ଵାରା ଧରି ରଖିଥାଏ, ସେଗୁଡ଼ିକୁ ଏକ ଆନନ୍ଦ ଦ୍ଵାରା ପରିପ୍ଳୁତ କରି ରଖିଥାଏ, ଯାହା ବ୍ୟତୀତ ସେଗୁଡ଼ିକ ଆଉ ତିଷ୍ଠି ମଧ୍ୟ ରହି ପାରନ୍ତେ ନାହିଁ । ଆମେ ଯାହାକୁ ପ୍ରକୃତି ବୋଲି କହିଥାଉ, ସେଇଟି ହେଉଛି କେବଳ ତାଙ୍କର ସେହି ବିଶ୍ଵଗତ ବାହ୍ୟତମ କ୍ରିୟାଶୀଳତାରୁ ସେହି ବିଭାବଟି । ସେଇ ଆଦେଶ ଦିଅନ୍ତି, ଆପଣାର ସର୍ବବିଧ ଶକ୍ତି ଏବଂ ପ୍ରକ୍ରିୟାଚୟକୁ ଏବଂ ବ୍ୟବସ୍ଥା ମଧ୍ୟରେ ଗଢ଼ଣ ଦେଇ ରଖିଥାଆନ୍ତି, ପ୍ରକୃତିର ଏହି ଯାବତୀୟ କ୍ରିୟାଗୁଡ଼ିକୁ ସଂଘଟିତ କରାଇ ଆଣନ୍ତି ଏବଂ ସେଗୁଡ଼ିକ ମଧ୍ୟରେ ଆପେ ସଚଳ ହୋଇ ରହିଥାନ୍ତି । ଏଠି ଯାହାକିଛି ପ୍ରଚ୍ଛନ୍ନ ଅଥବା ପ୍ରକଟ ହୋଇ ରହିଛି–ଯାହାକିଛି ଦୃଶ୍ୟମାନ୍ ହେଉଛି, ଅନୁଭବ ମଧ୍ୟରେ ପ୍ରବେଶ କରିପାରୁଛି କିମ୍ବା ଜୀବନଭୂମିରେ ଗତିଶୀଳ କରାଯାଇ ପାରୁଛି, ସେହି ସବୁକିଛି ମଧ୍ୟରେ ବିଚରଣ କରୁଥାଆନ୍ତି । ଜଗତ ବୋଲି ଯେତେ ସଂଖ୍ୟାରେ ଯାହା ରହିଛି, ସେହି ସମସ୍ତେ ହେଉଛନ୍ତି ସେହି ମହାଶକ୍ତିଙ୍କର ସେହି ଗୋଟିଏ ଲୀଳାର ହିଁ ଅନ୍ତର୍ଗତ,–ଏହି ସକଳ ବିଶ୍ଵର ବ୍ୟବସ୍ଥାଟିର ସେଇ ନିର୍ଦ୍ଧାରଣକାରିଣୀଙ୍କର–ସିଏ ହିଁ ସକଳ ବିଶ୍ଵଚୟର ଆତ୍ମା ହୋଇ ଅଧିଷ୍ଠିତ ରହିଛନ୍ତି, ବିଶ୍ଵାତୀତା ଜନନୀଙ୍କର ସେହି ବ୍ୟକ୍ତିତ୍ଵର ରୂପରେ । ସିଏ ଯେପରି ଯାହାକୁ ବା ଯେଉଁଟିକୁ ଆପଣାର ଦୃଷ୍ଟିବିସ୍ତାରଟି ମଧ୍ୟରେ ଦେଖିଛନ୍ତି, ଏହି ପ୍ରତ୍ୟେକ ବିଶ୍ଵ ତାହାରି କୌଣସି ନା କୌଣସି ଗୋଟିଏ ଅଂଶକୁ ବହନ କରୁଛନ୍ତି, ଆପଣାର ସୌନ୍ଦର୍ଯ୍ୟ-ପରିପୂର୍ଣ୍ଣ ହୃଦୟଟି ମଧ୍ୟକୁ ସିଏ ତାହାକୁ ସମ୍ଭାରି ନେଇଛନ୍ତି,–ତାଙ୍କରି ଶକ୍ତି ମଧ୍ୟକୁ ଏବଂ ନିଜର ଉକ୍ତ ଆନନ୍ଦ ମଧ୍ୟରେ ହିଁ ତାହାକୁ ଏକ ସ୍ପଷ୍ଟ ରୂପ ଦେଇ ଧରି ରଖିଛନ୍ତି ।

 

କିନ୍ତୁ, ତାଙ୍କର ସୃଷ୍ଟିରେ ବହୁ ଭୂମି ରହିଛି, ଦିବ୍ୟ ପରମଶକ୍ତିର ବହୁସଂଖ୍ୟକ ସୋପାନ ମଧ୍ୟ ରହିଛି । ଆମେ ସମସ୍ତେ ଗୋଟିଏ ଗୋଟିଏ ଅଂଶ ହୋଇ ରହିଥିବା ସେହି ରୂପାୟନଚୟର ସବା ଉପର ଶିଖରରେ ଅନନ୍ତ ସତ୍ତା, ଅନନ୍ତ ଚେତନା, ଅନନ୍ତ ଶକ୍ତିମତ୍ତା ତଥା ଆନନ୍ଦର ପୃଥିବୀମାନ ରହିଛନ୍ତି, ଯେଉଁଗୁଡ଼ିକ ଉପରେ କି ପରମାଜନନୀ ଅନାବୃତା ସେହି ଶାଶ୍ଵତ ଠୁଳଶକ୍ତି ରୂପରେ ବିଦ୍ୟମାନ ଅଛନ୍ତି । ସେହି ଭୂମିରେ ସର୍ବବିଧ ସକଳ ସତ୍ତା ଏକ ଅବର୍ଣ୍ଣନୀୟ ପରିପୂର୍ଣ୍ଣତା ଏବଂ ଅପରିବର୍ତ୍ତନୀୟ ଏକ୍ୟ ମଧ୍ୟରେ ଅବସ୍ଥିତ ତଥା ଚଳମାନ ହୋଇ ରହିଛନ୍ତି । କାରଣ, ଏହି ପରମା ଜନନୀ ହିଁ ସେଗୁଡ଼ିକୁ ପୂର୍ଣ୍ଣ ନିରାପତ୍ତା ସହିତ ସର୍ବକାଳ ନିମନ୍ତେ ହିଁ ବହନ କରିଛନ୍ତି-। ଆମର ଅପେକ୍ଷାକୃତ ଅଧିକ ନିକଟବର୍ତ୍ତୀ ହୋଇ ଏକ ପୂର୍ଣ୍ଣତାଯୁକ୍ତ ଅତି ମାନସିକ ସୃଷ୍ଟିର ପୃଥିବୀଗଣ ଅବସ୍ଥିତ ଅଛନ୍ତି, ଯେଉଁଗୁଡ଼ିକରେ ପରମାଜନନୀ ହିଁ ଅତି ମାନସିକ ମହାଶକ୍ତି ରୂପେ ଅଧିଷ୍ଠାନ କରୁଛନ୍ତି,–ଦିବ୍ୟ ସର୍ବଜ୍ଞାନଯୁକ୍ତ ଇଚ୍ଛାଶକ୍ତି ତଥା ସର୍ବ ଶକ୍ତିସମ୍ପନ୍ନ ପରମ ଜ୍ଞାନରୂପେ ସକଳ ଶକ୍ତିର ଅଧିକାରିଣୀ ହୋଇ ରହିଛନ୍ତି । ତାଙ୍କର ସେହି ସକଳ ସାମର୍ଥ୍ୟ ଆପଣାର ପୂର୍ଣ୍ଣକୁଶଳ କରଣିଗୁଡ଼ିକ ମଧ୍ୟରେ ଦୃଷ୍ଟିଗୋଚର ହୋଇପାରୁଛି ଏବଂ ତାହାର ସର୍ବବିଧ ପ୍ରକ୍ରିୟାରେ ସ୍ଵତଃସ୍ଫୁର୍ତ୍ତ ଭାବରେ ସର୍ବଗୁଣପୂର୍ଣ୍ଣ ହୋଇ ରହିଛି । ସେଠାରେ ଯାହାକିଛି ଗତିସଚଳତା, ସେଗୁଡ଼ିକ ହେଊଛନ୍ତି କେବଳ ସେହି ପରମ ଆଶ୍ରୟସତ୍ୟଟିର ହିଁ ଗୋଟିଏ ଗୋଟିଏ ପଦକ୍ଷେପ; ସେହି ସ୍ଥଳରେ ସତ୍ତାମାନେ ସମସ୍ତେ କେବଳ ସେହି ଦିବ୍ୟ ପରମ ଆଲୋକର ହିଁ ଗୋଟିଏ ଗୋଟିଏ ଆତ୍ମା, ଗୋଟିଏ ଗୋଟିଏ ସାମର୍ଥ୍ୟ ଓ ଗୋଟିଏ ଗୋଟିଏ ସାକାର ରୂପ । ସେଠାରେ ଯାହାକିଛି ଅନୁଭୂତି, ସବୁଯାକ କେବଳ ଏକ ପ୍ରଗାଢ଼ ଏବଂ ଏକାନ୍ତ ପରମ ଆନନ୍ଦର ହିଁ ଗୋଟିଏ ଗୋଟିଏ ଆୟତନ;-ଏହି ମନୋମୟ, ପ୍ରାଣଦ୍ୱାରା ପ୍ରେରିତ ତଥା ଦେହଟି ଦ୍ଵାରା ସୀମାଙ୍କିତ ଆୟତନ ସକଳ-। ଏଗୁଡ଼ିକ ନିଜନିଜର ଉତ୍ସରେ ହିଁ ଚେତନାରୁ ଅସଂଲଗ୍ନ ହୋଇ ରହିଛନ୍ତି; ଅଥଚ ଏହି ପୃଥିବୀଟି ଏକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ନିହିତାର୍ଥରେ ସେହି ଚେତନାର ଉଦ୍ଦିଷ୍ଟ କେନ୍ଦ୍ର ହୋଇ ଅବସ୍ଥାନ କରୁଛି ଏବଂ ସେହି କାରଣରୁ ତାହାର ସକଳ ଅସ୍ପଷ୍ଟତା, ସଂଘର୍ଷମୟତା ତଥା ଅପୂର୍ଣ୍ଣତା ସତ୍ତ୍ଵେ ସେଇଟିକୁ ବିଶ୍ୱାଗତା ପରମା ଜନନୀ ବର୍ତ୍ତାଇ ରଖିଛନ୍ତି । ହଁ, ସେହି ମହାଶକ୍ତି ତାହାକୁ ତାହାର ସେହି ପ୍ରଚ୍ଛନ୍ନ ଲକ୍ଷ୍ୟଟିରେ ଯାଇ ଉପନୀତ ହେବାଲାଗି ଗଠିତ ଏବଂ ପରିଚାଳିତ କରି ନେଉଛନ୍ତି-

 

ପରମ ଅଜ୍ଞାନାଚ୍ଛନ୍ନତାର ଏହି ତିନୋଟିଯାକ ପୃଥିବୀର ମୂଳଭୂତା ଜନନୀରୂପେ ମହାଶକ୍ତି ତେଣୁ ଏକ ମଧ୍ୟବର୍ତ୍ତୀ ଭୂମିରେ ହିଁ ଦଣ୍ଡାୟମାନ ରହିଛନ୍ତି । ଗୋଟିଏ ଆଡ଼େ ସେହି ଅତି ମାନସିକ ମହାଆଲୋକ, ପରମ ସତ୍ୟଦ୍ୱାରା ପୂର୍ଣ୍ଣଭାବେ ଅନୁସିକ୍ତ ଜୀବନ ଏବଂ ସେହି ପରମସତ୍ୟକୁ ଆଧାର କରି ଏକ ପୃଥିବୀର ସୃଜନ,–ହଁ, ସେହି ସୃଜନଟିକୁ ଏଠାକୁ ଅବତରାଇ ଆଣି ପ୍ରତିଷ୍ଠା କରିବାକୁ ହେବ ଓ ଚେତନାଭୂମିର ସୋପାନକ୍ରମଟିକୁ ଏକ ନିର୍ଦ୍ଦେଶିତ ଉତ୍ତୋଳନ ଏବଂ ଅବତାରଣର ପ୍ରକ୍ରିୟା ଦ୍ଵାରା ତାହାକୁ ସମ୍ଭବ କରାଯିବ; ସକଳ ଅର୍ଥରେ ଗୋଟିଏ ଦୁଇମାର୍ଗବିଶିଷ୍ଟ ସିଡ଼ିକୁ ନେଇ କାର୍ଯ୍ୟ କରିବାକୁ ହେବ: ପ୍ରଥମଟିର ଅନୁସରଣ କରି ଯେଉଁଟି ଜଡ଼ର ଅଚେତନା ମଧ୍ୟକୁ ଖସି ଆସିଛି, ସେଇଟି ପୁନର୍ବାର ଉତ୍ତୋଳିତ ହୋଇ ଆପଣାର ସେହି ପୂର୍ବ ସ୍ଥାନଟିକୁ ହିଁ ବାହୁଡ଼ି ଯିବ,-ଏକ ଆରୋହଣ ଦ୍ଵାରା ହିଁ ବାହୁଡ଼ିଯିବ: ଏହି ପ୍ରାଣ, ଆତ୍ମା ତଥା ମନର ପୂରାପଣେ କୁସୁମନର ପ୍ରକ୍ରିୟା ଦ୍ଵାରା ସେହି ପରମ ଚିନ୍ମୟତାର ଅନ୍ତହୀନତା ଭିତରକୁ ହିଁ ଉତ୍ତୋଳିତ ହେବ । ଏହି ପୃଥୀଭୂମିଟି ଉପରେ ଯାହାକିଛି ଘଟିବ ଏବଂ ଏହି ପୃଥିବୀର ବିବର୍ତ୍ତନପ୍ରକ୍ରିୟାଟି ଯେଉଁପରି ଭାବରେ ଗତିଶୀଳ ହେବ, ବିଶ୍ଵଜନନୀ ସତେଅବା ତାହାର ଏକ ନକ୍ସା ତିଆରି କରି ଏବଂ ସେଇଟିକୁ ହାତରେ ଧରି ଆପଣାର କାର୍ଯ୍ୟ କରୁଛନ୍ତି : ଯାହା ସେ ଦେଖି ପାରୁଛନ୍ତି, ଅନୁଭବ କରି ପାରୁଛନ୍ତି ଏବଂ ଆପଣା ଭିତରୁ ଯାହା କିଛି ଏଠାରେ ଅଜାଡ଼ି ଦେବାରେ ଲାଗିଛନ୍ତି, ବିଶ୍ଵଜନନୀ ସେହିଗୁଡ଼ିକ ଅନୁସାରେ ଆପଣାର ସବୁ କାର୍ଯ୍ୟ କରୁଛନ୍ତି । ସେହି ଭୂମିକାରେ ସେ ଯାବତୀୟ ଈଶ୍ଵରବୋଧର ଉର୍ଦ୍ଧ୍ୱରେ ରହିଛନ୍ତି ଏବଂ ତାଙ୍କର ସକଳ ଶକ୍ତି ତଥା ବ୍ୟକ୍ତିତ୍ଵଚୟ ତାଙ୍କ ସମ୍ମୁଖରେ ଉନ୍ମୋଚିତ ରହି ସେହି କାର୍ଯ୍ୟଟିରେ ନିୟୋଜିତ ରହିଛନ୍ତି । ସେଠାରେ ରହି ବିଶ୍ଵମାତା ଆପଣାର ଏହି ପ୍ରସର୍ଜନମାନଙ୍କୁ ଏହିସବୁ ନିମ୍ନସ୍ଥ ଧରଣୀପୃଷ୍ଠକୁ ପ୍ରେରଣ କରୁଛନ୍ତି ଯେପରିକି ସେମାନେ ଏଠାରେ ଏକ ହସ୍ତକ୍ଷେପ କରିବେ, ସେହି ଲକ୍ଷ୍ୟଟିର ପରିପୂରଣ ନିମନ୍ତେ ଆବଶ୍ୟକ ରଜ୍ଜୁଗୁଡ଼ିକୁ ହାତକୁ ନେଇ ଶାସନ କରିବେ, ଯୁଦ୍ଧରେ ଅବତୀର୍ଣ୍ଣ ହେବେ ଏବଂ ବିଜୟଲାଭ କରିବେ । ନେତୃତ୍ଵ ଦେବେ ଓ ସେମାନଙ୍କର ଅଭ୍ୟସ୍ତ ଆବର୍ତ୍ତନଗୁଡ଼ିକୁ ନୂତନ ମୋଡ଼ ଦେବେ ଏବଂ ସେମାନଙ୍କର ଶକ୍ତିଗତ ସମଗ୍ର ତଥା ଏକକ ମାର୍ଗଗୁଡ଼ିକର ଦିଗ ନିର୍ଦ୍ଧାରଣ ମଧ୍ୟ କରିପାରିବେ । ଏହି ପ୍ରସର୍ଜନଗୁଡ଼ିକୁ ଆମେ ସେହି ବହୁ ଦିବ୍ୟ ଆକୃତି ଓ ବ୍ୟକ୍ତିରୂପ ବୋଲି ଜାଣିବା, ଯେଉଁଗୁଡ଼ିକୁ ବ୍ୟବହାର କରି ମନୁଷ୍ୟମାନେ ନାନାବିଧ ନାମରେ ପୂଜା ଏବଂ ଆରାଧନାମାନ କରି ଆସିଛନ୍ତି । ଯୁଗ ଯୁଗ ଧରି ତାହା କରି ଆସିଛନ୍ତି ।

 

ଏହି ନାନା ଶକ୍ତି ତଥା ସେମାନଙ୍କର ପ୍ରସର୍ଜନମାନଙ୍କର ମାଧ୍ୟମରେ ବିଶ୍ଵଜନନୀ ଆପଣାର ବିଭୂତିମାନଙ୍କର ମନ ତଥା ଶରୀରର କ୍ଷେତ୍ରଗୁଡ଼ିକୁ ମଧ୍ୟ ତିଆରି କରି ଆଣିଛନ୍ତି, ଠିକ୍ ଯେପରି ଈଶ୍ଵରଙ୍କର ବିଭୂତିମାନଙ୍କ ନିମନ୍ତେ ମନ ଏବଂ ଶରୀରଗୁଡ଼ିକୁ ମଧ୍ୟ ପ୍ରସ୍ତୁତ କରି ନେଉଛନ୍ତି ଯେପରିକି ସେ ସ୍ଵୟଂ ଏହି ଭୌତିକ ଜଗତରେ ପ୍ରକାଶିତ ହୋଇ ପାରିବେ ଏବଂ ମନୁଷ୍ୟ–ଚେତନାର ସେହି ଛଦ୍ମରୂପଟିର ମାଧ୍ୟମରେ ସ୍ଵଶକ୍ତିର କଛି ଆଲୋକ, ଗୁଣସ୍ଵଭାବ ତଥା ଉପସ୍ଥିତିର କିଛି ରଶ୍ମିକୁ ମଧ୍ୟ ପ୍ରକଟ କରି ଆଣିବେ । ବସ୍ତୁତଃ ପୃଥ୍ୱୀଲୀଳାର ଯେତେ ଯେତେ ଦୃଶ୍ୟପଟ ଗୋଟିଏ ନାଟକ ସଦୃଶ ସଂଘଟିତ ହୋଇ ଆସିଛି, ଯେଉଁ ନାଟକଟିକୁ ସେଇ ବିଶ୍ଵଧାତ୍ରୀ ଜନନୀ ହିଁ ଯୋଜିତ କରି ଆସିଛନ୍ତି, ଏହି ମଞ୍ଚଟି ଉପରେ ଅଭିନୀତ କରାଇଛନ୍ତି ଓ ସିଏ ସେହି ମଞ୍ଚଟିର ଆବରଣର ପଶ୍ଚାତରେ ଅଭିନେତ୍ରୀ ରୂପେ ବିଦ୍ୟମାନ ରହିଛନ୍ତି ।

 

ପରମା ଜନନୀ କ’ଣ ସେହି ଉର୍ଦ୍ଧ୍ୱରେ ଥାଇ ଏହି ସବୁକିଛିର ଶାସନ ଓ ନିୟମନ କରୁଛନ୍ତି ? ଆମ ପରିଚିତ ଅଧିକାଂଶ ପରମ୍ପରାରେ ସତେଅବା ସେଇ ଉର୍ଦ୍ଧ୍ୱରେ ଥାଆନ୍ତି ଏବଂ ସେଇଠାରୁ ଏଠାରେ ରହିଥିବା ଭୁବନଟିର ସର୍ଜନା କରିଥାଆନ୍ତି । ମାତ୍ର, ‘ମାଆ’ ପୁସ୍ତକଟି ଅନୁସାରେ, ନାଇଁ, ନାଇଁ, ସେହି ଜନନୀ ଏଠାକୁ ଏହି ତଳକୁ ଓହ୍ଲାଇ ଆସି ହିଁ ଏଠାରେ ଏହି ଜଗତନାମକ ସବୁକିଛିର ରଚନା କରିଥାନ୍ତି । ଏହି ନିମ୍ନରେ ଅବସ୍ଥିତ ତ୍ରିବିଧ ବିଶ୍ଵଜଗତକୁ । ଅର୍ଥାତ୍, ଏହି ଜଗତରେ ଥିବା ସକଳ ବସ୍ତୁ,-ଏପରିକି ସମ୍ପୂର୍ଣ୍ଣ ଖାସ୍ ଏଠି ଅଜ୍ଞାନ ମଧ୍ୟରେ ଯାହା ସବୁ ରହିଛି, ସବୁକିଛି ବସ୍ତୁକୁ । ବ୍ୟକ୍ତରୂପରେ ଆମକୁ ପ୍ରତ୍ୟକ୍ଷ ସିନା ହୁଅନ୍ତି ନାହିଁ, ମାତ୍ର ପ୍ରକୃତରେ ସେଇ ଜନନୀ ହିଁ ଜଗତରେ ପରିଣତ ହୋଇଥାଆନ୍ତି । ବାହାରେ ଦେଖିବାକୁ ପୂରା ଦୃଶ୍ୟମାନ୍ ହେଉନଥିଲେ ମଧ୍ୟ ଏଠାରେ ତାଙ୍କରି ଶକ୍ତି ହିଁ ସବୁକିଛିକୁ ସମ୍ଭବ କରି ରଖିଥାଏ ଏବଂ ତାଙ୍କରି ସବୁକିଛି ସୃଷ୍ଟ ବସ୍ତୁ ଆଧାରତଃ ତାଙ୍କରି ସତ୍ୟଗତ ଅଂଶଟିକୁ ଯେତେ ସ୍ଵଳ୍ପ ଭାବରେ ହେଲେ ମଧ୍ୟ ବହନ କରୁଥାଏ । ତାଙ୍କରି, ପରମାପ୍ରକୃତିର ଦେହ ତଥା ତାହାରି ଶକ୍ତିକୁ ହିଁ ବହନ କରୁଥାଏ । ଏବଂ, ସେହି ଯାବତୀୟ ସୃଷ୍ଟ ଯାହା ସବୁକିଛି ଏଠାରେ ପ୍ରକୃତରେ ରହିଥାନ୍ତି, କାରଣ ସେହି ପରମସର୍ବୋଚ୍ଚଙ୍କର ଏକ ଚିରରହସ୍ୟପୂର୍ଣ୍ଣ ନିର୍ଦ୍ଦେଶ ବଳରେ ସେମାନେ ଆତଯାତ ହେଉଥାନ୍ତି,-ଏଠାରେ ଏପରି କିଛି ସମ୍ଭବି ଆଣିବା ସକାଶେ କାର୍ଯ୍ୟ କରୁଥାନ୍ତି, ଯାହାକି ପରମ ସେହି ଅନନ୍ତଙ୍କର ସମ୍ଭାବନାଚୟର ଗର୍ଭରେ ଅପେକ୍ଷା କରି ରହିଥିଲା । ସେଇଥିଲାଗି ଓ ସିଏ ଏହିପରି ଗୋଟିଏ ବୃହତ୍ ଆତ୍ମସଂପ୍ରଦାନ ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି ଏବଂ ସତେଅବା ଗୋଟିଏ ମୁଖା ପରି ପରମ ଅଜ୍ଞାନର ଆତ୍ମା ତଥା ସର୍ବବିଧ ଆକାରକୁ ପରିଧାନ କରିଛନ୍ତି !

 

କିନ୍ତୁ, ଆପଣାର ବ୍ୟକ୍ତିରୂପରେ ମଧ୍ୟ ସିଏ ଏଠାରେ ଅବତୀର୍ଣ୍ଣ ହେବାଲାଗି ସମ୍ମତ ହୋଇଛନ୍ତି, ଏହି ମୂଳଭୂତ ଅନ୍ଧକାର ମଧ୍ୟରେ, ଯେପରିକି ସେ ଏହାକୁ ମଧ୍ୟ ସେହି ଚିରନ୍ତନ ଆଲୋକ ମଧ୍ୟକୁ ପରିଚାଳିତ କରି ନେଇଯାଇ ପାରିବେ,–ଏହି ମହା ଭ୍ରାନ୍ତି ଓ ମିଥ୍ୟା ଭିତରକୁ ଓହ୍ଲାଇଛନ୍ତି, ଯେପରିକି ତାହାକୁ ପରମ ସତ୍ୟରେ ଦୀକ୍ଷିତ କରିନେବେ, ଏହି ମୃତ୍ୟୁମୟ ବାସ୍ତବଟି ମଧ୍ୟରେ ଅବତରଣ କରିଛନ୍ତି ଯେପରିକି ସେଇଟିକୁ ଏକ ଈଶ୍ଵରୀୟ ଜୀବନବିକଳ୍ପର ଆକୃତି ଆଣି ଦେଇ ପାରିବେ । ଏହି ନାନାଭଳି ଦୁଃଖଭୋଗ ଏବଂ ଅନମନୀୟ ବିଷାଦ ତଥା କଷଣ ମଧ୍ୟରେ ଆସି ପ୍ରବିଷ୍ଟ ହୋଇଛନ୍ତି, ଯେପରିକି ଆପଣାର ସେହି ଉଦାର ମହାନ୍ ଆନନ୍ଦର ସକଳ ରୂପାନ୍ତରର ସମର୍ଥ ସେହି ମହୋଲ୍ଲାସଟିର ବ୍ୟାପ୍ତି ମଧ୍ୟରେ ସେଗୁଡ଼ିକର ଅବଶ୍ୟ ବିଲୋପ ଘଟାଇ ପାରିବେ । ଆପଣାର ସନ୍ତାନମାନଙ୍କ ପ୍ରତି ରହିଥିବା ଗଭୀର ତଥା ସୁବିପୁଳ ଭଲ ପାଇବା ଦ୍ଵାରା ପରିଚାଳିତ ହୋଇ ସେ ଏହି ରହସ୍ୟାବରଣର ପରିଧାନକୁ ସ୍ଵୟଂଗ୍ରହଣ କରିବାଲାଗି ରାଜି ହୋଇଛନ୍ତି, ଗାଢ଼ ଅନ୍ଧକାର ଓ ମହାମିଥ୍ୟାର ବହୁଶକ୍ତିସମ୍ପନ୍ନ ଯାବତୀୟ ଆକ୍ରମଣ ତଥା ଉତ୍ପୀଡ଼ନକାରୀ ପ୍ରଭାବର ଆଘାତଗୁଡ଼ିକୁ ସହ୍ୟ କରିବା ନିମନ୍ତେ ଆପଣାକୁ ଆନତ କରି ଆଣିଛନ୍ତି, ମୃତ୍ୟୁ ସମାନ ଏକ ଦୁରାଗ୍ରହ ସଦୃଶ ଠିଆ ହୋଇଥିବା ଜନ୍ମଲାଭର ତୋରଣଟି ମଧ୍ୟରେ ପ୍ରବେଶ କରିବାର ସେହି କ୍ଳେଶକୁ ବରି ନେଇଛନ୍ତି, ଇହସର୍ଜନାର ସର୍ବବିଧ ଯନ୍ତ୍ରଣା, ଦୁଃଖ, କଷଣଭୋଗକୁ ଆପେ ଆବୋରି ନେଇଛନ୍ତି, କାରଣ ତାଙ୍କୁ ପ୍ରକୃତରେ ଏହିପରି ହିଁ ପ୍ରତୀତ ହୋଇଥିଲା ଯେ, କେବଳ ଏହିପରି ଭାବରେ ହିଁ ଏହି ପୃଥ୍ୱୀନାମକ ସର୍ଜନାଟିକୁ ଏକ ପରମ ଆଲୋକ, ପରମ ଆନନ୍ଦ ତଥା ସତ୍ୟ ଓ ଶାଶ୍ଵତ ଜୀବନ ମଧ୍ୟକୁ ଉତ୍ତୋଳିତ କରିନେବା ସମ୍ଭବ ହେବ । ହଁ, ଏଇଟି ହେଉଛି ସେହି ମହାନ୍ ଖାସ୍ ଆତ୍ମୋତ୍ସର୍ଗଟି, ଯାହାକୁ ଅନେକ ସମୟରେ ପରମ ପୁରୁଷଙ୍କର ଏକ ଆତ୍ମୋତ୍ସର୍ଗ ବୋଲି ଉଲ୍ଲେଖ କରାଯାଇଥାଏ; ମାତ୍ର ଅନେକ ଅଧିକ ଗଭୀର ତାତ୍ପର୍ଯ୍ୟ ଦେଇ ଆମେ ଯାହାକୁ ପରମା ପ୍ରକୃତିଙ୍କର ହିଁ ସେହି ପୂର୍ଣ୍ଣାହୁତି ବୋଲି ଜାଣିବା, ଦିବ୍ୟ ପରମାଜନନୀଙ୍କର ସେହି ଆତ୍ମୋତ୍ସର୍ଗଟି ବୋଲି ବୁଝିବା ।

 

ପରମାଜନନୀଙ୍କର ଚାରିଗୋଟି ବିଶିଷ୍ଟ ଏବଂ ମୁଖ୍ୟ ବିଭାବ, ତାଙ୍କର ସେହି ପରମ ଶକ୍ତି ଏବଂ ପରମ ବ୍ୟକ୍ତିତ୍ଵର ସବାଆଗ ପ୍ରତ୍ୟକ୍ଷ କରି ହେଉଥିବା ଚାରିଗୋଟି,–ସେହି ଚାରୋଟି ତାଙ୍କର ଏହି ପୃଥିବୀର ପରିଚାଳନାରେ ଓ ତାହାକୁ ନେତୃତ୍ଵ ପ୍ରଦାନ କରିବାରେ ଆମ ସମ୍ମୁଖରେ ସବାଆଗରେ ହିଁ ଦୃଷ୍ଟିଗୋଚର ହେଉଛନ୍ତି । ଏହି ବିଶ୍ଵଲୀଳାରେ ତାଙ୍କଦ୍ଵାରା ଗୃହୀତ ହେଉଥିବା କ୍ଷେତ୍ରରେ । ଗୋଟିଏ ହେଉଛି ତାଙ୍କର ସେହି ସୁସ୍ଥିର ପୂର୍ଣ୍ଣପ୍ରସାରିତ ବ୍ୟକ୍ତିତ୍ଵଟି,–ଏକ ପୂର୍ଣ୍ଣପ୍ରଜ୍ଞାର ରୂପ, ଏକ ଶାନ୍ତିସିକ୍ତ ସଦୟତାର ରୂପ, ସେହି ଅସରନ୍ତି କରୁଣା ଓ ସମ୍ବେଦନା, ଏକ ପ୍ରଭୁତ୍ଵବ୍ୟଞ୍ଜକ ତେଜସ୍ଵିତାର ମହାନ୍ ମହିମା ଏବଂ ଏହି ସବୁକିଛି ଶାସନକର୍ତ୍ତ୍ରୀ ହୋଇ ରହିଥିବାର ପୂର୍ଣ୍ଣ ମହତ୍ତା । ତାଙ୍କର ଆଉ ଗୋଟିଏ ବିଭାବ ମଧ୍ୟରେ ଆମେ ଏକ ବୈଭବଯୁକ୍ତ ଶକ୍ତିମତ୍ତାର ପ୍ରତ୍ୟକ୍ଷ ଅନୁଭବ କରିବା,–ଏକ ଅପ୍ରତିରୋଧ୍ୟ ଅପୂର୍ବ ଆବେଶର ସମ୍ମୁଖୀନ ହେବା–ଜଣେ ସମରରତ ଯୋଦ୍ଧାର ପୂର୍ଣ୍ଣ ମୁଦ୍ରାଟିଏ,–ଏକ ଦୁର୍ଦ୍ଦମନୀୟ ଇଚ୍ଛାଶକ୍ତି, ଏକ ପ୍ରଚଣ୍ଡ ବେଗଯୁକ୍ତତା ତଥା ଏହି ସମୁଦାୟ ପୃଥ୍ୱୀକୁ ହିଁ ବସ୍ତୁତଃ ପ୍ରକମ୍ପିତ କରି ଦେବାଭଳି ଏକ ଶକ୍ତିମତ୍ତା । ଏକ ତୃତୀୟ ବିଭାବ, ଯାହା ଅତ୍ୟୁଜ୍ଜ୍ୱଳ ଏବଂ ମଧୁର, ଆପଣା ସୌନ୍ଦର୍ଯ୍ୟର ଗଭୀର ରହସ୍ୟମୟତାରେ କେତେ ନା କେତେ ବିସ୍ମୟର ଉଦ୍ଦୀପନା ଆଣି ଦେଉଥିବା ଭଳି । ଏକ ପରିପୂର୍ଣ୍ଣ ସମଞ୍ଜସତା ତଥା ଛନ୍ଦୋମୟତା ଦ୍ଵାରା ସ୍ନିଗ୍ଧ, ସେହି ଦୁର୍ବୋଧ୍ୟ ଓ ସୂକ୍ଷ୍ମ ପ୍ରାଚୁର୍ଯ୍ୟଭାବଟି ତଥା ସେହି ଅପ୍ରତିରୋଧ୍ୟ ଆକର୍ଷଣ ଓ ସମ୍ମୋହନକାରୀ କମନୀୟତା । ଏକ ଚତୁର୍ଥ ବିଭାବ ମଧ୍ୟରେ ସେହି ଜନନୀଙ୍କର ଅନ୍ତର୍ଗତ ଜ୍ଞାନପରିଚିତିର ଏକ ସୁଦକ୍ଷ ଏବଂ ପ୍ରଗାଢ଼ ସମର୍ଥତା, ନିଖୁଣ କର୍ମସମ୍ପାଦନାର ସୁଯତ୍ନଶୀଳତା ଏବଂ ସକଳ ବସ୍ତୁର କ୍ଷେତ୍ରରେ ସ୍ଥିର ଏବଂ ସୁନିର୍ଦ୍ଦିଷ୍ଟ ପୂର୍ଣ୍ଣକୁଶଳତା । ପ୍ରଜ୍ଞା, ଶକ୍ତି, ସମଞ୍ଜସତା ଓ ନିପୁଣତା–ଏଗୁଡ଼ିକ ହେଉଛନ୍ତି ସେହି ପ୍ରତ୍ୟେକଟି ବିଭାବର କେତୋଟି ଗୁଣ ଓ ଲକ୍ଷଣ ଏବଂ ସେମାନେ ସେହି ସାମର୍ଥ୍ୟଗୁଡ଼ିକୁ ଆପଣା ସହିତ ବହନ କରି ପୃଥିବୀକୁ ଆସି ଥାଆନ୍ତି, ମନୁଷ୍ୟର ଶରୀରରୂପଟିଏ ଧାରଣ କରି ଆପଣା ବିଭୂତିଚୟର ମାଧ୍ୟମରେ ସେଗୁଡ଼ିକର ପ୍ରକାଶ ଘଟାନ୍ତି ଏବଂ ଯେଉଁମାନେ ଏହି ପୃଥିବୀସ୍ଥ ଆପଣାର ସ୍ଵଭାବକୁ ପରମାଜନନୀଙ୍କର ସେହି ପ୍ରତ୍ୟକ୍ଷ ତଥା ଜୀବନମୟ ପ୍ରଭାବ ଲାଗି ଉନ୍ମୋଚିତ କରି ରଖିପାରିବେ, ଜନନୀ ସେହିମାନଙ୍କର ଜୀବନରେ ସେମାନଙ୍କର ସ୍ୱ-ଆରୋହଣଟିର ମାତ୍ରାଟି ଅନୁସାରେ ଆପଣାକୁ ନେଇ ପ୍ରତିଷ୍ଠିତ କରିପାରିବେ । ସେହି ଚାରି ବିଭାବକୁ ଆମେ ଏଠାରେ ମାହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ଵତୀର ଚାରିଟି ପ୍ରସିଦ୍ଧ ନାମଦ୍ଵାରା ନାମିତ କରିବା ।

 

ସାମ୍ରାଜ୍ଞୀରୂପିଣୀ ମାହେଶ୍ଵରୀ ଯାବତୀୟ ଭାବନାର ମନଃସ୍ତରଟିର ଉପରକୁ ସେହି ସୁପ୍ରଶସ୍ତତାର ବିସ୍ତାରଟିରେ ଆସୀନା ହୋଇ ରହିଥାନ୍ତି, ସେହି ମାନସିକ ଇଚ୍ଛାଶକ୍ତିର ଉର୍ଦ୍ଧ୍ଵ ହୋଇ ଥାଆନ୍ତି ଏବଂ ସେହି ଉଭୟଙ୍କୁ ପ୍ରଜ୍ଞା ତଥା ବୃହତ୍ତା ମଧ୍ୟକୁ ପରିଶୁଦ୍ଧ କରି ନିଅନ୍ତି, ସେମାନଙ୍କୁ ଏକ ବୃହତ୍ ବିସ୍ତାର-ସାମର୍ଥ୍ୟ ଆଣି ଦିଅନ୍ତି ବା ସେମାନଙ୍କୁ ସେମାନଙ୍କର ସଂସ୍କାରସୀମାର ଅତୀତ ହୋଇ ରହିଥିବା ଏକ ଐଶ୍ଵର୍ଯ୍ୟ ଦ୍ଵାରା ପ୍ଳାବିତ କରନ୍ତି । କାରଣ, ମାହେଶ୍ଵରୀ ହେଉଛନ୍ତି ସେହି ବହୁଶକ୍ତିଧାରିଣୀ ତଥା ପ୍ରଜ୍ଞାର ଅଧିକାରିଣୀ ଜଣେ ପରମସ୍ଵରୂପିଣୀ ଦେବୀ, ଯିଏକି ଆମକୁ ଅତିମାନସିକ ଅନ୍ତହୀନତା ଗୁଡ଼ିକ ଆଡ଼କୁ ଉନ୍ମୋଚିତ କରି ଦିଅନ୍ତି । ସେହି ବିଶ୍ଵବ୍ରହ୍ମାଣ୍ଡସ୍ତରୀୟ ବୃହତ୍ତର ପ୍ରସାରଗୁଡ଼ିକ ଆଡ଼କୁ ସେହି ପରମ ଆଲୋକର ଐଶ୍ଵର୍ଯ୍ୟ ମଧ୍ୟକୁ ତଥା ସେହି ଅଭିଭୂତକାରୀ ଜ୍ଞାନର ସମ୍ପଦଭଣ୍ଡାରକୁ । ହଁ, ସେହି ପରମା ଜନନୀଙ୍କର ଚିରନ୍ତନ ଶକ୍ତିଚୟର ଅମିତ ସାମର୍ଥ୍ୟମାନଙ୍କର କ୍ରିୟାଶୀଳତାଟି ମଧ୍ୟକୁ । ମାହେଶ୍ୱରୀ ସର୍ବଦା ହିଁ ଶାନ୍ତ ଓ କ୍ଷୋଭରହିତ, ଅବାରିତ ସର୍ବକାଳ ନିମନ୍ତେ ହିଁ ବହୁ ବିସ୍ମୟରେ ପରିପୂର୍ଣ୍ଣ ବିରାଟ ଏବଂ କ୍ଷୋଭରହିତ । କୌଣସି ଘଟଣା ତଥା କାରଣ ତାଙ୍କୁ ବିଚଳିତ କରିପାରେ ନାହିଁ, କାରଣ ତାଙ୍କ ମଧ୍ୟରେ ସମସ୍ତ ପ୍ରଜ୍ଞା ଠୁଳ ବିଦ୍ୟମାନ ହୋଇ ରହିଥାଏ । ତାଙ୍କଠାରୁ କିଛିହେଲେ ଲୁକ୍କାୟିତ ମଧ୍ୟ ନଥାଏ,–ସିଏ ଯାହା ଜାଣିବା ନିମନ୍ତେ ଯେତେବେଳେ ଖାସ୍ ଇଚ୍ଛା କରୁଥାନ୍ତି, ତାହାକୁ ଅବଶ୍ୟ ଜାଣନ୍ତି । ପୁନଶ୍ଚ, ସେ ସକଳ ବସ୍ତୁ ଓ ସକଳ ସତ୍ତାଙ୍କର ଭେଦ ପାଇ ପାରୁଥାନ୍ତି,–ସେଗୁଡ଼ିକର ସର୍ବବିଧ ସ୍ଵଭାବ, ସେଗୁଡ଼ିକ କିପରି କାହାଦ୍ଵାରା ପରିଚାଳିତ ହେଉଛନ୍ତି, କେଉଁ ବିଧାନଟି ଅନୁସାରେ ପୃଥିବୀ ସର୍ବଦା ଗତିଶୀଳ ହୋଇ ରହିଛି, କେଉଁ ପରିସ୍ଥିତିରେ ତାହା ହେଉଛି,–ଏହି ସବୁକିଛି ପୂର୍ବରେ କିପରି ଥିଲା, ସଂପ୍ରତି କିପରି ଅବସ୍ଥାରେ ଅଛି ଏବଂ ଅବଶ୍ୟ କିପରି ରହିଥିବା ଉଚିତ,–ଇତ୍ୟାଦି ଇତ୍ୟାଦି । ଏପରି ଗୋଟିଏ ଶକ୍ତିମତ୍ତା ତାଙ୍କ ଭିତରେ ରହିଛି, ଯାହାକି ସବୁକିଛିର ସମ୍ମୁଖୀନ ହୋଇ ପାରୁଛି, ସବୁକିଛି ଉପରେ ରହି ସେଗୁଡ଼ିକର ସଂଚାଳନା କରୁଛି ତାଙ୍କର ସେହି ବହୁବ୍ୟାପ୍ତିଯୁକ୍ତ ଅତିସୂକ୍ଷ୍ମ ପ୍ରଜ୍ଞାର ବିରୋଧ କରି କିମ୍ବା ତାଙ୍କର ଅତ୍ୟୁଚ୍ଚ ଚିରସ୍ଥିର ଶକ୍ତିକୁ ଆହ୍ଵାନ କରି ଆଘର କେହି କଦାପି ବିଜୟ ଲାଭ କରିପାରିବେ ନାହିଁ । ସଦାସମ, ଧୈର୍ଯ୍ୟଯୁକ୍ତ ଏବଂ ଅପରିବର୍ତ୍ତନୀୟ ଭାବରେ ଆପଣାର ଇଚ୍ଛାଶକ୍ତିରେ ସ୍ଥିର ହୋଇ ରହିଥିବା, ସେହି ମାହେଶ୍ଵରୀଙ୍କର । ସକଳ ମନୁଷ୍ୟଙ୍କର ସେମାନଙ୍କର ନିଜ ସ୍ଵଭାବଗୁଡ଼ିକର ଅନୁସାରେ ମାହେଶ୍ଵରୀ ସେମାନଙ୍କୁ ନେଇ ସବୁକିଛି କରିଥାଆନ୍ତି ଓ ଯାବତୀୟ ବସ୍ତୁ ତଥା ଘଟଣାମାନଙ୍କର କ୍ଷେତ୍ରରେ ସେଗୁଡ଼ିକ ମଧ୍ୟରେ ବିଦ୍ୟମାନ ଥିବା ଅସଲ ଶକ୍ତି ଏବଂ ଅସଲ ସତ୍ୟଟି ଅନୁସାରେ ।

 

ହଁ, ତାଙ୍କ ଭିତରେ ପକ୍ଷପାତିତା ବୋଲି କେବେହେଲେ କିଛି ନଥାଏ, କିନ୍ତୁ ସେ ସର୍ବଦା ସେହି ସର୍ବୋଚ୍ଚ ପରମଙ୍କର ହିଁ ନିର୍ଦ୍ଧାରଣକୁ ମାନି ଯାହା କିଛି କରନ୍ତି; କେତେକଙ୍କୁ ତଳୁ ଉପରକୁ ଉଠାଇ ଆଣନ୍ତି ଏବଂ କେତେକଙ୍କୁ ତଳକୁ ମଧ୍ୟ ଫିଙ୍ଗି ଦିଅନ୍ତି ଅଥବା ଆପଣାରୁ ଅନ୍ତରାଳ କରି ଅନ୍ଧାର ମଧ୍ୟରେ ନେଇ ରଖିଥାନ୍ତି, ପ୍ରଜ୍ଞାଯୁକ୍ତ ମାନଙ୍କୁ ସେ ଏକ ଅଧିକ ବୃହତ୍ ଏବଂ ଅପେକ୍ଷାକୃତ ଏକ ଅଧିକ ଆଲୋକଯୁକ୍ତ ପ୍ରଜ୍ଞା ପ୍ରଦାନ କରିଥାଆନ୍ତି; ଯେଉଁମାନଙ୍କ ମଧ୍ୟରେ ଆହୁରି ଆଗକୁ ଦୃଷ୍ଟିଟାଏ ଥାଏ, ସେମାନଙ୍କୁ ସେ ଆପଣାର ହିତପରାମର୍ଶମାନ ଦିଅନ୍ତି । ଏବଂ, ଅପରପକ୍ଷରେ, ଯେଉଁମାନେ ବିରୋଧୀ ହୁଅନ୍ତି, ସିଏ ସେମାନଙ୍କ ଉପରେ ସେମାନଙ୍କ ବିରୋଧାଚରଣର ପରିଣାମଟିକୁ ନେଇ ଲଦି ଦିଅନ୍ତି । ଯେଉଁମାନେ ଅଜ୍ଞାନ ଭିତରେ ଥାଆନ୍ତି ଓ ନିର୍ବୋଧ ହୋଇ ରହିଥାନ୍ତି, ସେମାନଙ୍କର ସେହି ଅନ୍ଧ ହୋଇ ରହିଥିବାର ସ୍ଥିତିଟି ଅନୁସାରେ ହିଁ ପରିଚାଳିତ କରିଥାନ୍ତି-। ପ୍ରତ୍ୟେକ ମନୁଷ୍ୟର ସ୍ୱଭାବ ବସ୍ତୁତ୍ୱଃ ଭିନ୍ନ ଭିନ୍ନ ଉପାଦାନମାନଙ୍କୁ ଦେଇ ଗଠିତ ହୋଇଥାଏ ଏବଂ ଦେବୀ ମାହେଶ୍ଵରୀ ତାହାରି ଅନୁସାରେ ମୁଁ ଯାହାକିଛି କରନ୍ତି, ସେଗୁଡ଼ିକର ସ୍ଵତନ୍ତ୍ର ଆବଶ୍ୟକତା ମୁତାବକ ସେଗୁଡ଼ିକର ସମ୍ମୁଖୀନ ହୁଅନ୍ତି ଓ ସେମାନଙ୍କର ସହାୟତା କରିଥାଆନ୍ତି-। ସେହି ସ୍ଵତନ୍ତ୍ର ସ୍ଵଭାବଚୟର ପ୍ରବୃତ୍ତି ପ୍ରଭୃତିର ଅନୁସାରେ ଏବଂ ସେମାନେ ଯେଉଁପରି ଫଳ ଓ ପରିଣାମର ବାସନା ରଖିଥାନ୍ତି, ତାହାରି ମୁତାବକ । ସେଗୁଡ଼ିକ ଉପରେ ଆବଶ୍ୟକ ଚାପଗୁଡ଼ିକୁ ଦିଅନ୍ତି କିମ୍ବା ସେମାନଙ୍କର ସ୍ଵକୀୟ ଅଭିଳଷିତ ସ୍ଵାଧୀନତାର ପଥ ଅନୁସରଣ କରିବାକୁ ଛାଡ଼ି ମଧ୍ୟ ଦିଅନ୍ତି ସେମାନଙ୍କୁ ପରମ ଅଜ୍ଞାନତାର ମାର୍ଗମାନଙ୍କରେ ଯାଇ ସମୃଦ୍ଧି ଲାଭ କରିବାକୁ ଅଥବା ସର୍ବନାଶ ହୋଇଯିବାକୁ ଛାଡ଼ି ଦେଇଥାନ୍ତି । କାରଣ, ଏହି କ୍ଷେତ୍ରରେ ସବାବଡ଼ କଥାଟି ହେଉଛି ଯେ, ମାହେଶ୍ୱରୀ ଆପଣାକୁ ଏହି ବିଶ୍ଵର ଆଦୌ କୌଣସିଥିରେ ବାନ୍ଧି ହୋଇ ରହିନଥାନ୍ତି, କେଉଁଠି ହେଲେ ଆସକ୍ତ ନଥାନ୍ତି । ତଥାପି ସେ ଅନ୍ୟମାନଙ୍କ ତୁଳନାରେ, ସେହି ବିଶ୍ଵମୟୀ ପରମା ଜନନୀଙ୍କର ହୃଦୟଟିକୁ ଅଧିକତର ପରିମାଣରେ ବହନ କରୁଥାନ୍ତି । ତାଙ୍କ କରୁଣାର ଆଦୌ ଅନ୍ତ ହିଁ ନଥାଏ ଏବଂ ତାହା କଦାପି ନିଃଶେଷିତ ହୋଇଯାଏ ନାହିଁ । ତାଙ୍କ ଆଖିରେ ସମସ୍ତେ ହିଁ ସର୍ବଦା ସନ୍ତାନ ହୋଇ ରହିଥାନ୍ତି, ସମସ୍ତେ ସେହି ପରମ ଏକଙ୍କର ଅଂଶ ହୋଇ ଅବସ୍ଥାନ କରୁଥାନ୍ତି; ଏପରିକି ସେହି ଅସୁର, ରାକ୍ଷସ ଏବଂ ପିଶାଚ,–ଯେତେ ଯିଏ ବିଦ୍ରୋହ ଘୋଷଣା କରି ତାଙ୍କର ବିରୋଧ ଆଚରଣ କରୁଥାନ୍ତି, ପ୍ରକୃତରେ ସମସ୍ତେ । ଏପରିକି, ତାଙ୍କର ପ୍ରତ୍ୟାଖ୍ୟାନ ଗୁଡ଼ିକ ମଧ୍ୟ ସର୍ବଦା ସେହି ସମୟଟି ନିମନ୍ତେ,–ନ୍ୟାୟତଃ ଗଡ଼ାଇ ଗଡ଼ାଇ ଦେଉଥିବାର ଗୋଟିଏ ଅନ୍ୟ ନାମ-। ଏପରିକି, ଦଣ୍ଡବିଧାନ ଗୁଡ଼ିକ ମଧ୍ୟ ଏକ କୃପାପ୍ରଦର୍ଶନ । କିନ୍ତୁ କୃପାପ୍ରଦର୍ଶନ କରିବାକୁ ଯାଇ ସିଏ କେବେହେଲେ ତାଙ୍କର ପ୍ରଜ୍ଞାଟି ଆଡ଼େ ଆଖି ବୁଜିଦେଇ ନଥାନ୍ତି କିମ୍ବା ଆପଣାର କୌଣସି କାର୍ଯ୍ୟକୁ କାର୍ଯ୍ୟଟିର ନିର୍ଦ୍ଧାରିତ ଗତିପଥଟିରୁ କେବେହେଲେ ଅନ୍ୟଆଡ଼େ ମୁହାଁଇ ବି ଦିଅନ୍ତିନାହିଁ । କାରଣ, ପ୍ରତ୍ୟେକ ବସ୍ତୁ ମଧ୍ୟରେ ନିହିତ ହୋଇ ରହିଥିବା ଯଥାର୍ଥ ସତ୍ୟଟି ଉପରେ ହିଁ ସେ ସର୍ବ ଅବସରରେ ଆପଣାର ଦୃଷ୍ଟିକୁ ନିବଦ୍ଧ କରି ରଖିଥାନ୍ତି । ଜ୍ଞାନ ହିଁ ତାଙ୍କର ଯାବତୀୟ ଶକ୍ତିର କେନ୍ଦ୍ରସ୍ଵରୂପ;–ଏବଂ, ଆମର ଆତ୍ମା ତଥା ଏହି ସ୍ଵଭାବକୁ ସେହି ଦିବ୍ୟ ପରମସତ୍ୟଟି ମଧ୍ୟକୁ ଗଠନ କରି ନେଇଯିବା,–ସେଇଟି ତାଙ୍କର ସବାମୂଳରେ ରହିଥିବା ଗୋଟିଏ ବ୍ରତ ଏବଂ କାର୍ଯ୍ୟତଃ ତାଙ୍କର ଯାହାକିଛି କ୍ରିୟାଶୀଳତା ତଥା ପ୍ରୟାସ ।

 

ମହାକାଳୀ ଗୋଟିଏ ଭିନ୍ନ ପ୍ରକୃତିର । ଏଠାରେ ବିସ୍ତାର ନୁହେଁ, ଉଚ୍ଚତା; ପ୍ରଜ୍ଞା ନୁହେଁ, କିନ୍ତୁ ପ୍ରଚଣ୍ଡ ଶକ୍ତି ଓ ବଳଶାଳୀତା, ଏମାନେ ହେଉଛନ୍ତି ତାଙ୍କର ଖାସ୍ ଏକ ବିଶେଷ ସାମର୍ଥ୍ୟ । ମହାକାଳୀଙ୍କ ମଧ୍ୟରେ ଏକ ଦୁର୍ଦ୍ଦମନୀୟ ସଦାତୀବ୍ରତା, ଲକ୍ଷ୍ୟ ହାସଲ କରିବାର ଏକ ଅଦମ୍ୟ ଶକ୍ତିଯୁକ୍ତ ପ୍ରବଳ ଇଚ୍ଛୁକତା; ଏପରି ଏକ ଈଶ୍ଵରୀୟ ଉଗ୍ରତା, ଯାହାକି ଆପଣାର ଇପ୍ସିତ ଲକ୍ଷ୍ୟଟିକୁ ହାସଲ କରିବାରେ ସଦା ଉନ୍ମଖ ହୋଇ ରହିଥାଏ, ସକଳ ବାଡ଼ ଏବଂ ସୀମାକୁ ଚୂର୍ଣ୍ଣ କରି ପକାଇବା ନିମନ୍ତେ ଦ୍ରୁତ ଧାବମାନ ହୋଇ ରହିଥାଏ, ସକଳ ବାଧାକୁ ଲଂଘିଯିବ ବୋଲି ଉଦ୍‌ଗ୍ରୀବ ହୁଏ । ମହାକାଳୀଙ୍କ ମଧ୍ୟରେ ଯେତେ ଯାହା ଈଶ୍ଵରୀୟତା, ସେଇଟି ସତତ ଏକ ପ୍ରଚଣ୍ଡ କ୍ରିୟାସମ୍ପାଦନାର ଐଶ୍ଵର୍ଯ୍ୟରେ କେବଳ ଉଛୁଳି ପଡ଼ିବ ଓ କୁଆଡ଼େ କୁଆଡ଼େ ଲଙ୍ଘି ଚାଲିଯିବ ବୋଲି ଉଚ୍ଛନ୍ନ ହିଁ ହେଉଥାଏ । ମହାକାଳୀ ହେଉଛନ୍ତି ବେଗରୁ ହିଁ ପ୍ରତୀକ ଏବଂ ଦ୍ୟୋତକ, ମୋଟେ ଦଣ୍ଡ ମାତ୍ର ବିଳମ୍ବ ନକରି ସଫଳତା ହାସଲ କରିବାର ଏକ ପ୍ରକ୍ରିୟା : ହଁ, ସେହି ସମ୍ପୂର୍ଣ୍ଣ ସିଧା ଏବଂ ବେଗଯୁକ୍ତ ଆଘାତଟିର ପ୍ରତୀକମୂର୍ତ୍ତି, ପୂରା ସମ୍ମୁଖ ପଟଟିରୁ ହିଁ ଏପରି ଏକ ଆକ୍ରମଣ, ଯିଏକି ନିଜ ଆଗରେ ଯାହାକିଛିକୁ ଭେଟିବ, ତାହାକୁ ଅବଶ୍ୟ ଧ୍ଵସ୍ତ ଓ ଧୂଳିସାତ୍ କରି ପକାଇବ । ହଁ, ମହାକାଳୀ ଏକ ଅସୁରକୁ ଯଦି କେବେ ଆଗରେ ପାଆନ୍ତି, ତେବେ ତାଙ୍କର ମୁଖଟି ଏକ ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଥାଏ; ଯେଉଁମାନେ ପରମ ଦିବ୍ୟତା ଲାଗି ଅସୂୟା ଦେଖାନ୍ତି, ସେମାନଙ୍କ ପ୍ରତି ତାଙ୍କର ମନୋଦୃଷ୍ଟିଗତ ଭାବଟି ଅତ୍ୟନ୍ତ ନିର୍ମମ ହିଁ ହୁଏ । କାରଣ, ସିଏ ହେଉଛନ୍ତି ଏହି ଭୁବନସମୂହର ସର୍ବାଗ୍ରରେ ରହିଥିବା ସେହି ଯୋଦ୍ଧା, ଯିଏକି ଏକ ଯୁଦ୍ଧ ଲଢ଼ିବାରୁ କେବେହେଲେ ବିରତ ବା କୁଣ୍ଠିତ ହୋଇ ରହିଯାଆନ୍ତି ନାହିଁ । ସେ ମୋଟେ କୌଣସି ଅପୂର୍ଣ୍ଣତାକୁ ସହ୍ୟ କରନ୍ତି ନାହିଁ; ଜଣେ ମନୁଷ୍ୟ ଭିତରେ ଯାହାକିଛି ଅନିଚ୍ଛୁକ ହୋଇ ରହିଥାଏ, ସିଏ ସେହି ସବୁକିଛି ପ୍ରତି ଅତ୍ୟନ୍ତ ରୁକ୍ଷ କଠୋର ଭାବରେ ଆଚରଣ କରିଥାନ୍ତି । ଏବଂ, ଯାହାକିଛି ସତେ ଯେପରି ଜାଣି ଶୁଣି ଅଜ୍ଞାନ ଓ ଅସ୍ପଷ୍ଟ ହୋଇ ରହିଥାଏ, ମହାକାଳୀ ତା’ ପ୍ରତି ଅତ୍ୟନ୍ତ କଠୋର ହୁଅନ୍ତି । ଯାବତୀୟ ବିଶ୍ଵାସଘାତକ ଓ ମିଥ୍ୟା ଏବଂ ଦ୍ଵେଷ–ଆଚରଣ, ସିଏ ତତ୍‌କ୍ଷଣାତ୍ ହିଁ ସମ୍ପୂର୍ଣ୍ଣ ଭାବରେ କ୍ରୋଧ ପ୍ରକଟ କରନ୍ତି । ଯାହାକିଛି ଅସତ୍‌ ଇଚ୍ଛା, ତାହା ତାଙ୍କରି ବେତ୍ରାଘାତର ହିଁ ଶିକାର ହୁଏ । ଦିବ୍ୟ ଯାବତୀୟ କର୍ମର କ୍ଷେତ୍ରମାନଙ୍କରେ ଯେତେଯେତେ ଉଦାସୀନତା ଏବଂ ଉପେକ୍ଷା, ଅବହେଳା ଅଥବା ଆଳସ୍ୟ–ଆଚରଣ, ମହାକାଳୀ ସେଗୁଡ଼ିକୁ ଆଦୌ ସହିପାରନ୍ତି ନାହିଁ,-ଏସବୁ ତାଙ୍କ ଦୃଷ୍ଟିରେ ପଡ଼ିବା ମାତ୍ରକେ ହିଁ ସେ ସତେଅବା କାହାର ପ୍ରହାର ଆସି ବାଜିଲାଭଳି ଯନ୍ତ୍ରଣା ଅନୁଭବ କରନ୍ତି ଏବଂ ଯିଏ ଏହି ଆବଶ୍ୟକ ସମୟରେ ସତେଅବା ନିଦରେ ଶୋଇଛି ଅଥବା କାଳକ୍ଷେପଣ କରି ବାଆଁରେଇ ବୁଲୁଛି, ସେ ବେତ୍ରପ୍ରହାର ଦ୍ଵାରା ତାଙ୍କର ନିଦ ଭାଙ୍ଗି ଦିଅନ୍ତି ।

 

ସେହି ପ୍ରାୟ ସ୍ଵଭାବଗତ ତୀବ୍ର ଆବେଗଚୟ,–ଅତ୍ୟନ୍ତ ସିଧା ଏବଂ ଅତ୍ୟନ୍ତ ଖୋଲା, ସତେଅବା ଖାସ୍ ସେହିଭଳି ହେବା ହିଁ ହେଉଛି ଉକ୍ତ ଆବେଗଗୁଡ଼ିକର ଧର୍ମ ଅର୍ଥାତ୍ ସର୍ବମୂଳ ପରିଚୟ, ସେହି ଯାବତୀୟ ଗତିଶୀଳତା, ଯେଉଁଥିରେ ମୋଟେ କୌଣସି ସଙ୍କୋଚ ଅର୍ଥାତ୍ ଦ୍ଵିତୀୟ ଭାବନା ନଥାଏ, ଯାହା ସର୍ବଦା ନିରଙ୍କୁଶ ଏବଂ ନିର୍ବୋଧ, ଏପରି ଏକ ଆସ୍ପୃହା, ଯାହାକି ଏକ ଅଗ୍ନିଶିଖା ତୁଲ୍ୟ ତୁଚ୍ଛା ଉଠି ଉଠି ହିଁ ଯିବାରେ ଯିବାରେ ଲାଗିଥାଏ, ମହାକାଳୀଙ୍କର ଏହିଗୁଡ଼ିକ ହିଁ ହେଉଛନ୍ତି ସ୍ୱତନ୍ତ୍ର ଓ ସ୍ଵକୀୟ ବେଗଗତ ଧର୍ମ । ତାଙ୍କର ନିଜସ୍ଵ ସେହି ଅନ୍ତର୍ଗତ ଭାବଟି ସକଳ ବଶ୍ୟତାର ଅତୀତ, ତାଙ୍କର ସମ୍ମୁଖଦୃଷ୍ଟି ଏବଂ ଇଚ୍ଛାଶକ୍ତି,–ସେମାନେ ଏକ ଇଗଲପକ୍ଷୀବତ୍ ବହୁ ଉଚ୍ଚ, ବହୁଦୂର ତଥା ଅପହଞ୍ଚ । ଏକ ଉର୍ଦ୍ଧ୍ଵାଭିମୁଖୀ ଆରୋହ–କ୍ରମରେ ତାଙ୍କର ପାଦମାନେ ଅତ୍ୟନ୍ତ ବେଗଯୁକ୍ତ ଏବଂ କ୍ଷିପ୍ର । ତାଙ୍କର ହାତମାନେ ଅନୁକ୍ଷଣ ଆଘାତ କରିବା ଓ ସହାୟ ଆଣିଦେବା ନିମନ୍ତେ ଉଦ୍ୟତ ଓ ପ୍ରସାରିତ । କାରଣ, ସିଏ ମଧ୍ୟ ସକଳାର୍ଥରେ ସେହି ପରମା ଜନନୀ ଏବଂ ତାଙ୍କର ପ୍ରେମ ମଧ୍ୟ ତାଙ୍କ କ୍ରୋଧ ସଦୃଶ ସମାନ ତଥା ସକଳ ଭାବରେ ସଘନ ତଥା ଉଚ୍ଛ୍ୱଳ । ତାଙ୍କ ଭିତରେ ରହିଥିବା ଦୟାର୍ଦ୍ରତାର ଭାବଟି ସର୍ବଦା ଅତ୍ୟନ୍ତ ଗଭୀର ଓ କେତେ ଆବେଗରେ ପରିପୂର୍ଣ୍ଣ । ଆପଣାର ପୂର୍ଣ୍ଣ ବଳ ସହିତ ଯେତେବେଳେ ତାଙ୍କୁ ଆସି ହସ୍ତକ୍ଷେପ କରିବା ନିମନ୍ତେ ବାଟ ଛାଡ଼ି ଦିଆଯାଏ, ସେତେବେଳେ ଗୋଟିଏ ନିମେଷରେ ହିଁ ସଙ୍ଗତି ନଥିବା ବସ୍ତୁମାନଙ୍କ ଭଳି ସକଳବିଧ ପ୍ରତିବନ୍ଧକମାନେ, ସାଧକ ଉପରେ ଆସି ଆକ୍ରମଣ କରୁଥିବା ଶତ୍ରୁମାନେ ମଧ୍ୟ ଅଚଳ ହୋଇ ରହିଯାଆନ୍ତି । ଏବଂ, ତାଙ୍କର କ୍ରୋଧ ବିରୋଧୀମାନଙ୍କ ସକାଶେ ଯେପରି ଭୟଙ୍କର ହୋଇ ରହିଥାଏ ଏବଂ ତାଙ୍କର ପ୍ରଚଣ୍ଡତାପୂର୍ଣ୍ଣ ଚାପଟି ଯେଉଁଭଳି ଦୁର୍ବଳ ତଥା ଭୀରୁମାନଙ୍କ ଲାଗି ଯନ୍ତ୍ରଣାଦାୟକ ହୋଇଥାଏ, ଅପର ପକ୍ଷରେ ମହାନ, ବଳଯୁକ୍ତ ଓ ଉତ୍ତମମାନେ ତାଙ୍କୁ ଠିକ୍ ସେହିପରି ଭଲ ପାଆନ୍ତି ଏବଂ ତାଙ୍କର ଉପାସନା କରନ୍ତି । କାରଣ, ସେମାନେ ସର୍ବଦା ଅନୁଭବ କରନ୍ତି ଯେ, ସେମାନଙ୍କର ପ୍ରାଣବସ୍ତୁଟି ମଧ୍ୟରେ ଯାହାକିଛି ବିଦ୍ରୋହ କରିବାରେ ଲାଗିଥାଏ, ଜନନୀ ମହାକାଳୀ ଆପଣାର ସେହି ଆଘାତଗୁଡ଼ିକ ଦ୍ଵାରା କେବଳ ସେହି ଉପାଦାନଗୁଡ଼ିକୁ ଆସି ଆଘାତ ଦେବେ ଓ ସେଗୁଡ଼ିକୁ ବଳ ତଥା ପୂର୍ଣ୍ଣତାଯୁକ୍ତ ସତ୍ୟରୂପେ ନିଶ୍ଚୟ ପୁନର୍ଗଠିତ କରିନେବେ; ସେମାନଙ୍କ ଭିତରେ ଯାହା ବଙ୍କା ତେର୍ଚ୍ଛା ବା ବିକାରଗ୍ରସ୍ତ ହୋଇ ରହିଛି, ସେଗୁଡ଼ିକୁ ହାତୁଡ଼ିରେ ପିଟି ସିଧା ହିଁ କରିବେ ଓ ଯାହାକିଛି ଅଶୁଦ୍ଧ ତଥା ଦୋଷଯୁକ୍ତ ହୋଇ ରହିଛି, ସେଗୁଡ଼ିକୁ କାଢ଼ି ବାହାର କରିଦେବେ । ମାତ୍ର, ମହାକାଳୀ ଗୋଟିଏ ଦିନରେ ହିଁ ଯାହାକିଛି କରନ୍ତି, ସେତିକି ସାଧ୍ୟ କରିପାରିବା ହୁଏତ ପ୍ରକୃତରେ ଆମକୁ ଅନ୍ୟଥା ଶହେଟି ବର୍ଷ ମଧ୍ୟ ଲାଗିଥାଆନ୍ତା । ତାଙ୍କ ବିନେ ଆମର ଆନନ୍ଦଟି ସମ୍ଭବତଃ ବେଶ୍ ପ୍ରଶସ୍ତ, ଗମ୍ଭୀର ଅଥବା କୋମଳ ବା ମଧୁର କିମ୍ବା ମଧୁର ହୋଇ ପାରିଥାନ୍ତା ସତ, କିନ୍ତୁ ସେଇଟି ଭିତରେ ଆପଣାର ଚରମ ପ୍ରଗାଢ଼ତା ଗୁଡ଼ିକର କ୍ଷେତ୍ରରେ ଆଦୌ କୌଣସି ଉଲ୍ଲାସର ଶିଖା ସତକୁ ସତ ଜଳୁଥିବା ପରି ଅନୁଭବ ହେଉନଥାନ୍ତା । ଜ୍ଞାନର କ୍ଷେତ୍ରରେ ମହାକାଳୀ ଏକ ସଦା ଜୟଲାଭର ଶକ୍ତି ଆଣି ଦିଅନ୍ତି, ସର୍ବବିଧ ସୌନ୍ଦର୍ଯ୍ୟ ଏବଂ ସମଞ୍ଜସତାକୁ ସେ ଗୋଟିଏ ଅତ୍ୟୁଚ୍ଚ ତଥା ସର୍ବଦା ହିଁ ଆରୋହଣରତ ସଚଳତା ପ୍ରଦାନ କରନ୍ତି ଓ ଯାବତୀୟ ଗତି ମନ୍ଥର ତଥା ଆୟାସଯୁକ୍ତ ଶ୍ରମପ୍ରୟାସକୁ ପରିପୂର୍ଣ୍ଣତା ପ୍ରଦାନ କରି ଏପରି ଗୋଟିଏ ପ୍ରେରକଶକ୍ତିର ସଞ୍ଚାରଣ କରନ୍ତି ଯାହାଦ୍ଵାରା କି ବଳଟି ବହୁଗୁଣିତ ହୁଏ ଏବଂ ଦୀର୍ଘ ପଥଟିକୁ ହ୍ରସ୍ଵ ଅର୍ଥାତ୍ ସଂକ୍ଷିପ୍ତ ମଧ୍ୟ କରି ଆଣିଥାଏ । ଆପଣା ସର୍ବୋଚ୍ଚ ଉଲ୍ଲାସର ଉପଲବ୍ଧି ନହୋଇଥିବା ପର୍ଯ୍ୟନ୍ତ ମହାକାଳୀ ଆଦୌ ସନ୍ତୁଷ୍ଟ ହୁଅନ୍ତି ନାହିଁ, ସେହି ଉଚ୍ଚତମ ଉଚ୍ଚତାଗୁଡ଼ିକ ପ୍ରାପ୍ତ ନହୋଇଥିବା ପର୍ଯ୍ୟନ୍ତ । ହଁ, ଯାବତୀୟ ଅର୍ଥରେ ସେହି ସର୍ବୋତ୍ତମ ଲକ୍ଷ୍ୟଗୁଡ଼ିକରେ ଯାଇ ଉପନୀତ ହୋଇନଥିବା ଯାଏ, ବୃହତ୍ତମ ପ୍ରସାରର ଦୃଶ୍ୟପଟ ଗୁଡ଼ିକ ଉନ୍ମୋଚିତ ହୋଇ ଆସିନଥିବା ପର୍ଯ୍ୟନ୍ତ । ସୁତରାଂ, ଏହି ମହାକାଳୀଙ୍କ ସହିତ ହିଁ ଦିବ୍ୟ ପରମଙ୍କର ବିଜୟୀ ହେବାର ସେହି ଯଥାର୍ଥ ଶକ୍ତିଟି ହି ସଂଲଗ୍ନ ହୋଇ ରହିଥାଏ ଏବଂ ତାଙ୍କରି ଅଗ୍ନି, ପ୍ରବଳ ଇଚ୍ଛା ତଥା ଗତିବେଗଟିର କୃପାପ୍ରାପ୍ତି ଦ୍ଵାରା ବୃହତ୍ ଯାବତୀୟ ଲକ୍ଷ୍ୟ-ସାଧନଚୟକୁ ଆଉ ଆଦୌ ଗଡ଼ାଇ ନଦେଇ ଏହି ବର୍ତ୍ତମାନ କ୍ଷଣଟିରେ ପ୍ରକୃତରେ ସର୍ବଦା ସମ୍ଭବ ହୁଏ ।

 

ପ୍ରଜ୍ଞା ଓ ଶକ୍ତି, କେବଳ ଏହି ଦୁଇଟିକୁ ହିଁ ଆମେ ସର୍ବପରମା ସେହି ଜନନୀଙ୍କର ପରିପ୍ରକାଶ ବୋଲି କଦାପି ଗ୍ରହଣ କରି ନେବାନାହିଁ; ତାଙ୍କ ସ୍ୱଭାବଟି ମଧ୍ୟରେ ଆଉ ଗୋଟିଏ ସୂକ୍ଷ୍ମତର ରହସ୍ୟସତ୍ୟ ମଧ୍ୟ ସନ୍ନିବିଷ୍ଟ ହୋଇ ରହିଛି ଏବଂ ସେଇଟି ବ୍ୟତୀତ ସର୍ବବିଧ ପ୍ରଜ୍ଞା ଏବଂ ଶକ୍ତି କେବଳ ଗୋଟିଏ ଗୋଟିଏ ଅପୂର୍ଣ୍ଣ ବସ୍ତୁ ହୋଇ ରହିଯିବେ ଓ ସେଇଟି ନଥିଲେ ଯାହାଯେତେ ପରିପୂର୍ଣ୍ଣତା ତଥାପି ଅପରିପୂର୍ଣ୍ଣ ହୋଇ ରହିଥିବ । ପ୍ରଜ୍ଞା ଓ ଶକ୍ତି ଉପରେ ପ୍ରକୃତରେ ଶାଶ୍ଵତ ସୌନ୍ଦର୍ଯ୍ୟର ସେହି କିମିଆଟିଏ ରହିଛି । ହଁ, ଦିବ୍ୟ ସମଞ୍ଜସତାଗୁଡ଼ିକର ସେହି ରହସ୍ୟଟି ଅବସ୍ଥିତ ରହିଛି, ଆମେ ଯାହା ଫଳରେ ସମ୍ପୂର୍ଣ୍ଣ ରୂପେ ଜାଣିଗଲୁ ବୋଲି କେବେହେଲେ କହି ପାରିବାନାହିଁ । ଏକ ବିଶ୍ଵମୟ ମୁଗ୍ଧକାରିତାର ଗୋଟିଏ ଅପ୍ରତିରୋଧ୍ୟ ଯାଦୁଗରୀ ରହିଛି, ଯାହାକି ଆମର ଧ୍ୟାନକୁ ଅବଶ୍ୟ ଆକର୍ଷଣ କରିନେବ । ସେଇଟି ବସ୍ତୁତଃ ଏପରି ଏକ ଆକର୍ଷଣ, ଯାହାକି ଏହି ବସ୍ତୁସକଳ, ସର୍ବବିଧ ଶକ୍ତିମତ୍ତା ତଥା ଯାବତୀୟ ସତ୍ତାମାନଙ୍କୁ ଏକତ୍ର କରି ଧରି ରଖିଛି ଏବଂ ସେମାନଙ୍କୁ ପରସ୍ପର ସହିତ ମିଳିତ ହୋଇ ଏକ ସମଗ୍ର ରୂପର ବୋଧ ଆଣି ଦେବାପାଇଁ ବାଧ୍ୟ କରି ମଧ୍ୟ ରଖିଛି ଯାହା ଫଳରେ କି ଏକ ପ୍ରଚ୍ଛନ୍ନ ହୋଇ ରହିଥିବା ପରମ ଆନନ୍ଦପୂର୍ଣ୍ଣତା ଆବରଣର ଅନ୍ତରାଳରେ ଅବସ୍ଥିତ ରହି ସେହି ଲୀଳାଟିକୁ ସମ୍ଭବ କରି ଆଣୁଥିବ ଏବଂ ସେଗୁଡ଼ିକରୁ ଆପଣା ନିମନ୍ତେ ନାନା ଛନ୍ଦୋମୟତା ଏବଂ ରୂପାୟନର ସୃଷ୍ଟି କରିବାରେ ଲାଗିଥିବ । ସେଇଟି ହେଉଛି ପରମାଜନନୀଙ୍କର ମହାଲକ୍ଷ୍ମୀ ନାମରେ ପରିଚିତ ସେହି ଶକ୍ତି ଏବଂ ଦିବ୍ୟ ପରମାଶକ୍ତିଙ୍କର ଏପରି ଅନ୍ୟ କୌଣସି ବିଭାବ ନାହିଁ ଯାହାକୁ ରୂପଧାରୀ ସତ୍ତାମାନଙ୍କର ହୃଦୟ ନିମନ୍ତେ ପ୍ରକୃତରେ ଏତେ ଅଧିକ ପରିମାଣରେ ଆକର୍ଷଣୀୟ ମଧ୍ୟ ହୋଇଥାଏ । ହଁ, ଦେବୀ ମାହେଶ୍ଵରୀ ହୁଏତ ଏତେ ଅଧିକ ପରିମାଣରେ ନିଶ୍ଚଳ, ଶାନ୍ତ ତଥା ବିରାଟ ଅଥବା ଦୂରସ୍ଥ ହୋଇ ମଧ୍ୟ ଦେଖା ଯାଉଥିବେ ଯେ ଏହି ପାର୍ଥିବ ପ୍ରକୃତିର ଆମ ଅତିକ୍ଷୁଦ୍ରମାନଙ୍କ ସକାଶେ ପୂରା ଅପହଞ୍ଚ ହୋଇ ରହିଥିବା ପରି ମନେହେବେ,-ତାଙ୍କୁ ନିଜର ବୋଧଟି ମଧ୍ୟରେ ଧାରଣ କରି ରଖିବା ମଧ୍ୟ ଆଦୌ ସମ୍ଭବ ବୋଲି ଲାଗିବେ ନାହିଁ । ମହାକାଳୀ ତ ସେମାନଙ୍କର ଦୁର୍ବଳତା ଲାଗି ଏଡ଼େ ପ୍ରଖର ବେଗରେ ଧାବମାନ ହୋଇ ରହିଥିବା ପରି ବୋଧ ହେବେ ଯେ, ସେହି କାରଣରୁ ଦୁର୍ଲଭପ୍ରାୟ ହୋଇ ରହିଥିବେ,–ତାଙ୍କୁ ବହନ କରିବାର ଅତୀତ ହୋଇ ରହିଥିବେ । କିନ୍ତୁ ମହାଲକ୍ଷ୍ମୀଙ୍କର କ୍ଷେତ୍ରରେ ସମସ୍ତେ ଆନନ୍ଦିତ ଏବଂ ବେଶ୍ ଲାଳସାପୂର୍ଣ୍ଣ ହୋଇ ଏକାବେଳକେ ପାଖେଇ ଆସିବାକୁ ମନ କରୁଥିବେ ।

 

କାରଣ, ମହାଲକ୍ଷ୍ମୀ ହିଁ ପରମ ଦିବ୍ୟ ଉପସ୍ଥିତିର ସେହି ମାଦକମୟ ମାଧୁର୍ଯ୍ୟର ପ୍ରଲୋଭନକାରୀ ଜାଲଟିକୁ ବିସ୍ତାର କରି ରଖିପାରିବେ: ତାଙ୍କରି ଅଧିକ ଓ ଆହୁରି ଅଧିକ ନିକଟବର୍ତ୍ତୀ ହୋଇ-ଆସିବାରେ ହିଁ ଏକ ଗଭୀର ସୁଖ ଉପଲବ୍ଧ ହେଉଥିବ ଏବଂ, ସିଏ ଏଇଠି ମୋ' ହୃଦୟ ମଧ୍ୟରେ ଅବସ୍ଥିତ ରହିଛନ୍ତି ବୋଲି ଯେଉଁ ଅନୁଭବଟି, ତାହା ଆମ ଜୀବନବୋଧର କ୍ଷେତ୍ରଟିକୁ ମଧ୍ୟ କେତେ କେତେ ଉଲ୍ଲାସ ଏବଂ ଚମତ୍କାର ଦ୍ଵାରା ବିମୋହିତ କରି ରଖିବ । କରୁଣା, ମୁଗ୍ଧକାରିତା ଏବଂ କୋମଳତା, ସୂର୍ଯ୍ୟଙ୍କ ମଧ୍ୟରୁ ଆଲୋକ ଛୁଟି ଆସିବାପରି ବହି ଆସୁଥିବେ ଏବଂ, ଯେତେ ଯେତେ ସ୍ଥାନରେ ସିଏ ତାଙ୍କର ସେହି ବିସ୍ମୟକାରୀ ଦୃଷ୍ଟିଟିକୁ ଆଣି ନିବଦ୍ଧ କରି ରଖନ୍ତି ଓ ତାଙ୍କର ସେହି ଦରସ୍ମିତଟିର କମନୀୟତାଟିକୁ ନିପତିତ କରାନ୍ତି, ସେଥିରେ ଏହି ଆତ୍ମାଟି ମଧ୍ୟ ଜାଲଟି ମଧ୍ୟରେ ଯାଇ ପଡ଼ିଯାଏ ଓ ଏକ ଅଗାଧ ଆନନ୍ଦମୟତାର ଗଭୀରତାଗୁଡ଼ିକ ମଧ୍ୟରେ ପ୍ରବିଷ୍ଟ ହୋଇଥାଏ । ତାଙ୍କ ହାତଗୁଡ଼ିକର ସେହି ଚୁମ୍ବକବତ୍ ସ୍ପର୍ଶ ଏବଂ ସେମାନଙ୍କର ସେହି ସୁଗୃଢ଼ କୋମଳ ପ୍ରଭାବ ଆମର ମନ, ପ୍ରାଣ ଏବଂ ଶରୀରକୁ ପରିଶୋଧିତ କରିଦିଏ; ଯେଉଁଠାରେ ମହାଲକ୍ଷ୍ମୀ ଆପଣାର ପାଦଗୁଡ଼ିକୁ ଆଣି ଥାପି ଦିଅନ୍ତି, ଏକ ଅଭିଭୂତକାରୀ ଆନନ୍ଦପୂର୍ଣ୍ଣତାର କେତେ କେତେ ଅଦ୍‍ଭୂତତାକୁ ବହନ କରୁଥିବା ନିର୍ଝରିଣୀମାନେ ବହି ଚାଲିଯିବାରେ ଲାଗିଥାନ୍ତି ।

 

ଏବଂ ତଥାପି, ଏହି ବିମୋହନ–କାରିଣୀ ପରମା ଶକ୍ତିଟିର ଦାବିକୁ ପୂର୍ଣ୍ଣ କରିବା ଆଦୌ ସହଜ ହୁଏନାହିଁ, ତାଙ୍କର ଉପସ୍ଥିତିଟିକୁ ପ୍ରକୃତରେ ସ୍ଥାୟୀ ଭାବରେ ରଖି ମଧ୍ୟ ହୁଏନାହିଁ । ନାଇଁ, ନାଇଁ, ସେଥିଲାଗି ଆମର ମନ ତଥା ଆତ୍ମା ମଧ୍ୟରେ ଏକ ସମଞ୍ଜସତା ତଥା ସୌନ୍ଦର୍ଯ୍ୟ ନିଶ୍ଚୟ ବଜାୟ ରହିଥିବ, ଆମ ଭାବନା ଏବଂ ଅନୁଭୂତି ମଧ୍ୟରେ ସମଞ୍ଜସତା ଏବଂ ସୌନ୍ଦର୍ଯ୍ୟ ମଧ୍ୟ ଥିବ,–ବାହ୍ୟ ଯାବତୀୟ କ୍ଷେତ୍ରରେ ଆମର ସର୍ବବିଧ କାର୍ଯ୍ୟ ଓ ଗତିଶୀଳତା ମଧ୍ୟ ସମଞ୍ଜସ ଓ ସୁନ୍ଦର ହୋଇଥିବ, ଆମ ଜୀବନ ତଥା ପରିପାର୍ଶ୍ଵଗୁଡ଼ିକ ମଧ୍ୟରେ ସମଞ୍ଜସତା ଏବଂ ସୁନ୍ଦରତା ବିଦ୍ୟମାନ ଥିବ,–ମହାଲକ୍ଷ୍ମୀ ଆମଠାରୁ ଅବଶ୍ୟ ସେଗୁଡ଼ିକର ଦାବି କରିବେ । ଯେଉଁଠାରେ ସେହି ସଂଗୁପ୍ତ ହୋଇ ରହିଥିବା ବିଶ୍ଵମୟ ଆନନ୍ଦର ଛନ୍ଦଗୁଡ଼ିକ ସହିତ ଆମ ଜୀବନର ଏକ ଘନିଷ୍ଟ ସମ୍ବନ୍ଧ ରହିଥିବ । ସେହି ପରମ ସର୍ବସୌନ୍ଦର୍ଯ୍ୟମୟଙ୍କର ଆହ୍ଵାନ ଅର୍ଥାତ୍ ଆମନ୍ତ୍ରଣଗୁଡ଼ିକୁ ଆମେ ଶୁଣି ପାରୁଥିବା ଏବଂ ଅନୁରୂପ ଅନୁସ୍ପନ୍ଦନମାନ ଯୋଗାଇ ପାରୁଥିବା; ଏବଂ, ବସ୍ତୁତଃ ବହୁସଂଖ୍ୟକ ଜୀବନ ଯେ ସେହି ପରମ ଦିବ୍ୟତାର ଅଭିମୁଖୀ ହୋଇ ଖୁସିରେ ଅଗ୍ରସର ହୋଇ ଯାଉଛନ୍ତି, ସେଇଟି ପ୍ରତି ମଧ୍ୟ ଅନୁସ୍ପନ୍ଦନ ଯୋଗାଇ ପାରୁଥିବା । ସେହି ଏକମେଳ ଏବଂ ଏକତାକୁ ଅନୁସ୍ପନ୍ଦନ ଜଣାଇବାର ସମର୍ଥ ହୋଇ ପାରୁଥିବା । ଏବଂ, ସେହିଭଳି ଗୋଟିଏ ପାରିପାର୍ଶ୍ୱିକ ସ୍ଥିତି ମଧ୍ୟରେ ହିଁ ଦେବୀ ମହାଲକ୍ଷ୍ମୀ ବିଦ୍ୟମାନ ରହିବା ନିମନ୍ତେ ଆପଣାର ସମ୍ମତି ପ୍ରଦାନ କରିଥାନ୍ତି । ମାତ୍ର, ଅନ୍ୟ ପକ୍ଷରେ ଯାହା କିଛି କୁତ୍ସିତ, ନିକୃଷ୍ଟ ଓ ନୀଚ ହୋଇ ରହିଥାଏ, ଯାହା କିଛି ଦରିଦ୍ର, ଦୁର୍ଗନ୍ଧଯୁକ୍ତ ଏବଂ ଅଧମ ହୋଇ ରହିଥାଏ, ନୃଂଶସ ତଥା ଅତିସ୍ଥୂଳ ରହିଥାଏ, ତାହା ତାଙ୍କର ଆଗମନରେ ପ୍ରତିରୋଧ କରିବାରେ ଲାଗିଥାଏ । ଯେଉଁଠାରେ ପ୍ରେମ ନଥାଏ, ସୌନ୍ଦର୍ଯ୍ୟ ନଥାଏ, ଅଥବା ଏମାନେ ପ୍ରକଟ ହେବାପାଇଁ କୁଣ୍ଠିତ ହୋଇ ରହିଥାଆନ୍ତି, ସେଠାକୁ ସିଏ କେବେହେଲେ ଆସନ୍ତି ନାହିଁ; ଏବଂ, ସେଗୁଡ଼ିକ ଯେଉଁଠାରେ ନାନାପ୍ରକାରେ ବିମିଶ୍ରିତ ଓ ବିକୃତ ହୋଇ ରହିଥାନ୍ତି, ନାନା ନିମ୍ନତର ବସ୍ତୁ ମଧ୍ୟରେ ଗୋଳେଇ ହୋଇ ଯାଇଥାନ୍ତି, ମହାଲକ୍ଷ୍ମୀ ସତେ ଯେପରି ବିମୁଖ ହୋଇ ସେଠାରୁ ଚାଲି ଯିବେ ବୋଲି ତରତର ହେଉଥାନ୍ତି ଅଥବା ସେଠାରେ ଆପଣାର ସମ୍ପଦଗୁଡ଼ିକୁ ଆଣି ଢାଳିଦେବାରେ ସେତେ ବେଶୀ ମନ ଦିଅନ୍ତି ନାହିଁ । ଯେଉଁ ମନୁଷ୍ୟମାନେ ସ୍ଵାର୍ଥପର ଏବଂ ଘୃଣାଦ୍ଵାରା ପରିପୂର୍ଣ୍ଣ, ଦ୍ୱେଷଯୁକ୍ତ ଓ ଅହିତକାରୀ, ନାନା ଈର୍ଷାଦ୍ଵାରା ଚତୁର୍ଦ୍ଦିଗରୁ ଘାରି ହୋଇ ରହିଥାନ୍ତି, ଯଦି ସେହି ଦେବୀ ସେମାନଙ୍କର ହୃଦୟ ମଧ୍ୟରେ ଅବସ୍ଥାନ କରୁଛନ୍ତି ବୋଲି ଜାଣନ୍ତି, ଯଦି ପବିତ୍ର ଯଜ୍ଞପାତ୍ରଟିରେ ବିଶ୍ଵାସଘାତକତା, ବହୁ ଅତିଲୋଭ ଓ ଅକୃତଜ୍ଞତା ମିଶ୍ରିତ ହୋଇ ରହିଥାଏ, ଯଦି ନାନା ଅତି ପ୍ରବଳ ବାସନା ଆଦିର ସ୍ଥୂଳତା ତଥା ନିତାନ୍ତ ଅଶୋଧିତ ବହୁ କାମନା ସେମାନଙ୍କର ଭକ୍ତି ନିବେଦନକୁ ଲାଞ୍ଚିତ କରି ରଖିଥାଏ, ତେବେ ସେହି ପ୍ରକାରର ହୃଦୟମାନଙ୍କରେ ସେହି ଅନୁକମ୍ପାମୟୀ ଏବଂ ସୌନ୍ଦର୍ଯ୍ୟବତୀ ପରମା ଦେବୀ କଦାପି ଦୀର୍ଘ ସମୟ ବିଦ୍ୟମାନ ରହିବେ ନାହିଁ । କାରଣ, ଏକ ଦିବ୍ୟ ବିରକ୍ତିର ଭାବ ହିଁ ତାଙ୍କୁ ଅଧିକାର କରିନେବ ଏବଂ ସେ ନିଜକୁ ଅବଶ୍ୟ ଅପସରାଇ ନେଇଯିବେ, କାରଣ ସିଏ ଏପରି ଏକ ବ୍ୟକ୍ତିତ୍ଵ ଆଦୌ ନୁହନ୍ତି, ଯିଏକି ତଥାପି ଜିଦ୍ କରି ସେଠାରେ ରହିଥିବ ଓ ରହିବାଲାଗି ଚେଷ୍ଟା ମଧ୍ୟ କରୁଥିବ । ଅଥବା, ସେପରି ଗୋଟିଏ ସ୍ଥିତିରେ ସେ ଆପଣାର ମୁହଁ ଉପରକୁ ଏକ ଆଚ୍ଛାଦନ ଦ୍ଵାରା ଆବୃତ କରି ରଖିବେ ଏବଂ ସେହି ଅତ୍ୟନ୍ତ ତିକ୍ତ ତଥା ବିଷଯୁକ୍ତ ସେହି ଶୟତାନଧର୍ମୀ ତତ୍ତ୍ଵଟି କେବେ ପ୍ରତ୍ୟାଖ୍ୟାତ ହୋଇ ଚାଲିଯିବ ବୋଲି ଅପେକ୍ଷା ହୁଏତ କରୁଥିବେ । ହଁ, ସେତେବେଳେ ଯାଇ ପୂଣି ନୂଆ କରି ଆପଣାର ସେହି ସୁଖଦାୟୀ ପ୍ରଭାବଟିର ପ୍ରତିଷ୍ଠା ନିମନ୍ତେ ମନ କରିବେ ।

 

ଏବଂ, ଆହୁରି ଆଗକୁ, ଏକ ତୁଚ୍ଛା ବୈରାଗ୍ୟପଣ ଓ କଠୋର ବୃତ୍ତିଗୁଡ଼ାକ, ଏଗୁଡ଼ିକରେ ମହାଲକ୍ଷ୍ମୀ ସୁଖୀ ହୋଇ ପାରନ୍ତି ନାହିଁ, କିମ୍ବା ହୃଦୟ ମଧ୍ୟରେ ରହିଥିବା ଗଭୀରତର ଆବେଗଗୁଡ଼ିକୁ ଦାବି ରଖିବା ତଥା ଆତ୍ମା ଏବଂ ଜୀବନସ୍ତରର ସେହି ସୌନ୍ଦର୍ଯ୍ୟଗତ ଅଂଶଗୁଡ଼ିକୁ ନିତାନ୍ତ କର୍କଶ ଭାବରେ ଅବଦମିତ କରି ରଖିବାର ପ୍ରବୃତ୍ତିମାନ ଦେଖିଲେ ସେ ଆଦୌ ପ୍ରସନ୍ନ ହୁଅନ୍ତି ନାହିଁ । କାରଣ ଏହି ପ୍ରେମ ଓ ସୌନ୍ଦର୍ଯ୍ୟକୁ ତ ମାଧ୍ୟମରୂପେ ବ୍ୟବହାର କରି ସିଏ ପରମ ଦିବ୍ୟସତ୍ୟର ଯୁଆଳିଟିକୁ ମନୁଷ୍ୟମାନଙ୍କର କାନ୍ଧ ଉପରେ ନେଇ ପକାଇ ରଖିଥାଆନ୍ତି । ଆପଣାର ସେହି ଉଚ୍ଚତମ ସୃଜନଗୁଡ଼ିକର ଭୂମିରେ ଜୀବନକୁ ଏଠାରେ ଏକ ସ୍ଵର୍ଗୀୟ କଳାତ୍ମକତାରେ ସେ ପରିଣତ କରି ରଖନ୍ତି ତଥା ସମୁଦାୟ ସତ୍ତାଟିକୁ ସତେଅବା କୌଣସି ପବିତ୍ର ଆନନ୍ଦର ଏକ କବିତାରୂପେ ହିଁ ବଦଳାଇ ଦିଅନ୍ତି । ଏହି ସମଗ୍ର ପୃଥିବୀର ସବୁ ସମ୍ପଦକୁ ଠୁଳ କରିଆଣି ସେ ଏକ ସଙ୍ଗୀତମୟ ଐକ୍ୟତାନ ଦ୍ଵାରା ଗୋଟିଏ ସର୍ବୋଚ୍ଚ ଛନ୍ଦୋମୟତା ମଧ୍ୟରେ ଗୁନ୍ଥି ଦେଇଥାଆନ୍ତି । ଏବଂ, ଏପରିକି ଅଧିକରୁ ଆହୁରି ଅଧିକ ସାମାନ୍ୟ ତଥା ନିତ୍ୟ ପରିଚିତ ନଗଣ୍ୟ ବସ୍ତୁଗୁଡ଼ିକୁ ମଧ୍ୟ ଆପଣା ଅନ୍ତର୍ବୋଧର ଏକତାଟିକୁ ପ୍ରଦାନ କରି କେଡ଼େ ଚମତ୍କାର କେତେ କ’ଣରେ ପରିଣତ କରି ଦେଇଥାନ୍ତି । ଆପଣାର ସେହି ଅନ୍ତର୍ଗତ ଆତ୍ମାଟିର ସତେଅବା ଏକ ନିଶ୍ଵାସରେ କେଡ଼େ ଭବ୍ୟ କରି ଦେଇଥାନ୍ତି । ଆମ ହୃଦୟଟି ମଧ୍ୟକୁ ପ୍ରବେଶ କରିବାର ସ୍ଵୀକୃତି ଲାଭ କଲେ ମହାଲକ୍ଷ୍ମୀ ଆମ ପ୍ରଜ୍ଞାଟିକୁ ନାନା ବିସ୍ମୟର ପରାକାଷ୍ଠା ଗୁଡ଼ିକୁ ଉତ୍ତୋଳିତ କରି ଦିଅନ୍ତି ଏବଂ ତାହା ନିମନ୍ତେ ଏପରି ଏକ ମହୋଲ୍ଲାସର ନାନା ରହସ୍ୟମୟ ଗୁପ୍ତସମ୍ପଦ ଗୁଡ଼ିକର ଉଦ୍‌ଘାଟନ କରାଇ ଆଣନ୍ତି, ଯାହାକି ଯାବତୀୟ ଜ୍ଞାନର ଆହୁରି କେତେ ନା କେତେ ସେପାଖକୁ ଅତିକ୍ରମ ଚାଲି ଯାଇଥାଏ । ତାହା ଆମର ଭକ୍ତିକୁ ପରମ ଦିବ୍ୟତାର ଏକ ଦୁର୍ବାର ଆକର୍ଷଣରେ ଯାଇ ଭେଟିବା ନିମନ୍ତେ ଭାଜନ ହୋଇଯାଏ । ଆମର ସକଳ ବଳ ତଥା ଶକ୍ତିକୁ ଏପରି ଗୋଟିଏ ଛନ୍ଦ ମଧ୍ୟକୁ ପ୍ରଶିକ୍ଷିତ କରି ନେଇଯାଏ ଯାହାକି ସେମାନଙ୍କର କ୍ରିୟାସାମର୍ଥ୍ୟକୁ ସମଞ୍ଜସତା ପ୍ରଦାନ କରେ, ଏକ ସମୁଚିତ ଅନୁପାତ ଆଣିଦିଏ ତଥା ଏପରି ଗୋଟିଏ ସୌମ୍ୟତା ମଧ୍ୟ ଆଣିଦିଏ ଯାହାକି ଏହାକୁ ଚିରସ୍ଥାୟୀ କରି ରଖେ ।

 

ମହାସରସ୍ଵତୀ ହେଉଛନ୍ତି ପରମା ଜନନୀଙ୍କର ସେହି କର୍ମଭୂମିଗତ ଶକ୍ତି, ତାହା ହେଉଛି ସେହି ପରମ କର୍ମନିପୁଣତା ଏବଂ ପରିପୂର୍ଣ୍ଣ ଶୃଙ୍ଖଳାର ସେହି ଆତ୍ମାଟି । ଚାରୋଟିଯାକ ଶକ୍ତି ମଧ୍ୟରେ ସିଏ ସର୍ବକନିଷ୍ଠା; ଯାବତୀୟ କର୍ମସମ୍ପାଦନଗତ ସାମର୍ଥ୍ୟରେ ସିଏ କୁଶଳତମା ଏବଂ ଏହି ପୃଥ୍ୱୀପ୍ରକୃତିଟିର ସବୁଠାରୁ ଅଧିକ ନିକଟବର୍ତ୍ତୀ । ମାହେଶ୍ଵରୀ ବିଶ୍ଵଶକ୍ତିମତ୍ତା ଗୁଡ଼ିକର ପ୍ରମୁଖ ଗାରଗୁଡ଼ିକୁ ଟାଣି ଦିଅନ୍ତି, ମହାକାଳୀ ସେଗୁଡ଼ିକର ଶକ୍ତି ତଥା ପ୍ରେରଣାଚୟ ଆଣି ଦିଅନ୍ତି । ମହାଲକ୍ଷ୍ମୀ ସେଗୁଡ଼ିକର ସେମାନଙ୍କର ଯାବତୀୟ ଛନ୍ଦ ଓ ଅନୁପାତ ଗୁଡ଼ିକୁ ଠାବ କରନ୍ତି । ମହାସରସ୍ଵତୀ ସେସବୁର ସଂଗଠନଗତ ଟିକିନିଖି ଗୁଡ଼ିକର ନିର୍ଣ୍ଣୟ କରିଦିଅନ୍ତି ଏବଂ ସେଗୁଡ଼ିକୁ କାର୍ଯ୍ୟରେ ପରିଣତ କରନ୍ତି । ସେହି କ୍ଷେତ୍ରରେ ବିଭିନ୍ନ ଅଂଶଗୁଡ଼ିକୁ ଯାହା କିଛି ପରସ୍ପର-ସମ୍ବନ୍ଧିତ କରି ରଖିଥାଏ, ମହାସରସ୍ଵତୀ ସେଗୁଡ଼ିକୁ ଆବିଷ୍କାର କରନ୍ତି, ନିହିତ ଶକ୍ତିଗୁଡ଼ିକୁ ଫଳପ୍ରଦ ଭାବରେ ସଂଯୋଜିତ କରି ଆଣନ୍ତି ଏବଂ ସେଥିରୁ ଯେଉଁସବୁ ଫଳ ପ୍ରାପ୍ତ ହେବ ଏବଂ କର୍ମଟି ସେହି ଦୃଷ୍ଟିରୁ ପୂର୍ଣ୍ଣତା ଲାଭ କରିବ, ସେ ଏଗୁଡ଼ିକ ସମ୍ବନ୍ଧରେ ସେହି ସୁନିଶ୍ଚିତ ଯଥାର୍ଥତାରେ ଯାଇ ଉପନୀତ ହୁଅନ୍ତି । ଯାବତୀୟ ବସ୍ତୁର ବିଜ୍ଞାନ, କାରିଗରୀ କୌଶଳ ତଥା ପ୍ରୟୋଗ ମାର୍ଗ,–ସେଗୁଡ଼ିକ ହେଉଛନ୍ତି ମହାସରସ୍ଵତୀଙ୍କର ନିଜସ୍ୱ ବିଶେଷ କ୍ଷେତ୍ରମାନ । ସିଏ ହିଁ ସର୍ବଦା ସ୍ଵଭାବଗତ ଭାବରେ ଯାହା ଧାରଣ କରି ରହିଥାନ୍ତି ତଥା ଆପଣାର ନିର୍ବାଚିତ ମନୁଷ୍ୟମାନଙ୍କୁ ଆଣି ପ୍ରଦାନ କରନ୍ତି, ସେଗୁଡ଼ିକ ହେଉଛନ୍ତି ଏକ ଯଥାର୍ଥ ତଥା ଅନ୍ତରଙ୍ଗ ଜ୍ଞାନକୌଶଳ, ସର୍ବଦା ଆବଶ୍ୟକ ସେହି ସୂକ୍ଷ୍ମ ଦୃଷ୍ଟିକୁଶଳତା, ଧୈର୍ଯ୍ୟ, ଏକ ଅନ୍ତର୍ବୋଧୀ ମନର ସୁନିର୍ଦ୍ଦିଷ୍ଟ ସକଳ ଧାରା, ଜଣେ ସୁନିପୁଣ କର୍ମରତର ସେହିଁ ସଚେତନ ହାତ ଓ ଏକ ସତକୁ ସତ ଚିହ୍ନିନେଇ ପାରୁଥିବାର ଯଥାର୍ଥ ଦୃଷ୍ଟି । ଏହି ପରମ ନିପୁଣତାଟି ହେଉଛି ସେହି ବଳଶାଳୀ, ଅକ୍ଳାନ୍ତ, ସଦାଯତ୍ନଶୀଳ କୁଶଳ ନିର୍ମାତାର ହିଁ ନିପୁଣ ଏକ ସାମର୍ଥ୍ୟ, ଜଣେ ସଙ୍ଗଠକ, ପ୍ରଶାସନକାରୀ, ପ୍ରୟୋଗକର୍ତ୍ତା, ବିଶ୍ଵଚୟର ଜଣେ କାରିଗର ତଥା ଶ୍ରେଣୀଦ୍ଵାରା ଆବଶ୍ୟକ ବିଭାଜନ କରି ପାରୁଥିବା ଏକ ବିଶେଷ ବ୍ୟକ୍ତିରୂପର ବଳସାମର୍ଥ୍ୟ ।

 

ଯେତେବେଳେ ମହାସରସ୍ଵତୀ ପ୍ରକୃତିରେ ଏକ ରୂପାୟନ ଆଣି ଏକ ନବଗଢ଼ଣ ସମ୍ଭବ କରିବାଲାଗି ଇଚ୍ଛା କରନ୍ତି, ସେତେବେଳେ ସେ ଆପଣାର ସମ୍ପୂର୍ଣ୍ଣ ପ୍ରୟାସଶ୍ରମଟିକୁ ହିଁ ନିୟୋଜିତ କରି ଆଣନ୍ତି,–ଟିକିନିଖି ମୋଟେ କିଛିହେଲେ ଛାଡ଼ି ଚାଲି ଯାଆନ୍ତି ନାହିଁ । ଆପଣାର ଅଧୈର୍ଯ୍ୟ ହେତୁ ଆମେ ତାହାକୁ ଏସବୁ ଏଡ଼େ ମନ୍ଥର ଗତିରେ କାହିଁକି ହେଉଛି ବୋଲି ମନେ କରୁ । ଅନୁମାନ କରିଥାଉ ଯେ ଏଡ଼େ ଧୀର ଭାବରେ ହେଉଥିଲେ କାର୍ଯ୍ୟଟି ହୁଏତ କେବେ ମଧ୍ୟ ସରିବ ନାହିଁ । ମାତ୍ର, ସେହି କାର୍ଯ୍ୟଟି ତଥାପି ଲାଗିଥାଏ, ନିଖୁଣ ତଥା ପୂର୍ଣ୍ଣାଙ୍ଗ ପ୍ରକାରେ ସମ୍ପାଦିତ ହେଉଥାଏ । କାରଣ, ଦେବୀଙ୍କର ସକଳ କାର୍ଯ୍ୟର ପଶ୍ଚାତରେ ଥିବା ଇଚ୍ଛାଟି ପରିପୂର୍ଣ୍ଣ ବିବେକ ସହିତ ଅବ୍ୟାହତ ରହିଥାଏ, ଅତନ୍ଦ୍ର ରହିଥାଏ, କଦାପି କ୍ଳାନ୍ତ କରି ପକାଏ ନାହିଁ ଏବଂ ଆମ ଉପରକୁ ଆନତ ହୋଇ ଆସି ସେ କ୍ଷୁଦ୍ରାତିକ୍ଷୁଦ୍ର ସବୁକିଛିକୁ ଉଲ୍ଲେଖ କରିନିଅନ୍ତି, ଗୋଟିଏ କୌଣସିକୁ ମଧ୍ୟ ଛାଡ଼ି ଯାଇନଥାନ୍ତି । ସେଥିରେ ଏତେ ଟିକିଏ ତ୍ରୁଟି ରହିଥିଲେ ମଧ୍ୟ ଦେଖିପାରନ୍ତି : କେଉଁଠାରେ କିଛି ଛାଡ଼ିହୋଇ ଯାଇଥିଲେ ବଙ୍କା ହୋଇ ଯାଇଥିଲେ, ଅପୂର୍ଣ୍ଣ ରହିଥିଲେ, ସ୍ପଷ୍ଟ ଅବିକୃତ ଭାବରେ ବ୍ୟକ୍ତ ହୋଇ ନଥିଲେ, ତାହାକୁ ଦେଖାଇ ଦିଅନ୍ତି । ଯାହା କିଛି କାର୍ଯ୍ୟ ସମ୍ପାଦିତ ହୋଇଛି ଏବଂ ତଥାପି ଏହା ପରେ ଯାହା କିଛି କରିବା ନିମନ୍ତେ ଆହୁରି ବାକି ରହିଛି, ସେଗୁଡ଼ିକୁ ନିଖୁଣ ଭାବରେ ବିଚାର ଏବଂ ଓଜନ କରି ଦେଖୁଥାନ୍ତି । ତାଙ୍କ ଦୃଷ୍ଟିରେ କୌଣସି କିଛି କାର୍ଯ୍ୟ ମଧ୍ୟ କ୍ଷୁଦ୍ର ଅଥବା ଆପାତତଃ ମାମୁଲି ଅର୍ଥାତ୍ ମହତ୍ତ୍ଵହୀନ ହୋଇ ରହିଯାଏ ନାହିଁ, କୌଣସି ଗୋଟିଏ ମଧ୍ୟ ନଗଣ୍ୟ ବୋଲି ବିବେଚିତ ହୁଏନାହିଁ । ଅଥବା, କୌଣସି ପ୍ରକାର ଛଦ୍ମାବରଣ ମଧ୍ୟରେ ରହିଥିବାରୁ କିମ୍ବା ବ୍ୟକ୍ତ ହୋଇ ପାରୁ ନଥିବାରୁ ଚକ୍ଷୁ ଏଡ଼ି ଚାଲି ଯାଇନଥାଏ । ମହାସରସ୍ଵତୀ ପ୍ରତ୍ୟେକଟିକୁ ଗୋଟିଏ ଗୋଟିଏ ଖାସ୍ ଆକୃତି ଆଣି ଦେଉଥାନ୍ତି, ଆବଶ୍ୟକତା ଅନୁସାରେ ଗୋଟିଏ ଆକୃତିକୁ ଭାଙ୍ଗି ଆଉ ଗୋଟିଏ ଆକୃତିରେ ଗଢ଼ି ନିଅନ୍ତି; ପ୍ରତ୍ୟେକ ଅଂଶ ଓ ଭାଗକୁ ନେଇ ସେହିଭଳି କରୁଥାନ୍ତି, ଯେପର୍ଯ୍ୟନ୍ତ ସେଇଟି ତା’ ନିଜର ଯଥାର୍ଥ ଆକୃତିଟିକୁ ଲାଭ ନକରିଥାଏ, ତା’ର ଆପଣାର ଥାନଟିରେ ଯାଇ ଆପଣାର ଉଚିତ ସମଗ୍ରଟି ମଧ୍ୟରେ ରହିନଥାଏ । କାରଣ, ତେବେଯାଇ ତ ତାହା ଆପଣାର ଯଥାର୍ଥ ଉଦ୍ଦେଶ୍ୟଟିର ପୂରଣ ମଧ୍ୟ କରିପାରେ !

 

ଯାବତୀୟ ବସ୍ତୁକୁ ଏହିପରି ସତତ ପରିପୂର୍ଣ୍ଣ ଅଧ୍ୟବସାୟ ତଥା ନିଷ୍ଠାପର ବ୍ୟବସ୍ଥିତ ଓ ପୁନଃବ୍ୟବସ୍ଥିତ କରି ରଖିବାରେ ସେହି ପ୍ରକ୍ରିୟାରେ ମହାସରସ୍ଵତୀ ଏକାବେଳେକେ ସର୍ବବିଧ ପ୍ରୟୋଜନ ଗୁଡ଼ିକ ଉପରେ ଦୃଷ୍ଟି ଦେଇଥାନ୍ତି : କିପରି ଭାବରେ ସେଗୁଡ଼ିକର ପୂରଣ ହେବ, ସେହି ଦିଗଟି ଉପରେ ମଧ୍ୟ ଆଖି ରଖନ୍ତି । କେଉଁଟିକୁ ଗ୍ରହଣ କରିବା ନିମନ୍ତେ ବାଛିବାକୁ ହେବ ଓ ସେହି ଦୃଷ୍ଟିରେ କେଉଁଗୁଡ଼ିକୁ ବର୍ଜନ କରାଯିବ, ସେହି କଥାଟି ବିଷୟରେ ତାଙ୍କର ଅନ୍ତର୍ବୋଧଟି ସଜ୍ଞାନ ହୋଇ ରହିଥାଏ । ସେ ଏକ ପୂର୍ଣ୍ଣ ସଫଳତା ସହିତ ଉପଯୁକ୍ତ ସାଧନଟିକୁ ମଧ୍ୟ ବାଛି ନିଅନ୍ତି,-ଉପଯୁକ୍ତ ମୁହୂର୍ତ୍ତଟିକୁ, ଉପଯୁକ୍ତ ଅନୁକୂଳତା ମାନଙ୍କୁ ଓ ଉପଯୁକ୍ତ କର୍ମ ପ୍ରକ୍ରିୟାଟିକୁ । ଯତ୍ନହୀନତା, ଅବହେଳା ଏବଂ ଆଳସ୍ୟ,-ସିଏ ଏଗୁଡ଼ିକୁ ଘୃଣା କରନ୍ତି; ସର୍ବବିଧ କଞ୍ଚା, ତରବରିଆ ଏବଂ ଯେକୌଣସି ପ୍ରକାରେ ଫେଣ୍ଟାଫେଣ୍ଟି କରି କରାଯାଉଥିବା କାର୍ଯ୍ୟ ଲାଗି ଅଶ୍ରଦ୍ଧା ହିଁ ପ୍ରକଟ କରନ୍ତି । ଯେଉଁସବୁ କାର୍ଯ୍ୟରେ ସତେଅବା ଢଙ୍ଗ ବୋଲି କିଛି ନଥାଏ, ନାନାଭଳି ଅନ୍ଦାଜ ଉପରେ ଆଶ୍ରିତ ହୋଇ ରହିଥାଏ ଏବଂ, ମରା ଯାଉଥିବା ଗୁଳିମାନେ ସତେଅବା ଆଦୌ ଉଦ୍ଦିଷ୍ଟ ଥାନଟିରେ ଯାଇ ବାଜୁନଥାଏ,-ସର୍ବବିଧ ମିଥ୍ୟା ଅନୁକୂଳନ ତଥା ସାମର୍ଥ୍ୟ ଓ ସାଧନଚୟର ଅପପ୍ରୟୋଗ,-କୌଣସି କାର୍ଯ୍ୟ ଶେଷ ହେବା ପୂର୍ବରୁ ଅଥବା ଅଧାରୁ ସେଇଟିକୁ ସେହିପରି ପକାଇ ଦେଇ ଚାଲିଯିବାର ଏକ ପ୍ରବୃତ୍ତି,-ଏସବୁ ମହାସରସ୍ଵତୀଙ୍କର ବିବେକଟା ଆଦୌ ସହ୍ୟ କରି ପାରେନାହିଁ,-ସେ ଏସବୁକୁ ଅନୁକ୍ଷଣ ନିଜଠାରୁ ଦୂରବର୍ତ୍ତୀ କରି ହିଁ ରଖିଥାନ୍ତି । ଏବଂ, ଯେତେବେଳେ ତାଙ୍କର କୌଣସି କାର୍ଯ୍ୟ ଶେଷ ହୁଏ, ସେତେବେଳେ ମଧ୍ୟ ଆଦୌ କିଛିହେଲେ ପାସୋର ହୋଇ ରହି ଯାଇ ନଥାଏ, କୌଣସି ଗୋଟିଏ ଅଂଶ ମଧ୍ୟ ଅଯଥା ଥାନରେ ରହି ଯାଏନାହିଁ କିମ୍ବା ଛଡ଼ା ହୋଇ ନଥାଏ,-ଆଦୌ କୌଣସି ଦୋଷଯୁକ୍ତ ସ୍ଥିତିରେ ପରିତ୍ୟକ୍ତ ହୋଇ ନଥାଏ । ସବୁକିଛି ନିଦା ଏବଂ ପକ୍କା ହୋଇ ରହିଥାଏ; ସବୁକିଛି ଯଥାନୁପାତ, ସମ୍ପୂର୍ଣ୍ଣ ଏବଂ ଉତ୍ତମ ଓ ପ୍ରଶଂସନୀୟ ହୋଇ ରହିଥାଏ । ହଁ, ସକଳ ସଂଜ୍ଞା ଅନୁସାରେ ଏକ ପରିପୂର୍ଣ୍ଣ ପରିପୂର୍ଣ୍ଣତା,-ତେବେ ଯାଇ ତାଙ୍କର ସନ୍ତୋଷ ସମ୍ଭବ ହୁଏ ଏବଂ, ଆପଣାର ସୃଜନକର୍ମରେ ସେହି ସମ୍ପୂର୍ଣ୍ଣତାଟି ସମ୍ଭବ ହେବାଲାଗି ଯଦି ଏକ ଶାଶ୍ଵତକାଳ ଲାଗି ଶ୍ରମପ୍ରୟାସର ପ୍ରୟୋଜନ ରହିଥାଏ, ତେବେ ଦେବୀ ମହାସରସ୍ଵତୀ ସେଥିପାଇଁ ବି ରାଜି ହୋଇଯାଆନ୍ତି ।

 

ତେଣୁ, ପରମା ଜନନୀଙ୍କର ଯେତେ ଯେତେ ଶକ୍ତି ରହିଛି, ଏହି ମହାସରସ୍ଵତୀଙ୍କୁ ହିଁ ଅନ୍ୟଗୁଡ଼ିକର ତୁଳନାରେ ଆମ ମନୁଷ୍ୟମାନଙ୍କ ଲାଗି ସର୍ବାଧିକ ଦୀର୍ଘ କଷଣ ଭୋଗିବାକୁ ହୋଇଥାଏ । ହଁ, ମନୁଷ୍ୟଗଣଙ୍କର ସହସ୍ର ସହସ୍ର ଅପରିପୂର୍ଣ୍ଣତା ଗୁଡ଼ିକ ଲାଗି । ସଦା ଦୟାଶୀଳା, ସକଳ ସ୍ଥିତିରେ ତଥାପି ଦରସ୍ମିତଯୁକ୍ତା, ଅତ୍ୟନ୍ତ ନିକଟ ଏବଂ ସଦା ସହାୟପ୍ରଦା,-ମହାସରସ୍ଵତୀ ମୋଟେ ସହଜରେ ଛାଡ଼ି ଚାଲି ଯାଆନ୍ତିନାହିଁ, ମୋଟେ ସାହସ ହରାନ୍ତି ନାହିଁ, ବାରମ୍ବାର ବିଫଳ ହେଉଥିଲେ ମଧ୍ୟ ତଥାପି ଅତ୍ୟନ୍ତ ଆସ୍ଥା ସହକାରେ ଲାଗି ରହିଥାନ୍ତି । ସେ ଆମର ପ୍ରତ୍ୟେକଟି ପଦକ୍ଷେପକୁ ଅତୁଟ କରି ରଖିଥାଆନ୍ତି । ଅବଶ୍ୟ, ଏଥିରେ ଏହା ଗୋଟିଏ ମାତ୍ର ସର୍ତ୍ତ ସର୍ବଦା ରହିଯାଏ ଯେ, ଆମର ଇଚ୍ଛାଶକ୍ତିରେ ଆମେ ଅବଶ୍ୟ ଅବିଚଳ ହୋଇ ରହିବା, ନିଷ୍କପଟ ଏବଂ ନିଷ୍ଠାପର ହୋଇ ହିଁ ରହିଥିବା । କାରଣ, ଆମେ ଏକାବେଳେକେ ଦୁଇଟା ମନ ହୋଇ ନିଜର ଜୀବନଟିକୁ ବଞ୍ଚୁଥିବା, ମହାସରସ୍ଵତୀ ସେହି ସ୍ଥିତିଟିକୁ ଆଦୌ ସ୍ଵୀକାର କରିନେଇ ପାରିବେ ନାହିଁ । ପୁନଶ୍ଚ, ଆମେ ଯେତେ ଯାହା ନାଟକୀୟତା ତଥା ଅଭିନୟର ସେହି ବାଟଟିକୁ ଧରିବା, ସିଏ ସେତିକି ନିର୍ଦ୍ଦୟତାର ସହିତ ପ୍ରକୃତ ସତ୍ୟଗୁଡ଼ିକୁ ଦର୍ଶାଇ ଦେଇ ଆପଣାର ବିଦ୍ରୂପଟିକୁ ପ୍ରକଟ କରି ଆଣୁଥିବେ । ଆତ୍ମ-ପ୍ରବଞ୍ଚନା ଏବଂ ଛଳନାକୁ ସିଏ ମୋଟେ ବାଟ ଛାଡ଼ି ଦେବେନାହିଁ । ହଁ, ସିଏ ହେଉଛନ୍ତି ଆମର ସକଳ ଅଭାବର ପୂରଣ କରି ନେଉଥିବା ଜଣେ ଜନନୀ, ଆମର ସକଳ କଠିନତାର କ୍ଷେତ୍ରରେ ଜଣେ ବନ୍ଧୁ : ସକଳ ସ୍ଥିତିରେ ହିଁ କେଡ଼େ ଶାନ୍ତ ଭାବରେ ଆମକୁ ପରାମର୍ଶ ଦେବାରେ ଲାଗିଥିବେ, ଆଦୌ ଆଡ଼େଇ ହୋଇ ରହି ଯିବେନାହିଁ । ଆମକୁ ବୁଦ୍ଧି ଦେଉଥିବେ । ଆପଣାର ସେହି କେଡ଼େ ଦୀପ୍ତ ଦରହାସ୍ୟ ଦ୍ଵାରା ଯାବତୀୟ ନିରାଶା, କ୍ଷୁବ୍ଧତାକୁ ଅପସରାଇ ନେଉଥିବେ, ସର୍ବବିଧ ବିଷାଦର ନିରାକରଣ କରାଉଥିବେ । ଏହିସବୁ କରି ଆମକୁ ସତତ ସ୍ମରଣ କରାଇ ଦେଉଥିବେ ଯେ, ତାଙ୍କର ସେହି ସହାୟତା ସବୁବେଳେ ଅବଶ୍ୟ ମହଜୁଦ ହୋଇ ରହିଥିବ ଏବଂ ସମ୍ମୁଖରେ ରହିଥିବା ସେହି ଶାଶ୍ଵତ ସୂର୍ଯ୍ୟାଲୋକ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଉଥିବେ । ଜନନୀ ମହାସରସ୍ଵତୀ ସବୁବେଳେ ଦୃଢ଼ ହୋଇ ରହିଥାନ୍ତି, ଶାନ୍ତ ଏବଂ ଅବିରାମ ଏପରି ଏକ ପ୍ରେରଣାର ଆକର ହୋଇ ରହିଥାନ୍ତି ଯାହାକି ଆମ୍ଭମାନଙ୍କୁ ଉଚ୍ଚତର ପ୍ରକୃତିର ସେହି ପୂର୍ଣ୍ଣାଙ୍ଗ ପରିପୂର୍ଣ୍ଣତା ଆଡ଼କୁ ଧାବିତ କରି ନେଉଥାଏ । ଅନ୍ୟ ଶକ୍ତିମାନେ ସମସ୍ତେ ହିଁ ନିଜ ନିଜ କ୍ରିୟାଶୀଳ ହେବାର କ୍ଷେତ୍ରରେ ବସ୍ତୁତଃ ସେହି ମହାସରସ୍ଵତୀଙ୍କ ଉପରେ ହିଁ ଆଉଜି ରହିଥିଲା ପରି ନିର୍ଭର କରୁଥାଆନ୍ତି, କାରଣ ସେଇଟି ବ୍ୟତୀତ ଏମାନେ ଆଦୌ ସମ୍ପୂର୍ଣ୍ଣତା ଲାଭ କରନ୍ତି ନାହିଁ । କାରଣ, ସେମାନଙ୍କୁ କେବଳ ମହାସରସ୍ଵତୀ ହିଁ ନିଶ୍ଚିତ ଭାବରେ ଗୋଟିଏ ବାସ୍ତବ ଭିତ୍ତି ଯୋଗାଇ ଦିଅନ୍ତି, ସବୁ ଅସଲ ଉପାଦାନଚୟକୁ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥାପିତ କରି ଆଣନ୍ତି ଓ ସଂରଚନାଟିର ରକ୍ଷାବର୍ମଟିକୁ ଠିଆ କରାଇ ଉପଯୁକ୍ତ କୀଳକମାନଙ୍କ ଦ୍ଵାରା ଦୃଢ଼ କରି ରଖନ୍ତି ।

 

ଏବଂ, ଚାରୋଟିଯାକ ଶକ୍ତିର ଏହି ପରିଚିତ ଗୁଡ଼ିକୁ ପ୍ରଦାନ କରିବା ପରେ ଶ୍ରୀ ଅରବିନ୍ଦ ତା’ପରେ କହିଛନ୍ତି, ‘ଦିବ୍ୟ ପରମାଜନନୀଙ୍କର ସମାନ ଭାବରେ ମହାନ୍ ଅନ୍ୟ ବ୍ୟକ୍ତିତ୍ଵମାନ ରହିଛି, ମାତ୍ର ସେଗୁଡ଼ିକୁ ଅବତୀର୍ଣ୍ଣ କରାଇ ଆଣିବା ଅପେକ୍ଷାକୃତ ଭାବରେ ଅଧିକ କଷ୍ଟକର ହେଲା । ଏବଂ, ପୃଥ୍ଵୀ-ଆତ୍ମାର ବିବର୍ତ୍ତନ-ପ୍ରକ୍ରିୟାରେ ସେପରି ପ୍ରମୁଖ ତଥା ପ୍ରଧାନ ଆକୃତିରେ ସେମାନେ ସେପରି ସମ୍ମୁଖ ଭାଗରେ ଆସି ଠିଆ ହୋଇନାହାନ୍ତି । ସେଗୁଡ଼ିକ ମଧ୍ୟରେ ଏପରି ଉପସ୍ଥିତି ସକଳ ନିଶ୍ଚୟ ରହିଛନ୍ତି, ଅପେକ୍ଷିତ ଅତି ମାନସିକ ଉପଲବ୍ଧିଟି ନିମନ୍ତେ ଯାହାକୁ ନିଶ୍ଚୟ ଅପରିହାର୍ଯ୍ୟ ବୋଲି କୁହାଯିବ । ଆମେ ସବୁଠାରୁ ସେହି ବିଶେଷ ରୂପଟିର ଏଠାରେ ଅବଧାରଣା କରିବା, ଯିଏକି ସେହି ରହସ୍ୟଦ୍ଵାରା ପରିପୂର୍ଣ୍ଣ ଏବଂ ଶକ୍ତିମନ୍ତ ଉଲ୍ଲାସ ଏବଂ ଆନନ୍ଦର ବ୍ୟକ୍ତିରୂପରେ ପ୍ରତିଭାତ ହୋଇ ଆସିବ : ସେହି ରୂପବିଭାବଟି ଏକ ଅତ୍ୟୁଚ୍ଚ ଦିବ୍ୟପ୍ରେମର ବିସ୍ତାର ତଥା ଭଣ୍ଡାରରୁ ପ୍ରବାହିତ ହୋଇ ଆସୁଥିବ; ହଁ, ଯଥାର୍ଥରେ ଏକ ଅନନ୍ୟ ଆନନ୍ଦବୋଧରୁ, କେବଳ ଯେଉଁଟି ହିଁ ସେହି ଅତି ମାନସିକ ଆତ୍ମସ୍ଥିତିର ଉଚ୍ଚତମ ଉଚ୍ଚତା ଓ ଏହି ନିମ୍ନତମ ତୁଚ୍ଛା ଜଡ଼ାବରଣ ମଧ୍ୟରେ ରହିଥିବା ବ୍ୟବଧାନଟିକୁ ମେଣ୍ଟାଇ ଦେଇ ପାରିବ । ସେହି ଅନନ୍ୟ ପରମ ଆନନ୍ଦ, ଯାହାକି ଏକ ପୂର୍ଣ୍ଣ ବିସ୍ମୟକାରୀ ଦିବ୍ୟତମ ପରମଜୀବନର ଚାବିକାଠିଟିକୁ ହାତରେ ଧରିଛି ଏବଂ, ବର୍ତ୍ତମାନ ମଧ୍ୟ ସ୍ଵକୀୟ ସଂଗୁପ୍ତ ସମ୍ପଦ ମଧ୍ୟରୁ ବିଶ୍ଵର ଅନ୍ୟ ଯାବତୀୟ ମହାନ୍ ଶକ୍ତିମାନଙ୍କର କାର୍ଯ୍ୟଟିକୁ ଅବଶ୍ୟ ଭାରା ଦେଇ ରଖିଛି । କିନ୍ତୁ, ବର୍ତ୍ତମାନ ମନୁଷ୍ୟର ପ୍ରକୃତିଟି ଯେଉଁ ସ୍ଥିତିସ୍ତରରେ ରହିଛି, ତାହା ତ ବେଢ଼ାମାନଙ୍କ ଭିତରେ ସୀମାବନ୍ଧା ହୋଇ ରହିଛି, ଅହଂଚେତନାରେ ଅଳପ ହୋଇ ମଧ୍ୟ ରହିଛି ଏବଂ ତେଣୁ ବହୁ ଅସ୍ପଷ୍ଟତାରେ ହିଁ ବୁଡ଼ି ରହିଛି ଓ ସେହି କାରଣରୁ ଏହି ବୃହତ୍ ଉପସ୍ଥିତିମାନଙ୍କୁ ଗ୍ରହଣ କରିବାରେ ସମର୍ଥ ହେଉନାହିଁ ଅଥବା ସେଗୁଡ଼ିକର ଶକ୍ତିମନ୍ତ ସେହି କ୍ରିୟାଟିକୁ ବହନ କରି ପାରୁନାହିଁ । କେବଳ ଯେତେବେଳେ ଏଠାରେ ଆଲୋଚିତ ହୋଇଥିବା ପରମାଜନନୀଙ୍କର ସେହି ଚାରୋଟି ମହାଶକ୍ତି ରୂପାନ୍ତର ଲାଭ କରିଥିବା ଆମର ମନ,ପ୍ରାଣ ଏବଂ ଶରୀରରେ ନିଜନିଜର ସମଞ୍ଜସତା ତଥା ମୁକ୍ତ କ୍ରିୟାଶୀଳତା ନିମନ୍ତେ ଭିତ୍ତିଟିଏ ଲାଭ କରିପାରିବେ, ସେତେବେଳେ ଯାଇ ସେହି ଅପେକ୍ଷାକୃତ ଅଧିକ ବିରଳ ଅନ୍ୟ ମହାଶକ୍ତିଚୟ ଏହି ବିଶ୍ଵଟିର ଗତିଶୀଳତା ମଧ୍ୟରେ ଗୋଟିଏ ବାସ୍ତବ ପ୍ରକାଶରୂପେ ଦୃଶ୍ୟମାନ୍ ହୋଇ ଆସିବେ । ଏବଂ ସେତେବେଳେ ଯାଇ ସେହି ଅତି ମାନସିକ କ୍ରିୟାତ୍ମକତାଟି ମଧ୍ୟ ସମ୍ଭବ ହେବ ।

 

‘କାରଣ, ଯେତେବେଳେ ତାଙ୍କର ବ୍ୟକ୍ତିରୂପ ଗୁଡ଼ିକ ତାଙ୍କ ଭିତରେ ଏକତ୍ର ହୋଇ ଆସିବେ ତଥା ପ୍ରକାଶ ଲାଭ କରିବେ ଏବଂ, ସେହି ସବୁଗୁଡ଼ିକର ଭିନ୍ନ ଭିନ୍ନ କ୍ରିୟାଶୀଳତା ଗୁଡ଼ିକ ଏକାଠି ହୋଇ ଆସି ଏକ ସମଞ୍ଜସତାପୂର୍ଣ୍ଣ ଐକ୍ୟରେ ପରିଣତ ହୋଇଯିବେ ଓ ତାଙ୍କ ମଧ୍ୟରେ ଆପଣା ଆପଣାର ଅତି ମାନସିକ ଦେବରୂପ ଗୁଡ଼ିକୁ ଉତ୍ତୋଳିତ ହୋଇଯିବେ, ସେତିକିବେଳେ ସେହି ଅତି ମାନସିକ ମହାଶକ୍ତି ରୂପେ ପରମାଜନନୀଙ୍କର ପ୍ରକାଶ ସଂଘଟିତ ହେବ ଏବଂ ସିଏ ସେତେବେଳେ ହିଁ ଆପଣାର ଆଲୋକୋଜ୍ଜ୍ଵଳ ବିଶ୍ଵାତୀତତାଚୟକୁ ସେମାନଙ୍କର ସେହି ଅତ୍ୟୁର୍ଦ୍ଧ୍ଵ ବ୍ୟୋମସ୍ତରରୁ ନିମ୍ନକୁ ପ୍ରବାହିତ କରି ଆଣିବେ । ଏବଂ ସେତେବେଳେ ଯାଇ ଆମର ଏହି ମାନୁଷୀ ପ୍ରକୃତିର ସାଂପ୍ରତିକ ରୂପଟି ପୂର୍ଣ୍ଣ ଗତିଶୀଳ ହୋଇ ସତକୁ ସତ ସେହି ଦିବ୍ୟ ସ୍ଵଭାବକୁ ରୂପାନ୍ତରିତ ହୋଇଯିବ, କାରଣ ସେତେବେଳେ ସେହି ଅତି ମାନସିକ ପରମସତ୍ୟର ଚେତନା ଓ ଶକ୍ତିମତ୍ତା ଗୋଟିଏ ହୋଇ ଗୁନ୍ଥିହୋଇ ଆସିବେ, ସେଗୁଡ଼ିକର ସବୁଯାକ ମୂଳଭୂତ ଧାରା ଗୋଟିଏ ଧାରାରେ ସକ୍ରିୟ ହୋଇଯିବେ ଏବଂ ଜୀବନରୂପକ ଏହି ବୀଣାଟି ପରମ ଶାଶ୍ଵତଙ୍କର ସେହି ସର୍ବବିଧ ଛନ୍ଦଗୁଡ଼ିକ ସକାଶେ ଅନୁରୂପ ହୋଇ ବାନ୍ଧି ହୋଇଯିବ ।’ ଯାବତୀୟ ସଙ୍ଗତି ସହିତ ଚାରି ରୂପର ବର୍ଣ୍ଣନା ଏଇଠାରେ ଶେଷ ହେଲା । ଶ୍ରୀ ଅରବିନ୍ଦ ମୁଖ୍ୟତଃ ଆମର ଏଠାମାନଙ୍କର ବୁଝି ପାରିବାକୁ ସବାଆଗ ଆମ ଅନେକଙ୍କର ଚିହ୍ନା ଅଭିଧାଚାରୋଟିର ମାଧ୍ୟମରେ ପରମା ଜନନୀଙ୍କର ଚାରି ରୂପର ବର୍ଣ୍ଣନା ଦେଲେ,-ଏବଂ, ଆମେ ହୁଏତ କେଡ଼େ ପ୍ରସନ୍ନ ଭାବରେ ତାହାକୁ ମାଆଙ୍କର ଚତୁର୍ବିଧ ରୂପ ବୋଲି ଜାଣିଲୁ । ଚାରି ରୂପରେ ଯାହାଙ୍କୁ ବୁଝିଲୁ ଏବଂ ସମ୍ଭବତଃ ଅଧିକ ସହଜ ଏବଂ ସୁପାଚ୍ୟ ବୋଧ ହେଲା ବୋଲି ଆମର ନାନା ମେଳରେ ସେହି ଛାଞ୍ଚର ଆଲୋଚନାମାନ କଲୁ, ଆପେ ସେଗୁଡ଼ିକ ଗୁନ୍ଥି ରଖିଥିବା ସେହି ଗୋଟିଏ ଆହ୍ୱାନର ଯୋଗ୍ୟ ହେଲେ ଯେ ତାଙ୍କୁ ଆମେ ଆମର ଏହି ମାନୁଷୀ ସଂସାର ଅର୍ଥାତ୍ ସମ୍ପର୍କ ସକଳ ମଧ୍ୟରେ ଅତ୍ୟନ୍ତ ଚାକ୍ଷୁଷ ଓ ସୁଯୁକ୍ତ ଭାବରେ ସର୍ବଥା ଉପଲବ୍ଧି କରି ପାରିବା, ଶ୍ରୀ ଅରବିନ୍ଦଙ୍କର ଏହି ଅସଲ କଥାଟିକୁ ଆମେ ସେହି ଉତ୍ସାହରେ ଗୌଣ କରି ରଖିଦେଲୁ ନାହିଁ ତ ? ତେଣୁ, ପୁସ୍ତକଟିର ଏହି ଶେଷ କେତୋଟି ପୃଷ୍ଠାରେ ଶ୍ରୀ ଅରବିନ୍ଦ ହୁଏତ ସେହି ଆବେଦନ କରିଛନ୍ତି । ଆମନ୍ତ୍ରଣ ଜଣାଇଛନ୍ତି ।

 

‘ତୁମେ ଯଦି ସେହି ରୂପାନ୍ତରଟିର କାମନା କରୁଥାଅ, ତେବେ ନିଜକୁ ସେହି ପରମାଜନନୀଙ୍କର ହାତରେ ସମର୍ପଣ କରି ରଖ, ତାଙ୍କରି ଶକ୍ତିଗୁଡ଼ିକ ପାଖରେ ଧରା ଦିଅ,-ଆଦୌ କୌଣସି ବିତଣ୍ଡା ମଧ୍ୟରେ ରହି ଯାଅନାହିଁ, କୌଣସି ପ୍ରତିରୋଧ କରନାହିଁ । ଏବଂ ସିଏ ତୁମ ଭିତରେ ଅବାଧ ଭାବରେ ଆପଣାର କାର୍ଯ୍ୟଟିକୁ କରି ଯାଆନ୍ତୁ । ସେଥିଲାଗି ତିନୋଟି କଥା ଅତ୍ୟାବଶ୍ୟକ,–ସଚେତନତା,ନମନୀୟତା ଓ ଆଦୌ କୌଣସି କୁଣ୍ଠିତତା ନଥାଇ ଏକ ସମର୍ପଣ । କାରଣ, ତୁମକୁ ଆପଣାର ମନ, ଆତ୍ମା, ହୃଦୟ, ପ୍ରାଣ ଏବଂ ଶରୀରର କୋଷଗୁଡ଼ିକ ମଧ୍ୟରେ ମଧ୍ୟ ଚେତନାଯୁକ୍ତ ରହିବାକୁ ହେବ, ସେହି ପରମାଜନନୀ ଓ ତାଙ୍କର ପରମ ଶକ୍ତିମତ୍ତାଗୁଡ଼ିକ ବିଷୟରେ,-ସେଗୁଡ଼ିକ କିପରି ଆପଣାକୁ କାର୍ଯ୍ୟକାରୀ କରୁଛନ୍ତି, ସେହି ବିଷୟରେ । କାରଣ, ପରମାଜନନୀ ତୁମ ପାଇଁ ଯେତେ ଦୁର୍ବୋଧ୍ୟ ହୋଇ ରହିଥିଲେ ମଧ୍ୟ ତୁମ ଭିତରେ ଅବଶ୍ୟ କାର୍ଯ୍ୟ କରିପାରିବେ ଏବଂ ବର୍ତ୍ତମାନ ମଧ୍ୟ କାର୍ଯ୍ୟ କରୁଛନ୍ତି ସତ,-ତୁମ ଜୀବନର ଅଚେତନ ଅଂଶ ତଥା ମୁହୂର୍ତ୍ତଗୁଡ଼ିକରେ ସେ ସର୍ବଦା ଆପଣାର କାର୍ଯ୍ୟ କରୁଛନ୍ତି; ତଥାପି, ତୁମେ ତାଙ୍କ ସହିତ ଏକ ଜାଗ୍ରତ ଏବଂ ଜୀବନ୍ତ ସମ୍ପର୍କ ରଖିଥିଲେ ସେହି କାର୍ଯ୍ୟଟି ଯେପରି ହୁଅନ୍ତା, ଏତିକି ମଧ୍ୟରେ ତାହା ଆଦୌ ସମ୍ଭବ ହୋଇ ପାରିବ ନାହିଁ । ହଁ, ତୁମର ସମୁଦାୟ ସ୍ଵଭାବ ତାଙ୍କର ସ୍ପର୍ଶ ନିମନ୍ତେ ସର୍ବଦା ହିଁ ନମନୀୟ ହୋଇ ରହିଥିବ : ଏକ ଅଜ୍ଞାନ ମାନସିକତା ଆପଣାକୁ ସବୁ ଜାଣି ସାରିଥିବାର ଭାଣ କରି ଯେପରି ପ୍ରଶ୍ନ କରେ, ସଂଶୟ ପ୍ରକାଶ କରୁଥାଏ ଓ କଳହରତ ରହିଥାଏ, ସେପରି ଆଦୌ ନୁହେଁ । ସେପରି କରି ସେହି ମନଟି ତ ଆପଣା ଆଲୋକନ ଏବଂ ପରିବର୍ତ୍ତନର ଶତ୍ରୁ ହୋଇ ହିଁ ରହିଥାଏ । ତେଣୁ, ମନୁଷ୍ୟ ଭିତରେ କେଡ଼େ ପ୍ରବଳ ପରି ହୋଇ ଏହି ପ୍ରାଣଟା ଯେପରି ଆଚରଣ କରେ, ସେହିପରି ପ୍ରେରିତ ହୋଇ କେବେହେଲେ ତାହା ନିଜର କ୍ରିୟାଶୀଳତା ବିଷୟରେ ଜିଦ୍ କରୁନଥିବ ଏବଂ ଦିବ୍ୟ ପ୍ରଭାବଟି ଆଗରେ ପ୍ରତିବାଦ ବ୍ୟକ୍ତ କରି ନିଜର ନାନା ଦୁର୍ଦ୍ଦାନ୍ତ କାମନା ଓ ଅସତ୍-ଇଚ୍ଛା ସହିତ ଯାଇ ଆଦୌ ଛିଡ଼ା ହୋଇ ଯାଉନଥିବ । ମୋଟେ ପଥରୋଧ କରିବନାହିଁ କିମ୍ବା ଆପଣାର ଅସମର୍ଥତାଗୁଡ଼ିକ ମଧ୍ୟରେ ପଡ଼ି ରହିନଥିବ । ଆମ ମନୁଷ୍ୟମାନଙ୍କର ତୁଚ୍ଛା ଜଡ଼ସ୍ଥ ଚେତନାଟା ଯେପରି ପଥରୋଧ କରୁଥାଏ ଏବଂ ବହୁ କ୍ଷୁଦ୍ରତା ତଥା ଅନ୍ଧକାର ମଧ୍ୟରେ ମିଳୁଥିବା ଆପଣାର ସୁଖଗୁଡ଼ିକୁ ଜାବୁଡ଼ି ରହିଥାଏ, ସେହିପରି ଏକ ଜଡ଼ତା ଓ ତାମସିକତା ମଧ୍ୟରେ ରହିଯିବ ନାହିଁ । କାମ୍ୟ ଅସଲ ସେହି ପ୍ରତ୍ୟେକ ସ୍ପର୍ଶ ତ ବସ୍ତୁତଃ ତାହାର ଶାନ୍ତିଭଙ୍ଗ ହିଁ କରେ,-ତା’ର ପ୍ରାଣହୀନ ଯାବତୀୟ କର୍ମର ଗୁଳାଗୁଡ଼ିକୁ ଚହଲାଇ ଦିଏ, ତା’ର ରସହୀନ ଆଳସ୍ୟଟିକୁ ଅଥବା ତା’ର ନିର୍ଜୀବ ନିଦ୍ରାଳୁତାକୁ ମଧ୍ୟ ଭାଙ୍ଗିଦେବାକୁ ଆସି ପହଞ୍ଚିଥାଏ ।’

 

ତେଣୁ, ଆମ ମନୁଷ୍ୟମାନଙ୍କ ପଟୁ, ଯେତେ ଯେତେ ସନ୍ତାନମାନଙ୍କ ପକ୍ଷରୁ ଏକ ସମର୍ପଣ, ଆଦୌ କୌଣସି ପ୍ରକାରେ କୁଣ୍ଠିତ ହୋଇ ରହି ନଥିବା ଏକ ସମର୍ପଣ । ସେଥିପାଇଁ, ତା’ପରେ ରହିଥିବା ଆଉ କେତୋଟି କଥା : ‘ତୁମର ଅନ୍ତରସ୍ଥ ସତ୍ତା ଏବଂ ବାହ୍ୟ ଜାଗତିକ ସତ୍ତା,-ଉଭୟ କ୍ଷେତ୍ରରେ ହିଁ ଏକ କୁଣ୍ଠାମୁକ୍ତ ସମର୍ପଣ,-ତାହାରି ଦ୍ଵାରା ହିଁ ତୁମ ପ୍ରକୃତିର ସର୍ବବିଧ ଭାଗ ଓ ଅଂଶକୁ ଏହି ନମନୀୟତା ପ୍ରକୃତରେ ସମ୍ଭବ ହୋଇ ଆସିବ, ସର୍ବତ୍ର ସେହି ପରମ ପ୍ରଜ୍ଞା, ଆଲୋକ, ଶକ୍ତିମତ୍ତା, ସମଞ୍ଜସତା ତଥା ସୌନ୍ଦର୍ଯ୍ୟ ମଧ୍ୟକୁ, ଗୋଟିଏ କଥାରେ କହିଲେ ସେହି ପରିପୂର୍ଣ୍ଣତାକୁ ତୁମକୁ ଜାଗୃତ କରାଇ ଆଣୁଥିବା ଚେତନାଟିଏ ତୁମ ଭିତରେ କାର୍ଯ୍ୟ କରିବ । ସେହି ଉର୍ଦ୍ଧ୍ଵସ୍ତରରୁ ହିଁ ଏହି ସବୁକିଛି ତୁମ ଭିତରକୁ ପ୍ରବାହିତ ହୋଇ ଆସୁଥିବ । ଏପରିକି ତୁମର ଶରୀରଟି ମଧ୍ୟ ଜାଗୃତ ହୋଇ ଆସିବ ଓ ପରିଶେଷରେ ବର୍ତ୍ତମାନ ଆଦୌ ପୂର୍ବବତ୍ କେବଳ କେଉଁ ଗଭୀରରେ ଯାଇ ମଗ୍ନ ହୋଇ ରହିନଥିବା ଆପଣାର ଚେତନାକୁ ସେହି ଅତି ମାନସିକ, ଅତିଚେତନ ଶକ୍ତିମତ୍ତାଟି ସହିତ ସଂଯୁକ୍ତ କରି ରଖିବ । ଏବଂ ତାଙ୍କର ସେହି ଶକ୍ତିସମୂହ ହିଁ ତା’ର ଉର୍ଦ୍ଧ୍ଵରେ, ତା’ର ନିମ୍ନରେ ଏବଂ ଚତୁର୍ଦ୍ଦିଗରେ ବ୍ୟାପ୍ତ ହୋଇ ଆସନ୍ତି ଓ ତାକୁ ଏକ ସର୍ବଶିଖରୀୟ ପ୍ରେମ ତଥା ପରମ ଆନନ୍ଦମୟତା ମଧ୍ୟରେ ଅଭିଭୂତ କରି ରଖିଥାନ୍ତି ।’ ଏହି ସବୁକିଛି ତଥାପି ଗୋଟିଏ ‘ଯଦି’ରେ ହିଁ ଆରମ୍ଭ । ଯଦି ଆମେ, ଆମେମାନେ ଇଚ୍ଛା କରୁଥିବା, ତେବେ ଯାଇ ଆମ ନିମନ୍ତେ ଏଇଟିର ଏକ ପ୍ରାସଙ୍ଗିକତା ରହିବ । ଆମ ମାଧ୍ୟମରେ ତାଙ୍କର ଏହି ପୃଥିବୀ ଲାଗି । ଆମେ ରାଜି ହେବା, ଭିତର ବାହାର ଏକାବେଳେକେ ରାଜି ହୋଇଯିବା, ସକଳ ସଙ୍ଗତିରେ ତାହାକୁ ସେହି ସମର୍ପଣ ବୋଲି କୁହାଯାଇପାରିବ କି ? ଏବଂ, ସର୍ବମୟ ପରମ ସତ୍ୟ ତଥା ଅନୁମନ୍ତାଙ୍କର ଆମ ଲାଗି ଏହି ଯେଉଁ ଅପେକ୍ଷା ବା ପ୍ରତୀକ୍ଷା, ତାହାକୁ ଆମେ ପ୍ରକୃତରେ ଏକ ଆହ୍ଵାନ ଅଥବା ଆମନ୍ତ୍ରଣ, କ’ଣ ବୋଲି କହିବା ? ଏହି ପୃଥିବୀର ଭୂମିଟି ବର୍ତ୍ତମାନ ଯେ ଏହିପରି ଅଧା ବା ଅରାଜି ହୋଇ ପଡ଼ିରହିଛି, ପରମାଜନନୀ ତାଙ୍କ ପଟୁ କୌଣସି ପ୍ରକାରେ ରାଜି ହେଉନାହାନ୍ତି ବୋଲି ସେଭଳି ହେଉଛି କି ? ଆମର ଘରଟି ମଧ୍ୟକୁ ଯେ ଆଲୋକ ଓ ପବନର ପ୍ରବେଶ ସମ୍ଭବ ହେଉନାହିଁ, ଆମେ ସେଥିଲାଗି ସେହି ଆଲୋକ ଓ ପବନକୁ ଦାୟୀ କରିବା କି ? କିନ୍ତୁ ବନ୍ଧୁ, ନିଜର ଖିଡ଼ିକିଗୁଡ଼ିକୁ ଖୋଲି ନଦେଇଥିବା ପର୍ଯ୍ୟନ୍ତ ପବନ ଓ ଆଲୋକ ଆମ ଘର ଭିତରକୁ କିପରି ବା ଆସି ପାରିବେ ? ଅର୍ଥାତ୍, ଖିଡ଼ିକି ଖୋଲିବା ବସ୍ତୁତଃ ଆମଆଡ଼ୁ ହେବ ଏବଂ ସକଳ ଅର୍ଥରେ ଶ୍ରୀ ଅରବିନ୍ଦ ସେଇଥିପାଇଁ ‘ଯଦି’ ଶବ୍ଦଟିକୁ ପ୍ରୟୋଗ କରିଛନ୍ତି । ପରମା ଜନନୀ ତ ସର୍ବଦା ସମ୍ମତ ହୋଇ ରହିଥିବେ,–କାରଣ ସିଏ ହେଉଛନ୍ତି ସେହି ପରମା ଧାତ୍ରୀସ୍ଵରୂପିଣୀ, ସଦା କେବଳ ଜନନୀ, ସକଳ ଅବତରଣ ନିମନ୍ତେ ସଦା ପ୍ରସ୍ତୁତ । ଯେତେ ଅଡ଼ୁଆ ହୁଏତ ଲାଗିଲେ ମଧ୍ୟ ‘ମାଆ’ ବହିରେ ତାଙ୍କର ସେହି ସଦା-ପ୍ରତୀକ୍ଷାଟିକୁ ଆମ ଲାଗି ଜଣାଇ ଦିଆଯାଇଛି ଏବଂ ଆମକୁ ଝରକାଗୁଡ଼ିକୁ ଖୋଲିଦେବା ପାଇଁ ଆମନ୍ତ୍ରଣ କରାଯାଇଛି ।

 

ଅର୍ଥାତ୍, ଆମନ୍ତ୍ରଣଟି ଆମ ପାଇଁ ଏବଂ ତେଣୁ ଆଶଙ୍କାଟା ମଧ୍ୟ ଆମକୁ ନେଇ । ତେଣୁ, ଠିକ୍ ତା’ପରେ, ‘କିନ୍ତୁ ସର୍ବଦା ସତର୍କ ରହ ଓ ସେହି ପରମା ଦିବ୍ୟଜନନୀଙ୍କୁ ବୁଝିବାକୁ କି ତାଙ୍କ ବିଷୟରେ ନିଜର କିଛି ଅନ୍ଦାଜ କରିବାକୁ ଯାଇ ଆପଣାର କ୍ଷୁଦ୍ର ମାନସିକତାର ଏହି ବର୍ତ୍ତମାନର ପୃଥ୍ଵୀ-ଆଚରଣର ବେଢ଼ାଟି ମଧ୍ୟରେ ରହି ତାଙ୍କୁ ଏଇଟି ବା ସେଇଟି ବୋଲି ସିଦ୍ଧାନ୍ତ କରିବା ନିମନ୍ତେ ଆଦୌ କୌଣସି ପ୍ରୟାସ କରନାହିଁ । ଏହି ବର୍ତ୍ତମାନର ମନଟା ତ ଆପଣା ବୋଧର ଅତୀତ ହୋଇ ରହିଥିବା ବସ୍ତୁଗୁଡ଼ିକୁ ନିଜର ମାନ ତଥା ମାପଗୁଡ଼ିକର ଛାଞ୍ଚମାନଙ୍କରେ ପକାଇ ବିଚାର କରିବାକୁ ଖୁବ୍ ଭଲ ପାଏ, ଆପଣାର କେଡ଼େ ସଂକୀର୍ଣ୍ଣ ବୁଦ୍ଧିଗତ ବହୁ ତର୍କଣା ଏବଂ ପ୍ରମାଦଯୁକ୍ତ ପୂର୍ବଧାରଣାମାନ ଦେଇ ସେଗୁଡ଼ିକର ବିଚାର କରେ, ନିଜର ଆଧାରଶୂନ୍ୟ ଆକ୍ରମଣାତ୍ମକ ଯାବତୀୟ ଅଜ୍ଞାନ ଏବଂ ନିଜର ନିତାନ୍ତ କ୍ଷୁଦ୍ର ଏକ ସର୍ବଜାନତା ପରି ଆଚରଣ କରୁଥିବା ଖାସ୍ ଜ୍ଞାନଦ୍ଵାରା ସେଗୁଡ଼ିକର ତାତ୍ପର୍ଯ୍ୟମାନ ବାହାର କରେ । ମନୁଷ୍ୟର ଏହି ମନଟି ନିଜର ସେହି ଅର୍ଦ୍ଧାଲୋକିତ ଅସ୍ପଷ୍ଟତା ମଧ୍ୟରେ କିଳି ହୋଇ ରହିଥିବାରୁ ପ୍ରକୃତରେ ଦିବ୍ୟା ପରମାଶକ୍ତିଙ୍କର ବହୁବିଭାବଯୁକ୍ତ ସ୍ଵାଧୀନ ସ୍ଵ-ଭାବଟିକୁ ପ୍ରକୃତରେ ବୁଝି ପାରୁନଥାଏ, ସେହି ପୂର୍ଣ୍ଣ ସ୍ଵାଧୀନତା ସହିତ ସିଏ ପକାଉଥିବା ପଦକ୍ଷେପମାନଙ୍କୁ ସମଝି ମଧ୍ୟ ପାରେନାହିଁ । ତାଙ୍କ ଦୃଷ୍ଟି ଏବଂ କ୍ରିୟାଶୀଳତାର ଯେଉଁ କ୍ଷିପ୍ର ବେଗ ତଥା ବହୁତ ବହୁତ ନାନା ଦିଗ, ନିଜର ମାପକାଠି ଗୁଡ଼ିକୁ ପକାଇ ସେ ତାଙ୍କର କ୍ରିୟାସଚଳତା ଗୁଡ଼ିକର ଅନ୍ତ ହିଁ ପାଏନାହିଁ; ଆପଣାର ସଦାଟଳମଳ ବୋଧାର୍ଥଗୁଡ଼ିକର ବାଡ଼ି ପକାଇ ସେଗୁଡ଼ିକ ପର୍ଯ୍ୟନ୍ତ ମୋଟେ ପହଞ୍ଚି ପାରେନାହିଁ । ପରମା ଜନନୀଙ୍କର ସେହି ଯେଉଁ ବହୁସଂଖ୍ୟକ କେତେ ନା କେତେ ବ୍ୟକ୍ତିବିଭାବ, ସେଗୁଡ଼ିକ ଯେପରି ଅକଳ୍ପନୀୟ ବେଗରେ ରୂପ ପରିବର୍ତ୍ତନ କରିବାରେ ଲାଗିଥାଆନ୍ତି, ସେଥିରେ ସିଏ ଖୁବ୍ ଚକିତ ଏବଂ ବିଚଳିତ ହୋଇଯାଏ । ପରମା ଜନନୀ ତ କେତେ କେତେ ଛନ୍ଦକୁ ଗଢ଼ି ଆଣୁଥାନ୍ତି ଓ ପୁଣି କେତେ କେତେ ଛନ୍ଦକୁ ଭାଙ୍ଗି ମଧ୍ୟ ଦେଉଥାନ୍ତି, କେତେବେଳେ ଆପଣାର ବେଗରେ ବୃଦ୍ଧି ଘଟାନ୍ତି ତ ପୁଣି କେତେବେଳେ ତାହାକୁ ମନ୍ଥର କରି ମଧ୍ୟ ଆଣନ୍ତି, ଗୋଟିଏ ସ୍ଥିତିରେ ଗୋଟିଏ ଭଳି ଆଚରଣ କରନ୍ତି ତ, ଆଉ ଗୋଟିଏ ସ୍ଥିତିରେ ଆଉ ଭଳି ଆଚରଣ କରନ୍ତି ଏବଂ ସମସ୍ୟାଗୁଡ଼ିକର ସମ୍ମୁଖୀନ ହୁଅନ୍ତି, ଇହାଦେ କର୍ମର ଏହି ଧାରାଟିକୁ ଅବଲମ୍ବନ କରନ୍ତି ତ ଆଉବେଳେ ଆଉ ଗୋଟିଏ ଗ୍ରହଣ କରନ୍ତି ତଥା ବର୍ଜନ ମଧ୍ୟ କରନ୍ତି, ପୁଣି ବେଳେବେଳେ ସବୁଯାକ ଧାରା ଅର୍ଥାତ୍ ପ୍ରଣାଳୀଗୁଡ଼ିକୁ ଏକତ୍ର ମଧ୍ୟ କରିଆଣନ୍ତି । ତେଣୁ, ଏହି ଅତ୍ୟନ୍ତ ପରିମାଣରେ ସୀମା ମଧ୍ୟରେ ହିଁ ରହିଥିବା ମନଟି ସେହି ମହୋଚ୍ଚ ପରମା ଶକ୍ତିଙ୍କୁ ବସ୍ତୁତଃ ଚିହ୍ନି ମଧ୍ୟ ପାରିବ ନାହିଁ, କାରଣ ସିଏ ତ ଏହି ପରମ ଅଜ୍ଞାନର ମହା ଅଡ଼ୁଆଟିର ମଧ୍ୟଦେଇ ବହୁ ଅଙ୍କାବଙ୍କାରେ କେତେ ନା କେତେ ଦମ୍ଭରେ ଧାବିତ ହେବାରେ ହିଁ ଲାଗିଥାଏ । ଏକ ଉର୍ଦ୍ଧ୍ଵସ୍ଥ ପରମ ଆଲୋକରେ ଯାଇ ଉପନୀତ ହେବ ବୋଲି ଧାଉଁଥାଏ । ତେଣୁ, ବରଂ ସବୁଠାରୁ ଅଧିକ ଉଚିତ କଥାଟି ହେବ ଯେ, ତୁମ ନିଜର ଆତ୍ମାକୁ ତାଙ୍କ ଲାଗି ଉନ୍ମୋଚିତ କରି ରଖିବ ଏବଂ ଆପଣାର ଚୈତ୍ୟ ଚିତ୍ତବୃତ୍ତିଟି ସହିତ ତାଙ୍କୁ ଅନୁଭବ କରି ହିଁ ସନ୍ତୁଷ୍ଟ ହୋଇ ରହିବ,-ନିଜର ଚୈତ୍ୟ ଦୃଷ୍ଟିର ସ୍ତରରେ ତାଙ୍କୁ ଦେଖିବ । କାରଣ, କେବଳ ସେହିପରି ଏକ ଚିତ୍ତବୃତ୍ତି ଏବଂ ଦୃଷ୍ଟି ହିଁ ପରମସତ୍ୟ ନିମନ୍ତେ ଆପଣା ତରଫରୁ ସିଧା ଅନୁସ୍ପନ୍ଦନଟିଏ ଜଣାଇ ପାରିବ । ତେବେ ସ୍ଵୟଂ ପରମା ଜନନୀ ସେମାନଙ୍କର ସେହି ଚୈତ୍ୟ ଉପାଦାନ ଗୁଡ଼ିକର ମାଧ୍ୟମରେ ତୁମର ମନ, ହୃଦୟ, ପ୍ରାଣ ତଥା ଜଡ଼ସ୍ଵ ଚେତନାକୁ ମଧ୍ୟ ସନ୍ଦୀପନଯୁକ୍ତ କରି ଆଣିବେ ଓ ତାଙ୍କର ସକଳ ମାର୍ଗଧାରା ଏବଂ ସ୍ଵଭାବକୁ ସେମାନଙ୍କ ସମ୍ମୁଖରେ ଉଦ୍‌ଘାଟିତ କରି ଆଣିବେ ।’

 

ଏବଂ, ତା’ପରେ, ଆମକୁ ପ୍ରାୟ ଆତ୍ମସଚେତନ କରାଇ ଦେଉଥିବାର ସେହି ପ୍ରୟାସଟିରେ ଶ୍ରୀ ଅରବିନ୍ଦ କହିଛନ୍ତି, ‘ଅଜ୍ଞାନ ଦ୍ଵାରା ପରିଚାଳିତ ଆମର ଏହି ମନଟି ଦିବ୍ୟ ପରମୋଚ୍ଚ ଶକ୍ତି ସର୍ବଦା ତାଙ୍କର ସର୍ବଜ୍ଞତା ଏବଂ ସର୍ବଶକ୍ତିମତ୍ତା ବିଷୟରେ ଆମ ଭିତରେ ରହିଥିବା କେବଳ ଉପରିଭାଗୀୟ ଅଶୋଧିତ ଧାରଣାମାନଙ୍କ ଅନୁସାରେ କାର୍ଯ୍ୟ କରନ୍ତୁ ବୋଲି ସର୍ବଦା ଯେଉଁ ଦାବି କରିଥାଏ, ଆମେ ସେହି ପ୍ରମାଦଟିକୁ ସବୁ ସମୟରେ ଅବଶ୍ୟ ଏଡ଼ି ରହିବା । କାରଣ ଆମ ମନଟି ତ ପାଦେ ପାଦେ ହିଁ ନାନା ଯାଦୁଗରୀ ଶକ୍ତି, ଯଥାସମ୍ଭବ ଅଧିକ ସହଜରେ ସଫଳତାପ୍ରାପ୍ତି ଏବଂ ସତେଅବା ଆଖିମାନଙ୍କୁ ଝଲସାଇ ଦେଉଥିବା ଚମତ୍କାରିତା ମାନଙ୍କ ଦ୍ଵାରା ମୁଗ୍ଧ ହୋଇ ରହିବାପାଇଁ କେତେ କୋଳାହଳ କରିବାରେ ମଧ୍ୟ ଲାଗିଥାଏ, କାରଣ ସେପରି ନହେଲେ ଆମର ମନ ପରମ ଦିବ୍ୟସତ୍ତା ପ୍ରକୃତରେ ଏଠାରେ ଉପସ୍ଥିତ ରହିଛନ୍ତି ବୋଲି ଆଦୌ ବିଶ୍ଵାସ କରି ପାରେନାହିଁ । ପରମା ଜନନୀ ବସ୍ତୁତଃ ଏହି ଗାଢ଼ ଅଜ୍ଞାନ ମଧ୍ୟରେ ବିଦ୍ୟମାନ ରହି ହିଁ ଅଜ୍ଞାନର ସମ୍ମୁଖୀନ ହେଉଛନ୍ତି । ସିଏ ସେହି ଭୂମିରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଆଦୌ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇ ଉର୍ଦ୍ଧ୍ଵରେ ଅବସ୍ଥିତ ରହିନାହାନ୍ତି । ଆପଣାର ଜ୍ଞାନ ଏବଂ ଶକ୍ତିକୁ ସେ ଅଂଶତଃ ପ୍ରଚ୍ଛନ୍ନ ରଖିଥାନ୍ତି ଓ ଅଂଶତଃ ପ୍ରକଟ ବି କରିଛନ୍ତି । ସିଏ ଅନେକ ସମୟରେ ସେହି ଜ୍ଞାନ ଏବଂ ଶକ୍ତିକୁ ଆପଣାର ଯନ୍ତ୍ର ଏବଂ ବ୍ୟକ୍ତିରୂପ ତଥା ସଙ୍ଗୀମାନଙ୍କ ଠାରୁ ଅନ୍ତରାଳ କରି ରଖିଛନ୍ତି, ଯେପରିକି ସେ ସେମାନଙ୍କୁ ସେମାନଙ୍କର ଅନ୍ଵେଷଣରତ ମନ, ଆସ୍ପୃହାଯୁକ୍ତ ଚୈତ୍ୟ, ସଂଗ୍ରାମ କରୁଥିବା ପ୍ରାଣ ଏବଂ କାରାଗାର ମଧ୍ୟରେ କଏଦୀଟିଏ ହୋଇ ରହିଥିବା ଏବଂ କଷଣ ଭୋଗ କରୁଥିବା ସେହି ଭୌତିକ ସ୍ଵଭାବର ରୀତିରେ ସେମାନଙ୍କର ରୂପାନ୍ତରକୁ ସମ୍ଭବ କରି ନେଉଛନ୍ତି । ଏହି କ୍ଷେତ୍ରରେ ସେହି ସର୍ବୋଚ୍ଚ ପରମଇଚ୍ଛା ହିଁ କେତେଗୁଡ଼ିଏ ସର୍ତ୍ତର ଆରୋପଣ ମଧ୍ୟ କରି ଦେଇଛନ୍ତି; ପୁନଶ୍ଚ, ସେହି କ୍ଷେତ୍ରରେ କେତେ ନା କେତେ ବେଶ୍ ଜଟିଳ ଗଣ୍ଠିମାନ ମଧ୍ୟ ରହିଛି, ଯେଉଁଗୁଡ଼ିକୁ କି କ୍ରମଶଃ ହୁଗୁଳା ଓ ଅଧିକ ହୁଗୁଳା କରି ଆଣିବାକୁ ହେଉଛି, କାରଣ ଆଦୌ କାଟି ପକାଇ ହେଉନାହିଁ । ଅସୁର ଏବଂ ରାକ୍ଷସ ଏହି ବିବର୍ତ୍ତନରତ ପାର୍ଥିବ ପ୍ରକୃତିକୁ ଅଧିକାର କରି ରହିଛନ୍ତି ଏବଂ ସେହିମାନଙ୍କର ସଂଗ୍ରାମରୀତିଟି ଅନୁସାରେ ହିଁ ସେମାନଙ୍କର ସମ୍ମୁଖୀନ ହୋଇ ସେମାନଙ୍କୁ ଜୟ କରିନେବାକୁ ହେବ । ସେମାନେ ଯେଉଁ ମାହାଲ ଏବଂ ରାଜ୍ୟଟିରେ ଏତେ କାଳୁ ଆପେ ବିଜୟୀ ହୋଇ ବସିଛନ୍ତି, ବସ୍ତୁତଃ ସେହିଠାରେ । ଆମମାନଙ୍କ ଭିତରେ ରହିଥିବା ମାନବଭାଗଟିକୁ କାର୍ଯ୍ୟତଃ ବାଟ ଦେଖାଇ ପରିଚାଳିତ କରିନେବାକୁ ହେବ ଏବଂ ପ୍ରସ୍ତୁତ କରି ଗଢ଼ିବାକୁ ହେବ, ଯେପରିକି ସେଇଟି ତା’ର ସୀମାଗୁଡ଼ିକୁ ଅତିକ୍ରମ କରି ଆଗକୁ ବାହାରିଯାଇ ପାରିବ ।

 

‘ଏହି ଅବସ୍ଥାଟିରେ ତାହା ଏତେ ଅଧିକ ପରିମାଣରେ ଦୁର୍ବଳ ଓ ଅତିଦୀନ ହୋଇ ରହିଛି ଯେ ତାକୁ ତା’ ବର୍ତ୍ତମାନର ସୀମାଗୁଡ଼ିକ ମଧ୍ୟରୁ ହଠାତ୍ ତା’ଲାଗି ଦୂର ଅପହଞ୍ଚ ହୋଇ ରହିଥିବା ଏକ ସ୍ଥିତିକୁ ଉଠାଇ ନେଇଯିବା କୌଣସି ପ୍ରକାରେ ସମ୍ଭବ ହେବନାହିଁ । ଦିବ୍ୟ ପରମୋଚ୍ଚ ଚେତନା ଓ ପରମଶକ୍ତି ଏମାନେ ସର୍ବଦା ହିଁ ବିଦ୍ୟମାନ୍ ରହିଛନ୍ତି ଏବଂ, ଉପସ୍ଥିତ ଅବସ୍ଥାକ୍ଷେତ୍ରଟି ଅନୁସାରେ ଯାହା କିଛି ଆବଶ୍ୟକ, ପ୍ରତ୍ୟେକ ମୁହୂର୍ତ୍ତରେ ସେହି ଅନୁସାରେ ସବୁ କରୁଛନ୍ତି । ଯେଉଁ ପଦକ୍ଷେପଟି ନିର୍ଦ୍ଧାରିତ ହୋଇ ରହିଛି, ସେଇଟିକୁ ହିଁ ଗ୍ରହଣ କରୁଛନ୍ତି । ଏଠାରେ ରହିଥିବା ସର୍ବବିଧ ଅପୂର୍ଣ୍ଣତା ମଧ୍ୟରେ ହିଁ ଆସିବା ନିମନ୍ତେ ଅପେକ୍ଷା ରହିଥିବା ସମ୍ପୂର୍ଣ୍ଣତାଟିକୁ ଗଢ଼ି ଆଣୁଛନ୍ତି । ମାତ୍ର, ତୁମ ଭିତରକୁ ଯେତେବେଳେ ସେହି ଅତିମାନସର ଅବତରଣଟି ଘଟିବ, ସେତେବେଳେ ଯାଇ ଦିବ୍ୟ ଜନନୀ ପ୍ରତ୍ୟକ୍ଷ ଭାବରେ ସେହି ଅତିମାନସ ପରମାଶକ୍ତି ଅତିମାନସିକ ପ୍ରକୃତିଗୁଡ଼ିକୁ ନେଇ କାର୍ଯ୍ୟଗୁଡ଼ିକୁ କରିପାରିବେ । ଯଦି ତୁମେ ନିଜର ସେହି ମନଟିର ବୋଲଟିକୁ ମାନୁଥିବ, ତେବେ ତୁମର ମନ ପରମା ଜନନୀଙ୍କୁ କଦାପି ଚିହ୍ନି ପାରିବନାହିଁ; ଏପରିକି ସେ ତୁମ ସମ୍ମୁଖରେ ପ୍ରତ୍ୟକ୍ଷ ହୋଇ ଠିଆ ହୋଇଥିଲେ ମଧ୍ୟ ତୁମେ ଚିହ୍ନି ପାରିବ ନାହିଁ । ତେଣୁ, ଆପଣାର ଏହି ମନଟାର ନୁହେଁ, ଆତ୍ମାର ହିଁ କଥାକୁ ମାନ, ତୁମର ସେହି ଆତ୍ମାର କଥା, ଯାହାକି ସେହି ପରମ ସର୍ବୋଚ୍ଚ ସତ୍ୟକୁ ଏକ ଅନୁସ୍ପନ୍ଦନ ଜଣାଇ ପାରିବ ଏବଂ ଉତ୍ତରଟିଏ ଅବଶ୍ୟ ଦେବ । ଅର୍ଥାତ୍, ତୁମର ସେହି ମନର କଥା ମାନନାହିଁ, ଯିଏ ତୁଚ୍ଛା ପ୍ରତିଭାସଗୁଡ଼ିକୁ ଦେଖି ଉଲ୍ଲସିତ ହୋଇ ଉଠିଥାଏ । ସେହି ପରମ ଦିବ୍ୟ ଶକ୍ତିମୟୀଙ୍କ ଉପରେ ହିଁ ବିଶ୍ଵାସକୁ ଥାପି ରଖ; ସେଇ ତୁମ ଭିତରେ ରହିଥିବା ଈଶ୍ଵରୀୟ ଉପାଦାନଗୁଡ଼ିକୁ ବିମୋଚିତ କରିଆଣିବେ ଏବଂ ସବୁଟିକୁ ହିଁ ସେହି ଦିବ୍ୟପ୍ରକୃତିର ଅଭିବ୍ୟକ୍ତି ମଧ୍ୟକୁ ଗଢ଼ି ନେଇଯିବେ ।’

 

ଶେଷରେ, ‘ମାଆ’ ପୁସ୍ତକର ଏହି ସର୍ବଶେଷ ଅନୁଚ୍ଛେଦରେ: ‘ଅତିମାନସିକ ସେହି ପରିବର୍ତ୍ତନ ବସ୍ତୁତଃ ଏଠାରେ ନିୟତିନିର୍ଦ୍ଦିଷ୍ଟ ହୋଇ ରହିଛି ଓ ପୃଥିବୀ-ଚେତନାର ବିବର୍ତ୍ତନ-କ୍ଷେତ୍ରରେ ଅପରିହାର୍ଯ୍ୟ ହୋଇ ରହିଛି । ତାହା ହେବ, ଅବଶ୍ୟ ହେବ : କାରଣ, ତାହାର ଆରୋହଣକ୍ରମରେ ଏହି ମନର ସ୍ତରରେ ପହଞ୍ଚି ସେଇଟି କଦାପି ସମାପ୍ତ ହେବନାହିଁ । ଏବଂ, ତେଣୁ ମନକୁ ଆମେ କଦାପି ସେହି ଆରୋହଣର ସର୍ବୋଚ୍ଚ ଶିଖର ବୋଲି ମଧ୍ୟ କହିବାନାହିଁ । କିନ୍ତୁ ସେହି ପରିବର୍ତ୍ତନଟି ଯେ ପ୍ରକୃତରେ ଘଟିବ, ଆକାର ଗ୍ରହଣ କରିବ ତଥା ସ୍ଥାୟୀ ହୋଇ ରହିବ, ସେଥିଲାଗି ଏହି ତଳୁ ହିଁ ସେଇଟିଲାଗି ଏକ ଆବାହନ କରାଯିବାର ଆବଶ୍ୟକତା ରହିଛି । ଏପରି ଏକ ଇଚ୍ଛାଶକ୍ତି ସହିତ ଆବାହନ, ଯେପରିକି, ସେହି ଇପ୍ସିତ ପରମ ଆଲୋକଟି ଯେତେବେଳେ ଆଗମନ ଘଟିବ, ତାହାକୁ ଆମେ ସତକୁ ସତ ଚିହ୍ନିନେଇ ପାରିବା, ତାହାକୁ କଦାପି ଅସ୍ଵୀକାର କରିବାନାହିଁ ଓ ସେହିପରି କରି ଏଠାରୁ ତାହାକୁ ଫେରାଇ ନେବାନାହିଁ ।

 

ଏବଂ, ଏଇଟି ସହିତ ସେହି ଆଗମନଟିର ପଶ୍ଚାତରେ ଊର୍ଦ୍ଧ୍ଵରୁ ସେହି ପରମୋଚ୍ଚ ସତ୍ତାର ମଧ୍ୟ ଅନୁମତି ଅବଶ୍ୟ ରହିଥିବ । ଊର୍ଦ୍ଧ୍ଵରୁ ସେହି ଅନୁମତି ଓ ଏହି ନିମ୍ନରୁ ସେଇଟି ନିମନ୍ତେ ଉକ୍ତ ଆବାହନ,-ଏହି ଉଭୟଟି ମଧ୍ୟରେ ଯେଉଁ ଶକ୍ତିଟି ମଧ୍ୟସ୍ଥତା କରିବ, ତାହା ହେଉଛି ଦିବ୍ୟ ଜନନୀଙ୍କର ଉପସ୍ଥିତି ଏବଂ ଶକ୍ତି । ସେହି ଶକ୍ତି ତଥା ଉପସ୍ଥିତି ହେଉଛି ଏକ ସେତୁ, ଯାହାକି ପୃଥିବୀର ଆବାହନକୁ ସେଯାଏ ନେଇ ପହଞ୍ଚାଇ ଦେବ ଓ ସେଠାରୁ ସେଇ ଅନୁମତିଟିକୁ ମଧ୍ୟ ଏଯାଏ ବହନ କରି ଆଣିବ । ହଁ, ସେହି ଦିବ୍ୟଜନନୀଙ୍କର ଶକ୍ତି,–ଆଦୌ କୌଣସି ମାନବସ୍ତରୀୟ ପ୍ରୟାସ ବା ପ୍ରଚେଷ୍ଟା ନୁହେଁ, ଏତିକି ହୋଇ ରହିଥିବା ଢାଙ୍କୁଣିଟିକୁ ଭାଙ୍ଗି ଚୂର୍ଣ୍ଣ କରି ଦେବ, ଆବରଣଟାକୁ ପୂରା ଫାଡ଼ି ଫୋପାଡ଼ି ଦେବ, ପାତ୍ରଟିକୁ ଏକ ଆକୃତି ପ୍ରଦାନ କରିବ ଏବଂ ବିସ୍ତୃତି ତଥା ମିଥ୍ୟା, ମୃତ୍ୟୁ ଏବଂ ଏହି ବହୁକଷଣ-ଭୋଗର ପୃଥିବୀକୁ ସେହି ପରମସତ୍ୟ, ପରମ ଆଲୋକ ତଥା ଏକ ଦିବ୍ୟ ଜୀବନ ଓ ମରଣହୀନ ଆନନ୍ଦକୁ ବହନ କରି ନେଇ ଆସିବ ।’

Image

 

Unknown

ଏବଂ, ଏକ ପୁନରାବର୍ତ୍ତନ

 

ଏଇଟି ହେଉଛି ‘ମାଆ’ ବହିର ସମ୍ପୂର୍ଣ୍ଣ ଛଅଟିଯାକ ଅଧ୍ୟାୟରେ ବକ୍ତବ୍ୟଟି । ଏକ ସନ୍ଦେଶ, ଏକ ସମଗ୍ର ଆବେଦନ ଏବଂ ସକଳ ଅର୍ଥରେ ଆମ ପୃଥିବୀ ନିମନ୍ତେ ସତେଅବା ଗୋଟିଏ ଯୋଜନାର ଉପସ୍ଥାପନା । ଛଅଗୋଟି ଅଧ୍ୟାୟର ଗୋଟିଏ ଆହ୍ଵାନ । ଅତି ଆପଣାର କାହାଠାରୁ ସତକୁ ସତ ଗୋଟିଏ ଆମନ୍ତ୍ରଣ । ପୃଥିବୀରୁ ଆଉ ଏକ ସର୍ବସୁଖମୟ ସ୍ଵର୍ଗପୁରକୁ ପଳାୟନ ନୁହେଁ,-ଭୁଲାଇ ନେଇଯିବାର ଆଦୌ କୌଣସି ଖାସ୍ ପ୍ରଲୋଭନଯୁକ୍ତ ବୟାନଟିଏ ମଧ୍ୟ ନୁହେଁ । ଧର୍ମର ଆବରଣରେ କୌଣସି ତଥାକଥିତ ଅଧ୍ୟାତ୍ମ ନୁହେଁ କିମ୍ବା ଅଧ୍ୟାତ୍ମର ପରଖ ମିଶାଇ ଫନ୍ଦା ଯାଇଥିବା ଧର୍ମୀୟ ଦ୍ରବ୍ୟଟିଏ ମଧ୍ୟ ନୁହେଁ । କେଉଁଠାରେ ଅତି ଆର୍ତ୍ତ ଏକ ଗଜ କୌଣସି କୁମ୍ଭୀରର କବଳରୁ ରକ୍ଷା ପାଇବାର ଆକୁଳତାରେ ଆଦୌ ଡାକୁନାହିଁ କିମ୍ବା ଆକୁଳଟିର ଡାକ ଶୁଣି ତେଣୁ ଏକ ଉଚ୍ଚବୈକୁଣ୍ଠର ଦେବତାଙ୍କର ଆଦେଶରେ ଆଦୌ କୌଣସି ଚକ୍ର ଆସି କୁମ୍ଭୀରର ପ୍ରାଣନାଶ ଦ୍ଵାରା ଗଜର ନିସ୍ତାରଣ ମଧ୍ୟ କରୁନାହିଁ । ଏହି ପୁସ୍ତକଟିରେ କେହି ଏକପାଖିଆ ହୋଇ ରଖ ରଖ ବୋଲି ଡାକୁନାହିଁ ଅଥବା ତେଣୁ ଆଉ କେହି ସତେଅବା କେଉଁ ଦେବଅଂଶ ଧାରଣ କରି ଉଚ୍ଚାସନରେ ବସିଥିବା ରାଜାଧିରାଜ ପରମ ଭଗବାନ ମଧ୍ୟ ସେହିପରି ଏକପାଖିଆ ହୋଇ ପରିତ୍ରାଣ କରିବାଲାଗି ଦଉଡ଼ି ଆସୁନାହିଁ । ପୁସ୍ତକଟିର ସର୍ବପ୍ରଥମ ବାକ୍ୟଟିରେ ସେହି କଥାଟିକୁ କେଡ଼େ ସ୍ପଷ୍ଟ ଭାବରେ ଦର୍ଶାଇ ମଧ୍ୟ ଦିଆଯାଇଛି । ଏଠୁ ଥାଇ ପୃଥିବୀ ଆବାହନ କରିବ ଏବଂ ସିଏ ସେହି ଆବାହନର ଉତ୍ତର ଦେଇ ଅନୁସ୍ପନ୍ଦନଟିଏ ଜଣାଇବେ । ଏହି ପୃଥିବୀ ଉପରେ ହିଁ ଭେଟ ହେବ । ସ୍ଵପ୍ନଟି ଏହି ପୃଥିବୀ ଉପରେ ସାକାର ହେବ । ଜୀବନ ବଦଳିବ, ସମ୍ପର୍କମାନେ ବଦଳିବେ, ସକଳ ମନୁଷ୍ୟଙ୍କୁ ସତେଅବା ଏକ ମହିମାମୟ ସମ୍ପୃକ୍ତି ମଧ୍ୟରେ ଗୋଟିଏ ସୂତାରେ ବାନ୍ଧି ରଖିଥିବା ଏକ ଅନ୍ୟ ପୃଥିବୀ ସମ୍ଭବ ହୋଇ ଆସିବ । ଅର୍ଥାତ୍, ଏକ ଦିବ୍ୟ ଜୀବନର ପ୍ରତିଷ୍ଠା ହେବ । ସେ ପକ୍ଷ ତଥା ଏପକ୍ଷ ଆଉ ଦୁଇ ପକ୍ଷ ହୋଇ ରହିବେନାହିଁ । ପରମାଜନନୀ ସେତୁ ହୋଇ ରହିବେ । ମନୁଷ୍ୟମାନେ ଆମେ ସକଳେ ଯେ ତାଙ୍କରି ସନ୍ତାନ, ଆମ ଯାବତୀୟ ପୃଥ୍ଵୀ–ବ୍ୟବସ୍ଥାରେ ସେଇଟିକୁ ଦେଖିହେବ । ସମ୍ଭବତଃ, ଆଉଟିକିଏ ଦୁଃସାହସ କରି କହିବାକୁ ଗଲେ, ଆମେ ପ୍ରତ୍ୟେକେ ମଧ୍ୟ ଆପଣା ଥାନରେ ଗୋଟିଏ ଗୋଟିଏ ସେତୁ ହୋଇ କାର୍ଯ୍ୟ କରିବା : ନିଜ ନିଜ ଜୀବନରେ ଗୋଟିଏ ଗୋଟିଏ ସେତୁ ଓ ଦିବ୍ୟଜନନୀଙ୍କର ପୂରା ମାନଚିତ୍ରରେ ମଧ୍ୟ ଗୋଟିଏ ଗୋଟିଏ ସେତୁ ।

 

ତଥ୍ୟ-ଆଧାରରେ କାଗଜମାନେ ଯେପରି କହୁଛନ୍ତି, ‘ମାଆ’ ବହି ଗୋଟିଏ ବହି ନୁହେଁ, ନାନା ସୂତ୍ରରୁ ସାଉଁଟା ହୋଇ ଆସି ଏକାଠି ଗୁନ୍ଥା ହୋଇଥିବା ଗୋଟିଏ ନଥି । ‘ମାଆ’ ବହିକୁ ଭିନ୍ନ ଭିନ୍ନ ଭାଷାରେ ଯେଉଁମାନେ ପାଠ କରନ୍ତି ବା କରୁଛନ୍ତି, ସେମାନଙ୍କ ପାଖରେ ସେହି ସମ୍ବାଦଟି ସେମାନେ ବହିଟିକୁ ପଢ଼ିବା ପୂର୍ବରୁ ଯାଇ ପହଞ୍ଚି ପାରିଥାଏ କି ନାହିଁ କେଜାଣି ! ବହିର ଅଧ୍ୟାୟମାନେ ଭିନ୍ନ ଭିନ୍ନ ଅବସରର ଲେଖା ଇତ୍ୟାଦିକୁ ଏକାଠି କରି ଯୋଡ଼ା ହୋଇଛନ୍ତି ବୋଲି ବହିଟିକୁ ପଥ କଲାବେଳେ ମୋଟେ ଘ୍ରାଣ କରି ହୁଏନାହିଁ । ଏବଂ, ହୁଏତ ତଥ୍ୟଟି ବିଷୟରେ ଅବହିତ ରହିଥିଲେ ମଧ୍ୟ ପୁସ୍ତକଟିଏ ଗୋଟିଏ ପୁସ୍ତକ ଅର୍ଥାତ୍ ଗୋଟିଏ ଆବେଦନ ବୋଲି ଗ୍ରହଣ କରିନେବାରେ କୌଣସି ଅସୁବିଧା ମଧ୍ୟ ହୁଏନାହିଁ । ସୁତରାଂ, ହୁଏତ ଏପରି ବି କୁହାଯାଇ ପାରିବ ଯେ, ଅଧିକାଂଶ ପାଠକ ଯେ ବହିଟିର ପ୍ରସ୍ତୁତି ପଛରେ ରହିଥିବା ଘଟଣାତଥ୍ୟକୁ ଜାଣିନଥାନ୍ତି, ତଦ୍ଦ୍ଵାରା ସେଇଟିକୁ ବରଂ ଅଧିକ ଏକ ନିଷ୍ଠା ସହିତ ଗ୍ରହଣ କରିହୁଏ । ଏହିପରି ଭାବରେ ଅବସରରେ ଏହି ଲେଖାମାନଙ୍କୁ ଗୋଟିଏ ଏକକ ପୁସ୍ତକର ଆକାରରେ ପ୍ରସ୍ତୁତ କରାଯାଉ ବୋଲି ପ୍ରସ୍ତାବ ଅଥବା ପରାମର୍ଶଟିକୁ ପ୍ରକୃତରେ କିଏ ଦେଇଥିବ କେଜାଣି ? ଖୁବ୍ ସମ୍ଭବ ସେତେବେଳର ଆଶ୍ରମର ଶ୍ରୀ ଅରବିନ୍ଦଙ୍କର ପ୍ରମୁଖ କେତେ ସହସାଥୀଙ୍କର କଳ୍ପନାକୁ ଏପରି କଥାଟିଏ ଆସିଥିବ । ସେତେବେଳର ଖାସ୍ ପରିସ୍ଥିତିଟିର ସନ୍ଦର୍ଭରେ ସେମାନେ ଏପରି ଗୋଟିଏ ପୁସ୍ତକ-ସମ୍ପାଦନର ଆବଶ୍ୟକତା ରହିଛି ବୋଲି ଅନୁଭବ କରିଥିବେ । ଏକତ୍ର ପରାମର୍ଶ ଅର୍ଥାତ୍ ମତବିନିମୟ କରି ସେମାନେ କେଉଁସବୁ ସାମଗ୍ରୀକୁ ବାଛି ଆଣିବା ଉଚିତ, ସେହି ବିଷୟରେ ଏକ ସହମତିରେ ଯାଇ ପହଞ୍ଚିଥିବେ । ଅଥବା, ଏପରି କଳ୍ପନାଟିଏ ସେମାନଙ୍କର ମନକୁ ଆସିବାରୁ ସେମାନେ ତାହାକୁ ଶ୍ରୀ ଅରବିନ୍ଦଙ୍କର ଗୋଚରକୁ ଆଣି ସଂକଳନଟି ବିଷୟରେ ଏକ ପ୍ରାଥମିକ କଥାବାର୍ତ୍ତା ହୁଏତ ହୋଇଥିବେ କି ? ବିଭିନ୍ନ ସ୍ଵୀକୃତ ବିଷୟଗୁଡ଼ିକୁ ବହିଟିରେ ନେଇ ଅନ୍ତର୍ଗତ କରିବା ସମ୍ପର୍କରେ ସ୍ଵୟଂ ଶ୍ରୀ ଅରବିନ୍ଦଙ୍କର ସମର୍ଥନ ନିଶ୍ଚୟ ଲୋଡ଼ା ହୋଇଥିବ ।

 

ପୁନଶ୍ଚ, ସଂକଳନଟିର ‘ମାଆ’ ବୋଲି ସେହି ନାମକରଣଟି ବିଷୟରେ ପ୍ରଥମ ଚର୍ଚ୍ଚାଗୁଡ଼ିକର ସ୍ତରରେ ଯାହା ଯେପରି ହୋଇଥାଉ ଅଥବା ନହୋଇଥାଉ ପଛକେ, ଚୂଡ଼ାନ୍ତ ନିଷ୍ପତ୍ତିଟିରେ ଶ୍ରୀ ଅରବିନ୍ଦଙ୍କର ସ୍ଵୀକୃତି ଅବଶ୍ୟ ରହିଥିବ । କିମ୍ବା, ସବାଆଗ ନାଆଁଟି ତୟ ହୋଇ ଯାଇଥିବ ଏବଂ ସେଥିରେ କ’ଣ ସବୁ କେଉଁଠାରୁ ଆଣି ଗୁନ୍ଥିବାକୁ ହେବ, ସେହି କଥାଟି ପରବର୍ତ୍ତୀ କ୍ରମମାନଙ୍କରେ ବିଚାର କଥା ହୋଇଥିବ । ସେତେବେଳେ ଆଶ୍ରମର ଗଠନ-ଚରିତ୍ରରେ ମଧ୍ୟ ତୁମୁଳ ପରିବର୍ତ୍ତନର ଯୁଗ । ମୂଳ ନିଷ୍ପତ୍ତିଟି ଶ୍ରୀ ଅରବିନ୍ଦଙ୍କର ହୋଇଥିଲେ ମଧ୍ୟ ସେଇଟିକୁ ତାଙ୍କର ସେହି ସବାମୂଳ ମେଳଟିର ପୁରୁଖା ଅନ୍ୟମାନେ ଯେ ଗ୍ରହଣ କରିବାକୁ କୁଣ୍ଠିତ ହୋଇଥିଲେ, ସେ କଥାଟିର ଏକାଧିକ ସୂଚନା ମଧ୍ୟ ମିଳିଯାଉଛି । ହଁ, ଶୃଙ୍ଖଳାରୂପେ ମାନି ନେଇଥିଲେ ସତ, ମାତ୍ର ସକଳ ଅନ୍ତସ୍କରଣରେ ଗ୍ରହଣ କରି ପାରୁନଥିଲେ । ସେହି ଏଡ଼େ ଗୁରୁତ୍ଵପୂର୍ଣ୍ଣ ଏକ ସମୟରେ ଖୁବ୍‌ ସମ୍ଭବ ଶ୍ରୀ ଅରବିନ୍ଦ ହିଁ ଏପରି ଗୋଟିଏ ସଂକଳନ ବିଷୟରେ ସବାଆଗ ଆଗ୍ରହଟିଏ ଯେ ପ୍ରକାଶ କରିଥିବେ, ଆମେ ସେପରି ଗୋଟିଏ ସମ୍ଭାବନା ମଧ୍ୟ କାହିଁକି ଏଡ଼ିଦେବାକୁ ମନ କରିବା ? ସଂକଳନଟିର ତିନୋଟି ଅଧ୍ୟାୟ ହେଉଛି ଶ୍ରୀ ଅରବିନ୍ଦ ଭିନ୍ନ ଭିନ୍ନ ଅବସରରେ ଦୁଇଜଣ ବ୍ୟକ୍ତିଙ୍କ ପାଖକୁ ଲେଖା ଯାଇଥିବା ତିନୋଟି ଚିଠି । ‘ମାଆ’ ବହିରେ ଉକ୍ତ ଅଧ୍ୟାୟମାନଙ୍କୁ ପାଠ କଲାବେଳେ ସେମାନେ ମୂଳତଃ ଗୋଟିଏ ଗୋଟିଏ ପତ୍ରରୁ ଆହୃତ ହୋଇ ଆସିଛନ୍ତି ବୋଲି କୌଣସି ଗନ୍ଧ ହିଁ ମିଳୁନାହିଁ । ପୁସ୍ତକଟିରେ ମାନିବ ଅର୍ଥାତ୍ ଅନ୍ୟ କେଉଁଠାରୁ ଆସି ଗୁନ୍ଥା ଯାଇଥିବାରୁ କୌଣସି ସୁରାଖ ମିଳିବ ନାହିଁ ବୋଲି ଚିଠିଗୁଡ଼ିକୁ ନିଶ୍ଚୟ କିଛି କାଁଣ୍ଟଛାଁଟ୍‌ର ସାମନା କରିବାକୁ ପଡ଼ିଥିବ । ମାତ୍ର, ସେହି କାର୍ଯ୍ୟଟି ପୂର୍ଣ୍ଣ କୁଶଳତା ସହିତ ହୋଇଛି, କାରଣ ବହିଟିରେ ଥିବା ପାଠଟିରୁ ତାହାର କୌଣସି ସଂକେତ ଉପଲବ୍ଧ ହେଉନାହିଁ । ଆମ, ପାଠକମାନଙ୍କ ପକ୍ଷରୁ ତାହାକୁ ଏକ ସଂକଳନ ବୋଲି ନକହି ଗୋଟିଏ ପୂର୍ଣ୍ଣ ପୁସ୍ତକ ବୋଲି ହିଁ କୁହାଯିବ ।

 

ହଁ, ଏକ ପୂର୍ଣ୍ଣ ପୁସ୍ତକ, ଏକ ପୂର୍ଣ୍ଣ ଆବେଦନ ତଥା ଆମନ୍ତ୍ରଣ । ଏକ ପଥର ପାଥେୟ । ଆସ୍ପୃହା କରି ପାରୁଥିବା ତୁମ ଆମ ସକଳଙ୍କ ନିମନ୍ତେ ଏକ ଯାତ୍ରାପଥର ପାଥେୟ । ଏହି ପୃଥିବୀ ଯେତିକି ରହିଛି, ସେତିକିରେ ରହିଗଲେ ଅର୍ଥାତ୍ ସେତିକି ମଧ୍ୟରେ ରହିଯିବା ନିମନ୍ତେ ଆମର ଏହି ପୁରୁଣା ବ୍ୟବସ୍ଥାମାନେ ବଳବତ୍ତର ହୋଇ ରହିଥିବା ପର୍ଯ୍ୟନ୍ତ ଏଠି ସୁଖ ନାହିଁ, ନ୍ୟାୟ ନାହିଁ, ଆଦୌ କୌଣସି ଭାରସାମ୍ୟ ମଧ୍ୟ ସମ୍ଭବ ନୁହେଁ । ସେହି ପୁରୁଣା ଆଖିମାନଙ୍କରେ ଭଳି ଭଳି କାନ୍ଦଣାମାନ, ପ୍ରାର୍ଥନା ଓ ନାନା ପ୍ରକାରର ଅଳି ଏବଂ ଅଭିଯୋଗମାନ । ତାହାରି ଏକ ଅନ୍ୟ ନାମ ହେଉଛନ୍ତି ଆମ ଇତିହାସର ଅଧିକାଂଶ ଧର୍ମ ତଥା ଧର୍ମଗୁରୁମାନେ । କେତେ କ’ଣ ବଦଳିବ ଏବଂ ସେହି ଊର୍ଦ୍ଧ୍ଵରେ ରହିଥିବା ଚିରନ୍ତନ ସୁଖସ୍ୱର୍ଗମାନେ ଏହି ପୃଥିବୀ ଉପରକୁ ସାକାର ହୋଇ ଆସିବେ ବୋଲି ଏଠାରେ ଯୁଗେ ଯୁଗେ ପ୍ରବୀଣମାନ କେତେ କ’ଣ ଶାସ୍ତ୍ରର ଭଣନା କରିଛନ୍ତି; ଆମକୁ ସିଧା, ସହଳ ଏବଂ ସହଜ କାର୍ଯ୍ୟସିଦ୍ଧିର କେତେଜାତି ତାବିଜ ପିନ୍ଧାଇଦେଇ ବାଉଳେଇ ନନେଇଛନ୍ତି ! ଭଳି ଭଳି ଭେକ, ସନ୍ତକ, ଦେଉଳ, ପବିତ୍ର ଆଚାର ତଥା ଆଚରଣମାନ । ସ୍ଵୟଂ ଠାକୁରମାନେ ମଧ୍ୟ ଏସବୁ ମାୟା ଭିତରକୁ ମୋଟେ ପଶି ପାରୁନଥିବେ । ଏବଂ ତୁଚ୍ଛା ଆମର ପ୍ରୀତିଗୁଡ଼ିକ ନିମନ୍ତେ କଣ୍ଢେଇ ହୋଇ ନାଚୁଥିବା ଏହି ପିତୁଳାମାନେ । ଏହି ଯାବତୀୟ ବିଡ଼ମ୍ବନା ଏହି ପୃଥିବୀଯାକ ଲାଗି ରହିଛି ବୋଲି ଖୁବ୍ ଉତ୍ତମ ପ୍ରକାରେ ଦେଖି ପାରୁଥିଲେ ମଧ୍ୟ ତଥାପି ଯେଉଁମାନେ ଆଉକିଛିର ପଥଟିଏ କାଢ଼ି ବାଟ ଚାଲିବାର ସାହସ କରିବେ,–ନିଜ ଭିତରେ ଏବଂ ନିଜ ବାହାରେ କେଡ଼େ ପ୍ରଶସ୍ତ ଏହି ପୃଥିବୀରେ ‘ମାଆ’ ପୁସ୍ତକଟି ସେଇମାନଙ୍କ ନିମନ୍ତେ ଏକ ପଥର ଆହ୍ଵାନ, ଏକ ପଥଚାରଣା ଲାଗି ପାଥେୟ । ଏମାନେ ପ୍ରଥମେ ଏଇଠୁ ଥାଇ ଡାକିବେ, କିଛି ହେବାକୁ ଆସ୍ପୃହା କରିବେ ଓ ଏକ ଅବତରଣ ନିମନ୍ତେ ପ୍ରାର୍ଥନା କରିବେ । ତେବେଯାଇ ଏକ ଅନ୍ୟ ଅନୁସ୍ପନ୍ଦନର ଯୋଗ୍ୟ ହେବେ,–ଏକ ଅନ୍ୟ ଅନୁସ୍ପନ୍ଦନର ଯୋଗ୍ୟ ହେବେ ଓ ସେଥିପାଇଁ ଊର୍ଦ୍ଧ୍ଵରୁ ଏକ ଅନୁରୂପ ଅନୁସ୍ପନ୍ଦନକୁ ଅବଶ୍ୟ ଶୁଣିପାରିବେ ।

 

‘ମାଆ’ ନାମକ ଏହି ଅନ୍ତରଙ୍ଗ କ୍ଷୁଦ୍ର ପୁସ୍ତକଟି ହେଉଛି ସନ୍ତାନମାନଙ୍କ ଲାଗି ଉଦ୍ଦିଷ୍ଟ ପୁସ୍ତକଟିଏ । ମନୁଷ୍ୟମାତ୍ରେ ଆମେ ପ୍ରତ୍ୟେକେ ସିନା ସେହି ବିଶ୍ଵଜନନୀଙ୍କର ସନ୍ତାନ, କିନ୍ତୁ ଆପେ ଜଣେ ସନ୍ତାନ ବୋଲି ନିଜକୁ ଘ୍ରାଣ କରି ପାରିବାକୁ ହେଲେ ସତକୁ ସତ ବାଟଟିଏ ଚାଲିବାକୁ ହୋଇଥାଏ, ବାଟଟିଏ ଚାଲିବାର ମାଧ୍ୟମରେ ହିଁ ଜଣେ ସନ୍ତାନ ଯାବତୀୟ ଅର୍ଥରେ ଅନୁକ୍ଷଣ ହୋଇ ଯାଉଥାଏ ଏବଂ, ଏହିପରି ହୋଇ ହୋଇ ଯିବାର ଏକ ଖାସ୍ ଧର୍ମର ଆଚରଣ ଦ୍ଵାରା ହିଁ ସେ ଊର୍ଦ୍ଧ୍ଵରୁ ମଧ୍ୟ ଏକ ଅନୁସ୍ପନ୍ଦନର ପ୍ରତ୍ୟୟ ପାଏ : ପ୍ରକୃତରେ ସେହି ଯେତେ ଉପରେ ବୋଲି ମୁଁ କଳ୍ପନା କରି ଆସିଥିଲେ ମଧ୍ୟ ସିଏ ସତକୁ ସତ ଓହ୍ଲାଇ ଆସୁଛନ୍ତି, କତି କତି ହୋଇ ଆସୁଛନ୍ତି ବୋଲି ଅନୁଭବଟିଏ ଲାଭ କରେ । ଏପରିକି ମୁଁ ଆପେ ତାଙ୍କର ଯେତିକି କତିରେ ରହିଛି ବୋଲି ଅନୁଭବ କରି ପାରିନାହିଁ, ସିଏ ବସ୍ତୁତଃ ସତତ ହିଁ ତା’ଠାରୁ ଅନେକ ଅଧିକ କତି ହୋଇ ରହିଛନ୍ତି ବୋଲି ଅନୁଭବ କରିବାକୁ ଲାଗେ । ତାଙ୍କୁ ସତକୁ ସତ ଭେଟେ । ‘ମାଆ’ ବହିଟି ସେହି ଭେଟିବାର ଉଦ୍‌ବେଳଟିଏ ଦେଇ ଏକାବେଳେକେ ସେହି ସର୍ବମୂଳ ବାକ୍ୟଟିରୁ ଆରମ୍ଭ ହୋଇଛି । ମୁଁ ଡାକୁନଥିଲି, କେବଳ ମାଗୁଥିଲି । ଆପଣାକୁ ଅକିଞ୍ଚନପ୍ରାପ୍ତ ମଣୁଥିଲି । ଅକିଞ୍ଚନ ପରି ମଣୁଥିବା ଯାଏ ମୁଁ ଆପଣାକୁ କିପରି ଆଦୌ ଜଣେ ସନ୍ତାନ ବୋଲି ଆତ୍ମସଚେତନ ଅନୁଭବ ମଧ୍ୟ କରିପାରନ୍ତି ! ଏଠୁ ଜଣେ ବ୍ୟାକୁଳ ସନ୍ତାନର ଆବାହନ ସମ୍ଭବ ନହେବା ଯାଏ ସେହି ବିଶ୍ଵ-ସତ୍ୟଟି ମଧ୍ୟ କିପରି ଆଦୌ ‘ଉଅ’ ବୋଲି ଉଚ୍ଚାରଣ ବା କରନ୍ତା ! ତେଣୁ, ସନ୍ତାନଟିଏ ହେବାର ଅର୍ଥ ହେଉଛି ତାଙ୍କର ଅନୁସ୍ପନ୍ଦନର ଯୋଗ୍ୟ ହେବା; ଅର୍ଥାତ୍ ସେହି ଅନୁସ୍ପନ୍ଦନର ଯୋଗ୍ୟ ହେବାଦ୍ୱାରା ହିଁ ତାଙ୍କର ସନ୍ତାନ ହେବାର ପ୍ରତ୍ୟୟପତ୍ରଟିଏ ଲାଭ କରିବା । ତାଙ୍କର କରୁଣା ମୁଁ ଲାଭ କରିଥିବାର ସେହି ପ୍ରତ୍ୟୟପତ୍ରଟିକୁ ।

 

ତେଣୁ ମୁଁ ବିଳାପ କରିବିନାହିଁ, ଆପଣାକୁ ଅକିଞ୍ଚନ ବି ମଣିବି ନାହିଁ, ମାଗିବି ନାହିଁ; ମୁଁ ଲୋଡ଼ିବି, ନିଜ ଭିତରେ ଲୋଡ଼ିବି, ନିଜ ବାହାରେ ତାଙ୍କରି ଏହି ଜଗତଯାକ ମଧ୍ୟ ଲୋଡ଼ିବି । ନିଜକୁ ଲୋଡ଼ି ଜଗତଟିକୁ ପାଇବି ଏବଂ ଜଗତଟିକୁ ଲୋଡ଼ି ଆପଣାକୁ ପାଇବି, ପୂର୍ଣ୍ଣତଃ ଆପଣାର ସେହି ସତ୍ୟତମ ପରିଚୟରେ-ଜଣେ ସନ୍ତାନର ପରିଚୟରେ । ସନ୍ତାନ ହୋଇ ହିଁ ତାଙ୍କ ସହ Collaborate କରିପାରିବି । ମୁଁ collaborate ନକଲେ ସିଏ ଆପଣାର ଏହି ପୃଥିବୀଟିକୁ ତାଙ୍କଯୋଗ୍ୟ କରି ଗଢ଼ିପାରିବେ କିପରି ! ତେଣୁ ଜଣେ ଉପଯୁକ୍ତ ସନ୍ତାନକୁ କେବେ ହେଲେ କୃପାଭିକ୍ଷୁ ବୋଲି କୁହାଯାଇ ପାରିବନାହିଁ, ପୂର୍ଣ୍ଣତଃ କୃପାପ୍ରାପ୍ତ ବୋଲି ହିଁ କୁହାଯିବ । କୃପାପ୍ରାପ୍ତ ସନ୍ତାନ-ଶିବିରଟି ହିଁ ତାଙ୍କର ଏହି ପୃଥିବୀଟିକୁ ତାଙ୍କରି ଯୋଗ୍ୟ କରି ଗଢ଼ିବ । ପୂରାପଣେ ନିମିତ୍ତଟିଏ ହେବ, ପରିପୂର୍ଣ୍ଣ ଖୁସିରେ ଅର୍ଥାତ୍ ସହଜତାରେ । ତେବେ ସିଏ ଆମର ଡାକ ଶୁଣି ଉଅ କରୁଛନ୍ତି ବୋଲି ଆମର ଅସଲ କାନମାନଙ୍କୁ ସତକୁ ସତ ଶୁଣାଯିବ, ତାଙ୍କ ସହିତ ଭେଟ ହେଉଥିବାର ଏକ ନିତ୍ୟ-ଅବବୋଧ ସମ୍ଭବ ହୋଇ ଆସିବ । ଆବଶ୍ୟକ ପାଥେୟମାନ ଲାଭ କରି ସତେଅବା ଜଣେ ଜଣେ ସନ୍ତାନର ପୂର୍ଣ୍ଣ ଉତ୍ତରାଧିକାରଟିକୁ ଆମେ ଏହି ପୃଥିବୀ ନାମକ ପଥରେ କେଡ଼େ ସ୍ଵଭାବପ୍ରେରିତ ଭାବରେ ସଦାସଚଳ ହୋଇପାରିବା ଓ ଆପେ ପାଟି ଖୋଲି ନ ଡ଼ାକୁଥିଲେ ମଧ୍ୟ ସିଏ ସକଳ ମୁହୂର୍ତ୍ତରେ ଜବାବ ଦେଉଛନ୍ତି ଅର୍ଥାତ୍ ଅନୁସ୍ପନ୍ଦନ ଜଣାଉଛନ୍ତି ବୋଲି ଅଙ୍ଗେ ନିଭାଇ ପାରିବା ।

 

ଜନ୍ମକାହାଣୀ ଯେଉଁଭଳି ହୋଇଥାଉ ପଛକେ, ‘ମାଆ’ ବହି ସର୍ବତୋଭାବେ ଗୋଟିଏ ସମ୍ପୂର୍ଣ୍ଣ ପୁସ୍ତକ, ଏକ ସମ୍ପୂର୍ଣ୍ଣ ଦ୍ୟୋତନାର ପୁସ୍ତକ । ପ୍ରଧାନତଃ ଉପସ୍ଥାପନାର ଶୈଳୀଗତ ସମ୍ପାଦନରେ ଯେ ସର୍ବାଙ୍ଗ ସର୍ଜନାଟିଏ ପରି ଲାଗୁଛି ତାହା ନୁହେଁ, ପ୍ରକୃତରେ ଆମ ପାଇଁ ଏକ ସମ୍ପୂର୍ଣ୍ଣ ଜୀବନନକ୍ସାକୁ ଉତ୍ତୋଳିତ କରି ଆଣୁଛି । ବହିଟିରେ ଛଅଗୋଟି ଅଧ୍ୟାୟ ଏବଂ ସେଗୁଡ଼ିକ ଭିତରେ ଏକ ସୁସ୍ପଷ୍ଟ କ୍ରମ ମଧ୍ୟ ରହିଛି । ସେହି କ୍ରମରେ ମୁଖ୍ୟତଃ ଦୁଇ ଭାଗ । ପ୍ରଥମ ଚାରୋଟିକୁ ଏକତ୍ର ପ୍ରଥମ ଭାଗଟିଏ ବୋଲି କୁହାଯାଇ ପାରିବ । ପ୍ରକୃତରେ ଗୋଟିଏ କ୍ରମପ୍ରସ୍ତୁତିର ଉପସ୍ଥାପନାରେ । ହଁ, ମୁଁ ଆଉ କିଛି ଲୋଡ଼ିବି ଏବଂ ଆବାହାନ କରିବି । କିନ୍ତୁ କାହାକୁ ଆବାହନ କରିବି, ତାହାର ପୂର୍ଣ୍ଣ ବାରତାଗୁଡ଼ିକୁ ସତେଅବା କେଉଁ ଶାସ୍ତ୍ରରୁ ପାଇ ସାରିଥିବା ପରି ଆଦୌ ନୁହେଁ, କିନ୍ତୁ, ଯାବତୀୟ ଲୋଡ଼ିବାର ନିୟମଟିର ରକ୍ଷା କରି ଆଗ ମୋତେ ସେହି ମୁତାବକ ପ୍ରସ୍ତୁତ ହେବାକୁ ପଡ଼ିବ । ସ୍ନାତକଟିଏ ହେବାକୁ ହେଲେ ଜଣେ ସ୍ନାତକ ହୋଇ ପାରିବାର ଅନ୍ତଃଚର୍ଯ୍ୟାଟିକୁ ସ୍ଵୀକାର କରି ନେବାକୁ ହେବ । ସେଇଥିପାଇଁ ଏକ ଉପଯୁକ୍ତ ଆସ୍ପୃହା । ଏକ ଖାସ୍ ଆସ୍ପୃହା, ଯାହାକି ସତେଅବା ଏକ ପାଦଦେଶରେ ପହଞ୍ଚି ଶିଖର ଆଡ଼େ ଅନାଇବାର ଯୋଗ୍ୟ ହୁଏ । ଆମେ ମନୁଷ୍ୟମାତ୍ରେ ସମସ୍ତେ ତ ଏଠି ସବୁ ନ୍ୟାୟରେ ଏକ ପାଦଦେଶରେ ହିଁ ରହିଛୁ, ଆପଣା ଲାଗି ଡିହଟିଏ ତିଆରି କରୁଛୁ, ଡିହଟିକୁ ବାଡ଼ ଘେରାଇ ଦେଇ ମୋ’ର ବୋଲି ନିଶ୍ଚିତ ହୋଇ ରହିବାର ପ୍ରୟାସ କରୁଛୁ । ଯଦି ପାଦଦେଶଟିଏ ରହିଛି, ତେବେ ଶିଖରଟିଏ ଥିବ ବୋଲି ନିଜର ବୁଦ୍ଧିରେ ଅନୁମାନ ବେଶ୍ ଅନୁମାନ କରି ବି ପାରୁଛୁ । ତଥାପି ଏହି ଆମର ପ୍ରିୟ ସୀମାଗୁଡ଼ିକର ନିର୍ଭର ମଧ୍ୟରେ ରହିଥିବା ଆମ ସଂସାରଟିରୁ ଦିନେ ସାହସ କରି ଶିଖରଆଡ଼େ ମନ କରି ପାରୁନାହୁଁ ତ ! ଏହି ଡିହଟି ପାଇଁ ବରଂ କେତେ ନା କେତେ ଆମ ଦ୍ଵାରା କଳ୍ପିତ ଶିଖରଗୁଡ଼ିକ ଉପରେ ଆସୀନ ଭଗବାନମାନଙ୍କର ଅନୁକମ୍ପା ମଧ୍ୟ ଭିକ୍ଷା କରନ୍ତୁ । ମାତ୍ର ସେହି ଅଲୋଡ଼ା ଏବଂ ଅପୁଚ୍ଛା ଶିଖରଟିଏ ଯେ ଆମକୁ ଭେଟିବ ବୋଲି କେଉଁ ପରମାସ୍ପଦ ଆମଠାରୁ ଗୋଟିଏ ଆବାଜ ପାଇବେ ବୋଲି ଅପେକ୍ଷା କରୁଛନ୍ତି, ଆମ ନିଜ ଅନ୍ତର ନାମକ ଏହି ପାଦଦେଶରେ ଥାଇ ଆଗ ସେଇଠି କୌଣସି ଶିଖରଟିଏ ଅଛି ବୋଲି ବାସନା ପାଇ ପାରିଲେ ସିନା ଆମେ ଏହି ବୃହତ୍ତର ପୃଥିବୀରେ ରହିଥିବା ସୁନିଶ୍ଚିତ ଶିଖରଗୁଡ଼ିକର ଉପସ୍ଥିତିଟିକୁ ଅନୁଭବ କରି ପାରିବା ଏବଂ ଏଠାରେ ଥାଇ ସେଗୁଡ଼ିକୁ ଲୋଡ଼ି ବାହାରିବା । ବ୍ୟାକୁଳତା ପ୍ରକାଶ କରିବା !

 

ହଁ, ଆମେ ଡାକିଲେ ଯାଇ ତାଙ୍କର ଅନୁସ୍ପନ୍ଦନ ଶୁଣିପାରିବା । ଆମର ଏହି ସଂସାରଟିର ଏଡ଼େ ଆପଣାର ବାଡ଼ଗୁଡ଼ିକୁ ଭାଙ୍ଗି ଉଜାଡ଼ି ଦେଇ ଯେ ଆମେ ଏଠାଟିକୁ ଛାଡ଼ି ସେଠାକୁ ପଳାୟନ କରିବା, ସେକଥା ଆଦୌ ନୁହେଁ । ଆମେ ଏଣୁ ବାହାରିଲେ ସିଏ ମଧ୍ୟ ତେଣୁ ଆସୁଛନ୍ତି ବୋଲି ପୂରା ପ୍ରତ୍ୟକ୍ଷ କରି ପାରିବା । ତେଣୁ, ଏହି ଘରଟି ମୋଟେ ଉଜୁଡ଼ା ହେବନାହିଁ, କେବଳ ବାଡ଼ଗୁଡ଼ିକ ଯାହା ସମ୍ପ୍ରସାରିତ ହୋଇ ଯାଉଥିବେ । ସମ୍ପ୍ରସାରିତ ହୋଇ ଯାଉଥିବାର ଅନିଚ୍ଛା, ଆମର ଯାବତୀୟ ଭୟ ଅଥବା ବୁଦ୍ଧିକାତରତା, ଏହି ଅଳ୍ପଗୁଡ଼ିକ ପ୍ରତି ଏକ ଅନମନୀୟ ପ୍ରୀତି, ସେହିଗୁଡ଼ିକର ପ୍ରତ୍ୟାଖ୍ୟାନ । ଆମର ଏହି ପୃଥିବୀ ନାମକ ଏହି ବୃହତ୍ତର ଘରଟି, ସେଇଟି କାଳକାଳରୁ ନାନା ଭାବେ ପ୍ରତ୍ୟାଖ୍ୟାନ ହୋଇ ଯେଉଁ ବହୁବିଧ ଅଳ୍ପମାନଙ୍କର ଦାଉଗୁଡ଼ିକୁ ସହି ଆସିଛି, ସେହି ଗୁଡ଼ିକରେ ପ୍ରତ୍ୟାଖ୍ୟାନ । ଅର୍ଥାତ୍, ଏକ ଅନ୍ୟ ପ୍ରତ୍ୟୟ, ଯାହାକି ବୃହତ୍ତର ନଥିଲେ ଆମ ବାଡ଼ଗୁଡ଼ିକ ମଧ୍ୟରେ ରହିଥିବା ନାମର ତୁଚ୍ଛା ନିଜରଟିକୁ ମଧ୍ୟ ଯେ, କଦାପି ଆଦୌ କୌଣସି ପରିପୂର୍ଣ୍ଣ ସମ୍ମାନ ଦେଇ ବଞ୍ଚି ହେବନାହିଁ, ତେଣିକି ସେଇଟି ହିଁ ଆମକୁ ଊର୍ଦ୍ଧ୍ଵର ସେହି ଅନୁସ୍ପନ୍ଦନଟିକୁ ଭେଟିବା ସକାଶେ ସାହସ ଆଣିଦେବ । ତେଣୁ, ଅଳପ ନାମକ ଏହି ଷଡ଼ଯନ୍ତ୍ରକାରୀ ମାୟାଟିର ପ୍ରତ୍ୟାଖ୍ୟାନ, ନିଜକୁ ଏକ ଯୋଗ୍ୟତର ଆୟାମର ପୁଷ୍ଟି ଦେଇ ଶିଖର ଏବଂ ପାଦଦେଶ ମଧ୍ୟରେ ନିୟତ ଅବାରିତ ହୋଇ ରହିଥିବା ସେହି ଭେଟଟି ଉପରେ ନିରନ୍ତର ଲୟ ରଖି ନିଜକୁ ନେଇ ବାଟ ଚାଲୁଥିବା, ଯାବତୀୟ ଅଧ୍ୟାତ୍ମରେ ସେଇଟିର ନାମ ହେଉଛି ସତକୁ ସତ ସେହି ଅହଂମୁକ୍ତି-ଯାହାକି ଆମକୁ ସହଜ ସନ୍ତାନଟିଏ ହେବାର ଅସଲ ଭାଗ୍ୟରୁ ପ୍ରତ୍ୟାଖ୍ୟାତ କରି ରଖିଛି ଏବଂ ବହୁପ୍ରକାରେ ଅସହଜ କରି ପକାଇଛି । ତେଣୁ, ଏକ ଅନ୍ୟ ଆସ୍ପୃହା, ସେହି ପ୍ରତିଶ୍ରୁତିପୂର୍ଣ୍ଣ ଅନ୍ୟ ପଥଟି ଲାଗି ଆସ୍ପୃହା, ଯାହାକି ଆମକୁ ଆପଣା ଭିତରେ ଆଦୌ କୌଣସି ଧୋକା ଦେବନାହିଁ ଏବଂ ବାହାରେ ତାଙ୍କର ଏହି ସଂସାରଟି ମଧ୍ୟରେ ନାନାଭାବେ ଛିନ୍ନଭିନ୍ନ ହୋଇ ରହିବାର ସକଳ ଦୁର୍ଗତିରୁ ମୁକ୍ତ ରଖିଥିବ । ଆମପାଇଁ ଏକାଧିକ ଗୁହାମୁକ୍ତିର କାରଣ ହେବ ।

 

ଆସ୍ପୃହାର ସେହି ଦିବ୍ୟ ସାହସଟିର ଜୀବନବେଢ଼ା ଭିତରକୁ ମନ କଲାମାତ୍ରକେ କ’ଣ ସତକୁ ସତ ସେହି ଊର୍ଦ୍ଧ୍ଵରୁ ଓହ୍ଲାଇ ଆସୁଥିବାର ଅନୁଭବଟି ହୋଇଥାଏ କି ? ହଁ, କିଏ ଜଣେ ଓହ୍ଲାଇ ଆସୁଛି, ଅର୍ଥାତ୍ ଉଅ କରୁଛି; କିଏ ଜଣେ ଉଅ କରୁଛି ଅର୍ଥାତ୍ ଓହ୍ଲାଇ ଆସୁଛି ! ଏବଂ ତା’ପରେ ପୂରା ଜୀବନଟି ସତେ ଯେପରି ସକଳ ମୁହୂର୍ତ୍ତର ଏକ ଭେଟୁଥିବା ହିଁ ଅନୁଭବ ହେବାକୁ ଆରମ୍ଭ କରେ । ନିତ୍ୟ ଆସ୍ପୃହା କରିବା ଅର୍ଥାତ୍ ନିତ୍ୟ ଭେଟିବା । ନିତ୍ୟ ସମ୍ପ୍ରସାରିତ ହେବାରେ ଲାଗିଥିବା । ସତେଅବା ସବୁକିଛି ପହୁଞ୍ଚ ମଧ୍ୟକୁ କତି ହୋଇ ଆସେ । ମୁଁ ଯେ ଏହି ପୃଥିବୀରେ ଆଦୌ ଏକୁଟିଆ ନୁହେଁ, ମୋ’ର ସଦାପ୍ରସ୍ତୁତ ପାଦଗୁଡ଼ିକୁ ଆଗକୁ ଆଗକୁ କଢ଼ାଇ ନେଉଥିବା ଆଉ ଜଣେ ଯେ ମୋ’ ସହିତ ରହିଛି, ସେହି ଅନୁଭବ ହୁଏ, ସକଳ ଅର୍ଥରେ ଏକ ପରିତ୍ରାଣକାରୀ ଅନୁଭବ । ତେଣୁ, ଭବଶୟଳଟାରେ ଏକା ଏକା ଏକ ଦାରୁଣ ନିଃସଙ୍ଗତା ମଧ୍ୟରେ ପଡ଼ି ଯାଇଥିବା ପରି ଆଦୌ ରୋଦନ କରିବାକୁ ହୋଇନଥାଏ । ନିତ୍ୟ ଚାଲୁଥିବା ଅର୍ଥାତ୍ ନିତ୍ୟ ଭେଟୁଥିବା; ଏବଂ ସେହି ଭେଟିବାର ନିତ୍ୟ ଅବବୋଧଟି ଆମକୁ ବହୁ ନାସ୍ତିକତା ଓ ନକାରାତ୍ମକତାରୁ ବଞ୍ଚାଇ ରଖିଥାଏ । ଅସଲ ଶିଖରଟିଏ ଯେପରି ଆମ ଭିତରର ସକଳ ଆରୋହଣର କାରଣ ହୁଏ, ଠିକ୍ ସେହିପରି ହୁଏତ ସମ୍ପୂର୍ଣ୍ଣ ଅର୍ଥରେ ସୁସ୍ଥ ଜୀବନପ୍ରୟାସଟିଏ ଆମକୁ ଆମର ଏହି ତଳେ ରହିଥିଲେ ମଧ୍ୟ ଆନକୁ କେତେ କେତେ କରୁଣାର ଭାଜନ କରାଇ ନେଉଥାଏ । ଆମକୁ ଆଦୌ ଭାଗ୍ୟବାଦୀ କରାଏ ନାହିଁ । ଯଦି ଆମେ ସତକୁ ସତ ସତତ ଭେଟୁଥିବାର ଜୀବନଟିକୁ ବଞ୍ଚି ପାରୁଥିବା, ତେବେ ମୋଟେ ଭାଗ୍ୟବାଦୀ ହେବା ନିମନ୍ତେ ମନ କରିବା ନାହିଁ । ସନ୍ତାନମାନେ ସେଥିଲାଗି କାହାରି ଫୁସୁଲାରେ ପଡ଼ି କେବେହେଲେ ଭାଗ୍ୟବାଦୀ ହୁଅନ୍ତି ନାହିଁ । ସେମାନେ ଧର୍ମତଃ ଏହି ପୃଥିବୀର ଭାଗ୍ୟଟିର ବରଂ ସତେଅବା ଜଣେ ପରମ ପୃଥ୍ଵୀବିଧାତାଙ୍କର ନିମିତ୍ତ ହୋଇ ଖିଳ ପୃଥିବୀଟାର ଭାଗ୍ୟକୁ ହିଁ ବଦଳି ଯିବାରେ ବହୁତ କାମରେ ଲାଗନ୍ତି । ଆମର ପୂର୍ବାଲୋଚିତ ଭେଟଟିର ଉଦ୍ଦେଶ୍ୟଟିକୁ ସାର୍ଥକ କରି ନେଉଥାନ୍ତି ।

 

‘ମାଆ’ ବହିର ଦ୍ଵିତୀୟ ଏବଂ ତୃତୀୟ ଅଧ୍ୟାୟରେ ସେଥିପାଇଁ ମୁଖ୍ୟତଃ ସେହି ପ୍ରସ୍ତୁତ ହୋଇ ପରିବାର କଥା । ଅତ୍ୟନ୍ତ ସଂକ୍ଷିପ୍ତ ଦୁଇଟି ଅଧ୍ୟାୟ; ମାତ୍ର ସେହି ସାକ୍ଷାତ୍‌କାରଟି ନିମନ୍ତେ ଆମର ଯେଉଁପରି ଭାବରେ ଯୋଗ୍ୟ ହେବାର କଥା, ପ୍ରାୟ ଗୋଟାସୁଦ୍ଧା ସେହି ପ୍ରସଙ୍ଗଟି । ଆମେ ଏହି କ୍ଷେତ୍ରରେ କେବେହେଲେ କୌଣସି ଅତି ଚତୁରତା ଦେଖାଇ ଆମର ଏହି ସବୁ ଦାୟିତ୍ଵକୁ ସେହି ଆରପଟଟି ଉପରେ ଲଦି ଦେବାନାହିଁ ଟି ! ଅନେକ ଅନୁଗାମୀ ଏହି ପୃଥିବୀରେ ଥାଆନ୍ତି, ଯେଉଁମାନେ କି କେଡ଼େ ଗେହ୍ଲାଳିଆ ଭୋଳାପଣରେ ଗୁରୁଙ୍କ ଉପରେ ହିଁ ଯାବତୀୟ ଦାୟିତ୍ଵକୁ ନେଇ ସମର୍ପି ଦେଇଥାନ୍ତି । ଅନେକ ଗୁରୁ ମଧ୍ୟ ପ୍ରାୟ ଅନୁରୂପ ଭାବରେ ଖୁବ୍ ରହିଥାଆନ୍ତି, ଯେଉଁମାନେ କି ଆପଣା ଶିଷ୍ୟମାନଙ୍କର ସର୍ବବିଧ ପ୍ରସ୍ତୁତିର ଏହି ଦାୟିତ୍ଵଟିକୁ ଆପେ ଗ୍ରହଣ କରିବା ନିମନ୍ତେ ସତେଅବା ଆଗତୁରା ରାଜି ହୋଇ ଯାଇଥାନ୍ତି । ଏମାନେ ନିଜ ଶିଷ୍ୟଟିର ଆଶାବାଡ଼ି ହୋଇ ରହିଥାଆନ୍ତି ଏବଂ ବିଚରା ଶିଷ୍ୟଟି ହୁଏତ ଜୀବନଯାକ ଖଞ୍ଜ ହୋଇ ରାହିଯାଏ-। ପୃଥିବୀର ଏହି ଦ୍ଵିପକ୍ଷୀୟ ଉପାଖ୍ୟାନଟିରେ ସେହି କାହାଣୀଟି ଯୁଗଯୁଗରୁ ରହିଛି ଏବଂ ସତ ଆସ୍ପୃହାର କ୍ଷେତ୍ରଟିକୁ ସତେଅବା ଭାରି ଅସ୍ତବ୍ୟସ୍ତ କରି ଦେଇଛି । ଏକ ଅତି ନିର୍ଭରର ସେହି ଉପଦ୍ରବଟି ହେତୁ ପୃଥିବୀରେ ବହୁ ଅଧ୍ୟାତ୍ମ ଭାରି ମାଡ଼ ଖାଇ ଯାଇଛି ଏବଂ ତାହାଫଳରେ ଆସ୍ପୃହାର ମାର୍ଗଟିକୁ ଖୁବ୍ ଅବହେଳା କରାଯାଇଛି । ଭଳି ଭଳି ଗୁରୁଙ୍କର ଭଳି ଭଳି ସମ୍ପ୍ରଦାୟ କେତେ କେତେ ଅଭିବନତା ସହିତ ବାହାରର ଭେକପ୍ରଧାନ ନାନା ଭାବପ୍ରବଣତାକୁ ଉଦ୍‌ଭାବିତ କରିଆଣିଛି ସିନା, ମାତ୍ର ଆସ୍ପୃହା ଗୌଣ ହୋଇ ରହିଯାଇଛି । ଏବଂ, ଭେଟି ବାହାରିବାର, ଏହି ପାଦଦେଶରୁ ଶିଖରଟିକୁ ଡାକିବା କ୍ରମଶଃ ପାସୋର ହୋଇଯାଇଛି ଏବଂ ଉଅଟିଏ ନଶୁଣି ମଧ୍ୟ ସତେଅବା କିଛି ନା କିଛି ଅବଶ୍ୟ ଶୁଣିଥିବାର ଭାଣ କରି ନୂଆ ନୂଆ ଇମାରତମାନେ କୋଳାହଳ ଆରମ୍ଭ କରି ଦେଇଛନ୍ତି ।

 

ଶ୍ରୀ ଅରବିନ୍ଦଙ୍କର ସେଥିଲାଗି ଅତ୍ୟନ୍ତ ସ୍ପଷ୍ଟ ଉକ୍ତିଟି ହେଉଛି ଯେ, ଆମର ନିମ୍ନତର ପ୍ରକୃତିଟି ସକ୍ରିୟ ହୋଇ ରହିଥିବା ପର୍ଯ୍ୟନ୍ତ ବ୍ୟକ୍ତିଗତ ପ୍ରଚେଷ୍ଟାର ଅବଶ୍ୟ ଆବଶ୍ୟକତା ରହିଛି । ସେହି ବିଧାନଟି ଅନୁସାରେ ଆମ ଆସ୍ପୃହାଟି ଆମ ତରଫରୁ ଏକ ବ୍ୟକ୍ତିଗତ ପ୍ରଚେଷ୍ଟାର ସାଧନା । ଆସ୍ପୃହାଟି ଆଗ ଏବଂ ଅସଲ; କାରଣ ଆସ୍ପୃହା ମୁତାବକ ହିଁ ପ୍ରତ୍ୟାଖ୍ୟାନ ଏବଂ ଏହି ଦୁଇଟିର ଫଳସ୍ଵରୂପ ଏକ ସମର୍ପଣମୟ ଜୀବନ । ତାହାକୁ ଅଧିକ ପ୍ରାଞ୍ଜଳ କରିଦେଇ ଶ୍ରୀ ଅରବିନ୍ଦ ଆସ୍ପୃହା ବିଷୟରେ ଯେପରି କହିଛନ୍ତି : ଏକ ସଦାଜାଗୃତ ସାତତ୍ୟଯୁକ୍ତ ଅବିରାମ ଆସ୍ପୃହା,–ଆମ ମନଃସ୍ତରର ସର୍ବବିଧ ଇଚ୍ଛା, ଆମ ହୃଦୟ ନାମକ ପ୍ରସାରଟିର ସର୍ବବିଧ ଅନ୍ଵେଷଣ ଏବଂ ଆକାଂକ୍ଷା, ପ୍ରାଣ ନାମକ ଆୟତନଟିର ସକଳ ସମ୍ମତି, ଉନ୍ମୋଚିତ ହୋଇଯିବାର ପୂର୍ଣ୍ଣରୂପେ ସ୍ଵଭାବସ୍ଵୀକୃତି ସଦାସମ୍ମତି ଏବଂ, ଆମ ଭୌତିକ ଜୀବନଚେତନାର ସ୍ତରରେ ଏକ ସ୍ଵଭାବସହଜ ନମନୀୟତା । ଆମର କାନମାନଙ୍କୁ କେଡ଼େ ଚମତ୍କାର ଶୁଣା ଯାଉଥିବା ଏହି ଶବ୍ଦଗୁଡ଼ିକୁ ତ ଆମେ ସର୍ବଦା କେତେ ଖୁସି ହୋଇ ବ୍ୟବହାର ମଧ୍ୟ କରୁ ସିନା, ମାତ୍ର ସେହିଗୁଡ଼ିକୁ ସାଙ୍ଗରେ ଧରି ଆଦୌ ସହଜରେ ଆପଣାର ସମ୍ମୁଖୀନ ହେବାରେ ରାଜି ହୋଇ ପାରୁନାହିଁ । ଏପରିକି ନିଜେ ନିଜର ସମ୍ମୁଖୀନ ହେବା, ଆମର ଏହି ନାନା ସଂସ୍କାରର କଟକଣା ଭିତରେ ଖୁବ୍ ଟାଣ ହୋଇ ଯାଇଥିବା ଅନେକଙ୍କ ଲାଗି ନିଜ ପାଖରେ ନିଜକୁ ଉନ୍ମୋଚିତ କରି ରଖିବା କ’ଣ କମ୍ କଷ୍ଟକର ! ଏବଂ, ପୃଥିବୀ ପାଖରେ ଉନ୍ମୋଚିତ ହୋଇପାରିବା ତ ଆହୁରି ଦୁଃସାଧ୍ୟ ହେବ ହିଁ ହେବ । ଆମର ତଥାକଥିତ ଧର୍ମୀୟ ଜୀବନରେ ତ ଆମେ ନିଜପାଖରୁ ନିଜକୁ କେତେ ପ୍ରକାରେ ଲୁଚାଇ ରଖିଥାଉ ଏବଂ ଲୁଚି ରହିବାକୁ ଏକ ସଫଳ ଜୀବନ ବୋଲି ଧରି ନେଇଥାଉ । ଆମ ସାମାଜିକ ଜୀବନଟି ମଧ୍ୟ ଆମ ଚାହାଳୀଚୋର ମାନଙ୍କ ଦ୍ଵାରା ସଦା ଉପଦ୍ରବପୂର୍ଣ୍ଣ ହୋଇ ରହିଥାଏ । ସତ ଆସ୍ପୃହାମାନଙ୍କର ଯୋଗ୍ୟ ହେବାଲାଗି ତ ଶ୍ରୀ ଅରବିନ୍ଦ ଆମକୁ ଭୌତିକ ଚେତନାର ଏହି ସ୍ତରଗୁଡ଼ିକରେ ପୁଣି ନମନୀୟ ହେବାକୁ କହିଛନ୍ତି । ବଙ୍କା ନୁହେଁ, ସହଜ ଏବଂ ସରଳ; ଆବଶ୍ୟକ ପରିବର୍ତ୍ତନଗୁଡ଼ିକ ସକାଶେ ସଙ୍କୋଚରହିତ ହୋଇ ଏକ ସମ୍ମତି, ଅର୍ଥାତ୍‍ ଗ୍ରହଣଶୀଳତା । ଆମ ପରିଚିତ ନୀତିଧର୍ମମାନେ ହୁଏତ ଏକାଧିକ ପ୍ରକାରେ ଆମକୁ ଏପରି ଭାବରେ ଆତ୍ମକାତର ତଥା ପରସ୍ପରକାତର କରି ଆଣିଛନ୍ତି ଯେ ଏହି ଆଧୁନିକ କାଳରେ ନିଜକୁ, ପରସ୍ପରକୁ ଏବଂ ପୃଥିବୀକୁ ଜାଣିବାର ଓ ବୁଝିବାର ସାଧନମାନେ ବୃଦ୍ଧି ପାଇଥିଲେ ମଧ୍ୟ ଏବଂ ପରିବେଶଗତ ଦୂରତାମାନେ ଅପସରି ଯାଉଥିଲେ ମଧ୍ୟ ଦୂରତାମାନେ ବଢ଼ିବାରେ ଲାଗିଛନ୍ତି, ଅନୁଦାରତା ବଢ଼ୁଛି ଏବଂ ଆମ ପୃଥିବୀରେ ମନୁଷ୍ୟସମୂହ ଗୁଡ଼ିକ ମଧ୍ୟରେ ଏତେ ମେଳ ରହିଥିଲେ ମଧ୍ୟ ଅମେଳମାନଙ୍କୁ ନେଇ ସବୁବେଳେ ଦ୍ଵନ୍ଦ୍ଵମାନେ ଲାଗି ରହିଛନ୍ତି । ତେଣୁ, ସେଥିପାଇଁ ବହୁ ବହୁ ସ୍ଵାର୍ଥକାମନା ପାଖରେ ଆମ ମନୁଷ୍ୟାତ୍ମା ମାନଙ୍କର ସତ ଆସ୍ପୃହାଗୁଡ଼ିକ ମାଡ଼ ଖାଇ ଯାଉଛନ୍ତି । ତଥାପି ଯେଉଁମାନେ ସକଳ ପ୍ରତିକୂଳତା ସତ୍ତ୍ୱେ ଆସ୍ପୃହା କରିବାର ପକ୍ଷରେ ରହିବେ, ସେମାନଙ୍କୁ ନମନୀୟ ହେବାକୁ ହେବ,–ପ୍ରାୟ ଏକ ଅଧ୍ୟାତ୍ମ ଆହ୍ଵାନର ପୂର୍ଣ୍ଣ ନ୍ୟାୟରେ ଉନ୍ମୋଚିତ ରହିବାକୁ ହେବ । ନହେଲେ ଭୁଲ ପ୍ରତ୍ୟାଖ୍ୟାନ ମଧ୍ୟରେ ବଣା ହୋଇ ରହିଥିବେ ଓ ପରମବିଧାତାଙ୍କ ଠାରେ ସକଳ ସଂସ୍କାର ସହିତ ନିଜକୁ ସମର୍ପିତ କରିଛି ବୋଲି ଅନୁଭବ ମଧ୍ୟ କରୁଥିବେ, ତଥାପି ନିଜ ଖୋଜଗୁଡ଼ିକୁ ଆଦୌ ଆଗକୁ ପକାଇ ପାରିବେ ନାହିଁ ଏବଂ ଅସଲ ଆବାହନ ଗୁଡ଼ିକୁ ଜାଣି ଆଦୌ ଭେଟିବାପାଇଁ ବାହାରି ପାରିବେ ନାହିଁ । ତେଣୁ, ଅସଲ ଅନୁସ୍ପନ୍ଦନଟିକୁ ମଧ୍ୟ କିପରି ବା ପାଇ ପାରିବେ ?

 

ପୁସ୍ତକର ଚତୁର୍ଥ ଅଧ୍ୟାୟଟି ଅର୍ଥ ସମ୍ବନ୍ଧରେ । ଅଧ୍ୟାୟର ପ୍ରଥମ ଧାଡ଼ିରେ ହିଁ ଶ୍ରୀ ଅରବିନ୍ଦ ଅର୍ଥକୁ ବିଶ୍ଵ-ସାମର୍ଥ୍ୟର ଏକ ଦୃଶ୍ୟମାନ ସଙ୍କେତ ବୋଲି କହିଛନ୍ତି । ପୃଥିବୀଯାକ ଆମେ ସମସ୍ତେ ତାହାକୁ ଅଭ୍ୟସ୍ତ ଭାବରେ ପଣ୍ୟଭୋଗ କରିବାର ଏକ ପ୍ରତ୍ୟକ୍ଷ ମାଧ୍ୟମରୂପେ ବ୍ୟବହାର କରି ଆସିଛୁ । ଏବେ ତ ଅର୍ଥର ଯାବତୀୟ ପ୍ରସଙ୍ଗକୁ ଗୋଟିଏ ଆୟତନସିଦ୍ଧ ଚର୍ଚ୍ଚା ମଧ୍ୟକୁ ଏକତ୍ର କରିଆଣି ଅର୍ଥନୀତି ବୋଲି କୁହାଯାଉଛି । ଅର୍ଥନୀତି ହେଉଛି ଆମ ଅଧ୍ୟୟନର ଏକ ଶୃଙ୍ଖଳା, ଯାହାକୁ ଆଧାର କରି ସେହି ବିଶେଷ କ୍ଷେତ୍ରର ପଣ୍ଡିତମାନେ ଗମ୍ଭୀର ନାନା ଚର୍ଚ୍ଚା କରିଥାନ୍ତି । ପଣ୍ୟଗୁଡ଼ିକର ଉତ୍ପାଦନ, ପଣ୍ୟମାନଙ୍କର ଉପଭୋଗ ଓ ସେଥିପାଇଁ ଏକ ଖାସ୍ ବିବେକରେ ପଣ୍ୟମାନଙ୍କର ବିତରଣ । ଗୋଟିଏ ଗୋଟିଏ ସମାଜରେ, ଦେଶରେ ଅଥବା ଶାସନତନ୍ତ୍ରରେ । ସେହି ପ୍ରକ୍ରିୟା ତିନୋଟିକୁ ଅର୍ଥର ମାନକଗୁଡ଼ିକ ସାହାଯ୍ୟରେ ପ୍ରାୟ ଏକ ସର୍ବସ୍ଵୀକୃତ ପରମ୍ପରା ଅନୁସାରେ ବିଚାର କରାଯାଇଛି, ତେଣୁ ଅର୍ଥର ଯାବତୀୟ ବିନିଯୋଗ-କ୍ଷେତ୍ରରେ କାଳକ୍ରମେ ନାନା ଏକସ୍ଵାର୍ଥୀ ଅବିବେକ ମଧ୍ୟ ଆସି ପଶିଯାଇଛି । ରାଜନୀତି ନାମକ ଅନ୍ୟ ଓଳମଟା ମଧ୍ୟ ଅର୍ଥନୀତିକୁ ଖାସ୍ ଆକାରମାନ ଦେଇଛି ଏବଂ ସେହିପରି ଅର୍ଥସ୍ଵାର୍ଥ ଗୁଡ଼ିକର ନାନା ଓଳମ ମଧ୍ୟ ରାଜନୀତି ମାନଙ୍କୁ ପ୍ରଭାବିତ କରିଛି । ସମସ୍ତଙ୍କର ପ୍ରାଥମିକ ଆବଶ୍ୟକତା ଗୁଡ଼ିକର ଯଥାସାଧ୍ୟ ପୂରଣ କରିବା ଯେକୌଣସି ସୁସ୍ଥ ଯଥାସାଧ୍ୟ ପୂରଣ କରିବା ଯେକୌଣସି ସୁସ୍ଥ ଅର୍ଥନୀତିର ସବାଆଗ ଧର୍ମ ହୋଇ ରହିଥାଆନ୍ତା ! ଏକାବେଳେକେ କୌଣସି ଗାଣିତିକ ହିସାବ ନ୍ୟାୟରେ ସିନା ପଣ୍ୟମାନଙ୍କର ବିତରଣ ସମ୍ଭବ ହୁଅନ୍ତାନାହିଁ, ମାତ୍ର କେତେକ ଅସମାନତା ରହି ଯାଉଥିଲେ ମଧ୍ୟ ଏକ ହୃଦୟବତ୍ତା ଅର୍ଥାତ୍ ପାରସ୍ପରିକ ଏବଂ ସାମୂହିକ ସଂପୃକ୍ତି ନିଶ୍ଚୟ ଥାଆନ୍ତା ।

 

ଅର୍ଥକୁ ଯହୁଁ ଯହୁଁ ଏକ ସାମୂହିକ ଜୀବନ-ସମ୍ଭାବନାର ମାଧ୍ୟମରୂପେ ବ୍ୟବହାର କରାନଯାଇ ଏକ ଜୀବନଭୋଗର ପଣ୍ୟରୂପେ ବ୍ୟବହାର କରାଗଲା, ସମ୍ଭବତଃ ସେଇଥିରୁ ହିଁ ସମାଜରେ ଅସମାନତା ଏବଂ ଦୂରତାମାନେ ଜନ୍ମଲାଭ କଲେ । ପ୍ରାୟ ପାଞ୍ଚ ଛଅଶହ ବର୍ଷତଳେ ପାଶ୍ଚାତ୍ୟ ଜୀବନଚିନ୍ତନରେ ଜଣେ ଅଗ୍ରଗାମୀ ବ୍ୟକ୍ତି ଜ୍ଞାନକୁ ଏକ ଶକ୍ତି ବୋଲି ଘୋଷଣା କଲେ ଏବଂ ସେଇଥିରୁ ଏପରି ନାନା ଖାସ୍ ଉନ୍ମାଦନାର ସଞ୍ଚାରଣ କରାଇଥିଲେ ଯେଉଁଥିରୁ କି ଇଉରୋପରେ ଏକ ଆଧୁନିକ ଯୁଗର ଆଗମନ ଘଟିଲା । ଅନୁକୂଳ ପବନ ପାଇ ଆଧୁନିକ ବିଜ୍ଞାନର ଏକ ଯୁଗ ବିକାଶ ଲାଭ କଲା,-ଜାତୀୟତା ନାମକ ଏକ ନୂଆ ଦର୍ଶନ ଖାସ୍ ଦେଶମାନଙ୍କୁ ନାନା ବୃହତ୍‌ ସ୍ଵପ୍ନ ଦେଖାଇବାକୁ ଆରମ୍ଭ କଲା । ଏହି ଉତ୍ସାର ପୁଞ୍ଜିବାଦ, ସାମ୍ରାଜ୍ୟବାଦ, ଉପନିବେଶ ଥାପନାର ନିଶା,-ଏବଂ ବହୁବିଧ ଶୋଷଣର ଅତି ଉତ୍ସାହ ଗୁଡ଼ିଏ । ଏବେ ତ ସେହି ଜ୍ଞାନଟା ହିଁ ପରମ ସନ୍ତର୍ପଣରେ ଏକ ପଣ୍ୟର ପରିଣତ ହେଲାଣି । ଜ୍ଞାନୀ ଏବଂ ବିଜ୍ଞାନୀମାନେ ରାଷ୍ଟ୍ରବାଦର ହାଟରେ ନିଜକୁ ପଣ୍ୟବତ୍ ବିକ୍ରି କଲେଣି । ଜ୍ଞାନ ଓ ବିଜ୍ଞାନ କେତେ ଅଭୂତପୂର୍ବ ଅମାର୍ଗ ମାନଙ୍କରେ ଯାଇ ଗୋଟାସୁଦ୍ଧା ଯୁଦ୍ଧାସ୍ତ୍ର ଗୁଡ଼ିକର ଉତ୍ପାଦନରେ ନିଯୁକ୍ତ ହୋଇ ରହିବାକୁ ଅଧିକ ମନୋନିବେଶ କରୁଛନ୍ତି । ଅସମାନତା, ଅବଜ୍ଞା ଏବଂ ଅନ୍ୟାୟମାନେ ବିଶ୍ଵବ୍ୟାପୀ ହେଉଛନ୍ତି । ସମ୍ଭବତଃ ସ୍ଵୟଂ ଈଶ୍ଵର ଯେପରି ଅନୁରାଗୀ ମାନଙ୍କର ତୁଣ୍ଡରେ ସର୍ବବ୍ୟାପୀ ବୋଲି ଘୋଷିତ ହୋଇ ଆସିଛନ୍ତି, ଠିକ୍ ସେହିପରି । ମନୁଷ୍ୟମାନଙ୍କର ଆଉ ବଳ ପାଉନାହିଁ । ଏସବୁ ଆଖିରେ ଦେଖି ଏବଂ ଆମ ମନୁଷ୍ୟବିବେକର ଭବିଷ୍ୟ ଅବଶ୍ୟନିୟତିଟି ବିଷୟରେ ତଥାପି ସୁନିଶ୍ଚିତ ରହି ଶ୍ରୀ ଅରବିନ୍ଦ କାହିଁକି ଯେ ଅର୍ଥକୁ ଏକ ବିଶ୍ଵସାମର୍ଥ୍ୟର ଦୃଶ୍ୟମାନ୍ ସଙ୍କେତ ବା ସନ୍ତକ ବୋଲି କହିଛନ୍ତି, ତାଙ୍କର ସେହି ଉକ୍ତିଟିକୁ ଆମେ ଆମର ଏହିପରି ଗୋଟିଏ ପରିପ୍ରେକ୍ଷୀ ଉପରେ ହିଁ ଦେଖିବା । ପୁନଶ୍ଚ, ଏବେ ବିଶ୍ଵଯାକର ଅର୍ଥଶକ୍ତି ଯେ ଅସୁରମାନଙ୍କର କବଳରେ ରହିଛି ଏବଂ ପୃଥିବୀର ପକ୍ଷ ନେଇ ତାହାକୁ ସେମାନଙ୍କର ଅକ୍ତିଆର ମଧ୍ୟରୁ ପୁନର୍ବାର ଜୟ କରି ଆଣିବାକୁ ପଡ଼ିବ, କେବଳ ଏକ ଆଧ୍ୟାତ୍ମିକ ଜଗତଦୃଷ୍ଟି ହିଁ ସେହି ସାହସ କରିପାରନ୍ତା ।

 

ଆମ ପୃଥିବୀରେ ଅର୍ଥ ଅର୍ଥାତ୍ ବିତ୍ତର କେତେ କେତେ ଆବଶ୍ୟକତା,–କେତେ କେତେ ନିରନ୍ନ ପେଟକୁ ତାହା ଅନ୍ନ ଦେଇ ପାରନ୍ତା, କେତେ ଶିଶୁଙ୍କର ଭାଗ୍ୟଲାଗି ଏକ ଶିକ୍ଷାଲୋକର ପ୍ରତିଶ୍ରୁତିକୁ ବହନ କରି ଆଣିପାରନ୍ତା, କେତେ ନା କେତେ ଅବଦମିତ ମନୁଷ୍ୟ-ଆସ୍ପୃହାକୁ ଶୃଙ୍ଖଳମୁକ୍ତିର ସୌଭାଗ୍ୟ ଆଣି ଦିଅନ୍ତା । ଗୋଟିଏ କଥାରେ କହିଲେ, ବହୁ ମିଥ୍ୟାର ଆବରଣକୁ ବିଦୀର୍ଣ୍ଣ-କରାଇ ମନୁଷ୍ୟୋଚିତ ମର୍ଯ୍ୟାଦାଟିଏ ଆଣି ଦେଇ ପାରନ୍ତା । ମନୁଷ୍ୟମାନଙ୍କୁ ସେହି ସ୍ଵମହିମାଟି ବିଷୟରେ କ୍ରମସଚେତନ କରି ନିଅନ୍ତା । ପୃଥିବୀରେ ବିତ୍ତସମ୍ପଦଟା ବହୁଗୁଣିତ ହେବାରେ ଲାଗିଥିଲେ ମଧ୍ୟ ଆମ ପୃଥିବୀସ୍ଥ ମନୁଷ୍ୟ ସଂସାରଟିରେ ସେହି ସୁଫଳଟି କାହିଁ ସେପରି ଦୃଷ୍ଟିଗୋଚର ହେଉନାହିଁ ତ ! ଯାହା ଅବଶ୍ୟମ୍ଭାବୀ ଥିଲା, ତାହା ତଥାପି ହୋଇନାହିଁ । ତାହାର କାରଣ, ଶ୍ରୀ ଅରବିନ୍ଦଙ୍କର ବିଚାରରେ, ଅର୍ଥର ବ୍ୟବସ୍ଥାଟି ଯାହା ହାତରେ ରହିଥିଲେ ପୃଥ୍ଵୀଜୀବନର ଅଭ୍ୟୁଦୟରେ ତାହା ସହାୟକ ହୋଇ ପାରନ୍ତା, ତାହା ହାତରେ ରହିନାହିଁ । ଅସୁରମାନଙ୍କ ହାତରେ ରହିଛି । ଭୁଲ ଥାନଟାରେ ରହିଛି ଏବଂ ଭୁଲ ଭାବରେ ପରିଚାଳିତ ହେଉଛି । ଠିକ୍ କ୍ଷମତା ଯେପରି ଭୁଲ ବାଟରେ ପରିଚାଳିତ ହେଉଛି, ଜଗତରେ ଆମ ପ୍ରେମବାସନା ମଧ୍ୟ ଯେଉଁପରି ଭୁଲ ବାଟରେ ପରିଚାଳିତ ହେଉଛି, ଠିକ୍ ସେହିପରି । ଏମାନେ ନାନା ଭାବେ ନାନା ଅବିବେକର ଅନୁଚିତତାର ଉପଦ୍ରବ ହେତୁ ଭୁଲ ନ୍ୟସ୍ତସ୍ଵାର୍ଥ ମାନଙ୍କର ହାତକୁ ଚାଲିଯାଇଛନ୍ତି । ସେହି ଭୁଲ ଶିବିରର ସ୍ଵାର୍ଥୀମାନଙ୍କୁ ଶ୍ରୀ ଅରବିନ୍ଦ ଅସୁର ବୋଲି କହିଛନ୍ତି କି ? ପୁରାଣର ବର୍ଣ୍ଣନା ମୁତାବକ ଅସୁରମାନେ କେବଳ ଲଙ୍କାରେ ନଥାନ୍ତି, ସେମାନେ ଅଯୋଧ୍ୟାରେ ମଧ୍ୟ ଥାଆନ୍ତି । ହୁଏତ ତୁମ ଆମ ପ୍ରତ୍ୟେକଙ୍କ ଭିତରେ ରହିଥାଆନ୍ତି । ଆମ ଗାଆଁରେ ଥାଆନ୍ତି, ଆମ ଦେଶରେ ଥାଆନ୍ତି । ସବୁ ଜଳବାୟୁରେ ସମ୍ଭବ ହୁଅନ୍ତି । ଯେତେ ଯେତେ ନାନା ସୈଦ୍ଧାନ୍ତିକ ଚାତୁରୀ ଓ ରାଜନୀତିକ ଆଦର୍ଶବାଦୀ ବହୁ ଚାରୁବାକ୍ୟରେ ଚକଚକ ହୋଇ ସତେଅବା ସିଧା କୌଣସି ଈଶ୍ଵରଙ୍କର ବରାଦରେ ସମଗ୍ର ପୃଥିବୀର ପରିତ୍ରାଣ ନିମନ୍ତେ ଆମ ଭାଗ୍ୟବଳେ ଆସି ପୃଥିବୀରେ ଆସି ପହଞ୍ଚିଛି ବୋଲିଗୁଡ଼ାକୁ ପ୍ରଚାର କରା ଯାଉଥିଲେ ମଧ୍ୟ ସେଇଥିରୁ ହିଁ ବେଶ୍ ଅନୁକୂଳ ଶୁଶ୍ରୂଷାମାନ ଲାଭ କରି ଅସୁରମାନଙ୍କର ଆବିର୍ଭାବ ହୋଇଛି ଏବଂ ବାଟମାନଙ୍କୁ ବଙ୍କା କରିଦେଇଛି । ଏହି ନିଶାଖିଆ ସ୍ଵାର୍ଥମାନେ ହେଉଛନ୍ତି ଅସୁର, ଯାହା ସାରା ପୃଥିବୀକୁ ଦେଖୁଛି ବୋଲି ଭାଣ କରି ତୁଚ୍ଛା ନିଜକୁ ଦେଖୁଥାଏ, ଅନ୍ୟ ଅନେକଙ୍କୁ ନିଃସ୍ଵ କରି ରଖି କେବଳ ନିଜର ଗୋଟାଏ ପାହିଲିକୁ ସାତପାହିଲି କରିବାରେ ଲାଗିଥାଏ; କେବଳ ନିଜର ପୃଥୁଳତା ଆହୁରି ଅଧିକ ପୃଥୁଳ କରିବାପାଇଁ ଠାକୁରମାନଙ୍କୁ ଡାକୁଥାଏ । ଯୁଗର ଧର୍ମଟାକୁ ସତେଅବା କେବଳ ନିଜ ସକାଶେ କାମରେ ଲଗାଇବ ବୋଲି ଖୁଣ୍ଟରେ ବାନ୍ଧି ରଖିଥାଏ । ଅସୁରମାନେ ଭଣ୍ଡାରମାଲିକ ହୋଇଥିବା ସମୟରେ ପ୍ରାୟ କୌଣସି ଅସାମର୍ଥ୍ୟ ଦ୍ଵାରା ରଞ୍ଜାଇ ରାଜି କରାଇ ପିତାମହ ଭୀଷ୍ମ ଓ ବଶିଷ୍ଟମାନେ ହିଁ ସେହି ଅସୁରଟା ପାଖରେ ବନ୍ଧା ପଡ଼ି ରହିଥିବା ଭଳି ଆଚରଣ କରନ୍ତି ଏବଂ ଆପଣା ଆପଣାର ପ୍ରାୟ ଏକ କାଳଧର୍ମ ଦ୍ଵାରା ବାଧ୍ୟ ହୋଇ ଅଧର୍ମପଟେ ଯାଇ ରହିଥାଆନ୍ତି । ସବାଆଗ ଅର୍ଥଟା ଅସୁରମାନଙ୍କ ହାତରେ ଯାଇ ରହିଛି ବୋଲି ଆମ ଏହି ସମୟ ବିବେକଟିର ଏକାବେଳେକେ ପ୍ରାୟ ସବୁକିଛି-ଜ୍ଞାନ, ବିଜ୍ଞାନ, ଧର୍ମାଚାର, ଚର୍ଚ୍ଚା ତଥା ଚର୍ଯ୍ୟା ସବୁକିଛି, ନିୟମତଃ ସେହି ଅସୁରମାନଙ୍କର ପ୍ରୀତ୍ୟର୍ଥେ ହିଁ ଢିଙ୍କିଆବନ୍ଧା ହୋଇ ପଡ଼ି ରହିଛନ୍ତି କି ?

 

ଅନୁଚିତ ହାତମାନଙ୍କରେ ଯାଇ ରହିଥିବାରୁ କେବଳ ଆମର ତଥାକଥିତ ଆର୍ଥିକ ଜୀବନରେ ହିଁ ଅନର୍ଥମାନ ଯେ ଘଟୁଛି ତା’ ନୁହେଁ, ତଦ୍ଦ୍ଵାରା ଆହୁରି ଏକାଧିକ କିସମର ଅନର୍ଥ ମଧ୍ୟରେ ଯୁଗଟି ଘାଣ୍ଟି ହୋଇ ରହିଛି । ଅର୍ଥବ୍ୟବସ୍ଥାଟା ବସ୍ତୁତଃ ବହୁଥାକ ପରି ଲାଗୁଥିଲେ ମଧ୍ୟ ତଥାପି ଉପର ଓ ତଳ ପ୍ରମୁଖ ଭାବରେ ଏହି ଦୁଇଟି ଥାକ । ଉପର ଥାକରେ ସଂଖ୍ୟାରେ ଅଳପ ମଣିଷ, ତଳ ପାଖଟିରେ ଅଧିକ ମଣିଷ । ଅଳପଙ୍କ ପାଖରେ ଯେହେତୁ ଅତ୍ୟଧିକ ବିତ୍ତ, ସେହି କାରଣରୁ ପ୍ରାୟ ସବୁଯାକ ସୁଯୋଗ, ଭୋଗସାଧନ ଗୁଡ଼ିକରେ ପରିମାଣରେ ଦେଖିଲେ ସେହିମାନଙ୍କ ପାଖରେ ରାଜଭାଗଟି-ଅଧିକ ଏଇଟି, ଅଧିକ ସେଇଟି ଓ ଅଧିକ ସବୁକିଛି । ତେଣୁ, ଦାଣ୍ଡର ପ୍ରାୟ ଯାବତୀୟ ମୂଲଚାଲ ଅନୁସାରେ ସେହି ପାଖଟାରେ ହିଁ ସବୁ ପ୍ରତିଭା, କୃତିତ୍ଵଲାଭର ସବୁ ଅଢ଼ା,–ସେହିମାନେ ହେଉଛନ୍ତି ଆମ ସମାଜରେ ହୀରା, ନୀଳା ଓ ମାଣିକ୍ୟମାନେ । ଦୁଇ ବର୍ଗ ଭିତରେ ଏକ ଅସମ୍ଭବ ବ୍ୟବଧାନ । ତଳଟା ବହୁ ନାହିଁ ନାହିଁରେ ଘାଣ୍ଟି ହୋଇ ରହିଛି ଏବଂ ଉପରଟାରେ କାଳେ ଏହି ଚଳନ୍ତି ଡିହଗୁଡ଼ିକର ଖୁଣ୍ଟାଗୁଡ଼ିକ କେବେ ଅଚାନକ ବ୍ୟାଘାତ ଆସି ଘଟିବାର ଭୁଷୁଡ଼ି ପଡ଼ିବ ବୋଲି ଏକ ସ୍ଵାଭିମାନ-ପ୍ରକୁପିତ ଭୟାକୁଳତା । ଘୃଣା, ଅବିଜ୍ଞା, ଦୟା-ପ୍ରଦର୍ଶନର ଅତି ହାସ୍ୟାସ୍ପଦ ତାତ୍ସିଲ୍ୟମାନ । ଭାରତବର୍ଷରେ କୋଉ ପବିତ୍ର ଓ ଉଦାର କଳ୍ପନାରେ କର୍ମ ଅନୁସାରେ ବର୍ଣ୍ଣର ନିର୍ଦ୍ଧାରଣର ଏକ ନକ୍ସା ହୁଏତ କରା ଯାଇଥିଲା ସିନା, ମାତ୍ର ବର୍ତ୍ତମାନ ତ ଆମ ଜାତିଭେଦଟା ପୂରା ଅବାଧ୍ୟତା ସହିତ ସେହି ଉଚ୍ଚନୀଚ ଭେଦରେ ହିଁ ଚଳୁଛି । ସବର୍ଣ୍ଣମାନେ ଏବଂ ଅସବର୍ଣ୍ଣମାନେ,-ଏବଂ ସେହି ଭେଦରେ କେତେ କେତେ ପ୍ରତାରଣା ଓ ଆତ୍ମପ୍ରବଞ୍ଚନା । ମୂଳ ସତ୍ୟତମ ସଙ୍କେତଟି ହେଉଛି ଯେ, ଉପର ଥାକରେ ଅଧିକ ଅର୍ଥ, ତଳ ଥାକରେ ଅଳପ ଅର୍ଥ । ସତେଅବା ସେହି ଅର୍ଥ ହିଁ ହେଉଛି ଯୋଗ୍ୟ ଏବଂ ଅଯୋଗ୍ୟର ଶାସ୍ତ୍ରସମ୍ମତ ଏକମାତ୍ର ନିର୍ଦ୍ଧାରକ । ଆମ ଗାଆଁର ଆମ ଠାକୁର ଏବଂ ଗ୍ରାମରକ୍ଷାକାରିଣୀ ଠାକୁରାଣୀ ମଧ୍ୟ ଆମ ଅର୍ଥଥିଲାଙ୍କର । ଦୁଇ ବର୍ଗ ମୁତାବକ ଅଲଗା ଅଲଗା ପର୍ବପାଳନ, ଅଲଗା ଅଲଗା ନୀତିଆଚରଣ ଏବଂ ନୀତିବର୍ଜନ । ଏପରିକି, ସେହି ଅର୍ଥରୂପୀ ମାନକଟି ଅନୁସାରେ ଅଲଗା ଅଲଗା ଖାଦ୍ୟ, ଅଲଗା ଅଲଗା ଜୀବିକା ଓ ଅଲଗା ଅଲଗା ବିବେକଚେତନା । ତଥାପି ଥିଲାଙ୍କ ପକ୍ଷରେ ରହିଥିବା ଶାସ୍ତ୍ରୀୟ କାରୁଶିଳ୍ପୀମାନେ ଏଡ଼େ ପାପୀ ଆମର ଅନ୍ତସ୍କରଣ ଗୁଡ଼ିକୁ ସାନ୍ତ୍ଵନାର ମଣ୍ଡମାନ ଆଣି ପିଆଇ ଦେଇ ଆତ୍ମା ହି ସତ୍ୟ, ସିଏ ସବୁରି ଭିତରେ ରହିଛି ଏବଂ ଏକମାତ୍ର ଶ୍ରୋତବ୍ୟ ଏବଂ ମନ୍ତବ୍ୟ ବୋଲି କହି ନଆସିଛନ୍ତି ।

 

ପୃଥିବୀଟି ସାରା ଯେ ଏତେ ଏତେ ପ୍ରକାରେ ଦୁଃଖୀ ହୋଇ ରହିଛି,–ମନୁଷ୍ୟ ତଥା ସମୂହମାନେ ତଥାପି ଚାହାଳିଚୋର ହୋଇ ରହିଛନ୍ତି, ଅଧ୍ୟାତ୍ମଟାକୁ ନାନା ନାମଯାତନା ଦେଇ ଲାଜରା କରି ରଖାଯାଇଛି, ଏସବୁ ସମ୍ଭବତଃ ବହୁ ପରିମାଣରେ ସେହି ସବାମୂଳ ବ୍ୟବଧାନଟି ହେତୁ ଏଡ଼େ କବର ହୋଇ ରହିଛି । ଭୋଗଟା ଜୀବନର ପ୍ରାୟ ଏକ ସ୍ୱାଭିମାନୀ ଆଚରଣ-ଦର୍ଶନରେ ପରିଣତ ହୋଇଛି । ପୃଥିବୀଯାକ ନାନା ଆଭରଣ ତଳେ ସେହି ଭୋଗମାନସିକତାର ହିଁ ବହୁ ପ୍ରତିଯୋଗିତା । ସଂସ୍କୃତିର ତଥାକଥିତ ମାହାଲ ସେହି ଭୋଗୀମାନଙ୍କର ଗ୍ରାସରେ । ଯିଏ ଯେତିକିରେ ରହିଛି, ତା’ ବିବେଚନାର ସକଳ ନ୍ୟାୟରେ ସିଏ ସେତିକିକୁ ହିଁ ସବୁକିଛି ବୋଲି ଗ୍ରହଣ କରିଛି ଓ ଆପଣାର ସକଳ ସଉଦା ସେତିକିକୁ ନେଇ କରିବାଟାକୁ ହିଁ ଅସଲ ହିତପ୍ରାୟ ମଣୁଛି । ତେଣୁ, ସବୁ ମନୁଷ୍ୟଙ୍କୁ ସ୍ଵୀକାର କରି ଅର୍ଥାତ୍ ଆପଣା ସହିତ ସମ୍ପୃକ୍ତ କରି ସମ୍ପୂର୍ଣ୍ଣ ଜଗତଟିକୁ ଏକାବେଳେକେ ଦେଖିବାର ଏବଂ ବଞ୍ଚିବାର ଯେଉଁ ଅଧ୍ୟାତ୍ମ, ତାହା ଯାବତୀୟ ଅର୍ଥରେ ପରାହତ ହୋଇ ରହିଛି । ଭାରତବର୍ଷର ସେହି ବୈଦିକ ପର୍ଯ୍ୟାୟର ଗୋଟିଏ ଉପନିଷଦରେ ଅନ୍ନଠାରୁ ଆନନ୍ଦଯାଏ ଏକ ସମ୍ପୂର୍ଣ୍ଣତାର ଉପସ୍ଥାପନ ଦ୍ଵାରା ବ୍ରହ୍ମର ଏକ ବିଶେଷ ଉପଲବ୍ଧିର ଅବତାରଣା କରାଯାଇଛି । ବ୍ରହ୍ମ-ଅବରୋଧର ସେହି ସମଗ୍ର ମନ୍ଦିରଗଢ଼ଣଟି ଅନ୍ନର ସ୍ତରରୁ ଆରମ୍ଭ ହୋଇ ଆନନ୍ଦରେ ଯାଇ ମୁଣ୍ଡି ମରିଛି । ପୃଥିବୀଯାକର ସମସ୍ତଙ୍କ ପାଇଁ ପ୍ରାପ୍ୟ ଯେଉଁ ଅନ୍ନ, ତାହାକୁ ଅନ୍ୟାୟତଃ ଏକା ଏକା ଅଧିକାର କରିନେଇ ଆନନ୍ଦକୁ ଭୋଗ କରି ଆସିଥିବା ବର୍ଗଟି ତେଣୁ ଅସଲ ଅଧ୍ୟାତ୍ମଟିର ହାନି କରି ଆସିଛି ଏବଂ ଏବେ ମଧ୍ୟ ଏକାଧିକ ଅର୍ଥରେ ତାହା ହିଁ କରୁଛି । ଶ୍ରୀ ଅରବିନ୍ଦ ‘ଯୋଗ-ସମନ୍ଵୟ’ ପୁସ୍ତକର ଉପକ୍ରମଣିକାରେ ଆମ ଅନ୍ନଗତ ଜୀବନକୁ ପରବର୍ତ୍ତୀ ମନୋଗତ ଏବଂ ଅତିମାନସିକ ସ୍ତରଗୁଡ଼ିକର ଆଦ୍ୟ ମୂଳଦୁଆ ବୋଲି ବ୍ୟାଖ୍ୟାଟିଏ କରିଛନ୍ତି । ସେହି ପ୍ରଥମ ସ୍ତରଟି ସେହି କାରଣରୁ ଦୃଢ଼ ହିଁ ହେବ । ଆଧୁନିକ ବିଜ୍ଞାନ ଏବଂ ତାହାର ଆଧାରଭୂମି ଇଉରୋପୀୟ ମାନସକୁ ଏକ ସ୍ପଷ୍ଟ ସ୍ଵୀକୃତି ପ୍ରଦାନ କରି ସେ କହିଛନ୍ତି ଯେ ପୃଥିବୀକୁ ସେହି ଅନୁରୂପ ପ୍ରୟାସଟି ଦ୍ଵାରା ଏପରି ଏକ ପୃଥିବୀ କ୍ରମସମ୍ଭବ ହୋଇ ଆସିବ, ଯେତେବେଳେ କାଳକାଳ ପରି କେବଳ କେତେକଙ୍କ ନିମନ୍ତେ ନୁହେଁ, ବର୍ଗ ଏବଂ ଶ୍ରେଣୀ ନିର୍ବିଶେଷରେ ସବୁ ମନୁଷ୍ୟଙ୍କ ଲାଗି ଜୀବନ ବଞ୍ଚିବାର ସର୍ବନିମ୍ନ ଭୌତିକ ଅତ୍ୟାବଶ୍ୟକତା, ଶିକ୍ଷା ଏବଂ ଅବସର ସମୟ ଅବଶ୍ୟ ଉପଲବ୍ଧ ହେବ । ଏଗୁଡ଼ିକୁ ସେ ଆମର ମୂଳଭୂତ ଆବଶ୍ୟକତାଚୟ ବୋଲି ଘୋଷଣା କରିଛନ୍ତି । ଜୋର-ସାଧନାରେ ଏକ ପୂର୍ଣ୍ଣାଙ୍ଗତା ଅର୍ଥାତ୍ ସୁସ୍ଥତା ନିମନ୍ତେ ସେଗୁଡ଼ିକ ସର୍ବପ୍ରଥମ ବୋଲି ସ୍ଵୀକାର କରିଛନ୍ତି । କ୍ରମେ ସେଇଟିକୁ ହିଁ ବିଶ୍ଵ-ଅର୍ଥନୀତି ବୋଲି ବିଚାର କରାଗଲାଣି ଏବଂ ପୃଥିବୀଯାକର ଅର୍ଥାତ୍ ପୃଥିବୀଯାକ ସବୁ ମଣିଷଙ୍କର କାମରେ ନିୟୋଜିତ ହେବ ବୋଲି କେବଳ ଚର୍ଚ୍ଚା କରା ଯାଉନାହିଁ, ପୃଥିବୀର ଇତିହାସରେ ସ୍ପଷ୍ଟତଃ ପ୍ରଥମ ଥର ପାଇଁ ସେହି ଅନୁସାରେ ପଦକ୍ଷେପ ମଧ୍ୟ ନିଆଗଲାଣି ।

 

ଅର୍ଥନୀତିର ଭାଷାରେ ତାହାକୁ ସାମାଜିକ ନ୍ୟାୟ ବୋଲି କୁହାଯାଇ ଆସିଛି । ଆମେ କାହିଁକି ବି ସେଇ କଥାଟିକୁ ଆଧ୍ୟାତ୍ମିକ ନ୍ୟାୟ ବୋଲି ନକହିବା ! ଆଗେ ତ ଏହି ସର୍ବମୂଳ ଜୀବନସ୍ତରରେ ବହୁତ କିଛି କଳେବର-ବଦଳାର ଆବଶ୍ୟକତା ରହିଛି ବୋଲି ସାଧ୍ୟ ହେବାଭଳି ବାଟଟିଏ ଦେଖି ନପାରି ବହୁବ୍ୟକ୍ତି ସଂସାର ଛାଡ଼ି ଚାଲି ଯାଇଛନ୍ତି, ଏକ ଅନ୍ତର୍ଗତ ଅସନ୍ତୋଷ ଦ୍ଵାରା ତାଡ଼ିତ ହୋଇ ପ୍ରାୟ ତଥାପି କିଛି ସାନ୍ତ୍ଵନା ମିଳିବ ବୋଲି ସେମାନେ ଯୋଗସାଧନା କରିଛନ୍ତି । ଶ୍ରୀ ଅରବିନ୍ଦଙ୍କ ଭାଷାରେ, ଆତ୍ମାକୁ ଲାଭ କରିଛନ୍ତି ଓ ପୃଥିବୀଟାକୁ ହରାଇଛନ୍ତି । ପୃଥିବୀ ମଧ୍ୟ ସେମାନଙ୍କୁ ହରାଇଛି । ସନ୍ତାନମାନେ ଆତ୍ମାକୁ ଲାଭ କରନ୍ତି ଏବଂ ସେହି କାରଣରୁ ପୃଥିବୀକୁ ଆଦୌ ହରାଇବାକୁ ପଡେନାହିଁ । ବରଂ, ଏପରି କହିହେବ ଯେ, ଆତ୍ମାକୁ ଲାଭ କରନ୍ତି ବୋଲି ହିଁ ପୃଥିବୀଟିକୁ ମଧ୍ୟ କତି ହୋଇ ଦେଖିପାରନ୍ତି । ଅଧ୍ୟାତ୍ମ ପୃଥିବୀରୁ ପଳାୟନ କରେ ନାହିଁ । ପୃଥିବୀର ହୋଇଯାଏ ବୋଲି ପୃଥିବୀରେ ରହେ । ପୃଥିବୀ ନିମନ୍ତେ ନିମିତ୍ତ ହୁଏ । ଏବଂ, ସେହି ନିମିତ୍ତଟିଏ ହେବାର ଯେଉଁ ଶ୍ରଦ୍ଧା ଓ ସାଧନା, ତାହାରି ନାମ ହେଉଛି ପୂର୍ଣ୍ଣାଙ୍ଗ ଯୋଗ । ଅଧ୍ୟାତ୍ମବାଚୀ ଯାବତୀୟ ଆନନ୍ଦ ଅନ୍ନର ମୂଳଟି ଉପରେ ଆପଣାକୁ ପ୍ରତିଷ୍ଠିତ କରି ରଖିବାପାଇଁ ପଥଗୁଡ଼ିକର ସନ୍ଧାନ କରୁଥାଏ । ପୃଥିବୀକୁ ମିଶାଇ ଆପଣାକୁ ପାଇବାକୁ ମନ କଲେ ସମ୍ଭବତଃ ସବାଆଗ ଦିଶିଯାଏ ଯେ, ଏଠାରେ ଅର୍ଥଟା ଅସୁରମାନଙ୍କ ପାଖରେ ବନ୍ଧା ହୋଇ ପଡ଼ିରହିଛି । ତେଣୁ ସବୁରି ଉଦୟ ସକାଶେ ଆଦୌ ଲାଗି ପାରୁନାହିଁ । ତେଣୁ, ଅର୍ଥକୁ ଅସୁରମାନଙ୍କ ପାଖରେ ମୁକ୍ତ କରି ଆଣିବାକୁ ଲାଗିବ । ନ୍ୟସ୍ତସ୍ଵାର୍ଥର ଜିଦ୍‌ଗୁଡ଼ିକର କବଳରୁ ଆଣି ପୃଥ୍ଵୀକଲ୍ୟାଣରେ ଲଗାଇବାକୁ ହେବ । ଅର୍ଥ ପ୍ରକୃତରେ ଗୋଟିଏ କଲ୍ୟାଣକାରୀ ଶକ୍ତିରୂପେ ପ୍ରତିପାଦିତ ହେବ, ଯେତେବେଳେ ଜଣକର ଅଥବା କେତେକଙ୍କର କଲ୍ୟାଣ ସବୁ ମଣିଷଙ୍କର କଲ୍ୟାଣରେ କୌଣସି ପ୍ରକାରେ ବାଧକ ହେବନାହିଁ । ଅର୍ଥଗତ ସମାଧାନର ସକଳ ନକ୍ସାରେ ସମସ୍ତେ ଥିବେ; କେତେଜଣ ଆଉ କେତେଜଣଙ୍କର ଦୟାର ପାତ୍ର ହୋଇ ନୁହେଁ, ପୂର୍ଣ୍ଣସ୍ଵୀକୃତ ସହଗାମୀ ରୂପେ ରହିବେ । ଗୋଟିଏ ମେଳରେ ବସିବେ ଓ ଗୋଟିଏ ମେଳରେ ସକଳ ନିଷ୍ପତ୍ତି ଗ୍ରହଣ କରିବେ । ତେବେ ଯାଇ ଅସୁରମାନେ ପଶି ଆସିବାର କୌଣସି ଅବକାଶ ନଥିବ । ଏବେ ତ ଆମେ ନିଜର ଧର୍ମମାନଙ୍କରେ ମଧ୍ୟ ଆମର ସେହି ତଥାକଥିତ ଭଗବାନଙ୍କୁ ମଧ୍ୟ ଖାସ୍ ଆମର ସମ୍ପତ୍ତି ବୋଲି ଗଣିଲୁଣି । ଏହି ଅସୁରଭାବେ ଛାଡ଼ିଲେ ଯାଇ ଆମେ ଅଧ୍ୟାତ୍ମକୁ ଆସିପାରିବା ।

 

କଦାପି ଏପରି ସ୍ଵପ୍ନ ଦେଖିବା ଉଚିତ ନୁହେଁ ଯେ, ଅସୁରମାନଙ୍କ ଠାରୁ ଅର୍ଥକୁ ମୁକୁଳାଇ ଆଣି ଆମେ ତାକୁ ଆମ ଆୟତ୍ତରେ ଅର୍ଥାତ୍ ଆମ କବଳରେ ରଖିବା । ତେବେ ଆମେ ଆପେ ମଧ୍ୟ ଅସୁର ହୋଇଯିବା । ଏପରି ପରୀକ୍ଷାମାନ ପୃଥିବୀର ଇତିହାସରେ ବହୁବାର ହୋଇଛି । ଗୋଟିଏ ଶିବିର ଅନ୍ୟ ଏକ ଶିବିରକୁ ଜିତିଛି ସତ, ମାତ୍ର ଅସୁର ବଞ୍ଚି ରହିଛି । ଆଧ୍ୟାତ୍ମିକ ଅସଲ ନ୍ୟାୟଟା ବାରମ୍ବାର ମାଡ଼ ଖାଇ ଯାଇଛି । ନାହିଁ, ଅର୍ଥକୁ ଆଉକାହାଠାରୁ ଜୟ କରି ଆଣି ଆମେ ଆଦୌ ସେହିପରି କୌଣସି ଖଳତାରେ ହୁଡ଼ି ଯିବାନାହିଁ, ଆମେ ଅଧ୍ୟାତ୍ମର ଏକ ସମଗ୍ରତର ସମ୍ପୃକ୍ତି ସହିତ ହିଁ ଅର୍ଥଗତ ଜୀବନଟିକୁ ବଞ୍ଚିବା । ଏକ ବିକଳ୍ପ ପରିମଳ ମଧ୍ୟରେ ବଞ୍ଚି ତାହାରି ମାଧ୍ୟମରେ ହିଁ ଅସୁରକୁ ଜିତିବା । ତପସ୍ୟାର ପ୍ରଥମ ପର୍ଯ୍ୟାୟରେ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ପରବର୍ତ୍ତୀ ସମୟରେ ଶ୍ରୀ ଅରବିନ୍ଦ ଭାରତବର୍ଷକୁ ନିଜସ୍ଵ ଏକ କର୍ମଯୋଜନା ସହିତ ପୁନର୍ବାର ଫେରି ଯିବାର ଲକ୍ଷ୍ୟ ରଖିଥିଲେ, ସେତେବେଳେ ସେ ଗୋଟିଏ ଏପରି ଅନ୍ୟ ସଂକ୍ରମଣର କଥା ଚିନ୍ତା କରିଥିଲେ, ଯାହାଦ୍ୱାରା କି ଅଧ୍ୟାତ୍ମର ଜୀବନସାଧନାକୁ ଆଖି ଆଗରେ ରଖି ସାଧନାରତ ସନ୍ତାନମାନେ ଦେଶର ବିଭିନ୍ନ ଥାନରେ ଯାଇ ଗୋଟିଏ ଗୋଟିଏ ମେଳର ପ୍ରତିଷ୍ଠା କରିବାରେ ବ୍ରତୀ ହେବେ । ତାଙ୍କର ପରିଭାଷାରେ କହିଲେ, ଏହି ଦିବ୍ୟ-କେନ୍ଦ୍ରମାନେ ଗୋଟିଏ ଗୋଟିଏ ଦିବ୍ୟସଂଘ ଏପରି ଗଢ଼ି ଆଣିବେ, ଯେଉଁଠାରେ ସେମାନଙ୍କର ଯାବତୀୟ ନିର୍ବାହର ଆର୍ଥିକ ମୂଳଟି ଦୃଢ଼ ହୋଇ ଅବଶ୍ୟ ତିଆରି ହେବ । କୃଷିକ୍ଷେତ୍ର ରହିବ, ସମ୍ଭାବ୍ୟ ଉଦ୍ୟୋଗମାନେ ରହିବେ । ସମସ୍ତେ ସେହି ପ୍ରୟାସଗୁଡ଼ିକରେ ସକ୍ରିୟ ହୋଇ ରହିବେ, ସ୍ଵନିର୍ଭର ହେବେ । ଏହାରିଦ୍ଵାରା ତେବେଯାଇ ଏକ କେନ୍ଦ୍ର ବାହରର ଅସୁରମାନଙ୍କର ହସ୍ତକ୍ଷେପରୁ ମୁକ୍ତ ହୋଇ ସ୍ଵୀକୃତ ଅଧ୍ୟାତ୍ମଟି ଅନୁସାରେ ଆଦୌ ଭାଙ୍ଗି ନପଡ଼ି ଅଗ୍ରସର ହୋଇ ପାରୁଥିବ । ଦ୍ଵିତୀୟ ପର୍ଯ୍ୟାୟଟିରେ ଯେତେବେଳେ ଶ୍ରୀ ଅରବିନ୍ଦ ଆଶ୍ରମ ଗଢ଼ିହୋଇ ଯିବାକୁ ଆରମ୍ଭ କଲା, ସେତେବେଳେ ମଧ୍ୟ ଅଧ୍ୟାତ୍ମ ସାଧନାଟି ଏକ ଦୃଢ଼ମୂଳ ଅର୍ଥବ୍ୟବସ୍ଥା ସହିତ ଏକମେଳ ହୋଇ ରହିଲା । ସେହି ଏକମେଳ ହୋଇ ରହିବା, ଆପଣା ସହିତ ସହଯାତ୍ରୀ ସମସ୍ତଙ୍କୁ ଏକତ୍ର ଦେଖିବା, କୃଷି ଏବଂ, ଉଦ୍ୟୋଗର କ୍ଷେତ୍ରରୁ ସମବେତ ଧ୍ୟାନ ପର୍ଯ୍ୟନ୍ତ ଗୋଟିଏ ସୂତାରେ ବାନ୍ଧି ହୋଇ ପୃଥିବୀ ନିମନ୍ତେ ଏକ ଅନ୍ୟ ସମ୍ଭାବନାକୁ ଅବତରଣ କରାଇ ଆଣିବାର ପ୍ରୟାସରେ ସହଜଯୁକ୍ତ ହୋଇ ରହିବା,-ସେହି ଅନନ୍ୟ ଘରଟି ମଧ୍ୟକୁ ଅସୁରମାନେ ଆସି ପହଞ୍ଚିଯିବା ଲାଗି ମୋଟେ ଅନୁରାଗୀ ହେବେନାହିଁ । ଅଧ୍ୟାତ୍ମ ପରି ଅର୍ଥ ପରିପୂର୍ଣ୍ଣ ନ୍ୟାୟରେ ଏକତ୍ର ସେହି ଗୋଟିଏ ଶକ୍ତିରୂପେ ଅନୁଭୂତ ହେଉଥିବେ । ମାଆ ତ କେଡ଼େ ଦ୍ଵିଧାହୀନ ଭାବରେ କହିଛନ୍ତି ଯେ ଏହି ଅର୍ଥନାମକ ସମ୍ପତ୍ତି ଜଣେ କିମ୍ବା କେତେଜଣଙ୍କ ହାତରେ ଆଦୌ ରହିବନାହିଁ । ତାହା ସମସ୍ତଙ୍କର ହୋଇ ରହିବ ତଥା ସମସ୍ତଙ୍କର କଲ୍ୟାଣ ପାଇଁ ବ୍ୟବହୃତ ହେବ । ଅସୁରମାନେ ମୋଟେ ଏକଥା କରି ପାରିବେନାହିଁ, ସନ୍ତାନମାନେ ପାରିବେ । ସେହି ଅନୁସାରେ ବଞ୍ଚିବେ, ତେଣୁ ପାରିବେ ।

 

ମୂଳଦୁଆରେ ସେହି ଅର୍ଥ । ସେହି ଅର୍ଥକ୍ଷେତ୍ରଟିର ଏକ ଆମ ଆସ୍ପୃହା-ଅନୁକୂଳ ସମାଧାନ । ତେଣୁ, ସବାଆଗ ଆମ ଜୀବନରୁ ଏବଂ ଆମ ମେଳଗୁଡ଼ିକରୁ ଅସୁରଗଣଙ୍କ ପାଖରୁ ଅର୍ଥକୁ ମୁକ୍ତ କରି ଆଣିବାର ପ୍ରଚେଷ୍ଟା ନହୋଇଥିବା ଯାଏ ଆମେ ତଥାକଥିତ ନାନା ଆଦର୍ଶର ଆକାଶରେ ସତେଅବା କେତେ ଭଳି ପଲ ବାନ୍ଧି ସଂସାର କମ୍ପାଇବାରେ ଲାଗିଥିବା ସିନା, କିନ୍ତୁ ଅର୍ଥକୁ କଦାପି ପୃଥିବୀ ନିମନ୍ତେ ଉଦ୍ଦିଷ୍ଟ ଏକ ଈଶଶକ୍ତି ରୂପେ ଅନୁଭବ କରି ପାରିବାନାହିଁ । ବରଂ, ଏପରି ହୁଏତ ହେବ ଯେ ସେହି ଅର୍ଥ ହିଁ ଆମ ଭିତରେ ଏକ ଅସୁରର ବହୁ ବେଶ ଧରି ଆମକୁ କାବୁ ରଖିଥିବ ସିନା, ମାତ୍ର ଆମେ ଆମର ଉଚ୍ଚ ଆସ୍ପୃହାମାନଙ୍କର ଯୋଗ୍ୟ ହୋଇ ପାରିବାନାହିଁ । ପୃଥିବୀରେ ଅଧିକତର କ୍ଷେତ୍ରରେ ଅନେକ ଅନେକ ସନ୍ତାନ ନିଜକୁ ସେହିପରି କୌଣସି ବୃହତ୍‌ଭ୍ରାନ୍ତି ମଧ୍ୟରେ ଖାପ ଖୁଆଇ ରଖିଥାଆନ୍ତି କି ? ବୃହତ୍ତର ସଂସାର ଭିତରେ ଯାବତୀୟ ଗୁଜରାଣରେ ଯୁଗଟାକୁ କାମୁଡ଼ି ଧରିଥିବା ଏକ ଅସୁର-ବ୍ୟବସ୍ଥା ମଧ୍ୟରେ ସାଧୁ ସୁନାପୁଅଟି ବାଗିର୍ ପ୍ରସନ୍ନଚିତ୍ତ ହୋଇ ଅସୁର ପକ୍ଷରେ ରହିଥିବା ଏବଂ ସତେଅବା ଏକ ପାପକ୍ଷାଳନ କରିବା ନିମନ୍ତେ ସେଥିରୁ କେତେ ପୋଷ ଚଣ୍ଡ କାଢ଼ି ଆଣି ତଥାକଥିତ କେତେ ଭଲ କାମରେ ଲଗାଇ ବେଶ୍ ହୃଷ୍ଟ ହେବାରେ ଲାଗିଥିବା ତଦ୍ଦ୍ଵାରା ଅସୁରମାନଙ୍କର ହିଁ ପୁଷମାସ ଚାଲିଥିବ ଏବଂ ଅଧ୍ୟାତ୍ମଟା ମାଡ଼ ଖାଇ ଯାଉଥିବ-। ଆମର ବ୍ୟକ୍ତିଗତ ତଥା ମେଳ ଭିତର ଜୀବନଗୁଡ଼ିକ ଏହିପରି ନିଦାରୁଣ ଭାବରେ ଦ୍ଵିବିଭାଜିତ ହୋଇ ରହିଥିବାରୁ ଆମ ଉଚ୍ଚରୁ ଆହୁରି ଉଚ୍ଚ ଆସ୍ପୃହାଗୁଡ଼ିକ ମଧ୍ୟ ସମ୍ଭବତଃ ତଦନୁରୂପେ ଏକାବେଳେକେ ଦୁଇଟାଯାକ ଆଡେ ଉପଦ୍ରୂତ ହୋଇ ରହିଛି ଏବଂ ଅସଲ ଦୁଆରଗୁଡ଼ିକରେ ଅସୁରଟାର ରାଜତ୍ଵ ଚାଲିଛି । ହଁ, ଅଧ୍ୟାତ୍ମ ମାଡ଼ଖାଇ ଯାଉଛି ଏବଂ ତେଣୁ ପୃଥିବୀ ମାଡ଼ଖାଇ ଯାଉଛି; ପୃଥିବୀ ମାଡ଼ଖାଇ ଯାଉଛି ଓ ତେଣୁ ଅଧ୍ୟାତ୍ମ ମଧ୍ୟ ମାଡ଼ ଖାଇ ଯାଉଛି । ଆସ୍ପୃହାମାନେ ବେଅକଲ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି ।

 

ନାଇଁ, ସାଂସାରିକ ନୀତିଗୁଜରାଣ ଗୁଡ଼ିକରେ ଅର୍ଥ ଅସୁରମାନଙ୍କର ବୋଲ ମାନୁଥିବ, ଏବଂ ତେଣେ ଖାସ୍ ସାମିଆନାମାନ ସଜା ହୋଇଥିବା ମନ୍ତୁରା ଓ ମଙ୍ଗୁଳା ପବିତ୍ର ଅଳିନ୍ଦ ଗୁଡ଼ିକରେ ଆମେ ଆମ ଅଧ୍ୟାତ୍ମ-ପିତୁଳା ଗୁଡ଼ିକର ପାରାୟଣ କରିବାରେ ଲାଗିଥିବା,–ଏଇଟି ମୋଟେ କାମ ଦେବନାହିଁ । ତେଣୁ, ପ୍ରଥମ ତିନୋଟି ଅଧ୍ୟାୟରେ ଏହି ପୃଥିବୀର ଅଧ୍ୟାତ୍ମସିଦ୍ଧିଟି ନିମନ୍ତେ ଆମ ଆସ୍ପୃହାମାନଙ୍କର ଅବତାରଣା କରି ଶ୍ରୀ ଅରବିନ୍ଦ ଚତୁର୍ଥ ଅଧ୍ୟାୟରେ ଅର୍ଥଶକ୍ତି ବିଷୟରେ ଆମଲାଗି ସେହି ଆବଶ୍ୟକ ଆଲୋକପାତଟିକୁ କରାଇବାର ସେହି ପାବଚ୍ଛଟିର ଚର୍ଚ୍ଚା କରିଛନ୍ତି । ସନ୍ତାନ ହୋଇ, ନିମିତ୍ତ ହୋଇ ସେହି ପ୍ରସ୍ଥଟିକୁ ଏପ୍ରସ୍ଥ ଯାଏ ବହି ଆଣିବାକୁ ହେଲେ କେବଳ ଆସ୍ପୃହାଗୁଡ଼ିକୁ ନୁହେଁ, ଆମର ଏହି ଘରଟିକୁ ତଥା ମେଳଗୁଡ଼ିକୁ ମଧ୍ୟ ସଜାଡ଼ି ନେବାକୁ ପଡ଼ିବ । ଆମର ଅର୍ଥ ଅସୁରମାନଙ୍କର କବଳରୁ ମୁକ୍ତ ହୋଇ ସନ୍ତାନ ହାତକୁ ଆସିବ, ତେବେଯାଇ ସତକୁ ସତ ତାହା ଏକ ଶକ୍ତିରୂପେ ଅଧ୍ୟାତ୍ମର କାମରେ ଅର୍ଥାତ୍ ଆମ କାମରେ ଲାଗିବ, ପୂରା ପୃଥିବୀର ହିତକଳ୍ପେ ସମସ୍ତଙ୍କର କାମରେ ଲାଗିବ,–ଅସୁରବତ୍ ଏହି ମିଛ ଅପପିତୁଳା ମାନଙ୍କ କାମରେ ଲାଗିବ ନାହିଁ । ଆମେ ସନ୍ତାନମାନେ ତେଣୁ ଏକ ଯଥାର୍ଥ ସମ୍ପୃକ୍ତି ସହିତ ଆମର ମେଳଗୁଡ଼ିକୁ ସେହି ଅସୁରବୃତ୍ତିଟାରୁ ମୁକ୍ତ କରି ରଖିବା ଲାଗି ପ୍ରୟାସମାନ କରିବା । ସମଗ୍ର ପୃଥିବୀର ଅର୍ଥଶକ୍ତିକୁ ଆସୁରିକତାରୁ ମୁକୁଳାଇ ଆଣିବା, ସେଥିପାଇଁ ତ ଏକ ବିଶ୍ଵସ୍ତରୀୟ ପ୍ରୟାସ ସମୟକ୍ରମେ ଅବଶ୍ୟ ଗଠିତ ତଥା ସାକାର ହୋଇ ଆସିବ, କିନ୍ତୁ ସନ୍ତାନମାନେ କଦାପି ସେ ପର୍ଯ୍ୟନ୍ତ ଅପେକ୍ଷା କରି ରହି ଯିବେନାହିଁ । ଆମ ଆସ୍ପୃହାମାନେ ସୁସ୍ଥ ହୋଇ ପାରିଲେ ଆମ ପରିବାରସ୍ତରରୁ ହିଁ ସେହି ଅନ୍ୟ ସହଯୋଗର ପ୍ରୟାସଟି ଆରମ୍ଭ ହୋଇ ପାରିବ । ପରିବାରମାନେ ଧର୍ମତଃ ସହଯୋଗଭିତ୍ତିକ ହେବେ,–ଆଦୌ କୌଣସି ଅନ୍ୟୋତ୍ସାହୀ ଆଦର୍ଶ-ଅତିଶୟତାର ବଳାତ୍କାର ଦ୍ଵାରା ନୁହେଁ, ପୂରା ରୀତିରେ ଏକ ସଦାସହଯୋଗ ଲାଗି ଇଚ୍ଛୁକ ଆଉକିଛିର ପ୍ରେରଣାରେ । ଖୁବ୍ କ୍ରମପ୍ରତ୍ୟକ୍ଷ ଭାବରେ ମନେ ହେଉଥିବ ଏ ସ୍ଵୟଂ ଜଗଦ୍ଧାତ୍ରୀ ଜନନୀ ଆମର ପାଖେ ପାଖେ ରହି ଆମକୁ ଆବଶ୍ୟକ ସାହସ ଏବଂ ଶ୍ରଦ୍ଧାକୁ ଯୋଗାଇ ହେଉଛନ୍ତି । ମିଛ ବାହ୍ୟ ଦୂରତା ଅର୍ଥାତ୍ ସଙ୍କୋଚନ ମାନଙ୍କୁ ଏକ ଅନ୍ୟ ବିଶ୍ଵସନୀୟ ବଳିଷ୍ଠତା ଦ୍ଵାରା ଅପସାରିତ କରି ନେଉଛନ୍ତି ।

 

ତା’ପରେ ଆମର ସେହି ବୃହତ୍ତର ଅନ୍ୟ ପରିବାରଗୁଡ଼ିକ । ଆମର ପାଠଚକ୍ର, ଆମ ଶିକ୍ଷାକେନ୍ଦ୍ର ତଥା ଆମେ ସେହି ବିଶ୍ଵଜନନୀଙ୍କର ଗୋଟିଏ ଗୋଟିଏ ଆଜ୍ଞାମାଳ ନେଇ ପରସ୍ପରକୁ ଭେଟିଥିବାର ସେହି ଅଭିନବ କୌଟୁମ୍ବିକତାର ଏହି ବହୁପ୍ରତିଶ୍ରୂତିପୂର୍ଣ୍ଣ ମେଳଗୁଡ଼ିକ । ମାଆଙ୍କ ଭାଷାରେ କହିଲେ, ଏହି ମେଳଗୁଡ଼ିକୁ ଆମେ ନିଜେ ବାଛିଛୁ, ଏକ ଅନ୍ୟ ଅନୁରାଗର ଆହ୍ଵାନରେ ଏବଂ ଅନ୍ୟ ଏକ ପୃଥିବୀର ପ୍ରତ୍ୟୟ ପରିପୂର୍ଣ୍ଣ ଆକର୍ଷଣରେ ଯାଇ ଉକ୍ତ ମେଳମାନଙ୍କରେ ଏକତ୍ର ହୋଇଛୁ । ସେଗୁଡ଼ିକ ହେଉଛନ୍ତି ଯାବତୀୟ ଅର୍ଥରେ ଆମ ମେଳଗୁଡ଼ିକ ଲାଗି ଏକ ପ୍ରୟୋଗଶାଳା: ଆମ ଜଣଜଣକୁ ନେଇ ମେଳଟିର ପ୍ରୟୋଗ ଓ ମେଳଗୁଡ଼ିକୁ ନିର୍ଭରଶିଳା ରୂପେ କାମରେ ଲଗାଇ ଆମ ଜଣଜଣଙ୍କ ନିମନ୍ତେ ମଧ୍ୟ ପ୍ରୟୋଗମାନେ । ସେଠାରେ ଆମ କାନ୍ଧଉପରେ ବସି ଅସୁରମାନେ ଆସି ପଶି ଯିବେନାହିଁ ତ ? ନହେଲେ, ସେହି ସବୁ ଅବସରରେ ଆମ ହାତକୁ ଆସୁଥିବା ଅର୍ଥଗୁଡ଼ିକ ମଧ୍ୟ ଗୁଡ଼ିଏ ଅନର୍ଥରେ ହିଁ ପରିଣତ ହୋଇଯିବେ ଏବଂ ଅସୁରମାନେ ହିଁ ଆମକୁ ସତେଅବା ଗୋଟିଏ ଖୁବ୍ ଉର୍ବର କ୍ଷେତ୍ର ବୋଲି ଦେଖି ଆମକୁ ବ୍ୟବହାର କରିବାର ଆସ୍ପର୍ଦ୍ଧା କରିବେ । ବିଚରା ଅଧ୍ୟାତ୍ମ ଭାରି ଅଣନିଃଶ୍ଵାସୀ ହୋଇଯିବ । କୋଉଠି ସାତତାଳ ପଙ୍କର ଗଭୀର ଅବଚେତନରେ ଥାଇ ଅତ୍ୟନ୍ତ ଦୁଃଖୀ ହୋଇ ପଡ଼ୁଥିବ ସିନା, ମାତ୍ର ହୁଏତ କୌଣସି ବଳ ପାଉନଥିବ । ତେଣୁ, ସେଗୁଡ଼ିକର ସ୍ତରରେ ମଧ୍ୟ ଅସୁର ସହିତ ଯୁଦ୍ଧ,-ଏକ ପାରସ୍ପରିକ ସହଯୋଗ ଦ୍ଵାରା, ଜଣେ ସନ୍ତାନର ଅନମନୀୟ ପ୍ରତ୍ୟୟରେ । ତେବେଯାଇ, ଏହି ବାହାର ପୃଥିବୀଟାଯାକ ଯେପରି ହୋଇ ରହିଛି, ଆମର ଏହି ପ୍ରୟାସକ୍ଷେତ୍ର ଗୁଡ଼ିକୁ ଆମେ ଅସୁରର ଯାବତୀୟ ଉପଦ୍ରବରୁ ମୁକ୍ତ କରି ରଖିପାରିବା, ଶ୍ରୀ ଅରବିନ୍ଦଙ୍କର କଳ୍ପିତ ସେହି ଦିବ୍ୟକେନ୍ଦ୍ର ଗୁଡ଼ିକର ସମୀପବର୍ତ୍ତୀ ହୋଇପାରିବା ଏବଂ, ଆମ ଏଗୁଡ଼ିକ ମଧ୍ୟରେ ବି ଗୋଟିଏ ସଂକ୍ରମଣଶକ୍ତି ରହିଛି ବୋଲି ଆବିଷ୍କାର କରି ପାରୁଥିବା । ଆମକୁ ନିମିତ୍ତ କରି ସଂକ୍ରମଣଟି ମଧ୍ୟ ପ୍ରସାରଲାଭ କରିବ ଏବଂ ଆମର ଏହି ତଥାକଥିତ ସ୍ଥାନୀୟଗୁଡ଼ିକ ମଧ୍ୟରେ ଯେ କେତେ ବଳ ରହିଛି, ଆମେ ସେଥିଲାଗି ଏକାଧିକ ପ୍ରମାଣ ମଧ୍ୟ ପାଇ ଯାଉଥିବା ।

 

କୌଣସି ସ୍ଥାନରେ ଶ୍ରୀ ଅରବିନ୍ଦ କହିଛନ୍ତି ଯେ ବିବର୍ତ୍ତନର ପ୍ରକ୍ରିୟାଟିରେ କୌଣସି ସ୍ଥିତିଗତ କାରଣରୁ ଏକ ସତ୍ଵରତା ଘଟିଲେ ତାହାକୁ ହିଁ ବିପ୍ଳବ ବୋଲି କୁହାଯିବ । ବିବର୍ତ୍ତନର ପ୍ରକ୍ରିୟାଟି ନିରନ୍ତର ଲାଗି ରହିଛି । ମୃତ୍ତିକାଟି ଭିତରେ ସେହି ଜୀବନ ନାମକ ଆଦିଧର୍ମଟି ଦ୍ଵାରା ପ୍ରେରିତ ହୋଇ ବୀଜଟି କ୍ରମବିବର୍ତ୍ତିତ ହୋଇ ଆସିଛି । ତାହାହିଁ ଆମ ସଭ୍ୟତାମାନଙ୍କର ଇତିହାସ, ଯାବତୀୟ ସଂସ୍କୃତିବୋଧର ଇତିହାସ । ଏବଂ, ସକଳ ଅବକାଶରେ ଅସୁରମାନେ ସେହି ପ୍ରକ୍ରିୟାଟିର ପଥରେ ନାନା ପ୍ରତିବନ୍ଧ ସୃଷ୍ଟି କରିଛନ୍ତି ଏବଂ ତେଣୁ ପ୍ରକ୍ରିୟାଟି ବାଧାପ୍ରାପ୍ତ ହୋଇଛି । ବହୁତ କିଛି ବଙ୍କା ହୋଇଯାଇଛି,–ସତ ଶକ୍ତିମାନେ ବଳ ପାଇ ପାରିନାହାନ୍ତି ଏବଂ ସେଇଥିଲାଗି ଅସୁରମାନେ ବିଜୟ ଲାଭ କରିଛନ୍ତି । ବନ୍ଧୁ, ବିବର୍ତ୍ତନ ତଥାପି ଚାଲିଛି; ତୁମ ଆମ ଭିତରେ ବହି ଚାଲିଛି । ପ୍ରତିବାଦ, ପ୍ରତିରୋଧ ତଥା ପ୍ରତିକାର ଗୁଡ଼ିକରେ ଖୋଜା ଅବିରାମ ଭାବରେ ଲାଗିରହିଛି-। ଅସୁରମାନଙ୍କ ଉପରେ ପୃଥ୍ଵୀ-ଇତିହାସରେ ଯେତେ ଯେତେ ନିଜେ ଯେତେବେଳେ ଘଟିଛି, ସେଗୁଡ଼ିକ କ’ଣ ସେହି ବିପ୍ଲବଗୁଡ଼ିକ ଦ୍ଵାରା ଘଟିଛି କି ? ସବୁ ବିପ୍ଲବ ଯେ ସବୁ ସମୟରେ ସଫଳ ହୋଇଛି, ସେକଥା ଆଦୌ ନୁହେଁ । ମାତ୍ର, ଏକଥାଟି ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ ଯେ କୌଣସି ବିପ୍ଲବ କେବେହେଲେ ପୂରା ବିଫଳ ମଧ୍ୟ ହୋଇନାହିଁ । ସବୁଟି ଆହୁରି ଆହୁରି ଉନ୍ମୋଚନ ନିମନ୍ତେ ନୂଆ ନୂଆ ଆଖି ଦେଇଯାଇଛି । ସମ୍ଭବତଃ ଏକ ଖାସ୍ ସାହସରେ ଏକଥା ମଧ୍ୟ କୁହାଯାଇ ପାରିବ ଯେ, ବାହାରକୁ ଏକ ବିପ୍ଲବ କେତେଦୂର ସମ୍ପୃକ୍ତ ଆମମାନଙ୍କର ବୁଝିବାକୁ ସଫଳ ଓ ବିଫଳ ଯାହା ହୋଇଥାଉ ପଛକେ, ତାହା ବିବର୍ତ୍ତନର ସେହି ମୂଳ ପ୍ରକ୍ରିୟାଟିକୁ ମଧ୍ୟ ନୂତନ ନାନାବିଧ ରେଖା ଏବଂ ଧାରାମାନ ଆଣି ଆଣି ପ୍ରଦାନ କରିଛି । କୌଣସି ଗୋଟିଏ ବିପ୍ଲବ ଆଦୌ ବ୍ୟର୍ଥ ହୋଇ ଯାଇନାହିଁ, ପରବର୍ତ୍ତୀ ବିପ୍ଲବ ଓ ତାହାର ମାଧ୍ୟମରୂପେ ପ୍ରସ୍ତୁତ ହେଉଥିବା ପରବର୍ତ୍ତୀ ବିପ୍ଳବୀମାନେ ସେଥିରୁ ବହୁତ ଅନ୍ତର୍ଦୃଷ୍ଟି ମଧ୍ୟ ଲାଭ କରି ପାରିଛନ୍ତି । ତେଣୁ, ଯେପରି ବିବର୍ତ୍ତନ କଦାପି ସରିଯିବ ନାହିଁ, ବିପ୍ଲବମାନେ ମଧ୍ୟ ଠିକ୍ ସେହିପରି ମୋଟେ ସରିବେ ନାହିଁ ।

 

ନାନାବିଧ ସନ୍ଦର୍ଭ ତଥା ସ୍ଥିତିଗୁଡ଼ିକୁ ନେଇ ନାନା ବିଶ୍ଳେଷଣ, ତେଣୁ ନାନାବିଧ ବିପ୍ଳବ ତଥା ନାନା ଆୟାମର ବିପ୍ଳବ, ନାନା ଭଳି ଭଳି ସାହସ ଏବଂ ପ୍ରତ୍ୟୟକୁ ପୁଞ୍ଜି କରି ସେହି ବିପ୍ଳବ-। ଧର୍ମବିପ୍ଳବ, ଶିଳ୍ପବିପ୍ଳବ ଓ ସମାଜବିପ୍ଳବ । କୋଉଟିକୁ ଆମେ କେବଳ ରାଜନୀତିକ, କେବଳ ଆର୍ଥିକ ଓ ସାମାଜିକ ଅଥବା କେବଳ ଧର୍ମୀୟ ବୋଲି କହିପାରିବା ଓ ସେପରି କରି ସେଗୁଡ଼ିକର ପଶ୍ଚାତରେ ରହିଥିବା ସମଗ୍ର ଆବେଦନଟିକୁ ବ୍ୟକ୍ତ କରିଦେଇ ପାରିବା ? କୋଉଟି ସଫଳ ହୋଇଛି ଏବଂ କେଉଁଟି ବିଫଳ ହୋଇଛି ବୋଲି ଦାବି କରି ବି ପାରିବା ? ମନୁଷ୍ୟ ନାମକ ଏହି ସମଗ୍ର ଉତ୍ତାରିଧିକାରଟା ହୁଏତ କେବେହେଲେ କୌଣସି ବିପ୍ଳବକୁ ଚୂଡ଼ାନ୍ତ କିମ୍ବା ସର୍ବଶେଷ ବୋଲି ମାନି ନେବନାହିଁ । ନୂଆ ନୂଆ ଅସନ୍ତୋଷ ଜନ୍ମ ନେଉଥିବା ସହିତ ମନୁଷ୍ୟ ଭିତରର ଇଶ୍ଵର ମଧ୍ୟ ବୃଦ୍ଧିଲାଭ କରିବାରେ ଲାଗିଥିବେ ଏବଂ ତାହାର ଏକ ଅବଶ୍ୟମ୍ଭାବୀ ସହପରିଣାମ ସ୍ଵରୂପ ତା’ ବାହାରର ଏହି ପୃଥିବୀଟି ମଧ୍ୟ ନୂଆ ନୂଆ ସମ୍ଭାବ୍ୟତାର ଉଦ୍‌ବୋଧନ ଦେଇ ଯେତିକି ଯେଉଁପରି ରହିଛି, ସେତିକି ଏବଂ ସେପରି ଗୁଡ଼ିକୁ ନିରନ୍ତର ନାନା ଅଭିନବ ଦ୍ୟୋତନା ଦେଇ ଭାରି ଅଳପ ବୋଲି ବୋଧହେବାରୁ ତାକୁ ନିମିତ୍ତ କରି ବିପ୍ଳବମାନେ ହେବାରେ ଲାଗିଥିବେ । କିନ୍ତୁ, ଏହି ପ୍ରକ୍ରିୟାଟିର ସନ୍ଦର୍ଭରେ ଆମେ ଗୋଟିଏ କଥା ଅବଶ୍ୟ ସ୍ମରଣ ରଖିବା ଯେ, ପ୍ରତ୍ୟେକ ପଦକ୍ଷେପରେ ଅର୍ଥାତ୍ ଉନ୍ମୀଳନରେ ଆମକୁ ସେହି ଅସୁରଟିଏର ସମ୍ମୁଖୀନ ହେବାକୁ ହିଁ ପଡ଼ିବ ଏବଂ ଆମ ନିୟତିଚେତନାର ସଚେତନ ସେହି ନିତ୍ୟନବ ବଳଟି ଦ୍ଵାରା ଆମେ ଆମର ଏହି ଜୀବନନାମକ ବିଶ୍ଵଟିକୁ ପୁନର୍ବାର ଜୟ କରି ଆଣିବା ଲାଗି ଏକତ୍ର ହେଉଥିବା । ନୂଆ ନୂଆ ମେଳରେ,-ଅନ୍ନଠାରୁ ଆନନ୍ଦ ଯାଏ ସର୍ବବିଧ ଆକର୍ଷଣ ତଥା ଆହ୍ଵାନରେ । ଏବଂ, ପଣ୍ଡିତ ଏବଂ ବିଦଗ୍ଧମାନେ ସତକୁ ସତ ଚେତା ହୋଇ କହନ୍ତୁ ତ, ଏହି ଯାବତୀୟ ଅସୁର ଉପରେ ବିଜୟଲାଭ କରିବାର ଜୀବନଧର୍ମର ପାଳନ-କ୍ଷେତ୍ରରେ ଆମେ ଖାସ୍ କେଉଁଟିକୁ ଆଧ୍ୟାତ୍ମିକ ବୋଲି କହିବା ଓ ଆଉ କେଉଁଟିକୁ ଆଧ୍ୟାତ୍ମିକ ନୁହେଁ ବୋଲି ଏଡ଼ି ଦେଇ ପାରିବା ?

 

ଖାଲି ପଣ୍ଡିତମାନେ ଗଡ଼ାଇ ଗଡ଼ାଇ ଦେଉଥିବାର ବହୁ ବୁଦ୍ଧି ବାହାର କରିବେ, ବିଦଗ୍ଧମାନେ ସତେଅବା କେଉଁସବୁ ଅନ୍ୟ ମାୟାର କୁଣ୍ଠା ଭିତରେ ରହିଥିବା ପରି ତଥାପି ଅସୁରଟାକୁ ତଥାପି ଆଉକିଛି ସମୟ ଦିଆଯାଉ ବୋଲି ଯୁକ୍ତି ବାହାର କରିବେ; ମାତ୍ର ସନ୍ତାନ ପାରିବ । ନିମିତ୍ତଟିଏ ପାରିବ, ଆମର ଆସ୍ପୃହା ପାରିବ । ତେବେଯାଇ ଯୁଗଯୁଗରୁ ମନୁଷ୍ୟାତ୍ମା ଭିତରେ ସ୍ଵପ୍ନମାନ ଦେଖି କ୍ରମପୋଖତ ହୋଇ ଆସୁଥିବା ଆସ୍ପୃହାମାନେ ପାରିବେ ଏବଂ ଏହି ପୃଥିବୀ ଉପରେ ସ୍ଵପ୍ନଗୁଡ଼ିକୁ ଏକ ବାସ୍ତବ ଅଧ୍ୟାତ୍ମରୂପେ ଉକୁଟାଇ ଆଣି ପାରିବେ । ସେ ପ୍ରସ୍ଥଟିକୁ ଏପ୍ରସ୍ଥଟି ଯାଏ ସମ୍ଭବ କରି ଆଣିବାରେ ସେହିମାନେ ହିଁ ଆପଣାକୁ ଉତ୍ସର୍ଗୀକୃତ ଭାବରେ ନିୟୋଜିତ କରିପାରିବେ । ପୂରା ଫରଚା ହୋଇ ଆସୁଥିବା ପରି ଅନୁଭବ କରିବେ ଯେ, ସେହି ପରମା ଜନନୀ ହିଁ ଏହି ଖିଳ ବିଶ୍ଵକୁ ତାଙ୍କର ଭଳି ଭଳି ଉନ୍ମେଷଣା ଦେଇ ପ୍ରସ୍ତୁତ କରି ଆଣୁଛନ୍ତି ଏବଂ ସନ୍ତାନମାନଙ୍କର ଚେତନା ଭିତରେ ମଧ୍ୟ ନେତ୍ର ହୋଇ ସେମାନଙ୍କୁ ବଳଯୁକ୍ତ କରି ଆଣୁଛନ୍ତି-। କିଏ ମୋ’ ସାଙ୍ଗରେ ବାହାରିବ, କିଏ ମୋ’ ସହିତ ପର୍ବତାରୋହଣ କରିବ, କିଏ ଅଧିକ ହେବ ଏବଂ ଅଧିକରୁ ଅଧିକ ବଞ୍ଚିବ-ଗୋଟିଏ କବିତାରେ ଶ୍ରୀ ଅରବିନ୍ଦ କ’ଣ ସତକୁ ସତ ଇଚ୍ଛୁକ ଆମ ସନ୍ତାନମାନଙ୍କୁ ହିଁ ଆମନ୍ତ୍ରଣ କରିଛନ୍ତି କି ? ଅସୁରମାନଙ୍କର ମାୟାଗୁଡ଼ାକୁ ମାୟା ବୋଲି ଉପଲବ୍ଧ କରୁଥିବା ସଙ୍ଗେ ସଙ୍ଗେ ଆମେ ଆମ ଜୀବନର ଏହି ସବୁକିଛିକୁ ହିଁ ଗୋଟିଏ ଗୋଟିଏ ଶକ୍ତି ବୋଲି ଅନୁଭବ ବି କରିବା ।

 

ଆମେ ବହିଟିର ପଞ୍ଚମ ଏବଂ ଷଷ୍ଠ ଅଧ୍ୟାୟ ଦୁଇଟିକୁ ଏକତ୍ର ଗୋଟିଏ କରି ଗ୍ରହଣ କରିବା । କୌଣସି ଏକ ପୁସ୍ତକର ଶେଷ ଦୁଇଟି ଅଧ୍ୟାୟ ବୋଲି ମଧ୍ୟ ନୁହେଁ,–ପ୍ରଥମ ଚାରି ଅଧ୍ୟାୟର ମୂଳଦୁଆ ଅର୍ଥାତ୍ ପ୍ରସ୍ତୁତିର ଭିତ୍ତି ଉପରେ ଆପଣାର ଉପବୀତଟିଏ ବାଛି ନେଇ ମୁଖଶାଳାଟି ମଧ୍ୟକୁ ପ୍ରବେଶ କରୁଥିବା ଜଣେ ସହଜ ଓ ସମ୍ମତ ସନ୍ତାନ ପରି, ପୂର୍ଣ୍ଣ ସନ୍ତର୍ପଣରେ ଏକ ନିମିତ୍ତ ପରି । ସିଏ କୌଣସି ଏକ ଆସ୍ପୃହାରେ ସତେଅବା ଆଉକିଛି-ଆଉପ୍ରକାରର ଜୀବନ, ଆଉ ପ୍ରକାରର ପୃଥ୍ଵୀ-ବ୍ୟବସ୍ଥା ଓ ତେଣୁ ଆଉ ପ୍ରକାରର ମନ୍ତ୍ରଗ୍ରହଣର ପ୍ରତ୍ୟୟଟିଏ ପାଉଥିବା ପରି ଶିଖର ସେପ୍ରସ୍ଥଟି ଲାଗି ଏପ୍ରସ୍ଥଟିରୁ ଡାକିଥିଲା ଏବଂ ସତେଅବା କାହାକୁ ଭେଟିବ ବୋଲି ଗୋଡ଼ କାଢ଼ି ବାହାରିଥିଲା । ଏବଂ, ‘ଉଅ’ ପଦଟିଏ ଶୁଣିବା ପରି ଖୁବ୍ ଲାଗିଲା । କେଡ଼େ ଖୁସି ହୋଇ କେତେ ବିଶ୍ଵାସ ଓ ବଳ ପାଇ ସତେଅବା ବାଟଟିକୁ ପାଇଗଲା ଭଳି ଏକାବେଳେକେ ବହୁଗୁଣ ଏକ ବ୍ୟାକୁଳତା ସହିତ ବାହାରି ପଡ଼ିଲା । ସତେଅବା ସେହି ପରମ ଆସ୍ପଦଟି ତା’ ଭିତରେ ରହିଥିଲେ ଏବଂ କ’ଣଟିଏ ପ୍ରକୃତରେ ଘଟିଲା ବୋଲି ବୁଝିପାରି ସେହି ଭିତରୁ ହିଁ ସହାୟତା ପ୍ରଦାନ କଲେ । ନିଜ ଭିତରେ ଅପେକ୍ଷା କରିଥିବା ସେହି ଶିଖରସତ୍ୟଟି ଉଭୟ ଆଡ଼ୁ ଅନୁସ୍ପନ୍ଦନ ଜଣାଇବା ଦ୍ଵାରା ହିଁ ଆମେ ପ୍ରତ୍ୟେକେ ଉଚିତ ମୁହୂର୍ତ୍ତଟି ଆସି ପହଞ୍ଚିଗଲା ବୋଲି ନିଶ୍ଚିତ ହୋଇଥାଉ କି ? ଏବଂ, ତା’ପରେ ନିଜକୁ ଜଣେ ସନ୍ତାନ ବ୍ୟତୀତ ଆଉ ଅନ୍ୟ କୌଣସି ନାମରେ ଚିହ୍ନିବାକୁ ମନ ହୁଏନାହିଁ । ଭେଟ ହୁଏ, ଅର୍ଥାତ୍ ସେପ୍ରସ୍ଥଟି ସତେଅବା ଏହି ପ୍ରସ୍ଥଟି ଭିତରକୁ ପ୍ରବିଷ୍ଟ ହୋଇ ଆସୁଥାଏ । ସନ୍ତାନର ତପସ୍ୟା ହିଁ ଦୂରକୁ ଗୋଟାସୁଦ୍ଧା କତି କରି ଆଣୁଥାଏ । ପୃଥିବୀର ପ୍ରତୀକ୍ଷିତ ଭବିଷ୍ୟଟିଏ ସତେ ଯେପରି ଆମର ଏହି ବର୍ତ୍ତମାନଟି ମଧ୍ୟକୁ ନଇଁ ଆସେ । ଜଣେ ସନ୍ତାନକୁ ସବୁ ସହଜ ଲାଗେ, କାରଣ ସବୁ ସୁନିଶ୍ଚିତ ଲାଗୁଥାଏ । ସମ୍ଭବତଃ ସତ ନିମିତ୍ତମାନଙ୍କୁ ଯୁଗେ ଯୁଗେ ସବୁକିଛି ହିଁ ସହଜ ଲାଗୁଥିବ । ଆପଣ କହନ୍ତୁ ତ ଆମ ଏପ୍ରସ୍ଥଟିରେ ଥିବା ମୋତେ ଓ ତୁମକୁ ସହଜ ଲାଗିବା ଆରମ୍ଭ କଲେ ସେପ୍ରସ୍ଥର ସେହି ସର୍ବୋଚ୍ଚ ସତ୍ତାଟିକୁ ମଧ୍ୟ ପ୍ରକୃତରେ କେତେ ଉଶ୍ଵାସ ନଲାଗୁଥିବ !

 

ତା’ପରେ ପ୍ରସ୍ତୁତି । ପ୍ରସ୍ତୁତିକୁ ମାଧ୍ୟମ କରି ଏକ ପରିଚିତ ଓ ପରିଚିତିଟିକୁ ମାଧ୍ୟମ କରି ଏକ ପ୍ରସ୍ତୁତି । ହଁ, ସେଇଥିପାଇଁ ଆମର ଆସ୍ପୃହା, ଆସ୍ପୃହା ଅନୁସାରେ ପ୍ରତ୍ୟାଖ୍ୟାନ ଏବଂ ସମର୍ପଣମୟ ଜୀବନାନୁରାଗ । ଶ୍ରୀ ଅରବିନ୍ଦ ଆମକୁ ସେଇଟି ବିଷୟରେ କେଡ଼େ ବିଶଦ ଭାବରେ ସଜ୍ଞାନ କରି ନେଇଛନ୍ତି, ପୂରାପଣେ ଜଣେ ଜନନୀର ପୂର୍ଣ୍ଣ ଯତନରେ । କୌଣସି ଇସ୍କୁଲ ମାଷ୍ଟରିଆ ଗୁରୁ ପରି ଆମକୁ ମୋଟେ ନାକ କାନ ଧରି ବାଧ୍ୟ କରିବାର ପ୍ରୟାସ କରିନାହାନ୍ତି; ଭିତରୁ ଯେଉଁ ବାସନାଟିର ସୁସ୍ଥ ଉଦ୍ରେକଟିଏ ଘଟିଲେ ଜୀବନର ସମସ୍ତ ତପଶ୍ଚାରଣା ସତେଅବା ସେହି ଗୁରୁଙ୍କର ସତତ ଶୁଶ୍ରୂଷା ବଳରେ ପୂର୍ଣ୍ଣ ନମନୀୟ ହୋଇଆସେ, ସେହି ବାସନାଟି ବିଷୟରେ ଆମକୁ ଅଧିକ ନିବିଡ଼ ଭାବରେ ଜାଗୃତ କରି ଆଣିଛନ୍ତି । ‘ମାଆ’ ବହିର ଆଦ୍ୟ ତିନି ଅଧ୍ୟାୟରେ ସେଥିଲାଗି ସେହି ପ୍ରସ୍ତୁତି ଏବଂ ପରିଚିତିର ବସ୍ତୁସାମଗ୍ରୀ ଗୁଡ଼ିକ । ଏହାରି ଫଳରେ ସୁଦୂର ପରି ଲାଗି ଆସିଥିବା ଶିଖରଟି ଦୃଶ୍ୟମାନ୍ ହୋଇ ଆସିବ । ଏବଂ, ତାହାର ଏକ ଅତ୍ୟାବଶ୍ୟକ ଅନୁରୂପକ ରୂପେ, ମୂଳଦୁଆଟିକୁ ମଧ୍ୟ ମଜବୁତ କରିନେବାର ସେହି ଦ୍ଵିତୀୟ କର୍ମଭାରଟି । ସେପ୍ରସ୍ଥଟି ଯଦି ସତକୁ ସତ ଏପ୍ରସ୍ଥକୁ ଆସିବ, ତେବେ ତା’ର ଏକ ପୂର୍ବସର୍ତ୍ତ ରୂପେ ଏହି ଏପ୍ରସ୍ଥଟିକୁ ତଦନୁକୂଳ କରି ବଦଳାଇ ନେବାକୁ ହେବ । ସେଇଥି ସକାଶେ ଅର୍ଥକୁ ଏହି ବିଶ୍ଵର ସକଳ ପୁନର୍ଗଠନ ନିମନ୍ତେ ଇପ୍ସିତ ସତ୍ୟଟିର ପହୁଞ୍ଚ ଭିତରକୁ ମଧ୍ୟ ଆଣି ମହଜୁଦ କରି ରଖିବାର ଏକ କାର୍ଯ୍ୟରେ ସମ୍ପୃକ୍ତ ହେବାର ଅପେକ୍ଷା ରହିବ । ସନ୍ତାନମାନେ ହିଁ ସମ୍ପୃକ୍ତ ହେବେ । ଅର୍ଥଶକ୍ତିଟା ସତେଅବା ବହୁ ଛଦ୍ମଈଶ୍ଵର ମାନଙ୍କର ଷଡ଼ଯନ୍ତ୍ର ହେତୁ ଅସୁରମାନଙ୍କର ଅକ୍ତିଆରରେ ଯାଇ ରହିଛି ଏବଂ ତେଣୁ ଭଗବାନଙ୍କର କାର୍ଯ୍ୟରେ ଲାଗି ପାରୁନାହିଁ । କେତେକ ଖାସ୍ ସ୍ଵାର୍ଥ ହିଁ ଅସୁରର ଭୂମିକାରେ ରହି ଆମ ପୃଥିବୀରେ ବହୁ ଉନ୍ମୋଚନର ବାଟ ଓଗାଳି ରଖିଛନ୍ତି । ତେଣୁ ଅର୍ଥକୁ ସେହି ସ୍ଵାର୍ଥାସୁର ମାନଙ୍କର ଦୁଷ୍ଟ କବଳରୁ ମୁକ୍ତ କରି ଆଣିବାକୁ ହେବ । ଅର୍ଥର ବ୍ୟବସ୍ଥାମାନେ ସମ୍ପ୍ରତି ଯେଉଁଭଳି ଆସୁରିକ ଅନାଚାରଗୁଡ଼ିକ ଭିତରେ ବହୁ ଅନାବଶ୍ୟକ ଦୁଖ ତଥା ପ୍ରତିକୂଳତା ଭିତରେ ବାଧ୍ୟ ହୋଇ ରହିଛନ୍ତି, ପୁନର୍ବାର ସେଗୁଡ଼ିକୁ ଏକ ବିଜୟଲାଭ ଦ୍ଵାରା ଆଗ ମୁକୁଳାଇ ଆଣିଲେ ଯାଇ ଆଦୌ କୌଣସି ଅଧ୍ୟାତ୍ମ ପୃଥିବୀରେ ବାସଟିଏ ପାଇପାରିବ ।

 

ନିଜକୁ ଜଣେ ଜଣେ ସନ୍ତାନର ପ୍ରସ୍ତୁତି ମଧ୍ୟରେ ସଚଳ କରି ରଖି ତଥା ତାହାରି ସାହାଯ୍ୟରେ ଏକ ସୁସ୍ଥ ପରିଚିତିର ମର୍ଯ୍ୟାଦା ନେଇ ଆମେ ଏହି ସମଗ୍ର ପୃଥ୍ଵୀରୂପୀ ଭୂମିଟିରୁ କଲ୍ୟାଣ ଲାଗି ଅର୍ଥଶକ୍ତିକୁ ମଧ୍ୟ ଅସୁରମାନଙ୍କର ଅକ୍ତିଆରରୁ ମୁକ୍ତ କରି ଆଣିବାର ସନ୍ଦର୍ଭରେ ସେହି ପ୍ରଥମ ଚାରି ଅଧ୍ୟାୟର ଆହ୍ଵାନଗୁଡ଼ିକୁ ପ୍ରକୃତରେ ଆଗ ବୁଝିବା ଏବଂ ତା’ପରେ ଶେଷ ଏହି ଭାଗଟିରେ ପ୍ରବେଶ କରିବା । ପଞ୍ଚମ ଅଧ୍ୟାୟର ସର୍ବପ୍ରଥମ ବାକ୍ୟଟିରେ ହିଁ ତେଣୁ ସମ୍ଭବତଃ ସମ୍ବୋଧନଟି ହିଁ ବଦଳି ଯାଇଛି । ଏଠାରେ ଶ୍ରୀ ଅରବିନ୍ଦ doer of divine works ବୋଲି ସମ୍ବୋଧନ କରି ଇଚ୍ଛୁକମାନଙ୍କୁ ଏକ ସ୍ଵତନ୍ତ୍ର ମର୍ଯ୍ୟାଦାରେ ନେଇ ବସାଇ ଦେଇଛନ୍ତି । ଜଣେ ସନ୍ତାନ, ଅର୍ଥାତ୍ ସେହି ଦିବ୍ୟ ପୃଥିବୀ-ବିଧାତାଙ୍କର ଏହି ପୃଥିବୀକୁ ନେଇ ଲାଗି ରହିଥନିବା ତାଙ୍କରି ନକ୍ସାଟିର ଅନ୍ତର୍ଗତ ସକଳ କର୍ମରେ ସକ୍ରିୟ ଭାବରେ ସମ୍ପୃକ୍ତ ହୋଇ ରହିବାଲାଗି ପ୍ରସୂତ ତଥା ସଂକଳ୍ପଯୁକ୍ତ ହୋଇ ପହଞ୍ଚିଥିବା ତୁମେ ଏବଂ ଆମେ । ସେମାନେ କାମରେ ଲାଗିବେ ଏବଂ ନ୍ୟାୟତଃ ତାହାରି ମାଧ୍ୟମରେ ସେମାନେ ପରମାଜନନୀଙ୍କର ପରିଚୟ ଲାଭ କରିବେ । ଚିହ୍ନିବେ ଏବଂ ଚିହ୍ନା ଦେବେ । ପାରମ୍ପରିକ ଯାବତୀୟ ଅଭ୍ୟସ୍ତ ଅଳ୍ପତା ଓ କଳନା ଗୁଡ଼ିକରୁ ମୁକ୍ତ ହୋଇ ସେମାନେ ଜନନୀଙ୍କର ସେହି ପୂର୍ଣ୍ଣ ମହିମାଗୁଡ଼ିକୁ ପ୍ରତ୍ୟକ୍ଷ କରିବେ ଏବଂ ଭାରି ଚିହ୍ନା ଚିହ୍ନା ଲାଗୁଥିବା ସେହି ପିତୁଳାରୂପ ଗୁଡ଼ିକର ସମ୍ମୋହନରୁ ନିଜକୁ ମୁକ୍ତ ରଖି ପାରିବେ । ତେବେ ଯାଇ ଯଥାର୍ଥ ଯନ୍ତ୍ର ହୋଇପାରିବେ,-ତାଙ୍କରି କାର୍ଯ୍ୟରେ ସତକୁ ସତ ନିୟୋଜିତ ଏବଂ ସମର୍ପିତ ହୋଇ ରହିପାରିବେ । ଧରା ଦେବେ ଏବଂ ନିଜର ଅଳ୍ପତାଗୁଡ଼ିକୁ ମଧ୍ୟରେ ତାଙ୍କୁ ଆଦୌ ଅଳପ କରି ଦେବେନାହିଁ । ତାଙ୍କରି ଇଚ୍ଛା ବୋଲି ଭାବି ନିଜର ଇଚ୍ଛାଗୁଡ଼ିକର ପୂରଣ କରିବାର ସକଳ ପ୍ରମାଦ ବିଷୟରେ ସଚେତନ ରହିବେ ଏବଂ ସେହିପରି କରି ହିଁ ତାଙ୍କ ଇଚ୍ଛା ଓ ନିଜର ଇଚ୍ଛା ମଧ୍ୟରେ ରହିଥିବା ଦୂରତାଗୁଡ଼ିକୁ ଦୂର କରି ପାରିବେ । ସେହି ଉପଲବ୍ଧିର ମାର୍ଗରୂପେ ସେମାନେ ଦିବ୍ୟ ଚେତନାର ସେହି ଅନ୍ୟ ସମ୍ଭାବନାଟିର କ୍ରମରେ ସଦା ବୃଦ୍ଧି ଲାଭ କରୁଥିବେ । ଏଇଟି ସବାଶେଷ ବୋଲି କଦାପି ଅଟକି ରହୁନଥିବେ । ତୁମର ସକଳ ସମ୍ମତି ଏବଂ ସମ୍ପୃକ୍ତି ସହିତ ସେଇ ତୁମକୁ ନିମିତ୍ତରୂପେ କମାରେ ଲଗାଇ ତାଙ୍କ ନିଜର କାର୍ଯ୍ୟଟିକୁ କରାଇ ନେଉଛନ୍ତି ବୋଲି ଅତ୍ୟନ୍ତ ସହଜ ଭାବରେ ଅନୁଭବ କରୁଥିବେ । ଏହି ପୃଥିବୀରେ ତାଙ୍କର କାର୍ଯ୍ୟ; ତୁମେ ମଧ୍ୟ ଏହି ପୃଥିବୀର, ତେଣୁ ତୁମର ମଧ୍ୟ କାର୍ଯ୍ୟ । ଆମ ସମସ୍ତଙ୍କର କାର୍ଯ୍ୟ ।

 

ତାଙ୍କର କର୍ମଟିକୁ କରି ପାରିବାର ପୂର୍ଣ୍ଣ ନିମିତ୍ତଟିଏ ହେବା,–ଏକଥା କ’ଣ ଆମେ ଇଚ୍ଛା କରିବା ମାତ୍ରକେ ସାଧ୍ୟ ହୋଇଯାଏ ? ନାଇଁ, ଆମେ ଆମମାନଙ୍କର ସର୍ବବିଧ ବର୍ତ୍ତମାନତାରେ ଯେପରି ଯେଉଁଠି ରହିଛୁ ଆମକୁ ସେହିଠାରୁ ହିଁ ପାହାଚ ପାହାଚ କରି ଆଗକୁ ଯିବାକୁ ହୋଇଥାଏ-। ଆମେ ସତକୁ ସତ କେଉଁ ପାହାଚଟି ଉପରେ ବର୍ତ୍ତମାନ ରହିଛୁ, ସେତିକି ଜାଣିପାରିବା ମଧ୍ୟ ଆଦୌ ସେତେ ସହଜ ନୁହେଁ । ବହୁ ଭାବପ୍ରବଣତା ଦ୍ଵାରା ପ୍ରେରିତ ହୋଇ ବହୁ ବ୍ୟକ୍ତି ତ କେତେ କେତେ ଆଲମ୍ବନର ସାହାଯ୍ୟରେ ଯାହା ନୁହନ୍ତି, ତାହାହିଁ ଦେଖାଇ ହେବାରେ ଲାଗିଥାଆନ୍ତି । ନିଜ ପାଖରେ ଏବଂ ନାନା ସଂଯୋଗବଶତଃ ସିଏ ସମ୍ପର୍କରେ ଆସୁଥିବା ଅନ୍ୟମାନଙ୍କ ପାଖରେ-। ନିଜର ପାରିବା ଗୁଡ଼ିକ ଉପରେ ଯଥେଷ୍ଟ ଆସ୍ଥା ନଥାଏ ଅଥବା ଶିଖରଟି ବିଷୟରେ ହୁଏତ ସେତେଯାଏ ସ୍ପଷ୍ଟତା ନଥାଏ ବୋଲି ଯେ ସେପରି ହୁଏ, ସେ କଥା କିଏ କହିବ ? ଶ୍ରୀ ଅରବିନ୍ଦ ଆମର ସେହି ଦୁର୍ବଳତାଟିକୁ ନୁହେଁ, ସକଳ ଅର୍ଥରେ ସେହି ବାସ୍ତବିକତାଟିକୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚୟ ହୃଦୟଙ୍ଗମ କରିଛନ୍ତି,-ଏବଂ ତେଣୁ ଏକ ସ୍ତର ପରେ ସ୍ତରର କ୍ରମରେ ଅଭିଷଳିତ ସେଯାଏ ଯାଇ ପହଞ୍ଚି ପାରିବାର ଏକ ପଥ ଆମକୁ ବତାଇ ଦେଇଛନ୍ତି । ସମ୍ପୂର୍ଣ୍ଣ ପଞ୍ଚମ ଅଧ୍ୟାୟଟିରେ ସିଏ କେତେ ସହାନୁଭୂତି ସହିତ ତାହାର ଉପସ୍ଥାପନା କରିଛନ୍ତି । ତା’ ସହିତ ଏହି କଥାଟି ମଧ୍ୟ ସ୍ମରଣ କରାଇ ଦେଇଛନ୍ତି ଯେ, ସତକୁ ସତ ଏକ ସତତ ପାବଚ୍ଛ-ଆରୋହଣ କରିବାକୁ ହେଲେ ଆମକୁ ନିୟତ ସେହି ସର୍ବମୂଳ କଥାଟି ଉପରେ ଅବଶ୍ୟ ଚେତାଯୁକ୍ତ ହୋଇ ରହିବାକୁ ହେବ : ଆମକୁ ଅହଂଜନିତ ଆମର ସକଳ ବିକୃତିରୁ ମୁକ୍ତ ହୋଇ ରହିବାକୁ ପଡ଼ିବ । ବେଳେ ବେଳେ ଏହି ସତକଥାଟି ବିଷୟରେ ଚିନ୍ତା କରିବାକୁ ହୁଏତ ବହୁତ କଉତୁକିଆ ଲାଗୁଥିବ ଯେ, ଜଣେ ଗୁରୁ ସିଏ ସମ୍ପୃକ୍ତ ହୋଇ ରହିଥିବା ଅଭୀପ୍ସାମାନଙ୍କ ନିମନ୍ତେ କେତେ କ’ଣ କରନ୍ତି ଏବଂ ସର୍ବଦା ତାହାରି ପକ୍ଷର ହୋଇ କେତେ କ’ଣ କରନ୍ତି ଏବଂ କରାଇ ନେଉଥାନ୍ତି, କେତେ ନା କେତେ ଘାଟି ଉଠାଇ ନିଅନ୍ତି, ଅଥଚ ଏହି ଗୋଟିଏ କଥା ଆଦୌ କରିପାରନ୍ତି ନାହିଁ । ଆମକୁ ନିଜ ଅନୁରାଗ ଦ୍ଵାରା ପ୍ରେରିତ ହୋଇ ଅହଂର ଯାବତୀୟ ବେଢ଼ରୁ ମୁକ୍ତିଲାଭ କରିବାକୁ ହୋଇଥାଏ । କାରଣ, ସେହି ପ୍ରାୟ ଏକମାତ୍ର କଥାଟିକୁ ଶିଷ୍ୟ ନକରିଥିଲି ବାହାରେ ଯେତେ ଯାହା ଘୋର ଆଧ୍ୟାତ୍ମିକ କସରତମାନ କରୁଥିଲେ ମଧ୍ୟ ସେଗୁଡ଼ିକ ମାଡ଼ ଖାଇ ହିଁ ଯାଆନ୍ତି । ଆମ ଲାଗି କରିବାକୁ ରହିଥିବା ସେହି ଗୋଟିଏ କଥାକୁ ସମ୍ଭବ କରି ପାରିଲେ ଖୁବ୍‌ ସମ୍ଭବ ଆମ ନିମନ୍ତେ ପରବର୍ତ୍ତୀ ପାବଚ୍ଛମାନେ ଭାରି ସହଜ ଲାଗନ୍ତି । ସୂତାଟିଏ ସର୍ବଦା ଲାଗି ରହିଥାଏ ଏବଂ ସେହି ସୂତାଟି ହିଁ ଆକର୍ଷିତ କରି ନେଇଥାଏ ।

 

ଶ୍ରୀ ଅରବିନ୍ଦଙ୍କର ଶବ୍ଦସୂଚନାଟି ଅନୁସାରେ ସେହି ଅବସ୍ଥାଟି ହେଉଛି ଯଥାର୍ଥରେ ଗୋଟିଏ ଶିଶୁର ଅବସ୍ଥା । ଏପରିକି ସେତେବେଳେ ଆମଦ୍ଵାରା ବହୁଚର୍ଚ୍ଚିତ ସେହି ସାଧନାମାନ ସାଧନା ବୋଲି ଲାଗେନାହିଁ,–ହଁ, ନିଜକୁ ଗୋଟିଏ ଯନ୍ତ୍ର, ଜଣେ ସେବକ କିମ୍ବା କର୍ମୀ ବୋଲି ମଧ୍ୟ ମନେ ହୁଏନାହିଁ । ସବୁକିଛି ଏକାଠି ଗୋଟିଏ ଅନ୍ତରଙ୍ଗତାରେ ବନ୍ଦୀ ହୋଇ ଯାବତୀୟ ନ୍ୟାୟରେ ଆପଣାର ଜୀବନଟିକୁ ପରିପୂର୍ଣ୍ଣ ଅର୍ଥାତ୍ ସହଜସମାହିତ ଭାବରେ ବଞ୍ଚୁଥିବା ପରି ଅନୁଭବ ହେଉଥାଏ । ଯିଏ ମୋତେ ଜନନୀ ହୋଇ ଅଗ୍ରସର କରାଇ ନେଉଥାନ୍ତି, ସିଏ ମୋ’ ଭିତରେ ହିଁ ରହିଛନ୍ତି ବୋଲି ପ୍ରତ୍ୟକ୍ଷ ହୁଏ । ସିଏ ମୋ’ ଭିତରେ ଅଛନ୍ତି, ଅର୍ଥାତ୍ ମୁଁ ତାଙ୍କ ଭିତରେ ରହିଛି; ଅଥବା; ମୁଁ ତାଙ୍କ ଭିତରେ ଅଛି, ଅର୍ଥାତ୍ ସିଏ ମୋ’ଭିତରେ ରହିଛନ୍ତି । ଏପରି ଏକ ଡୋର ଏହି ପୃଥିବୀଯାକ ଲାଗି ରହିଛି, ଯାହା ଫଳରେ କି ମୁଁ ଏକ ଶିଖରଟିକୁ ମୋ’ର ଏହି ମୁହୂର୍ତ୍ତ ମୁହୂର୍ତ୍ତର ପାଦଦେଶରେ ମଧ୍ୟ ପ୍ରତ୍ୟକ୍ଷ କରି ପାରୁଛି । ଏପରି ଏକ ଅନ୍ତରଙ୍ଗତା, ଯାହାଫଳରେ ଏହି ପାଦଦେଶର ଆସ୍ପୃହାଟି ହେତୁ ଇପ୍ସିତ ଶିଖରଟି ମଧ୍ୟ ଏକ ସକଳାଙ୍ଗ ପୃଥିବୀଟି ମଧ୍ୟକୁ ଆନତ ହୋଇ ରହିଥାଏ । ବନ୍ଧୁ କହିଲ, ସେହି ଆନତ ହୋଇ ରହିଥିବା ପରି ଦିଶି ଦିଶି ଯିବା, ବସ୍ତୁତଃ ତାହାହିଁ କ’ଣ ତାଙ୍କର କରୁଣା ? ମୋ’ର ସମ୍ମତି ଏବଂ ତାଙ୍କର କରୁଣା; ଅଥବା, ତାଙ୍କର କରୁଣା ଏବଂ ମୋ’ର ସମ୍ମତି । ସିଏ ଜନନୀଟିଏ ବୋଲି ଦେଖିହେଲେ ମୁଁ ଶିଶୁଟିଏ ହୋଇ ଧାଇଁଯାଏ ଅଥବା ମୁଁ ଶିଶୁଟିଏ ହୋଇପାରିବା, ମାତ୍ରକେ ହିଁ ସିଏ ଜନନୀ ବ୍ୟତୀତ ଅନ୍ୟ କିଛି ପରି ଯେ ଆଦୌ ଦିଶନ୍ତିନାହିଁ, ଆମ କଦାପି କୌଣସି ଅଧ୍ୟାତ୍ମବହିର ଗଣିତ ପକାଇ ସେକଥା ଆଦୌ କହି ପାରିବାନାହିଁ । ଏହି ଯେଉଁ ଶିଶୁସ୍ତରୀୟ ସାମର୍ଥ୍ୟଟି, ଶ୍ରୀଅରବିନ୍ଦ ତାହାକୁ ହିଁ ପରମା ଜନନୀଙ୍କର ଅତିମାନସିକ ଶକ୍ତିଗୁଡ଼ିକ ଆମ ଭିତରେ ମୁକ୍ତ ଭାବରେ ସଚଳ ହୋଇ ରହିଥିବାର ଏକ ସ୍ଥିତି ବୋଲି କହିଛନ୍ତି ।

 

ସର୍ବଶେଷ ଅଧ୍ୟାୟଟି ପୁସ୍ତକର ଷଷ୍ଠ ଅଧ୍ୟାୟ ଏବଂ ଏଠାରେ ଆସି ପହଞ୍ଚିଗଲେ ପୂର୍ଣ୍ଣ ମନ୍ଦିରଟି ସତେଅବା ଜଳ ଜଳ ପ୍ରତ୍ୟକ୍ଷତା ସହିତ ଆସି ଦଣ୍ଡାୟମାନ ହୋଇଯାଉଛି । ପାଦଦେଶରେ ଥିଲେ ଶିଖରଟି ଦିଶୁଛି ଏବଂ ଶିଖରରେ ଥିଲେ ପାଦଦେଶଟି ଦିଶୁଛି । ଏବଂ ଶ୍ରୀଅରବିନ୍ଦ ଜନନୀଙ୍କର ଚାରିଶକ୍ତିର ଏକ ମାଧ୍ୟମଦ୍ୱାରା ଅଧ୍ୟାୟଟିକୁ ଆରମ୍ଭ କରିଛନ୍ତି । ସେହି ମାଧ୍ୟମଗୁଡ଼ିକ ସଂଯୋଗବଶତଃ ଏକ ଭାରତୀୟ ଉପାସନା-ପରମ୍ପରାରେ ମଧ୍ୟ ଗୋଟିଏ ଗୋଟିଏ ଅତିପରିଚିତ ନାମ ଏବଂ ସେଥିପାଇଁ ଅଧ୍ୟାତ୍ମର ଉପସ୍ଥାପନା ଗୁଡ଼ିକୁ ମୁଖ୍ୟତଃ ଏକ ଧର୍ମୀୟ ମିଶ୍ରଣଦ୍ଵାରା ଅନ୍ୟଭଳି କରି ପକାଇବାର ଏକ ଶଙ୍କା ମଧ୍ୟ ଏହି କ୍ଷେତ୍ରରେ ବହୁ ପରିମାଣରେ ପୂରି ରହିଛି । ମାହେଶ୍ଵରୀ, ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ଵତୀ,–ଏଗୁଡ଼ିକୁ ଅନେକ ସମୟରେ ବହୁତ ଉଲ୍ଲାସର ସହିତ ଅନେକେ ତାହାକୁ ନିଜ ଘରର ସେହି ପରିଚିତ ନାମଗୁଡ଼ିକର ସମବାଚୀ ପରି ଧରି ନେଇଥାନ୍ତି ଏବଂ ସେହି ଦର୍ପଣଟି ଉପରେ ଶ୍ରୀଅରବିନ୍ଦଙ୍କର ଜଗତଟିକୁ ଦେଖିବାର ଏକ ସହଜ ଗୁଳାରେ ଆସି ପଡ଼ିଯାଆନ୍ତି । ଏକ ଆଧ୍ୟାତ୍ମିକ ଚେତନାରୋହଣକୁ ସତେଅବା ଏକ ପୁରାଣୋକ୍ତ ଧର୍ମବାଣୀ ପରି ମନ୍ଥି ମିଶାଇ ପକାନ୍ତି । ଶ୍ରୀଅରବିନ୍ଦଙ୍କର ମୂଳ ଗବାକ୍ଷଟି ପାଖକୁ ପୁଣି ଫେରିଯାଇ ବୁଝିବାକୁ ଚେଷ୍ଟା କଲେ, ‘ପରମା ଜନନୀ ହେଉଛନ୍ତି ସେହି ସଦାସଚେତନ ପରମା ଶକ୍ତି ଯିଏକି ସକଳ ଅସ୍ତିତ୍ଵର ଅଧିକାରିଣୀ,–ସେହି ଗୋଟିଏ ସର୍ବୋଚ୍ଚ ସତ୍ୟର ଚେତନା ଓ ଶକ୍ତି । ଆମ ପରିଚିତ ଉପାସନା-ବ୍ୟୂହ ମାନଙ୍କରେ ସେହି ଚାରି ନାମର ବହନ କରୁଥିବା ଦେବୀମାନେ ତ ଗୋଟିଏ ଗୋଟିଏ ସମ୍ପ୍ରଦାୟର ଖାସ୍ ଅଧିଷ୍ଠାତ୍ରୀ ଏବଂ ଖାସ୍ ବିଧାନମାନଙ୍କରେ ସେମାନଙ୍କର ଅର୍ଚ୍ଚନାଦି କଲେ ସେମାନେ ପ୍ରସନ୍ନ ହୁଅନ୍ତି, ଦୁଃଖ ଦୂର କରନ୍ତି,–ଚତୁର୍ବର୍ଗ ଫଳ ପ୍ରାପ୍ତ କରାନ୍ତି । ତେଣୁ, ସେମାନଙ୍କୁ ଖାସ୍ ମନ୍ତ୍ରବିଧି ଦ୍ଵାରା ଡାକିବାକୁ ହୋଇଥାଏ । ଏବଂ, ଖାସ୍ ଫଳମାନଙ୍କର ପ୍ରାପ୍ତି ଲାଗି ସେମାନଙ୍କୁ ଲୋଡ଼ିବାକୁ ହୁଏ । ଶ୍ରୀଅରବିନ୍ଦ-ସାଧନାର ଜନନୀଙ୍କର ଏହି ସଂସାରର ସେହି କର୍ମଯୋଜନାରେ ନିମିତ୍ତବତ୍ ବ୍ୟବହୃତ ହୋଇପାରିବା ନିମନ୍ତେ ସତତ କିଛି ହେବାକୁ ହିଁ ପଡ଼େ । କତି କତି ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ଉତ୍ସର୍ଗୀକୃତ ହେବାର ପ୍ରତ୍ୟୟପତ୍ର ଦେଇ ସିଏ ତାଙ୍କରି କର୍ମରେ ସମ୍ପୃକ୍ତ ହୋଇ ରହିବାର ନାନା ଆହ୍ଵାନକୁ ଶୁଣିବାରେ ଲାଗିଥାଏ । ସକଳ ଅଧ୍ୟାତ୍ମ ହେଉଛି ସେଥିଲାଗି ଏକ ଅନ୍ୟ ବେଭାର, ଏକ ଅନ୍ୟ ଦୀକ୍ଷାଗ୍ରହଣ;–କେବଳ ହୋଇଯିବାର ଏକ ଅବିରାମ ଆହ୍ଵାନ, ମାଗୁଥିବା ଫଳଗୁଡ଼ିକୁ ଲାଭ କରି ତୃପ୍ତ ହୋଇ ଘରକୁ ଫେରି ଆସିବାର କୌଣସି ପ୍ରମାଦ ଲାଗି ଏଥିରେ କୌଣସି ଅବକାଶ ନଥାଏ ।

 

ପରମା ଜନନୀଙ୍କୁ ତେଣୁ ଆମେ ସେହି ମହାଶକ୍ତି ରୂପେ ଲୋଡ଼ିବା ଅର୍ଥାତ୍ ନିଜର ଜୀବନ, ମଧ୍ୟକୁ ସ୍ଵୀକାର କରି ଆଣିବା, ଯିଏକି ସତକୁ ସତ ଏକ ସେତୁରୂପେ ଅଧିଷ୍ଠିତ ହୋଇ ରହିଛନ୍ତି : ବର୍ତ୍ତମାନର ଆମର ଏହି ପୃଥିବୀ, ବିବର୍ତ୍ତନ ଯେଉଁଯାଏ ତାହାକୁ ପ୍ରକଟିତ କରି ଆଣିଛି ଏବଂ ସେହି ମାନସାତୀତ ଆଲୋକ, ସତ୍ୟମୟ ଜୀବନ ଏବଂ ସତ୍ୟମୟ ସୃଷ୍ଟି, ଯାହା ଏହି ପ୍ରସ୍ଥଟିକୁ ଆସିବ ବୋଲି ନିର୍ଦ୍ଦେଶିତ ହୋଇ ରହିଛି । ସେହି ସେତୁଟି ତେଣୁ ଏଯାବତ୍‍ କରାଯାଇଥିବା ଇଶ୍ୱର-ଥାପନା ଗୁଡ଼ିକର ସମ୍ପୂର୍ଣ୍ଣ ଊର୍ଦ୍ଧ୍ୱରେ । ହଁ, ସେତୁରୂପେ ପ୍ରତିଷ୍ଠିତ ରହି ପରମା ଜନନୀ ଆପଣାର ସକଳ ଶକ୍ତିକୁ ,ଏବଂ ନିମ୍ନତର ଜଗତଗୁଡ଼ିକ ମଧ୍ୟକୁ ପ୍ରେରଣ କରିବାରେ ଲାଗିଛନ୍ତି,–ଏହି ଏତିକିର ଗୁଳାମାନଙ୍କରେ ସେ ହସ୍ତକ୍ଷେପ କରୁଛନ୍ତି, ସମରରତ ହୋଇ ରହିଛନ୍ତି,- ଏବଂ ବିଜୟଲାଭ କରିବାରେ ଲାଗିଛନ୍ତି । ସତେଅବା ନିଜସ୍ଵ ସ୍ଵତନ୍ତ୍ର ପ୍ରହରଣଗୁଡ଼ିକୁ ଧାରଣ କରିଥିବା ପରି ଆମକୁ ଦେଖା ଯାଉଥିବା ପରମା ଜନନୀ ସ୍ଵବିଭୂତି ଗୁଡ଼ିକର ବଳରେ ଏପରି ଏକ ଅନ୍ୟ ବିଶ୍ଵ-ଅନୁକୂଳତାକୁ ସମ୍ଭବ କରି ନେଉଛନ୍ତି, ଯେପରିକି ଆଖର ସିଏ ଆମର ଏହି ଭୌତିକ ଜଗତରେ ପ୍ରକାଶିତ ହେବେ, ଏହି ମନୁଷ୍ୟଚେତନାର ଏକ ପରବର୍ତ୍ତୀ ଉଦ୍‌ଘାଟନକୁ ସମ୍ଭବ କରି ଆଣିବେ । ତେଣୁ ଅତ୍ୟନ୍ତ ସତକଥା ଯେ, ସିଏ କେବଳ ସେହି ଊର୍ଦ୍ଧ୍ଵରେ ରହି ସବୁ କରାଉ ନାହାନ୍ତି, ସିଏ ଏଇଠି ଆମ ସହିତ ରହିଛନ୍ତି ଏବଂ ଅନୁରୂପ ନବ ନବ ଆସ୍ପୃହାରେ ଆମ ମନୁଷ୍ୟମାନଙ୍କୁ ଜୁଆଇ ନେଉଛନ୍ତି । ଏହି ଅନ୍ଧକାର ତଥା ଏହି ନାନାଭାବେ ଆହତ ଏବଂ ପରାହତ ସଦା-ଆହାୟୀ ମନୁଷ୍ୟମାନଙ୍କର ସର୍ବବିଧ ଖଣ୍ଡପ୍ରୟାସ ମଧ୍ୟରେ ମଧ୍ୟ ସତତ ରହିଛନ୍ତି, ଯେପରିକି ସେମାନଙ୍କର ଏହି ପୃଥ୍ଵୀଜୀବନଟି ଏକ ଈଶ୍ଵରୀୟ ଜୀବନରୂପେ ଉନ୍ନୀତ ହୋଇଯାଇ ପାରିବ;–ଏବଂ ତା’ପରେ ଶ୍ରୀ ଅରବିନ୍ଦ ଯେପରି ଲେଖିଛନ୍ତି, ନିଜର ସନ୍ତାନମାନଙ୍କୁ ସେ ଏପରି ଅତୁଳ ଓ ଗଭୀର ଭାବରେ ଭଲ ପାଆନ୍ତି ଯେ, ସିଏ ଏଇଠାରେ ଅଛନ୍ତି,–ସବୁ ସହ୍ୟ କରୁଛନ୍ତି ଓ ସବୁକିଛିକୁ ଅଧିକରୁ ଅଧିକ ଫରଚା କରି ନେଉଛନ୍ତି ।

 

ତେଣୁ, ତଥାପି ଦୋହରାଇ ଆଣିବାପରି କହିଲେ, ସନ୍ତାନର ଭୂମିକାଟି ହେଉଛି ଏକ ଅନନ୍ୟ ଭୂମିକା ସନ୍ତାନର ସାଧନାକୁ ସେହି ପାରମ୍ପରିକ ପୁରୁଣା ମାର୍ଗଗୁଡ଼ିକର ସାଧନା ସହିତ ମୋଟେ ସମତୁଲ କରି ବିଚାର ମଧ୍ୟ କରାଯାଇ ପାରିବନାହିଁ । ସେହି ଅନ୍ୟ ସାଧନାଗୁଡ଼ିକ ତ ସାଧକକୁ ଅତ୍ୟନ୍ତ ଅଳ୍ପ ବୋଲି କଳ୍ପନା କରିନିଅନ୍ତି । ତେଣୁ ସାଧକ କେବଳ ମାଗେ, ଅଧିକରୁ ଅଧିକ ଖାଲି ମାଗିବାରେ ଲାଗିଥାଏ । ସତେଅବା ନିଜର କୌଣସି ଅଧକାନ୍ଥିଟିର ଏପାଖରେ ଠିଆ ହୋଇ ସେପାଖକୁ ହାତଟିକୁ ବଢ଼ାଇ ଦେଇ ମାଗୁଥାଏ । ମାଗୁଥିବାର ଦ୍ରବ୍ୟଗୁଡ଼ିକ ମିଳିଗଲେ ନିଜକୁ କୃତକୃତ୍ୟ ମଣେ ଏବଂ ନମିଳିଲେ ନିଜ ସାଧନାର ରଜ୍ଜୁମାନଙ୍କୁ ଅଧିକ ଟାଣ କରି ଆହୁରି ଅଧିକ ବ୍ୟାକୁଳ ହୋଇ ମାଗେ । ସନ୍ତାନ ହାତରେ କୌଣସି ରଜ୍ଜୁ ନଥାଏ । ମାଗିବାଟା ସଫଳ ହେବନାହିଁ ବୋଲି କୌଣସି ଶଙ୍କା ମଧ୍ୟ ନଥାଏ । ସିଏ କେବଳ ହୋଇ ହୋଇ ଯାଉଥାଏ । ଯେତିକି ସହଜ ହୋଇ ପାରୁଥାଏ, କତି କତି ହେବାର ମାର୍ଗବାର୍ତ୍ତାଟି ସତେଅବା ତା’ନିଜ ଭିତରୁ ହିଁ ପାଇବାରେ ଲାଗିଥାଏ । ଏବଂ, ସେହି ଅନୁସାରେ ତା’ ଜୀବନଟା ତାକୁ ମୋଟେ ଏକ ସମର ଭଳି ଲାଗେନାହିଁ । ପୁରାତନ କୃଚ୍ଛ୍ରସାଧନାରେ କେଉଁଠି ସାଧନାକୁ ସତକୁ ସତ ଏକ ସମର ବୋଲି କୁହାଯାଉଛି । ସମର କରି ସାଧନାରେ ବିଜୟୀ ହେଉଥିବା ସାଧକମାନେ ନାନାବିଧି ଅନ୍ୟ ସିଦ୍ଧି ହୁଏତ ଖୁବ୍ ଲାଭ କରିଥିବେ ସିନା, କିନ୍ତୁ ତଥାପି ସନ୍ତାନଟିଏ ହୋଇପାରିବେ ନାହିଁ । ଜଣେ ସନ୍ତାନକୁ କେବଳ ଜନନୀ ନୁହନ୍ତି, ଜନନୀଙ୍କର ଏହି ପୃଥିବୀଟି ମଧ୍ୟ କତି କତି ଲାଗୁଥିବ । ପରମା ଜନନୀଙ୍କର ଦର୍ପଣ ଉପରେ ପୃଥିବୀକୁ ଦେଖି ପାରିଲେ ପୃଥିବୀ ପ୍ରକୃତରେ ଘରଟିଏ ପରି ଲାଗେ । ସେହି ପୃଥିବୀ ବଦଳିବ । ଏବଂ, ସନ୍ତାନମାନେ ହିଁ ପୃଥ୍ଵୀ ବଦଳିବାର ମହାନ୍ କାର୍ଯ୍ୟରେ ନିୟୋଜିତ ହେବେ । ପୃଥ୍ଵୀ-ରୂପାନ୍ତରର ସେହି କାର୍ଯ୍ୟରେ ପରମା ଜନନୀ ମୋତେ ମଧ୍ୟ ନିମିତ୍ତରୂପେ ସ୍ଵୀକାର କରିଛନ୍ତି, ଏତିକି କଥାକୁ ଅନୁଭବ କରିବାକୁ ଆରମ୍ଭ କଲେ ଆପଣାକୁ ବସ୍ତୁତଃ ଆଉ ଅନ୍ୟ କିଛିପରି ଭ୍ରମ ହେବନାହିଁ । ସତେଅବା ମୋ’ ପାଖରେ ସକଳ ପୁଞ୍ଜି ମହଜୁଦ ହୋଇ ରହିଥିବା ପରି ଲାଗିବ,-ତେବେ ସନ୍ତାନ କାହିଁକି କୌଣସି ମିଛ ଅଭାବବୋଧର ପାଲରେ ପଡ଼ି କ’ଣ ସବୁ ମାଗିବାପାଇଁ ତଥାପି ମନ କରିବ ? ଏହିପରି ଭାବରେ ପୂର୍ଣ୍ଣଖୁସି ନିମିତ୍ତଟିଏ ହୋଇ ବାଟ ଉପରକୁ ବାହାରିବା ମାତ୍ରକେ ତାକୁ ସମସ୍ତେ ମଧ୍ୟ ନିମିତ୍ତ ବୋଲି ଲାଗିବେ : ସମସ୍ତେ କାମରେ ଲାଗିଛନ୍ତି ଓ ତେଣୁ ବାଟ ଚାଲୁଛନ୍ତି ବୋଲି ଜଳଜଳ ହୋଇ ଦେଖାଯିବେ । ବନ୍ଧୁ, ସେହିପରି ଜଳଜଳ ହୋଇ ଦେଖାଯିବାରୁ ହିଁ ପୃଥିବୀ ଅବଶ୍ୟ ବଦଳୁଛି ବୋଲି ଅନୁଭବ ହେବ । ଜନନୀ ପ୍ରତ୍ୟକ୍ଷ ହୋଇ ଆସୁଥିବେ ।

 

ଏହିପରି ଏକ ସହଜ ଅନ୍ତର ସହିତ ଆମେ ପରମା ଜନନୀଙ୍କର ସେହି ପ୍ରମୁଖ ବୋଲି ବର୍ଣ୍ଣନା କରା ଯାଇଥିବା ଚାରି ଶକ୍ତିର ନିକଟବର୍ତ୍ତୀ ହେବା ଏବଂ ନିକଟବର୍ତ୍ତୀ ହେଉଥିବାର ସେହି ସହଜ ପାବଚ୍ଛକ୍ରମରେ ଆମ ଭିତରକୁ ମଧ୍ୟ ବାଟମାନ ଖୋଲି ଯାଉଥିବ । ମଥାମାନେ ଆଉ ମୋଟେ କୌଣସି ପ୍ରତାପ ଦେଖାଉ ନଥିବେ,-ବରଂ କରୁଣାଲବ୍ଧ ସତେଅବା ଆଉକିଛି ସାମର୍ଥ୍ୟ ଆମ ମଥାଟିକୁ ମଧ୍ୟ ବହୁତ କିଛିର ଯୋଗ୍ୟ କରାଇ ସଜାଡ଼ି ନେଉଥିବ । ପୁରୁଣା ଛାଞ୍ଚ ଏବଂ ରୂପଗୁଡ଼ିକ ତା’ପରେ ଆଉ ଆଦୌ କୌଣସି ବାଧା ମୋଟେ ସୃଷ୍ଟି କରିବେ ନାହିଁ । ବରଂ, ପୁରୁଣାଗୁଡ଼ିକ ନାନା ଅଭାବନୀୟ ବ୍ୟଞ୍ଜନାରେ ଆମ କଳନାଗୁଡ଼ିକର ଆଖି ଆଗରେ ପ୍ରତିଭାତ ହୋଇ ଆସିବେ । ସେହି ନୂଆ ଠୁଳ କଳ୍ପନାଗୁଡ଼ିକୁ ହିଁ ଶ୍ରୀ ଅରବିନ୍ଦ ଆମକୁ ନିଶ୍ଚୟ ସହଜ ଲାଗିବ ବୋଲି ମାହେଶ୍ଵରୀ, ମହାକାଳୀ ଏବଂ ମହାସରସ୍ଵତୀ ବୋଲି ନାମ ଦେଇଛନ୍ତି । ଆମେ ଖୁବ୍ ଭଲ କରି ପୁନର୍ବାର ମନେ ରଖିବା ଯେ, ପୌରାଣିକ ଭାବୁକତାର ସେହି କାହାଣୀଗତ ଛାପଗୁଡ଼ିକର ଢାଙ୍କୁଣିମାନ ଦେଇ ଆମେ ଶ୍ରୀ ଅରବିନ୍ଦଙ୍କର ସେଇ ଉପସ୍ଥାପନା ମାନଙ୍କୁ ଝାପ୍‌ସା କରି ପକାଇବା ନାହିଁ । ପରମାଜନନୀଙ୍କର ଏହିପରି ଚାରିଗୋଟି ରୂପ ରହିଛି ବୋଲି ଆମକୁ ବେଶ୍ ଚିହ୍ନା ଲାଗୁଛି ବୋଲି ବିଚାରି ଆମେ ସେଗୁଡ଼ିକର ପ୍ରକୃତ ଆବେଦନ ମାନଙ୍କୁ ଆଦୌ ଚହଲାଇ ମଧ୍ୟ ଦେବାନାହିଁ-। ଦେବୀରୂପିଣୀ ମାହେଶ୍ଵରୀ ଆମର ଏହି ଭାବନାସର୍ବସ୍ଵ ଏତିକି ମନଟାର କେତେ ନା କେତେ ଊର୍ଦ୍ଧ୍ଵରେ ଏକ ପରମ ବ୍ୟାପ୍ତିର ଭୂମିରେ ଅବସ୍ଥିତ ଥାଆନ୍ତି, ଆମ ସକଳ କଳ୍ପନାର ଅତୀତ ଏକ ଇଚ୍ଛାଶକ୍ତିର ସ୍ତରରେ । ସିଏ ଆମର ଏହି ମନକୁ ଏକ ବିଶାଳତା ଦ୍ଵାରା ଉଦବୁଦ୍ଧ କରନ୍ତି ଏବଂ ଏକ ଅଭାବନୀୟ ପ୍ରଜ୍ଞାର ଐଶ୍ଵର୍ଯ୍ୟ ମଧ୍ୟରେ ଉତ୍‌କ୍ରାନ୍ତ କରି ରଖିଥାନ୍ତି । ମାହେଶ୍ଵରୀ ହେଉଛନ୍ତି ଏକ ଅମିତ ସତ୍ୟବୋଧ ଏବଂ ସତ୍ୟବଳ ଆକର, କେବେହେଲେ କୌଣସି ପକ୍ଷପାତିତା ଦ୍ଵାରା ନିଜକୁ ଟଳାଇ ଦିଅନ୍ତିନାହିଁ, ଏବଂ, ଯିଏ ଯେତିକି ଯୋଗ୍ୟ ଅର୍ଥାତ୍ ଯେତିକି ଆସ୍ପୃହାର ଅଧିକାରୀ, ତା’ପ୍ରତି ସେହିପରି ଆଚରଣ କରନ୍ତି । ପ୍ରଜ୍ଞାଶୀଳ ମାନଙ୍କୁ ଅଧିକ ପ୍ରଜ୍ଞାଶୀଳ କରାଇ ନିଅନ୍ତି, ଦୃଷ୍ଟିସମ୍ପନ୍ନ ମାନଙ୍କ ମଧ୍ୟରେ ଅଧିକ ଦୃଷ୍ଟି ଭରି ଆଣନ୍ତି । ଅର୍ଥାତ୍ ଯେଉଁ ମନୁଷ୍ୟବ୍ୟକ୍ତି ଯେଉଁପରି ଭାବରେ ଆପଣା ବଞ୍ଚିବାର ସ୍ଵଭାବଟିର କ୍ଷେତ୍ରରେ ରହିଥାଏ, ମାହେଶ୍ଵରୀ ସେହିପରି ଭାବରେ ତାହାର ସହାୟତା ହିଁ କରିପାରନ୍ତି । ତେଣୁ, ସମ୍ଭବତଃ ଯଥାର୍ଥ ନିଷ୍କର୍ଷଟି ହେଉଛି ଯେ, ମନୁଷ୍ୟମାନଙ୍କର ଜୀବନାଚାର ଓ ଜୀବନାଦର୍ଶଟି ଯେପରି ହୋଇ ରହିଥାଏ, ମାହେଶ୍ଵରୀଙ୍କୁ ସେ ସେହି ଅନୁସାରେ ଆପଣାର କ୍ଷେତ୍ରଟିକୁ ଆବାହନ କରି ହିଁ ଆଣିଥାଏ । ଅର୍ଥାତ୍, ଭୂମିଟି ସମୁଚିତ ଆସ୍ପୃହାର ସ୍ତରରେ ନଥିଲେ ସେ ଆଦୌ ପ୍ରାୟ ଏକପାଖିଆ ଭାବରେ ଦୟା ବହି ଆଦୌ କିଛି କରନ୍ତି ନାହିଁ, । ଖୁବ ପ୍ରାସଙ୍ଗିକତା ସହିତ ଏପରି ମଧ୍ୟ କୁହାଯିବ ଯେ ସିଏ ସର୍ବଦା ରହିଥାଆନ୍ତି ସିନା, କିନ୍ତୁ କ୍ଷେତ୍ରଟି ଅନୁରୂପ ଭାବରେ ଆବହନଯୋଗ୍ୟ ନହୋଇଥିଲେ ଆମେ ମନୁଷ୍ୟମାନେ ମାହେଶ୍ଵରୀ ରହିଛନ୍ତି ବୋଲି ଅନୁଭବ ହିଁ କରି ପାରୁନାହିଁ । ସାହାୟତା ରହିଥାଏ, କିନ୍ତୁ ଆମେ ସେହି ସହାୟତାକୁ ଲାଭ କରି ପାରୁନାହିଁ । ଆଗ ଆମର ପ୍ରସ୍ତୁତି, ଆମ ଜୀବନଧର୍ମଟିର ସମ୍ମତି,-ନହେଲେ ପୃଥିବୀଯାକ ଆଲୋକଟି ଅବିଚ୍ଛିନ୍ନ ଭାବରେ ରହିଥାଏ, ମାତ୍ର ଆମପାଇଁ ତାହାର କୌଣସି ଅସ୍ତିତ୍ଵ ନଥାଏ-

 

ଆମ ଅର୍ଦ୍ଧଜ୍ଞାନ ଗୁଡ଼ିକ ଦ୍ଵାରା ପରିଚାଳିତ ହୋଇ ସେଥିଲାଗି ଉଦାରହୃଦୟା ମାହେଶ୍ଵରୀଙ୍କୁ କଦାପି ସିଏ କାହିଁକି କେତେକଙ୍କ ପ୍ରତି ନିର୍ଦ୍ଦୟ ହୁଅନ୍ତି ବୋଲି ଆମେ ଆଦୌ ବିଚାର କରି ପକାଇବା ନାହିଁ । ନାଇଁ, ସିଏ ଅପେକ୍ଷା ହିଁ କରିଥାନ୍ତି,–ଆମେ ଭୂମିଟିକୁ ସମ୍ମତ କରି ନେବାଯାଏ ଅପେକ୍ଷା ରଖନ୍ତି । କିନ୍ତୁ କୃପାପ୍ରଦର୍ଶନ ନାମରେ ପ୍ରସ୍ତୁତ ହୋଇନଥିବା ଆମ ଉପରେ ଆପଣାର କୃପାଗୁଡ଼ିକୁ ଆଣି ଅଜାଡ଼ି ଦିଅନ୍ତି ନାହିଁ । ଧୈର୍ଯ୍ୟର ସହିତ ଅପେକ୍ଷା କରୁଥାନ୍ତି, ନିଶ୍ଚୟ ବିଶ୍ଵାସ ରଖିଥାନ୍ତି । ଆମେ ନାନା ଆର୍ତ୍ତତା ଏବଂ ଲାଳସା ମଧ୍ୟରେ ଅନ୍ୟମନସ୍କ ହୋଇ ରହିଥିବା ପର୍ଯ୍ୟନ୍ତ ଦେବୀ ମାହେଶ୍ଵରୀଙ୍କର ବିଶାଳ ପ୍ରଜ୍ଞା ତଥା ଶକ୍ତି ଆମର ଏତେ ପାଖରେ ନ୍ୟାୟତଃ ଆମରି ଲାଗି ମହଜୁଦ ହୋଇ ରହିଛି ବୋଲି ସେହି କଥାଟିକୁ ପ୍ରକୃତରେ କିପରି ବୁଝିପାରନ୍ତେ ! କାରଣ, ଶ୍ରୀଅରବିନ୍ଦଙ୍କର ସେହି ସ୍ପଷ୍ଟ ସତ୍ୟୋକ୍ତିଟି ଅନୁସାରେ, ସିଏ ସବାଆଗ ଏହିପରି ଇଚ୍ଛା କରୁଥାଆନ୍ତି ଯେ ଆମର ଆତ୍ମାଟି ହିଁ ତିଆରି ହୋଇ ଆସୁ, ଆମ ପ୍ରକୃତିଟି ସମ୍ୟକ୍‍ ଭାବରେ ଗଢ଼ି ହୋଇଆସୁ । କାରଣ ନିଜର ସେହି ବ୍ୟକ୍ତିଜୀବନ ଏବଂ ବ୍ୟକ୍ତିସ୍ଵଭାବର ସ୍ତରରେ ଆମେ ଯେପରି ଦିବ୍ୟ ପରମ ସତ୍ୟଟି ମଧ୍ୟକୁ ଗଠିତ ହୋଇଯାଇ ପାରିବା, ଆମର ଏହି ଜଗତଟିରେ ଦେବୀ ମାହେଶ୍ଵରୀ ସେହିପରି ଏକ ବତ୍ରର ପରିପୂରଣ ନିମନ୍ତେ ତ ସବୁକିଛି କରନ୍ତି, ତାଙ୍କର ସର୍ବବିଧ ଶ୍ରମକୁ ଉଦ୍ଦିଷ୍ଟ କରି ରଖିଥାନ୍ତି ।

 

ମାହେଶ୍ଵରୀଙ୍କ ପରେ ଦ୍ଵିତୀୟ ରୂପକଳ୍ପନାଟି ହେଉଛି ମହାକାଳୀଙ୍କର କଳ୍ପନା ବିଚିତ୍ର ସେହି ମହାକାଳୀ,–ବିସ୍ତାର ନୁହେଁ, ସତେଅବା କେବଳ ଏକ ଉଚ୍ଚତା; ପ୍ରଜ୍ଞା ନୁହେଁ, ଶକ୍ତିମତ୍ତା,–ଏକ ଦିବ୍ୟସ୍ତରୀୟ ମଉତା,–ଯାବତୀୟ ସୀମାକୁ ଅତିକ୍ରମ କରି ଚାଲିଯିବାର ଏକ ତୀବ୍ରତା,–ସର୍ବବିଧ ପ୍ରତିବନ୍ଧକକୁ ଚୂର୍ଣ୍ଣ କରି ପକାଇବା ଲାଗି ଏକ ସଦାଅଧୀରତା । ଦେବୀ ମହାକାଳୀଙ୍କର ଏକ ଯଥାସମ୍ଭବ ବୋଧ ଆଣି ଦେବାକୁ ଶ୍ରୀଅରବିନ୍ଦ କେତେ ନୈପୂଣ୍ୟ ସହିତ ତୀକ୍ଷଣ ଶବ୍ଦଗୁଡ଼ିଏ ଚୟନ କରି ଆଣିଛନ୍ତି । କେବଳ ଐଶ୍ଵର୍ଯ୍ୟଶାଳୀ ଏବଂ ଚକିତକାରୀ ଏକ ସଦାଗତିଶୀଳତା । ଏବଂ, ସ୍ଵୟଂ ଅସୁରମାନଙ୍କର ଚିତ୍ତରେ ଭୟ ଉପୁଜାଇ ପାରୁଥିବା ଆମର ଜନନୀ; ଏହି ମହାକାଳୀ । ଆମର ଏହି ଅଳ୍ପତାଗୁଡ଼ାକୁ ସିଏ କଦାପି ସହ୍ୟ କରି ପାରନ୍ତିନାହିଁ, ଭୀରୁତାଗୁଡ଼ିକୁ ଭାଙ୍ଗି ଦିଅନ୍ତି । ଆମ ଭିତରର ଅସୁରମାନେ ସେହିପରି କିଛି କାରଣ ପାଇଁ ଆମ ଭିତରର କାଳୀଙ୍କର ସମ୍ମୁଖୀନ ହେବାକୁ ଭୟ କରନ୍ତି ଏବଂ ତେଣୁ ଅରାଜି ହୋଇ ହୋଇ ଲୁଚି ଲୁଚି ବୁଲୁଥାଆନ୍ତି କି ? ଆମ ଭିତରେ ଥାଇ ଆମକୁ ଉଚିତ ଆଖିମାନ ଦେଇ କେତେ କ’ଣ ବାଟ ଚଳିବାକୁ ସହାୟତା କରିବାକୁ ଇଚ୍ଛା କରୁଥିବା ଆମ ଦିବ୍ୟ ଅଂଶଟିକୁ ଘୃଣା କରୁଥିବା ଅର୍ଥାତ୍ ଭୟ କରନ୍ତି ନାନା ପ୍ରକ୍ଷେପ ମଧ୍ୟରେ ଭୁରୁଡ଼ାଇ ରଖିଥିବା ଖାସ୍ ଉପାଦାନ ଗୁଡ଼ିକୁ ବିନାଶ କରିବା ନିମନ୍ତେ ସେ ସତେଅବା ଖଡ଼୍‌ଗ ଉଞ୍ଚାଇ ଅପେକ୍ଷା କରିଥାନ୍ତି । ଆମର ଅପୂର୍ଣ୍ଣତା ଏବଂ ଅନିଚ୍ଛାଗୁଡ଼ିକୁ ମୋଟେ ଦୟା ଦେଖାନ୍ତିନାହିଁ । ଆମର ସକଳ ଉଦାସୀନତା ଅର୍ଥାତ୍ ଆତ୍ମଉପେକ୍ଷାର ଆଣ୍ଟକୁ ଭାଙ୍ଗି ଦିଅନ୍ତି । ଅର୍ଥାତ୍,ଆମ ଭିତରେ ସିଏ କ’ଣ ସବୁ ବିଶାଳ ସମ୍ଭାବନାର ଆଭାସ ପାଇଥାନ୍ତି କେଜାଣି ? ଶୟାନମାନଙ୍କର ନିଦ ଭାଙ୍ଗନ୍ତି, ଆମ ଭିତରର ସୁପ୍ତ ଆସ୍ପୃହାର ଶିକ୍ଷାଗୁଡ଼ିକୁ ପ୍ରଜ୍ଜ୍ଵଳିତ କରାନ୍ତି, ଅର୍ଥାତ୍ କଠୋରରୁ ଆହୁରି କଠୋର ହୋଇ ଆମକୁ ଆମର ସତ୍ୟ–ପରିଚୟଟି ବିଷୟରେ ସଚେତନ କରାଇ ନେଇଥାନ୍ତି । ଆଘାତ ପରେ ଆଘାତ ହାଣି ଆମକୁ ଟାଣ କରନ୍ତି, ଯଥାର୍ଥ ପୋଷଣଗୁଡ଼ିକ ମଧ୍ୟକୁ ମୁକ୍ତକରି ନେଉଥାନ୍ତି । ଶ୍ରୀଅରବିନ୍ଦଙ୍କର କଥାରେ, ବାହାରକୁ ଯେତେ କ୍ରୂର ଆଚରଣ କରୁଥିବା ପରି ପ୍ରତୀତ ହେଉଥିଲେ ମଧ୍ୟ ସିଏ ତଥାପି ମାଆ,-ତଥାପି ଦୟାଶୀଳା,–ଆମ ନିଦ ନଭାଙ୍ଗିବା ଯାଏ ଆମକୁ ଅଶାନ୍ତ କରି ରଖିଥିବା ସତକୁ ସତ ସିଏ ଆମର ମାଆ । ଅର୍ଥାତ୍ ଅସଲ ମାଆପଣର ଏକ ଯଥାର୍ଥ ତଥା ଆବଶ୍ୟକ ପରିପ୍ରକାଶ । ଆମର ନିଦଗୁଡ଼ିକୁ ଭାଙ୍ଗିଦେବା ସକାଶେ ନିଷ୍ଠୁର, କିନ୍ତୁ ଆମର ବୀରୋଚିତ ସେହି ମନୁଷ୍ୟ–ପରିଚୟଟିକୁ, ଜଣେ ଯଥାର୍ଥ ସନ୍ତାନର ପରିଚୟଟିକୁ ସମ୍ମୁଖୀକୁ ଉନ୍ମୋଚିତ କରି ଆଣିବାକୁ ଆମ ମାଆଟି ପରି ସମାନ ଭାବରେ ସଦାଉଦ୍ୟତ ।

 

ତେଣୁ, ଶ୍ରୀଅରବିନ୍ଦଙ୍କର ବର୍ଣ୍ଣନାଟି ଅନୁସାରେ, ଆମ ଭିତରୁ ଯେଉଁମାନେ ମହତ୍‌ପ୍ରୟାସୀ, ମହତ୍‌ର ଅନ୍ଵେଷୀ, ସେମାନେ ଦେବୀ ମହାକାଳୀଙ୍କୁ ଖୁବ୍ ଭଲ ପାଆନ୍ତି ଓ ଆପଣାର ଦ୍ଵାରମାନଙ୍କୁ ତାଙ୍କରି ଆଡ଼କୁ ଉନ୍ମୋଚିତ କରି ରଖିଥାନ୍ତି । କେବଳ ଦୁର୍ବଳ ଅର୍ଥାତ୍ ଅଳପରେ ହିଁ ପରିତୁଷ୍ଟମାନେ ହିଁ ତାଙ୍କୁ ଡରନ୍ତି । ସେମାନେ ନିରାପତ୍ତା ହିଁ ଚାହାନ୍ତି,–ମୋ’ ଜଗତ ଏବଂ ମୁଁ, ମୁଁ ଏବଂ ମୋ’ ଜଗତ ଏତିକିରେ ସନ୍ତୁଷ୍ଟ ହୋଇ ରହନ୍ତୁ ବୋଲି ସେମାନେ କାମନା କରୁଥାନ୍ତି କି ? ଶ୍ରୀଅରବିନ୍ଦ ଅଧିକନ୍ତୁ ଏହି ଅସଲ କଥାଟି ବିଷୟରେ ମଧ୍ୟ ଆମକୁ ସଚେତ କରାଇ ଦେଇଛନ୍ତି ଯେ, କାଳୀଙ୍କ କୃପାରୁ ଏହି ସକଳ ସୁଯୋଗ ଏବଂ ସୌଭାଗ୍ୟ ଆମକୁ ଅବଶ୍ୟପ୍ରାପ୍ତ ହେବ, ଯଦି ଆମେ ତାଙ୍କୁ ଆମେ ଆମ ଜୀବନର ଚାରଣାଗୁଡ଼ିକର କ୍ଷେତ୍ରରେ ହସ୍ତକ୍ଷେପ କରିବା ଲାଗି ବାଟ ଛାଡ଼ିଦେବା । ଆମର ଏହି ଜାଗତିକ ଜୀବନଧର୍ମଟିର ଯାବତୀୟ ସଞ୍ଚାରଣାରେ ଯାହା, ଏଠାରେ ମଧ୍ୟ ଠିକ୍ ସେଇଆ : ଆମେ ଅନୁମତି ଦେବା, ବାଟ ଛାଡ଼ିଦେବା, ନିଦ୍ରାତ୍ୟାଗ କରିବାକୁ ମନ କରିବା, ଆପଣା ଭିତରେ ଆପଣାର ଅସଲ ଶିଖରଗୁଡ଼ିକୁ ଠାବ କରିବା, ଗୁଳାଗୁଡ଼ିକୁ ହିଁ ମନୁଷ୍ୟନିୟତିର ଚୂଡ଼ାନ୍ତ ‘ଉପଲବ୍ଧି ବୋଲି କଦାପି ମନ ନକରିବା,–ଅର୍ଥାତ୍ କାମ୍ୟ ଆସ୍ପୃହାଗୁଡ଼ିକରେ ବାଟ ଚାଲିବାକୁ ସମ୍ମତ ହୋଇଥିବା । ଯଦି ବାଛି ପାରୁଥିବା,–ତେବେଯାଇ ମହାକାଳୀଙ୍କୁ ମଧ୍ୟ ନିଜ ଭିତରେ ଆବିଷ୍କାର କରିପାରିବା । ଅସଲ ଶକ୍ତିମାନେ ପ୍ରାୟ ଆଦୌ ଜବରଦସ୍ତି କରନ୍ତିନାହିଁ,–ଆମର ସମ୍ମତି ଲାଗି ଅପେକ୍ଷା କରିଥାନ୍ତି,–ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତି : ଆମ ଆଡ଼ୁ ହିଁ ଆମର ଦୁଆର ଗୁଡ଼ିକ ଖୋଲିବା ବୋଲି ସତତ ବିଶ୍ଵାସ ରଖିଥାନ୍ତି । ବସ୍ତୁତଃ ଅପଶକ୍ତିମାନେ ହିଁ ଜବରଦସ୍ତି କରନ୍ତି, ନାନାବିଧ ମିଛ ଉତ୍ତେଜନାମାନ ଦିଅନ୍ତି, ନାନା ମିଛ ଆକର୍ଷଣ ଦ୍ଵାରା ହୁଡ଼ାଇ ନିଅନ୍ତି । ତେଣୁ, ଯଦି ଆମେ ପ୍ରକୃତରେ ତାଙ୍କର ହସ୍ତକ୍ଷେପ ଲାଗି ବାଟ ଛାଡ଼ିଦେବା, ତେବେ ଯାଇ ମହାକାଳୀ ଆମ ଜୀବନରେ ଆସି କ୍ରିୟାଶୀଳା ହୋଇ ପାରିବେ । ତେବେ, ତାଙ୍କରି ସେହି କୃପାଟିକୁ ଲାଭ କରି ଆମେ କେଡ଼େ ଅଧିକ କୁଣ୍ଠାରହିତ ଭାବରେ ନିଜର ଜୀବନରେ ତଥା ଆମେ ଦାୟୀ ହୋଇ ରହିଥିବା ଏହି ପୃଥିବୀରେ ମଧ୍ୟ ଅଟକି ରହିଥିବା କେତେ କେତେ ଅବଭାବନୀୟ ସମ୍ଭାବ୍ୟକୁ ସମ୍ଭବ କରି ଆଣି ନପାରିବା ! ସତେଅବା ମାତ୍ର କେତୋଟି ମୁହୂର୍ତ୍ତରେ ମଧ୍ୟ ବହୁ ଅସଙ୍ଗତିକୁ ଟାଳି ଦେଇହେବ ଏବଂ ଆମ ସତ୍ୟାନ୍ଵେଷଣର ପଥରେ କେତେ କେତେ ବାଧାର ଅପସାରଣ ସମ୍ଭବ ହୋଇ ଆସିବ । ତେଣୁ, ସତକୁ ସତ ବୀରମାନେ ହିଁ ମହାକାଳୀଙ୍କୁ ଅବଶ୍ୟ ଲୋଡ଼ିବେ,–ସେମାନଙ୍କ ଭିତରେ ଯାହାକିଛି ବିଦ୍ରୋହୀ ହୋଇ ଆଚରଣ କରୁଛି, ସମ୍ମୁଖକୁ ନଆସି ଲୁଚି ରହିବାକୁ ଚେଷ୍ଟା କରୁଛି, ଏବଂ ସେହି କାରଣ ଆମ ଜୀବନରେ ବହୁ ଉତ୍ତୋଳନ ନିମନ୍ତେ ବାଧକ ହୋଇ ରହିଛି, ମହାକାଳୀ ସେହି ଉପାଦାନ ଗୁଡ଼ିକୁ ନିଜର ହସ୍ତକ୍ଷେପ ବଳରେ ଯେ ଶକ୍ତିରେ ରୂପାନ୍ତରିତ କରିଦେବେ, ଜଣେ ବୀର ସନ୍ତାନ ସେକଥାଟିକୁ ଭଲ କରି ଜାଣିଥାଏ ଏବଂ ତେଣୁ ତାଙ୍କୁ ଡରେ ନାହିଁ । ସେ କୌଣସି ପରିବର୍ତ୍ତନକୁ ଡରେନାହିଁ ଏବଂ ତେଣୁ ବାଟ ଛାଡ଼ିଦିଏ । ମହାକାଳୀ ସତେଅବା ହାତୁଡ଼ି ହାତରେ ଆମକୁ ପିଟି ପିଟି ଯେ ଯୋଗ୍ୟ କରିନିଅନ୍ତି, ପରିବର୍ତ୍ତନ ଲାଗି ସଦା ପ୍ରସ୍ତୁତ ଜଣେ ସନ୍ତାନ ସେକଥା ଜାଣିଥଏ । ଆମର ଜ୍ଞାନରୁ ବହୁ ବିଜୟରେ ଭରି ସମର୍ଥତା ଆଣି ଦିଅନ୍ତି । ସୌନ୍ଦର୍ଯ୍ୟ ତଥା ସମସଞ୍ଜତାର ବୋଧକୁ ନାନା ତାତ୍କାଳିତ ସ୍ଥାଣୁତାରୁ ମୁକ୍ତ କରାଇ ଗତିସଚଳତା ଆଣି ଦିଅନ୍ତି । ପରିପୂର୍ଣ୍ଣତା ନିମନ୍ତେ ସୁପ୍ତପ୍ରାୟ ହୋଇ ରହିଥିବା ଆମର ଆସ୍ପୃହା ଗୁଡ଼ିକୁ ଏକ ଅଭୂତପୂର୍ବ ସଞ୍ଚାଳିକାଶକ୍ତି ପ୍ରଦାନ କରନ୍ତି । ଯେତିକି ହାସଲ ହୋଇ ପାରିଛି, ସେତିକିକୁ ସବୁ ବୋଲି ସ୍ଵୀକାର କରି ନହୋଇ ମହାକାଳୀ ଆମକୁ ଆହୁରି, ଆହୁରି ଉଚ୍ଚତର ବିନ୍ଦୁଗୁଡ଼ିକୁ ଲକ୍ଷ୍ୟରୂପେ ସ୍ଵୀକାର କରି ନେବାର ପ୍ରତ୍ୟୟଚୟର ଅଧିକାରୀ କରାନ୍ତି-। ଏହି ସବୁକିଛି ଆମ ଜୀବନରେ ସମ୍ଭବ ହୁଏ, ଯଦି ଆମେ ତାଙ୍କୁ ଆମ ଜୀବନରେ ହସ୍ତପେକ୍ଷ କରିବା ନିମନ୍ତେ ବାଟ ଛାଡ଼ିଦେଉ ।

 

ତୃତୀୟ ଶକ୍ତି ହେଉଛନ୍ତି ମହାଲକ୍ଷ୍ମୀ । ଯାହାଙ୍କର ପୂଜା କରି ଆମେ ଆମର ଏହି ପାରମ୍ପରିକ ଏକ ଚଳଣି ଅନୁସାରେ ସତେଅବା ଜଣେ ଜଣେ କୁବେର ପରି ଲକ୍ଷ୍ମୀମନ୍ତ ହୋଇ ଯିବାଲାଗି ତତ୍ପର ହେଉ, ଇଏ ଆଦୌ ସେ ଲକ୍ଷ୍ମୀନୁହନ୍ତି । ମହାଲକ୍ଷ୍ମୀ ହେଉଛନ୍ତି ପରମାଜନନୀଙ୍କର ଏକ ଶକ୍ତି ଯିଏକି ଆମ ଚେତନାର କ୍ଷେତ୍ରରେ ଏକ ବିଶେଷ ସମୀପ୍ୟର ଅନୁଭବ ଆଣି ଦିଅନ୍ତି ଏବଂ ଆମକୁ ଧନ୍ୟ କରନ୍ତି । ଆମ ଭିତରେ ଏପରି ଏକ ବିଶେଷ ସମୀପ୍ୟର ଅନୁଭବ ଆଣି ଦିଅନ୍ତି ଏବଂ ଆମକୁ ଧନ୍ୟ କରନ୍ତି, । ଆମ ଭିତରେ ଏପରି ଏକ ପୂର୍ଣ୍ଣତର ଭାବକୁ ସମ୍ଭବ କରାଇ ପାରନ୍ତି, ଯାହାକି ତଥାପି ଆହୁରି ଆହୁରି ପୂର୍ଣ୍ଣତାର ଆକାଙ୍‌କ୍ଷା ସମ୍ଭବ ହୋଇପାରିବା ନିମନ୍ତେ ଆମକୁ ଏକ ସ୍ଥିତ ସହଜ ପ୍ରତ୍ୟୟ ଆଣି ଦେଇଥାଏ,–ଏପରି ଗୋଟିଏ ପ୍ରତ୍ୟୟ, ଯାହାକି ଆମେ କାଳେ ଏତେ ଏତେ ଆସ୍ପୃହାର ଯୋଗ୍ୟ ହୋଇ ପାରିବୁନାହିଁ, ଆମକୁ ସେହି ଭୟରୁ ମୁକ୍ତ କରି ରଖିଥାଏ । ଆମ ଭିତର ପଥଚାରୀଟି ନିମନ୍ତେ ମହାଲକ୍ଷ୍ମୀ ସର୍ବଦା ସବୁଠାରୁ ଅଧିକ ଆକର୍ଷକ ହୋଇ ରହିଥାନ୍ତି । ଆମକୁ ଏକ ସକାରାତ୍ମକତାରେ ସର୍ବଦା ହିଁ ସମ୍ପଦବାନ୍‍ କରି ରଖିଥାନ୍ତି ଓ ଆମ ଭିତରୁ ଯାବତୀୟ ଅସମର୍ଥତାର ବୋଧକୁ ଅପସରାଇ ନିଅନ୍ତି-। ଅର୍ଥାତ୍ ସେହିଥିରୁ ହିଁ ଏପରି ଏକ ସହଜ ବଳର ପ୍ରତ୍ୟୟ ଆମ ଭିତରେ ସମ୍ଭବ ହୋଇଆସେ, ଯାହାର ସତେଅବା ଏକ ଆଶୀର୍ବାଦସ୍ପର୍ଶରେ ଆମ ଭିତରେ ରହିଥିବା ହୁଏତ ଏକାଧିକ ଅସମର୍ଥତାକୁ ଲଙ୍ଘିଯିବାର ଏକ ଆତ୍ମବିଶ୍ଵାସ ଆମ ଭିତରେ ଅମିତ ବଳ ଆଣି ଭରି ଦେଇଥାଏ-। ମହାଲକ୍ଷ୍ମୀ ହେଉଛନ୍ତି ଏପରି ଏକ ମାଧୁର୍ଯ୍ୟର ଦ୍ୟୋତକ, ଯାହାକି ଆମକୁ ଆମର କେତେ କ’ଣ ନାହିଁ ନାହିଁର କୁଣ୍ଠାମାନଙ୍କୁ ଦୂର କରି ହଁ ହଁର ଜୀବନଦୃଷ୍ଟିରେ ଭରି ଆଣିବାରେ ଲାଗିଥାଏ । ସତକୁ ସତ ଏକ ଅଭୟ ମିଳେ, ଆପଣାକୁ ସତେଅବା କେଉଁ କେତେ କ’ଣର ନିମିତ୍ତଟିଏ ବୋଲି ଦେଖିହୁଏ । ଏବଂ, ସେହି ମହାଲକ୍ଷ୍ମୀଙ୍କୁ ନିଜର ଅନ୍ତର ଭିତରେ ଅନୁଭବ କରିବା,–ତାହା ଆମ ଜୀବନର ମୂହୁର୍ତ୍ତଗୁଡ଼ିକୁ କେବଳ ଏକ ସହଜ ଉଲ୍ଲାସର ଅନିର୍ବଚନୀୟତା ଦ୍ଵାରା ପୂର୍ଣ୍ଣ କରି ହିଁ ରଖିଥାଏ । କେଡ଼େ ସ୍ଵାଭାବିକ ଭାବରେ ମହାଲକ୍ଷ୍ମୀଙ୍କର ରାଜ୍ୟଟିରୁ ଆମ ନିଜ ଭିତରକୁ ଏକ କରୁଣାରୂପୀ ଆଲୋକ ଆମ ଭିତରକୁ ଏବଂ ସମଗ୍ର ଏହି ପୃଥିବୀକୁ ଉତ୍ସାରିତ ଆସୁଥିବାର ପ୍ରତ୍ୟକ୍ଷ ହୁଏ । ତାଙ୍କର ଏକ ଦରସ୍ମିତ ମୋଟେ ଅବଶ୍ୟ ସ୍ପର୍ଶ କରୁଛି ବୋଲି ନିର୍ଭରପୂର୍ଣ୍ଣ ଏକ ବାର୍ତ୍ତା ଆସି ମୋଟେ କେତେ ବଳ ଦେବାରେ ଲାଗିଥାଏ । ମୁଗ୍ଧ କରି ରଖେ । ଆମର ମନ, ପ୍ରାଣ ଏବଂ ଦେହରୁ ସତେଅବା କେଡ଼େ ତକ୍ଷଣେ ପରିଶୁଦ୍ଧ କରିପାରେ । ତାଙ୍କର ଚରଣ ସ୍ପର୍ଶ ଦ୍ଵାରା ହିଁ ଏହି ସମ୍ପୂର୍ଣ୍ଣ ଜଗତ ଯେ ଏହି ଏପରି ଆଲୋଡ଼ନକାରୀ ଆନନ୍ଦରେ ସତତ ସହଜସିକ୍ତ ହୋଇ ରହିଛି, ଭିତରକୁ ଏବଂ ବାହାରକୁ ଅନାଇଦେବା ମାତ୍ରକେ ଅନୁଭବରେ ଧରି ହୋଇଯାଏ ।

 

ତଥାପି, ସେହି ସହଜ ପୁଲକଟିର ଯୋଗ୍ୟ ହେବାକୁ ହୁଏ । ମହାଲକ୍ଷ୍ମୀଙ୍କର ଯୋଗ୍ୟ ହେବାକୁ ହୋଇଥାଏ । ଆପଣାର ନିତି ବଞ୍ଚୁଥିବା ଏହି ଜୀବନଟି ନିଜ ଆଖିକୁ ସୁନ୍ଦର ବୋଲି ଅନୁଭବ ନହେଉଥିଲେ ଆମେ ସୌନ୍ଦର୍ଯ୍ୟବତୀ ସେହି ଦେବୀଙ୍କର ଦୈର୍ଘ୍ୟ ତଥା ପ୍ରସ୍ଥଗୁଡ଼ିକର କେଉଁ ଅନ୍ଦାଜ ଆଦୌ କିପରି ବା କରି ପାରିବା ? ଏହି ପୃଥିବୀର ଦର୍ପଣ ଉପରେ ଏକ ଈଶ୍ଵରୀୟ ମହିମାର ଉଜ୍ଜ୍ଵଳ ଅନୁଭବଟିଏ ନହୋଇ ପାରୁଥିବା ପର୍ଯ୍ୟନ୍ତ ଏବଂ ସେହି, ଏକା କଥାଟିକୁ ଓଲଟାଇ କହିଲେ, ଏକ ଈଶ୍ଵରୀୟ ମହିମାର ଦର୍ପଣ ଉପରେ ଏହି ପୃଥିବୀଟିକୁ ଅନୁଭବ କରି ପାରୁନଥିବା ଯାଏ ଆମେ ଦେବୀ ମହାଲକ୍ଷ୍ମୀଙ୍କର ସେହି ସୌନ୍ଦର୍ଯ୍ୟ ତଥା ଐଶ୍ଵର୍ଯ୍ୟ ବିଷୟରେ କ’ଣ ବା ଅବଗତ ହୋଇ ପାରିବା ? ଏଠାରେ ମୋଟେ କୌଣସି ନୈତିକ ବୋଲି କୁହା ଯାଉଥିବା କେତେଟା ଆଚାର ଅଥବା ଆଚରଣଗତ ଚେହେରାକୁ ନିଜ ଦେହଟା ଉପରେ ଗଳାଇ ଦେଇ ଉତ୍ତମ ଅର୍ଥାତ୍ ସୁନ୍ଦର ମଣିଷଟିଏ ବୋଲି ବୋଲାଇବାର ସେହି ପୁରୁଣା କଥାଟାକୁ ମୋଟେ ମନେ ପକାଇ ଦିଆ ଯାଉନାହିଁ । ନାଇଁ ନାଇଁ, ଜୀବନର ଆଭିମୁଖ୍ୟଟି ହିଁ ସୁନ୍ଦର ହେବ, ମୂଳ ପରିମଳଗୁଡ଼ିକ ହିଁ ସକଳ ଅଳ୍ପତାରୁ ମୁକ୍ତିଲାଭ କରିବେ,–ତେବେଯାଇ ଆମେ ମହାଲକ୍ଷ୍ମୀଙ୍କର ସତକୁ ସତ ଭାଜନ ହୋଇ ପାରିବା । ନହେଲେ ଏହି ପୃଥିବୀରେ ସେହି ପରମବିଧାତାଙ୍କର ଚିରନ୍ତନ ଶୃଙ୍ଖଳାଟିକୁ ମାନି ମହାଲକ୍ଷ୍ମୀ ବିଦ୍ୟମାନ ରହିଥିବେ ଏବଂ ଆମେ ଲକ୍ଷ୍ମୀଛଡ଼ା ହୋଇ ବୁଲିବାରେ ଲାଗିଥିବା । ନିତାନ୍ତ ଦୁଃଖଦ ଭାବରେ ତୁଚ୍ଛା କୋପାଶ୍ରୁ ବର୍ଷଣ କରିବାରେ ମାତି ରହିଥିବା । ଚିନ୍ତା କରି କହିବା ତ, ଆମର ସେହିପରି କୌଣସି ଅସମର୍ଥତା ହେତୁ ଆମର ଏହି ଅନ୍ଦାଜଭୂମି ଗୁଡ଼ିକୁ ସତେଅବା ଗୋଟାସୁଦ୍ଧା ମାରା କରିଦେଇ ମାୟାବାଦର ଆଗମନ ହୋଇଛି କି ? ଶ୍ରୀଅରବିନ୍ଦ ଆମକୁ ସେଥିପାଇଁ ଭାରି ସତର୍କ କରିଦେଇ କହୁଛନ୍ତି ଯେ, ମହାଲକ୍ଷ୍ମୀଙ୍କର ଏକ ସର୍ବକ୍ଷଣୀୟ ଅନୁଭବକୁ ଜୀବନରେ ସମ୍ଭବ କରି ରଖି ପାରିବାକୁ ହେଲେ ଆମକୁ ଅନୁରୂପ ପ୍ରକାରେ ତାଙ୍କ ଯୋଗ୍ୟ ଆସ୍ଥାନଟିଏ ତିଆରି କରିବାକୁ ପଡ଼ିବ; ସମ୍ଭବତଃ ଆଗ ଆମଆଡ଼ୁ କିଛି ହେବ ବା ଘଟିବ, ତେବେଯାଇ ଆମ ଜୀବନରେ ଆମେ ତାଙ୍କର ବାସନାଟିକୁ ଅନୁଭବ ମଧ୍ୟ କରିପାରିବା ।

 

ହଁ, ଆମର ଆତ୍ମା ଏବଂ ଚିତ୍ତବୃତ୍ତି ଗୁଡ଼ିକ ମଧ୍ୟରେ ସମଞ୍ଜସତା ତଥା ସୌନ୍ଦର୍ଯ୍ୟ ରହିଥିବ, ଆମର ଭାବନା ଓ ଭାବସଂବେଗ ଗୁଡ଼ିକ ମଧ୍ୟରେ ସମଞ୍ଜସତା ଥିବ, ବାହ୍ୟ ଜୀବନର ପ୍ରତ୍ୟେକ କର୍ମସମ୍ପାଦାନରେ ମଧ୍ୟ ସମଞ୍ଜସତା ଏବଂ ସୌନ୍ଦର୍ଯ୍ୟ ରହିବ । ସେହି ପୁରୁଣା ସାଧା କଥାରେ କହିଲେ, ଆମେ ସୁନ୍ଦର ହେବା, ଏକ ସୁନ୍ଦର ଜୀବନର ପ୍ରତିଫଳନ କରାଇ ପାରୁଥିବା ଏବଂ ତେବେଯାଇ ମହାଲକ୍ଷ୍ମୀଙ୍କର ସମୀପରେ ରହି ବାଟ ଚାଲୁଥିବା ପରି ଅନୁଭବ କରି ପାରିବା । ଅନ୍ତର ଏବଂ ବାହାର, ଜୀବନ ଏବଂ ଜୀବକୁ ନାନା ବୃତ୍ତ ଦେଇ ସମ୍ଭାରି ରଖିଥିବା ପରିପାର୍ଶ୍ଵଟି,–ଏହି ଦୁଇଟି ମଧ୍ୟରେ ଆଦୌ କୌଣସି ବିରୋଧ ନଥିବ । ବିରୋଧ ନଥିବ, ତେଣୁ ସର୍ବବିଧ ସୌଷ୍ଠବରେ ଲକ୍ଷ୍ମୀମନ୍ତ ହୋଇ ରହିଥିବ । ନିଜ ଜୀବନର ଏହି ଦୈନିନ୍ଦିନ ନିଜସ୍ୱ ଛନ୍ଦଟି ସହିତ ବିଶ୍ଵଛନ୍ଦର କୌଣସି ବିରୋଧ ନଥିବ । ତାହାରି ବଳରେ ହିଁ ତ ଆମେ ସକଳ ଅର୍ଥରେ ଏକ ପରମସୌନ୍ଦର୍ଯ୍ୟମୟଙ୍କର ଚରଣପାତକୁ ସର୍ବକ୍ଷଣ ନିଜ ଜୀବନରେ ବଞ୍ଚି ପାରୁଥିବା ଏବଂ ସେହି ବଞ୍ଚିବାଟି ହିଁ ଆମ ପ୍ରତ୍ୟେକଙ୍କର ଜୀବନରେ ସେହି ମହାଲକ୍ଷ୍ମୀ ହିଁ ପାଖେ ପାଖେ ରହିଛନ୍ତି ଏବଂ ଏହି ଭୁବନଯାକକୁ ପୂର୍ଣ୍ଣ କରି ରଖିଛନ୍ତି ବୋଲି ବୋଧ ଆଣି ଦେଉଥିବା । ଏହି ଭୁବନରେ ସମସ୍ତେ ହିଁ ସେହି ଗୋଟିଏ ମହିମାର ବ୍ୟାକୁଳତା ନେଇ ଏକ ଦିବ୍ୟ ପରମ ଉପସ୍ଥିତିର ବ୍ୟାପ୍ତି ଆଡ଼କୁ ଗତି କରୁଛନ୍ତି ବୋଲି ସିଧା ଅନୁଭବ ହେବ । ସେହି ଅନୁଭବଟି ହିଁ ଦେବୀ ମହାଲକ୍ଷ୍ମୀ ଆମର ଜୀବନଗୁଡ଼ିକୁ ବେଷ୍ଟନ କରି ବିରାଜିତ ରହିଛନ୍ତି ବୋଲି ସେହି ଅଧ୍ୟାତ୍ମ ସକାରାତ୍ମକତାର ଏକ ନିଶ୍ଚୟ ନିର୍ଭରକୁ ସମ୍ଭବ କରି ଆଣିବ । ତେଣୁ ଯାହା କିଛି କୁତ୍ସିତ, ନିକୃଷ୍ଟ ଏବଂ ନିମ୍ନସ୍ତରୀୟ, ମହିମାହୀନ ଓ ଦରିଦ୍ର, ନୃଶଂସ ଏବଂ ମମତାହୀନ, ସେଠାରେ ମହାଲକ୍ଷ୍ମୀଙ୍କର ଆଗମନ ନିମନ୍ତେ କୌଣସି ଅବକାଶ ନଥିବ । ସତେଅବା ଆମର କୌଣସି ମାଳିନ୍ୟ ଅର୍ଥାତ୍ ଅନ୍ୟ ମତି ହେତୁ ଯଦି ଆମେ ତଥାକଥିତ ଧାନମାନଙ୍କୁ ଗୁଡ଼ାଏ ଅଗାଡ଼ି ଭିତରେ ଗୋଳେଇ ଘାଣ୍ଟି ରଖିଥିବା, ତେବେ ମହାଲକ୍ଷ୍ମୀ ପ୍ରକୃତରେ ଖୁବ୍ ନିରାଶ ହୋଇ ପଡ଼ିଲେ ଏବଂ ମୁହଁ ବୁଲାଇ ପ୍ରସ୍ଥାନ କରିବେ । ସେତେବେଳେ ଆପଣାର ମୂର୍ଖତା ହେତୁ ଆମେ ତାଙ୍କୁ ହୃଦୟହୀନା ବୋଲି ମୋଟେ କହିବାନାହିଁ ଟି ! କାରଣ, ଆମେ ନିର୍ଦ୍ଦୟ ହୋଇ ରହିଥିବା ପର୍ଯ୍ୟନ୍ତ ତାଙ୍କୁ ପୁଣି କିପରି ଦୋଷ ଦେଇ ଦୟା କଲେ ନାହିଁ ବୋଲି କହିପାରିବା ! ନିଜ ପ୍ରତି ନିର୍ଦ୍ଦୟ, ଆମକୁ ଭରସା କରି ଆମ ଚାରିପାଖରେ ଆତଯାତ ହେଉଥିବା ଏହି ଜଗତଟା ପ୍ରତି ନିର୍ଦ୍ଦୟ ଏବଂ ତେଣୁ ଜଗଦ୍ଧାତ୍ରୀ ପରମାଶକ୍ତିଙ୍କ ପ୍ରତି ମଧ୍ୟ ଘୋର ନିର୍ଦ୍ଦୟ !

 

ଶ୍ରୀଅରବିନ୍ଦ ଆହୁରି କହିଛନ୍ତି, ମନୁଷ୍ୟମାନଙ୍କର ହୃଦୟ ଏହି ପୃଥିବୀରେ ନାନା ସ୍ଵାର୍ଥକାମନା ଏବଂ ଘୃଣା ଦ୍ଵାରା ପୂର୍ଣ୍ଣ ହୋଇ ରହିଥିବାର ଦେଖିଲେ,–ସେମାନେ ନାନାଭାବେ ଛିଦ୍ରାନ୍ଵେଷୀ ହୋଇ ରହିଥିବେ, ବହୁବିଧ ସଂଘର୍ଷରେ ଶକ୍ତି ସାରୁଥିବେ, ପରସ୍ପରକୁ ସହୁନଥିବେ, ପରସ୍ପର ପ୍ରତି ବାର ଭଳି ଭଳି କୃତଘ୍ନତାରେ ଫୁଲି ରହିଥିବେ, ଅର୍ଥାତ୍ ଅନ୍ୟମାନେ ସେମାନଙ୍କ ଲାଗି ଆସି ସବୁ ଅଜାଡ଼ି ଦିଅନ୍ତୁ ଏବଂ ସେମାନଙ୍କୁ କାହାକୁ ହେଲେ ଆଦୌ କିଛି ଦେବାକୁ ନପଡ଼ୁ ବୋଲି ଏକ ଅନ୍ୟ ରୀତିରେ ସଦା ଅଭ୍ୟସ୍ତ ହୋଇ ରହିଥିବେ, ତେବେ ଏତେଏତେ ଜଟିଳତା ଏବଂ ବକ୍ରତା ଭିତରେ ପାଦ ଥାପିବା ପାଇଁ ମହାଲକ୍ଷ୍ମୀ ସାହସ ହିଁ କରିବେ ନାହିଁ; ଅର୍ଥାତ୍ ଏପରି ଚରିତ୍ରମାନଙ୍କ ଉପରେ କୌଣସି ଭରସା ହିଁ ରଖି ପାରୁନଥିବେ । ପୁନଶ୍ଚ, ଯେଉଁମାନଙ୍କ ଉପରେ ‘ସେ ଭରସା ରଖି ପାରୁନାହାନ୍ତି, ମହାଲକ୍ଷ୍ମୀ ଏହି ପୃଥିବୀରେ ଅନୁକ୍ଷଣ ଉପସ୍ଥିତ ରହିଛନ୍ତି ବୋଲି ସେହି ମନୁଷ୍ୟମାନେ ମଧ୍ୟ କିପରି ଅନ୍ଦାଜ କରିପାରିବେ ? ମହାଲକ୍ଷ୍ମୀ ସେହି ଯାବତୀୟ ପ୍ରତିକୂଳତା ମଧ୍ୟରେ କଦାପି ଅବସ୍ଥାନ କରି ପାରିବେନାହିଁ ଏବଂ ବିରକ୍ତି ପ୍ରକାଶ କରି ଆପଣାକୁ ପ୍ରତ୍ୟାହାର କରିନେବେ । ସତେଅବା ନିଜର ମୁହଁଟିକୁ କୌଣସି ଆବରଣ ଦ୍ଵାରା ଘୋଡ଼ାଇ ରଖିଥିବା ପରି ସେ ସେଇଠି କେଉଁଠି ଅପେକ୍ଷା କରି ରହିଥିବେ; ଆମ ତରଫରୁ ସେହି ଶଇତାନ ମାନଙ୍କର ପ୍ରଭାବଗୁଡ଼ିକ ପ୍ରତ୍ୟାଖ୍ୟାତ ହୋଇ ହଟିଯିବା ପରେ ଯାଇ ପୁନର୍ବାର ଆସିବେ ଓ ଆପଣାର ପ୍ରଭାବଟିକୁ ପକାଇ ପାରିବେ । ହଁ ଆମ ତରଫରୁ ଯାବତୀୟ ବୈରାଗ୍ୟଜନିତ ଶୁଷ୍କତା ମଧ୍ୟ ମହାଲକ୍ଷ୍ମୀଙ୍କୁ ଆଦୌ ଭଲ ଲାଗେନାହିଁ, ଆମ ହୃଦୟର ଗଭୀରତର ଭାବସଂବେଗ ଗୁଡ଼ିକ ଆମଦ୍ଵାରା ଚାପି ହୋଇ ରହି ଯାଉଥିଲେ, ସେହି ଅନ୍ୟ ଉତ୍ସାହଟିକୁ ମହାଲକ୍ଷ୍ମୀ ମୋଟେ ସ୍ଵୀକାର କରିନେଇ ପାରନ୍ତି ନାହିଁ । ତାଙ୍କର ମାର୍ଗ ହେଉଛି ଭଲ ପାଇବାର ମାର୍ଗ, ସୁନ୍ଦର ଦେଖିବାର ଓ ସୁନ୍ଦର ହୋଇ ପାରିବାର ମାର୍ଗ । ମହାଲକ୍ଷ୍ମୀ ପ୍ରସନ୍ନ ହେଲେ, ଶ୍ରୀଅରବିନ୍ଦଙ୍କର ଭାଷାରେ ଜୀବନ ଏକ କଳାମୟତା ମଧ୍ୟକୁ ହିଁ ଉତ୍ତୋଳିତ ହୋଇଯାଏ, ସମଗ୍ର ଜୀବନ ହିଁ ଏକ କବିତାର ଆଲୋକରେ ଝଲମଲ ହେବାପରି ଅନୁଭବ ହୁଏ । ପୃଥିବୀର ସକଳ ସମ୍ପଦ ଏହିପରି ଏକ ଅତ୍ୟୁଚ୍ଚ ସ୍ତରର ଛନ୍ଦୋମୟତାର ଏକ୍ୟ–ଅନୁଭବକୁ ସ୍ପର୍ଶ କରିପାରେ । ସାମାନ୍ୟ ପଦାର୍ଥମାନେ ମଧ୍ୟ ମହାଲକ୍ଷ୍ମୀଙ୍କର ହାତ ବାଜି କେତେ କେତେ ଅସାମାନ୍ୟତା ମଧ୍ୟକୁ ଉନ୍ନୀତ ହୋଇଯାଆନ୍ତି । ଯଦି ମନୁଷ୍ୟମାନେ ସ୍ଵହୃଦୟ ଗୁଡ଼ିକୁ ତାଙ୍କରି ଆଗମନର ପ୍ରତୀକ୍ଷା ପାଇଁ ଖୋଲି ରଖନ୍ତି, ତେବେ ମହାଲକ୍ଷ୍ମୀ ସେମାନଙ୍କର ଜ୍ଞାନକ୍ଷେତ୍ରଟିକୁ କେତେ ନା କେତେ ଉତ୍ତୋଳନର ସୌଭାଗ୍ୟ ଆଣି ଦିଅନ୍ତି । ଭକ୍ତିକୁ ଏକ ଯଥାର୍ଥ ଉତ୍ତୋଳନ ଏବଂ ନୈକଟ୍ୟର ଭାଗ୍ୟ ପ୍ରଦାନ କରନ୍ତି ଏବଂ ମନୁଷ୍ୟମାନଙ୍କର କର୍ମଗୁଡ଼ିକୁ ସ୍ଥାୟିତ୍ଵ ଦିଅନ୍ତି, ବଳଯୁକ୍ତ କରାଇ ନେଉଥାନ୍ତି ।

 

ଏହି ଚାରି ଚର୍ଚ୍ଚାର ଶେଷଟି ହେଉଛନ୍ତି ମହାସରସ୍ଵତୀ । କର୍ମର, ଶକ୍ତିର ଅଧିଷ୍ଠାତ୍ରୀ ସେ-। ପରିପୂର୍ଣ୍ଣତା ଏବଂ ଶୃଙ୍ଖଳାର ପ୍ରତୀକ । ଶ୍ରୀଅରବିନ୍ଦ ଏଠାରେ ଆଲୋଚିତ ହୋଇଥିବା ଚାରିଙ୍କ ଭିତରେ ମହାସରସ୍ଵତୀ କନିଷ୍ଠ ବୋଲି ଉଲ୍ଲେଖ କରିଛନ୍ତି । ସର୍ବବିଧ କର୍ମକୁଶଳତାର ପ୍ରତୀକ ସେ । ଆମର ଏହି ଜଡ଼ରୂପୀ ପରମପ୍ରକୃତି ସର୍ବାଧିକ ନିକଟରେ ଅଛନ୍ତି । ପୃଥ୍ୱୀଶକ୍ତି ଗୁଡ଼ିକର ପରିପ୍ରକାଶ–କ୍ରମରେ ମାହେଶ୍ଵରୀ, ମହାକାଳୀ ଏବଂ ମହାଲକ୍ଷ୍ମୀ ସକଳ କ୍ଷେତ୍ରରେ ପ୍ରଥମର ତିନି ପ୍ରସ୍ଥକୁ ଯୋଗାଇ ଦିଅନ୍ତି ଏବଂ ମହାସରସ୍ଵତୀ ସେହି ବସ୍ତୁଗୁଡ଼ିକୁ ସ୍ଵନୈପୁଣ୍ୟର ଶକ୍ତି ଦେଇ ଗୋଟିଏ ଗୋଟିଏ ସକଳାଙ୍ଗ ରୂପ ପ୍ରଦାନ କରନ୍ତି । ଯେଉଁମାନଙ୍କୁ ସେ ଯୋଗ୍ୟ ବୋଲି ନିର୍ବାଚନ କରିଥାନ୍ତି, ସେମାନଙ୍କୁ ସିଏ ଅନ୍ତରଙ୍ଗ ଓ ଯଥାର୍ଥ ଜ୍ଞାନ ପ୍ରଦାନ କରି ଥାଆନ୍ତି–ଆବଶ୍ୟକ ନିଷ୍ଠା ଓ ଧୈର୍ଯ୍ୟ ମଧ୍ୟ ଦିଅନ୍ତି । ପ୍ରକୃତ ପାରଙ୍ଗମତାର ହାତ ତଥା ଆଖିଗୁଡ଼ିକୁ ଆଣି ଯୋଗାଇ ଦିଅନ୍ତି-। ସେହି କ୍ଷେତ୍ରରେ କେବେହେଲେ କୌଣସି କ୍ଳାନ୍ତି ନଥା, ଯତ୍ନହୀନତା ନଥାଏ ଏବଂ ତେଣୁ କୁଶଳତାର କୌଣସି ଅଭାବ ମଧ୍ୟ ନଥାଏ । ଏବଂ, ପ୍ରକୃତିର ରୂପାନ୍ତର ଏବଂ ନୂତନ ରୂପାୟନର ଯେଉଁ କାର୍ଯ୍ୟଟିକୁ ନିଜ ହାତକୁ ନିଅନ୍ତି, ସେତେବେଳେ ସେହି ସମ୍ପୂର୍ଣ୍ଣ ଶ୍ରମଟିରେ ହିଁ ଆପଣାକୁ ନିଯୋଜିତ କରି ରଖିଥାନ୍ତି, ଆଦୌ କୌଣସି ଟିକିନିଖିକୁ ଛାଡ଼ି ଯାଇ ଆଗକୁ ବାହାରି ଯାଆନ୍ତି ନାହିଁ ଏବଂ ଆମର ଧୈର୍ଯ୍ୟଗୁଡ଼ାକ ଖୁବ୍ ସହଜରେ ଶେଷ ହୋଇ ଯାଉଥିବା ପରି ଆମେ କ’ଣ ପାଇଁ ବିଳମ୍ବ ହେଉଛି ଓ ମନ୍ଥର ଭାବରେ ଗତି କରୁଛି ବୋଲି କେତେଭାବେ ଅଧୀର ହୋଇ ପଡ଼ୁ-। କାର୍ଯ୍ୟଟି କ’ଣ କେବେହେଲେ ସରିବନାହିଁ ବୋଲି ହୁଏତ ସଂଶୟ ମଧ୍ୟ ବ୍ୟକ୍ତ କରୁ । ତଥାପି ମହାସରସ୍ଵତୀ ଅବାଧ ଭାବରେ କର୍ମରତା ହୋଇ ରହିଥାନ୍ତି । ଆମର କର୍ମରେ ଆଦୌ କୌଣସି ଖୁଣ କିମ୍ବା ଅପୂର୍ଣ୍ଣତା ରହିଯିବାକୁ ମୋଟେ ଦିଅନ୍ତି ନାହିଁ । ତାଙ୍କର ଆଖିରେ ମୋଟେ କୌଣସି କର୍ମ ଗୌଣ ବୋଲି ଦିଶେନାହିଁ ଏବଂ ତେଣୁ ତାଙ୍କର ନଜରରୁ କଦାପି ଲୁଚି ରହି ଯାଏନାହିଁ । ଯାବତୀୟ କର୍ମରେ ସେ ଏକାବେଳେକେ ସବୁଯାକ ପ୍ରସ୍ଥର ଖାସ୍ ଆବଶ୍ୟକତା ଗୁଡ଼ିକୁ ଠଉରାଇ ନେଇ ପାରୁଥାନ୍ତି । ସର୍ବବିଧ କର୍ମସମ୍ପାଦନରେ ମହାସରସ୍ଵତୀ କେବେହେଲେ କୌଣସି ଅବହେଳା କିମ୍ବା ଆଳସ୍ୟକୁ ମାନି ନିଅନ୍ତି ନାହିଁ । ହାତକୁ ନିଆ ଯାଇଥିବା କର୍ମଟି ସମ୍ପନ୍ନ ହୋଇଗଲେ ସ୍ପଷ୍ଟ ଭାବରେ ଦେଖିହୁଏ ଯେ, ସତକୁ ସତ କରଣୀୟ ଆଦୌ କିଛିହେଲେ ପାସୋର ଯାଇନାହିଁ, କିଛି ହିଁ ଏପାଖ ସେପାଖ ହୋଇନାହିଁ ଅଥବା ପରିତ୍ୟକ୍ତ ହୋଇ ରହି ଯାଇନାହିଁ ।

 

ଏବଂ, ଶ୍ରୀଅରବିନ୍ଦଙ୍କର ବିଚାରରେ, ପ୍ରଥମ ତିନି ଶକ୍ତିଙ୍କ ତୁଳନାରେ ସେଥିଲାଗି ମନୁଷ୍ୟମାନଙ୍କୁ ନେଇ ତାଙ୍କୁ ସବୁଠାରୁ ଅଧିକ ପରିଣାମରେ ପ୍ରୟାସ କରିବାକୁ ହୋଇଥାଏ । ପ୍ରଥମଗୁଡ଼ିକ ସତେଅବା ଆପଣା ଆଡ଼ୁ କେତେ ଖାସ୍ ସର୍ତ୍ତ ରଖିଥାଆନ୍ତି; ସର୍ତ୍ତଗୁଡ଼ିକର ପୂରଣ ହେଲେ ସେମାନେ ଆମର ଜୀବନଟି ସକାଶେ ଏଇଟି ବା ସେଇଟିକୁ ପ୍ରଦାନ କରନ୍ତି ଏବଂ, ସର୍ତ୍ତଗୁଡ଼ିକର ପୂରଣ ନହେଲେ ସତେଅବା ମୁହଁ ବୁଲାଇ ବାହୁଡ଼ି ଯାଆନ୍ତି । ମହାସରସ୍ଵତୀ ମୁହଁ ବୁଲାଇ ପାରନ୍ତି ନାହିଁ, ତଥାପି ମନୁଷ୍ୟମାନଙ୍କୁ ଯୋଗ୍ୟତର ଓ ସମର୍ଥତର କରି ନେବାପାଇଁ ତାଙ୍କ ନିଜାଆଡ଼ୁ ବହୁତ ସହାୟତା କରିବାରେ ଲାଗିଥାଆନ୍ତି । ଆମ ଜୀବନର ସହସ୍ର ଅପୂର୍ଣ୍ଣତା ସତ୍ତ୍ୱେ ଆମକୁ ଛାଡ଼ି ନଯାଇ ସତେଅବା ଏକ ନିଜସ୍ୱ ଅନୁକମ୍ପା ବଳରେ ଆମପାଖରେ ରହନ୍ତି ଓ ଏକାବେଳେକେ ଆମକୁ ମାଠିମୁଠି ତିଆରି କରି ନେଉଥାନ୍ତି । ନିଶ୍ଚୟ ଆମ ଉପରେ ଖୁବ୍ ବିଶ୍ଵାସ ରଖିଥାନ୍ତି ଏବଂ ତେଣୁ ଆମକୁ ସର୍ବଦା ହିଁ ତିଆରି କରି ନେଉଥାନ୍ତି । ଆମର ନାନା ଅସମ୍ମତାର ପରିଚୟ ପାଇଲେ ମଧ୍ୟ ତଥାପି ନିଜର ସ୍ନେହବଳରେ ପାଖେ ରହିଥିବେ ଏବଂ ତୁ ଆଖର ନିଶ୍ଚୟ ଅସମର୍ଥତାର ବାଡ଼ଗୁଡ଼ିକୁ ଅତିକ୍ରମ କରି ଆଗେଇ ଆସିବୁ ବୋଲି କହୁଥିଲା ପରି ଖୁବ୍ ମୁରୁକି ହସୁଥାଆନ୍ତି । ସମ୍ଭବତଃ ତାହାରିଦ୍ଵାରା ହିଁ କେଡ଼େ ସୁନିଶ୍ଚିତ ଭାବରେ ଆମକୁ ବିଶ୍ଵାସ ଭିତରକୁ ଉତ୍ତୋଳିତ କରି ଆଣନ୍ତି । ଆମେ ବାରମ୍ବାର ବିଫଳ ହେଉ, ପ୍ରତ୍ୟୟମାନଙ୍କୁ ହରାଇ ଆଉ ହେବନାହିଁ ବୋଲି କେତେ ଆଣ୍ଟ କରୁ, କିନ୍ତୁ ସିଏ ତଥାପି ବଳ ଦିଅନ୍ତି, ଆବଶ୍ୟକ ଶୁଶ୍ରୁଷାମାନ କରୁଥାନ୍ତି । ତଥାପି, ସେହି ଶୁଶ୍ରୁଷାଟିକୁ ଲାଭ କରିବା ଲାଗି ଆମକୁ ମଧ୍ୟ ତଥାପି କିଛି ପ୍ରତ୍ୟୟ ଦେବାକୁ ହୁଏ; ଆମର ଇଚ୍ଛାଶକ୍ତିଟିକୁ ଦୃଢ଼କରି ରଖିଥିବାକୁ ହୁଏ, କପଟଶୂନ୍ୟ ଏବଂ ପୂର୍ଣ୍ଣନିଷ୍ଠ ହେବାକୁ ମଧ୍ୟ ହୁଏ । ମାତ୍ର, ଯଦି ଆମ ଭିତରେ ଏକାବେଳେକେ ଦୁଇଟା ମନ କାର୍ଯ୍ୟ କରୁଥାନ୍ତି, ତେବେ ମହାସରସ୍ଵତୀ ସେଇଟିକୁ ମୋଟେ ସହି ନେଇ ପାରନ୍ତିନାହିଁ । କାରଣ, ଆମେ ଦୁଇଟା ହୋଇ ରହିବାର ନାଟମାନ କରୁଥିଲେ ସିଏ ବସ୍ତୁତଃ ଆମକୁ ନେଇ ଆଉ କ’ଣ ବା କରିପାରନ୍ତେ ! ମହାସରସ୍ଵତୀ ମାଆଟିଏ ହୋଇ ଆମର ଯାବତୀୟ ଅଭାବକୁ ପୂରଣ କରନ୍ତି, ଆମକୁ ଢାଙ୍କି ରହିଥିବା ସକଳ ମେଘର ଅନ୍ଧାରମାନଙ୍କୁ ଅପସରାଇ ନିଅନ୍ତି । ତାଙ୍କର ସହାୟତା ସଦା ବିଦ୍ୟମାନ ରହିଛି ବୋଲି ଆମକୁ ଦମ୍ଭ ଦିଅନ୍ତି,–ଆମ ସମ୍ମୁଖରେ ସଦା ବର୍ତ୍ତମାନ ହୋଇ ରହିଥିବା ସେହି ଶାଶ୍ଵତ ସୂର୍ଯ୍ୟାଲୋକଟି ଆଡ଼କୁ ଅନାଇବା ଲାଗି ଆମର ଆଖିମାନଙ୍କୁ ନିର୍ଦ୍ଦେଶିତ କରି ରଖିଥାନ୍ତି । ଆମର ସକଳ ଜୀବନ –ପ୍ରୟାସରେ ଆମକୁ କେଡ଼େ ସୁନିଶ୍ଚତ ଏବଂ ଶାନ୍ତ ଭାବରେ ଅବିରତ ବଳ ଆଣି ଦେଉଥାନ୍ତି, ଯେପରିକି ଆମେ ନିଜ ପ୍ରକୃତିର ଉଚ୍ଚତର ପ୍ରସ୍ଥଗୁଡ଼ିକ ଆଡ଼କୁ ଆପଣାକୁ ପରିଚାଳିତ କରି ନେଇଯାଇ ପାରୁଥିବା । ଏବଂ ଶ୍ରୀଅରବିନ୍ଦ ସବାଶେଷରେ କହିଛନ୍ତି, ଚର୍ଚ୍ଚିତ ଅନ୍ୟ ତିନି ଶକ୍ତି ଆପଣାର କର୍ମଗୁଡ଼ିକର ପୂରଣ ନିମନ୍ତେ ଏହି ମହାସରସ୍ଵତୀଙ୍କ ଉପରେ ହିଁ ନିର୍ଭର କରୁଥାଆନ୍ତି,–କାରଣ ସେଇ ପ୍ରକୃତରେ ଅନ୍ୟଗୁଡ଼ିକ ନିମନ୍ତେ ସର୍ବପ୍ରଥମେ ଅତ୍ୟାବଶ୍ୟକ ଭୌତିକ ମୂଳଦୁଆଟିକୁ ଯୋଗାଇ ଦେଇଥାଆନ୍ତି : ଆହୁରି ସ୍ପଷ୍ଟ କରି କହିଲେ ସେଇଟିକୁ ତିଆରି କରି ଆଣିଥାଆନ୍ତି ।

 

ହଁ, ତେଣୁ ମହାସରସ୍ଵତୀ ହିଁ ମୂଳରେ, ଏହି ମୂଳଦୁଆଟି ତିଆରି ହେବାର ସର୍ବପ୍ରଥମ କାର୍ଯ୍ୟଟିରେ । ଖୁଣ୍ଟ, କାନ୍ଥ, ଛାତ, ଏସବୁ ଯାଇ ତା’ପରେ । ପୃଥିବୀର ପ୍ରାୟ; ଯାବତୀୟ ଯେତେ ଯେତେ ସାଧନା ଆପଣାର ନାନା ସ୍ଵତନ୍ତ୍ର ଅର୍ଥ ଏବଂ ଅଭିଧାରେ ଆପଣାକୁ ଅଧ୍ୟାତ୍ମ ବୋଲି ପରିଚିତ କରାଇ ଆସିଛନ୍ତି, ଏପରିକି କୌଣସି ନା କୌଣସି ଆଧ୍ୟାତ୍ମିକ ଦିକ୍‌ସତ୍ୟର ଘୋଷଣା କରି ଗୋଟିଏ ଗୋଟିଏ ଧର୍ମର ଅବତାରଣା କରାଯାଇଛି, ସେମାନେ ପ୍ରାୟ ସର୍ବତ୍ର ଅଳ୍ପ ଅଥବା ଅଧିକ ମାତ୍ରାରେ ସବାଆଗ ଛାତଗୁଡ଼ାକର, ସବାଉପର ତୁଳିମାନଙ୍କର କଥା କହିଛନ୍ତି । ଏହି ବହୁସନ୍ତାପିତ ମର୍ତ୍ତ୍ୟର ମନୁଷ୍ୟମାନଙ୍କୁ କେତେକୁଆଡ଼େ ଉଡ଼ାଇ ନେଇ ଯାଇଛନ୍ତି,–ଏବଂ ସେହପରି କରି ବେଶ୍ ହୁଡ଼ାଇ ନେଇଛନ୍ତି କି ? ସମ୍ଭବତଃ ଆପେ ଉଡ଼ି ପଳାଇଛନ୍ତି ଏବଂ ବିଶ୍ୱଜନଙ୍କୁ ଉଡ଼ାଇ ନେଇଛନ୍ତି । ମୂଳଦୁଆଟିକୁ ଏଡ଼ି ଦେବାପରି ଏକାବେଳେକେ ମନ୍ଦିରର ଚୂଡ଼ା ଆଡ଼କୁ ନିଘାଟାକୁ ନିର୍ଦ୍ଦେଶତ କରି ନେଇଛନ୍ତି । ଅଧିକାଂଶ ଧର୍ମଶାସ୍ତ୍ର ସେଇ ଉପରଟାର ବହୁ ବର୍ଣ୍ଣନା ଚିତ୍ରମାନ ଦେଇ ଇହଭୂମି ନାମକ ଏହି ଭୂମିଟିର ଚିତ୍ତକୁ ହରଣ କରି ନେଇଛନ୍ତି । ହୁଏତ ଏପରି ମଧ୍ୟ ଅନୁମାନ କରାଯାଇ ପାରିବ ଯେ, ସେହି ମହାନ୍ ଧର୍ମପ୍ରଚାରକ ତଥା ଶାସ୍ତ୍ରକାରମାନେ କୌଣସି ନା କୌଣସି ନିଜେ ବୁଝିଗଲା ପରି ଏକ ପ୍ରତ୍ୟୟରେ ଏହି ତଥାକଥିତ ସଂସାରଟି ମଧ୍ୟରୁ ବାହାରି ଯାଇଛନ୍ତି ଏବଂ କେବଳ ସେଇ ଶିଖରର ଅତିକଳ୍ପନା ମଧ୍ୟରେ ଠାବଟିଏ ପାଇ ଯିବାପରି ଅନୁଭବ କରି ଏହି ମୂଳଦୁଆଟିକୁ ପଛରେ ପକାଇଦେଇ ତରିଗଲେ ବୋଲି ଭାବିଛନ୍ତି । ନାଇଁ, ନାଇଁ, ଯାହା କିଛି ଆରୋହଣ, ଅର୍ଥାତ୍ ଯାହା କିଛି ଉପଲବ୍ଧି ସବୁକିଛିର ପତ୍ତନ ଗୋଟିଏ ମୂଳଦୁଆରୁ ହିଁ ଆରମ୍ଭ ହେବ । ମୂଳଦୁଆ ଅନୁସାରେ ହିଁ ଶିଖର । ଶିଖରର ସକଳ କଳ୍ପନା ଏହି ମୂଳଦୁଆଟି ବିଷୟରେ ଆମରି ସର୍ବବିଧ ଆନ୍ତରିକତା ଦ୍ଵାରା ନିରୂପିତ ହେବ । ଆମେ ଦେଖିଛୁ ବୋଲି ଯେଉଁଟିର ଛବିକୁ ନେଇ ଏତେ ଏତେ ସ୍ଵପ୍ନ ଦେଖୁଛୁ ଏବଂ ଜୀବନ ନାମକ ଆମର ଏହି ସର୍ବବିଧ ଆକର୍ଷଣରେ ଖୋଜମାନ ପକାଉଛୁ, ସେହି ଶିଖର ପାଇଁ ସବାଆଗ ଏକ ମୂଳଦୂଆରୁ ହିଁ ସବୁକିଛି ଆରମ୍ଭ ହେବ-। ସେଇଥିପାଇଁ ଏକ ଅନୁରୂପ କର୍ମସଂସାଧନ,–ତାହାହିଁ ମାର୍ଗ । ଦେବୀ ମହାସରସ୍ଵତୀ ସେହି ପରିପୂର୍ଣ୍ଣ କର୍ମସାଧନାର ପ୍ରତୀକ,–ଆମେ ଯେଉଁଠାରେ ଯିଏ ରହିଛୁ, ସେଇଠାରୁ ହିଁ ଏକ ଅନୁରୂପ ଅନୁରାଗରେ ମୂଳଦୁଆଟିଏ,–ଆମର ବ୍ୟକ୍ତିଗତ ଓ ସମୂହସ୍ଥ ଉଭୟ ଜୀବନରେ । ଅନ୍ୟ ଦେବୀମାନଙ୍କର କଳ୍ପନା ଆମକୁ ଆମ ଲାଗି, ସେହି ସଂସାର ଲାଗି ଅପେକ୍ଷା କରି ରହିଥିବା କେତେ ନା କେତେ ଐଶ୍ଵର୍ଯ୍ୟ ଏବଂ ସୌନ୍ଦର୍ଯ୍ୟର ଝଲକଗୁଡ଼ିକୁ ଆଣି ଦେଇଯାଏ, ଆମର ଗୋଡ଼ ତଥା ଆଖିଗୁଡ଼ିକୁ ସ୍ଥିର ଭରସାଗୁଡ଼ିକୁ ଆଣି ଦେଇଯାଏ, ଦୂରଗୁଡ଼ିକ ପାଖ ହୋଇ ଦିଶନ୍ତି ଏବଂ ମୁଖ୍ୟତଃ ସେଇଥିରୁ ହିଁ ବଳମାନେ ମିଳନ୍ତି ସିନା, କିନ୍ତୁ ଚାଲିବାଟି ଆରମ୍ଭ ହୁଏ ଆମ ପ୍ରତ୍ୟେକଙ୍କର ଜୀବନ ନାମକ ଏହି ତଳଟି ପାଖରୁ,–ସେଇଠି ମୂଳଦୁଆଟି ପ୍ରସ୍ତୁତ ହୁଏ ଏବଂ ତା’ପରେ ଯାଇ ଗୋଟିଗୋଟି କରି ପଥରଗୁଡ଼ିକୁ ପକାଇବାର ପ୍ରକ୍ରିୟାଟି ସୁସ୍ଥ ଭାବରେ ଆରମ୍ଭ ହୁଏ-

 

ଏଠି ଓଡ଼ିଶା, ବଙ୍ଗଳା ଓ ଆସାମରେ ସରସ୍ଵତୀ ହେଉଛନ୍ତି ବିଦ୍ୟାଦାତ୍ରୀ । ପିଲାଦିନେ ଆମେ ଇସ୍କୁଲ ମାନଙ୍କରେ ତାଙ୍କର ପୂଜା କରୁଥିଲୁ । ମାତ୍ର, ଭାରତବର୍ଷର ଅନ୍ୟତ୍ର ପ୍ରାୟ ଏଯାଏ ମଧ୍ୟ ସେଇ ଭାବନାଟିର ସେତେ ସଂକ୍ରମଣ ହୋଇ ପାରିନାହିଁ । ପ୍ରଶସ୍ତି–ସ୍ତୋତ୍ରଟି କହୁଛି ଯେ, ସିଏ ହେଉଛନ୍ତି ସର୍ବଶୁଭ୍ରା,–ଶୁଭ୍ର ବସ୍ତ୍ରଦ୍ଵାରା ଆବୃତା ଏବଂ ଶୁଭ୍ରବର୍ଣ୍ଣ ପଦ୍ମ ଉପରେ ଆସୀନା । ତନ୍ତ୍ରମାର୍ଗର ଏକ ବିଶେଷ ଉପାସନାରେ ନୀଳସରସ୍ଵତୀଙ୍କର କଳ୍ପନାଟିଏ ରହିଥିଲେ ମଧ୍ୟ ସାଧାରଣ ଆରାଧନାରେ ସରସ୍ଵତୀ ଶୁଭ୍ରବର୍ଣ୍ଣା । ସିଏ ବ୍ରହ୍ମା ଏବଂ ଅଚ୍ୟୁତ ପ୍ରଭୃତି ସକଳ ଦେବଗଣଙ୍କ ଦ୍ଵାରା ବନ୍ଦିତା । ସିଏ ହେଉଛନ୍ତି ସେହି ଦେବୀ, ଯିଏ ସକଳ ଜଡ଼ତାକୁ ଦୂର କରନ୍ତି, ଅପହରଣ କରିନିଅନ୍ତି–‘ସକଳଜାଡ଼୍ୟାପହା’ ।ଏଇଠୁ, ଏହି ମୂଳଦୁଆଟିର ସ୍ତରରୂ ଆରମ୍ଭ ନକରି ଯେଉଁମାନେ ନିଶ୍ଚତ ଭାବରେ ଏକ ପୁଲାକାତିଶଯ୍ୟାରେ ଆଗ ଶିଖରଗୁଡ଼ିକ ଆଡ଼କୁ ଧାଇଁ ଯାଆନ୍ତି, ସେମାନଙ୍କ ମଧ୍ୟରେ ମୂଳତଃ ଏକ ଜଡ଼ତା ରହିଥିବାରୁ ହିଁ ସେମାନେ ସେପରି କରନ୍ତି କି-? ମାଟି ଉପରେ ଥାଆନ୍ତି, ଅଥଚ ସର୍ବଦା ସେହି ଉଚ୍ଚ ମଣ୍ଡଳମାନଙ୍କରେ ବିହରଣ କରୁଥାଆନ୍ତି-। ଶ୍ରୀଅରବିନ୍ଦ ବର୍ଣ୍ଣନା କରିଥିବା ପ୍ରଥମ ତିନିଦେବୀ ସତକୁ ସତ ଖୁବ୍ ମୁଗ୍ଧ କରନ୍ତି ଏବଂ ଆମ ଅତିମୁଗ୍ଧମାନଙ୍କୁ ପଳାଇ ଯିବାର ବେଶ୍ ବାଟଟିଏ ହୁଏତ ଯୋଗାଇ ଦିଅନ୍ତି । ଧର୍ମମାନଙ୍କର ଅଧିକାଂଶ ସ୍ତୋତ୍ର ସେଥିପାଇଁ ତୁମ ଆମ ମଣିଷମାନଙ୍କୁ ଆଗ ମୁଗ୍ଧ ହିଁ କରେ । ଆମର ମନଲାଖି ବର ଦିଏ । ଆମକୁ ନାନାବିଧ ମହିମ୍ନସ୍ତୋତ୍ର ଦ୍ଵାରା ଊର୍ଦ୍ଧ୍ଵମନା କରେ, ମୂଳଦୁଆଟି ପ୍ରାୟ ଗୌଣ ହୋଇ ପଡ଼ିରହେ । ଆମ ମନ୍ଦିରମାନେ ସେମାନଙ୍କର ଚୂଡ଼ାରେ ଉଡ଼ୁଥିବା ନେତମାନଙ୍କର ପ୍ରଭାସ୍ଵରତାରେ ଏପରି ପ୍ରଚଣ୍ଡଭାବରେ ଲୋଭାଇ ପକାନ୍ତି ଯେ, ଏହି ଯାବତୀୟ ଭବ୍ୟ ମନ୍ଦିରମାନେ ଯେ ଏକ ମୂଳଦୁଆ ଅଛି ବୋଲି ଠିଆ ଯେ ହୋଇଛନ୍ତି, ଆମେ ସେହି କଥାଟିକୁ ପାସୋରି ଦେଉ । ଏହି ପୃଥିବୀରେ ସବୁଯାକ ମନ୍ଦିର ଆମର ଖାସ୍ ଆଖିଗୁଡ଼ିକର ସୁଯୋଗ ନେଇ ଚୂଡ଼ାଗୁଡ଼ିକ ଦ୍ଵାରା ଏପରି ମୁଗ୍ଧ ଓ ଚକିତ କରି ନିଅନ୍ତି ଯେ ଆମେ ସେମାନଙ୍କର ମୂଳଦୁଆଟି ବିଷୟରେ କେଡ଼େ ସହଜ ନିରୀହ ଭାବରେ ବିସ୍କୃତ ହୋଇ ରହୁ । ଆପଣାର ଜୀବନରେ ମଧ୍ୟ ସମ୍ଭବତଃ ଚୂଡ଼ାଗୁଡ଼ିକର କଳ୍ପନାରେ ଜୀବନଟାକୁ ସେହି ଖୁସିରେ ଖୁସିରେ ସାରିଦେଉ ଏବଂ, ମୂଳଦୁଆଟି ବିଷୟରେ କେଡ଼େ ଅଳିଅଳ ଭାବରେ ଅନ୍ୟମନା ହୋଇ ରହିଥାଉ ।

 

ମହାଶକ୍ତି ଅନ୍ୟ ତିନୋଟିଯାକ ପ୍ରକାଶରୂପ ମହାସରସ୍ଵତୀଙ୍କ ଉପରେ ଆଉଜି ରହିଥାଆନ୍ତି ବୋଲି ଶ୍ରୀଅରବିନ୍ଦ କହିଛନ୍ତି । ଆପେ ଏହି ଭୌତିକ ଭୂମି ଉପରେ ଆଦୌ ପ୍ରତ୍ୟକ୍ଷ ହୋଇ ପାରିବେ ବୋଲି ନିର୍ଭରଶୀଳ ଥାଆନ୍ତି । ସାଧନାର ଏପରିକି ଆରାଧନାରେ ମଧ୍ୟ ଗୋଟିଏ ଅନନ୍ୟ ବ୍ୟାଖ୍ୟା । ସବାଆଗ ଏହି ମୂଳଦୁଆଟି, ଏହି ଭୂମିଟି, ତା'ପରେ ଯାଇ ଯାହା କିଛି ପ୍ରକାଶ ଓ ଯାହା କିଛି ଅସ୍ତିତ୍ଵ । ଏବଂ, ପ୍ରାୟ ଯୁଗଯୁଗରୁ ହିଁ ଆମ ଶାସ୍ତ୍ରସ୍ଥ ସେହି ଶକ୍ତିରୂପମାନେ ପ୍ରକୃତ ସତେଅବା କେଉଁ ଅପହଞ୍ଚ ସୁଭବ୍ୟ ମନ୍ଦିରଗୁଡ଼ିକର ଚୂଡ଼ା ସଦୃଶ ହୋଇ ରହୁଥିଲେ ଏବଂ ସେହି ଦୂରରେ ଥାଇ ହିଁ ଚଉବର୍ଗ ଫଳ ପ୍ରଦାନ କରୁଥିଲେ । ମହାସରସ୍ଵତୀଙ୍କର ଏହି ଅଭିନବ ଉପସ୍ଥାପନାଟି ଦ୍ଵାରା ଶ୍ରୀଅରବିନ୍ଦ ତାଙ୍କୁ ଆମର କେତେ ନିକଟକୁ ନେଇ ଆସିଛନ୍ତି । ମୂଳଦୁଆଟି ଆଗ, ଏକାବେଳେକେ ଆମର ନିଜ ଜୀବନରୁ ଏବଂ, ମୂଳଦୁଆଟିଏ ଗଢ଼ା ହୋଇଗଲେ ଯାଇ ଆମର ଆଖିମାନେ ପ୍ରଥମର ତିନି ଦେବୀଙ୍କୁ ମଧ୍ୟ ଏହିଠାରେ ସମ୍ଭବ କରି ପାରିବେ; ସେମାନଙ୍କୁ ଭୂମିଟିଏ, ବାସ୍ତବ ବେଦୀଟିଏ ଯୋଗାଇଦେଇ । ସେଇଟି ହେଉଛି ପ୍ରକୃତରେ ଅଧ୍ୟାତ୍ମ,–ଯେଉଁଠି ମନ୍ଦିର କହିଲେ ମୂଳଦୁଆ ଓ ଚୂଡ଼ା ଏକାବେଳେକେ ଉଭୟକୁ ବୁଝାଉଛି । ମହାସରସ୍ଵତୀ ହିଁ ସମଗ୍ର ସଂରଚନାଟିକୁ ଏକ ପୂର୍ଣ୍ଣ ସକଳାଙ୍ଗତା ପ୍ରଦାନ କରିବେ । ମୂଳଦୁଆଟି ପଡ଼ିଲେ ଆଉ ଶିଖରମାନଙ୍କର ଆକର୍ଷଣରେ ବାଉଳା ହୋଇ କିଏ କାହିଁକି ଏହି ସର୍ବପ୍ରଥମ ଭୂମିଟିକୁ ଛାଡ଼ି ପଳାୟନ କରିବ ? ଶିଖରଟି ଯାଇ ସେଠାରେ ବୋଲି କଳ୍ପନା କରିବାର ସେହି ନାସ୍ତିକତାଟିକୁ ଆଇ କାହିଁକି କିଏ ଜାବୁଡ଼ି ଧରିବ ! ବିଶ୍ଵ–ଅଧ୍ୟାତ୍ମିର ଇତିହାସରେ ସମ୍ଭବତଃ ଏହି ସତ୍ୟଟି ହେଉଛି ଏକାବେଳେକେ ଏବର ଆବିଷ୍କାର । ଏକ ଅଙ୍ଗେନିଭା ତପସ୍ୟାର ଆବିଷ୍କାର । ଏବଂ, ସେହି କାରଣରୁ ଶ୍ରୀଅରବିନ୍ଦଙ୍କର ଏହି ଅନନ୍ୟ ବ୍ୟାଖ୍ୟାଟି । ଏବଂ, ସେହିପରି କିଛି କାରଣରୁ ଶ୍ରୀଅରବିନ୍ଦ ମହାସରସ୍ଵତୀଙ୍କୁ ଚାରି କଳ୍ପନାର ଗୁଚ୍ଛଟି ମଧ୍ୟରେ ସର୍ବକନିଷ୍ଠା ବୋଲି କହିଛନ୍ତି କି ? ଅଧ୍ୟାତ୍ମ ନାମରେ କେବେଳ ଏକ ଶିଖରର କଳ୍ପନା କରି ସେହି ଉଚ୍ଚରେ ହିଁ ରହିଯିବା,–ଏକ ଭୌତିକ ରୂପାୟନ ଲାଗି ଏକ ଅନୁରୂପ ମୂଳଦୁଆଟି ସମ୍ଭବ ହେଲେ ପ୍ରଥମୋକ୍ତ ତିନି ଶକ୍ତିରୂପିଣୀ ଯେ ପ୍ରକୃତରେ ଆମ ଆସ୍ପୃହାର ମୂର୍ତ୍ତ ପରିଧିଗୁଡ଼ିକ ମଧ୍ୟକୁ ଆସିଯିବେ, ଆମକୁ ଏବେ ଏତେ ଦୂର ହୋଇ ରହିଥିବା ପ୍ରଭାସ୍ଵରତା ମାନଙ୍କୁ ଯେ ଆମ ଏହି ତଳଟିଯାଏ ସ୍ପର୍ଶ କରାଇ ଆଣିବେ, ମହାସରସ୍ଵତୀଙ୍କୁ ଆମେ ତାହାରି ଏକ ପ୍ରତିଶ୍ରୁତି ରୂପେ ବୁଝିବାକୁ ଚେଷ୍ଟା କରିବା । ତେବେ ଏହି ପୃଥ୍ଵୀସାଧନାର ନିମିତ୍ତରୂପେ ଆମ ନିଜ ଜୀବନଗତ ସାଧନାଗୁଡ଼ିକୁ ମଧ୍ୟ ତଦ୍ଦ୍ଵାରା ଅଧିକ ପ୍ରତ୍ୟକ୍ଷରୂପେ ଅନୁଭବ କରିବାକୁ ଆରମ୍ଭ କରିବା ।

 

ଆମ ଜୀବନସାଧନାର ସକଳ ସମ୍ବେଦନତାକୁ ଜାଗୃତ କରିଆଣି ଶ୍ରୀଅରବିନ୍ଦ ପ୍ରାୟ ଏକ ବିଶେଷ ଭରସା ଦେଲାପରି କହିଛନ୍ତି ଯେ, ମହାସରସ୍ଵତୀ ଆମ ମନୁଷ୍ୟମାନଙ୍କର ସବୁକିଛି ହ୍ରସ୍ଵ ଏବଂ ଦୀର୍ଘକୁ ବୁଝିଥିବା ପରି ଆମ ପାଇଁ ବହୁତ କଷ୍ଟ ବରଣ କରନ୍ତି : ଆମକୁ ସିଏ ତାଙ୍କ ଅନୁକୂଳ ପରିବେଶଟିଏ ପାଇଲେ ନାହିଁ ବୋଲି ସତେଅବା ରୁଷ୍ଟ ହୋଇ ମୋଟେ ମୁହଁ ବୁଲାଇ ଚାଲି ଯାଆନ୍ତି ନାହିଁ । ପ୍ରଥମ ତିନିଶକ୍ତି ଆପଣା ଆପଣା ମହିମା ଗୁଡ଼ିକ ଦ୍ଵାରା ଆକର୍ଷଣ କରିନିଅନ୍ତି, ଆପଣାର କୃପାନେତ୍ର ପକାଇବା ନିମନ୍ତେ ନିଜ ତରଫରୁ ସର୍ତ୍ତମାନ ମଧ୍ୟ ଦେଇଥାଆନ୍ତି ଏବଂ ସେହି ସର୍ତ୍ତଗୁଡ଼ିକର ପୂରଣ ନହେଉ ଥିବାର ଦେଖିଲେ ଆପଣାକୁ ଅପସରାଇ ନିଅନ୍ତି । ତେଣୁ, ଆମ ମନୁଷ୍ୟମାନଙ୍କର ଭାଷାରେ କହିଲେ, ଆମକୁ ଖୁବ୍ ଛଟପଟ କରନ୍ତି, ଅର୍ଥାତ୍ ତୁଚ୍ଛା ଆଶାମାନ ଆଣି ଦେଉଥାଆନ୍ତି, ପ୍ରବଳ ଆସ୍ପୃହାମାନ ଜାଗୃତ କରାନ୍ତି ଓ ଆମକୁ ସେହି ମୁତାବକ ତିଆରି ହେଉ ନଥିବାର ଦେଖିଲେ ବିମୁଖ ହୋଇ ଲେଉଟି ଯାଆନ୍ତି । ଏବଂ, ଆହୁରି ଛଟପଟ ଅର୍ଥାତ୍ ଆହୁରି ଛଟପଟ ବି କରାନ୍ତି । ଆମକୁ ସେମାନେ କେତେ କମ୍ ବୁଝନ୍ତି ବୋଲି ଆମ ମନରେ ଏକ ଧାରଣା ହୁଏତ ଆଣି ଦିଅନ୍ତି । ଅର୍ଥାତ୍ ଆମ ବୁଝିବାରେ ସେମାନେ ଆମର ଆସ୍ପୃହା ଗୁଡ଼ିକୁ ବୁଝନ୍ତି ନାହିଁ ଓ ଆମର ଅଳ୍ପ ସାମର୍ଥ୍ୟଗୁଡ଼ିକୁ ମଧ୍ୟ ବୁଝି ପାରୁନଥାନ୍ତି । କିନ୍ତୁ, ମହାସରସ୍ଵତୀ ବୁଝନ୍ତି, ଆମ ହଜାର ଅପୂର୍ଣ୍ଣତା ସହିତ ସେ ଆମକୁ ବୁଝନ୍ତି ଏବଂ, ତଥାପି ଛାଡ଼ି ଚାଲି ଯାଆନ୍ତି ନାହିଁ-। ଆମ ତରଫର ହୋଇ ସେ ଆମକୁ ବୁଝନ୍ତି । ତେଣୁ ବର୍ଜନ କରିପାରନ୍ତି ନାହିଁ । ସଦା ସଦୟ ରହିଥାନ୍ତି ଏବଂ ମୁରୁକି ହସୁଥାନ୍ତି । ଆମର ଅପାରଗଦାଗୁଡ଼ିକୁ ଦେଖି ତାତ୍ସଲ୍ୟ କରିଥିବାରୁ ଆଦୌ ନୁହେଁ, ଆମର ଯେତେ ଯାହା ଅଭାବ ସତ୍ତ୍ୱେ ଆମେ ତଥାପି ଅବଶ୍ୟ ପାରିବୁ ବୋଲି ଆମକୁ ଆତ୍ମବଳ ଦେବାରେ ଲାଗିଥାନ୍ତି । ଆମଠାରୁ କେବେହେଲେ ଆଶା ଛାଡ଼ନ୍ତି ନାହିଁ,–ଆମେ ନାନାଭାବେ ବିଫଳ ହେଉଥାଉ, ତଥାପି ସିଏ ଆମଠାରେ ଆଶା ସ୍ଥାପନ କରିଥାନ୍ତି । ଆମେ ସତକୁ ସତ ଯେତେ ଯାହା ହୋଇପାରିବା, ଅମାକୁ ସେହିସବୁର ବିଶ୍ଵାସରେ ବଳବାନ୍ କରି ନେଉଥାନ୍ତି । ଏପରି ସତେଅବା ଜଣେ ନିଆରା ଜନନୀଶକ୍ତି, ଯିଏକି ଆମକୁ କଦାପି ବର୍ଜନ କରନ୍ତି ନାହିଁ କେତେ ନା କେତେ ଶ୍ରଦ୍ଧା ରଖିଥାଆନ୍ତି ବୋଲି ସିନା ତାହା କରନ୍ତି ।

 

ଶ୍ରୀଅରବିନ୍ଦ ମଧ୍ୟ ଆମେ ଏହି ଆପଣାକୁ ତଥା ଆମ ଆସ୍ପୃହାପଥ ଗୁଡ଼ିକର ଏହି ଜନନୀଶକ୍ତି ଗୁଡ଼ିକୁ କେତେ କମ ବୁଝିଥାଉ ବୋଲି ଖୁବ୍ ଭଲ ଭାବରେ ଜାଣିଥିବା ଏବଂ ବୁଝି ପଡ଼ୁଥିବା ପରି ଆମର ହୃଦ୍‌ବୋଧ କରାଇ ଶେଷରେ କହିଛନ୍ତି ଯେ, ମହାସରସ୍ଵତୀ ଆମର ଅଭାବଗୁଡ଼ିକର କ୍ଷେତ୍ରରେ ସର୍ବଦା ଆମର ମାଆ ହୋଇ ମହଜୁଦ ରହିଥାନ୍ତି, ଆମକୁ ପରାମର୍ଶ ଦେଉଥାନ୍ତି, ଆମର ଆକାଶ ଉପରୁ ନିରାଶାର ମେଘଗୁଡ଼ିକୁ ଘଉଡ଼ାଇ ନିଅନ୍ତି । ସିଏ ତ ଆମ ସହିତ ପ୍ରତ୍ୟେକ ମୁହୂର୍ତ୍ତରେ ଅଛନ୍ତି, ସର୍ବଦା ହିଁ ସହାୟତା କରିବା ନିମନ୍ତେ ରହିଛନ୍ତି,–ତେବେ ଆମେ କ’ଣ ପାଇଁ ବଳ ହରାଇ ରହିଯିବାକୁ ଇଚ୍ଛା କରିବା ବୋଲି ଆମକୁ ଉଦ୍‌ବୋଧନ ଦେଉଥାନ୍ତି : ମାଆଟି ପରି ଏହି ପୃଥିବୀରେ ତଥା ସେହି ମାଆଟି ସଦୃଶ ଆମ ଭିତରେ ମଧ୍ୟ ଥାଇ ଆମର ଏହି ଚାଲୁଥିବା ବାଟଗୁଡ଼ିକରେ ଏବଂ ଆମ ଅନ୍ତର ମଧ୍ୟରେ, ଏହି ଦୁଇଟିଯାକ ଥାନାରେ ସାକ୍ଷାତ ମାଆଟିଏ ହୋଇ ସମ୍ମୁଖରେ ଏକ ଶାଶ୍ଵତ ସୂର୍ଯ୍ୟାଲୋକ ଆମକୁ ତଥା ଆମର ଏହି ସତତ–ସମ୍ଭାବନାଯୁକ୍ତ ପୃଥିବୀକୁ ଅପେକ୍ଷା କରିଛି ବୋଲି ଅଭୟଟିଏ ଦେଇ,-ଆମକୁ ଭୟମୁକ୍ତ ହୋଇ ଅଗ୍ରସର ହେବା ନିମନ୍ତେ । ଆମରି ଭିତରେ ଏବଂ ଆମ ସକଳ ମନୁଷ୍ୟଙ୍କୁ ନିମିତ୍ତ କରି ଏହି ପୃଥିବୀରେ ଏକ ଉଚ୍ଚତମ ପୂର୍ଣ୍ଣାଙ୍ଗ ଯେଉଁ ଜନ୍ୟ ଜୀବନଚେତନାଟି ବିଦ୍ୟମାନ ରହିଛି, ତାହାରି ଆଡ଼କୁ । ଏକ ଭୌତିକ ଅନୁକୂଳ ମୂଳଦୁଆ ଆଡ଼କୁ ଆମକୁ ସର୍ବଦା ପାଖେପାଖେ ରହି ପରିଚାଳିତ କରି ନେଉଥାନ୍ତି, ଯାହାକୁ ଅବଲମ୍ବନ କରି ସେହି ଅନ୍ୟ ଜନନୀରୂପ ଗୁଡ଼ିକ ମଧ୍ୟ ଆମ ଲାଗି, ଆମର ଏହି ପୃଥିବୀଟି ଲାଗି ସମ୍ଭବ ହୋଇ ଆସିବେ, ଆଉ କଦାପି ଆମକୁ ଅଯୋଗ୍ୟ ଦେଖି ଫେରିଯିବେ ନାହିଁ ।

 

ଏଇଟି ହେଉଛି ଶ୍ରୀଅରବିନ୍ଦଙ୍କର ଏକ ନୂତନ ଉପସ୍ଥାପନା, ଏକ ନୂତନ ପ୍ରତିଶ୍ରୁତିର ସର୍ବପ୍ରଥମ ପାବଚ୍ଛଟିକୁ ଆମ ଆସ୍ପୃହା ପାଇଁ ସ୍ପଷ୍ଟ କରିଦେଇ । ମାତୃକରୁଣାର ସେହି ମହାସରସ୍ଵତୀ–ପ୍ରେରଣାଟି ଯାବତୀୟ ଆଧ୍ୟାତ୍ମିକଭୂମିରେ ସମ୍ପୂର୍ଣ୍ଣ ଅଭିନବ ଏବଂ ଆମେ ସେହି କଥାଟିକୁ ନିଶ୍ଚୟ ମନେ ରଖିବା । ତେବେଯାଇ ଅସଲ ସାନ୍ନିଧ୍ୟଟିକୁ ନିଜ ଭିତରେ ଅନୁଭବ କରିପାରିବା । ସାନ୍ନିଧ୍ୟଟିକୁ ପାଇ ନିଶ୍ଚୟ ପ୍ରତ୍ୟାଶିତ ଅନୁସାରେ ସହଯୋଗ ମଧ୍ୟ କରିପାରିବା । ଏବଂ, ସହଯୋଗ କରିବାର ସେହି ଆଧ୍ୟାତ୍ମବଳଟିର ଉପଲବ୍ଧ କରୁଥିବା ସହିତ ଆମେ ତା’ପରେ କ’ଣ ପାଇ ସେପ୍ରସ୍ଥଟିକୁ ବହୁ ଦୂର ଏବଂ ଦୁଃସାଧ୍ୟ ବୋଲି ମଧ୍ୟ କହିବା ! ସେପ୍ରସ୍ଥଟି ଏପ୍ରସ୍ଥଟିକୁ କ୍ରମେ ନିକଟତର ହୋଇ ଆସୁଛି ବୋଲି ଅସଲ ବାରତାଟିକୁ ପାଇଥିବା ଏବଂ କେଡ଼େ ସହଜ ଓ ସୁନିଶ୍ଚିତ ଭାବରେ ସେପ୍ରସ୍ଥଟିର ଉଅଟିକୁ ଶୁଣିପାରିବ । ସମ୍ଭବତଃ ତା’ପରେ ସଚେତନା ଭାବରେ ମୋଟେ କୌଣସି ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବନାହିଁ । ଯେଉଁମାର୍ଗମାନଙ୍କରେ ସକଳ ସାଧନା ସେହି ପୁରୁଣା ପରିସଂଖ୍ୟାନଟି ଅନୁସାରେ ଏକପାଖିଆ ହୋଇ ରହିଥାଏ, ସେଗଡ଼ିକରେ ନାନାବିଧ କୃଚ୍ଛ୍ରର ହିଁ ପରାମର୍ଶ ଦିଆଯାଏ, ଭାରି ଭିଡ଼ିମୋଡ଼ି ହୋଇ ତଥାପି ଯିବାକୁ ପଡ଼ୁଥାଏ,–ବେଳେ ବେଳେ ଜାଣିଶୁଣି ଏବଂ ବେଳେ ବେଳେ ଏକ ଅଚେତନ କ୍ରିୟାର ବଶବର୍ତ୍ତୀ ହୋଇ ବଙ୍କା ହୋଇ ବାଟଟିଏ ଚାଲିବା ହିଁ ସାର ହୁଏ ଏବଂ ପଥଟି ହଜି ହଜି ଯାଉଥାଏ । ତେଣୁ ଆଉ ପ୍ରାୟ କୌଣସି ଭେଟ ବା ସାକ୍ଷାତକାର ହୋଇପାରେ ନାହିଁ । ସମ୍ଭବତଃ ସେତିକିବେଳେ ନିଶ୍ଚିତ ଭାବେ ହାରି ହାରି ଯାଉଥିବା ଗୁରୁମାନେ ଅନେନ୍ୟୋପ୍ରାୟପ୍ରାୟ ହୋଇ ସମ୍ପ୍ରଦାୟମାନ ସୃଷ୍ଟି କରନ୍ତି ।

 

ଯୋଗସ୍ଥ ସାଧନାର ଏହି ନୂତନ ଦ୍ଵାରୋନ୍ମୋଚନଟି ସମ୍ଭବତଃ ଏକାବେଳେକେ ଏଯୁଗର କଥା । ମନୁଷ୍ୟମାନେ ଆପଣାର ଆଖିମାନଙ୍କୁ ଯୁହୁଁ ଯୁହୁଁ ଯୁଗପତ୍ ଭାବରେ ବାହାରକୁ ତଥା ନିଜ ଭିତରକୁ ଭେଦାଇ ନେଇ ପାରିଲେ, ସେତିକି ସେତିକି ସେମାନେ ନିଜର ସାଧନାକାୟଟିରେ ମଧ୍ୟ ଅଧିକ ଅଧିକ ଆୟାମ ଆଣି ଯୋଡ଼ି ଦେଇ ପାରିଲେ, ଆରୋହଣର ଏକ ପରବର୍ତ୍ତୀ ଅନୁରୂପକ ରୂପେ ଅବରୋହଣର କଳ୍ପନା ମଧ୍ୟ କରିପାରିଲେ । ତେଣୁ, ଆମର ଯାବତୀୟ ଇଷ୍ଟକଳ୍ପନା ଗୁଡ଼ିକ ଯେ ଆମକୁ କାହିଁକି ଏଠାରୁ ସେହି ଉର୍ଦ୍ଧ୍ଵକୁ ନେଇ ଯାଉଥିବ, ସେମାନେ ତାହାକୁ ମୋଟେ ପୂର୍ଣ୍ଣ ସମୀଚୀନ ବୋଲି ଗ୍ରହଣ କରିନେଇ ପାରିଲେନାହିଁ । ଆଦର୍ଶ ସ୍ଵର୍ଗରାଜ୍ୟଟି ସେହି ସେଠାପରି ଏହି ପୁଥ୍ଵୀମଣ୍ଡଳଟି ଉପରେ ଅବଶ୍ୟ ପ୍ରତିଷ୍ଠିତ ହୋଇ ପାରିବ, ସେହିପରି ଏକ ନୂତନ ସ୍ପର୍ଦ୍ଧାର ସୂଚନା ମଧ୍ୟ ଆମେ ସେହି ଆଦ୍ୟ ଶତାବ୍ଦୀମାନଙ୍କରରେ କେତେକ ଧର୍ମଚେତନାରେ ଅଭିବ୍ୟକ୍ତ ହୋଇଥିବାର ସ୍ପଷ୍ଟ ଆଭାସଗୁଡ଼ିକୁ ମଧ୍ୟ ବେଶ୍‍ ଦେଖିବାକୁ ପାଇଥାଉ । ମାତ୍ର ସେତେବେଳେ ସେହି ସ୍ୱର୍ଗାବତରଣକୁ ସମ୍ଭବ କରି ଆଣିବା ନିମନ୍ତେ ଯଥେଷ୍ଟ ପାରିବେଶିକ ଅନୁକୂଳତା ନଥିବାରୁ ସ୍ପର୍ଦ୍ଧାଟି ପ୍ରାୟ କେବଳ ଏକ ସ୍ପର୍ଦ୍ଧାରେ ହିଁ ରହିଗଲା । ତଥାପି, ସେହି ଅଧ୍ୟାତ୍ମ ଉଚ୍ଚାଟନଟିର ସେହି କାଳଗୁଡ଼ିକର ପ୍ରତିନିଧିମାନେ ଏହି ବହୁ ଅପୂର୍ଣ୍ଣତାର ଏହି ପୃଥିବୀରେ ସତେଅବା ଆପଣାର ଏକ ଅଲଗା ସ୍ଵର୍ଗରେ ଯାଇ ଆପଣାର ଥାନଟିଏ ବାଛି ନେବାପରି ନିକାଞ୍ଚନ ନିର୍ଭରଟିଏ ବାଛିନେବାର ପ୍ରୟାସରେ ମଠ ଓ ମନାଷ୍ଟରି ଗୁଡ଼ିକର ଥାପନା କରେ, ଅନ୍ତତଃ କିଛି ପରିମାଣରେ ଉର୍ଦ୍ଧ୍ଵରେ ରହିଥିବାର କିଞ୍ଚିତ୍ ପ୍ରତୀତିରେ ଅଲଗା ଭେକ ପିନ୍ଧିଲେ, ଖାସ୍ ପ୍ରସାଧନ ଗୁଡ଼ିର ଅଭ୍ୟାସ କଲେ । ଆମ ବାଲୁରା ପୃଥିବୀଟାକୁ ମଧ୍ୟ ସେହି ଅନୁରୂପ ଏକ ସରଳ ବିଶ୍ଵାସ ମଧ୍ୟରେ କେତେ ଭଙ୍ଗ ଓ ବିଭଙ୍ଗରେ ମଜାଇ ବି ରଖିପାରିଲେ । ପୁରୁଣା ପୃଥିବୀଟା ଏମାନଙ୍କୁ ଖୋରାକ ଯୋଗାଇଦେଲା, ସେମାନଙ୍କୁ ଗୁରୁ ବୋଲି ଘେନା କରିନେଲା । ତେଣୁ, ଏକ ଯାହିତାହି ସମାଧାନ ମିଳିଗଲା ପରି ଅବଶ୍ୟ ବୋଧ ହେଲା ।

 

ମାତ୍ର, ତା’ପରେ ଏହି ମାୟା ପୃଥିବୀଟାର ସାମର୍ଥ୍ୟମାନେ ତଥାପି ବଦଳି ଯାଉଥିଲେ । ଜ୍ଞାନ, ବିଜ୍ଞାନ, ଜୀବନସଂସ୍ଥାନ, ପାରସ୍ପରିକ ବହୁ ବହୁ ସଂପର୍କ ପଥର ଆବିଷ୍କାର, ଆଦାନ ଓ ପ୍ରଦାନ,–ଯୁଗରେ ଆଖିମାନେ ଯେପରି ଏହି ଧରାତଳେ କେତେ କେତେ ବୃହତ୍ତର ସମ୍ଭାବନାର ନକ୍ସାଗୁଡ଼ିକୁ କାଟିବାକୁ ଆରମ୍ଭ କଲେ । ପ୍ରତିଷ୍ଠତ ଧର୍ମମାର୍ଗମାନେ ପରସ୍ପରଠାରୁ ବହୁତ ପ୍ରେରଣା ପାଇଲେ, ନୂଆ ନୂଆ ଗବାକ୍ଷରୁ ମହତପ୍ରୟାସୀ ଅଧ୍ୟାତ୍ମ ମଧ୍ୟ ଆଖର ଜନ୍ମଲାଭ କଲା କି ? ଯେଉଁ ମହାନ୍ ସତ୍ୟଟି ଅନ୍ତରୀକ୍ଷକୁ ପୂର୍ଣ୍ଣ କରି କାଳକାଳରୁ ବିରାଜମନ ରହିଛି, ସେଇଟି ତୋ’ ଭିତରେ ମଧ୍ୟ ରହିଛି, ଏକ ସତକୁ ସତ ଗୁହାମୁକ୍ତି ନିମନ୍ତେ ଅପେକ୍ଷା କରିଛି, ଅଧ୍ୟାତ୍ମ ଚିରକାଳର ସେହି ସତ୍ୟଟିକୁ ଏକ ସକଳତର ଅର୍ଥରେ ପୁଣି ଆବିଷ୍କାର କରିନେବାର ମୂହୁର୍ତ୍ତ ଆସି ପହଞ୍ଚିଲା ଏବଂ ସଚେତନା ମନୁଷ୍ୟ ଦୃଷ୍ଟିଟିକୁ ଉଦ୍‌ବେଳିତ କରିବାକୁ ଆରମ୍ଭ କଲା । ନାଇଁ, ନାଇଁ, ଏହି ପୃଥିବୀଟିକୁ ସେହି ନିତ୍ୟଯୁଗର ଅଧ୍ୟାତ୍ମଟିର ଅନୁକୂଳ କରି ପ୍ରସ୍ତୁତ କରିବାକୁ ହେବ । ପରିପୂର୍ଣ୍ଣ କର୍ମବ୍ରତ ଦ୍ଵାରା ତାହା କରିଯାଇ ପାରିବ । ସ୍ଵାର୍ଥ ନୁହେଁ, ଅହଂ ନୁହେଁ, ଅହଙ୍କାର ତ ଆଦୌ ନୁହେଁ, କପଟରହିତ, ଛଳନାଶୂନ୍ୟ, ସକଳ ପ୍ରକାର ଅଭିନୟରୁ ମୁକ୍ତ–କେବଳ ଅଲଗା ଅଲଗା ଜଣେ ବ୍ୟକ୍ତି ଅଥବା କେତେ ବ୍ୟକ୍ତିଙ୍କର କର୍ମ ନୁହେଁ, ଜୀବନପ୍ରୀତୀ ନାମକ ସେହି ଖାସ୍ ଅଧ୍ୟାତ୍ମଟିର ସୂତାରେ ପରସ୍ପର ସହିତ ବାନ୍ଧି ହୋଇ ରହିଥିବା ମେଳଗୁଡ଼ିକର ହିଁ କର୍ମ । ପରସ୍ପରକୁ ଏକ ଅନିର୍ବଚନୀୟ ଏକତା ମଧ୍ୟରେ ଏକ ସହଜ ନିୟତିରେ ଅଙ୍ଗୀକାରବଦ୍ଧ ହୋଇ ରହିଥିବା ମାତୃସନ୍ତାନ ମାନଙ୍କର ଯାବତୀୟ କର୍ମ । ଶ୍ରୀଅରବିନ୍ଦ ଆମ ସମସ୍ତଙ୍କୁ ପରିଚିତ କରାଇ ଦେଉଥିବା ଜନନୀ ମହାସରସ୍ଵତୀଙ୍କୁ ଆମେ ସେହିପରି ଏକ ଅନ୍ତର୍ଗତ ଅର୍ଥରେ ଗ୍ରହଣ ସ୍ପର୍ଦ୍ଧା କରିପାରିବା କି ? ତାଙ୍କରି ଭାଷାରେ ପୁନର୍ବାର ସ୍ମରଣ କରିବାକୁ ଇଚ୍ଛା କଲେ, ସିଏ କେବଳ ଆମ ମନୁଷ୍ୟମାନଙ୍କର ଅଧ୍ୟାତ୍ମ ସଂକଳ୍ପଗୁଡ଼ିକ ଲାଗି ନୁହେଁ, ଅନ୍ୟ ତିନି ଜନନୀଶକ୍ତିଙ୍କର ଅବତରଣ ଅର୍ଥାତ୍ ବାସ୍ତବାୟନ ନିମନ୍ତେ ମଧ୍ୟ ଏକ ଭୌତିକ ମୂଳଦୁଆ ଆଣି ଯୋଗାଇ ଦେବେ ।

 

ଏବଂ ଆମର ପାଖେ ପାଖେ ଥିବେ, ଆମକୁ ମୋଟେ ଛାଡ଼ି ଚାଲିଯିବେ ନାହିଁ । ରୁଷ୍ଟ ହେବେ ନାହିଁ । ମାହେଶ୍ଵରୀ, ମହାକାଳୀ ଓ ମହାଲକ୍ଷ୍ମୀ ଆମକୁ କେତେ କ’ଣ ମହାସମ୍ଭାବନାରେ ଝଲକ ଦେଖାଇ ଉଚ୍ଚାଟିତ କରିବାରେ ଲାଗିଥିବେ, ଆମ ଭିତରର କାଙ୍ଗାଳଟାକୁ ହୁଏତ ଆହୁରି କାଙ୍ଗାଳ କରି ପକାଉଥିବେ । ମାତ୍ର ଏଣେ ସେମାନଙ୍କର ଅବତରଣ ସକାଶେ ଏ ଭୌତିକ ମୂଳଦୁଆ ତ ନଥିବ । ସେମାନଙ୍କର ଏକାଧିକ ସର୍ତ୍ତ ମଧ୍ୟରେ ସମ୍ଭବତଃ ଏଇଟି ହିଁ ସବା ଅତ୍ୟାବଶ୍ୟକ ଗୋରିଏ ସର୍ତ୍ତ ହୋଇ ରହିଥିବ । ଏବଂ ଅଧିକନ୍ତୁ ସକଳ ସର୍ତ୍ତଚୟର ଆମ ଆଡ଼ୁ ପୂରଣ ହୋଇ ନପାରୁଥିଲେ ସେମାନେ ମୁହଁ ଆଡ଼େଇ ଅପସରି ଯାଉଥିବେ । ଏବଂ, ମହାସରସ୍ଵତୀ ମୋଟେ ଛାଡ଼ି ଚାଲିଯିବେ ନାହିଁ । ଆମକୁ ଅଧିକ ବୁଝି ପାରୁଥିବେ, ତେଣୁ ଆମର ପାଖେ ପାଖେ ଥିବେ । ମୋ; ଜନନୀ ସର୍ବଦା ଏହିପରି ମୋ’ ପାଖେ ପାଖେ ହିଁ ରହିଛନ୍ତି, ଏହି ଯେଉଁ ବାସ୍ତବ ପ୍ରତୟଟି, ତାହା ହିଁ ତ ସନ୍ତାନମାନଙ୍କ ନିମନ୍ତେ ସବାବଡ଼ ସମ୍ପଦ, ସବାବଡ଼ ଅନୁଭବ ଏବଂ ସେଇଥିରୁ ହିଁ ସର୍ବାଧିକ ବଳ ବି ପ୍ରାପ୍ତ ହେଉଥିବ, ନିଜକୁ ଏହି ସଂସାରର ଆସ୍ପୃହାଗତ କ୍ଷେତ୍ରରେ ନିଶ୍ଚୟ କେତେ ନା କେତେ ଭାଗ୍ୟବନ୍ତ ଏବଂ ଧନାଢ଼୍ୟ ମନେ ହେବ । ମହାସରସ୍ଵତୀ କେବେହେଲେ ଛାଡ଼ି ଯାଆନ୍ତି ନାହିଁ । ଏହି ନିତିଦିନର ଆମର ଜନ୍ମଦାତ୍ରୀ ମାଆ ଯେପରି ଆମକୁ ଛାଡ଼ି ଯାଏ ନାହିଁ, ଠିକ୍‍ ସେହିପରି ଗୋଟିଏ ଅର୍ଥରେ ଅର୍ଥାତ୍, ଆମେ ଜୀବନର ଏହି ସ୍ତରରେ ଯେପରି ସ୍ଥତିରେ ରହିଛୁ, ଏକାବେଳେକେ ସେହି ସ୍ତରରୁ ହିଁ ଆମକୁ ସାହଚର୍ଯ୍ୟ ଦେଇ, ଆମେ ପୂରାପଣେ ଅଜ୍ଞାନବତ୍ ହୋଇ ରହିଥିବା ଏହି ପୃଥିବୀରେ ଆମର ପରବର୍ତ୍ତୀ ଉଜ୍ଜ୍ଵଳ ପ୍ରତିଶ୍ରୁତି ଗୁଡ଼ିକ ବିଷୟରେ ଆମକୁ ସମ୍ଭବତଃ ଅଧିକରୁ ଅଧିକ ସଚେତନ କରାଇ ମଜବୁତ କରି ନିଅନ୍ତି ଏବଂ ଆମ ଭିତରେ ନିଜ ତଥା ଆମର ଏହି ପୃଥିବୀର ଉଜ୍ଜ୍ଵଳ ଭାଗ୍ୟଟି ବିଷୟରେ ଆମ ଭିତରେ ସମୁଚିତ ସଂପୃକ୍ତବୋଧ ଗୁଡ଼ିକୁ ସଞ୍ଚାରିତ କରି ଆଣନ୍ତି । ପୃଥିବୀର ପ୍ରାୟ ସକଳ ଧର୍ମରେ ତ ବୃହତ୍ ତଥା ତହୁଁବୃହତ୍ ପିତୃମାତୃରୂପୀ ଦେବୀ ଏବଂ ଦେବତାମାନେ ତ ଆମକୁ ପ୍ରାୟ ଜଣେ ଜଣେ ଖଳନାୟକ ସଦୃଶ ଆସି ସର୍ବଦା ଏକାଧିକ ପ୍ରକାରରେ ପରୀକ୍ଷା କରୁଥାନ୍ତି, ପରୀକ୍ଷାଗୁଡ଼ିକରେ ଆମ ପଟଟିର ସୁନିଶ୍ଚିତ ପରାଜୟ ଘଟିବ ବୋଲି ଉତ୍ତମରୂପେ ଜାଣିଥିଲେ ମଧ୍ୟ ଆମର ପରୀକ୍ଷା କରନ୍ତି ଏବଂ ସର୍ତ୍ତଗୁଡ଼ିକୁ ବାଢ଼ି ଦିଅନ୍ତି । ଏବଂ, ଆମେ ସେଗୁଡ଼ିକର ପୂରଣ କରି ପାରୁନାହୁଁ ବୋଲି ଦେଖି ଛାଡ଼ି ଚାଲିଯାଆନ୍ତି । ଯେଉଁ କାରଣରୁ ହୋଇଥାଉ ପଛକେ, ଶ୍ରୀଅରବିନ୍ଦ ପରମାଶକ୍ତିଙ୍କର ସେହି ପ୍ରଥମ ତିନୋଟିଯାକ ପରିଚିତ ଗୁଡ଼ିକୁ ସେହି ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରି ରଖିଛନ୍ତି ।

 

ମହାସରସ୍ଵତୀ କିନ୍ତୁ ଜଣେ ଆଉ ଭଳି ମାଆ । ସିଏ ଆମକୁ ତିଆରି କରି ନିଅନ୍ତି । ଆମେ ତିଆରି ନହୋଇଥିବା ପର୍ଯ୍ୟନ୍ତ ସେ ପୃଥିବୀରେ ଆମକୁ ସଂପୃକ୍ତ କରି ମୋଟେ କିଛି କରିପାରିବେ ନାହିଁ ବୋଲି ତ ସେ ଆମକୁ ଅଧିକ କ୍ଷମ କରି ନିଅନ୍ତି । ଆମର ପାଖେ ପାଖେ ରହି କ୍ଷମ କରି ନେବାର ସେହି ମାତୃପ୍ରକ୍ରିୟାଟି ଦ୍ଵାରା ଆମେ ତାଙ୍କରି ବଳରୁ ତାଙ୍କୁ ସ୍ଵୀକାର କରି ନେଉ ଏବଂ ଏଠାରେ ଏହୁ ପୃଥ୍ଵୀପ୍ରସ୍ତୁତିର କ୍ରମରେ ନିଜ ଭିତରେ ମଧ୍ୟ ନୂତନ ବଳମାନ ଲାଭ କରୁ ସେହି ସତ ଘଟଣାଟିକୁ ଆମେ ଆପେ ମଧ୍ୟ ଜାଣି ପାରୁନାହିଁ । ଏହି ପୃଥିବୀରେ ଜନନୀ ଆମ ସହିତ ରହିଛନ୍ତି, ଆମକୁ ଉଚିତ ସାହଚର୍ଯ୍ୟମନ ଦେଇ ଆମକୁ ଅଗ୍ରସର କରାଇ ନେଉଛନ୍ତି, ଏହି ଅଧ୍ୟାତ୍ମ ବିଚାର ଏବଂ ଅଧ୍ୟାତ୍ମ –ପ୍ରେରଣାଟି ସମ୍ପୂର୍ଣ୍ଣମତେ ଏବର ଅର୍ଥାତ ଏହି ଆଧୁନିକ ପୃଥ୍ଵୀଚେତନାର ଏକ ଉପଲବ୍ଧି, ସମ୍ଭବତଃ ଗୋଟିଏ ସବାବଡ଼ ଉପଲବ୍ଧି । ଜନନୀଶକ୍ତି ଏହି ପୃଥିବୀ ବାହାରେ ମୋଟେ ଦୂରବର୍ତ୍ତୀ ହୋଇ ରହିନାହିଁ,–ଏହିଠାରେ ହିଁ ଅଛି । ତାଙ୍କୁ ସେହି ପୁରୁଣା ଅର୍ଥରେ ବାହାରୁ ଦୂରସ୍ଥ କେଉଁଠାରୁ ଆବାହନ କରି ଆଣିବାକୁ ପଡ଼େନାହିଁ, ଏହିଠାରେ ହିଁ ଆବିଷ୍କାର କରିବାକୁ ପଡ଼େ-। ନିଜ ଭିତରେ ଏବଂ ପରସ୍ପର ଭିତରେ ଆବିଷ୍କାର କରିବାକୁ ପଡ଼ିଥାଏ, ଏହି ପୃଥିବୀରେ ଆବିଷ୍କାର କରିବାକୁ ପଡ଼େ । ଏହି ଜୀବନବୋଧଟି ହେଉଛି ଆମର ଏହି ଆଧୁନିକ ଅଧ୍ୟାତ୍ମର ବୋଧ । ସନ୍ତାନମାନଙ୍କ ନିମନ୍ତେ ଏକ ଆଧୁନିକ ସତ୍ୟୋନ୍ମୋଚନ । ଆମ ପୂର୍ଣ୍ଣ ପୃଥିବୀ ନିମନ୍ତେ ଏକ ଆଧୁନିକ ପ୍ରତିଶ୍ରୁତି । ଶ୍ରୀଅରବିନ୍ଦ ସେହିପରି କିଛି କାରଣରୁ ମହସତସ୍ଵତୀଙ୍କୁ ସର୍ବକନିଷ୍ଠା ;ବୋଲି କହିଛନ୍ତି କି ? ସର୍ବକନିଷ୍ଠା, ତେଣୁ ସବୁଠାରୁ ନିକଟ, ଗୋଟାସୁଦ୍ଧା ପାଖର,–ଆମର ଅନ୍ତର ମଧ୍ୟରେ ଓ ଏହି ପୃଥିବୀର ଆମମାନଙ୍କୁ ନେଇ ସର୍ବବିଧ ଭୂମିକାରେ । ମହାସରସ୍ଵତୀ ପୃଥିବୀ ନିମନ୍ତେ ଏକ ଭୌତିକ ମୂଳଦୁଆକୁ ସମ୍ଭବ କରି ଆଣିବାରେ ଆମର ସହଯୋଗ କରିବା ଲାଗି ଏଇଠି ମହଜୁଦ ହୋଇ ରହିଥାନ୍ତି, ଯାହା ଉପରେ କି ମନୁଷ୍ୟକୁ ନେଇ ସ୍ଵପ୍ନରୂପେ ସଚଳ ରହି ଅଧ୍ୟାତ୍ମର ଐଶ୍ୱର୍ଯ୍ୟ ତଥା ସୌନ୍ଦର୍ଯ୍ୟର ପରିପ୍ରକାଶ ଘଟିବ । ଏବଂ ସେହି ସୌନ୍ଦର୍ଯ୍ୟ ଏବଂ ଐଶ୍ୱର୍ଯ୍ୟର ବାସ୍ତବାୟନ ବ୍ୟତୀତ ସେହି ତୁଚ୍ଛା ମୂଳଦୁଆଟାର ମଧ୍ୟ ଆଉ ପ୍ରକୃତରେ କି ମର୍ଯ୍ୟାଦା ମଧ୍ୟ ରହିବ ? ବେଳେବେଳେ ତ ସେହି ମହାଶକ୍ତିଙ୍କର ପୂର୍ଣ୍ଣ ମହିମାୟତନଟିର ଅନ୍ଦାଜ କରୁଥିବା ସମୟରେ ବରଂ ଅଧିକ ନିଶ୍ଚୟତା ସହିତ ଠଉରାଇ ହୋଇଯାଏ ଯେ ସେହି ସୌନ୍ଦର୍ଯ୍ୟ, ଐଶ୍ଵର୍ଯ୍ୟ ଏବଂ ପରାକ୍ରମୀ ମହାସଙ୍କଳ୍ପର ପ୍ରତୀକ ମାହେଶ୍ୱରୀ, ମହାକାଳୀ ଓ ମହାଲକ୍ଷ୍ମୀ ହିଁ ମହାସରସ୍ୱତୀଙ୍କର ରୂପ ବିଭାବକୁ ଧାରଣ କରି ପୃଥିବୀସ୍ତରରକୁ ଆମର ସମ୍ପୂର୍ଣ୍ଣ ନିକଟବର୍ତ୍ତୀ ହୋଇ ଆସିଥାନ୍ତି ଏବଂ ଏକ ଅତୁଲ ନୈକଟ୍ୟ ଦେଇ ପୃଥିବୀକୁ ଅର୍ଥାତ୍ ଆମ ସମସ୍ତଙ୍କୁ ତିଆରି କରି ନେଉଥାଆନ୍ତି । ଆମ ସମସ୍ତଙ୍କୁ ସିନା ସହଜ ହୋଇପାରିବ ବୋଲି ସିଏ ଚାରିପ୍ରକାରେ କିମ୍ବା ଅସୁମାରି କେତେ କେତେ ପ୍ରକାରେ ଆମର ଆସ୍ପୃହାମାନଙ୍କରେ ଧରା ହେଉଥାନ୍ତି, କିନ୍ତୁ ତଥାପି ସତ୍ୟତଃ ଏବଂ କାର୍ଯ୍ୟତଃ ଗୋଟିଏ ହୋଇ ରହିଥାନ୍ତି । ଅର୍ଥାତ୍ ଅଧିକ ସତ୍ୟନିଷ୍ଠ ହୋଇ କହିଲେ, ମହାସରସ୍ଵତୀ ହେଉଛନ୍ତି ଆମ ଚେତନାଘରଟିର ନିକଟତମ, ଏକାବେଳେକେ ଏହି ତଳର ଏବଂ ତେଣୁ ଅସଲ । ଯାବତୀୟ ମାହିମାପ୍ରକାଶର ସୃଷ୍ଟିଯୋଜନାଟି ଯେ ପୃଥ୍ଵୀନିୟତି ନିମନ୍ତେ ନିର୍ଦ୍ଦେଶିତ ହୋଇ ରହିଛି ଏବଂ ଆମକୁ ଆମର ଏହି ନିକଟସ୍ଥ ତଳଟିରୁ ହିଁ ସେଥିଲାଗି ମୂଳଦୁଆ ରୂପେ ଗଢ଼ି ହୋଇଯିବାକୁ ହେବ, ସେଇ ବାରତାଟାକୁ ପ୍ରଦାନ କରି ।

 

ଜଗଦ୍ଧାତ୍ରୀ ସେହି ମହାଶକ୍ତିଙ୍କର କ’ଣ ଆଦୌ ସେହି ଚାରିଟି ପ୍ରକାଶ ! ଏବଂ, ସବାଶେଷରେ ଶ୍ରୀଅରବିନ୍ଦ ସେହି ସନ୍ଦର୍ଭଟିକୁ ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ କରି ଦେଇଛନ୍ତି । ଆମ ଅଧ୍ୟାତ୍ମ–ହୃଦୟ ଆଖିମାନେ ଯେତିକି ଯେତିକି ଅଧିକ ପୋଖତ ହେଉଥିବେ, ମହାଶକ୍ତି ଆମକୁ ସେତିକି ଓ ଅଧିକ ବିଭାବର ସାମର୍ଥ୍ୟଯୁକ୍ତା ବୋଲି ବିଭାସିତ ହୋଇ ଯାଉଥିବେ । ଅଧିକ ବାସ୍ତବତା ଦେଇ କହିଲେ ସିଏ ଯୁଗପତ୍ ଭାବରେ ଅର୍ଥାତ୍ ହେଉଥିବେ । ଏକାବେଳେକେ କେବଳ ଗୋଟିଏ ତଥା ଅସୁମାରି ଅନେକ ହୋଇ ପ୍ରତ୍ୟକ୍ଷ ହେଉଥିବେ । ଆମର ଅଧ୍ୟାତ୍ମନୈକଟ୍ୟର ଅନ୍ତର୍ନେତ୍ର ଓ ବହିର୍ନେତ୍ରମାନେ ଯେତିକି ସମର୍ଥ ହୋଇ ଆସୁଥିବେ, ଆମେ ତାଙ୍କୁ ସେତିକି ସେତିକି ଅଧିକ ପ୍ରାସଙ୍ଗିକତା ସହିତ ଏକାବେଳେକେ ଦୁଇଟିଯାକ ଆୟାମରେ ନିଶ୍ଚୟ ଦେଖି ପଡ଼ୁଥିବା,–ଅନ୍ଦାଜ କରି ପାରୁଥିବା ଓ ବଞ୍ଚି ପାରୁଥିବା । ଅଧିକ ଅଧିକ ବହୁ ବିଭବ ପରିଚୟ ପାଇବାରେ ଲାଗିଥିଲେ ମଧ୍ୟ ମୂଳଭୂତ ଏକତ୍ଵଟିକୁ କଦାପି ହରାଉ ନଥିବା ଏବଂ ତାଙ୍କୁ, ବହୁ ପ୍ରକାଶର ମହିମାରେ ଠାବ କରି ପାରିବାକୁ ଯାଇ ତଥାପି ଏକ ଗୋଟିଏ ଉପସ୍ଥିତିର ପ୍ରଭାମଣ୍ଡଳ ମଧ୍ୟରେ ଚିହ୍ନି ନେଉଥିବା । ମୋଟେ କୌଣସି ପ୍ରକାର ବିରୋଧାଭାସର ଅବକାଶ ରହିନଥିବ । ଆମେ ନାନା ବିଭାଜନରେ ଖଣ୍ଡ ଖଣ୍ଡ ହୋଇ ରହିଥାଉ ବୋଲି ସିନା ମହାଶକ୍ତିଙ୍କୁ ସିଏ ଏହି ଗୋଟିଏ ବିଶ୍ଵ ଭିତରେ ରହିଥିଲେ ମଧ୍ୟ ଆମେ ତାଙ୍କର ସେହି ସର୍ବଠୁଳ ସ୍ଵରୂପଟିକୁ କାଳେ ଦେଖି ହେବନାହିଁ ବୋଲି ସଂଶୟମାନ କରି ସେତିକି ଭିତରେ ଘାରି ହେବାରେ ଲାଗିଥାଉ । ଏହି ପୃଥିବୀରେ ଆମର ଏହି ଆସ୍ପୃହାନାମକ ଚେତାଟି ଯେତିକି ସ୍ଵାଭାବିକ ହୋଇ ଆସିବ, ମହାଶକ୍ତିଙ୍କର ସେହି ଦ୍ଵନ୍ଦ୍ଵରହିତ ବୋଧଟି ଭିତରୁ ଆମେ କେତେ କେତେ ଅନ୍ୟ ବୈଭବର ଆବିଷ୍କାର ଅବଶ୍ୟ କରି ପାରୁଥିବା । ଗୋଟିଏ ପରିଚୟ ଏକାବେଳେକେ ଅନେକ ପରିଚୟର ଉଦ୍‌ବୋଧନ ଦେଇପାରିବ ଏବଂ ଏହି ତଥାକଥିତ ଅନେକ ପରିଚୟଟିରୁ ତଥାପି ବିଚ୍ଛିନ୍ନ ହୋଇଯିବାର ଆଦୌ କୌଣସି ଦୁର୍ଭାଗ୍ୟ ଆଦୌ ଭୋଗିବାକୁ ପଡ଼ିବ ନାହିଁ ।

 

ଅର୍ଥାତ୍, ଶ୍ରୀଅରବିନ୍ଦଙ୍କର ସେହି କଥାଗୁଡ଼ିକ ଅନୁସାରେ, ମହାଶକ୍ତି ଆପଣାର ପୂର୍ଣ୍ଣ ବିଭା ଏବଂ ବୈପୁଲ୍ୟରେ ଏହି ସଂସାର ଜୀବନରେ ପ୍ରକଟ ହେବେ, ଯେତେବେଳେ ଆମର ମନ, ପ୍ରାଣ ଏବଂ ଶରୀର ରୂପାନ୍ତାରିତ ହୋଇ ଏକ ପରିପୂର୍ଣ୍ଣ ସମଞ୍ଜସତା ତଥା ଗତିଯୁକ୍ତ ସ୍ଵାଧୀନତା ମଧ୍ୟକୁ ବିକଶିତ ହୋଇ ଉଠିବେ । ମୋଟେ ଧନ୍ଦିହେବାକୁ ପଡ଼ିବ ନାହିଁ । ସେତେବେଳେ ତ ସିଏ ଏହି ପୃଥିବୀପୃଷ୍ଠରେ ଆମର ଜୀବନ ମଧ୍ୟରେ ଆମର ପ୍ରତିମୁହୂର୍ତ୍ତର ସମ୍ପର୍କରେ ହିଁ ପୂର୍ଣ୍ଣ ବାସ୍ତବ ହୋଇ ଦୃଶ୍ୟ ତଥା ଅନୁଭୂତ ହେଉଥିବେ । ସେତେବେଳେ ଆମର ପ୍ରକୃତି ଏହି ପ୍ରକୃତି ହୋଇ କେବେହେଲେ ରହିବନାହିଁ, ତେଣୁ ଆମ ଆଖିଟା ମଧ୍ୟ କେବଳ ଏହି ଆଖି ହୋଇ ରହିବ ନାହିଁ ଏବଂ, ଆହୁରି ଅଧିକ ବଡ଼ କଥାଟି ହେଉଛି ଯେ, ଆମ ସମ୍ପର୍କମାନେ ମଧ୍ୟ ଆଦୌ ଏହି ଏବସଦୃଶ ଗଣ୍ଠିଗଣ୍ଠି ହୋଇ ରହିବେନାହିଁ । ସେହି ମାନସାତୀତ ପୃଥ୍ଵୀଜୀବନରେ ଆଉ କିଏ କାହିଁକି ମହାଶକ୍ତିଙ୍କର କେତୋଟି ଶକ୍ତି ବୋଲି ଗଣି ବସିବାକୁ ମନ କରିବ ? ଐଶ୍ଵର୍ଯ୍ୟ ହେଉ ଅଥବା ସୌନ୍ଦର୍ଯ୍ୟ ହେଉ, ମାହେଶ୍ଵରୀ ହୁଅନ୍ତୁ ଅଥବା ମହାଲକ୍ଷ୍ମୀ ହୁଅନ୍ତୁ, ଏପରିକି ଶାସ୍ତ୍ରଗୁଡ଼ିକରେ ବହୁ ଭୟାନକ ଆଳଙ୍କରିକତା ଦେଇ ବର୍ଣ୍ଣନା କରାଯାଇଥିବା ମହାକାଳୀ, ସମସ୍ତେ ସେହି ଗୋଟିଏ ସଦାଜନନୀଙ୍କର ସମ୍ପୂର୍ଣ୍ଣ ଏକ୍ୟ ମଧ୍ୟରେ ବିଭାସିତ ହୋଇ ଉଠିବେ,–ଆମର ସକଳ କିଛିକୁ ଧନ୍ୟ ହିଁ କରିବେ । ସେତେବେଳେ ଜଣେ ଜଣେ ମନୁଷ୍ୟ ହିସାବରେ ଆମର ପ୍ରକୃତି ଧର୍ମତଃ ଏକ ଗତିଶୀଳ ଦିବ୍ୟପ୍ରକୃତିରେ ପରିଣତ ହେବ ଏବଂ ପୃଥ୍ଵୀଜୀବନର ଏହି ବୀଣାତନ୍ତ୍ରଟି ଉପରେ ଏକ ଶାଶ୍ଵତ ଉଦ୍‌ବୋଧନର ଛନ୍ଦ ହିଁ ନିନାଦିତ ହୋଇ ଉଠିବ । ଏହି ସବୁ କିଛି ଯେପରି ସତକୁ ସତ ସମ୍ଭବ ହେବ, ସେଥିଲାଗି ମହାସରସ୍ଵତୀ ହିଁ ଆମ ଭିତରେ ଆବଶ୍ୟକ ବାସ୍ତବ ମୂଳଦୁଆଟିକୁ ପକାଇଥିବେ, ସେହି ସର୍ବପ୍ରାଥମିକ କାର୍ଯ୍ୟଟିରେ ଆମ ପାଖେପାଖେ ରହି ଆମକୁ ସାହାଯ୍ୟ କରିଥିବେ । ଆମକୁ ମୋଟେ ଅଯୋଗ୍ୟ ବୋଲି ଦେଖି ପ୍ରତ୍ୟାଖ୍ୟାନ କରିନଥିବେ, । ସନ୍ତାନ ତା’ର ମନୋମତ ଯୋଗ୍ୟ ହେଇନାହିଁ ବୋଲି କେଉଁ ମାଆ ତା’ର ସନ୍ତାନମାନଙ୍କୁ କେଉଁଠି କଦାପି ଛାଡ଼ି ଚାଲିଯାଏ ନାହିଁ । ସନ୍ତାନ ଅନ୍ତତଃ ଏହିପରି ଗୋଟିଏ ଆଦ୍ୟତମ ହଁ’ ରୁ ଆପଣାର ଆସ୍ପୃହାଟିକୁ ଆରମ୍ଭ କରିବ, ନିଜର ମନ, ପ୍ରାଣ ଏବଂ ହେତୁ ଦେହକୁ ସେହି ବିଶ୍ଵାସରେ ଉନ୍ମୋଚିତ କରି ଧରିବ,–ସମ୍ପୂର୍ଣ୍ଣ ରାଜିରେ, ସମ୍ପୂର୍ଣ୍ଣ ଖୁସିରେ । ତେବେ ସିଏ ଯେ ଆଗକୁ ଖୋଜମାନ ପକାଉଥିବା ସଙ୍ଗେ ସଙ୍ଗେ ଆପଣାଲାଗି ଅଭାବନୀୟ କେତେ କ’ଣ ଆବିଷ୍କାର କରିବାକୁ ଆରମ୍ଭ କରିବ, ସିଏ ସେଠାରେ ଆଦୌ ଆଚମ୍ବିତ ହେବ ନାହିଁଟି ! ହଁ, ଏହି ଚାରି ଅଥବା ଚାରିଶହଯାକ ଶକ୍ତି ବାହାରେ ଦୂରରେ କେଉଁ ଅନ୍ୟ ଲୋକମାନଙ୍କରେ ଯାଇ ରହିଥିଲେ ବା ମୋ’ ନିଜ ଭିତରେ, ମନୁଷ୍ୟମାତ୍ରେ ଆମ ସମସ୍ତଙ୍କ ଭିତରେ ଅବସ୍ଥିତ ରହିଥିଲେ,–ଉଚିତ ମୂଳଦୁଆଟିକୁ ପକାଇ ଉଚିତ ଆକାଶଗୁଡ଼ିକୁ ଆମର ନିକଟବର୍ତ୍ତୀ କରି ଆଣିବାରେ ଆମକୁ ସାମର୍ଥ୍ୟ ଯୋଗାଇ ଦେଉଥିଲେ, ସେହି ଲୀଳାଟିର ହଠାତ୍ କୌଣସି ବ୍ୟାଖ୍ୟା କରି ନପାରି ଆମେ ହୁଏତ ତଥାପି ଆଚମ୍ବିତ ହୋଇ ଯାଉଥିବା,–ଅର୍ଥାତ୍ ବୁଝି ପାରୁଥିଲେ ମଧ୍ୟ ତଥାପି ବୁଝି ପାରୁନଥିବା ।

 

ଏବଂ, ସାନ୍ନିଧ୍ୟଟିର ଏ ମୁଣ୍ଡକୁ ଆସି ଠିକ୍ ସେହି ପ୍ରଶ୍ନଟି; ଏହି ବହୁଧା ଶକ୍ତିମାନେ ସତକୁ ସତ ଆମ ପୃଥିବୀ ବାହାରେ ଆଉ କେଉଁଠାରେ ନା ସକଳ ନ୍ୟାୟରେ ସେମାନେ ଆମରି ଭିତରେ-? ସେମାନେ ଦୂରରେ ଏକ ଅଲଗା ଲୋକରେ ଅଛନ୍ତି ବୋଲି ପ୍ରଥମାନୁମାନଟିଏ କରି ଏକଦା କେତେ କେତେ ପୁରାଣର କଳ୍ପନା ଏବଂ ମଣ୍ଡନାମାନ କରାଯାଇଛି,। ସ୍ଵର୍ଗରାଜ୍ୟ ନାମକ ଏକ ସ୍ଵତନ୍ତ୍ର ରାଜ୍ୟର ମଧ୍ୟ ଭିଆଣ ହୋଇଛି ଏବଂ ସତେଅବା ଏକ ବୁଦ୍ଧିଗତ ଭାରସାମ୍ୟ ରକ୍ଷା କଲାପରି ସମାନ କାରିଗରିରେ ଗୋଟିଏ ନରକର ବି ଉପସ୍ଥାପନା ହୋଇଛି । ମଞ୍ଚର ମନୁଷ୍ୟମାନଙ୍କୁ ଏପରି କରି ସେମାନଙ୍କର ଏହି ମର୍ତ୍ତ୍ୟଜୀବନରେ ସତେଅବା ଦୁଇଟି ଭିତରୁ ଗୋଟିକୁ ବାଛି ନେବାଲାଗି ନିର୍ଦ୍ଦେଶ ଦିଆଯାଇଛି । ନୀତିରେ ରହ, ତେବେ ସ୍ଵର୍ଗକୁ ଯିବ; ଅର୍ଥାତ୍ ସେଥିରୁ ବିଚ୍ୟୁତ ହେଲେ ନରକକୁ ଯାଇ ଦଣ୍ଡ ଭୋଗିବ ବୋଲି କୁହାଯାଇଛି । ଏହି ଯେତିକି ଯାହା ଯେଉଁପରି ଅଛି, ସେଇଟିକୁ ସେତିକି କରି ରଖିବାକୁ ହିଁ ନୀତିରେ ରହିବା ବୋଲି ଖୁବ୍ ଇଙ୍ଗିତ କରି ଦିଆ ହୋଇଛି । ଏହି ସ୍ଥିତାବସ୍ଥାଟାକୁ ବଦଳାଇବା ବିଷୟରେ କାହିଁ କିଛିହେଲେ କୁହା ଯାଇନାହିଁ ତ-! ସ୍ଥିତାବସ୍ଥା ଗୁଡ଼ିକୁ ଯେ ଆଦୌ ବଦଳାଯାଇ ପାରିବ, ମନୁଷ୍ୟମାନଙ୍କୁ ସେହି ଭରଷାଟିକୁ ଦେବାପାଇଁ ମଧ୍ୟ; ହୁଏତ ପ୍ରୟାସ ହୋଇନାହିଁ । କୌଣସି ନ୍ୟସ୍ତସ୍ଵାର୍ଥର ପକ୍ଷରେ ରହି ଏପରି ହୋଇଛି କି ? ପୃଥିବୀ ବଦଳୁ ବୋଲି ଆମ ଇତିହାସରେ ନ୍ୟସ୍ତସ୍ଵାର୍ଥମାନେ କେତେହେଲେ ରାଜି ହୋଇନାହାନ୍ତି । ଧର୍ମଗୁଡ଼ିକ ମଧ୍ୟ ଏକାଧିକ ଅନିଚ୍ଛା ଏବଂ କୁଣ୍ଠା ହେତୁ ସେହି ପକ୍ଷଟିର ସମର୍ଥନ କରି ବି ଆସିଛନ୍ତି । ଅଧ୍ୟାତ୍ମ ହିଁ ସ୍ଥିତାବସ୍ଥାରେ ପରିବର୍ତ୍ତନ ଲୋଡ଼ିଛି । ତେଣୁ, ଯାବତୀୟ ଧର୍ମ ପାଇଁ ବହୁ ଭୟ ତଥା ଶଙ୍କାର କାରଣ ହୋଇଛି । ସମ୍ଭବତଃ ସେହିପରି କୌଣସି କାରଣରୁ ଧର୍ମମାନେ ବହୁ ଅପପରାକ୍ରମ ନ୍ଦେଖାଇ ଅଧ୍ୟାତ୍ମର ଅସଲ ଆହ୍ଵାନଗୁଡ଼ିକୁ ଭୁରୁଡ଼ାଇ ରଖିବାକୁ କେତେ କେତେ ପ୍ରୟାସ ଯୁଗେ ଯୁଗେ କରି ଆସିଛନ୍ତି, ସବୁଯାକ ଅନ୍ୟସମ୍ଭାବନା ପୃଥିବୀର ବାହାରେ ଯାଇ ରହିଛି ବୋଲି ଘୋଷଣା କରି ଆସିଛି ।

 

ପୃଥିବୀଯାକର ଯେଉଁ ସ୍ଵର୍ଗବର୍ଣ୍ଣନା, ସେଗୁଡ଼ିକୁ ମନୁଷ୍ୟମାନେ ନିଜର କଳ୍ପନାଦ୍ଵାରା ପ୍ରେରିତ ହୋଇ ହିଁ କରିଛନ୍ତି । ସେମାନଙ୍କ ଭିତରେ ରହିଥିବା ଯେଉଁ ଦିବ୍ୟ ଅର୍ଥାତ୍ ଈଶ୍ଵରୀୟ ଉଚ୍ଚାଟନାଟି, ତାହାହିଁ ଏହି ଅନ୍ୟ ସମ୍ଭାବନା ମାନଙ୍କୁ ବହୁ ଅନ୍ୟ ଆବେଦନଯୁକ୍ତ ରୂପ ପ୍ରଦାନ କରିଛି-। ଯାହା ଆସୁଛି, ତାହାହିଁ ସ୍ଵର୍ଗ । ସନ୍ତାନମାନେ ହିଁ ଯୁଗେ ଯୁଗେ ଏହି ପୃଥିବୀରେ ସେହି ସ୍ଵର୍ଗରାଜ୍ୟକୁ ଏହି ପୃଥିବୀରେ ଥାଇ ଘ୍ରାଣ କରି ପାରିଛନ୍ତି । ସନ୍ତାନମାନେ, ଯେଉଁମାନେ କି ସେହି ଇପ୍ସିତ ଅନ୍ୟ ଏକ ମାନଚିତ୍ରକୁ ଏହିଠାରେ ଚାକ୍ଷୁଷ କରି ଆଣିବା ନିମନ୍ତେ ସଚେତନ ଭାବରେ ତିଆରି ହେବେ । ମହାଶକ୍ତି ସେହି ସନ୍ତାନମାନଙ୍କର ଚିତ୍ତରେ ରହି କାର୍ଯ୍ୟ କରୁଛନ୍ତି,–ସନ୍ତାନମାନଙ୍କ ମଧ୍ୟରେ ମାତ୍ର ଚାରି ନୁହେଁ, ଚାରିଶହ ସତୁରି ଉଜ୍ଜ୍ଵଳତାରେ ଅବସ୍ଥିତ ରହି ସେମାନଙ୍କୁ ଗୋଟିଏ ଗୋଟିଏ ନିମିତ୍ତ ଭଳି ତିଆରି କରି ନେଉଛନ୍ତି । ମନୁଷ୍ୟମାନେ ସ୍ଵୟ ସମ୍ମତ ହେଲେ ଅର୍ଥାତ୍ ପଦଦେଶରେ ଥାଇ ମଧ୍ୟ ଯୁଗପତ୍ ଭାବରେ ଆପଣା ଭିତରେ ଏବଂ ବାହାରରେ ଆମ ବହୁ ବହୁ ସମ୍ପର୍କ ଦ୍ଵାରା ଗ୍ରଥିତ ହୋଇ ରହିଥିବା ପୃଥିବୀରେ ଶିଖରମାନଙ୍କୁ ମଧ୍ୟ ଦେଖିପାରିଲେ ସେମାନେ ହିଁ ମଙ୍ଗଗୁଡ଼ିକ ଉପରେ ବସି ନୌକାଟିକୁ ଅଗ୍ରସର କରାଇନେବା । କହିବା ଅନାବଶ୍ୟକ, ସେହି ସନ୍ତାନମାନେ ହିଁ ତାହା ଆଗ ପାରିବେ ଏବଂ ମାଆଙ୍କ ଭାଷାରେ Servitor ହେବେ । ସନ୍ତାନର ଚେତନାକୁ ସଙ୍ଗୀ କରି ସେଥିଲାଗି ‘ମାଆ’ ପୁସ୍ତକର ସାନ୍ନିଧ୍ୟ ମଧ୍ୟକୁ ଆସିପାରିଲେ ଆପଣାକୁ ଏଡ଼େ ଶକ୍ତିମନ୍ତ ମନେ ହୁଏ, ମହାଶକ୍ତିଙ୍କୁ ଆପଣା ଭିତରେ ଏବଂ ସମସ୍ତଙ୍କ ଭିତରେ ଠାବ କରିହୁଏ-। ବନ୍ଧୁ, ରୂପାନ୍ତରଟି ସେହିଠାରୁ ଆରମ୍ଭ ହୋଇଯାଏ । ଅସୁରମାନଙ୍କୁ ମୋଟେ ଡର ମାଡ଼େ ନାହିଁ-। ଏବଂ, ପୁରୁଣା ହିସାବର ସର୍ବବିଧ ଗଡ଼ଗୁଡ଼ିକୁ ସତେଅବା କେଡ଼େ ଅଳପ ପ୍ରୟାସରେ ଜୟ କରି ହୋଇଯାଏ । ସଂସାରେ ଅସୁରମାନେ ଅଛନ୍ତି ବୋଲି ଶୁଣିଲେ ତା’ପରେ ଆଉ ଆଦୌ ଡର ମାଡ଼େ ନାହିଁ । ସେମାନେ ଗଡ଼ ଛାଡ଼ି କେଡ଼େ ସୂତରରେ ଯେ ହଟି ଚାଲିଯାଆନ୍ତି, ସେକଥା ମଧ୍ୟ ଜାଣି ହୁଏନାହିଁ ।

 

ତେଣୁ, ଡାକିବାରୁ ହିଁ ସବୁ ଆରମ୍ଭ । ଡାକିଲେ ଶିଖରଟି ଅବଶ୍ୟ ଉଅ କରେ, ଅନୁସ୍ପନ୍ଦନ ଜଣାଯାଏ । ନିଜ ଭିତରର ଶିଖରଟି ସେଠାରେ ଚିରଦିନ ରହିଥିଲା ବୋଲି ସ୍ପଷ୍ଟ ହୋଇ ଯାଉଥାଏ-। ପାଦଦେଶରେ ଠିଆ ହୋଇ ନିଜ ଭିତରର ଏହି ଶିଖରଟିକୁ ଯେଉଁ ଲୋଡ଼ିବା, ନିଜପାଇଁ ମୋକ୍ଷ ଲୋଡ଼ୁଥିବା ପଳାୟନଲାଳସୀ ସିଏ ତାହା ମୋଟେ କରି ପାରିବନାହିଁ । ସନ୍ତାନଟିଏ କେବେହେଲେ ମୋକ୍ଷ ଲୋଡ଼ି ବାହାରିବାକୁ ରାଜି ହେବ ନାହିଁ । ସିଏ ସେହି ଖାସ୍ ବିଶ୍ଵ-ଯୋଗରେ ଆସି ସାମିଲ୍‍ ହେବ, ତେବେ ନିଜ ଭିତରେ ଅର୍ଥାତ୍ ନିଜର ମାର୍ଗଟିରେ ସିଏ ମହାଶକ୍ତି ଜଗଦ୍‌ଜନନୀଙ୍କୁ ହିଁ, ସ୍ଵ-ଆସ୍ପୃହାର ଶିଖରରୂପେ ଠାବ କରିପାରିବ । ଏହି ପୃଥିବୀର ବିବର୍ତ୍ତନ-ପ୍ରକ୍ରିୟାରେ ସତ୍ଵରତା ଆଣିଦେବ । ଶ୍ରୀଅରବିନ୍ଦଙ୍କର ଭାଷାରେ ଉକ୍ତ ବିବର୍ତ୍ତନକୁ ସେ ଏକ ବିପ୍ଲବରେ ପରିଣତ କରିବ-। ଏବଂ ସେହି, ବିପ୍ଲବର ମାର୍ଗରେ ସିଏ ମହାସରସ୍ଵତୀଙ୍କ ସମେତ ମହାଲକ୍ଷ୍ମୀ, ମହାକାଳୀ ତଥା ମାହେଶ୍ଵରୀଙ୍କୁ ମଧ୍ୟ ଭେଟିବ । ପ୍ରତୀକମାନେ ଖସି ପଡ଼ିବେ, କୌଣସି ପ୍ରକାର ଅପସରଣର କୌଣସି ପ୍ରମାଦ ମଧ୍ୟ ନଥିବ । ଇପ୍ସିତ ସଙ୍ଗଗୁଡ଼ିକ ହିଁ ଉପଲବ୍ଧ ହୋଇ ଆସିବେ । ବାଟତମାମ ସେହି ସକଳ ସ୍ଵତନ୍ତ୍ର ଶକ୍ତି ମଧ୍ୟ ଆମକୁ ଖୋଜେ ଖୋଜେ ଅଗ୍ରସର କରାଇ ନେଉଥିବେ । ପ୍ରେରଣା ଦେଉଥିବେ । ପ୍ରେରଣା ଦେଉଥିବା ଏବଂ ଖୋଜେ ଖୋଜେ ଆମକୁ ଅଗ୍ରସର କରାଇ ନେଉଥିବା, ଏହାହିଁ ଜଗତ୍‍ଧାତ୍ରୀ ସେହି ପରମାଜନନୀଙ୍କର କରୁଣାଲାଭ । ତା’ପରେ କେଉଁଟି କେଉଁ ଖାସ୍‍ ଶକ୍ତିଟିର ଅବଦାନ ସେକଥା ବୁଝିବା ସକାଶେ ଆଉ ମନେ ବି ପଡ଼ିବ ନାହିଁ । ସେହି ମହାଶକ୍ତି ହିଁ ପାଦଦେଶର ମୂଳଦୁଆଗୁଡ଼ିକୁ ପକାଇ ନେଉଥିବେ, ସେଇ ଆମର ଏହି ପୃଥିବୀ ନିମନ୍ତେ ଅପେକ୍ଷା କରି ରହିଥିବା ସବୁଯାକ ସୌନ୍ଦର୍ଯ୍ୟ ଏବଂ ଐଶ୍ଵର୍ଯ୍ୟକୁ ଆମ ନିଜ ଭିତରେ ମଧ୍ୟ ଉକୁଟାଇ ରଖିଥିବେ-। ସମର ଚାଲିଥିବ, ପୃଥିବୀ ଲାଗି ନୂଆ ନୂଆ ଗଡ଼ ଉପରେ ବିଜୟଲାଭ ହୋଇ ଚାଲିଥିବା ଘଟଣାମାନେ ଘଟୁଥିବେ;–ଆମ ସମସ୍ତଙ୍କୁ ମାଧ୍ୟମ କରି ସେହି ଶିଖରମାନେ ହିଁ ବାସ୍ତବ ହୋଇ ଆସୁଥିବେ ।

Image